Unknown

 

 

 

 

 

 

 

 

 

 

 

ବୀରପୂଜା

ଅମରେନ୍ଦ୍ର ବଲ୍ଲଭ ଦେ

 

ସୂଚୀପତ୍ର

 

୧.

ଦେବାନୁଭାବ ବୀର

୨.

ଧର୍ମୋପଦେଷ୍ଟା ବୀର

୩.

କବିବୀର

୪.

ଧର୍ମଯାଜକ ବୀର

୫.

ସାହିତ୍ୟିକ ବୀର

୬.

ରାଜବୀର

Image

 

ଭୂମିକା

 

ମୁଁ ଏମ୍‌, ଏ କ୍ଳାସରେ ଅଧ୍ୟୟନ କରିବା ସମୟରେ ମୋର ଶ୍ରଦ୍ଧେୟ ଗୁରୁ ରେଭନ୍‌ସା କଲେଜର ଅଧ୍ୟାପକ ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି ଏମ. ଏ ମହୋଦୟ ବୀରପୂଜା ଅନୁବାଦ କରିବାକୁ ମୋତେ ଉତ୍ସାହିତ କରନ୍ତି । କାରଲାଇଲଙ୍କର ଭାଷା ଅତି କଠିନ ଥିବାରୁ ଅନୁବାଦ ଅତିଶୟ କଠିନ ବୋଧ ହେଲା । ତେଣୁ ମୁଁ ଏ କାର୍ଯ୍ୟରୁ ବିରତ ହେବାକୁ ବସିଥିଲି; କିନ୍ତୁ ସେ ମହାଶୟଙ୍କ ପ୍ରବଳ ଉତ୍ସାହ ଓ ପ୍ରେରଣାରେ ପ୍ରୋତ୍ସାହିତ ହୋଇ କାରଲାଇଲଙ୍କର ଭାବର ଅବଲମ୍ବନରେ ଏହା ଲେଖିବାକୁ ଆରମ୍ଭ କଲି । ଏମ୍‌.ଏ ପଢ଼ିବା ସମୟରେ ଏହା ଲିଖିତ ହୋଇଥିଲା ଏବଂ ଧାରାବାହିକ ଭାବରେ ‘ମୁକୁର’ ର କେତେକ ସଂଖ୍ୟାରେ ତିନୋଟି ପ୍ରବନ୍ଧ ପ୍ରକାଶିତ ହୋଇଥିଲା; କିନ୍ତୁ ନାନାଦି ଅସୁବିଧାବଶତଃ ତାହା ଆଜ ସୁଦ୍ଧା ପ୍ରକାଶିତ ହୋଇପାରି ନ ଥିଲା । ସେଥି ନିମିତ୍ତ ମୁଁ ଅତିଶୟ ଦୁଃଖିତ ।

 

ମୋର ଏହି ଲେଖାରେ ମୌଳିକତା କିଛି ନାହିଁ । ମୋର ବିଶ୍ୱାସ, ମୌଳିକ ପ୍ରବନ୍ଧ ଲେଖିବା ସହଜ, କିନ୍ତୁ ଅନ୍ୟ ଭାଷାରୁ ଅନ୍ୟ ଜଣଙ୍କର ଭାବକୁ ଅକ୍ଷୂର୍ଣ୍ଣ ରଖି ନିଜ ଭାଷାରେ ପ୍ରକାଶ କରିବା ସହଜ ବ୍ୟାପାର ନୁହେ । ଯଦି ୠଷିପ୍ରାଣ କାରଲାଇଲଙ୍କର ମହତ୍‌ ଭାବକୁ ମୁଁ କିଞ୍ଚିତ ପ୍ରକାଶ କରିବାକୁ ସମର୍ଥ ହୋଇଥାଏ, ତେବେ ଶ୍ରମ ସାର୍ଥକ ହୋଇଅଛି ବୋଲି ମନେ କରିବି । ଏ ବିଷୟ ବିଚାର କରିବାର ଭାର ମୋର ପାଠକପାଠିକାମାନଙ୍କ ଉପରେ । ଯଦି କୌଣସି ତ୍ରୁଟି ରହିଥାଏ ତେବେ ସେମାନେ ଅନୁଗ୍ରହ ପୂର୍ବକ କ୍ଷମା କରିବେ ।

 

ପରିଶେଷରେ ବକ୍ତବ୍ୟ ଏହି ଯେ, ମୋର ପୂଜନୀୟ ଅଧ୍ୟାପକ ଶ୍ରୀଯୁକ୍ତ ଆର୍ତ୍ତବାବୁଙ୍କ ଉତ୍ସାହ ଓ ଚେଷ୍ଟା ବ୍ୟତୀରେକେ ଏହି ପୁସ୍ତକ ଲିଖିତ କିମ୍ବା ପ୍ରକାଶିତ ହୋଇପାରି ନ ଥାନ୍ତା, ସେ ମୋହଦୟ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରି ଓ ଅନେକ କଷ୍ଟ ସ୍ୱୀକାର ପୂର୍ବକ ପାଣ୍ଡୁଲିପି ପାଠ କରି ଅନେକ ସ୍ଥଳରେ ମୋର ସଂଶୋଧନ ଇତ୍ୟାଦି କରିଥିବାରୁ ତାଙ୍କ ନିକଟରେ ମୁଁ ଚିରୠଣୀ ଓ କୃତଜ୍ଞ । ଆହୁରି ମଧ୍ୟ ପୁସ୍ତକଟି ପ୍ରେସରେ ଥିବା ସମୟରେ ପ୍ରୁଫ୍‌ ସଂଶୋଧନ ଇତ୍ୟାଦି ସମସ୍ତ କାର୍ଯ୍ୟ ସେ ଅକୁଣ୍ଠିତ ଚିତ୍ତରେ କରିଥିବାରୁ ମୋର ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରୁଅଛି ।

 

ଆଠଗଡ଼

ଶ୍ରୀ ଅମରେନ୍ଦ୍ର ବଲ୍ଲଭ ଦେ

ତା ୯। ୮। ୧୯୨୯ ମସିହା

 

Image

 

ପ୍ରଥମ ପ୍ରସଙ୍ଗ

‘‘ଦେବାନୁଭାବବୀର’’

 

ମହାପୁରୁଷମାନେ କିପରି ଏହି ପୃଥିବୀରେ ଆବିର୍ଭୁତ, କିରୁପେ ସେମାନଙ୍କଦ୍ୱାରା ଜଗତର ଇତିହାସ ଗଠିତ, ସେମାନଙ୍କର କାର୍ଯ୍ୟ ପ୍ରଣାଳୀ କିମ୍ଭୁତ ଏବଂ ଜନସାଧାରଣଙ୍କଦ୍ୱାରା ସେମାନେ କିରୂପେ ସମାଦୃତ ଅର୍ଥାତ୍‌ ଯାହା ବୀରପୂଜା, ତାହା ଏହି ପ୍ରବନ୍ଧର ଆଲୋଚ୍ୟ । ଏହା ଅବଶ୍ୟ ଗୋଟିଏ ଗୁରୁତର ପ୍ରସଙ୍ଗ, ତେଣୁ ଏ ବିଷୟର ପୁଙ୍ଖାନୁପୁଙ୍ଖ ବିଚାର ସହଜସାଧ୍ୟ ନୁହେ ।

 

ମହାପୁରୁଷ ମାନେ ହିଁ ଜଗତର ଇତିହାସ ସୃଷ୍ଟି କରି ଅଛନ୍ତି । ଇତିହାସ କେବଳ ସେମାନଙ୍କ କାର୍ଯ୍ୟକଳାପ ଲିପିବଦ୍ଧ କରିଅଛି । ଜଗତର ଯେତେ ମହତ୍‌ କିମ୍ବା ଅଦ୍ଭୁତ କାର୍ଯ୍ୟ ସଂପାଦିତ ହୋଇଅଛି, ସେ ସବୁ ସେହି ମହାପୁରୁଷମାନଙ୍କର ମସ୍ତିଷ୍କ-ଚାଳନାର ଫଳ–ସେମାନଙ୍କ ଚିନ୍ତାର ବାହ୍ୟ ପ୍ରତିରୂପ-ବହିଃପ୍ରକାଶ ମାତ୍ର । ସେମାନଙ୍କର ଆଭ୍ୟନ୍ତରିକ ଭାବର ବହିଃପ୍ରକାଶଦ୍ୱାରା ମହତ୍‌ କାର୍ଯ୍ୟର ସୃଷ୍ଟି ହୋଇଅଛି । ସେମାନେ ମନୁଷ୍ୟଙ୍କ ନେତା, ଜନସାଧାରଣଙ୍କ ଆଦର୍ଶ ଏବଂ ଜଗତ୍‌-ଇତିହାସର ପ୍ରାଣ ବୋଇଲେ ଅତ୍ୟୁକ୍ତି ହେବ ନାହିଁ ।

 

ମହାତ୍‌ ବ୍ୟକ୍ତିମାନଙ୍କୁ ଯେ କୌଣସି ପ୍ରକାରରେ ଗ୍ରହଣ କଲେ ମଧ୍ୟ ଉପକାର ଅଛି । ସେମାନେ ଇଷ୍ଟ ବ୍ୟତୀତ ଅନିଷ୍ଟ କରନ୍ତି ନାହିଁ, ସେମାନଙ୍କ ସଂସର୍ଗରେ ଆସିଲେ ହୃଦୟରେ ଦିବ୍ୟ ଆନନ୍ଦ, ପ୍ରାଣରେ ବିମଳ ଶାନ୍ତି ଅନୁଭୂତ ହୁଏ । ସେମାନେ ଜୀବନ୍ତ ଆଲୋକର ଉତ୍‌ସ ତୁଲ୍ୟ । ସେମାନଙ୍କ ଆଲୋକରେ, ସେମାନଙ୍କ ପ୍ରଭାବରେ ସମସ୍ତ ଜଗତ୍‌ ଆଲୋକିତ ହୁଏ, ସମସ୍ତ ଅଜ୍ଞାନତମଃ ଦୂରୀଭୂତ ହୁଏ । ସେମାନେ କୃତ୍ରିମ ପ୍ରଦୀପ ନୁହନ୍ତି; ପରନ୍ତୁ ଆକାଶର ଗୋଟିଏ ଗୋଟିଏ ଅକୃତ୍ରିମ ଜ୍ୟୋତିଷ୍କ ତୁଲ୍ୟ ଦିବ୍ୟ ପ୍ରଭାରେ ଉଦ୍ଭାସିତ । ସେମାନଙ୍କ ଦୀପ୍ତି, ପ୍ରଭା, ମହତ୍ତ୍ୱ ଓ ଉଦାରତା ମାନବକୁ ଚମତ୍‌କୃତ କରିଦିଏ ଏବଂ ତାହାର ଆତ୍ମାର ବନ୍ଧନକୁ ଛିନ୍ନ କରେ ।

 

ସେହିହେତୁ ଭିନ୍ନ ଭିନ୍ନ ଦେଶର ଭିନ୍ନ ଭିନ୍ନ ପୁରାଣ, ଇତିହାସରୁ ବିଭିନ୍ନ ଶ୍ରେଣୀର ମହାପୁରୁଷ ନିର୍ବାଚିତ ହୋଇଅଛନ୍ତି । ସେମାନଙ୍କ ଜୀବନକୁ ପ୍ରଣିଧାନ କରି ଦେଖିଲେ ଜଗତର ଇତିହାସ ସହିତ ସେମାନଙ୍କର ସମ୍ପର୍କ ସମ୍ୟକ୍‌ ଉପଲବ୍‌ଧ ହେବ ।

 

ଧର୍ମ୍ମ ମନୁଷ୍ୟ-ଜୀବନର ପ୍ରଧାନ ତଥ୍ୟ-କେବଳ ମନୁଷ୍ୟ ବିଶେଷର ନୁହେଁ, ସମସ୍ତ ଜାତିର ତଥା ଜଗତର । ଧର୍ମ୍ମ ଜଗତର ମେରୁଦଣ୍ଡ-ପ୍ରାଣ । ଧର୍ମ୍ମ-ଏହା କୌଣସି ବିଶିଷ୍ଟ ଧର୍ମ୍ମବାଦିଙ୍କର ସମାଦୃତ ମତ ନୁହେଁ । ମନୁଷ୍ୟ ଧର୍ମ୍ମ ବିଷୟରେ ବାହ୍ୟାଡ଼ମ୍ବର କରି, ତର୍କ, ବିତର୍କ, ବାକ୍‌ବିତଣ୍ଡା ଦ୍ୱାରା କୌଣସି ମତ ସମର୍ଥନ କରେ, ପୁଣି କୌଣସି ମତ ଖଣ୍ଡନ କରେ, କିନ୍ତୁ ଏହା ପ୍ରକୃତ ଧର୍ମ୍ମ ନୁହେ । ଧର୍ମ୍ମ-ମହାନ୍‌ ଅନୁଭୂତି-ହୃଦୟର ଅଟଳ ବିଶ୍ୱାସ-ପରମ୍ପରାଗତ ବିଶ୍ୱାସ-ଆତ୍ମପ୍ରତ୍ୟୟ-ବିଶ୍ୱସଂସାର ସହିତ ସମ୍ବନ୍ଧ କର୍ତ୍ତବ୍ୟ-ପରଲୋକରେ ବିଶ୍ୱାସ-ଅଦୃଷ୍ଟ ଜଗତ ସହିତ ଆଧ୍ୟାତ୍ମିକ ସମୃନ୍ଧ ।

 

ବର୍ତ୍ତମାନ ଆମ୍ଭେମାନେ ଦେଖିବା, କେଉଁ କେଉଁ ବ୍ୟକ୍ତି ବା ଜାତିର କି କି ଧର୍ମ୍ମ ଥିଲା । ତାହା କ’ଣ ପୌତ୍ତଳିକତା-ବହୁଦେବବାଜିତା-ଜୀବନର ବୈଚିତ୍ରମୟ ରହସ୍ୟର ବିଷୟ ସୁଖାତ୍ମକ ତଥା ଭୌତିକ ଶକ୍ତିମୟ ବିକାଶ ବା ନିତ୍ୟସନାତନ ଓ ଅଦୃଷ୍ଟ-ପୁରୁଷବିଶ୍ୱାସୀ ଅନନ୍ତକାଳସ୍ଥାୟୀ ପୌତ୍ତଳିକତାଧ୍ୱଂସୀ, ଶୁଦ୍ଧ, ନିର୍ମଳ ପବିତ୍ର ଏକେଶ୍ୱରବାଦ କିମ୍ବା ପରକାଳହୀନ ନାସ୍ତିତା-ନିରୀଶ୍ୱରବାଦ ? ଏହି ପ୍ରଶ୍ନର ଉତ୍ତରରେ ଆମ୍ଭେମାନେ ସମସ୍ତ ପୃଥିବୀର ଇତିହାସର ସାର ପାଇପାରିବୁଁ । ସେହି ବୀର ପୁରୁଷମାନଙ୍କର ଆନ୍ତରିକ ଚିନ୍ତାହିଁ କାର୍ଯ୍ୟ କଳାପର ହେତୁ, ସେମାନଙ୍କ ହୃଦୟର ଅନୁଭୂତିହିଁ ଉକ୍ତ ଚିନ୍ତାର କାରଣ ଏବଂ ସେହି ଅନୁଭୂତି-ଅବ୍ୟକ୍ତ ଅଦୃଷ୍ଟ ଓ ଆଧ୍ୟାତ୍ମିକ ପ୍ରେରଣା-ବାସ୍ତବ ଜଗତର କାର୍ଯ୍ୟ ପ୍ରଣାଳୀ ନିର୍ଦ୍ଦେଶ କରିଅଛି । ଧର୍ମ୍ମ ସେମାନଙ୍କ ମହାନ୍‌ତଥ୍ୟ ଏବଂ ପଥପ୍ରଦର୍ଶକ । ବର୍ତ୍ତମାନ ଏହି ସମ୍ପର୍କରେ ସ୍ୱାଣ୍ଡେନେଭିଆର ପୁରାଣ ପ୍ରସିଦ୍ଧ ଐଶୀଶକ୍ତି ବିଶିଷ୍ଟ ଓଡ଼ିନଙ୍କ ବିଷୟ ପର୍ଯ୍ୟାଲୋଚନା କରିବୁଁ ।

 

ଅଧୁନା ଏ ନବଯୁଗରେ ଅସତ୍ୟ, ଅବାସ୍ତବ, ଅପ୍ରତିଭ, ଉଦ୍‌ଭ୍ରାନ୍ତ, ଶତଭ୍ରମ ପ୍ରମାଦ-ପ୍ରତାରଣାପୂର୍ଣ୍ଣ, ମୋହୋତ୍‌ପାଦକ ପୌତ୍ତଳିକତ୍ୱ କଳ୍ପନାଜଗତରେ ମଧ୍ୟ ସ୍ଥାନ ପାଏ ନାହିଁ; ଭାବିଲେ ଲଜ୍ଜାରେ, ଘୃଣାରେ ମସ୍ତକ ଅବନତ ହୋଇଯାଏ, ବିକଟ ହାସ୍ୟର ଉବ୍ଦୀପନା କରାଏ ଏବଂ ଅପାର ବିସ୍ମୟରେ ହୃଦୟ ଅଭିଭୂତ ହୁଏ । ସେ ଯୁଗରେ କିପରି ମେଧାବୀ ବୁଦ୍ଧିମାନ ଲୋକେ ଏପରି ମନୁଷ୍ୟ କିମ୍ବା ସ୍ଥାବର ଜଙ୍ଗମ ପ୍ରସ୍ତର ପ୍ରଭୃତି ପୂଜା କରୁଥିଲେ, ଭାବିଲେ ହାସ୍ୟ ସମ୍ବରଣ ନ କରି ରହି ହୁଏ ନାହିଁ; କିନ୍ତୁ ତଥାପି ଅଜ୍ଞାନ ତିମିରାଚ୍ଛନ୍ନ ଯୁଗରେ ଅବିଦ୍ୟାଗ୍ରସ୍ତ ଓ ପୌତ୍ତଳିକ ଥାଇ ସୁଦ୍ଧା ସେମାନେ ସେହି ସତ୍ୟ ଶିବ ସୁନ୍ଦରଙ୍କର ଅନୁଭୂତି ପାଇଥିଲେ ବୋଲି ସ୍ପଷ୍ଟ ପ୍ରତୀୟମାନ ହୁଏ ।

 

କେତେକ ଚିନ୍ତାଶୀଳ ବ୍ୟକ୍ତି ଏହି ପୌତ୍ତଳିକତା ଅଥବା ସାକାରୋପାସନା ଧର୍ମକୁ କୃତ୍ରିମ କପଟ ଏବଂ ପ୍ରତାରଣାପୂର୍ଣ୍ଣ ବୋଲି କହନ୍ତି । କିନ୍ତୁ ବାସ୍ତବରେ ଦେଖିଲେ ତାହା ନୁହେଁ; କାରଣ କୌଣସି ଧର୍ମ୍ମ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ନୁହେ । ଅନେକ ଦୋଷ ସତ୍ତ୍ୱେ ତହିଁରେ ପ୍ରକୃତ ସତ୍ୟ ନିହିତ ନଚେତ୍‌ ଲୋକେ ତାହା କେବେହେଁ ଗ୍ରହଣ କରି ନ ଥାନ୍ତେ । ମନୁଷ୍ୟ ସବୁ ଦେଶରେ ସବୁ ଯୁଗରେ ମିଥ୍ୟାର ପରମ ଶତ୍ରୁ । ତୀବତ୍‌ ଦେଶୀୟ ଲାମା ଧର୍ମର ମଧ୍ୟ ଏକ ପ୍ରକାର ସତ୍ୟ ଅଛି ବୋଲି ପ୍ରତୀୟମାନ ହୁଏ । ଟର୍‌ନରଙ୍କ (Turner) ଲିଖିତ ବିବରଣରୁ ଆମ୍ଭେମାନେ ସ୍ପଷ୍ଟ ଦେଖିବାକୁ ପାଉଁ ଯେ, ତଦ୍ଦେଶୀୟ ଜନସାଧାରଣଙ୍କର ଅବତାର ବାଦରେ ବିଶ୍ୱାସ ଅଛି । ସେମାନେ ଭାବନ୍ତି ଯେ, ସମସ୍ତଙ୍କ ଉପରେ ଜଣେ ମହାପୁରୁଷ ଅଛନ୍ତି । ସେ ପ୍ରତ୍ୟେକ ଯୁଗରେ ତାଙ୍କର ଗୋଟିଏ ଗୋଟିଏ ପ୍ରତିମୂର୍ତ୍ତି ପ୍ରେରଣ କରନ୍ତି । ତୀବତ୍‌ର ଧର୍ମ୍ମଯାଜକମାନେ ମନୁଷ୍ୟର ପୂଜ୍ୟ ବରେଣ୍ୟ ଏବଂ ନେତା ସ୍ୱରୂପ । ସେମାନେ ଅବତାର ନିର୍ଦ୍ଦେଶ କରିବାର ଅନେକ ପ୍ରଣାଳୀ ଆବିଷ୍କାର କରିଅଛନ୍ତି । ତାହା ସାଧାରଣ ମତରେ ଭ୍ରମାତ୍ମକ; କିନ୍ତୁ ଆମ୍ଭମାନଙ୍କ ପରିବାର ମଧ୍ୟରେ ଜ୍ୟେଷ୍ଠ ପୁତ୍ରର ଶ୍ରେଷ୍ଠତା ଏବଂ ପ୍ରାଧାନ୍ୟ ସ୍ୱୀକାର କରିବା ଭାବଠାରୁ ସେ ଭାବ କୌଣସି ଅଂଶରେ ନିକୃଷ୍ଟ ନୁହେଁ ।

 

ଧର୍ମ୍ମର ପ୍ରଥମାବସ୍ଥାରେ କୃତ୍ରିମତା କିମ୍ବା କପଟତା ନ ଥାଏ; କିନ୍ତୁ ତାହାର ପତନ ସମୟରେ ଏହି ସମସ୍ତ ଆବର୍ଜନା ପ୍ରବେଶ କରି ପବିତ୍ର ଏବଂ ସତ୍ୟଧର୍ମକୁ କଳୁଷିତ କରିଦିଏ । କ୍ଷୟପ୍ରାପ୍ତ ଧର୍ମରୁ କପଟତା, ଭଣ୍ଡତା ପ୍ରଭୃତି ବାଦ ଦେଇ ପ୍ରକୃତ ଧର୍ମର ସତ୍ୟତା ପ୍ରତି ଲକ୍ଷ୍ୟ ରଖିବାକୁ ହେବ । ଅନ୍ୟ ଏକ ମତ ଅନୁସାରେ ଏହା ଗୋଟିଏ ରୂପକ ମାତ୍ର; କବିର ମାନସିକ କଳ୍ପନା ପ୍ରସୁତ । କିନ୍ତୁ ଏହା ମଧ୍ୟ ଯଥାର୍ଥ ନୁହେଁ, କାରଣ ଧର୍ମ ମନୁଷ୍ୟର ଏକମାତ୍ର ଅବଲମ୍ବନ । ସେଥି ନିମିତ୍ତ ଲୋକେ ପ୍ରାଣ ମଧ୍ୟ ଦାନ କରୁଥିଲେ । କବିର କଳ୍ପନାରେ ମୋହିତ ହୋଇ କେବେ କଣ କେହି ସ୍ୱ-ପ୍ରାଣ ବିସର୍ଜନ କରିପାରେ ଏବଂ କବିର କାଳ୍ପନିକ ସୃଷ୍ଟିରେ ବିଶ୍ୱାସ କରି କେହି କଣ ସ୍ୱଚ୍ଛନ୍ଦରେ ଜୀବନଯାତ୍ରା ନିର୍ବାହ କରିପାରେ ? ଏହା ସମ୍ପୂର୍ଣ୍ଣ ଅସମ୍ଭବ । ତହିଁରେ ଜ୍ୱଳନ୍ତ ସତ୍ୟ ନିହିତ । ଏହି ରୂପକଆଦି ଧର୍ମର ପତନାବସ୍ଥାରେ ପ୍ରବେଶ ଲାଭ କରି ଥିଲା । ପ୍ରଥମେ ବିଶ୍ୱାସ, ତତ୍‌ପରେ ରୂପକ ଓ ଦୃଷ୍ଟାନ୍ତ ପ୍ରଭୃତି । ସେଥି ନିମିତ୍ତ ଖ୍ରୀଷ୍ଟଧର୍ମ ସ୍ଥାପିତ ହେବାର ଅନେକ ଦିନପରେ ରୂପକ ପ୍ରଚାର Pilgrims Progress (ଧାର୍ମ୍ମୀକର ସ୍ୱର୍ଗଯାତ୍ରା) ଲିଖିତ ହୋଇଅଛି-। ତେଣୁ ଏହା ପ୍ରସାଦପୂର୍ଣ୍ଣ, ଏହି ମତ ତ୍ୟାଗ କରିବାକୁ ହେବ ।

 

ଯେତେବେଳେ କୌଣସି ପରିପକ୍ୱମତି ବ୍ୟକ୍ତି ବାଳକ-ସୁଲଭ ସରଳ ବିଶ୍ୱାସଯୁକ୍ତ ହୃଦୟରେ ହଠାତ୍‌ କୌଣସି ଅଦ୍ଭୁତ ପଦାର୍ଥ ପ୍ରତି ଦୃଷ୍ଟି ନିକ୍ଷେପ କରନ୍ତି, ତାଙ୍କ ହୃଦୟ କଳ୍ପନାତୀତ ବିସ୍ମୟାନନ୍ଦରେ ଅଭିଭୂତ ହୁଏ ଏବଂ ତାଙ୍କ ମସ୍ତକ ସ୍ୱତଃ ଭକ୍ତିରେ ଅବନତ ହୋଇଯାଏ । ସେ ସେହି ଅଦ୍ଭୁତ ପଦାର୍ଥର ଉପାସନା କରନ୍ତି । ଏହାହିଁ ପୌତ୍ତଳିକତା-ଉତ୍ପତ୍ତିର ଉପକ୍ରମ । ଏହି ପ୍ରଥମ ମହାଭାବୁକ ଏହି ଭାବରେ ପ୍ରକୃତିର ଚାରୁ ଚ୍ଛଟାରେ ବିମୋହିତ ହୋଇ ଉପାସନା ଆରମ୍ଭ କରିଥିଲେ । ସେତେବେଳେ ପ୍ରକୃତିର ନାମ ନ ଥିଲା, ମନୁଷ୍ୟକୁ ସବୁ ନୂତନ ଅଭିନବ ରୂପେ ପ୍ରତୀତ ହେଉଥିଲା ।

 

ଚାରୁ-ପୁଷ୍ପାଚ୍ଛାଦିତ ଶ୍ୟାମଳ ଦୁର୍ବାଦଳ-ଶୋଭିତ ପୃଥିବୀ, ବିଶାଳ ମହୀରୂହ, ନଭଶ୍ଚୁମ୍ବୀ ପର୍ବତ, ପ୍ରଶସ୍ତ ନଦନଦୀ, ଘୋରପ୍ରଳୟ-ଗର୍ଜ୍ଜନକାରୀ ସାଗର, ଦିଗନ୍ତ ବିସ୍ତାରିତ ଅନନ୍ତ ନୀଳାକାଶ, ମନ୍ଦମଧୁର ସମୀରଣ, ନୟନାଭିରାମ ନୀଳବାରିଦମାଳା ପ୍ରଭୃତିର ଅନ୍ତରାଳରେ କି ଅଦ୍ଭୁତଶକ୍ତି ପ୍ରଚ୍ଛନ୍ନ ରହିଅଛି, ତାହା ଆଜ ସୁଦ୍ଧା ମନୁଷ୍ୟ ବୁଦ୍ଧିର ଅଗୋଚର । ବୈଜ୍ଞାନିକମାନେ ଏ ପ୍ରସଙ୍ଗରେ ନିର୍ବାକ, ନିଷ୍ପନ୍ଦ ଓ ନିରୁତ୍ତର । ବୈଜ୍ଞାନିକ ଅନେକ ଉଦ୍ୟମ ଓ ପ୍ରୟାସ ଦ୍ୱାରା ଅନେକ ନାମକରଣ କରିଅଛି ସତ୍ୟ, କିନ୍ତୁ ଏହି ଅଦ୍ଭୁତ ରହସ୍ୟଜାଲର ଅନ୍ତରତମ ପ୍ରଦେଶ ଭେଦ କରି ପ୍ରକୃତ ତତ୍ତ୍ୱ ନିର୍ଣ୍ଣୟ କରି ପାରି ନାହିଁ । ଅଦୃଷ୍ଟ-ଜଗତର ରହସ୍ୟ ଉଦ୍‌ଘାଟନ କରି ନାହିଁ । ଏହି ପରିଦୃଶ୍ୟମାନ ଜଗତ୍‌ ବିଜ୍ଞାନାଲୋକ ସତ୍ତ୍ୱେ ଆମ୍ଭମାନଙ୍କ ସମକ୍ଷରେ ଏକ ଆଶ୍ଚର୍ଯ୍ୟ ବିଷୟ, ଅଲୌକିକ ଘଟନା ଏବଂ ଅଦ୍ଭୁତ ବ୍ୟାପାର ରୂପେ ପ୍ରତିଭାତ ।

 

ଏହି ଚିର ପ୍ରବହମାନ ଅନନ୍ତକାଳ ଓ ଦିଗନ୍ତ ବିସ୍ତାରିତ ଜଗତକୁ ଅବଲୋକନ କଳେ ସମସ୍ତ ଅଦ୍ଭୁତ ବୋଲି ବୋଧ ହୁଏ । ଚତୁର୍ଦ୍ଦିଗରେ ସେହି ଅଦ୍ଭୁତ ଶକ୍ତିର ବିକାଶ ଏବଂ ସେହି ଶକ୍ତି ମଧ୍ୟରେ ଆମ୍ଭେମାନେ ମଧ୍ୟ ଗୋଟିଏ ଗୋଟିଏ ନିଗୂଢ଼ ତତ୍ତ୍ୱ । ତେଣୁ ପ୍ରତ୍ୟେକ ପ୍ରାକୃତିକ ବସ୍ତୁରେ ଅଦ୍ଭୁତ ଐଶୀ ଶକ୍ତିର ବିକାଶ ସନ୍ଦର୍ଶନ କରି ଲୋକାମାନେ ତାହାକୁ ଈଶ୍ୱର ରୂପେ ପୂଜା କରୁଥିଲେ;-ଭୟ ଭକ୍ତି ସଂମିଶ୍ରଣରେ ବାକ୍ୟରେ ନ ହେଲେ ସୁଦ୍ଧା ନୀରବରେ ତୁଷ୍‌ଣୀଭାବ ସହିତ ଆରାଧନା କରୁଥିଲେ ।

 

ଆଧୁନିକ ଯୁଗରେ ମଧ୍ୟ କବି ଓ ଧର୍ମ୍ମୋପଦେଶକଙ୍କ ସମୟରେ ଏହି ବିଶ୍ୱସଂସାର ରମସ୍ୟମୟ ରୂପେ ବିରାଜମାନ । କବି ବିସ୍ମୟରେ ଅଭିଭୂତ ହୁଅନ୍ତି ଏବଂ ତାଙ୍କୁ ସମସ୍ତେ ଦିବ୍ୟଭାବାବିଷ୍ଟ ବୋଲି କହନ୍ତି; କିନ୍ତୁ ପୁରାକାଳରେ ସମସ୍ତେ ଏହିପରି ଜଗତର ଚାରୁଚିତ୍ର ଦେଖି ମୁଗ୍‌ଧ ଏବଂ ବିସ୍ମୟାଭିଭୂତ ହୋଇଥିଲେ । ଏହି କଳ୍ପନାତୀତ ବିସ୍ମୟ-ଭଗବତ୍‌ ଉପାସନା ଏବଂ ଭଗବତ୍‌ ଉପାସନା ହିଁ କଳ୍ପନାତୀତ ବିସ୍ମୟ ।

 

ପ୍ରତ୍ୟେକ ତୃଣାଗ୍ର ଯଦି ଭଗବତ୍‌ ମହିମା ପ୍ରକାଶ କରେ, ତେବେ ମନୁଷ୍ୟ ବିସ୍ମୟକାରୀ ମଧ୍ୟରେ ଅତି ବିସ୍ମୟକର, ଆଶ୍ଚର୍ଯାକର ବିଷୟ ମଧ୍ୟରେ ଅତିଆଶ୍ଚର୍ଯ୍ୟକର, ଅଜ୍ଞେୟ ଗୂଢ଼ ରହସ୍ୟ । ଏହି ରୂପରେ ଓଡ଼ିନଙ୍କ ଉପାସନାର ଆରମ୍ଭ ହୁଏ । ବୀରପୂଜାହିଁ ପୌତ୍ତଳିକତାର ମେରୁଦଣ୍ଡ ଏବଂ ପ୍ରାଣ । ବିମଳ ଅନ୍ତରରେ, ଶୁଦ୍ଧ ପ୍ରାଣରେ, ନିଷ୍କପଟ ହୃଦୟରେ ପ୍ରଥମେ ବୀରପୂଜାର ଉପକ୍ରମ । ବୀରପୂଜା ମହାପୁରୁଷଙ୍କ ପୂଜା ମହତ୍ତ୍ୱର ପୂଜା-ପ୍ରତିଭାର ପୂଜା,ଐଶୀ ଶକ୍ତିରେ ଅନୁପମ ଭକ୍ତିର ନିଦର୍ଶନ । ନିଜଠାରୁ ଅପେକ୍ଷାକୃତ ମହତ୍‌ ବ୍ୟକ୍ତିଙ୍କର ମହତ୍ତ୍ୱ ପୂଜା ସର୍ବ ଦେଶରେ ସର୍ବ ଧର୍ମ୍ମରେ ଅଛି କେବଳ ପୌତ୍ତଳିକତାରେ ନୁହେଁ । ଏହା ମନୁଷ୍ୟ ପକ୍ଷରେ ସ୍ୱାଭାବିକ । ମନୁଷ୍ୟ ହୃଦୟ ସ୍ୱତଃ ମହତ୍‌ ବ୍ୟକ୍ତିଙ୍କ ପ୍ରତି ଭକ୍ତିରେ ଅବନତ ହୁଏ ।

 

ଧର୍ମ୍ମରେ ଯେପରି, ସମାଜରେ ମଧ୍ୟ ସେହିପରି । ଲୋକଙ୍କର ଭକ୍ତି ଯେପରି ଆଚାର୍ଯ୍ୟ, ଗୁରୁ, ଯାଜକ, ଧର୍ମ ପ୍ରଚାରକ ରୂପୀ ବୀରମାନଙ୍କ ପୂଜାରେ ପ୍ରଦର୍ଶିତ ହୁଏ, ସେହିପରି ସମାଜରେ ମଧ୍ୟ ସମାଜନେତା ରାଜନୀତିକ ନେତା ଓ ରାଜାଙ୍କ ପ୍ରତି ଲୋକେ ଭକ୍ତି ପ୍ରଦର୍ଶନ କରିଥାନ୍ତି । ଉଭୟର ଉଦ୍ଦେଶ୍ୟ ଓ ମୂଳମନ୍ତ୍ର ଏକ । ବୀରମାନଙ୍କ ଅଭାବରେ ସମାଜଧ୍ୱଂସ ପ୍ରାପ୍ତ ହୁଏ ଏବଂ ଶଠ, ପ୍ରବଞ୍ଚକ, କୃତ୍ରିମ ନେତାଙ୍କର ଆଧିକ୍ୟରେ ରାଷ୍ଟ୍ରବିପ୍ଳବ ଜନ୍ମେ ।

 

ଆଜିକାଲି ବୀରପୂଜା କିଞ୍ଚିତ ହ୍ରାସପ୍ରାପ୍ତ ହେବାର ଦେଖାଯାଏ । ଆଧୁନିକ ଯୁଗ ଅନେକାଂଶରେ ବୀରପୂଜା-ବିରୋଧୀ, ମହାପୁରୁଷଙ୍କର ପ୍ରୋୟୋଜନୀୟତା ଅସ୍ୱୀକାର କରେ । ତୀବ୍ର ସମାଲୋଚନାମାନେ ମହାପୁରୁଷଙ୍କୁ ତନ୍ନ ତନ୍ନ କରି ବିଚାର ଓ ବ୍ୟବଚ୍ଛେଦ କରି ସାଧାରଣ ମନୁଷ୍ୟ ସହିତ ସମାନ କରି ଦିଅନ୍ତି । ତାହାଙ୍କୁ ‘ସମୟର ଦାସ’ ବୋଲି ନିର୍ଦ୍ଦେଶ କରନ୍ତି । ସେମାନଙ୍କ ମତାନୁସାରେ ସମୟ ପ୍ରୟୋଜନ ଅନୁସାରେ ମହାପୁରୁଷଙ୍କୁ ସୃଷ୍ଟି କରେ । ମହାପୁରୁଷଙ୍କର କିଛି ବିଶେଷତ୍ୱ ନାହିଁ; ସ୍ୱାତନ୍ତ୍ର୍ୟ ନାହିଁ ଓ ସ୍ୱପ୍ରାଧାନ୍ୟ ନାହିଁ । ସେମାନେ କେବଳ ସମୟର ଆଜ୍ଞାନୁବର୍ତ୍ତୀ । ଏହା ସମ୍ପୂର୍ଣ୍ଣ ଅମୂଳକ ଓ ଭ୍ରାନ୍ତ ଧାରଣା । ବାସ୍ତବିକ ବୀରମାନେ ତାଙ୍କ ସମୟରେ ଇତିହାସର ସ୍ରଷ୍ଟା । ସମୟ ତାଙ୍କୁ ସୃଷ୍ଟି କରି ନାହିଁ, ସେମାନେ ସମୟ ସୃଷ୍ଟି କରନ୍ତି, ଜଗତର ଇତିହାସ ଗଢ଼ି ତୋଳନ୍ତି । ଅନେକ ସ୍ଥଳରେ ଏବଂ ଅନେକ ସମୟରେ ବୀରଙ୍କର ପ୍ରୟୋଜନ ହୋଇଅଛି; କିନ୍ତୁ ସମୟରେ ଆଜ୍ଞାନୁବର୍ତ୍ତୀ ନ ହୋଇ ବୀରମାନେ ଆବିର୍ଭୂତ ନ ହେବାରୁ ସମାଜ ଅନେକ ସମୟରେ ଧ୍ୱଂସ ପ୍ରାପ୍ତ ହୋଇଅଛି, ବିଲୟ ଭଜି ଅଛି । କିନ୍ତୁ ସେତେବେଳେ ଯଦି ଅଜ୍ଞାନାନ୍ଧକାର-ନାଶୀ ମୁକ୍ତିଦାତାମାନଙ୍କର ଆବିର୍ଭାବ ହୋଇଥାନ୍ତା, ତେବେ ଏତେ ଶୋଚନୀୟ ଅବସ୍ଥାରେ ସମାଜ ପଡ଼ି ନ ଥାନ୍ତା । ସେମାନେ ଅଦ୍ଭୁତ ଜ୍ଞାନଲୋକରେ ସମସ୍ତ ଆଲୋକିତ କରି ସର୍ବ ଆବର୍ଜନା ଦୂରୀଭୂତ କରି, ମାନବ ସମାଜକୁ କାଳର ବିଷମ କବଳରୁ ଉଦ୍ଧାର କରି ଦେଇଥାନ୍ତେ; କିନ୍ତୁ ସେମାନେ ସମାୟନୁବର୍ତ୍ତୀନୁହନ୍ତି, ସେମାନେ ନିଜ ପ୍ରୟୋଜନ ଅନୁସାରେ ଇତିହାସ ଗଠନ କରି ଦିଅନ୍ତି । କାଳ ଶୁଷ୍କ ଇନ୍ଧନ ଏବଂ ମହାପୁରୁଷମାନେ ଈଶ୍ୱରପ୍ରେରିତ ଅଗ୍ନି । ଅଗ୍ନି ଇନ୍ଧନ ନିକଟକୁ ନ ଗଲେ ଇନ୍ଧନ ଚିରକାଳ ତଦ୍ରୁପ ଶୁଷ୍କ ରହିଥିବ । ସେହିପରି କାଳ ମହାପୁରୁଷଙ୍କ କାରଣ ନୁହେଁ, ମହାପୁରୁଷ କାଳର କାରଣ ।

 

ଭାରତ କବି ଯଥାର୍ଥ କହିଅଛନ୍ତି ।

 

‘‘କାଳୋହି କାରଣଂ ରାଜ୍ଞଃ, ରାଜା ବୈ କାଳକାରଣମ୍‌ ।

ଇତି ତେ ସଂଶୟୋ ମାଭୂତ୍‌, ରାଜା କାଳସ୍ୟ କାରଣମ୍‌ ।।’’

 

ବୀରପୂଜା ଶାଶ୍ୱତ, ତାହାର କ୍ଷୟ ନାହିଁ । ପୁରାକାଳରେ ଥିଲା ଏବଂ ଭବିଷ୍ୟତ୍‌ରେ ଚିରକାଳ ରହିବ ।

 

ଅଷ୍ଟାଦଶ ଶତାବ୍ଦୀଭଳି ଅବିଶ୍ୱାସୀ ଯୁଗରେ ମଧ୍ୟ ବସ୍‌ବେଲ୍‌ (Boswell) ଜନ୍‌ସନ୍‌ଙ୍କ (Johnson) ପୂଜା କରିଥିଲେ ଏବଂ ଫରାସୀମାନେ ଭଲଟେୟାରଙ୍କ (Voltair) ଅର୍ଚ୍ଚନା କରିଥିଲେ ।

 

ଏହି ପୂଜା ଚିରନ୍ତନ । ବିଦ୍ରୋହର ଅଶାନ୍ତି ଓ କୋଳାହଳ ମଧ୍ୟରେ ଫରାସୀମାନେ ବୀରପୂଜା କରି ଅଛନ୍ତି । କେବଳ ତାହା ନୁହେ, ପୁରାକାଳର ଓଡ଼ିନ ଉପାସନାଠାରୁ ଆରମ୍ଭ କରି ଆଧୁନିକ ଖ୍ରୀଷ୍ଟଧର୍ମ୍ମ ପ୍ରବର୍ତ୍ତକଙ୍କ ପୂଜା ପର୍ଯ୍ୟନ୍ତ ସମସ୍ତ ଏହି ବୀରପୂଜା ଉପରେ ପ୍ରତିଷ୍ଠିତ । ଫରାସୀ ରାଷ୍ଟ୍ରବିପ୍ଳବ ମଧ୍ୟରେ ବୀରପୂଜା ସେମାନଙ୍କୁ ପୁଣି ସମାଜ ଗଠନରେ ସହାୟତା ପ୍ରଦାନ କରିଥିଲା । ତାହା ଅତୀବ ପ୍ରୟୋଜନୀୟ ବିଷୟ ।

 

ନର୍‌ଓୟେ ସୁଇଡ଼େନ୍‌ (Scandinavian) ଦେଶୀୟ ପୌତ୍ତଳିକତା

 

ଆମ୍ଭମାନଙ୍କ ସମକ୍ଷରେ ତଥାପି ଆଦରଣୀୟ, କାରଣ ତହିଁରେ ସତ୍ୟ, ବୀରପୂଜା, ଭଗବତ୍‌ ଅର୍ଚ୍ଚନା ଏବଂ ପ୍ରକୃତିର ମହତ୍ତ୍ୱ ଓ ବିଶାଳତା ପରିଲକ୍ଷିତ ହୁଏ । ଆଠଶତବର୍ଷ ପୂର୍ବେ ମଧ୍ୟ ଇଉରୋପର ଅନେକ ଅଂଶରେ ଓଡ଼ିନଙ୍କ ପୂଜା ହେଉ ଥିଲା । ତହିଁରେ ନିଦର୍ଶନ ଏ ପର୍ଯ୍ୟନ୍ତ ରହିଅଛି । ତେଣୁ ଏହା ବୀରପୂଜା ରୂପେ, ପୌତ୍ତଳିକତାର ଲୁପ୍ତାବଶେଷ ରୂପେ ଏବଂ ଇଂରେଜ ଜାତିର ପୂର୍ବପୁରୁଷ ଟିଉଟନ୍‌ମାନଙ୍କ ଧର୍ମ୍ମ ରୂପେ ଆମ୍ଭମାନଙ୍କ କୌତୁହଳ ଉଦ୍ଦୀପନ କରେ ।

 

ପ୍ରାଚୀନ ନର୍‌ଓୟେ-ସୁଇଡ଼େନ୍‌ ଦେଶୀୟ କବିମାନେ ଅଧିକାଂଶ ଆଇସଲାଣ୍ଡରେ ଜନ୍ମ ପରିଗ୍ରହ କରିଥିଲେ । ଏହି ଦେଶରେହିଁ ପାଶ୍ଚାତ୍ୟ ଜଗତର ପ୍ରଥମ କବିଙ୍କର ଉତ୍ପତ୍ତି । ଯେଉଁ ଆଇସଲାଣ୍ଡ ସାଗର ଗର୍ଭରୁ ଆଗ୍ନେୟଗିରିର ଜ୍ୱଳନ୍ତ ଉଦ୍‌ଗାରରେ ସମୁଥିତ; ଯାହାର ଭୂମି ଉଦ୍ଭିଦ ବିହୀନ. ଅନୁର୍ବର ଓ ଆକର୍ଷିତ; ଯେ ଦେଶ ସତତ ପ୍ରବଳ ବାତ୍ୟାରେ ବିକ୍ଷୋଭିତ ଅଥଚ ଗ୍ରୀଷ୍ମକାଳରେ ନୟନାଭିରାମ, ଯାହାର ଭୀଷଣମୂର୍ତ୍ତି ସାଗର ବକ୍ଷରେ ଉତ୍ତୋଳିତ ଏବଂ ଦୃଢ଼ଭାବରେ ଅବସ୍ଥିତ; ଯେଉଁ ଦେଶ ବିଶାଳ ତୁଷାର-ରାଶି, ପ୍ରବଳ-ଗର୍ଜନକାରୀ ଜଳପ୍ରପାତ ଓ ଭୀଷଣ ଗନ୍ଧକାଧାରର ବିଳାସ କ୍ଷେତ୍ର ଏବଂ ଯେଉଁ ଦେଶର ଆଗ୍ନେୟଗିରିର ବିକଟ ଗହ୍ୱରରେ ତୁଷାର ଓ ଅନଳର ସର୍ବଦା ସଂଗ୍ରାମ ଚାଲିଅଛି ସେହି ଦେଶରେ-ଆଇସଲାଣ୍ଡରେ ପ୍ରଥମେ ନର୍ଶ ସାହିତ୍ୟ ଲିଖିତ ହୋଇଥିଲା । ଏହି ଅନୁର୍ବର ପାର୍ବତ୍ୟ ପ୍ରଦେଶର ସମୁଦ୍ରୋପକୂଳରେ ଶ୍ୟାମଳ-ଦୁର୍ବାଦଳ-ଶୋଭିତ ଏକ ସମତଳଭୂମି ଅବସ୍ଥିତ, ଯେଉଁଠାରେ ଗୋ-ମହିଷାଦି ସ୍ୱଚ୍ଛନ୍ଦରେ ଜୀବନଧାରଣ କରିପାରୁ ଥିଲେ ଏବଂ ଲୋକେ ଅନାୟାସରେ ଜୀବିକାନିର୍ବାହ କରୁଥିଲେ । ଜୀବନଧାରଣର ସୁବିଧା ହେତୁ ଗଭୀର ଚିନ୍ତାଶୀଳ ବ୍ୟକ୍ତିମାନେ ଛନ୍ଦ ଆକାରରେ ସେମାନଙ୍କ ମନରଭାବ ବ୍ୟକ୍ତ କରିଥିଲେ । ଯଦି ଆଇସଲାଣ୍ଡ ସମୁଦ୍ରଗର୍ଭରୁ ଉତ୍‌ଥିତ ହୋଇ ନ ଥାନ୍ତା । କିମ୍ବା ଉତ୍ତର ଦେଶୀୟମାନଙ୍କ ଦ୍ୱାରା ଆବିଷ୍କୃତ ହୋଇ ନ ଥାନ୍ତା ତେବେ ନର୍‌ଓୟେ ଦେଶୀୟ ଅଧିକାଂଶ ସାହିତ୍ୟ ଅଜ୍ଞାତ ହୋଇ ରହିଥାନ୍ତା । ପୁରାତନ ନର୍ଶ କବିମାନେ ଏହି ଦେଶରହିଁ ଅଧିକାରୀ ।

 

ସେହି ନର୍ଶ କାବ୍ୟର ଦୁଇଗୋଟି ବିଭାଗ ଅଛି । ପ୍ରଥମଟି ଛନ୍ଦୋବଦ୍ଧ ବା ପଦ୍ୟକାବ୍ୟ ଏବଂ ଅନ୍ୟଟି ଗଦ୍ୟକାବ୍ୟ । ଏହି କାବ୍ୟ ସମୂହ ତାହାର ଟୀକା ଭାଷ୍ୟ ସହିତ ଗବେଷଣା କଲେ ଆମ୍ଭେମାନେ ସେହି ଧର୍ମର ସତ୍ୟ ଉପଲବ୍‌ଧି କରି ପାରିବୁଁ ଏବଂ ତାହାକୁ ଗୋଟିଏ ପୁରାତନ ଧର୍ମ୍ମରୂପେ ଗ୍ରହଣ କରି ତତ୍‌ପ୍ରତି ସହାନୁଭୂତି ପ୍ରକାଶ କରିବୁଁ ।

 

ପୁରାତନ ଉତ୍ତରଦେଶୀୟ ପୁରାଣଶାସ୍ତ୍ରର ବିଶେଷତ୍ୱ ଏହି ଯେ, ତାହା ପରିଦୃଶ୍ୟମାନ ଜଡ଼ଜଗତକୁ ସଚେତନ ବୋଲି ବର୍ଣ୍ଣନା କରି ଦେବତାରୂପେ ମୂର୍ତ୍ତିବନ୍ତ କରିଥିଲା, ପ୍ରାକୃତିକ ବାହ୍ୟଜଗତକୁ ମହାଆଶ୍ଚର୍ଯ୍ୟମୟ ବୋଲି ବୋଧ କରୁଥିଲା ଏବଂ ବିରାଟ ଓ ଅଦ୍ଭୁତ ବସ୍ତୁ ସନ୍ଦର୍ଶନରେ ଚକିତ ଓ ଧର୍ମ୍ମାନୁପ୍ରାଣିତ ହୋଇ ପୂଜା କରୁଥିଲା ।

 

ସେତେବେଳେ ବିଜ୍ଞାନ ଆବିଷ୍କୃତ ହୋଇ ନ ଥିଲା । ଲୋକେ ଅଗ୍ନି, ତୁଷାର ଝଞ୍ଜାବାତ ଏବଂ ପ୍ରକୃତିର ଅନ୍ୟାନ୍ୟ ଭୀଷଣ ଶକ୍ତିକୁ ଦାନବ ଆଖ୍ୟା ଏବଂ ରମଣୀୟ ଆନନ୍ଦଜନକ ଗ୍ରୀଷ୍ମକାଳୀନ ଉତ୍ତାପକୁ ଦେବତା ଆଖ୍ୟା ଦେଉଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଦେବତାମାନେ ସ୍ୱର୍ଗରେ ଅତି ଉଚ୍ଚରେ ବାସ କରନ୍ତି ଏବଂ ଦେବ ଦାନବଙ୍କର ଶତ୍ରୁତା ଚିରକାଳ ଲାଗି ରହିଅଛି । କିନ୍ତୁ ବର୍ତ୍ତମାନ ବିଜ୍ଞାନର ଆବିଷ୍କାର ହେତୁ ଆମ୍ଭେମାନେ ପ୍ରାକୃତିକ ଦୃଶ୍ୟ ଦର୍ଶନ କରି ବିସ୍ମୟାନନ୍ଦ ଅନୁଭବ କରିବା ସୁଯୋଗରୁ ବଞ୍ଚିତ ହୋଇଅଛୁଁ ।

 

ସୁଇଡ଼େନ୍‌ ନର୍‌ଓୟେ ଦେଶୀୟ ପୁରାଣ ଶାସ୍ତ୍ରର ମୂଳଭିତ୍ତି ହିଁ ଶକ୍ତିପୂଜା । ଲୋକେ ବାହ୍ୟଜଗତରେ, ବିଶାଳ ଓ ବିରାଟ ବସ୍ତୁ ସମୂହରେ ଶକ୍ତିର ବିକାଶ ପରିଦର୍ଶନ କରୁଥିଲେ । ଏହା ସରଳ ଶିଶୁଭାବର ବିକାଶ ମାତ୍ର । ଏହି ଧର୍ମ୍ମରେ ମୌଳିକତା, ସରଳତା ଓ ମନୁଷ୍ୟୋଚିତ ମହତ୍ତ୍ୱ ଅଛି । ଗ୍ରୀକ୍‌ପୁରାଣ ସହିତ ଏହାର ବୈଷମ୍ୟ ପରିଲକ୍ଷିତ ହୁଏ । କାରଣ ଏମାନେ ବିକ୍ରମ, ଶୌର୍ଯ୍ୟ, ବୀର୍ଯ୍ୟ ଏବଂ ଶକ୍ତିର ଉପାସକ; କିନ୍ତୁ ଗ୍ରୀକ୍‌ମାନେ ସୌନ୍ଦର୍ଯ୍ୟର ଉପାସକ । ଏମାନେ ପ୍ରକୃତିରେ ଶକ୍ତିର ବିକାଶ ଏବଂ ସେମାନେ ସୌନ୍ଦର୍ଯ୍ୟର ବିକାଶ ଅନୁଭବ କରୁଥିଲେ ।

 

ଜଗତର ଉତ୍ପତ୍ତି ବିଷୟରେ ଏମାନଙ୍କ ମତ ମଧ୍ୟ ଅତି ଚମତ୍କାର ଏବଂ ଅଦ୍ଭୁତ କଳ୍ପନାପ୍ରସୂତ ରୂପେ ବୋଧହୁଏ । ଦେବତାମାନେ ଜମୀର ନାମକ ଦୈତ୍ୟକୁ ବିନାଶ କରି ତାହାର ଶରୀରର ଭିନ୍ନ ଭିନ୍ନ ଅଂଶରେ ପୃଥିବୀରେ ଭିନ୍ନ ଭିନ୍ନ ଅଂଶ ସୃଷ୍ଟି କରିଅଛନ୍ତି । ଦୈତ୍ୟର ରକ୍ତରେ ସାଗର, ମାଂସରେ ଭୂଭାଗ, ଅସ୍ଥିରେ ପର୍ବତ, ମସ୍ତିଷ୍କରେ ମେଘମାଳା, ଭ୍ରୁଲତାରେ ଦେବତାଙ୍କ ଆବାସଭୂମି ଏବଂ ମସ୍ତକରେ ଅନନ୍ତ ନୀଳାକାଶ ।

 

ଆହୁରି ମଧ୍ୟ ଗୋଟିଏ ଚମତ୍କାର କଳ୍ପନା :–ଆମ୍ଭମାନଙ୍କ ଜୀବନବୃକ୍ଷ ମୃତ୍ୟୁଉପରେ ଆରୋପିତ, ତାହାର ଶାଖା ପ୍ରଶାଖା ଦିଗନ୍ତ ପ୍ରସାରିତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଜଳ ସେଚନ ଦ୍ୱାରା ପରିପୁଷ୍ଟ । ଆହା କି ସୁନ୍ଦର ଓ ଅଦ୍ଭୁତଭାବ । ଏହା ଭାବୁକମାନେହିଁ ପାଶ୍ଚାତ୍ୟବାସିଙ୍କର ପୂର୍ବପୁରୁଷ ଏବଂ ଆଧ୍ୟତ୍ମିକଭାବର ଜନ୍ମଦାତା ।

 

ସର୍ବାଦୌ ଯେଉଁ ଚିନ୍ତାଶୀଳ ବ୍ୟକ୍ତି ପ୍ରକୃତିର ଏପରି ବର୍ଣ୍ଣନା କରିଥିଲେ ଏବଂ ପ୍ରାକୃତିକ ବସ୍ତୁରେ ଶକ୍ତିପୂଜାର ଉପକ୍ରମ କରିଥିଲେ, ସେ ବାସ୍ତବରେ ଜଣେ ଅଦ୍ଭୁତ କ୍ଷମଶାଳୀ ବ୍ୟକ୍ତି । କେତେ କେତେ ଲୋକ ଜଗତକୁ ଆସି ଚାଲି ଯାଇଅଛନ୍ତି; କିନ୍ତୁ କେହି ଏ ମହାଭାବ ପ୍ରକାଶ କରି ପାରି ନାହାନ୍ତି । ମହାପୁରୁଷମାନେ ଭୂପୃଷ୍ଠରେ ଅବତୀର୍ଣ୍ଣ ହୋଇ ସାଧାରଣ ଲୋକଙ୍କ ମନୋଭାବ ପ୍ରକାଶ ପୂର୍ବକ ତାଙ୍କ ହୃଦୟକୁ ବିସ୍ମୟରେ ଅଭିଭୂତ କରି ଭଗବତ୍‌ ଅର୍ଚ୍ଚନାର ଅବତାରଣା କରନ୍ତି । ମହାପୁରୁଷ ମାନଙ୍କର ଶକ୍ତି ତଡ଼ିତ ବେଗରେ ଜନସାଧାରଣର ମୋହନିଦ୍ରା ଓ ଅଳୀକ ସ୍ୱପ୍ନ ଭାଙ୍ଗି ଦେଇ ନିଜର ଭାବରେ ଐଶ୍ୱରିକ ଭାବରେ ଆତ୍ମହରା କରିଦିଏ । ଆମ୍ଭେମାନେ ଆଧୁନିକ ଯୁଗରେ ମଧ୍ୟ ଏହିପରି ବ୍ୟକ୍ତିଙ୍କୁ ଆମ୍ଭମାନଙ୍କର ହୃଦୟର ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରୁଁ, କବି ବୋଲୁଁ, ପ୍ରତିଭାଶାଳୀ ବ୍ୟକ୍ତି ବୋଲୁଁ, ଐଶୀଶକ୍ତି-ସମ୍ପନ୍ନ ବୋଲୁଁ, ଏହିପରି କେତେ ଆଖ୍ୟା ପ୍ରଦାନ କରୁଁ ।

 

ଓଡ଼ିନ ଏହିପରି ଜଣେ ଅପାର କ୍ଷମତାଶାଳୀ ବ୍ୟକ୍ତି ଥିଲେ । ମନୁଷ୍ୟ ଜୀବନର ଅନୁଶୀଳନ ଜଗତରେ ମନୁଷ୍ୟର କର୍ତ୍ତବ୍ୟ ଇତ୍ୟାଦି ସମ୍ୟକ୍‌ରୂପେ ଲୋକମାନଙ୍କୁ ବୁଝାଇ ଦେଇ ସେ ସାହାସ ଓ ଉତ୍ସାହବାଣୀ ଦେଇଥିଲେ । ସେ ତଦାନୀନ୍ତନ ଧର୍ମ୍ମ ବିଶ୍ୱାସର ପ୍ରାଣଦାତା ।

 

ନର୍ଶ ପୁରାଣରେ ଉଲ୍ଲେଖ ଅଛି ଯେ, ଏହି ଧର୍ମ୍ମ ଏକ ଯୁଗର ସମାଦୃତ ଭାବ; କିନ୍ତୁ ବାସ୍ତବରେ ତାହା ସୁସଂବଦ୍ଧ ନୁହେ । ତହିଁରେ ଅନେକ କ୍ରମିକପଦ୍ଧତି ସଂଯୁକ୍ତ ହୋଇଅଛି, ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ଭିନ୍ନ ଲୋକଙ୍କ ଭାବ ମିଶ୍ରିତ ହୋଇ ଗୋଟିଏ ସର୍ବାଙ୍ଗସୁନ୍ଦର ଧର୍ମ ରୂପେ ବିରାଜିତ । ତାହାର କ୍ରମବିକାଶ ଅବଶ୍ୟ କୌଣସି ଠାରେ ଲିପିବଦ୍ଧ ହୋଇନାହିଁ, ଓଡ଼ିନଙ୍କ ନାମ ମଧ୍ୟ ଲୁପ୍ତ ହୋଇଅଛି, କେବଳ ବେଡ଼୍‌ନେସ୍‌ଡ଼େ (ଔଡ଼େନସ୍‌ ଡ଼େ-Wednes day-Oddin’s day-ବୁଧବାର) ସହିତ ତାଙ୍କ ନାମ ସଂଶ୍ଳିଷ୍ଟ ରହିଅଛି ।

 

ଓଡ଼ିନ କେଉଁ ସ୍ଥାନରେ ଓ କେଉଁ ସମୟରେ ଜନ୍ମଗ୍ରହଣ କରିଥିଲେ ତାହାର କୌଣସି ଐତିହାସିକ ଲିପି ନାହିଁ, ଅନେକ ଲୋକ ଅନେକ ପ୍ରକାର ମତ ପ୍ରକାଶ କରିଅଛନ୍ତି । ସ୍ନରୋଙ୍କ Snorro ମତରେ ଓଡ଼ିନ ଜଣେ ଅସୀମ ପରାକ୍ରମଶାଳୀ ରାଜପୁତ୍ର, କୃଷ୍ଣସାଗର ତୀରବର୍ତ୍ତୀ ପ୍ରଦେଶରେ ବାସ କରୁଥିଲେ । ତାଙ୍କର ଦ୍ୱାଦଶ ସଚିବ ଏବଂ ବହୁଳ ପ୍ରଜା ଥିଲେ । ଜନର ବହୁଳତା ହେତୁ ବାସସ୍ଥାନର ଅଭାବ ହେବାରୁ ସେ ସୈନ୍ୟ ସହିତ ଉତ୍ତର ଇଉରୋପ ଅଭିମୁଖରେ ଯୁଦ୍ଧଯାତ୍ରା କରି ସେ ଦେଶ ଅଧିକାର କରିଥିଲେ । ସେଠାରେ ସେ ବର୍ଣ୍ଣମାଳା, କାବ୍ୟ ପ୍ରଭୃତି ସୃଷ୍ଟି କରି ଲୋକମାନଙ୍କୁ ଚମତ୍‌କୃତ କରିଥିଲେ । ଲୋକ ସ୍ୱତଃ ଭକ୍ତି ସହକାରେ ତାଙ୍କର ପୂଜା କରିଥିଲେ । ଗ୍ରାମଟିକସଙ୍କ (Grammaticus) ମତରେ ସେ ଦିନାମାରର ଜଣେ ରାଜା ଥିଲେ-। ଅନ୍ୟ ଜଣେ ପ୍ରଧାନ ପଣ୍ଡିତ ନିର୍ଦ୍ଦେଶ କରିଅଛନ୍ତି ଯେ, ସେ ଖ୍ରୀଷ୍ଟପୂର୍ବ ସପ୍ତତିତମ ଶତାବ୍ଦୀରେ ଇଉରୋପକୁ ଆଗମନ କରିଥିଲେ । ଶେଷୋକ୍ତ ମତଟି ସମ୍ପୂର୍ଣ୍ଣ ଅଳୀନ ବୋଲି ବୋଧହୁଏ । ଆହୁରି ଜଣେ ଜର୍ମାନ ପ୍ରାତ୍ନତତ୍ତ୍ୱଜ୍ଞ ତାଙ୍କ ଅସ୍ତିତ୍ୱରେ ମଧ୍ୟ ବିଶ୍ୱାସ ସ୍ଥାପନ କରି ନାହାନ୍ତି । ସେ ଶବ୍ଦର ବ୍ୟୁତ୍ପତ୍ତି ଆଲୋଚନା ପୂର୍ବକ ତାହାର ଭିନ୍ନ ଅର୍ଥ ନିର୍ଦ୍ଦେଶ କରିଅଛନ୍ତି ଯାହାର ଅର୍ଥ ସଞ୍ଚାଳନା ଶକ୍ତି । ବ୍ୟୁତ୍ପତ୍ତି ଅନୁସାରେ ନାମର ଅର୍ଥ କରିବା ସମୀଚୀନ ନୁହେ । ସେ ପ୍ରକୃତ ପକ୍ଷେ ଅଳୀକ-କଳ୍ପନା ପ୍ରସୂତ ନୁହନ୍ତି । ସେ ରକ୍ତମାଂସ ଶରୀର-ବିଶିଷ୍ଟ ମନୁଷ୍ୟ ଥିଲେ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

ବର୍ତ୍ତମାନ ଆଲୋଚ୍ୟ-ଓଡ଼ିନ କିପରି ଦେବତ୍ୱ ପ୍ରାପ୍ତ ହେଲେ ଏବଂ ଲୋକେ କିପରି ତାଙ୍କର ପୂଜା କରୁଥିଲେ, ଗବେଷଣାଦ୍ୱାରା ଦେବତ୍ୱ ପ୍ରାପ୍ତିର ତିନିଗୋଟି କାରଣ ନିର୍ଦ୍ଦେଶ କରା ଯାଇପାରେ । ପ୍ରଥମତଃ ଲୋକମାନଙ୍କର ତାହାଙ୍କ ପ୍ରତି ପ୍ରଗାଢ଼ ଅନୁରାଗ ଓ ନୈଷ୍ଠିକ ଭକ୍ତି ଥିବା ହେତୁ ସେମାନେ ଅଚିନ୍ତନୀୟ ବିସ୍ମୟରେ ଅଭିଭୂତ ହୋଇ ତାଙ୍କୁ ପୂଜା କରିଥିଲେ କିମ୍ବା ଦେବଭାବାନୁପ୍ରାଣିତ-ମୁହୂର୍ତ୍ତରେ ତାଙ୍କ ମଧ୍ୟରେ ଦୈବଶକ୍ତି ଥିବାର ପ୍ରକାଶ ହେତୁ ସେ ଦେବରୂପରେ ପୂଜା ପାଇଥିଲେ । ସମୟର ପ୍ରଭାବ ମଧ୍ୟ ଏହି ଦେବତ୍ୱ ଆରୋପରେ କାର୍ଯ୍ୟ କରିଅଛି । ତାଙ୍କ ମୃତ୍ୟୁପରେ କୌଣସି ସ୍ମରଣ ଚିହ୍ନ କିମ୍ବା ନିଦର୍ଶନ ନଥିବା ହେତୁ ସେ ପୌରାଣିକ ଓ କାଳ୍ପନିକ ରୂପେ ଉପସ୍ଥାପିତ ହୋଇଅଛନ୍ତି । କୌଣସି ଅଦ୍ଭୁତ ଶକ୍ତିର ପରିଚୟ ପାଇଥିବା ହେତୁ ସମ୍ଭବତଃ ଜନ ପ୍ରବାଦ କ୍ରମେ କ୍ରମେ ତାଙ୍କୁ ଉଚ୍ଚରୁ ଉଚ୍ଚତର ଆସନ ପ୍ରଦାନ କରିଅଛି ।

 

କିନ୍ତୁ ସେହି ଘୋର ତିମିରାଚ୍ଛନ ଯୁଗରେ ସେମାନେ ଯେ ସତ୍ୟର ଆଲୋକ ପାଇଥିଲେ, ତାହା ପ୍ରଣିଧାନର ବିଷୟ । ମନୁଷ୍ୟର ବର୍ଣ୍ଣନା ବ୍ୟତୀତ ସତ୍ୟର ମଧ୍ୟ ଗୋଟିଏ ସ୍ୱରୂପ ଅଛି । ତାହାର ବର୍ଣ୍ଣନା ସ୍ୱୀୟ ମନର ଭାବ ଏବଂ କଳ୍ପନାଦ୍ୱାରା ରଞ୍ଜିତ ହୁଏ । ପୃଥିବୀର ସମସ୍ତ ପ୍ରାକୃତିକ ବସ୍ତୁ ମାନବ ହୃଦୟରେ ପ୍ରତିଫଳିତ ହୁଏ, କଳ୍ପନାନୁଯାୟୀ ଭିନ୍ନ ଭିନ୍ନ ମନୁଷ୍ୟର ଚିନ୍ତା ପୃଥକ୍‌ ଦିଗରେ କିପରି ପ୍ରବାହିତ ତାହା ନିର୍ଦ୍ଦେଶ କରିବା ବଡ଼ କଠିନ ବ୍ୟାପାର । ପ୍ରତ୍ୟେକ ମନୁଷ୍ୟ ସମକ୍ଷରେ ଏହି ପରିଦୃଶ୍ୟମାନ ଜଗତ୍‌ ସ୍ୱପ୍ନବତ୍‌ ପ୍ରତିଭାତ ହୁଏ । ସେହିପରି ତଦାନୀନ୍ତନ ପୌତ୍ତଳିକମାନଙ୍କ ମନରେ ଏବମ୍ଭୁତ ଭାବ ପ୍ରତିଫଳିତ ହୋଇଥିଲା । ଆଜିକାଲି ସେହି ସତ୍ୟଟି ଆମ୍ଭମାନଙ୍କ ନିକଟରେ ଗୋଟିଏ ରୂପକ କିମ୍ବା କାଳ୍ପନିକ ବିଷୟ ରୂପେ ପ୍ରତିଭାତ ହେଉଅଛି ସତ୍ୟ; କିନ୍ତୁ ବାସ୍ତବରେ ଆଦିମ ଚିନ୍ତାଶୀଳ ବ୍ୟକ୍ତି ତାଙ୍କ ପ୍ରାଣରେ ପ୍ରକୃତ ସତ୍ୟ ଉପଲବ୍‌ଧି କରିଥିଲେ ଏବଂ ସ୍ୱମତକୁ ନିଜର ଭାବପ୍ରକାଶିକା ଶକ୍ତିଦ୍ୱାରା ଲୋକମାନଙ୍କ ମଧ୍ୟରେ ପ୍ରଚାର-କରିଥିଲେ । ସେତେବେଳେ ରୂପକ ପ୍ରଭୃତିର ଭାବ ତାଙ୍କ ମନରେ ଆଦୌ ଜାଗରିତ ହୋଇ ନ ଥିଲା, କାରଣ ସେ ସତ୍ୟର ଗୋଟିଏ ଜ୍ୱଳନ୍ତ ପ୍ରତିମୂର୍ତ୍ତି ଥିଲେ ।

 

ଯାହାହେଉ, ଓଡ଼ିନ ରକ୍ତମାଂସ ଶରୀର ବିଶିଷ୍ଟ ଜଣେ ବ୍ୟକ୍ତିଥିଲେ ବୋଲି କ’ଣ ଆମ୍ଭେମାନେ ବିଶ୍ୱାସ କରିପାରୁ ନା ? ସେଥିରେ ଶତ ଶତ ପ୍ରମାଦ ଥିଲା ସତ୍ୟ, ଶତ ଶତ ଭ୍ରମଥିଲା ସତ୍ୟ, ତଥାପି ଆମ୍ଭମାନଙ୍କ ପୂର୍ବ ପୁରୁଷମାନେ କ’ଣ କେବଳ ଭ୍ରମପୂର୍ଣ୍ଣ କାଳ୍ପନିକ ଗଳ୍ପ ଏବଂ ରୂପକ ମୋହରେ ଭୂଲି ରହିଥିଲେ ? ନା, ତା ନୁହେ ।

 

ଓଡ଼ିନଙ୍କର ଶ୍ରଦ୍ଧା, ଭକ୍ତି ଓ ପୂଜାର ପାତ୍ର ହେବାର ଅନ୍ୟାନ୍ୟ କାରଣ ମଧ୍ୟ ଅନେକ ଥିଲା, ସେ ବର୍ଣ୍ଣମାଳା, ଭୋଜବିଦ୍ୟା, କବିତା ପ୍ରଭୃତି ଆବିଷ୍କାର କରିଥିଲେ । ଆମ୍ଭେମାନେ ଆଜି ସୁଦ୍ଧା ପ୍ରତିଭାଶାଳୀ ବ୍ୟକ୍ତିଙ୍କର ସମ୍ବର୍ଦ୍ଧନା କରିଥାଉଁ । ତଦାନୀନ୍ତନ ଯୁଗରେ ମୋହାଚ୍ଛନ୍ନ ନର୍ଶମାନେ ହୃଦୟର ଆଦ୍ୟତମ ଭାବରେ ପ୍ରେରଣାରେ ତାହାଙ୍କୁ ମହତ୍ୱ ବ୍ୟକ୍ତିରୂପେ, ବୀରରୂପେ, ଧର୍ମ୍ମୋପଦେଶକ ରୂପେ ଏବଂ ପରିଶେଷରେ ଈଶ୍ୱର ରୂପେ ପୂଜା କରିଥିଲେ । ଏଥିରେ ଆଉ ଆଶ୍ଚର୍ଯ୍ୟର ବିଷୟ କ’ଣ ଅଛି ? ପ୍ରକୃତ ପକ୍ଷେ ତାଙ୍କ ଶରୀରରେ ମହାପୁରୁଷଙ୍କ ସମସ୍ତ ଗୁଣ ଏକାଧାରରେ ସନ୍ନିବେଶିତ ଥିଲା । ଜଗତର ରହସ୍ୟ ଉଦ୍‌ଘାଟନ କରିବା ଥିଲା ତାଙ୍କ ଜୀବନରେ କାର୍ଯ୍ୟ । ସେ ଯାହା ପ୍ରଚାର କରିଥିଲେ, ତାହାର ନିଦର୍ଶନ, ଅଦ୍ୟାବଧି ଇଂଲଣ୍ଡରେ ଦେଖିବାକୁ ମିଳେ, ଟିଉଟନୀୟ (Tutonic) ଜଗତରେ ଆଜିସୁଦ୍ଧା ଏପରି ବ୍ୟକ୍ତି କେବେ ଆବିର୍ଭୂତ ହୋଇ ନାହାନ୍ତି । ଇଂଲଣ୍ଡର ଅନେକ ସ୍ଥାନର ନାମକରଣ ତାଙ୍କ ନାମଅନୁସାରେ ହୋଇଅଛି । ସେ ଥିଲେ ତାଙ୍କ ଜାତିର ନେତା ଏବଂ ଆଦର୍ଶ ।

 

ଓଡ଼ିନ ଏ ଜଗତରୁ ଚାଲିଯାଇ ଅଛନ୍ତି ସତ୍ୟ, କିନ୍ତୁ ତାଙ୍କ ପ୍ରଭାବ ଆଜିପର୍ଯ୍ୟନ୍ତ ଅନୁଭୂତ ହେଉଅଛି, ସେ ସ୍ୱୀୟ ପ୍ରତିଭାଦ୍ୱାରା ତଦାନୀନ୍ତନ ସମସ୍ତ ଜଗତବାସିଙ୍କୁ ସ୍ୱକୀୟ ଭାବରେ ଅନୁପ୍ରାଣିତ କରିଥିଲେ । ଜନସାଧାରଣ ମଧ୍ୟ ତାଙ୍କ ଭାବନା ପଥର ପଥିକ ହୋଇ ଥିଲେ । ପୂଜା ଭ୍ରମାତ୍ମକ ହେଲେହେଁ ସରଳତା, ନିଷ୍କପଟତା ଏବଂ ପବିତ୍ରତାର ପରିଚାୟକ । ବୀରପୂଜା ଜଗତ୍‌-ଇତିହାସର ପ୍ରାଣ, କାରଣ ଇତିହାସ ବୀରମାନଙ୍କ ଜୀବନୀ ବ୍ୟତୀତ ଅନ୍ୟ କିଛି ନୁହେ । ନର୍ଶ ବୀରପୂଜାର ଗୋଟିଏ ବିଶେଷତ୍ୱ ଅଛି । ତାହା ବାଳକ ଭାବରେ ପ୍ରକୃତିରେ ଏବଂ ମନୁଷ୍ୟରେ ଐଶ୍ୱରିକ ସତ୍ତା ସନ୍ଦର୍ଶନ କରିଅଛି । ତାହା ଅବଶ୍ୟ ଗୋଟିଏ ଉଚ୍ଚଭାବ, କିନ୍ତୁ ଆଜିକାଲି ସେ ଭାବ ଲୁପ୍ତ ହୋଇ ଗଲାଣି । ମନୁଷ୍ୟର ବୁଦ୍ଧିର ବିକାଶ ସଙ୍ଗେ ସଙ୍ଗେ ମନୁଷ୍ୟ କ୍ରମେ କ୍ରମେ ଜ୍ଞାନୀ ହେଉଅଛି, ତାହାର ମୋହ ନିଦ୍ରା ଭାଙ୍ଗି ଯାଉଛି; କିନ୍ତୁ ଅଧୁନା ମନୁଷ୍ୟ ନିଜ ଜଗତ୍‌ ଅପେକ୍ଷା ବୃହତ୍ତର ଜଗତର ରହସ ଉଦ୍‌ଘାଟିତ କରି ପାରିବ କି ନାହିଁ ଏହା ସନ୍ଦେହଜନକ ।

 

ନର୍ଶ ପୌତ୍ତଳିକତାର ମୂଳମନ୍ତ୍ର ଥିଲା, ସରଳ ଭାବରେ ପ୍ରକୃତିରେ ଦେବତ୍ୱ ଦର୍ଶନ-ତହିଁରେ ନୀତିବିଦ୍ୟା ନ ଥିଲା । ସରଳତା ତାହାର ବିଶେଷତ୍ୱ । ଗ୍ରୀକ୍‌ମାନେ ସୌନ୍ଦର୍ଯ୍ୟର ଉପାସକ; କିନ୍ତୁ ସରଳତାର ଆସନ ସୌନ୍ଦର୍ଯ୍ୟର ଅନେକ ଉପରେ । ଏହି କାରଣରୁ ଗ୍ରୀକ୍‌ମାନଙ୍କ ଧର୍ମ୍ମ ଅପେକ୍ଷା ପୌତ୍ତଳିକତା ଶ୍ରେୟସ୍କର । ପ୍ରଥମେ ପ୍ରକୃତିରେ ଈଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ପ୍ରତ୍ୟୟ ଏବଂ ତତ୍‌ପରେ ନୈତିକ ବିଚାର । ଯେତେବେଳେ ସମସ୍ତ ଶକ୍ତି ନୈତିକ ଶକ୍ତି ବୋଲି ମନୁଷ୍ୟ ହୃଦୟଙ୍ଗମ କରେ ସେତେବେଳେ ନୈତିକ ବିଚାରର ସମୟ ଉପସ୍ଥିତ ହୁଏ ।

 

ନର୍ଶ ଧର୍ମ୍ମ ଅନ୍ୟାନ୍ୟ ଧର୍ମ୍ମପରି ପ୍ରଥମେ ସରଳ ବିଶ୍ୱାସରୁ ଉଦ୍ଭୂତ ହୋଇଥିଲା । ରୂପକ କିମ୍ବା କବିକଳ୍ପନାର ଆଖ୍ୟା, ଏସବୁ ପ୍ରଥମାବସ୍ଥାରେ ଦିଆ ଯାଇ ନ ପାରେ; କିନ୍ତୁ ଏହା ପରେ ରୂପକରେ ପରିଣତ ହୋଇଥିଲା ।

 

ନର୍ଶମାନେ ଥିଲେ ଅଦୃଷ୍ଟବାଦୀ । ସେମାନେ ଭାବୁଥିଲେ ଯେ, ସେମାନଙ୍କ ଉପରେ ଜଣେ ଭାଗ୍ୟବିଧାତା ଅଛନ୍ତି । ସମସ୍ତଙ୍କ ମୃତ୍ୟୁ ତାଙ୍କ ହସ୍ତରେ । ଯେ ସତ୍‌କର୍ମ୍ମ ସମ୍ପାଦନ କରିଛି, ଅସୀମ ବିକ୍ରମର ପରିଚୟ ଦେଇଛି, ସାଧୁ ଉଦ୍ଦେଶ୍ୟରେ ପ୍ରାଣ ବିସର୍ଜ୍ଜନ କରିଛି, ତାହାର ସ୍ଥାନ ସ୍ୱର୍ଗରେ ଓଡ଼ିନଙ୍କ ଆବାସ ଭୂମିରେ ଏବଂ ଯେ କାପୁରୁଷ, ଭୀରୁ ତାହାର ସ୍ଥାନ ନରକରେ । ମହମ୍ମଦ ବୋଲ, ଲୁଥର ବୋଲ, ବିଶ୍ୱବିଜୟୀ ନେପୋଲିଅନ ବୋଲ, ସମସ୍ତେ ଏହି ବରେ ଅନୁପ୍ରାଣିତ ହୋଇ ସାଧୁ ଉଦ୍ଦେଶ୍ୟରେ ଅପ୍ରତିହତ ସାହସ ଦେଖାଇ ମୃତ୍ୟୁକୁ ବରଣ କରିଅଛନ୍ତି । ତେଣୁ ଆମ୍ଭେମାନେ ସ୍ପଷ୍ଟ ଦେଖିବାକୁ ପାଉଁ ସେମାନେ ନିଜର ଶୌର୍ଯ୍ୟ, ବାର୍ଯ୍ୟ ଏବଂ ଅପରିସୀମ ସାହସଦ୍ୱାରା ମନୁଷ୍ୟର ମୂଲ୍ୟ ଓ ମହତ୍ତ୍ୱ ନିରୂପଣ କରିଥିଲେ । ଭୀରୁ କାପୁରୁଷର କୌଣସିଠାରେ ସ୍ଥାନ ନାହିଁ ।

 

ଓଡ଼ିନଙ୍କ ଧର୍ମ୍ମ ଆଜିକାଲି ମଧ୍ୟ ସତ୍ୟ । କାରଣ ଆମ୍ଭେମାନେ ସାହସୀ ଏବଂ ବିକ୍ରମଶାଳୀ ବ୍ୟକ୍ତି ସମ୍ବର୍ଦ୍ଧନା କରିଥାଉଁ । ମନୁଷ୍ୟ ତାହାର ମାନସିକ ଦୁର୍ବଳତା ଯେତେଦିନ ତ୍ୟାଗ ନ କରିଛି, ହୃଦୟରୁ ଭୟକୁ ବିତାଡ଼ିତ ନ କରିଛି, ଆତ୍ମବଳି ଦାନ ନ କରିଛି, ସେତେଦିନ ପର୍ଯ୍ୟନ୍ତ ସେ କୌଣସି କାର୍ଯ୍ୟ ସଂଶାଧିତ କରି ପାରିବ ନାହିଁ । ‘ମା ଭୈଷୀଃ’ ‘ମା ଭୈଷୀଃ’ ମନ୍ତ୍ର ପ୍ରଚାର କରିବାକୁ ହେବ, ସାହସ ଏବଂ ବୀରତ୍ୱକୁ ବରଣ କରି ନେବାକୁ ହେବ, ମନୁଷ୍ୟ ଭୟକୁ ଯେତେ ଜୟ କରିପାରେ, ତାହାର ମୂଲ୍ୟ ତେତେ ବର୍ଦ୍ଧିତ ହୁଏ ।

 

ନର୍ଶପୁରାଣରୁ ଆମ୍ଭେମାନେ ଅବଗତ ହେଉଁ ଯେ, ଯୁଦ୍ଧରେ ପ୍ରାଣ ନ ଦେବା ବଡ଼ ଲଜ୍ଜା ଓ ଘୃଣାର ବିଷୟ । ସହଜ ମୃତ୍ୟୁର ଉପସ୍ଥିତିରେ ମଧ୍ୟ ନର୍ଶମାନେ ମୃତ୍ୟୁ ଶଯ୍ୟାରେ ନିଜ ଶରୀର କାଟି ଶୋଣିତ ଧାରା ବୁହାଉଥିଲେ ଯେପରି କି ସେମାନେ ଯୁଦ୍ଧଭୂମିରେ ନିର୍ଭୟରେ ପ୍ରାଣତ୍ୟାଗ କରିଅଛନ୍ତି । ଅନେକ ନୃପତି ନିଜ ଶେଷକାଳର ଉପସ୍ଥିତ ସମୟରେ ଜଳଯାନ ଯୋଗେ ସମୁଦ୍ର ଗର୍ଭକୁ ଗମନକରି ସେହି ଯାନରେ ଅଗ୍ନି ସଂଯୋଗ କରି ଦେଉଥିଲେ ଏବଂ ଏହିରୂପେ ବୀରତ୍ୱ ସହ ଧୀର ସାହସରେ ପ୍ରାଣ-ବିସର୍ଜ୍ଜନ କରୁଥିଲେ । କି ଅପରିସୀମ ସାହସ, ଦୁର୍ଦ୍ଦମନୀୟ ଅନ୍ତର୍ବଳ ଏବଂ ଦୂର୍ଦ୍ଧର୍ଷ ପରାକ୍ରମର ନିଦର୍ଶନ । ଏହିମାନେ ହିଁ ବାସ୍ତବିକ ପ୍ରଧାନ ବୀର ବ୍ଳେକ (Blake) ଏବଂ ନେଲ୍‌ସନ୍‌ (Nelson) ପ୍ରଭୃତିଙ୍କ ଜନ୍ମଦାତା ।

 

ସେମାନେ ଯେ କେବଳ ଯୋଦ୍ଧା ଓ ସୈନିକ ଥିଲେ ଏମନ୍ତ ନୁହେ, ସେମାନଙ୍କ ମଧ୍ୟରେ ଅନେକ କାଷ୍ଠଚ୍ଛେଦକ ମଧ୍ୟ ଥିଲେ ବୋଲି ପୁରାଣରେ ଦେଖିବାକୁ ମିଳେ । ଏଥିରେ ମଧ୍ୟ ବିଶେଷତ୍ୱ ଅଛି କାରଣ ସେମାନେ ଅସାଧାରଣ ସାହସଦ୍ୱାରା ପ୍ରକୃତିର ଭୀଷଣତା ଜୟ କରି ମନୁଷ୍ୟର ଭୋଗ ନିମିତ୍ତ ପ୍ରକୃତି ସେବାର ସହଜପନ୍ଥା ଉଦ୍ଭାବନ କରୁଥିଲେ ।

 

ଓଡ଼ିନ ବଜ୍ର ନିର୍ଘୋଷରେ ଯେଉଁ ବୀରବାଣୀ ଶୁଣାଇ ଥିଲେ, ତାହାରି ଫଳରେ ଲୋକମାନେ ସ୍ୱଭାବତଃ ତାଙ୍କୁ ଈଶ୍ୱର ପ୍ରେରିତ ବୋଲି ପୂଜା କରିଥିଲେ । ଏହିଠାରେ ନର୍ଶଧର୍ମ୍ମର ଆରମ୍ଭ । ଏହାର ଉତ୍ପତ୍ତି ବୀରପୂଜାରେ ବିକ୍ରମ ପୂଜାରେ । ନର୍ଶମାନଙ୍କର ଏହି ସରଳ ବିଶ୍ୱାସ ସମସ୍ତ ଅଜ୍ଞାନ ଅନ୍ଧକାରକୁ ଦୂର କରିଥିଲା ଏବଂ ସେହି କ୍ଷୁଦ୍ରବୀଜ କ୍ରମେ କ୍ରମେ ବର୍ଦ୍ଧିତ ହୋଇ ପ୍ରକାଣ୍ଡ ବଟବୃକ୍ଷ ରୂପେ ଦିଗଦିଗନ୍ତରେ ପ୍ରସାରିତ ହୋଇଥିଲା । ପୃଥିବୀରେ ପ୍ରଥମେ ଯେ ଏ ସମସ୍ତ ଚିନ୍ତା କରୁଥିଲେ ସେ ଆଦିଗୁରୁ । ତାଙ୍କ ପରେ ଯେତେ ଭାବୁକ ଆସିଛନ୍ତି, ସେମାନେ ତାଙ୍କର ପଦାଙ୍କ ଅନୁସରଣ କରି ଚାଲିଛନ୍ତି । ସମସ୍ତେ ସେହି ମହାପ୍ରାଣ ଓଡ଼ିନଙ୍କ ପ୍ରତିରୂପ ବୋଇଲେ ସତ୍ୟର ଅତିକ୍ରମ ହେବ ନାହିଁ ।

 

ନର୍ଶପୁରାଣର କିୟଦଂଶ ଯାହା ଆମ୍ଭେମାନେ ଆଜିକାଲି ଦେଖିବାକୁ ପାଉଁ, ତାହା ପରେ କବିମାନଙ୍କ ଦ୍ୱାରା ଅତିରଞ୍ଜିତ ହୋଇଅଛି । ଯେପରି ଆଧୁନିକ ଚିକ୍ରକରମାନେ ପ୍ରକୃତ ସତ୍ୟପ୍ରତି ଦୃଷ୍ଟି ନ ଦେଖି ସ୍ୱାକୀୟ କଳ୍ପନାଶକ୍ତି ଦ୍ୱାରା ଚିତ୍ରାଙ୍କନ କରନ୍ତି, ସେହିପରି କବିମାନେ ସମସ୍ତ ରୂପକ ଛଳରେ କବିତାର ତାତ୍ପର୍ଯ୍ୟ ଦେଖାଇ ଅଛନ୍ତି ।

 

କବିବର ଗ୍ରେ (Gray) ମଧ୍ୟ ବିଶେଷ ଭାବରେ ନର୍ଶ ଉପଦେଶ ଉପସ୍ଥାପିତ କରିପାରି ନାହାନ୍ତି । ନର୍ଶପୁରାଣ ଗତ ସୂର୍ଯ୍ୟଦେବ ବଲଡ଼ରଙ୍କ (Baladar) ମୃତ୍ୟୁକାହାଣୀରେ ଯେଉଁ ଅକୃତ୍ରିମ ସରଳତାର ନିଦର୍ଶନ ଦେଖିବାକୁ ମିଳେ, ତାହା ସେ ହୃଦୟଙ୍ଗମ କରିପାରି ନାହାନ୍ତି । ଅତୁଳ ସୌନ୍ଦର୍ଯ୍ୟଶାଳୀ, ରୂପବାନ୍‌ ସୂର୍ଯ୍ୟଦେବ ବଲଡ଼ରଙ୍କ ମୃତ୍ୟୁ ପରେ ‘ଜଦଦ୍‌ବାସୀ’ ତାଙ୍କର ପୂନର୍ଜୀବନ ଲାଭ ନିମିତ୍ତ ପ୍ରଭୂତ ଚେଷ୍ଟା କରି ନିରାଶ ହୋଇଥିଲେ । ଜନନୀ ତାଙ୍କୁ ଦେଖିବା ପାଇଁ ତାଙ୍କର ଅନ୍ୟ ଏକ ପୁତ୍ରକୁ ତାଙ୍କ ସମୀପକୁ ପ୍ରେରଣ କଲେ । ସେ ନବ ଦିବସ ଅଶ୍ୱାରୋହଣ ପୂର୍ବକ ବହୁଦେଶ, ପର୍ବତ, ପ୍ରାନ୍ତର, ଉପତ୍ୟକା, ଅଧିତ୍ୟକା ଏବଂ ଘୋର ତିମିରାଚ୍ଛନ୍ନ ଗିରିଗହ୍ୱର ପ୍ରଭୃତି ଅତିକ୍ରମ କରି ପରିଶେଷରେ ନରକର ଦ୍ୱାରଦେଶରେ ଉପସ୍ଥିତ ହେଲେ ଏବଂ ସେହିଠାରେ ତାଙ୍କ ସହିତ କଥୋପକଥନ କରି ଜାଣିଲେ, ତାଙ୍କୁ ମୁକ୍ତ କରିବାର କୌଣସି ଉପାୟ ନାହିଁ । ହାୟ ! ଯମରାଜ କୌଣସି ମତେ ତାଙ୍କୁ ଅବ୍ୟାହିତ ଦେବେ ନାହିଁ, ଏହା ଜାଣି ସେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।

 

ତାହାଙ୍କୁ ସେଠାରେ ଚିରକାଳ ବାସ କରିବାକୁ ହେବ ଜାଣି ତାଙ୍କର ପତିପ୍ରାଣା ସହଧର୍ମ୍ମିଣୀ ସ୍ୱାମୀଭକ୍ତିର ପରାକାଷ୍ଠା ଦର୍ଶାଇ ଅକୁଣ୍ଠିତ ହୃଦୟରେ ଓ ସ୍ମିତ ମନରେ ସ୍ୱାମୀ ଉଦ୍ଦେଶ୍ୟରେ ପ୍ରାଣ ବିସର୍ଜନ କରି ତାଙ୍କର ସହଗାମିନୀ ହେଲେ । ଆହା ! ଏହି ଭାବ କି ସୁନ୍ଦର ଓ ହୃଦୟସ୍ପର୍ଶୀ !

 

ବିକ୍ରମ ସତ୍ୟର ମୂଳାଧାର । ନର୍ଶ ପ୍ରତିଭା ଆଜି ସୁଦ୍ଧା ଇଉରୋପୀୟ ସାହିତ୍ୟରେ ବିଦ୍ୟମାନ ଅଛି । ସେକ୍‌ସପିଅରଙ୍କ (Shakespear) ହାମ୍‌ଲେଟ (Hamlet) ପ୍ରଭୃତିରେ ତାହାର ସତ୍ତା ଦେଖିବାକୁ ମିଳେ ।

 

ପୁରାତନ ନର୍ଶ ଗୀତିରେ ଏକ ମହାନ୍‌ସତ୍ୟ ପରିଦୃଷ୍ଟ ହୁଏ । ତାହା ଏ ସଂସାର ଅନିତ୍ୟ, କେବଳ ମାୟା । ଏହା ସଂପ୍ରତି ସର୍ବବାଦିସମ୍ମତ ଏବଂ ସର୍ବଧର୍ମସମର୍ଥିତ, ଏହା ଅତି ସୁନ୍ଦର ରୂପେ ‘ଥରଙ୍କ ଅଭିଯାନ’ ନାମକ ରୂପକରେ ବର୍ଣ୍ଣିତ ହୋଇଅଛି । ତାହାର ତାତ୍ପର୍ଯ୍ୟ ଏହି ଯେ, ଯାହା ପୁରାତନ, ତାହା ଲୁପ୍ତ ହେବ ଏବଂ ତତ୍‌ସ୍ଥାନରେ ନୂତନ ପ୍ରତିଷ୍ଠିତ ହେବ । ଏହି ସଂସାର ଅନିତ୍ୟ, କିନ୍ତୁ ଏହାର ଅନ୍ତରାଳରେ ଗୋଟିଏ ନିତ୍ୟ ଶାଶ୍ୱତ ଦେଶ ବର୍ତ୍ତମାନ ।

 

ଜଗତ ପରିବର୍ତ୍ତନଶୀଳ-ପୁରାତନ ଯିବ, ନୂତନ ଆସିବ । ଏହା ସଂସାରର ନୀତି । କୌଣସି ପଦାର୍ଥ ଚିର ସ୍ଥିର ନୁହେ । ସେହି ସନାତନ ନିୟମାନୁଯାୟୀ ପୌତ୍ତଳିକତା ଚିରକାଳ ପାଇଁ ଏ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଅଛି ଏବଂ ତତ୍‌ସ୍ଥାନରେ ଏକଶ୍ୱରବାଦ ପ୍ରବର୍ତ୍ତିତ ହୋଇଅଛି । ଏହି ଭଳି ଯିବା ଆସିବା ଲାଗିଛି । ଏହି ନୀତି ଅନ୍ୟଥା କରିବାକୁ କାହାର ବଳ ଅଛି ?

 

କିନ୍ତୁ ଯାହାହେଉ, ନର୍ଶଧର୍ମ୍ମ ଥିଲା ବିକ୍ରମର ପ୍ରତିଷ୍ଠା-ଈଶ୍ୱରାର୍ଥରେ ପବିତ୍ର ଉଦ୍ଦେଶ୍ୟରେ ଜୀବନୋତ୍ସର୍ଗ । ଅତୀତ ଜୀବନରୁ ଆମ୍ଭେମାନେ ଏହି ସମ୍ପତ୍ତି, ଏହି ଅଧିକାର ଲାଭ କରିଅଛୁଁ । ସମସ୍ତ ଅତୀତ ବର୍ତ୍ତମାନରେ ପର୍ଯ୍ୟବସିତ । ଅତୀତରେ କିଞ୍ଚିତ୍‌ ସତ୍ୟ ଥିଲା, ବର୍ତ୍ତମାନ ଯୁଗରେ କିଞ୍ଚିତ୍‌ ସତ୍ୟ ଅଛି । ମନୁଷ୍ୟର ଚିତ୍ତବୃତ୍ତର ବିକାଶ ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ଭିନ୍ନ ଧର୍ମ୍ମର ଆବିର୍ଭାବ ହେଉଅଛି; କିନ୍ତୁ ପ୍ରକୃତ ସତ୍ୟ ଉପଲବ୍‌ଧି କରିବାକୁ ହେଲେ ଅତୀତ, ବର୍ତ୍ତମାନ ସମସ୍ତ ଯୋଗ କରିବାକୁ ହେବ । ଏ ସମସ୍ତର ସଂମିଶ୍ରଣରେ ହିଁ ପ୍ରକୃତ ସତ୍ୟ ।

Image

 

ଦ୍ୱିତୀୟ ପ୍ରସଙ୍ଗ

ଧର୍ମ୍ମୋପଦେଷ୍ଟା ବୀର

 

ଉତ୍ତର ଦେଶୀୟ ପୌତ୍ତଳିକତା ବିଷୟ ପୂର୍ବ ପ୍ରବନ୍ଧରେ ଆଲୋଚିତ ହୋଇଅଛି । ଅଜ୍ଞାନ ତିମିରାଚ୍ଛନ୍ନ କୁସଂସ୍କାର ପୂର୍ଣ୍ଣ ଯୁଗର ଧର୍ମ୍ମ ଛାଡ଼ି ବର୍ତ୍ତମାନ ଆମ୍ଭେମାନେ ଅନ୍ୟ ଏକ ଅଭିନବ ଧର୍ମ୍ମ ରାଜ୍ୟରେ ପ୍ରବେଶ କରିବା । ମନୁଷ୍ୟର ଚିତ୍ତବୃତ୍ତିର ବିକାଶ ସଙ୍ଗେ ସଙ୍ଗେ ଧର୍ମ୍ମ ଭାବରେ ମଧ୍ୟ ଅଦ୍ଭୁତ ପରିବର୍ତ୍ତନ ସଂଘଟିତ ହୋଇଅଛି । ଏହି ଧର୍ମ୍ମ ଯୁଗ ପୁରାତନ ଯୁଗଠାରୁ ସମ୍ପୂର୍ଣ୍ଣ ବିଭିନ୍ନ । ପୃଥିବୀର ପରିବର୍ତ୍ତନ ସହ ନୂତନ ବୀରଙ୍କର ଆବିର୍ଭାବ ହୋଇଅଛି ।

 

ଏ ପ୍ରସଙ୍ଗରେ ଇସ୍‌ଲାମ ଧର୍ମ୍ମ ପ୍ରତିଷ୍ଠାତା ମହାପ୍ରାଣ ଦେବଭାବାବିଷ୍ଟ ବୀର ମହମ୍ମଦଙ୍କ ବିଷୟ ଉପସ୍ଥାପିତ ହେଉଅଛି । ବର୍ତ୍ତମାନ ବୀରଙ୍କଠାରେ ପୁରାତନ ନର୍ଶଧର୍ମ୍ମବତ୍‌ ଦେବତ୍ୱ ଆରୋପିତ ହୋଇ ନାହିଁ । ତାଙ୍କୁ ଈଶ୍ୱରରୂପେ ଜନସାଧାରଣ ଗ୍ରହଣ କରି ନାହନ୍ତି; ପରନ୍ତୁ ଦେବଭାବାବିଷ୍ଟ ରୂପେ, ଭଗବତ୍‌ ପ୍ରେରିତ ରୂପେ ତାହାଙ୍କୁ ବରଣ କରି ନେଇଅଛନ୍ତି । ଏହା ବୀରପୂଜାର ଦ୍ୱିତୀୟ ଅବତାରଣା ।

 

ଅତୀତଯୁଗ ଯେପରି ମନୁଷ୍ୟକୁ ଦେବତାରୂପେ ପୂଜା କରିଥିଲା, ବର୍ତ୍ତମାନ କିମ୍ବା ଭବିଷ୍ୟତ ଯୁଗରେ ସେପରି କରିବା ଅସମ୍ଭବ । କାରଣ ଧର୍ମ୍ମଜଗତକୁ ପ୍ରଣିଧାନ କଲେ ଆମ୍ଭେମାନେ ଦେଖୁ ଯେ, ଅହୈତୁକ ବିଶ୍ୱାସ କ୍ରମେ କ୍ରମେ ହ୍ରାସ ପ୍ରାପ୍ତ ହୋଇ ଅବିଶ୍ୱାସରେ ପରିଣତ ହେଉଅଛି । ସେଥି ନିମିତ୍ତ ମହାପୁରୁଷ ଆଉ ଦେବତାରୂପେ ବିବେଚିତ ହେଉ ନାହାନ୍ତି । ମହାପୁରୁଷଙ୍କୁ ଦେବତା ଆଖ୍ୟା ପ୍ରଦାନ କରିବା ଭ୍ରମପୂର୍ଣ୍ଣ ହୋଇପାରେ; କିନ୍ତୁ ତାଙ୍କର ଦେବତ୍ୱ ନିଶ୍ଚୟ କରିବା ସର୍ବଦା ସୁଖସାଧ୍ୟ ନୁହେ । ତାଙ୍କର ବରଣ ପ୍ରଣାଳୀ ମହାନ୍ ଅର୍ଥବୋଧକ ଏବଂ ତାଦ୍ଦ୍ୱାରା ହିଁ ଯୁଗର ମହତ୍ୱ ନିର୍ଦ୍ଧାରିତ ହୁଏ ।

 

ମହତ୍‌ ବ୍ୟକ୍ତିଙ୍କର ମହତ୍ତ୍ୱ ପ୍ରତିଷ୍ଠା କରିବା ମନୁଷ୍ୟର ସ୍ୱଭାବସିଦ୍ଧ ପ୍ରବୃତ୍ତ । ହୃଦୟ କଳୁଷିତ କିମ୍ବା ବିପଥଗାମୀ ହୋଇ ନ ଥିଲେ ମନୁଷ୍ୟ ନିଶ୍ଚୟ ମହାପୁରୁଷଙ୍କଠାରେ ଦେବତ୍ୱ କିମ୍ବା ଐଶ୍ୱରିକ ସତ୍ତା ଉପଲବ୍‌ଧି କରି ତା‘ଙ୍କର ମହିମା କୀର୍ତ୍ତନ କରିବ । ମହାପୁରୁଷଙ୍କୁ ଦେବତାରୂପେ ହେଉ କିମ୍ବା ଧର୍ମ୍ମ ପ୍ରଚାରକ ରୂପେ ହେଉ, ଯେ କୌଣସି ରୂପେ ଗ୍ରହଣ କଲେ କ୍ଷତି ନାହିଁ, କାରଣ ସେମାନେ ଈଶ୍ୱର ପ୍ରେରିତ ଓ ମହତ୍‌କାର୍ଯ୍ୟ ନିମିତ୍ତ ଅଭିପ୍ରେତ ।

 

ଗୀତାରେ ଅଛି–

 

‘‘ଯେ ! ଯୋ ଯାଂ ଯାଂ ତନୁଂ ଭକ୍ତିଶ୍ରଦ୍ଧୟାର୍ଚ୍ଚିତୁମିଚ୍ଛତି ।

ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍‌ ।।’’

 

ଓଡ଼ିନ ବୋଲ, ଲୁଥର ବୋଲ, ଜନସନ ବୋଲ ସମସ୍ତ ଏକ ଉପାଦାନରେ ଗଠିତ । ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ହେତୁ ଭିନ୍ନ ଭିନ୍ନ ଆଖ୍ୟା ଗ୍ରହଣ କରିଅଛନ୍ତି, ମାତ୍ର ଓଡ଼ିନ ସ୍ୱର୍ଗବାସୀ ଦେବତା ରୂପେ ପୂଜିତ ହେଉଥିଲେ ବୋଲି ଓଡ଼ିନଙ୍କ ପୂଜା ଏ ଯୁଗରେ ବିସ୍ମୟ ଉତ୍ପାଦନ କରେ । ଓଡ଼ିନଙ୍କ ଅର୍ଚ୍ଚନା ଯୁକ୍ତିଯୁକ୍ତ ହୋଇ ନ ପାରେ; କିନ୍ତୁ ସ୍କଟଲ୍ୟାଣ୍ଡର ସର୍ବଶ୍ରେଷ୍ଠ କବି ବର୍ଣ୍ଣସ୍‌ଙ୍କ (Burns) ପ୍ରତି ଲୋକମାନଙ୍କର ହତାଦର ନ୍ୟାୟସଙ୍ଗତ କି ? ବର୍ଣ୍ଣସ ଜଣେ ପ୍ରଧାନ ବ୍ୟକ୍ତି ଥିଲେ, କବି ଥିଲେ ଏବଂ ବୀରପଦବାଚ୍ୟ ହେବାର ଉପଯୁକ୍ତ ମଧ୍ୟ ଥିଲେ । ତାଙ୍କୁ ଅବମାନନା କରିବା ଲୋକଙ୍କର ଉଚିତ ହୋଇଅଛି କି ? ଓଡ଼ିନ ଓ ବର୍ଣ୍ଣସ ଉଭୟେ ସମ୍ମାନର ପାତ୍ର । ମହାପୁରୁଷଙ୍କର ଆବିର୍ଭାବ ଭଗବାନଙ୍କର ଅତି ଅମୂଲ୍ୟ ଦାନ । ସ୍ଥୁଳତଃ ସେମାନେ ଭଗବାନଙ୍କର ଆଦେଶ ଘେନି ଭୁତଳରେ ଅବତୀର୍ଣ୍ଣ ହୋଇଥାନ୍ତି । ସେମାନେ ଅବଜ୍ଞାର ପାତ୍ର ନୁହନ୍ତି । ଆମ୍ଭେମାନେ ସାଧାରଣତଃ ତାଙ୍କୁ କ୍ଷଣିକ ଆନନ୍ଦଦାୟକ ଓ କୌତୁହଳ ଉଦ୍ଦୀପକ ଆତସବାଜି ରୂପେ ଗ୍ରହଣ କରୁଁ । ଓହୋ, ଏହା କି ଅବିମୃଶ୍ୟକାରିତା !

 

ପାଶ୍ଚାତ୍ୟ-ଦେଶରେ ମହମ୍ମଦଙ୍କ ବିଷୟରେ ଅନେକଙ୍କର ଭ୍ରାନ୍ତଧାରଣା ଅଛି । ତାହାଙ୍କୁ ବିଶେଷ ଭାବରେ ଜାଣି ନ ଥିବାରୁ ସେମାନେ ତାଙ୍କୁ ଧର୍ମ୍ମ-ଧ୍ୱଜୀ ଓ ଅନ୍ୟାନ୍ୟ କୁ-ଆଖ୍ୟା ଦେଇ ଅଛନ୍ତି; କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା । ସେ ଜଣେ ପ୍ରକୃତ ବୀର ଥିଲେ । ତାଙ୍କୁ ଆମ୍ଭେମାନେ ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରୁଁ । ବର୍ତ୍ତମାନ ହୃଦୟରୁ ସମସ୍ତ ଭ୍ରାନ୍ତଧାରଣା, ଭ୍ରମାତ୍ମକ ମତ ସମୂଳେ ଉତ୍ପାଟିତ କରି ତାଙ୍କ ଜୀବନର ଉଦ୍ଦେଶ୍ୟ, କର୍ତ୍ତବ୍ୟ ଏବଂ ତତ୍ତ୍ୱ ସମ୍ୟକ୍‌ ଉପଲ୍‌ବଧି କରିବା ଉଚିତ । ତାଙ୍କର ସେହି କୁତ୍ସାରଟନାକାରୀ ସମାଲୋଚକମାନେ ମଧ୍ୟ ସ୍ୱ ଉକ୍ତିର ଯଥାର୍ଥ ପ୍ରମାଣିତ କରି ପାରି ନାହାନ୍ତି । କେବଳ ଈର୍ଷାପରବଣ ହୋଇ ଏପରି ପରିବାଦ ପ୍ରଚାର କରିଅଛନ୍ତି ।

 

ମହମ୍ମଦଙ୍କ ମୁଖ ନିଃସୃତ ଅମୃତବାଣୀ-କୋରାନ୍‌ପ୍ରାୟ ୧୨୦୦ ବର୍ଷ ହେଲା କୋଟି କୋଟି ନରନାରୀଙ୍କ ଜୀବନର ଏକମାତ୍ର ଅବଲମ୍ବନ ଓ ପଥ ପ୍ରଦର୍ଶକ ହୋଇଅଛି । କେତେ କେତେ ପୁରୁଷଙ୍କ ହୃଦୟରେ ପ୍ରେମ ମନ୍ଦାକିନୀ ପ୍ରବାହିତ କରିଅଛି, କେତେ କେତେ ନରନାରୀ ସେହି ପ୍ରେମାମୃତ ବାରିଧିରେ ନିମଜ୍ଜିତ ହୋଇ ପ୍ରାଣରେ ସ୍ୱର୍ଗୀୟ ଶାନ୍ତି ଲାଭ କରି ଧନ୍ୟ ହୋଇ ଅଛନ୍ତି । ଯାହାଙ୍କ ଦ୍ୱାରା ଏପରି ଅଦ୍ଭୁତ କାର୍ଯ୍ୟ ସମ୍ପାଦିତ ହୋଇଅଛି, ସେ କଦାପି ଶଠ ବା ପ୍ରବଞ୍ଚକ ହୋଇ ନ ପାରନ୍ତି । ଏପରି କଥା ଭାବିବା ମଧ୍ୟ ଲଜ୍ଜାଜନକ । କାରଣ ଶଠତା, ପ୍ରବଞ୍ଚନା, ପ୍ରତାରଣା ପ୍ରଭୃତିର ଆୟୁଃକାଳ ଅତି ଅଳ୍ପ; କୃତ୍ରିମତା ବା କପଟତା ବହୁକାଳ ପର୍ଯ୍ୟନ୍ତ କଦାଚ ପ୍ରାଧାନ୍ୟ ବିସ୍ତାର କରିପାରେ ନାହିଁ । ଅବିମୃଶ୍ୟକାରୀ ସମାଲୋଚକମାନଙ୍କର ଭ୍ରମପୂର୍ଣ୍ଣ ମତ ହୃଦୟରେ ଶୋଚନା ଜାତ କରାଏ ମାତ୍ର । ମହାପୁରୁଷଙ୍କଠାରେ ଐଶୀ ଶକ୍ତି ନ ଥିଲେ, ସେ କଦାପି ଧର୍ମ୍ମସଂସ୍ଥାପନ କରି ପାରନ୍ତେ ନାହିଁ । ଈଶ୍ୱରଙ୍କଦ୍ୱାରା ପ୍ରେରିତ ନ ହେଲେ, ଈଶ୍ୱର-ସତ୍ତା ନ ଥିଲେ, ଧର୍ମ୍ମର ଅନୁଭୂତି ନ ଥିଲେ ଧର୍ମ୍ମପଚାର କରିପାରନ୍ତେ ନାହିଁ । ସତ୍ୟର-ଉତ୍ସ ସେମାନଙ୍କ ଅନ୍ତରତମ ପ୍ରଦେଶରେ ନିତ୍ୟ ବିଦ୍ୟମାନ; ଜ୍ଞାନ-ମିହର ସତତ ବିରାଜିତ । ଅଜ୍ଞାନ ଓ ଅବିଦ୍ୟା ପେଚକ ସେହି ଜ୍ଞାନ-ସୂର୍ଯ୍ୟଙ୍କର ଆଲୋକରେ କେଉଁ ନିବିଡ଼ ଅନ୍ଧକାରମୟ ଗୃହା ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ଅବସ୍ଥିତ । ଶିଳ୍ପୀ ଗୃହ ନିର୍ମ୍ମାଣର ପ୍ରକୃତ ପ୍ରଣାଳୀରେ ଅନଭିଜ୍ଞ ଥିଲେ କଦାଚ ଗୃହ ନିର୍ମାଣ କରିପାରେ ନାହିଁ । ଯଦି କରେ, ତେବେ ଫଳରେ ନବନିର୍ମ୍ମିତ ଗୃହଟି ଅଚିରେ ଭୂମିସାତ୍‌ ହୁଏ । ମହମ୍ମଦ କୋଟି କୋଟି ନରନାରୀଙ୍କ ନିମିତ୍ତ ଯେଉଁ ସୁବୃହତ୍‌, ଧର୍ମ୍ମ ମନ୍ଦିର ପୃଥିବୀ ପୃଷ୍ଠରେ ଉତ୍ତୋଳିତ କରିଥିଲେ ତାହା କାଳର ଭୀଷଣ ଆବର୍ତ୍ତରେ ପଡ଼ି ମଧ୍ୟ ଯେତେବେଳେ ଦ୍ୱାଦଶ ଶତ ବର୍ଷ ଅକ୍ଷୁର୍ଣ୍ଣ ଭାବରେ ରହିଅଛି, ସେତେବେଳେ ନିଶ୍ଚୟ ଏହା ତାଙ୍କର ଐଶୀ ଶକ୍ତିର, ସତ୍ୟ ଅନୁଭୂତିର ପରାକାଷ୍ଠା ନିର୍ବିବାଦରେ, ବଜ୍ର-ନିର୍ଘୋଷରେ ପ୍ରଚାର କରୁଅଛି । ଯେ ପ୍ରକୃତିର ସରଳତା ହୃଦୟଙ୍ଗମ କରେ, ଯେ ପ୍ରକୃତିର ନିୟମ ପ୍ରତିପାଳନ କରେ, ପ୍ରକୃତିର ସଂସର୍ଗରେ ନିତ୍ୟ ବିହାର କରେ, ସେ କେବଳ ପ୍ରକୃତିର ସତ୍ୟ ଅନୁଭବ କରିପାରେ । ଶଠ, ମିଥ୍ୟାବାଦୀ, ପବଞ୍ଚକମାନଙ୍କର ସ୍ଥାନ ସେଠାରେ ନାହିଁ । ସେମାନେ କୃତ୍ରିମ ମୁଦ୍ରାତୁଲ୍ୟ । ସେମାନଙ୍କର ସ୍ୱଭାବ ଫରାସୀ ରାଷ୍ଟ୍ର-ବିପ୍ଲବ ତୁଲ୍ୟ ଜାତୀୟ-ଆନ୍ଦୋଳନର କାଳରେ ପରୀକ୍ଷିତ ହୁଏ ।

 

ବୀରପୁରୁଷମାନଙ୍କର ଦୁଇଗୋଟି ଲକ୍ଷଣ ବିଶେଷଭାବରେ ପରିଲକ୍ଷିତ ହୁଏ । ସେହି ବିଶିଷ୍ଟ ଗୁଣ ହେତୁ ସେମାନେ ଜନସାଧାରଣଙ୍କଠାରୁ ଉଚ୍ଚତର ସୋପାନରେ ଅବସ୍ଥାନ କରନ୍ତି । ପ୍ରଥମ ଲକ୍ଷଣ-ଅସୀମ ସରଳତା:- ମହାପୁରୁଷମାନେ ନିଜର ସରଳତା ଉପଲବ୍‌ଧି କରିପାରନ୍ତି ନାହିଁ, ତହୁଁ ସ୍ୱୀୟ ସରଳତା ବିଷୟରେ ବହୁଆଡ଼ମ୍ବର କରନ୍ତି ନାହିଁ, ଆତ୍ମଡିଣ୍ଡିମ ବଜାନ୍ତି ନାହିଁ; ସେଥି ନିମିତ୍ତ ଗର୍ବ ମଧ୍ୟ ଅନୁଭବ କରନ୍ତି ନାହିଁ । ବରଂ ଆତ୍ମବିଶ୍ଳେଷଣ ଦ୍ୱାରା ନିଜର ଦୋଷ ପ୍ରକାଶ କରନ୍ତି । ସେମାନେ ସରଳ; କାରଣ ସେମାନେ ସରଳ ବ୍ୟତୀତ ଅନ୍ୟ କିଛି ହୋଇପାରିବେ ନାହିଁ । ସମସ୍ତ ପରିଦୃଶ୍ୟମାନ ଜଗତ୍‌ ସେମାନଙ୍କ ଦୃଷ୍ଟରେ ସତ୍ୟରୂପେ ପ୍ରତିଭାତ ହୁଏ । ବିଶ୍ୱସଂସାର କୁହେଳିକା ପୂର୍ଣ୍ଣ ନୁହେ ବୋଲି ଅନୁଭୂତ ହୁଏ ଏବଂ ବିଶ୍ୱର ରନ୍ଧ୍ରେ ରନ୍ଧ୍ରେ ଭଗବନ୍ନହିମା ଗୀତିର ଝଙ୍କୃତି ବାଜି ଉଠେ । ଦ୍ୱିତୀୟ ନିଦର୍ଶନ-ମୌଳିକତା; ମହାପୁରୁଷମାନେ ଭଗବାନଙ୍କ ଦୂତ ସ୍ୱରୂପ । ସେମାନେ ଭଗବଦ୍‌ବାଣୀ ପ୍ରଚାର କରିବା ନିମନ୍ତେ ସେହି ଚିରପ୍ରେମମୟ ଅନନ୍ତ ଧାମରୁ ବିଶ୍ୱନିୟନ୍ତାଙ୍କ ଆଦେଶ ଘେନି ଆସନ୍ତି । ବିଶ୍ୱ ଜନସମାଜରେ ସେମାନେ ଯେଉଁ ବାଣୀ ପ୍ରଚାର କରନ୍ତି, ତାହା କେବଳ ଭଗବାନଙ୍କ ନିର୍ଦ୍ଦେଶ । ଆମ୍ଭେମାନେ ସେମାନଙ୍କୁ କବି ବୋଲିପାରୁଁ, ଭବିଷ୍ୟତ୍‌ବକ୍ତା ବୋଲିପାରୁଁ କିମ୍ବା ନରରୂପଧାରୀ ଦେବତା ବୋଲିପାରୁଁ; ସେମାନଙ୍କ ମୌଳିକତା ଥିବା ହେତୁ ସେମାନେ ସମାଜର ନିୟମ, ଆଚାର ବ୍ୟବହାର, ରାତିନୀତି ପ୍ରଭୃତିର ସଂକୀର୍ଣ୍ଣ ଗଣ୍ଡିମଧ୍ୟରେ ଆବଦ୍ଧ ହୋଇ ରହନ୍ତି ନାହିଁ । ତେଣୁ ସେମାନଙ୍କ ବାଣୀ ପ୍ରତ୍ୟାଦେଶ ବ୍ୟତୀତ ଅନ୍ୟ କିଛି ନୁହେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ମହମ୍ମଦ ଜଣେ ଯଶୋଲିପ୍‌ସୁ, ଉଚ୍ଚାଭିଳାଷୀ ବ୍ୟକ୍ତି ଥିଲେ ବୋଲି ଆମ୍ଭେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନ ପାରୁ । ତାଙ୍କର ଆଦୌ ଗୌରବ ଲାଳସା ନ ଥିଲା । ସେ ଥିଲେ ଜଣେ ପ୍ରକୃତ ବୀର । ଜ୍ଞାନାଲୋକରେ ଜଗତ ଆଲୋକିତ କରିବା ନିମିତ୍ତ ପୃଥିବୀରେ ତାଙ୍କର ଶରୀର ପରିଗ୍ରହ । ତାଙ୍କର ଆବିର୍ଭାବ ଭଗବାନଙ୍କ ଇପ୍‌ସିତ ଇଙ୍ଗିତ ମାତ୍ର; ତେଣୁ ତାହାଙ୍କର ପ୍ରଚାରିତ ବାଣୀରେ ଗଭୀର ସତ୍ୟ ଓ ମହାନ୍‌ତଥ୍ୟ ବିରାଜମାନ ।

 

ତାଙ୍କର କୌଣସି ଦୋଷ ଥିଲା କି ନାହିଁ, ତାହା ଆମ୍ଭେମାନେ ବିଚାର କରିବୁ ନାହିଁ; କାରଣ ମହମ୍ମଦ ଜଣେ ସତ୍ୟପୁରୁଷ ଏବଂ ପ୍ରକୃତ ବୀର ଥିବାର ପ୍ରମାଣ ପାଇଅଛୁଁ । ଦୋଷ କିଞ୍ଚିତ୍‌ ଥିଲେ ସୁଦ୍ଧା ସେ ଯେ ଈଶ୍ୱର ପ୍ରେରିତ ନୁହନ୍ତି, ଏହା ବିଶ୍ୱାସ କରି ପାରିବୁ ନାହିଁ । ମନୁଷ୍ୟର ଦୋଷ ଥାଇପାରେ; କିନ୍ତୁ ତତ୍‌ପ୍ରତି ଦୃଷ୍ଟି ରଖିଲେ ପ୍ରକୃତ ମହତ୍ୱ ବୁଝି ହୁଏ ନାହିଁ । ଆମ୍ଭେମାନେ ବାଇବେଲରେ (Bible) ଦେଖିବାକୁ ପାଉଁ ଯେ, ଈଶ୍ୱର ଡେଭିଡ଼ଙ୍କୁ (David) ପ୍ରକୃତ ମନୁଷ୍ୟ ରୂପେ ଗ୍ରହଣ କରିଅଛନ୍ତି; କିନ୍ତୁ ଡେଭିଡ଼ଙ୍କର କ’ଣ ଦୋଷ ନ ଥିଲା ? ତାଙ୍କର ଶତ ଭ୍ରମ, ଶତ ଦୋଷ ଥିଲେ ସୁଦ୍ଧା ସେ ଭଗବାନଙ୍କର ପ୍ରିୟପାତ୍ର ହୋଇଥିଲେ । ମନୁଷ୍ୟର ପଦେ ପଦେ ସ୍ଫଳନ ଅବଶ୍ୟମ୍ଭାବୀ । ସତ୍ୟପନ୍ଥା ଅନୁସରଣ କରି ସଂସାରରେ ଅଗ୍ରସର ହେବା ବଡ଼ କଷ୍ଟକର ବ୍ୟାପାର-। ଜୀବନବ୍ୟାପୀ ଭୀଷଣ ପରୀକ୍ଷାରେ ଶତ ଶତ ସ୍ଫଳନ ହେଉ, କ୍ଷତି ନାହିଁ; କିନ୍ତୁ ସ୍ଫଳନ ପରେ ସରଳ ହୃଦୟରେ ଅନୁଶୋଚନା କରି ଭଗବାନଙ୍କ କୃପାଭିକ୍ଷା ପୂର୍ବକ ପୁଣି ସାହସ ବାନ୍ଧି ଅଗ୍ରସର ହେବା ବିଧେୟ । ନୈରାଶ୍ୟକୁ ତିଳେ ସୁଦ୍ଧା ହୃଦୟରେ ସ୍ଥାନ ଦେବା ଉଚିତ ନୁହେ । ସରଳ ଅନୁତାପ ପାପର ଏକମାତ୍ର ପ୍ରାୟଶ୍ଚିତ୍ତ । ପତନ ପରେ ପୁଣି ସିଂହ ବିକ୍ରମରେ କାର୍ଯ୍ୟରେ ବ୍ରତୀ ହେବାହିଁ ଯଥାର୍ଥ ମନୁଷ୍ୟତ୍ୱ । ମହମ୍ମଦଙ୍କ ଦୋଷ କିମ୍ବା ତ୍ରୁଟି ପ୍ରଭୃତି ଘେନି ବିଚାର କରିବା ଆମ୍ଭର ଅଭିପ୍ରାୟ ନୁହେ; କାରଣ ତଦ୍ଦ୍ୱାରା ଆମ୍ଭେମାନେ ପ୍ରକୃତ ସତ୍ୟ ବସ୍ତୁରେ ଉପସ୍ଥିତ ହୋଇପାରିବୁ ନାହିଁ ।

 

ଅଗମ୍ୟ ଗିରିପର୍ବତ ସମାକୀର୍ଣ୍ଣ ଭୀଷଣ ବାଲୁକାମୟ ମରୁଭୂମି ପରିବେଷ୍ଟିତ, ମଧ୍ୟେ ମଧ୍ୟେ ସ୍ୱଚ୍ଛୋଦ ଜଳାଶୟ ଓ ସୁନ୍ଦର ସୁବିଶାଳ ଶ୍ୟାମଳ-ଦୁର୍ବାଦଳ-ପରିଶୋଭିତ ପ୍ରାନ୍ତର, ତାଳ ତମାଳ ଖର୍ଜ୍ଜୁରାଦି ବୃକ୍ଷ ମଣ୍ଡିତ ପ୍ରସିଦ୍ଧ ଆରବ ଦେଶରେ ମହମ୍ମଦ ଭୂମିଷ୍ଠ ହୋଇଥିଲେ । ସେ ଦେଶର ଅଧିବାସୀମାନଙ୍କର ସଂସାର ସହିତ କୌଣସି ସମ୍ଭନ୍ଧ ନାହିଁ । ସେମାନେ ଦେଖନ୍ତି ଏବଂ ଜାଣନ୍ତି, କେବଳ ଦିବାଭାଗରେ ଅସହନୀୟ ପ୍ରଚଣ୍ଡ ମାର୍ତ୍ତଣ୍ଡଙ୍କର ସହସ୍ର କିରଣ ଏବଂ ରାତ୍ରିରେ ଚନ୍ଦ୍ର ତାରକାଦି ଖଚିତ ଦିଗନ୍ତ ବିସ୍ତାରିତ ଅନନ୍ତ ନୀଳାକାଶ । ଏହି ଦେଶର ଜଳବାୟୁ ଗୁଣରେ ଲୋକମାନେ ସ୍ୱଭାବତଃ କ୍ଷିପ୍ର, କାର୍ଯ୍ୟଦକ୍ଷ, କଷ୍ଟ ସହିଷ୍ଣୁ, ଉତ୍ସାହୀ ଏବଂ ଚିନ୍ତାଶୀଳ । ଚିନ୍ତାଶୀଳତା ହେତୁ ଆରବୀୟମାନଙ୍କୁ ପ୍ରାଚ୍ୟ ଭୂଭାଗ ଇତାଲୀୟ ବୋଲି କୁହାଯାଇ ଥାଏ । ଗଭୀର ଚିନ୍ତାଶକ୍ତି ଏବଂ ଅନୁପମ ସଂଯମ କେବଳ ସେମାନଙ୍କର ମହତ୍ତ୍ୱର ପରିଚାୟକ । ସେମାନଙ୍କର ଅତିଥି-ସତ୍କାରଜ୍ଞାନ ଅଛି । ଫଳମୂଳ ଭୋଜୀ ଅରଣ୍ୟବାସୀର ଅତିଥିସେବା କଥା ଶୁଣିଲେ ଚକିତ ହେବାକୁ ହୁଏ । କେହି ଅପରିଚିତ ବ୍ୟକ୍ତି ଉପସ୍ଥିତ ହେଲେ ସେମାନେ ଶତ୍ରୁମିତ୍ର ନିର୍ବିଶେଷରେ ଦିନ ତ୍ରୟ ତାଙ୍କର ସେବା କରନ୍ତି । କଥାରେ ଯେପରି, କାର୍ଯ୍ୟରେ ମଧ୍ୟ ସେହିପରି ଦୃଢ଼ପ୍ରତିଜ୍ଞ । ସେମାନେ ସାଧାରଣତଃ ମୌନୀ ଏବଂ ସ୍ୱଳ୍ପଭାଷୀ; କିନ୍ତୁ କଥୋପକଥନ କାଳରେ ସେମାନଙ୍କର ସୁସ୍ପଷ୍ଟ ବାକ୍‌ପଟୁତାର ପରିଚୟ ମିଳେ । ସେମାନେ ସୁନ୍ଦରାବୟବ, ଲାବଣ୍ୟଯୁକ୍ତ, ଶକ୍ତିଶାଳୀ, ସତ୍ୟାନୁରାଗୀ ଏବଂ ସାହିତ୍ୟପ୍ରେମିକ ମଧ୍ୟ ଥିଲେ । ତାହାର ନିଦର୍ଶନ ମିଳେ ସେମାନଙ୍କର ବାର୍ଷିକ ମେଳାରୁ । ଦକ୍ଷିଣ ଆରବରେ ପ୍ରତିବର୍ଷ ଗୋଟିଏ ବଡ଼ ମେଳା ହୁଏ ହାଟ ବଜାର ବସେ, ଖୁବ୍‌ବିକା କିଣା ହୁଏ । ବହୁଜନର ସମାଗମ ହୁଏ ଏବଂ ସେଠାରେ କବିମାନେ ନିଜ ନିଜ କାବ୍ୟ ଆଲୋଚନା କରନ୍ତି । ପଦ୍ୟ ଆବୃତ୍ତି କରନ୍ତି ଏବଂ ଲୋକେ ଶ୍ରବଣ କରି ପୁରସ୍କାର ପ୍ରଦାନ କରନ୍ତି ।

 

ଆରବୀୟମାନଙ୍କର ଇହୁଦିମାନଙ୍କ ଭଳି ଧର୍ମ୍ମପ୍ରବଣତା ବିଶେଷ ଭାବରେ ଥିଲା । ସେମାନେ ଦେବାର୍ଚ୍ଚନରେ ବିଶେଷ ମନଯୋଗୀ ଥିଲେ; ନକ୍ଷତ୍ରାଦି ଏବଂ ଅନ୍ୟାନ୍ୟ ପ୍ରାକୃତିକ ବସ୍ତୁମାନଙ୍କୁ ଭଗବାନଙ୍କ ପ୍ରତିରୂପ ଜ୍ଞାନରେ ପୂଜା କରୁଥିଲେ । ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ନୁହେ କାରଣ ଆଜିକାଲି ସୁଦ୍ଧା ଭଗବାନଙ୍କ ସମସ୍ତ ସୃଷ୍ଟ ପଦାର୍ଥ ଭଗବାନଙ୍କ ଚିହ୍ନରୂପେ ଗୃହୀତ ହୋଇଥାଏ । କବି ତାଙ୍କର ଗାନରେ ଭଗବନ୍ମହିମା ପ୍ରଚାର କରି ସମ୍ମାନିତ ହୁଅନ୍ତି । ଆରବୀୟମାନଙ୍କ ମଧ୍ୟରେ ଅନେକ ଉପଦେଷ୍ଟା, ଭବିଷ୍ୟଦ୍‌ବକ୍ତା ଏବଂ ଧର୍ମ୍ମଗୁରୁ ଥିଲେ । ବହୁପୁରାତନ କାଳରୁ ଏହା ଗୋଟିଏ ଧର୍ମ୍ମପୀଠ ରୂପେ ପରିଣତ ହୋଇଅଛି । ଏହି ଦେଶରେ ପରା ଖ୍ରୀଷ୍ଟୀୟାନ୍‌ମାନଙ୍କ ଆଦି ଧର୍ମ୍ମଗ୍ରନ୍ଥ-ଜବଙ୍କ ଧର୍ମ୍ମଗ୍ରନ୍ଥ (Book of job) ପ୍ରଥମେ ଲିଖିତ ହୋଇଥିଲେ । ତହିଁରେ କି ଉଚ୍ଚଭାବ କି ଉଦାର ନୀତି ରହିଅଛି । ତହିଁର ପ୍ରତ୍ୟେକ କଥାରେ ବିଶ୍ୱଜନୀନତା ଓ ପରମାଶାନ୍ତିଭାବ ବିଦ୍ୟମାନ ।

 

ଆରବୀୟମାନଙ୍କର ପୁରାତନ ପୂଜ୍ୟବସ୍ତୁ ମକ୍‌କାନଗରୀର କାବାମନ୍ଦିରରେ ସୁରକ୍ଷିତ ହୋଇଅଛି । ଦିଲ୍ଲୀଠାରୁ ଆରମ୍ଭ କରି ମରକ୍‌କୋ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ନରନାରୀଙ୍କ ଦୃଷ୍ଟି ଏଥିପ୍ରତି ପ୍ରତ୍ୟହ ପ୍ରାୟ ପାଞ୍ଚଥର ଆକୃଷ୍ଟ ହୁଏ । କାବାମନ୍ଦିରର ପବିତ୍ରତା ଏବଂ ମାହାତ୍ମ୍ୟ ହେତୁ ମକ୍‌କାରେ ବହୁଳ ଯାତ୍ରୀଙ୍କ ସମାଗମ ହୁଏ, ଆରବର ପ୍ରତ୍ୟେକ ଜାତିର ଲୋକ ସେଠାରେ ସମବେତ ହୁଅନ୍ତି । ବହୁଜନ ସମାଗମ ହେତୁ ମକ୍‌କା ଗୋଟିଏ ନଗରୀରେ ପରିଣତ ହୋଇଅଛି । ପୂର୍ବେ ଏହା ଗୋଟିଏ ବିଶାଳ ନଗରୀ ଥିଲା । ବର୍ତ୍ତମାନ ତାହାର ଅତୀତ ସମୃଦ୍ଧି କେତେକ ପରିମାଣରେ ହ୍ରାସ ହୋଇ ଯାଇଅଛି । ଏହା ସମୁଦ୍ର ଉପକୂଳରୁ ବହୁଦୂରରେ ଅବସ୍ଥିତ ଏବଂ ପର୍ବତ ଓ ମରୁଭୂମି ଦ୍ୱାରା ପରିବେଷ୍ଟିତ । ଏହି ହେତୁ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ବିଦେଶରୁ ରପ୍ତାନୀ ହେଉଥିଲା । ନଗରୋପଯୋଗୀ କୌଣସି ସ୍ୱାଭାବିକ ସୁବିଧା ନ ଥିଲା; କିନ୍ତୁ ଅପରିମିତ ଯାତ୍ରୀଙ୍କର ସମାବେଶ ହେତୁ ଏହା ଗୋଟିଏ ବାଣିଜ୍ୟ କେନ୍ଦ୍ରରେ ପରିଣତ ହୋଇଥିଲା । ଏହି ଦେଶର ଶାସନ ପଦ୍ଧତି କୌଳିକ ପ୍ରଜାତନ୍ତ୍ର ଦ୍ୱାରା ପରିଚାଳିତ ହେଉଥିଲା ଏବଂ ତହିଁରେ ମଧ୍ୟ ଦେବତନ୍ତ୍ରର ସତ୍ତା ନିହିତ ଥିଲା । ମହମ୍ମଦଙ୍କ ଆବିର୍ଭାବ ସମୟକୁ ପୌତ୍ତଳିକତା ଅନେକାଂଶର ନିଷ୍ପ୍ରଭ ହୋଇ ଯାଇଥିଲା ।

 

୫୭୦ ଖ୍ରୀଷ୍ଟାବ୍ଦରେ ଆରବ ଦେଶରେ କୋଚିଜ ଜାତିର ହାସେମା ପରିବାରରେ ମହମ୍ମଦ ଜନ୍ମଗ୍ରହଣ କରି ଥିଲେ । ଭୂମିଷ୍ଠ ହେବାର କିଛିଦିନ ପରେ ସେ ତାଙ୍କର ପିତା ଅବ୍‌ଦୁଲ୍ଲାଙ୍କୁ ହରାଇ ଥିଲେ ଏବଂ ତାଙ୍କର ଷଷ୍ଠବର୍ଷ ବୟଃକ୍ରମ ସମୟରେ ତାଙ୍କର ଅଶେଷ ଗୁଣସମ୍ପନ୍ନା ସ୍ନେହମୟୀ ଜନନୀ ଇହଧାମ ତ୍ୟାଗ କରିଥିଲେ । ପିତାମାତାଙ୍କ ମୃତ୍ୟୁପରେ ତାଙ୍କର ଲାଳନପାଳନର ଭାର ଶତବର୍ଷ ବୃଦ୍ଧ ପିତାମହଙ୍କ ଉପରେ ପଡ଼ିଥିଲା । ବୃଦ୍ଧ ପିତାମହ ଏହି ପିତୃମାତୃହୀନ ଶିଶୁଟିକୁ ଅତିଶୟ ଭଲ ପାଉଥିଲେ ଏବଂ ତାଙ୍କର ଯଥାସାଧ୍ୟ ଯତ୍ନ ନେଉଥିଲେ । ଶିଶୁଟିର ଦ୍ୱିତୀୟବର୍ଷ ପୂର୍ଣ୍ଣ ନ ହେଉଣୁ ତାଙ୍କର ଏକମାତ୍ର ଅବଲମ୍ବନ ପିତାମହ ମଧ୍ୟ ମାନବଲୀଳା ସମ୍ବରଣ କଲେ । ସେ ମୃତ୍ୟୁ ପୂର୍ବରୁ ଶିଶୁଟିର ଭାର ଜ୍ୟେଷ୍ଠ ପିତୃବ୍ୟଙ୍କ ହସ୍ତରେ ନ୍ୟସ୍ତ କରି ଯାଇଥିଲେ ।

 

ଏହାଙ୍କଦ୍ୱାରା ମହମ୍ମଦଙ୍କ ଜୀବନ ଉପଯୁକ୍ତ ଆରବ ରୀତିର ଗଠିତ ହୋଇଥିଲେ । ମହମ୍ମଦ ବୟଃପ୍ରାପ୍ତ ହେବାରୁ ପିତୃବ୍ୟଙ୍କ ସହ ବାଣିଜ୍ୟ ଯାତ୍ରାରେ ସହଯାତ୍ରୀ ହେଲେ ଏବଂ ଅଷ୍ଟାଦଶବର୍ଷ ବୟଃକ୍ରମ କାଳରେ ସମର ଯାତ୍ରାରେ ମଧ୍ୟ ପିତୃବ୍ୟଙ୍କ ଅନୁଗମନ କରିଥିଲେ; କିନ୍ତୁ ତାଙ୍କର ପ୍ରାୟ ଚତୁର୍ଦ୍ଦଶ ବର୍ଷ ବୟଃକ୍ରମ ସମୟରେ ସିରିୟାରେ ଅନୁଷ୍ଠିତ ମହାମେଳା-ଦର୍ଶନ-ଯାତ୍ରା ଏଠାରେ ବିଶେଷ ଉଲ୍ଲେଖ ଯୋଗ୍ୟ । ଏହିଠାରେ ସେ ପ୍ରଥମେ ଖ୍ରୀଷ୍ଟଧର୍ମ ସଂସ୍ପର୍ଶରେ ଆସିଥିଲେ-। ଏହିଠାରେ ତାଙ୍କର ଭିବଷ୍ୟତ୍‌ ମହତ୍ତ୍ୱର ପରିଚୟ ମିଳିଥିଲା ।

 

ମହମ୍ମଦ ଲେଖାପଢ଼ା ଜାଣି ନ ଥିଲେ । ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ମରୁ ପ୍ରଦେଶରେ ତାଙ୍କର ଜୀବନର ଅଭିଜ୍ଞତା ହିଁ ଜ୍ଞାନାଲୋକ ରୂପେ ପଥ ପ୍ରଦର୍ଶକ ହୋଇଥିଲା । ସ୍ୱୀୟ ଚିନ୍ତାଶକ୍ତି ଏବଂ ପ୍ରତିଭାଦ୍ୱାରା ସେ ଯାହା ହୃଦୟଙ୍ଗମ କରିପାରୁ ଥିଲେ, ତାହାହିଁ ତାଙ୍କର ଶିକ୍ଷା । ପୁରାଣଶାସ୍ତ୍ରରୁ ଜ୍ଞାନ ଅର୍ଜ୍ଜନ କରିବାର ସୁବିଧା ସେ ଆଦୌ ପାଇ ନ ଥିଲେ । ମରୁଭୂମିରେ ଏକାକୀ ପ୍ରକୃତିର ସହଚର୍ଯ୍ୟରେ ସେ ବର୍ଦ୍ଧିତ ହୋଇଥିଲେ, କିନ୍ତୁ ଅତି ବାଲ୍ୟକାଳରୁ ସେ ବଡ଼ ଚିନ୍ତାଶାଳୀ ଥିଲେ, ତାଙ୍କର ସଙ୍ଗୀମାନେ ତାହାଙ୍କୁ ‘ଆଲଅମିନ୍‌’ (ବିଶ୍ୱାସୀ) ଆଖ୍ୟା ଦେଇଥିଲେ । ସେ ସତ୍ୟପ୍ରିୟ ସରଳବିଶ୍ୱାସୀ ଓ ଗମ୍ଭୀର ଥିଲେ । ପ୍ରତ୍ୟେକ କଥାରେ, ପ୍ରତ୍ୟେକ କର୍ମରେ, ତାଙ୍କର ସତ୍ୟପ୍ରିୟତାର ପରିଚୟ ମିଳୁ ଥିଲା । ସେ ଜଣେ ହୃଦୟ ଗ୍ରାହୀ, ଆଳାପପ୍ରିୟ, ସ୍ନେହୀ ଏବଂ କୌତୁକପ୍ରିୟ ବ୍ୟକ୍ତି ଥିବାର ପଦେ ପଦେ ପରିଚୟ ମିଳେ । ସେ ନିଜେ ମଧ୍ୟ ଖୁବ୍‌ସୁନ୍ଦର ଏବଂ ରୂପବନ୍ତ ଥିଲେ । ତାଙ୍କର କ୍ଷମତା, ଦକ୍ଷତା, ଧୀଶକ୍ତି ସମସ୍ତ ଅନିୟନ୍ତ୍ରିତ ଥିଲା । ମରୁଭୂମି ମଧ୍ୟରେ ସେ ଜୀବନର ବ୍ରତ ସାଧନ କରିଥିଲେ ।

 

ସେ ପଞ୍ଚବିଂଶତି ବର୍ଷ ବୟଃକ୍ରମକାଳରେ କାଦିଜା ନାମ୍ନୀ ଚତ୍ୱାରିଂଶତ ବର୍ଷୀୟା ସ୍ତ୍ରୀଙ୍କୁ ସହଧର୍ମିଣୀ ରୂପେ ଗ୍ରହଣ କରିଥିଲେ । ସେ ସଇଳ, ବିଶ୍ୱସ୍ତ ଏବଂ ଶାନ୍ତଭାବରେ ପତ୍ନୀଙ୍କ ସହିତ କିଛିକାଳ ଯାପନ କଲେ । ଚତ୍ୱାରିଂଶତ୍‌ ବର୍ଷ ପର୍ଯନ୍ତ ନୀରବରେ ସାଧାରଣ ମନୁଷ୍ୟବତ୍‌ କାଳ ଅତିବାହିତ କରିଥିଲେ । ଚାଳିଶବର୍ଷରେ ଭଗବତ୍‌ ପ୍ରେରଣାର ସ୍ପନ୍ଦନ ଅନୁଭବ କରି ଭଗବାନଙ୍କ ଆଦେଶ ଘୋଷଣା କଲେ । ସେ ସମୟରୁ ତାଙ୍କର ପ୍ରାଣର ଆକାଙ୍‌କ୍ଷା ଥିଲା-ସରଳ, ସୁନ୍ଦର ୠଷିଜୀବନ ଯାପନ ଏବଂ ଆତ୍ମା ଗୌରବର ଧନ ଥିଲା, ପ୍ରତିବାସିମାନଙ୍କର ସାଧୁବାଦ ଓ ପ୍ରଶଂସା ଶ୍ରବଣ । ବୟଃବୃଦ୍ଧି ସଙ୍ଗେ ସଙ୍ଗେ ତାଙ୍କର ଚିତ୍ତର ପ୍ରଶାନ୍ତି ବଢ଼ିଥିଲା; ତେଣୁ ତାଙ୍କୁ ପ୍ରବଞ୍ଚକ ବୋଲି କୌଣସି ରୂପେ କଳ୍ପନା କରାଯାଇ ନ ପାରେ । ମରୁଭୂମିର ସେହି ଉଜ୍ଜ୍ୱଳ ଉଦାର ହୃଦୟ ସନ୍ତାନ ଏକ ଦିଗରେ ଯେପରି ଗଭୀର ଚିନ୍ତାଶୀଳ, ଅନ୍ୟ ଦିଗରେ ସେପରି ଅତିଶୟ ସରଳପ୍ରାଣ ଥିଲେ । ସେ ସାଧାରଣ ମନୁଷ୍ୟତୁଲ୍ୟ ସମାଜର କ୍ଷୁଦ୍ର ବେଷ୍ଟନୀ ମଧ୍ୟରେ ବଦ୍ଧହୋଇ ରହିବାକୁ ଇଚ୍ଛା କରି ନ ଥିଲେ । ସେ ନିଜ ପ୍ରାଣରେ ସତ୍ୟର ଦିବ୍ୟ ଆଲୋକ ଅନୁଭବ କରିଥିଲେ । ଜୀବନର ଗୁପ୍ତ ରହସ୍ୟ ଭୀମକାନ୍ତ ବେଶ ଧାରଣ କରି ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ରହିଥିଲା । ସେ ଆଉ ସ୍ଥିରହୋଇ ରହି ପାରି ନ ଥିଲେ । ତାଙ୍କର ବାଣୀ ସାକ୍ଷାତ୍‌ ପ୍ରକୃତି ଦେବୀଙ୍କର ଅନ୍ତରତମ ପ୍ରଦେଶରୁ ବହିର୍ଗତ ହୋଇଥିଲା । ଲୋକ ସାଧାରଣ ତାଙ୍କର ବାଣୀ କିପରି ବା ଅବହେଳା କରିବେ ? ବାଲ୍ୟକାଳରୁ ତାଙ୍କ ମନରେ ଅବିରାମ ଭାବରେ ଏହି ପ୍ରଶ୍ନ ଉଦିତ ହୋଇଥିଲା- ଜୀବନ କଣ, ମୃତ୍ୟୁ କ’ଣ, ଜଗତ୍‌ କ’ଣ, ଜନ୍ମ କ’ଣ, ସଂସାରର ଉଦ୍ଦେଶ୍ୟ କ’ଣ ଓ ନିଜର କର୍ତ୍ତବ୍ୟ କ’ଣ ? ଭୀଷଣ ପର୍ବତ ଦ୍ୱାର ଓ ସିନାଇ ଏବଂ ଭୀମକାନ୍ତ ମରୁଭୂମି ଏହି ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲା । ମସ୍ତକୋପରି ସୁବିସ୍ତୃତ ସୁନୀଳ ଗଗନ ମଧ୍ୟ ପାରି ନ ଥିଲା ଏବଂ ଉଜ୍ଜ୍ୱଳ ଜ୍ୟୋତିଷ୍କ ସମୂହ ମଧ୍ୟ ନିରୁତ୍ତର ରହିଥିଲେ; ଉତ୍ତର ଦେଇଥିଲା କେବଳ ତା’ଙ୍କର ଆତ୍ମା ଏବଂ ତହିଁରେ ଈଶ୍ୱରଙ୍କ ପ୍ରେରଣା-। ସେ ଯେଉ ଜୀବନ ମରଣ ସମସ୍ୟାର ଅନୁଶୀଳନ କରୁଥିଲେ, ସେ ଯେଉଁ ମହାନ୍‌ସତ୍ୟର ଅନ୍ୱେଷଣ କରୁଥିଲେ, ତାହା ସେ ତଦାନୀନ୍ତନ ପୌତଳିକତାରେ ଉପଲବ୍‌ଧ କରିପାରି ନ ଥିଲେ । ପୌତ୍ତଳିକତା ପଭୃତିର ଅନ୍ତରାଳରେ ଅନ୍ୟ କି ଗୁଢ଼ ବିଷୟ ଅଛି, ତାହା ଉଦ୍‌ଘାଟନ କରିବା ନିମନ୍ତେ ବ୍ୟାକୁଳ ହୋଇ ପଡ଼ିଥିଲେ । ତାଙ୍କର ସଂସାରିକ ମାନସମ୍ମାନର ପ୍ରତ୍ୟାଶା ଓ ଭୋଗାଭିଳାଷ ମଧ୍ୟ ନ ଥିଲା ।

 

ଚତ୍ୱାରିଂଶତ୍‌ ବର୍ଷ ବୟସରେ ମକ୍‌କା ସନ୍ନିକଟବର୍ତ୍ତୀ ହାରା ପର୍ବତର ଗୋଟିଏ ଗହ୍ୱରରେ ଧ୍ୟାନ ଧାରଣାରେ ନିମଗ୍ନ ଥିବା ସମୟରେ ଦିନେ ତାଙ୍କ ଚକ୍ଷୁ ସମକ୍ଷରୁ ମୋହଜାଲ ଅପସାରିତ ହୋଇଗଲା । ହଠାତ୍‌ ସେ ଚିର ଅଭିଳଷିତ ଈପ୍‌ସିତ ବସ୍ତୁକୁ ଭଗବତ୍‌ କୃପା ଫଳରେ ଲାଭ କଲେ । ତାଙ୍କ ପ୍ରାଣରେ ସେ ଦୁଇଗୋଟି ସତ୍ୟ ଅନୁଭବ କଲେ । ପ୍ରଥମଟି ‘ଆହ୍ଲା ହୋ ଆକ୍‌ବର୍‌’–ଈଶ୍ୱର ମହାନ୍‌ ଏବଂ ସତ୍ୟ, ଈଶ୍ୱର ନିତ୍ୟ ସନାତନ, ସେ କେବଳ ସତ୍ୟ ଏବଂ ଅନ୍ୟାନ୍ୟ ବହୁଦେବବାଦ ମିଥ୍ୟା । ହିନ୍ଦୁ ଧର୍ମ୍ମରେ ମଧ୍ୟ ତାହାହିଁ ଅଛି । ଗୀତାର ଭଗବାନ୍‌ କହିଛନ୍ତି–

 

‘‘ତ୍ୱମକ୍ଷର ପରମ ସେବଦିତବ୍ୟଂ ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନଂ

ତ୍ୱମବ୍ୟୟଃ ଶାଶ୍ୱତ ଧର୍ମ୍ମ ଗୋପ୍ତା ସନାତନସ୍ତ୍ୱଂ ପୁରୁଷୋ ମତୋ ମେ ।’’

 

ମନୁଷ୍ୟ କେବଳ ଭଗବାନଙ୍କର ଗୋଟିଏ ଗୋଟିଏ ପ୍ରତିରୂପ ମାତ୍ର ।

 

ଦ୍ୱିତୀୟଟି–ଇସଲାମ୍‌ ଅର୍ଥାତ୍‌ ଭଗବାନଙ୍କର ଶ୍ରୀ ଚରଣରେ ଆତ୍ମସମର୍ପଣ । ଆତ୍ମସମର୍ପଣ ବିନା ଆମ୍ଭମାନଙ୍କ ଜୀବନଧାରଣ ଅସମ୍ଭବ ହୋଇ ପଡ଼ନ୍ତା । ଆତ୍ମସମର୍ପଣରେ ଆମ୍ଭେମାନେ ଶାନ୍ତି ପାଉଁ, ହୃଦୟରେ ବଳ ଏବଂ ସାହସ ପାଉଁ । ଭଗବାନ ଯାହା କରନ୍ତି, ତାହା ଆମ୍ଭମାନଙ୍କ ମଙ୍ଗଳ ସକାଶେ–ଏହି ଭାବର ଆଶ୍ରୟ ଗ୍ରହଣ କଲେ ଆଉ ସଂସାରିକ କ୍ଳେଶ ଓ ଯାତନା ଅନୁଭବ କରିବାକୁ ହୁଏ ନାହିଁ । ଆତ୍ମସମର୍ପଣ ହିଁ ଆମ୍ଭମାନଙ୍କର ଏକମାତ୍ର ଅବଲମ୍ବନ ।

 

ବିଶ୍ୱକବି ଗୋଇଥେ (Goeth) ମଧ୍ୟ କହିଅଛନ୍ତି ଯେ, ଆତ୍ମସର୍ପଣ ହେତୁ ଆମ୍ଭମାନଙ୍କର ଜୀବନଧାରଣ ସହଜସାଧ୍ୟ ହୋଇଅଛି । ଯେଉଁମାନଙ୍କର ନୈତିକ ଜୀବନରେ କିଞ୍ଚିତ ଆସ୍ଥା ଅଛି, ସେମାନଙ୍କର ଆତ୍ମସମର୍ପଣ ବିନା ଗତ୍ୟନ୍ତର ନାହିଁ । ଭଗବାନ ସର୍ବମଙ୍ଗଳମୟ-। ସେ ଯାହା କରନ୍ତି ତାହା ସମସ୍ତ ସତ୍ୟ ଓ ମଙ୍ଗଳକର ।

 

ଏହାହିଁ ଏକମାତ୍ର ନୈତିକ ପନ୍ଥା । ଏହି ଅମୂଲ୍ୟ ପଦାର୍ଥକୁ ହୃଦୟର ଏକମାତ୍ର ସମ୍ବଳ କରି ମାନବ ଅକୁତୋଭୟ ହୋଇ ନିୟତିର ଅଲଙ୍ଘନୀୟ ନିୟମାନୁବର୍ତ୍ତୀ ହୋଇ ସତ୍ୟପଥରେ ଧର୍ମ୍ମପଥରେ ଅଗ୍ରସର ହୋଇ ଜୀବନ ସଂଗ୍ରାମରେ ଜୟଲାଭ କରେ, ଅମୃତର ଅଧିକାରୀ ହୁଏ ।

ଆତ୍ମସମର୍ପଣ ଇସଲାମ୍‌ ଧର୍ମ୍ମର ପ୍ରାଣ । ତାହା ହିନ୍ଦୁ ଧର୍ମ୍ମ ଓ ଖ୍ରୀଷ୍ଟଧର୍ମ୍ମର ମଧ୍ୟ ପ୍ରାଣ । ହିନ୍ଦୁ ଧର୍ମ୍ମ ଓ ଖ୍ରୀଷ୍ଟ ଧର୍ମ୍ମ ମଧ୍ୟ ଭଗବାନଙ୍କ ପାଦପଦ୍ମରେ ଆତ୍ମ ବିସର୍ଜନ କରିବା ଲାଗି ଆଦେଶ କରେ । ଏହି ଆତ୍ମସମର୍ପଣ ଶରୀର ସହିତ ଦ୍ୱନ୍ଦ୍ୱ ଆଚରଣ କରିବା, ବୃଥା ତର୍କ ପ୍ରଭୃତି ଶ୍ରବଣ କରିବା, ମାୟା ମୋହରେ ବିମୁଗ୍‌ଧ ହେବାକୁ ନିଷେଧ କରେ । ଆପାତ କଠୋର ଅପାତ କ୍ଳେଶ ପ୍ରଭୃତି କ୍ଳେଶ ନୁହେ । ଭଗବାନ ସର୍ବ ନିୟନ୍ତା; ପ୍ରତ୍ୟେକ ସୁଖ, ଦୁଃଖ, କ୍ଳେଶ, ଆନନ୍ଦ ଭଗବତ୍‌ ପ୍ରେରିତ ରୂପେ ଗ୍ରହଣ କରିବା ବିଧେୟ । ସେ ମୋତେ ବିନାଶ କଲେ ସୁଦ୍ଧା ମୁଁ ତାଙ୍କୁ ଛାଡ଼ିବି ନାହି, ଏହି ଦୃଢ଼ ବିଶ୍ୱାସ ହୃଦୟରେ ବଦ୍ଧମୂଳ କରିବାକୁ ହେବ । ଆତ୍ମବିସର୍ଜନ କିମ୍ବା ଆତ୍ମସମର୍ପଣ ଅଦ୍ୟାବଧି ପୃଥିବୀରେ ଉଦ୍‌ଘାଟିତ ଏକମାତ୍ର ମହାନ୍‌ ସତ୍ୟ । ଗୀତାରେ ଭଗବାନ କହିଅଛନ୍ତି–

‘‘ସର୍ବ ଧର୍ମ୍ମାନ୍‌ ପରିତ୍ୟଜ ମାମେକଂ ଶରଣଂ ବ୍ରଜ

ଅହଂତ୍ୱାଂ ସର୍ବପାପେଭ୍ୟେ ମୋକ୍ଷୟିଷ୍ୟାମି ମା ଶୁଚଃ ।’’

ରାମାୟଣରେ ବିଭୀଷଣଙ୍କ ଗମନୋପଲକ୍ଷରେ ରାମଚନ୍ଦ୍ରଙ୍କ ଉକ୍ତି–

‘‘ସକୃଦେବ ପ୍ରପନ୍ନୋ ଯସ୍ତବାସ୍ମୀତ ଚ ଯାଚତେ

ଅଭୟଂ ସର୍ବଦା ତସ୍ମୈ ଦଦାମ୍ୟେତଦ୍‌ ବ୍ରତଂ ମମ ।’’

ବ୍ରହ୍ମ ପୁରାଣରେ ଅଛି–

‘‘କର୍ମ୍ମଣା ମନସା ବାଚା ଯେଽଚ୍ୟୁତଂ ଶରଣଂ ଗତା

ନ ସମର୍ଥୋ ଯମ ସ୍ତେଷାଂ ତୋ ମୁକ୍ତିଫଳଭାଗିନଃ ।’’

 

ସ୍କନ୍ଦ ପୁରାଣରେ ମଧ୍ୟ ଅଛି–

 

‘‘ଗୋବିନ୍ଦଂ ପରମାନନ୍ଦଂ ମୁକୁନ୍ଦଂ ମଧୁସୂଦନମ୍‌

ତ୍ୟକ୍ତ୍ୱାନ୍ୟଂନୈବ ଜାନାମି ନ ଭଜାମି ନ ସ୍ମରାମି

ନ ନମାମି ନଚ ସ୍ତୌମି ନ ପଶ୍ୟାମି ସ୍ୱଚକ୍ଷୁକ୍ଷା

ନସ୍ପୂହାମି ନ ଗାୟାମି ନବା ଯାମି ହରଂ ବିନା ।’’

 

ଆରବୀୟମାନଙ୍କର ମରୁହୃଦୟରେ ଅମୃତ-ମନ୍ଦାକିନୀ ପ୍ରବାହିତ କରିବା ନିମିତ୍ତ ଏହି ମହାନ୍‌ ସତ୍ୟ ମହମ୍ମଦଙ୍କ ପ୍ରାଣରେ ପ୍ରକାଶିତ ହୋଇଥିଲା । ଭଗବାନ ସ୍ୱତଃ ପ୍ରକାଶିତ ହୋଇ ସେହି ଅଜ୍ଞେୟ ରହସ୍ୟ ତାଙ୍କ ହୃଦୟରେ ଜଣାଇ ଥିଲେ । ଭଗବାନ ସ୍ୱୟଂ ନ ଜଣାଇଲେ ସେ ଦୁର୍ବୋଧ୍ୟ ଅଗମ୍ୟ, ଅଜ୍ଞେୟ ସତ୍ୟ କିଏ ଉପଲବ୍‌ଧି କରିପାରେ ? ତର୍କ, ନ୍ୟାୟ, ସଂଖ୍ୟ ପ୍ରଭୃତି ସେଠାରେ ପରାଜୟ ସ୍ୱୀକାର କରେ । ଭଗବାନ ଦୟାକରି ମହମ୍ମଦଙ୍କ ନିକଟରେ ଆତ୍ମପ୍ରକାଶ କରି ତାଙ୍କୁ ଜନ୍ମମୃତ୍ୟୁ ସମସ୍ୟାରୁ ମୁକ୍ତ କରିଅଛନ୍ତି । ତେଣୁ ମହମ୍ମଦ ଅନ୍ୟାନ୍ୟ ଜୀବ ଜଗତକୁ ତାହା ପ୍ରକାଶ ନ କରି ରହି ପାରିଲେ ନାହିଁ । ପ୍ରତ୍ୟାଦିଷ୍ଟ ମହମ୍ମଦ କେବଳ ସେହି ପରମ ପରାତ୍ପର ପରମେଶ୍ୱରଙ୍କ ମୁଖପାତ୍ର ।

 

ପ୍ରଥମେ ଗୁଣବତୀ କାଦିଜା ମହମ୍ମଦଙ୍କ ମୁଖ ନିଃସୃତ ବାଣୀ ସନ୍ଦେହ ଓ ବିସ୍ମୟରେ ଶ୍ରବଣ କରିଥିଲେ ଓ ପରେ ତାଙ୍କ ସତ୍ୟ ଧର୍ମ୍ମରେ ବିଶ୍ୱାସ ସ୍ଥାପନ କଲେ । ପାଠକେ ! ଥରେ କଳ୍ପନା ଚକ୍ଷୁରେ ଦେଖନ୍ତୁ, ଏକ ଦିଗରେ ମହମ୍ମଦଙ୍କର କାଦିଜାଙ୍କ ପ୍ରତି ଅସୀମ କୃତଜ୍ଞତା ଏବଂ ଅପର ଦିଗରେ ଅଶେଷ ଗୁଣସମ୍ପନା କାଦିଜାଙ୍କର ସତ୍ୟବାଣୀ ଶ୍ରବଣ ପୂର୍ବକ ମହମ୍ମଦଙ୍କ ପ୍ରତି ପ୍ରଗାଢ଼ ଶ୍ରଦ୍ଧା ଓ ଭକ୍ତି ନିଦର୍ଶନ । ମହମ୍ମଦ କହିଅଛନ୍ତି ଯେଉଁ ମୁହୂର୍ତ୍ତରେ ମୋର ସ୍ୱୀୟ ଧର୍ମ୍ମପ୍ରତି ବିଶ୍ୱାସ ହୃଦୟରେ ବଦ୍ଧମୂଳ ହୋଇଥିଲା ସେହି ମୂହୁର୍ତ୍ତରେ ମୁଁ କାଦିଜାଙ୍କର ଏହି ଅସୀମ ଦୟାର କଥା ବିସ୍ତୃତ ହୋଇପାରି ନ ଥିଲି । ବହୁଦିନ ପରେ ତାଙ୍କର ପ୍ରିୟତମା ଯୁବତୀପତ୍ନୀ ଏଇସା, ଯେ କି ନିଜର ସାଧୁ ବ୍ୟବହାର, ବିମଳ ଚରିତ୍ର ଏବଂ ଅନ୍ୟାନ୍ୟ ସଦ୍‍ଗୁଣ ଦ୍ୱାରା ମୁସଲମାନଙ୍କୁ ଚମତ୍କୃତ କରି ଦେଇଥିଲେ, ସେ ଦିନେ ମହମ୍ମଦଙ୍କୁ ପ୍ରଶ୍ନ କରିଥିଲେ–ମୁଁ କ’ଣ କାଦିଜାଙ୍କ ଠାରୁ ରୂପ ଓ ଗୁଣରେ ଉତ୍ତମ ନୁହେଁ, ସେ ବିଧବା ଓ ବୃଦ୍ଧା ଥିଲେ, ତହୁଁ ତୁମ୍ଭେ ତାଙ୍କଠାରୁ ମୋତେ ଅଧିକ ଭଲପାଅ ଓ ଆଦର କର; କିନ୍ତୁ ସେତେବେଳେ ସତ୍ୟପ୍ରାଣ ମହମ୍ମଦ ସ୍ୱୀୟ ପ୍ରିୟତମାଙ୍କର ହୃଦୟର ଭାବପ୍ରତି ଲକ୍ଷ୍ୟ ନ ରଖି ସତ୍ୟାନୁରୋଧରେ ନିରପେକ୍ଷ ଭାବରେ ଉତ୍ତର ଦେଇଥିଲେ ‘‘କଦାପି ନୁହେଁ, ଏଇସା, କଦାପି ନୁହେଁ । ଆଲ୍ଲାଙ୍କୁ ସାକ୍ଷ୍ୟ କରି ପୁଣି କହେଁ, କଦାପି ନୁହେ । ଯେତେବେଳେ ମୋ କଥାରେ କେହି ବିଶ୍ୱାସ ସ୍ଥାପନ କରୁ ନ ଥିଲେ, ସେତେବେଳେ ସେହି ସରଳହୃଦୟା ଧର୍ମପ୍ରାଣା କାଦିଜା ସତ୍‌-ଧର୍ମ୍ମରେ ବିଶ୍ୱାସ ସ୍ଥାପନ କରି ମୋର ଉଦବିଗ୍ନ ହୃଦୟରେ ଶାନ୍ତି ପ୍ରଦାନ କରିଥିଲେ । ଧର୍ମ୍ମପ୍ରଚାର-କ୍ରିୟାରେ ମୁଁ ସର୍ବ ପ୍ରଥମେ ତାଙ୍କରି ଦ୍ୱାରା ପ୍ରୋତ୍ସାହିତ ହୋଇଥିଲି । ସମଗ୍ର ପୃଥିବୀରେ ତାଙ୍କୁ ହିଁ ଏକା ମୁଁ ପ୍ରାଣର ବନ୍ଧୁ ରୁପେ ପାଇଥିଲି ।’’

 

ତତ୍ପରେ ମହମ୍ମଦଙ୍କ କ୍ରୀତଦାସ ସିଦ ଏବଂ ପିତୃବ୍ୟ ଆବୁ ଆଲେବଙ୍କ ପୁତ୍ର, ଭ୍ରାତା ଥାଲି ଇସ୍‌ଲାମ ଧର୍ମ୍ମରେ ଦୀକ୍ଷିତ ହୋଇଥିଲେ । ପ୍ରଥମେ ଯେତେବେଳେ ସେ ଜନମଣ୍ଡଳୀ ସମକ୍ଷରେ ତାଙ୍କର ଧର୍ମ୍ମମତ ହୃଦୟର ଆବେଗରେ ବ୍ୟକ୍ତ କରିଥିଲେ, ଦୁଃଖର କଥା, ସେତେବେଳେ କେତେକ ତାହାଙ୍କୁ ବିଦ୍ରୁପ କରିଥିଲେ, କେତେକ ଉଦାସୀନ ଭାବରେ ଶ୍ରବଣ କରିଥିଲେ; ପୁଣି କେତେକ ଲୋକ କର୍ଣ୍ଣପାତ ମଧ୍ୟ କରି ନ ଥିଲେ । ତିନିବର୍ଷ ମଧ୍ୟରେ ବୋଧହୁଏ କେବଳ ତେରଜଣ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ତାଙ୍କର ପ୍ରଚାର କାର୍ଯ୍ୟ ବଡ଼ ମନ୍ଥର ଗତିରେ ଚାଲିଥିଲା । ଉତ୍ସାହର କଥା ଦୂରେ ଥାଉ, ସହାନୁଭୂତି ମଧ୍ୟ ସେ ଲୋକସମାଜରେ ପାଇ ନ ଥିଲେ-। ବର୍ଷତ୍ରୟର ମନ୍ଥରଗତି ପରେ ଦିନେ ଏହି ପୁରୁଷ ପୁଙ୍ଗବ ତାଙ୍କର ନିକଟତମ ବନ୍ଧୁବାନ୍ଧବମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଆହ୍ୱାନ କରି ସେମାନଙ୍କ ସମ୍ମୁଖରେ ମହାତେଜରେ ଓ ବୀରଦର୍ପରେ ଦଣ୍ଡାୟମାନ ହୋଇ ଜଳଦଗମ୍ଭୀର ସ୍ୱରରେ ସ୍ୱମତ ପ୍ରକାଶ କଲେ ଏବଂ କହିଲେ, ‘‘ମୁଁ ଏ ଯେଉଁ ସତ୍ୟ ପାଇଅଛି, ଏହା ଜଗତର ସର୍ବଶ୍ରେଷ୍ଠ ବସ୍ତୁ । ଏହାହିଁ ଏକମାତ୍ର ଜ୍ଞାତବ୍ୟ ବିଷୟ-। ଏହା ମୋତେ ଦେଶ ବିଦେଶରେ ପ୍ରଚାର କରିବାକୁ ହେବ । ତୁମ୍ଭମାନଙ୍କ ମଧ୍ୟରେ କିଏ ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛ ? ସମସ୍ତେ ସନ୍ଦେହ-ଦୋଳାରେ ଦୋଳାୟମାନ, ନିର୍ବାକ୍‌ ଓ ନିଷ୍ପନ୍ଦ । ସେହି ନିସ୍ତବ୍‌ଧତା ଭଙ୍ଗକରି ଜଣେ ଷଷ୍ଠଦଶବର୍ଷୀୟ ବାଳକ ହୃଦୟର ଆବେଗରେ ଚିତ୍କାର କରି ପ୍ରତ୍ୟୁତ୍ତର ଦେଲେ, ‘‘ସର୍ବାନ୍ତଃ କରଣରେ ଗ୍ରହଣ କଲି’’ । ଏହି ସାମାନ୍ୟ ବାଳକର ନିର୍ଭୟବାଣୀ ଶ୍ରବଣ କରି ସମବେତ ଭଦ୍ରମଣ୍ଡଳୀ ଉଦ୍ଦାମ ହାସ୍ୟ ସମ୍ବରଣ କଲେ । ଅବଜ୍ଞା ଓ ବ୍ୟଙ୍ଗୋକ୍ତି ମଧ୍ୟ ପ୍ରକାଶ କଲେ; କିନ୍ତୁ ବସ୍ତୁତଃ ଏହା ହାସ୍ୟ ବା ଅବମାନର ବିଷୟ ନୁହେ । ଏହା ଏକ ମହାନ୍‌ ଓ ଗୁରୁତର ବିଷୟ । ଏହି ସତ୍ୟପ୍ରିୟ ସ୍ନିଗ୍‌ଧ ହୃଦୟ ଓ ମହାମତି ବାଳକ ସତ୍ୟ ନିମିତ୍ତହିଁ ପ୍ରାଣ ବିସର୍ଜନ କରିଥିଲେ । ସିଂହ ତୁଲ୍ୟ ବିକ୍ରମୀ ଅଥଚ ଅପୂର୍ବ ଲାବଣ୍ୟଯୁକ୍ତ ବାଳକକୁ ବାଗ୍‌ଦାଦ ମନ୍ଦିରରେ ଜଣେ ନୃଶଂସ ଘାତୁକ ହତ୍ୟା କରିଥିଲା । ସେ ନିଜର ସରଳତା ଓ ମହାନୁଭବତାରେ ଜଣେ ପୁରୁଷପ୍ରବରଙ୍କ ସତ୍ୟୋକ୍ତିରେ ବିଶ୍ୱାସ ସ୍ଥାପନ କରିଥିଲେ ଏବଂ ତାହାହିଁ ତାଙ୍କର ମୃତ୍ୟୁର କାରଣ ହୋଇଥିଲା । ମୃତ୍ୟୁ ଯନ୍ତ୍ରଣା ଭୋଗ କରିବା ସମୟରେ ସେ ସମବେତ ଲୋକଗଣଙ୍କୁ କହିଥିଲେ, ‘‘ଯଦି ଏ ବିଷମ ଆଘାତରେ ମୋର ମୃତ୍ୟୁ ନ ହୁଏ, ତେବେ ଆପଣମାନେ ହତ୍ୟାକାରିକୁ କ୍ଷମା କରିବାହେବେ ଏବଂ ଯଦି ମୃତ୍ୟୁ ଘଟେ, ତେବେ ଅଚିରେ ତାର ପ୍ରାଣ ନାଶ କରିବେ । ସୁତରାଂ ଏକ ସମୟରେ ଦୁହେଁଯାକ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ନ୍ୟାୟାନ୍ୟାୟ ବିଚାର ଦେଖି ପାରିବୁଁ’’ ।

 

ମହମ୍ମଦ ସ୍ୱୀୟ ମତ ପ୍ରଚାର ଦ୍ୱାରା ସ୍ୱଭାବତଃ କୁସଂସ୍କାର ରତ କାବାମନ୍ଦିର-ରକ୍ଷକ ବୋରିଶମାନଙ୍କ ହୃଦୟରେ ଦାରୁଣ ବ୍ୟଥା ଦେଇଥିଲେ । ଦୁଇଚାରି ଜଣ କ୍ଷମତାଶାଳୀ ବ୍ୟକ୍ତି ଯୋଗ ଦେଇଥିବାରୁ ପ୍ରଚାର କାର୍ଯ୍ୟ ଧୀରେ ଧୀରେ ପ୍ରସାର ଲଭୁଥିଲା । ଜନସାଧାରଣ ତାଙ୍କ ଉପରେ ରାଗାନ୍ୱିତ ହେବାରୁ ତାଙ୍କ ପିତୃବ୍ୟ ଆବୁ ଆଲେବ ତାଙ୍କୁ ସବିଶେଷ ଭର୍ତ୍ସନା କଲେ ଓ ତାଙ୍କର ଧର୍ମ୍ମମତ ଦ୍ୱାରା ଅନ୍ୟ କାହାରି ଅପ୍ରିୟ ଆଚରଣ କରିବାକୁ ନିଷେଧ କରିଥିଲେ; କିନ୍ତୁ କର୍ତ୍ତବ୍ୟନିଷ୍ଠ ମହମ୍ମଦ ତାଙ୍କୁ ସମୁଚିତ ଉତ୍ତର ଦେଇଥିଲେ, ‘‘ସମଗ୍ର ପୃଥିବୀ, ଗ୍ରହ, ନକ୍ଷତ୍ର, ସୂର୍ଯ୍ୟ, ଓ ଚନ୍ଦ୍ର ମୋତେ ନିଷେଧ କଲେ ମଧ୍ୟ ମୁଁ ତାହା ଶୁଣିବି ନାହିଁ । ମୁଁ ଯେଉଁ ସତ୍ୟଧର୍ମ ପାଇଅଛି, ତାହା ମୁଁ ପ୍ରକାଶ ଓ ପ୍ରଚାର କରିବି । ମୁଁ ନିଜର ଧର୍ମମତ ପ୍ରାଣବ୍ୟୟରେ ସୁଦ୍ଧା ପରିହାର କରିବି ନାହି ’’ । କି ଅଟଳ ଈଶ୍ୱର ବିଶ୍ୱାସ ! ‘‘ନାଯ୍ୟାତ୍‌ ପଥଃ ପ୍ରବିଚଳନ୍ତି ପଦଂ ନ ଧୀରାଃ’’, ମହମ୍ମଦଙ୍କ ସମୀପବର୍ତ୍ତୀ ହୋଇ ଯେଉଁମାନେ ତାଙ୍କ ଧର୍ମମତ ଶ୍ରବଣ କରୁଥିଲେ, ସେ ସେମାନଙ୍କ ହୃଦୟରେ ତଦ୍‌ବିଷୟରେ ଦୃଢ଼ବିଶ୍ୱାସ ଜନ୍ମାଇବା ନିମିତ୍ତ ଚେଷ୍ଟାକରି ସଫଳକାମ ହେଉଥିଲେ । ମକ୍‌କା ନଗରୀକୁ ଆଗତ ଯାତ୍ରୀମାନଙ୍କ ମଧ୍ୟରେ ସେ ସ୍ୱୀୟ ମତ ପ୍ରଚାର କରିବାକୁ ଲାଗିଲେ । କ୍ରମଶଃ ତାଙ୍କର ଭକ୍ତଙ୍କ ସଂଖ୍ୟା ବୃଦ୍ଧିପ୍ରାପ୍ତ ହେଲା । ତାଙ୍କ ବିରୁଦ୍ଧରେ ଅନେକ ବ୍ୟକ୍ତି ପ୍ରକାଶ୍ୟ ଓ ଅପ୍ରକାଶ୍ୟ ଭାବରେ ଷଡ଼ଯନ୍ତ୍ର ରଚନା କରିବାକୁ ଲାଗିଲେ, ତାଙ୍କର ପଦେ ପଦେ ବିପଦ ପଡ଼ିଲା । ତାଙ୍କର ଶକ୍ତିଶାଳୀ ଜ୍ଞାତିମାନେ ତାଙ୍କୁ ଅନେକାନେକ ବିପଦରୁ ରକ୍ଷା କଲେ । ମହମ୍ମଦଙ୍କ ପରାମର୍ଶାନୁସାରେ ତାଙ୍କର ମତାବଲମ୍ବିମାନଙ୍କୁ ଆବିସିନିୟା ଦେଶରେ ଆଶ୍ରୟ ନେବାକୁ ହୋଇଥିଲା । ଆବୁ ଆଲେବ ମୃତ ଏବଂ ଗୁଣବତୀ କାଦିଜା ମଧ୍ୟ ଇହ ସଂସାରରେ ନାହାନ୍ତି । ସେ ଅନ୍ୟ କାହାରିଠାରୁ ସହାନୁଭୂତିର ଆଶା ରଖି ନ ଥିଲେ । କେତେବେଳେ ତାଙ୍କୁ ଗଭୀର ଗିରିକନ୍ଦର ମଧ୍ୟରେ ଲୁକ୍‌କାୟିତ ହୋଇ ରହିବାକୁ ହୋଇଥିଲା । କେତେବେଳେ ଅବା ପ୍ରାଣ ଭୟରେ ଘରଦ୍ୱାର ପରିତ୍ୟାଗ ପୂର୍ବକ ଛଦ୍ମବେଶରେ ଭ୍ରମଣ କରିବାକୁ ହୋଇଥିଲା ।

 

ଧର୍ମ୍ମ-ମତ-ପ୍ରଚାରରେ ତ୍ରୟୋଦଶବର୍ଷ ଅତୀତ ହେଲା; କିନ୍ତୁ ଚାଳିଶ ଜଣ ଦୀକ୍ଷିତ ବ୍ୟକ୍ତିଙ୍କ ବ୍ୟତୀତ ସମସ୍ତଙ୍କୁ ତାଙ୍କ ବିରୁଦ୍ଧରେ ବଦ୍ଧପରିକର ହେବା ଦେଖି ସେ ମକ୍‍କା ନଗରୀରେ ବାସ କରିବାକୁ ଅସମ୍ଭବ ମଣିଲେ । ସେ ବାଧ୍ୟ ହୋଇ ଯାଥ୍ରେବ (ଆଧୁନିକ ନାମ ମଦିନା) କୁ ପଳାୟନ କଲେ । ତାହା ମକ୍‌କା ଠାରୁ ପ୍ରାୟ ଦୁଇଶତ ମାଇଲ ଦୂରରେ ଅବସ୍ଥିତ । ଅଗମ୍ୟ ଗିରିସଙ୍କଟ ଏବଂ ଭୀଷଣ ମରୁଭୂମି ଅତିକ୍ରମ କରି ସେ ସେଠାରେ ନିର୍ବିଘ୍ନରେ ଉପସ୍ଥିତ ହେଲେ । ସେହି ପଳାୟନ ଦିନଠାରୁ ମୂସଲମାନମାନଙ୍କର ଅବ୍ଦ ଗଣା ହୁଏ, ତାହାକୁ ଆରବୀୟ ଭାଷାରେ ହିଜିରି କହନ୍ତି । ୬୨୨ ଖ୍ରୀଷ୍ଟାବ୍ଦରୁ ମୁସଲମାନମାନଙ୍କର ପ୍ରଥମ ହିଜିରି ବର୍ଷ ଧରା ହୁଏ । ସେତେବେଳେ ମହମ୍ମଦଙ୍କ ବୟସ ୫୦ ବର୍ଷ-କ୍ରମେ କ୍ରମେ ବୃଦ୍ଧ ହୋଇ ପଡ଼ୁଅଛନ୍ତି । ଚତୁର୍ଦ୍ଦିଗରେ ବିପଦ, ବନ୍ଧୁମାନେ କ୍ରମଶଃ ତାହାଙ୍କୁ ପରିତ୍ୟାଗ କରୁଅଛନ୍ତି । ତାଙ୍କର ନିଜ ହୃଦୟର ଆଶା ବ୍ୟତୀତ ଅନ୍ୟ କିଛି ବଳ ନାହିଁ । ଏପରି ଅବସ୍ଥାରେ ପଡ଼ିଲେ ସମସ୍ତଙ୍କର ଏହିପରି ଶୋଚନୀୟ ଦଶା ହୋଇଥାଏ । ବର୍ତ୍ତମାନ ଜନ୍ମଭୂମିରୁ ଦୁର୍ବୃତ୍ତମାନଙ୍କ ଷଡ଼ଯନ୍ତ୍ର ଦ୍ୱାରା ସେ ବିତାଡ଼ିତ । ସେ ମନୁଷ୍ୟୋଚିତ ଆରବୀୟ ଭାବରେ ଆତ୍ମରକ୍ଷା କରିବା ନିମନ୍ତେ କୃତସଂକଳ୍ପ ହେଲେ । ଏହି ସଂବାଦ କୋରିଶ ଏବଂ ଅନ୍ୟାନ୍ୟ ଦେଶବାସୀଙ୍କ ମଧ୍ୟରେ ଦାବାଗ୍ନି ପ୍ରାୟ ବ୍ୟାପ୍ତ ହେଲା । ସେମାନେ ଅସ୍ତ୍ରଶସ୍ତ୍ର ସହ ପାଶବିକ ଅତ୍ୟାଚାର ଦ୍ୱାରା ତାଙ୍କୁ ଦମନ କରିବାକୁ ସ୍ଥିର କଲେ । ମହମ୍ମଦ ସତ୍ୟ ମଞ୍ଚରେ ଦଣ୍ଡାୟମାନ, ତହୁଁ ସେ ମଧ୍ୟ ଖଡ୍‌ଗ ଉତ୍ତୋଳନ କଲେ । ସୁଦୀର୍ଘ ଦଶବର୍ଷକାଳ ତାଙ୍କୁ ଅତ୍ୟାଚାର ଅନାଚାର ଓ ବ୍ୟଭିଚାର ବିରୁଦ୍ଧରେ ଏହିପରି ଆସି ଧାରଣ କରିବାକୁ ହୋଇଥିଲା ।

 

ମହମ୍ମଦଙ୍କ ଅସି ଦ୍ୱାରା ଧର୍ମ୍ମ-ପ୍ରଚାର ବିଷୟରେ ଅନେକେ ଅନେକ ପ୍ରକାର କହିଅଛନ୍ତି-। ଏହା ଅବଶ୍ୟ ଖ୍ରୀଷ୍ଟଧର୍ମ୍ମ ପ୍ରଚାର ପ୍ରଣାଳୀଠାରୁ ଅନେକାଂଶରେ ଭଲ । ଖଡ଼୍‌ଗ ଧାରଣ କରିବା ପୂର୍ବରୁ ପ୍ରକୃତ ଖଡ଼୍‌ଗ ଥିବା ଦରକାର । ପ୍ରତ୍ୟେକ ନୂତନ ଧର୍ମ୍ମ ତାହାର ପ୍ରଥମାବସ୍ଥାରେ ଗୋଟିଏ ମନୁଷ୍ୟ-ମସ୍ତିଷ୍କ ମଧ୍ୟରେ ନିବଦ୍ଧ ଥାଏ । ସମଗ୍ର ପୃଥିବୀ ବିରୁଦ୍ଧରେ ଜଣେ ମାତ୍ର ପୁରୁଷ ଦଣ୍ଡାୟମାନ ହେବା ବଡ଼ ସହଜ ବ୍ୟାପାର ନୁହେଁ; ତେଣୁ ପ୍ରଥମେ ଅସି ପ୍ରାପ୍ତହେବା ଦରକାର । ଅସି ବୋଇଲେ କେତେକ ଜଣ ସେହି ମତାବଲମ୍ବୀ ପୁରୁଷ । ସ୍ଥୁଳତଃ ସତ୍ୟ ପଦାର୍ଥ ନିଜେ ନିଜେ ପ୍ରଚାରିତ ହେବ । ଆମ୍ଭେମାନେ ଖ୍ରୀଷ୍ଟଧର୍ମ୍ମରେ ମଧ୍ୟ ଦେଖିବାକୁ ପାଉଁ ଯେ, ଖ୍ରୀଷ୍ଟଧର୍ମ୍ମ ପ୍ରୟୋଜନ ଅନୁସାରେ ଅସି-ବ୍ୟବହାର ମଧ୍ୟ ଏକାବେଳକେ ପରିତ୍ୟାଗ କରିନାହିଁ । ଯେ କୌଣସି ଉପାୟରେ ହେଉ ପଛକେ ଆସି, ବାକ୍ୟ ଏବଂ ଅନ୍ୟାନ୍ୟ କୌଣସି ଅସ୍ତ୍ର-ଶସ୍ତ୍ର ଦ୍ୱାରା ପ୍ରତ୍ୟେକ ପଦାର୍ଥର ନିଜ ପଦରେ ଦଣ୍ଡାୟମାନ ହେବା ଉଚିତ । ଜଗତରେ ନ୍ୟାୟ ଓ ଅନ୍ୟାୟ ମଧ୍ୟରେ ଭୀଷଣ ଦ୍ୱନ୍ଦ୍ୱଯୁଦ୍ଧ ଚାଲିଅଛି । ଏଥିରେ ପ୍ରକୃତିଦେବୀ ମଧ୍ୟସ୍ଥା । ଯାହାର ଭିତ୍ତି ସତ୍ୟ ଉପରେ ପ୍ରତିଷ୍ଠିତ, ସେହି ଶେଷରେ ଜୟଲାଭ କରେ । ମହମ୍ମଦ ଏବଂ ତାଙ୍କର କୃତକାର୍ଯ୍ୟତା ବିଷୟରେ ମଧ୍ୟ ପ୍ରକୃତିଦେବୀଙ୍କର ନ୍ୟାୟ ବିଚାର ଦେଖିବାକୁ ମିଳେ । ପ୍ରକୃତିଦେବୀଙ୍କର କି ଉଦାରତା, ମହାନୁଭବତା ଏବଂ ସହିଷ୍ଣୁତା ! ସେ ସାରକୁ ରଖି ଅସାରକୁ ପରିତ୍ୟାଗ କରନ୍ତି । ତାହାର ଦୃଷ୍ଟାନ୍ତ:-ଧାନ ଓ ଅଗାଡ଼ି । ପୃଥିବୀ ପୃଷ୍ଠରେ ନିକ୍ଷେପ କଲେ କେବଳ ଧାନରୁ ଗଛ ଉଠେ ଅଗାଡ଼ିରୁ ଉଠେ ନାହିଁ । ପ୍ରକୃତିଦେବୀ ସତ୍ୟର ପ୍ରତିମୂର୍ତ୍ତି, ମିଥ୍ୟାର ସ୍ଥାନ ଆଦୌ ସେଠାରେ ନାହିଁ । ସେ ଚାହାନ୍ତି କେବଳ ବିଶୁଦ୍ଧ ନିର୍ମ୍ମଳ ପଦାର୍ଥ । ବିଶୁଦ୍ଧ ବା ସାରବାନ୍‌ ପଦାର୍ଥକୁ ସେ ପ୍ରାଣପଣେ ରକ୍ଷା କରନ୍ତି । ପୃଥିବୀକୁ ଯେତେ ମହାନ୍‌ ତତ୍ତ୍ୱ ବା ସତ୍ୟ ଆସିଅଛି, ତାହାର ଇତିହାସ ସବୁ ଏକ । ମହାନ୍‌ ସତ୍ୟ ସମୂହ ଗୋଟିଏ ଗୋଟିଏ ବିଧିରେ ବା ଛାଞ୍ଚରେ ପଡ଼ି ଆସେ; କିନ୍ତୁ ସେ ବିଧି ସବୁ ଅସମ୍ପୂର୍ଣ୍ଣ ବା ଦୋଷଯୁକ୍ତ ହେତୁ ବେଶୀଦିନ ରହେନାହିଁ; କିନ୍ତୁ ତାର ସାର ଚିରକାଳ ରହେ । ସାର ପଦାର୍ଥର ଅସ୍ତିତ୍ୱ କେବେହେ ଲୁପ୍ତ ହୁଏନାହିଁ; ସମୁଦ୍ରୋପକୂଳବର୍ତ୍ତୀ ଆଲାକ-ସ୍ତମ୍ଭବତ୍‌ ଚିରକାଳ ବିରାଜମାନ ରହେ । ମନୁଷ୍ୟର ଆତ୍ସାବତ୍‌ ତାହା ଅମର ଓ ଶାଶ୍ୱତ । କେବଳ ବାହ୍ୟାବରଣଟି ପରିବର୍ତ୍ତିତ ହୁଏ । ଆମ୍ଭେମାନେ ସାଧାରଣତଃ ଯାହାକୁ ପବିତ୍ର କିମ୍ବା ଅପବିତ୍ର କହୁଁ ତାହା ପ୍ରକୃତିଦେବୀଙ୍କ ନିକଟରେ ସେପରି ନୁହେ । ସେ ବିଚାରାସନରେ ବସି ଦେଖନ୍ତି, ମନୁଷ୍ୟ ମଧ୍ୟରେ କେଉଁ ପରିମାଣରେ ସତ୍ୟ ଅଛି । ସେ ବାହ୍ୟ ଆକୃତି ବିଷୟରେ ବିଚାର କରନ୍ତି ନାହିଁ ।

 

ମହମ୍ମଦ ଧର୍ମ୍ମ ଏକପ୍ରକାର ଖ୍ରୀଷ୍ଟଧର୍ମ୍ମତୁଲ୍ୟ-ତାହାର କେବଳ ରୂପାନ୍ତର । ସେଥିରେ ଯେପରି ଆକୃତ୍ରିମତା ଓ ବିଶ୍ୱାସ ଅଛି, ଜଣାଯାଏ ଯେ ଆରବୀୟମାନଙ୍କ ଧର୍ମ୍ମ ସିରିଆ ଖ୍ରୀଷ୍ଟିୟାନମାନଙ୍କ ଧର୍ମ୍ମଠାରୁ ଅନେକାଂଶରେ ଉତ୍କୃଷ୍ଟ । ସିରିୟାର ଖ୍ରୀଷ୍ଟାଧର୍ମାବଲମ୍ବୀଙ୍କ ମଧ୍ୟରେ ସର୍ବଦା ମତଭେଦ ଚାଲିଥିଲା । ଆରବୀୟମାନଙ୍କ ପୌତ୍ତଳିକତାଠାରୁ ମହମ୍ମଦଙ୍କ ପ୍ରଚାରିତ ଧର୍ମ ସର୍ବାଂଶରେ ଉତ୍କୃଷ୍ଟ; କାରଣ ମହମ୍ମଦଙ୍କ ହୃଦୟରେ ଯେଉଁ ମହା ସତ୍ୟର ଅବତାରଣା ହୋଇଥିଲା, ତାହା ତାହାଙ୍କୁ ଅବିକଳ୍ପ ଭାବରେ ଜଣାଇଥିଲା ଯେ, ପୌତ୍ତଳିକତା ସତ୍ୟ ନୁହେ; କାଷ୍ଠ ପାଷାଣର ପୁତ୍ତଳିକା ସତ୍ୟ ନୁହେ । ଈଶ୍ୱର କେବଳ ସତ୍ୟ * ‘‘ଆଲ୍ଲାହୋ ଆକ୍‌ବର’’ । ଈଶ୍ୱର ସର୍ବଶକ୍ତିମାନ୍‌ ଓ ସର୍ବ ନିୟନ୍ତା । ସ ହର୍ତ୍ତା, କର୍ତ୍ତା ଓ ବିଧାତା । ସେ ଇଚ୍ଛାମୟ । ତାଙ୍କରି ଇଚ୍ଛାରେ ସମସ୍ତ ମମ୍ପାଦିତ ହେଉଅଛି–ନଦୀ ପ୍ରବାହିତ ହେଉଅଛି, ପବନ ମନ୍ଦ ମଧୁରେ ବହୁଅଛି, ପିକ ସୁଲଳିତ ପଞ୍ଚମ ତାନରେ ଗାନ କରୁଅଛି ଏବଂ ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର ସ୍ୱ ସ୍ୱ କକ୍ଷରେ ପରିଭ୍ରମଣ କରୁଅଛନ୍ତି ।

 

ମରୁଭୂମିନିବାସୀ ପୌତ୍ତଳିକମାନେ ଅଦମ୍ୟ ଉତ୍ସାହ ସହକାରେ ଯାହା ଗ୍ରହଣ କରିଥିଲେ, ଯାହା ବିଶ୍ୱାସ କରିଥିଲେ, ତାହା ବାସ୍ତବରେ ବିଶ୍ୱାସଯୋଗ୍ୟ । ପ୍ରକୃତ ସତ୍ୟ ବସ୍ତୁକୁ ସମଗ୍ର ପୃଥିବୀର ନିଖିଳ ମାନବ ସମାଜ ଗ୍ରହଣ କରିବ, ପୃଥିବୀର ଗତି ସତ୍ୟ ଦିଗରେ ପ୍ରଧାବିତ ହେଉଅଛି, ଏହି ସସାଗରା ଧରା ଭଗବାନଙ୍କର ଗୋଟିଏ ପ୍ରକାଣ୍ଡ ମନ୍ଦିର । ଯେଉଁ ବ୍ୟକ୍ତି ପୃଥିବୀର ସ୍ୱାଭାବିକ ଗତି ସହିତ ସହଯୋଗିତା କରେ, ସତ୍ୟ ନଦୀ ସନ୍ତରଣ କରେ, ସତ୍ୟ ସ୍ରୋତରେ ଭାସମାନ ହୁଏ, ସେ ଭଗବତ୍‌-ମନ୍ଦିରର ପ୍ରଧାନ ପୁରୋହିତ, ସତ୍ୟ ସହିତ ସହଯୋଗିତାହିଁ ମନୁଷ୍ୟର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ । ବୃଥାତର୍କ-ବାଗ୍‌ବିତଣ୍ଡା ଦ୍ୱାରା ମନୁଷ୍ୟ ସତ୍ୟମଞ୍ଚରୁ ବିତାଡ଼ିତ ହୁଏ । ‘‘ନୈଷା ତର୍କେଣ ମତିରାପନେୟା ପ୍ରୋକ୍ତାନ୍ୟେନୈବ ସୁଜ୍ଞାନାୟ ଶ୍ରେଷ୍ଠ’’ କଠୋପନିଷତ୍‌ ୨।୯। ଇସଲାମଧର୍ମ୍ମ ଅନ୍ୟାନ୍ୟ ମତବାଦ ପ୍ରଭୃତିକୁ ବିନଷ୍ଟ କରିଥିଲା । ସେରୂପ ବିନଷ୍ଟ କରିବାର ତାହାର ଅଧିକାର ଥିଲା, କାରଣ ତାହା ଜ୍ୱଳନ୍ତ ସତ୍ୟ । ଯହିଁରେ ସତ୍ୟ ନ ଥିଲା, ତାହା ସେହି ସତ୍ୟରୂପ ବହ୍ମିରେ ଭସ୍ମସାତ୍‌ ହୋଇଥିଲା ।

 

*

ଗୀତାରେ (୧) ଗତିର୍ଭତ୍ତା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃତ୍‌ । ପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମ ବ୍ୟୟମ୍‌ ।

 

 

 

(୨) ତ୍ୱମାଦି ଦେବଃ ପୁରୁଷଃ ପୁରାଣ ସ୍ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍‌ ।

 

ବେତ୍ତାସି ବେଦ୍ୟଞ୍ଚ ପରଂ ଚ ଧାମ ତ୍ୱୟା ତତଂ ବିଶ୍ୱସନନ୍ତରୂପ ।

 

ମକ୍‌କାକୁ ପଳାୟନ ପରେ ଏବଂ ସେହି ଭୀଷଣ ସଂଗ୍ରାମ ମଧ୍ୟରେ ମହମ୍ମଦ ଅବସରାନୁଯାୟୀ ମୁସଲମାନମାନଙ୍କର ସର୍ବଶ୍ରେଷ୍ଠ ଧର୍ମପୁସ୍ତକ କୋରାନକୁ ଲିପିବଦ୍ଧ କରିବା ନିମିତ୍ତ ତାଙ୍କର ଶିଷ୍ୟମାନଙ୍କୁ ଆଦେଶ ଦେଇଥିଲେ । ମୁସଲମାନମାନେ ତାଙ୍କର ପବିତ୍ର ଧର୍ମପୁସ୍ତକକୁ ଯେପରି ଶ୍ରଦ୍ଧା, ଭକ୍ତି ଓ ଅନୁରାଗ ସହିତ ଦେଖନ୍ତି, ସେପରି ବୋଧହୁଏ ଅତି ଅଳ୍ପ ଖ୍ରୀଷ୍ଟିୟାନ ତାଙ୍କର ‘ବାଇବେଲ’ କୁ ଦେଖନ୍ତି । କୋରାନରେ ପ୍ରତ୍ୟେକ ବିଷୟରେ ଆଦର୍ଶ ପ୍ରଦତ୍ତ ହୋଇଅଛି । ବିଧି, ନିୟମ, ଆଚାର, ବ୍ୟବହାର, ରୀତି, ନୀତି ତହିଁରେ ସମସ୍ତ ସନ୍ନିବେଶିତ ଅଛି । ପ୍ରତ୍ୟେକ ମୁସଲମାନ ତାହା ପଢ଼ିବାକୁ ବାଧ୍ୟ । ବିଚାରପତି ବିଚାରାସନରେ ଆସୀନ ହୋଇ କୋରାନର ନିୟମାନୁସାରେ ବିଚାର କରନ୍ତି । ପ୍ରତ୍ୟେକ ଦିନ ତାହା ମସ୍‌ଜିଦ୍‌ ବା ଧର୍ମମନ୍ଦିରରେ ପଠିତ ହୁଏ । ଏହି ବିଗତ ଦ୍ୱାଦଶ ଶତାବ୍ଦୀବ୍ୟାପୀ ତାହା ମୁସଲମାନ ଜୀବନର ଏକମାତ୍ର ଆଦର୍ଶ ଏବଂ ପଥ ପ୍ରଦର୍ଶକ ହୋଇଅଛି ।

 

ଇଉରୋପୀୟମାନଙ୍କ ଚକ୍ଷୁରେ କୋରାନ୍‌ ଅତିଶୟ ଶୃଙ୍ଖଳାବିହୀନ କତିପୟ ଉପଦେଶର ସମଷ୍ଟି ମାତ୍ର । ଅନେକ ସମୟରେ ଏହା ଏତେ ଦ୍ୱିରୁକ୍ତି ପୂର୍ଣ୍ଣ ଯେ, ପାଠକଲେ ଅତ୍ୟନ୍ତ ବିରକ୍ତି ବୋଧହୁଏ । ମୁସଲମାନମାନେ କହନ୍ତି ଯେ, ତାହା ମେଷ ଚର୍ମ୍ମରେ ପ୍ରଥମେ ଲିଖିତ ହୋଇ ଗୋଟିଏ ସିନ୍ଦୁକ ମଧ୍ୟରେ ନିକ୍ଷିପ୍ତ ହୋଇଥିଲା । ତେଣୁ ତାହା ଧାରା ବାହିକ ଓ ସୁସଂବଦ୍ଧ ନୁହେ । ସାହିତ୍ୟିକ ଉତ୍କର୍ଷ ବ୍ୟତୀତ ଏହାର ଅନ୍ୟ ଗୋଟିଏ ପ୍ରଧାନ ଗୁଣ ଅଛି-ତାହା ଶୁଦ୍ଧ ମୌଳିକତା ଓ ସରଳତାର ଯୁଗପତ୍‌ ସମାବେଶ । ଏଥି ନିମିତ୍ତ ଏହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ । କୋରାନ ଶୃଙ୍ଖଳାବିହୀନ ଏବଂ ଅମାର୍ଜିତ ହେବାର ଗୋଟିଏ ପ୍ରଧାନ କାରଣ, ମହମ୍ମଦଙ୍କ ଶିକ୍ଷା ଓ ଆଲୋଚନାର ଅଭାବ । ବିଦ୍ୟା ଶିକ୍ଷା କରି ନ ଥିବାରୁ ତାଙ୍କ ହୃଦୟରେ ଯେଉଁ ଭାବ ସମୂହ ଉଦିତ ହେଉଥିଲା ତାହା ସେ ଭାଷା ଅଭାବରୁ ବ୍ୟକ୍ତ କରିପାରୁ ନ ଥିଲେ । ଭାଷା ଓ ଭାବର ଯୁଦ୍ଧ ଚାଲିଥିଲା । ଭାବର ଉଚ୍ଛ୍ୱାସ ଓ ପ୍ରାବଲ୍ୟ ଏବଂ ଭାଷାର ଅସମୀଚୀନତା ହେତୁ ଏପରି ବୈଷମ୍ୟ ପରିଲକ୍ଷିତ ହୁଏ । ତାଙ୍କ ହୃଦୟରେ କପଟତା, ଶଠତା ପ୍ରଭୃତି ଆଦୌ ନ ଥିବାରୁ ତାଙ୍କର ବାଣୀ ଏତେ ସରଳ ଓ ମୌଳିକ । କୋରାନକୁ ମହମ୍ମଦ ସାକ୍ଷାତ୍‌ ଭଗବାନଙ୍କର ବାଣୀ ବୋଲି କହନ୍ତି । ତାହା କୌଣସି ପ୍ରକାରେ ଅସମ୍ଭବ ନୁହେ । ଏହା ଆମ୍ଭମାନଙ୍କର ବିଚାର୍ଯ୍ୟ । ୨୩ ବର୍ଷ ବ୍ୟାପୀ ପ୍ରଚାରକାଳ ମଧ୍ୟରେ ଯେତେବେଳେ ସେ କୋରିଣ ଏବଂ ପୌତ୍ତଳିକମାନଙ୍କ ବିରୁଦ୍ଧରେ ଯୁଦ୍ଧ ଏବଂ ଆତ୍ମୀୟ ସ୍ୱଜନ ବାନ୍ଧବ ସହ କଳହ ପ୍ରଭୃତି ଭୀଷଣ ସଂକଟରେ ପଡ଼ିଥିଲେ, ସେତେବେଳେ ବିଷୟମାନଙ୍କର ଶୋଭନ ସମାଧାନ ନିମିତ୍ତ ସେ ବହୁ ଭାବନା, ଧ୍ୟାନ ଓ ଧାରଣାରେ ଦିବାରାତ୍ର ଅବିରାମ ଭାବରେ ଅତିବାହିତ କରିଥିଲେ ଏବଂ ତେଣୁ ତାର ଫଳସ୍ୱରୂପ ସତ୍ୟ ଲାଭ କରିଥିଲେ । ତାଙ୍କର ଅନୁଶୀଳନ ସାକ୍ଷାତ୍‌ ଭଗବତ୍‌ ପ୍ରେରିତ । ସେ ଥିଲେ ସତ୍ୟର ଜ୍ୱଳନ୍ତ ପ୍ରତିମୂର୍ତ୍ତି । ଈଶ୍ୱର ସୃଷ୍ଟ ଜଗତ୍‌ ତାଙ୍କ ଚକ୍ଷୁରେ ମହାସତ୍ୟ ।

 

ମୌଳିକତା ଓ ସରଳତା ହେତୁ କୋରାନ୍‌ ଆରବୀୟମାନଙ୍କର ଏପରି ଆଦରର ଧନ ହୋଇଅଛି । ତହିଁରେ ଅନେକ ପୌରାଣିକ ଗଳ୍ପର ସୂଚନା ଅଛି । ଆରବୀୟମାନଙ୍କର ସ୍ମୃତିପଟରେ ବିରାଜିତ ଥିବା ପୌରାଣିକ ଗଳ୍ପସମୂହ ସେ ବାରମ୍ବାର ଉଲ୍ଲେଖ କରିଅଛନ୍ତି । ଯାହା ସେ ସ୍ୱ ହୃଦୟରେ ଅନୁଭବ କରିଥିଲେ, ତାହା ସେ ପ୍ରକାଶ କରିବାରେ ଯଥାସାଧ୍ୟ ଚେଷ୍ଟା କରିଅଛନ୍ତି ଏବଂ ନାନାସ୍ଥାନରେ ଭଗବତ୍‌ ପ୍ରେରଣାର ନିଦର୍ଶନ ମଧ୍ୟ ପରିଲକ୍ଷିତ ହୁଏ । ପ୍ରତ୍ୟେକ ବସ୍ତୁରେ ସତ୍ୟର ସଂଦର୍ଶନ କରିବାହିଁ ପ୍ରଧାନ ବିଷୟ । ସେହି ସତ୍ୟ ପ୍ରକୃତିଦେବୀଙ୍କର ଶ୍ରେଷ୍ଠଦାନ, ସେ ଦାନର ଅବମାନନା ନ କରିବା ଲୋକ ଅତି ବିରଳ ।

 

କୋରାନ୍‌ରେ ମହମ୍ମଦଙ୍କ ସଂଘଟିତ କୌଣସି ଅଲୌକିକ ଘଟଣା ଲିପିବଦ୍ଧ ହୋଇନାହିଁ-। ସେ ସେପରି କୌଣସି ଅଲୌକିକ ଘଟଣା ସମ୍ପାଦନ କରି ନାହାନ୍ତି । ସେ ସ୍ୱୟଂ କହିଅଛନ୍ତି, ‘‘ମୁଁ ଜଣେ ସାଧାରଣ ପ୍ରଚାରକ, ଭଗବତ୍‌ବାଣୀ ଜନସାଧାରଣଙ୍କ ନିକଟରେ ପ୍ରଚାର କରିବା ମୋର କର୍ତ୍ତବ୍ୟ ।’’ ସେ ଯଦ୍ୟପି ଅଲୌକିକ କାର୍ଯ୍ୟ କରି ନ ଥିଲେ, ତଥାପି ସମସ୍ତ ପ୍ରାକୃତିକ ବସ୍ତୁ ତାଙ୍କୁ ଅଲୌକିକ ବୋଧ ହେଉଥିଲା । ସେ କହିଅଛନ୍ତି, ଚକ୍ଷୁ ଉନ୍ମୀଳନ କରି ଦେଖିଲେ ସମସ୍ତ ପଦାର୍ଥ ଅଦ୍ଭୁତ ବତ୍‌ ପ୍ରତୀୟମାନ ହୁଏ । ଏହି ପୃଥିବୀ ଅଦ୍ଭୁତ, ମେଘମାଳା ଅଦ୍ଭୁତ, ମନୁଷ୍ୟ ଅଦ୍ଭୁତ, ସ୍ଥୂଳତଃ ଈଶ୍ୱର ସୃଷ୍ଟ ସମସ୍ତ ପଦାର୍ଥ ଅଦ୍ଭୁତ ଏବଂ ଅଲୌକିକ । ମନୁଷ୍ୟର କ୍ରମିକ ବିକାଶକୁ ଲକ୍ଷ୍ୟକଲେ, ମନୁଷ୍ୟ ଯେ କି ଅଦ୍ଭୁତ ପଦାର୍ଥ, ତାହା ସମ୍ୟକ୍‌ ଉପଲବ୍‌ଧ ହେବ । ମହମ୍ମଦଙ୍କ ଠାରେ ସମସ୍ତ ଗୁଣ ପର୍ଯ୍ୟବସିତ ଥିଲା । କବି ବୋଲ, ରାଜା ବୋଲ, ଧର୍ମ୍ମଯାଜକ ବୋଲ, ଯେ କୌଣସି ବୀରଙ୍କର ଆଖ୍ୟା ସେ ଲାଭ କରିପାରନ୍ତି । ଅନ୍ୟାନ୍ୟ ସମସ୍ତ ମହାଭାବୁକ ଏବଂ ମହାପୁରୁଷଙ୍କ ତୁଲ୍ୟ ମହମ୍ମଦ ସମସ୍ତ ଈଶ୍ୱରସୃଷ୍ଟ ପଦାର୍ଥରେ ଭଗବତ୍‌ ସଭା ଓ ପରିଦୃଶ୍ୟମାନ ଜଗତରେ ସତ୍ୟ ଅନୁଭବ କରିଥିଲେ । ତାଙ୍କ ମତରେ ଆଲ୍ଲା ସମସ୍ତ ଜଗତ ଧାରଣ କରିଅଛନ୍ତି । ସେ ହାତ ଛାଡ଼ି ଦେଲେ ସମସ୍ତ ଜଗତ ବିଲୁପ୍ତ ହେବ ।

 

ତାଙ୍କର ଧର୍ମ, ଲୋକ ଦୃଷ୍ଟିରେ ଅତିଶୟ ସୁଗମ ଓ ସହଜ ହୋଇ ନ ଥିଲା । କୌଣସି ଧର୍ମ୍ମ ମଧ୍ୟ ସହଜ ନୁହେ । ତାଙ୍କ ପ୍ରବର୍ତ୍ତିତ ବ୍ରତ ଓ ଉପବାସାଦି, ଦୈନିକ ପଞ୍ଚବାର ପ୍ରାର୍ଥନା ଓ ମଦ୍ୟ ନିବାରଣ ପ୍ରଭୃତି ହେତୁ ମହମ୍ମଦଙ୍କ ଧର୍ମ୍ମ ସାଧାରଣ ଲୋକଙ୍କୁ ସହଜ ବୋଧ ହେଲାନାହିଁ । ‘‘ଦୁର୍ଗମ ପଥ ଏ ଭଜନ ଭୟେ ଭାଜିଲେ ଯୋଗୀଜନ ।’’ ସେଥି ହେତୁ ଅନେକେ ପୃଷ୍ଠଭଙ୍ଗ ଦେଇ ପଳାୟନ କଲେ । କୌଣସି ଗୁରୁତର କିମ୍ବା ଦୁଃସାହସିକ କାର୍ଯ୍ୟ ସହଜରେ କିମ୍ବା ଅନାୟାସରେ ସାଧିତ ହୁଏ ନାହିଁ । ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ମହତ୍ତ୍ୱର ସତ୍ତା ନିହିତ ଅଛି, ସୁବିଧା ପାଇଲେ ଅତି ଅଧମ ମନୁଷ୍ୟ ମଧ୍ୟ ତାହାର ମାନବତ୍ୱକୁ ସମ୍ବୂର୍ଣ୍ଣ ଉପଲବଧି କରିପାରେ ।

 

ଭୋଗ ଲାଳସା ମନୁଷ୍ୟକୁ ମହତ୍‌କାର୍ଯ୍ୟ ସାଧନା କରିବାକୁ ପ୍ରବର୍ତ୍ତିତ କରେ ନାହିଁ; କିନ୍ତୁ ତୀବ୍ର ସାଧନା, ଆତ୍ମବିସର୍ଜନ ପ୍ରଭୃତି ମନୁଷ୍ୟକୁ ସିଂହ ବିକ୍ରମ ପ୍ରଦାନ କରେ ।

 

ତାଙ୍କ ଧର୍ମରେ କୌଣସି ବିଷୟ ବାସନାର ସତ୍ତା ନ ଥିଲା । ତାଙ୍କ ନିଜଠାରେ ମଧ୍ୟ ସେପରି ଭୋଗ ବାସନା ବା ବିଷୟ ଲାଳସା ନ ଥିଲା । ସେ ଅତିଶୟ ମିତବ୍ୟୟୀ ଓ ଅଳ୍ପାହାରୀ ଥିଲେ । ତାଙ୍କର ଆହାର ଥିଲା କେବଳ ରୁଟି ଓ ପାଣି । ସେ ଏତେଦୂର ମିତବ୍ୟୟୀ, କଷ୍ଟ ସହିଷ୍ଣୁ ଏବଂ ସ୍ୱାବଲମ୍ବୀ ଥିଲେ ଯେ, ସେ ତାଙ୍କର ଯୋତା ଓ କୁର୍ତ୍ତା ନିଜେ ମରାମତ କରୁଥିଲେ । ଆରବୀୟମାନେ ତାଙ୍କର ଆଜ୍ଞା ଓ ଆଦେଶ ଯେପରି ପ୍ରତିପାଳନ କରୁଥିଲେ ଓ ତାଙ୍କ ପ୍ରତି ଯେପରି ଶ୍ରଦ୍ଧା ଓ ଭକ୍ତି ଦେଖାଉ ଥିଲେ, ତାହା ଜଣେ ବିଶ୍ୱ-ବିଜୟୀ ସମ୍ରାଟଙ୍କ ଭାଗ୍ୟର ମଧ୍ୟ ଘଟିବା ସମ୍ଭବପର ନୁହେ।

 

ମହମ୍ମଦଙ୍କ ଶେଷ ବାଣୀ-ଜଗତ୍‌ସ୍ରଷ୍ଟା ଜଗଦୀଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟିଏ ପ୍ରାର୍ଥନା । ତାଙ୍କର ମହାନୁଭାବତା ଏବଂ ଆତ୍ମସମର୍ପଣର ବିଷୟ ଅନେକ ସ୍ଥଳରେ ଲିଖିତ ହୋଇଅଛି । ସେ ତାଙ୍କର ପ୍ରିୟତମା କନ୍ୟାର ମୃତ୍ୟୁ ସମ୍ବାଦ କି ଧୀର ଓ ଅବିଚଳିତ ଚିତ୍ତରେ ଶ୍ରବଣ କରିଥିଲେ । ସେ ସେଥି ନିମିତ୍ତ ଆଦୌ ଖେଦ ପ୍ରକାଶ ନ କରି କହିଥିଲେ, ‘‘ଭଗବାନଙ୍କର ଦାନ ଭଗବାନ ଗ୍ରହଣ କରିଅଛନ୍ତି, ଜୟ ଶ୍ରୀ ଭଗବାନଙ୍କର ଜୟ ।’’ ତାଙ୍କର ଦାସ ସିଦ’ର ଯୁଦ୍ଧରେ ପ୍ରାଣନାଶ ବାର୍ତ୍ତା ଶ୍ରବଣ କରି ମଧ୍ୟ ସେ ତଦ୍ରୂପ ଧୀର ସାହାସର ପରିଚୟ ଦେଇଥିଲେ ।

 

ମରୁଭୂମିର ସେହି ଅନିୟନ୍ତ୍ରିତ ବୃତ୍ତି ଓ ଅଶିକ୍ଷିତ ସନ୍ତାନମାନଙ୍କଠାରେ ଗର୍ବ, ଦମ୍ଭ, ଛଳନା, ପ୍ରତାରଣା ପ୍ରଭୃତି କିଛି ନ ଥିଲା । ପାରସ୍ୟରାଜ ଓ ଗ୍ରୀକ୍‌ସମ୍ରାଟ୍‌ଙ୍କ ଠାରୁ ଆରମ୍ଭ କରି ସାଧାରଣ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କ ସଙ୍ଗେ ସେ ସମାନ ବ୍ୟବହାର କରୁଥିଲେ ଏବଂ ନିର୍ଭୀକ ଚିତ୍ତରେ କଥୋପକଥନ କରୁଥିଲେ । କୃତ୍ରିମତାର ଅଭାବହିଁ ତାଙ୍କର ପ୍ରଧାନ ଗୁଣ । ପ୍ରାଣର ଆବେଗରେ ସେ ସତ୍ୟର ଅନ୍ୱେଷଣ କରୁଥିଲେ ।

 

ତାଙ୍କର ନୈତିକ ଉପଦେଶମାନ ସ୍ଥଳବିଶେଷରେ ସର୍ବୋକୃଷ୍ଟ ନ ହେଲେହେଁ ତାହା ସର୍ବଦା ନ୍ୟାୟ ଓ ଯୁକ୍ତି ଉପରେ ପ୍ରତିଷ୍ଠିତ ଏବଂ ସତ୍ୟମାର୍ଗରେ ପରିଚାଳିତ । ତାଙ୍କ ଧର୍ମରେ କ୍ଷମା ନାହିଁ, ସତ୍ୟ; କିନ୍ତୁ ସାମ୍ୟନୀତି ପୂର୍ଣ୍ଣରୂପେ ବିରାଜିତ । ଇସଲାମ ଧର୍ମ ଲୋକ ନିର୍ବିଶେଷରେ ଭଗବାନଙ୍କର ସନ୍ତାନ ବୋଲି ନିର୍ଦ୍ଦେଶ କରେ; ତେଣୁ ସମସ୍ତ ମନୁଷ୍ୟ ସମାନ, ସାନ ବଡ଼ର ବିଚାର ନାହିଁ । ମହମ୍ମଦ ଦାନଧର୍ମର ମହତ୍ୱ ବିଶେଷ ଭାବରେ ସଂସ୍ଥାପନ କରିଅଛନ୍ତି । ତାଙ୍କ ଆଦେଶାନୁଯାୟୀ ପ୍ରତ୍ୟେକ ଲୋକର ତାହାର ବାର୍ଷିକ ଆୟର ଏକଦଶମାଂଶ ଦରିଦ୍ରମାନଙ୍କ ସାହାର୍ଯ୍ୟ ନିମିତ୍ତ ଉତ୍ସର୍ଗ କରିବା ଉଚିତ । ନିସ୍ୱଃ ଓ ନିଃସହାୟମାନଙ୍କ ନିମିତ୍ତ ତାଙ୍କର ପ୍ରାଣ କାନ୍ଦୁଥିଲା; ତେଣୁ ସେ ଏହି ଧର୍ମ ବିଧାନ କରିଥିଲେ ।

 

ମହମ୍ମଦଙ୍କ ସ୍ୱର୍ଗ ଓ ନରକ ବିଷୟ ସୁଖାତ୍ମକ, ଏହା ଅନେକ ନିର୍ଦ୍ଦେଶ କରିଅଛନ୍ତି; କିନ୍ତୁ ବାସ୍ତବରେ ତାହା ମହମ୍ମଦଙ୍କ ସୃଷ୍ଟି ନୁହେଁ । ତାଙ୍କର ପରବର୍ତ୍ତୀ ପ୍ରଧାନ ଧର୍ମ ପୁରୋହିତମାନେ ଏପରି ଚିତ୍ରଣ କରିଅଛନ୍ତି । କୋରାନ୍‌ରେ ସ୍ୱର୍ଗର ଆନନ୍ଦ ବିଷୟରେ ବିଶେଷ ଉଲ୍ଲେଖ ନାହିଁ । ସ୍ୱର୍ଗରେ ଭଗବାନଙ୍କର ଦର୍ଶନଲାଭ କରି ଯେଉଁ କଳ୍ପନାତୀତ ଦିବ୍ୟାନନ୍ଦ ଉପଭୋଗ କରାହୁଏ, ତାହା ଅନ୍ୟାନ୍ୟ ସମସ୍ତ ପାର୍ଥିବାନନ୍ଦ ଅପେକ୍ଷା ଅନେକ ଗୁଣରେ ଉକୃଷ୍ଟ । ମହମ୍ମଦଙ୍କ ସ୍ୱର୍ଗ ଓ ନରକ ସମ୍ବନ୍ଧରେ ଦୁଇଗୋଟି ପ୍ରଣିଧାନ ଯୋଗ୍ୟ ବିଷୟ ଅଛି ।

 

ପ୍ରଥମ-କଠୋରସାଧନା ଓ ଆତ୍ମସଂଯମ ପ୍ରାପ୍ତି ପରେ ସାଂସାରିକ ସୁଖସ୍ୱାଚ୍ଛନ୍ଦ୍ୟ ଉପଭୋଗ କରିବା ପ୍ରତ୍ୟେକ ମାନବର ବିଧେୟ । ଯେତେବେଳେ ମନୁଷ୍ୟର ନିଜର ଷଡ଼ରିପୁକୁ ଦମନ କରିବାର କ୍ଷମତା ହୁଏ, ତେତେବେଳେ ସେ ପ୍ରକୃତ ସୁଖସମ୍ଭୋଗ କରିପାରେ । ଅନାସକ୍ତ ଭାବରରେ ସଂସାରର ଭୋଗବିଳାସାଦିରେ ଆସକ୍ତ ରହିବା, ଏହାର ପ୍ରଧାନ ଉଦ୍ଦେଶ୍ୟ । ମନୁଷ୍ୟର ଏପରି ସଂଯମ ଥିବା ଆବଶ୍ୟକ, ଯଦ୍ଦ୍ୱାରା ସେ ନିଜେ ଇନ୍ଦ୍ରିୟର ଦାସ ନ ହୋଇ ଇନ୍ଦ୍ରିୟକୁ ନିଜର ଦାସ କରେ ।

 

ହିନ୍ଦୁଧର୍ମରେ ମଧ୍ୟ ଏହିପରି ଅଛି–‘‘ଗାର୍ହସ୍ଥ୍ୟ ଧର୍ମରେ ପ୍ରବେଶ କରିବା ପୂର୍ବରୁ କଠୋର ବ୍ରହ୍ମଚର୍ଯ୍ୟାବଲମ୍ୱନ ବ୍ୟବସ୍ଥା ଅଛି ।’’

 

ଦ୍ୱିତୀୟ-ତାଙ୍କର ସ୍ୱର୍ଗ ଓ ନରକ ଯେତେ ବିଷୟ ସୁଖଦୁଃଖ ଭୋଗାତ୍ମକ ହେଉ ପଛକେ ତହିଁରେ ଅନନ୍ତ ସତ୍ୟ ବିରାଜମାନ । ସ୍ୱର୍ଗର ଚିର ଆନନ୍ଦମୟ ଓ ସୁଖପ୍ରଦ ଚିତ୍ର, ନରକର ଭୀଷଣ ଦୃଶ୍ୟ, ଅନ୍ତିମ ବିଚାର କାଳ (Day of judgment) ପ୍ରଭୃତି ବିଷୟମାନ ସେ ବାରମ୍ବାର କହିଅଛନ୍ତି ।

 

ମନୁଷ୍ୟ ତାହାର କାର୍ଯ୍ୟ ପାଇଁ ଦାୟୀ । ଉତ୍ତମ କାର୍ଯ୍ୟ କଲେ ସେ ସ୍ୱର୍ଗରେ ବାସ କରେ ଏବଂ ଅନ୍ୟାୟ କାର୍ଯ୍ୟ କଲେ ନରକଗାମୀ ହୁଏ । ଆରବୀୟମାନଙ୍କର କର୍ମବିଶ୍ୱାସ ପୂର୍ଣ୍ଣମାତ୍ରାରେ ଥିଲା । ତେଣୁ ସେମାନେ ସେମାନଙ୍କର କର୍ତ୍ତବ୍ୟକର୍ମରେ ଅବହେଳା କରୁନଥିଲେ । ପୃଥିବୀରେ ମନୁଷ୍ୟର କର୍ତ୍ତବ୍ୟ ସମ୍ବନ୍ଧରେ ମହମ୍ମଦ ଗୋଟିଏ ସମାଧାନ କରିଅଛନ୍ତି । ସେ ବସ୍ତୁତଃ ପାଶ୍ଚାତ୍ୟ ଦାର୍ଶନିକ ବେନ୍‌ଥାମ୍‌ ଓ ପେଲି ପ୍ରଭୃତିଙ୍କ ତୁଲ୍ୟ ନ୍ୟାୟ ଓ ଅନ୍ୟାୟର ପରିମାଣରେ ଲାଭ କ୍ଷତିର ହିସାବ କରି ନାହାନ୍ତି କିମ୍ବା ପାପପୁଣ୍ୟ ହିସାବ କରି, ପାପ କିମ୍ବା ପୁଣ୍ୟର ଆଧିକ୍ୟ ଅନୁସାରେ ଫଳର ଭାଗ ନିର୍ଦ୍ଦେଶ କରି ନାହାନ୍ତି; କିନ୍ତୁ ପାପ କରିବାକୁ ଏକାବେଳକେ ନିଷେଧ କରିଅଛନ୍ତି । ତାଙ୍କ ମତରେ ଯାହା ପାପ, ତାହା ମୃତ୍ୟୁ । ନରକ ମଧ୍ୟ ତାହାହିଁ । ତେଣୁ ତାହା ସମ୍ପୂର୍ଣ୍ଣ ବର୍ଜନ କରି, ଧର୍ମ ଓ ପୁଣ୍ୟ ଅର୍ଜନରେ ନିଜକୁ ନିୟୋଜିତ କରିବା ସର୍ବାଦୌ କର୍ତ୍ତବ୍ୟ ।

 

ପରିଶେଷରେ ବକ୍ତବ୍ୟ ଏହି ଯେ, ଆପାତତଃ ଭ୍ରମ ଥିଲେହେଁ ମହମ୍ମଦଙ୍କ ଧର୍ମରେ ଚିରସତ୍ୟ ବିଦ୍ୟମାନ । ତହିଁରେ ଆଧ୍ୟାତ୍ମିକତାର ଚରମ ସୀମା ନିହିତ ଅଛି । ଏଥିରେ ନର୍ଶ ଧର୍ମବତ୍‌ ବିକ୍ରମ ଓ ସାହସର ପ୍ରତିଷ୍ଠା ସଙ୍ଗେ ସଙ୍ଗେ ଆହୁରି କିଛି ଶ୍ରେଷ୍ଠତର ପଦାର୍ଥ ସଂଶ୍ଲିଷ୍ଟ ରହିଅଛି । ତେଣୁ ଆଜି ସୁଦ୍ଧା ତାହା ପୃଥିବୀର ଏକପଞ୍ଚମାଂଶ ମନୁଷ୍ୟ-ଜୀନର ପଥପ୍ରଦର୍ଶକ ଓ ଧ୍ରୁବତାରାରୂପେ ବିରାଜିତ । ଆରବୀୟ ମାନେ ଏହାକୁ ସର୍ବାନ୍ତଃକରଣରେ ବିଶ୍ୱାସ କରନ୍ତି । ଏହି ଧର୍ମ ଆରବୀୟମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିଥିଲେ । ଏହାର ଫଳରେ ସେମାନେ ପ୍ରାଣସଞ୍ଜୀବନୀ ଶକ୍ତି ପାଇଥିଲେ । କ୍ଷୁଦ୍ରକୁ ମହୀୟାନ୍‌ କରିବା ନିମନ୍ତେ, ଅପ୍ରସିଦ୍ଧକୁ ପ୍ରସିଦ୍ଧ କରିବା ନିମନ୍ତେ ଆରବ ମରୁ ପ୍ରଦେଶରେ ଭଗବାନ ଜଣେ ଧର୍ମୋପଦେଷ୍ଟା ବୀର ପ୍ରେରଣ କରି, ସେହି କ୍ଷୁଦ୍ର ଦେଶକୁ ଜଗତ୍‌ ସମକ୍ଷରେ ପ୍ରସିଦ୍ଧ ଓ ଅମର କରି ରଖିଅଛନ୍ତି ।

Image

 

Unknown

ତୃତୀୟ ପ୍ରସଙ୍ଗ

କବିବୀର

 

ଆମ୍ଭେମାନେ ପୂର୍ବ ପ୍ରବନ୍ଧମାନଙ୍କରେ ଦେଖିଅଛୁଁ ଯେ, ସଭ୍ୟତାର ବୃଦ୍ଧି ଏବଂ ବୈଜ୍ଞାନିକ ଯୁଗର ଅବତାରଣା ସଙ୍ଗେ ସଙ୍ଗେ ମାନବର ଅହେତୁକ ବିଶ୍ୱାସାଦି ପୃଥିବୀ ପୃଷ୍ଠରୁ ଲୁପ୍ତପ୍ରାୟ ହୋଇଅଛି । ନରଦେବତା ପ୍ରଭୃତି ଆଖ୍ୟା ଏ ଯୁଗରେ ଅସଙ୍ଗତ ବୋଧହୁଏ । ବର୍ତ୍ତମାନ ଆମ୍ଭେମାନେ ବୀର-ଅନ୍ୱେଷଣାର୍ଥେ ଅପେକ୍ଷାକୃତ ଅଳ୍ପୋଚ୍ଚାଭିଳାଷୀ କବିଙ୍କ ବିଷୟ ଆଲୋଚନା କରିବୁଁ । କବି ଚିରକାଳ ବୀରପଦବାଚ୍ୟ । ସୁଦୂର ଅତୀତରୁ ଆରମ୍ଭ କରି ନବଯୁଗ ପର୍ଯ୍ୟନ୍ତ କବି ବୀରରୂପେ ପୂଜ୍ୟ ଓ ଆଦୃତ ହୋଇ ଆସୁଅଛନ୍ତି । ଏହି ପୂଜା ଓ ଆଦରର ହ୍ରାସ ନାହିଁ ତାହା ଓତପ୍ରୋତ ଭାବରେ ଚାଲି ଆସୁଅଛି ।

 

ଭିନ୍ନ ଭିନ୍ନ ଯୁଗରେ ଓ ଭିନ୍ନ ଭିନ୍ନ ଦେଶରେ ମହାପୁରୁଷଙ୍କର ବିଭିନ୍ନ ନାମକରଣ ହୋଇଅଛି; କିନ୍ତୁ ବାସ୍ତବରେ ସେମାନଙ୍କର ଉତ୍ପତ୍ତିର ମୂଳକାରଣର ଐକ୍ୟବଶତଃ ସେମାନେ ମହାପୁରୁଷ କିମ୍ବା ପ୍ରତିଭାଶାଳୀ ବ୍ୟକ୍ତିରୂପେ ଯେ କୌଣସି ଶ୍ରେଣୀର ବୀର ହୋଇ ପାରନ୍ତି । ଦେବାନୁଭାବ ବୀର ହେଉନ୍ତୁ, ଧର୍ମବୀର ହେଉନ୍ତୁ କବି ହେଉନ୍ତୁ, ବା ପରାକ୍ରମଶାଳୀ ରାଜା ହେଉନ୍ତୁ; ଏହି ଏକଚରମ ସତ୍ୟ, ଦେଶ, କାଳ ଓ ନିମିତ୍ତଭେଦର; ବିଭିନ୍ନ ଦୃଷ୍ଟିରେ ବିଭିନ୍ନ ପ୍ରକାରରେ ପ୍ରତିଭାତ ହୁଏ ।

 

ନିଭୃତରେ ଯେଉଁ ପ୍ରତିଭାଶାଳୀ ବ୍ୟକ୍ତି ଏକମନରେ ଓ ଏକପ୍ରାଣରେ କାବ୍ୟ କିମ୍ବା ଗୀତି ରଚନା କରନ୍ତି, ତାହାଙ୍କଠାରରେ ବୀରଭାବ ଅର୍ଥାତ୍‌ ବୀରତ୍ୱ ନାହିଁ- କହିବା ଅନ୍ୟାୟ । କାରଣ ତାହାଙ୍କଠାରେ ବୀର ସୁଲଭ ଭାବ ନ ଥିଲେ ସେ କଦାପି ଓଜସ୍ୱିନୀ ଭାଷାରେ ଉତ୍ସାହପୂର୍ଣ୍ଣ ସମର ସଙ୍ଗୀତ ଗାଇପାରନ୍ତେ ନାହିଁ । ରାଜନୀତିଜ୍ଞ, ମହାଭାବୁକ, ବ୍ୟବସ୍ଥାପକ ଓ ଦାର୍ଶନିକ–ଏ ସମସ୍ତେ କବି ହୋଇ ପାରନ୍ତି । ସେହି ନିୟମାନୁସାରେ ରାଜନୀତିକୁଶଳ ମିରାବୋଙ୍କ (Miraboan) ହୃଦୟରେ ଯେଉଁ ଉଦ୍ଦାମ ଆବେଗ ଓ ଉତ୍ତେଜନା ସୁସ୍ପଷ୍ଟ ଭାବରେ ବିଳସିତ ହୋଇଥିଲା, ତାହାର ଉଦ୍ଦୀପନାରେ ସେ ଜଣେ କବି-ପୁଙ୍ଗବ ହୋଇପାରି ନ ଥାନ୍ତେ, କିଏ ବିଶ୍ୱାସ କରିବ ? ଯଦି ତାଙ୍କର ଶିକ୍ଷା-ଦୀକ୍ଷା ସମସ୍ତ ରାଜନୀତି-ଦିଗରେ ପରିଚାଳିତ ହୋଇ ନଥାନ୍ତା ସେ କେତେ କାବ୍ୟ ଓ କେତେ ନାଟକ ଲେଖି କେତେ କେତେ ନରନାରୀଙ୍କ ହୃଦୟ ରଞ୍ଜନ କରି ଥାଆନ୍ତେ ! ନେପୋଲିଥନଙ୍କ କଥା ମଧ୍ୟ ତଦ୍ରୁପ । ମହତ୍‌ ବ୍ୟକ୍ତିମାନଙ୍କର ଧର୍ମ-ମହତ୍ତ୍ୱ ପଦର୍ଶନ । ଆମ୍ଭମାନଙ୍କ ତୁଲ୍ୟ ରକ୍ତ ମାଂସ ଶରୀର ପରିଗ୍ରହ କରି ସେମାନେ–ଜନ୍ମଗ୍ରହଣ କରନ୍ତି, ଆମ୍ଭମାନଙ୍କ ସଦୃଶ ଖାଦ୍ୟପାନୀୟ ଗ୍ରହଣ କରି ବର୍ଦ୍ଧିତ ହୁଅନ୍ତି ଓ ଆମ୍ଭମାନଙ୍କ ପରି ଜରାବ୍ୟାଧି ପ୍ରପୀଡ଼ନରେ ସେମାନେ ମଧ୍ୟ ଜର୍ଜରିତ ହୁଅନ୍ତି; କିନ୍ତୁ ମାନବର ଏହି ସାଧାରଣ ଦୃଷ୍ଟିର ଅନ୍ତରାଳରେ ସେମାନଙ୍କ ମଧ୍ୟରେ ଏବଂବିଧ ବିଶିଷ୍ଟ ଧର୍ମଯୁକ୍ତ ହୃଦୟ ଓ ମନର ଅସ୍ତିତ୍ୱ ବିରାଜମାନ, ଯଦ୍ଦ୍ୱାରା ସେମାନଙ୍କ ଅଲୌକିକ ଜୀବନ ଓ କାର୍ଯ୍ୟାବଳୀ ସେମାନଙ୍କୁ ମହାପୁରୁଷ ପ୍ରଭୃତି ଆଖ୍ୟାରେ ବିଭୂଷିତ କରି ମାନବ ସାଧାରଣ ମଧ୍ୟରେ ଚିରପୂଜ୍ୟ ଓ ଚିରସ୍ମରଣୀୟ କରି ରଖେ ।

 

ପ୍ରକୃତିଦେବୀ ସମସ୍ତଙ୍କୁ ଏକାଛାଞ୍ଚରେ ଗଢ଼ନ୍ତି ନାହିଁ । ସେ ମନୁଷ୍ୟର ଉପଯୋଗିତା ବିଚାର କରନ୍ତି । ତହୁଁ ଘଟଣା ଓ ଅବସ୍ଥାଭେଦରେ ପୃଥକ୍‌ପୃଥକ୍‌ ଦିଗରେ ତାହାର ଚିତ୍ତବିକାଶ ସାଧିତ ହୁଏ । ବୁଦ୍ଧିମାନ ଓ ମେଧାବୀ ବ୍ୟକ୍ତି ଯେ ବ୍ୟବସାୟ ଶିକ୍ଷା କରିବାକୁ ଇଚ୍ଛାକରେ, ସେ ତହିଁରେ ନିପୁଣତା ଲାଭ କରେ । ତାହାକୁ ଯେଉଁ କଳା ବା ବିଦ୍ୟା ଶିକ୍ଷା ଦିଅ, ସେ ସେଥିରେ ପାରଦର୍ଶୀ ହେବ, ଏହା ନିଃସନ୍ଦେହ । ତହିଁରେ ପାରଦର୍ଶିତା ଲାଭକରିବା ପରେ ସେ ସେହି ନିଦ୍ଦିଷ୍ଟ ବିଭାଗ ବ୍ୟତୀତ ଅନ୍ୟ କୌଣସି ଦିଗରେ କାର୍ଯ୍ୟ କରି ପାରିବ ନାହିଁ । ସେ ଯେଉଁ କାର୍ଯ୍ୟ ନିମିତ୍ତ ଉପଯୁକ୍ତ, ତାହାକୁ ସେହି ବିଭାଗରେ ନିଯୁକ୍ତ କରିବାହିଁ ଶ୍ରେଷ୍ଠ ପନ୍ଥା; କିନ୍ତୁ ଅନେକ ସମୟରେ ବୈଷମ୍ୟ ପରିଲକ୍ଷିତ ହୁଏ । ଦେଖିବାକୁ ପାଉଁ, କେଉଁଠାରେ ଜଣେ ଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳମାତ୍ରା ବିଶିଷ୍ଟ ମନୁଷ୍ୟ ଗୁରୁଭାର ବହନରେ ବିବ୍ରତ ଓ ବ୍ୟତିବ୍ୟସ୍ତ, କେଉଁଠାରେ ପୁଣି ଜଣେ ବଳିଷ୍ଠ ସୁସ୍ଥକାୟ ଲୌହ-କଠିନ ମାଂସପେଶୀ ବିଶିଷ୍ଟ ଲୋକ ଗୋଟିଏ କ୍ଷୁଦ୍ର ସୀବନ ଯନ୍ତ୍ର (ସିଲାଇକଳ) ଘେନି ବସ୍ତ୍ର ସୀବନ-କ୍ରିୟାରେ ବ୍ୟାପୃତ । କେବଳ ପ୍ରକୃତିଦେବୀଙ୍କର ନିଷ୍ପତ୍ତି ଏଥିରେ ଚୂଡ଼ାନ୍ତ ନୁହେ-। ବୀର ପୁରୁଷଙ୍କ ସମକ୍ଷରେ ବିଶ୍ୱବିଜେତା, ସମ୍ରାଟ, କବି ଓ ଦାର୍ଶନିକ ପ୍ରଭତିଙ୍କ ବିଷୟ ଉପସ୍ଥାପିତ କଲେସେ ଯେ କେଉଁ ରୂପେ ବୀରତ୍ୱ ଓ ପ୍ରତିଷ୍ଠାଲାଭ କରିବେ, ତାହା ନିଃସନ୍ଦେହ ଭାବରେ ନିରୂପଣ କରିବା ଅତିଶୟ ଗୁରୁତର ବିଷୟ ।

 

ଆଧୁନିକ ସ୍ଥୂଳ ଦୃଷ୍ଟିରେ କବି ଓ ଧର୍ମ-ଉପଦେଷ୍ଟା ଅନେକାଂଶରେ ବିଭିନ୍ନ । କିନ୍ତୁ ମୂଳଅର୍ଥ ବିଚାର କରି ଦେଖିଲେ ସାମ୍ୟ ଓ ସାମଞ୍ଜସ୍ୟ ଶୋଭନ ରୂପେ ପରିଲକ୍ଷିତ ହୁଏ । ଉଭୟେ ଜଗତର ସେହି ପବିତ୍ର ଗୃଢ଼ରହସ୍ୟ ଭେଦ କରିଅଛନ୍ତି । ଯାହାକୁ ବିଶ୍ୱକବି ଗୋଇଥେ (Goeth) ପ୍ରକାଶ ରହସ୍ୟ ଆଖ୍ୟା ଦେଇଅଛନ୍ତି; ତାହା ସମସ୍ତଙ୍କ ନମିତ୍ତ ଉନ୍ମୁକ୍ତ, କିନ୍ତୁ କାହାର ଆଧ୍ୟାତ୍ମିକ ଜଗତ୍‌ ବ୍ୟବସ୍ଥିତ । ଚନ୍ଦ୍ରତାରକାଦିଖଚିତ ଅନନ୍ତ ଗଗନଠାରୁ ଆରମ୍ଭ କରି ଏହି ପରିଦୃଶ୍ୟମାନ ହରିନ୍ନଣିନିଭ ଦୁର୍ବାଦଳଶୋଭୀ ଭୂତଳ ପର୍ଯ୍ୟନ୍ତ ସମସ୍ତ ସେହି ଆଧ୍ୟତ୍ମିକ ଜଗତର ବହିଃପ୍ରକାଶ । ଏହି ଦିବ୍ୟ ରହସ୍ୟ ସର୍ବତ୍ର ସର୍ବଦା ବିରାଜମାନ; କିନ୍ତୁ ଏହା ଅନେକ ସମୟରେ ଉପେକ୍ଷିତ ହୋଇଥାଏ । ଜଗତ୍‌ସ୍ରଷ୍ଟା ଜଗଦୀଶ୍ୱରଙ୍କ ଅସ୍ତିତ୍ୱରେ ମଧ୍ୟ ବିଶ୍ୱାସ ସ୍ଥାପନ କରାହୋଇ ନଥାଏ । ତାଙ୍କରି ସୃଷ୍ଟି ବିଶ୍ୱରେ ବାସକରି ତାଙ୍କ ଅସ୍ତିତ୍ୱ ସ୍ୱୀକାର ନ କରିବା ଅତିଶୟ ପରିତାପ ଓ କ୍ଷୋଭର ବିଷୟ । ଏପରି ଭାବରେ ଜୀବନ ଧାରଣ କରିବା ଅପେକ୍ଷା ମୃତ୍ୟୁ ଶତଗୁଣରେ ଶ୍ରେୟସ୍କର ।

 

କବି ଓ ଧର୍ମୋପଦେଷ୍ଟାଙ୍କର ଧର୍ମମତ ଏକ । ସେମାନଙ୍କ ଜୀବନର ଉଦ୍ଦେଶ୍ୟ, ବିଶ୍ୱସଂସାରର ଗୃଢ଼ରହସ୍ୟ ଗାଢ଼ଭାବରେ ଉପଲବ୍‌ଧି କରି, ବିଶ୍ୱଜନ ସମକ୍ଷରେ ବିଶଦ ଭାବରେ ଉପସ୍ଥାପିତ କରିବା । ସେମାନଙ୍କର କର୍ତ୍ତବ୍ୟ;- ଜନସାଧାରଣ ଯେଉଁ ଗୁଢ଼ ରହସ୍ୟ ଓ ମହାନ୍‌ସତ୍ୟ ବିଶ୍ୱ-ମୋହିନୀ ମାୟାର କୁହୁକ ମନ୍ତ୍ରରେ ପଡ଼ି ଭୁଲିଯାଆନ୍ତି, ତାହା ବିଶ୍ୱଜନ ସମକ୍ଷରେ ପ୍ରକାଶ କରି ସେମାନଙ୍କଠାରେ ଚେତନା ଦାନ କରିବା । ତଦ୍ୱାରା ଉଦ୍‌ବୋଧିତ ହୋଇ ଧର୍ମର ଉନ୍ନତ ଭାବରାଜି ସ୍ୱୀୟ ଜୀବନରେ ସମ୍ୟକ୍‌ ଉପଲବ୍‌ଧି କରି କେତେ ନରନାରୀ ଆଧ୍ୟତ୍ମିକ ଉଚ୍ଚ ଅନୁଭୂତି ଲାଭ କରିଅଛନ୍ତି । ଜନସାଧାରଣ ତାହା ଭୁଲିଯାଇ ପାରନ୍ତି; କିନ୍ତୁ ସେମାନଙ୍କ ମନରେ ତାହା ସଦା ସର୍ବଦା ଜାଗରୁକ ଥାଏ । ସେମାନଙ୍କର ଜୀବନ ସତ୍ୟ ଭିତ୍ତିରେ ଅବସ୍ଥିତ, ତେଣୁ ତାହା ଜାଣିବା ସେମାନଙ୍କର ସ୍ୱଭାବସିଦ୍ଧ । ସେମାନଙ୍କ ଉପରେ ଜନଶ୍ରୁତି କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ । ସେମାନେ ସ୍ୱୀୟ ଅନ୍ତର୍ଦୃଷ୍ଟି ଓ ସରଳ ଅଟଳ ବିଶ୍ୱାସ ଦ୍ୱାରା ତାହା ଅନୁଭବ କରନ୍ତି, ତେଣୁ ସେମାନେ ସରଳ ଓ ନିଷ୍କପଟ । ଯେଉଁମାନେ ପ୍ରକୃତିର ବାସ୍ତବ ରାଜ୍ୟରେ ବିଚରଣ କରନ୍ତି, ସେମାନେ ସତ୍ୟକୁ ଛାଡ଼ି ତିଷ୍ଠି ପାରନ୍ତି ନାହିଁ । ଆପାମର ସାଧାରଣଙ୍କୁ ସାମାନ୍ୟ ଓ ଅସାର ବୋଲି ପ୍ରତୀତ ହେଲେହେଁ ସେମାନଙ୍କ ଦୃଷ୍ଟିରେ ତାହା ପ୍ରକୃତ ସତ୍ୟ । କବି ଓ ଧର୍ମୋପଦେଷ୍ଟାମାନଙ୍କ କାର୍ଯ୍ୟସମାନ, କାରଣ ଉଭୟେ ସେହି ରହସ୍ୟ–ଉଦ୍‌ଘାଟନରେ ବ୍ରତୀ ।

 

ସାମଞ୍ଜସ୍ୟ ସତ୍ତ୍ୱେ ହିଁ ବ୍ୟବହାରଗତ ବୈସାଦୃଶ ଜଗତରେ ଆଦି କାଳରୁ ଚାଲି ଆସୁଅଛି । ଧର୍ମୋପଦେଷ୍ଟା ପବିତ୍ର ଗୁଢ଼ ରହସ୍ୟକୁ ନୈତିକ ଚକ୍ଷୁରରେ ଦେଖନ୍ତି । ସେ କେବଳ ନୈତିକ ପନ୍ଥା ଅନୁସରଣ କରି କର୍ମକ୍ଷେତ୍ରରେ ଅବତରଣ କରନ୍ତି । ନୈତିକ ବିଷୟ ବ୍ୟତୀତ ଅନ୍ୟକୌଣସି ପଦାର୍ଥ ସେ ଗ୍ରାହ୍ୟ କରନ୍ତି ନାହିଁ । ସେ ସତ୍ୟ ଓ ଅସତ୍ୟ, ନ୍ୟାୟ ଓ ଅନ୍ୟାୟ, ଭଲ ଓ ମନ୍ଦ, ପାପ ଓ ପୁଣ୍ୟ, କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ଇତ୍ୟାଦି ବିଷୟମାନ ଆଲୋଚନା କରନ୍ତି, କିନ୍ତୁ ପକ୍ଷାନ୍ତରେ କବି ସୌନ୍ଦର୍ଯ୍ୟବୋଧ ପ୍ରତି ଲକ୍ଷ୍ୟ ରଖନ୍ତି । ସେ ଦେଖନ୍ତି କେବଳ ସୁନ୍ଦର । ତାଙ୍କର ପୂଜା ସୌନ୍ଦର୍ଯ୍ୟର ପୂଜା । ସୌନ୍ଦର୍ଯ୍ୟ ବିକାଶ କରିବା ଓ ତଦ୍ୱାରା ଜନସାଧାରଣଙ୍କର ଆତ୍ମପ୍ରସାଦ ଜନ୍ମାଇବା ତାଙ୍କର ଧର୍ମ । ଜଣେ ଶିକ୍ଷା ଦିଅନ୍ତି - ଆମ୍ଭମାନଙ୍କର କର୍ତ୍ତବ୍ୟ କ’ଣ ଏବଂ ଅନ୍ୟ ଜଣେ ଶିକ୍ଷା ଦିଅନ୍ତି ଆମ୍ଭମାନଙ୍କର ଆଦର କରିବାର ଅର୍ଥାତ୍‌ ପ୍ରେମର ବସ୍ତୁ କ’ଣ । ପ୍ରକୃତ ଭାବରେ ଦେଖିଲେ, ସେଥିରେ କୌଣସି ଅସାମଞ୍ଜସ୍ୟ ନାହିଁ । ବାସ୍ତବରେ ସେମାନେ ବିସଦୃଶ ନୁହନ୍ତି, ପରସ୍ପର ଅଭିନ୍ନ । ଧର୍ମୋପଦେଷ୍ଟାମାନଙ୍କର ସୌନ୍ଦର୍ଯ୍ୟବୋଧ ମଧ୍ୟ ପୂର୍ଣ୍ଣମାତ୍ରାରେ ଥାଏ, ତାହା ହେଲେ ସେମାନେ ଭଗବତ୍‌ ସୃଷ୍ଟ ପଦାର୍ଥ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୁଗ୍‌ଧ ହୋଇ ଭଗବତ୍‌ ପ୍ରେମରେ ଆତ୍ମହରା ହୋଇ ପଡ଼ନ୍ତେ ନାହିଁ । ପ୍ରକୃତିର ଚାରୁଚ୍ଛଟାରେ ସେମାନେ ମୁଗ୍‌ଧ ହୋଇ ଭଗବତ୍‌ ମହିମା ପ୍ରଚାର କରନ୍ତି ସିନା । ସରୋବରସ୍ଥିତ ନୀଳୋତ୍ପଳ ପ୍ରତି ଦୃଷ୍ଟି ନିକ୍ଷେପ କଲେ କାହାର ହୃଦୟ ଅପାର ଆନନ୍ଦ-ରସରେ ଆପ୍ଲୁତ ନ ହୁଏ ? ସେ ଅପୂର୍ବ ସୌନ୍ଦର୍ଯ୍ୟ ସନ୍ଦର୍ଶନ କରି କିଏ ଆତ୍ମହରା ହୋଇ ନ ପଡ଼େ ? ପୃଥିବୀର ଅନ୍ତରରେ ସୌନ୍ଦର୍ଯ୍ୟ-ସତ୍ତା ନଥିଲେ ସେ କ’ଣ ଏଡ଼େ ସୁନ୍ଦର ପଦାର୍ଥ ଉତ୍‌ପାଦନ କରିପାରନ୍ତା ? ଭଗବାନ ଚିର ସୁନ୍ଦର–‘‘ସତ୍ୟ ଶିବ ସୁନ୍ଦର,’’ ତେଣୁ ତାଙ୍କ ରଚିତ ବିଶ୍ୱ ସୁନ୍ଦର ଓ ପ୍ରଭାମୟ । ଯାହା ସତ୍ୟ, ତାହା ସୁନ୍ଦର; ଏବଂ ଯାହା ସୁନ୍ଦର, ତାହା ଚିର ସତ୍ୟ । ସତ୍ୟ ଓ ଅସତ୍ୟ ମଧ୍ୟରେ ଯେପରି ସ୍ୱର୍ଗ ମର୍ତ୍ତ୍ୟ ପ୍ରଭେଦ , ସୁନ୍ଦର ଓ ଅସୁନ୍ଦର ମଧ୍ୟରେ ମଧ୍ୟ ତଦ୍ରୁପ ।

 

ପୁରାକାଳୀନ ଏବଂ ଆଧୁନିକ ଏପରି କେତେକ କବି ଅଛନ୍ତି ସେମାନଙ୍କୁ ଜନ ସମାଜ ଏକାବେଳକେ ଦୋଷ ରହିତ ବୋଲି କହନ୍ତି, ସେମାନେ ନିର୍ଦ୍ଦୋଷ. ସେମାନଙ୍କର ଆତ୍ମାରେ ପୂର୍ଣ୍ଣତା ଅଛି । ସେମାନଙ୍କର ଦୋଷ ଦର୍ଶାଇବା ଗୋଟିଏ ଗୁରୁତର ଅନ୍ୟାୟ ।

 

ଏଠାରେ ଊଲ୍ଲେଖ ଯୋଗ୍ୟ, ଏହା ଆପାତସତ୍ୟ ହେଲେହେଁ ବାସ୍ତବରେ ଏ ଧାରଣା ଭ୍ରମାତ୍ମକ । ସର୍ବଗୁଣସମନ୍ୱିତ ନିର୍ଦ୍ଦୋଷ କବି ଏ ପୃଥିବୀରେ ପ୍ରାୟ ଦେଖିବାକୁ ମିଳନ୍ତି ନାହିଁ । ପ୍ରତ୍ୟେକ ମନୁଷ୍ୟ–ପ୍ରାଣରେ ଗୋଟିଏ କବିତାର ଧାରା ପ୍ରବାହିତ, ଏକାବେଳକେ କେହି ତହିଁରୁ ବଞ୍ଚିତ ନୁହନ୍ତି । ଆମ୍ଭେମାନେ ଯେତେବେଳେ ସୁନ୍ଦର ଭାବରେ ଗୋଟିଏ କବିତା ପଢୁଁ, ସେତେବେଳେ ଆମ୍ଭେମାନେ ମଧ୍ୟ ଠିକ୍‌ କବିଙ୍କ ତୁଲ୍ୟ ଅନୁଭବ କରୁଁ । ଆମ୍ଭମାନଙ୍କର ଯେଉଁ ମାନସିକ କଳ୍ପନା ଦାନ୍ତେଙ୍କର ନରକର ଭୀଷଣ ବର୍ଣ୍ଣନାରେ ପ୍ରକମ୍ପିତ ଓ ଭୀତ ତ୍ରସ୍ତ, ତାହା ଦାନ୍ତେଙ୍କର କଳ୍ପନା ଠାରୁ ବିଶେଷ ପରିମାଣରେ ନିକୃଷ୍ଟ ନୁହେ । ଯଦ୍ୟପି ସେକ୍‌ସ୍‌ପିଅରଙ୍କ ପରି ଅସାଧାରଣ ମାନବ, ଗ୍ରାମାଟିକସ୍‌ଙ୍କର ଗଳ୍ପରୁ ହାମ୍‌ଲେଟ୍‌ ଲେଖିଥିଲେ, ତଥାପି ସାଧାରଣ ମନୁଷ୍ୟ, ଭଲ ହେଉ, ମନ୍ଦ ହେଉ, ତାହା ଅବଲମ୍ବନ କରି ଗୋଟିଏ ଗଳ୍ପ ଲେଖିପାରେ । କିନ୍ତୁ ଯେଉଁ ମନୁଷ୍ୟ ମଧ୍ୟରେ କବିତ୍ୱର ବୀଜ ବିଶେଷ ପରିମାଣରେ ବର୍ତ୍ତମାନ, ସେ କବି ନାମରେ ପରିଚିତ । ବିଶ୍ୱ-କବିମାନେ ମଧ୍ୟ ତଦ୍ରୁପ ସମାଲୋଚକମାନଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ହୁଅନ୍ତି । ଯେଉଁମାନେ ବହୁଗୁଣରେ ପରିପୂର୍ଣ୍ଣ ଅର୍ଥାତ୍‌ ଆତ୍ମପୂର୍ଣ୍ଣତା-ବିଶିଷ୍ଟ ଯେଉଁ ବିଶିଷ୍ଟ କବିମାନେ ସାଧାରଣ କବିଙ୍କଠାରୁ ଉଚ୍ଚତର ସେପାନରେ ଅବସ୍ଥାନ କରନ୍ତି, ବିଶ୍ୱଜନୀନତା ହେତୁ ସେମାନେ ବିଶ୍ୱ-କବି ଆଖ୍ୟାପ୍ରାପ୍ତ ହୁଅନ୍ତି । ଅବଶ୍ୟ ଏହି ସମ୍ମାନ ଅତି ସ୍ୱଚ୍ଛନ୍ଦ ବିଚାରର ନିଦର୍ଶନ । ଅଧିକାଂଶ ସାଧାରଣ କବିମାନେ ଅତିଶୀଘ୍ର ବିସ୍ତୃତି ସାଗରରେ ବିଲୟ ଭଜନ୍ତି । ମହାମତି ସେକ୍‌ସ୍‌ପିଅର କିମ୍ବା ହୋମର ପ୍ରଭୃତି କବିପୁଙ୍ଗବମାନେ ବିଶ୍ୱଜନ-ସମାଜରେ ବହୁକାଳ-ବ୍ୟାପୀ ସ୍ୱ-ପ୍ରାଧାନ୍ୟ ବିସ୍ତାର କରନ୍ତି ସତ୍ୟ; କିନ୍ତୁ କ୍ରୂର କାଳର ପ୍ରଭାବରେ ସେମାନେ ମଧ୍ୟ ଦିନେ ବିଲୟ ଭଜିବେ ।

 

ପଦ୍ୟ ଓ ଗଦ୍ୟ ମଧ୍ୟରେ ଅନ୍ତର ମହାନ୍‌, ଏହା ଅନେକ ମନୀଷୀ ନିର୍ଦ୍ଦେଶ କରିଅଛନ୍ତି ସତ୍ୟ; କିନ୍ତୁ ଅତି ବିଶେଷ ଭାବରେ ପର୍ଯ୍ୟାଲୋଚନା କରି ଦେଖିଲେ ପାର୍ଥକ୍ୟ ବିଶେଷ ଅନୁଭୂତ ହୁଏ ନାହିଁ । ଅନେକ କହନ୍ତି କବି ହୃଦୟରେ ଅସୀମତାର ସତ୍ତା ନିହିତ ଥାଏ, ତଦ୍ୱାରା ସେ ସସୀମତା ମଧ୍ୟରେ ଅସୀମତାର ଆଭାସ ଦିଅନ୍ତି; କିନ୍ତୁ କଥାଟା ପୂର୍ଣ୍ଣ ସତ୍ୟ ନୁହେ । ଅବଶ୍ୟ କିଞ୍ଚିତ୍‌ ପରିମାଣରେ ସତ୍ୟ ହୋଇପାରେ ।

 

ପ୍ରାଚୀନ ମତାନୁସାରେ କାବ୍ୟ, ବିଶେଷତଃ ପଦ୍ୟ କାବ୍ୟ, ଛନ୍ଦ ଆକାରରେ ହେବା ଉଚିତ । ଏହି ଉକ୍ତି ଯଥାର୍ଥ ଅଛ । କବିତାର ସୀମା ନିର୍ଦ୍ଦେଶ କରିବାକୁ ହେଲେ କବିତାର ବର୍ଣ୍ଣନା ଯେ କେବଳ ସୁମଧୁର ଏବଂ ସୁଶ୍ରାବ୍ୟ ହେବ, ତାହା ନୁହେ । ପରନ୍ତୁ ଭାବୁକର ଚିନ୍ତା, କଳ୍ପନା, ଅନୁଭୁତି ଓ ପ୍ରେରଣା ସମସ୍ତ ସୁନ୍ଦର ଓ ସୁମଧୁର ହେବା ଉଚିତ ଏବଂ ସେଥି ସଙ୍ଗେ ସଙ୍ଗେ ତାଙ୍କର ସୌନ୍ଦର୍ଯ୍ୟବୋଧ ଥିବା ପ୍ରୟୋଜନ । ଭାବ କଳ୍ପନା ପ୍ରଭୃତି ସମସ୍ତ ସୁନ୍ଦର ହେଲେ, ତାହାକୁ କବିତା ବୋଲାଯାଏ । ଯେଉଁ ଭାବ ଅତିଶୟ ଉଦାର ଓ ଉଚ୍ଚ ଏବଂ ଯାହା ବର୍ଣ୍ଣିତ ବିଷୟର ରହସ୍ୟ ଭେଦ କରିଅଛି ଏବଂ ଯହିଁରେ ଅର୍ନ୍ତଜଗତର ସୌନ୍ଦର୍ଯ୍ୟ ଓ ସଂଗତି ବିଶେଷ ଭାବରେ ପରିଷ୍ଫୁଟ, ତାହାହିଁ କେବଳ କବିତାରେ ଅର୍ଥାତ୍‌ ଛନ୍ଦ-ଆକାରରେ ଉଚ୍ଛ୍ୱସିତ ହୋଇଉଠେ । କବିତା କିମ୍ବା ସଙ୍ଗୀତ ଏକ ପ୍ରକାର ଅବ୍ୟକ୍ତ ଅପରିମେୟ ଭାବର ଅଭିବ୍ୟକ୍ତି ଯାହା ଆମ୍ଭମାନଙ୍କୁ ଅସୀମ ରାଜ୍ୟ-ସୀମାରେ ଉପସ୍ଥିତ କରାଇ ଆତ୍ମହରା କରିଦିଏ; ବିସ୍ମୟ ବିସ୍ଫୁରିତ ନେତ୍ରରେ ଆମ୍ଭେମାନେ କିଛିକାଳ ନିମନ୍ତେ ସେହି ଦିଗକୁ ଦୃଷ୍ଟିପାତ କରି ରହୁଁ, ଆମ୍ଭମାନଙ୍କ ସମ୍ମୁଖରେ ‘‘ଶୋକ ପାସୋରା ଅପ୍‌ସରା-ଭୁବନର’’ ଛବି ଧାରଣ କରି ଆମ୍ଭମାନଙ୍କୁ ସ୍ୱର୍ଗ ସୁଖ ଅନୁଭବ କରାଇ ଦିଏ ।

 

ଗାନ-ଯାବତୀୟ ଗଭୀର ଭାବର ନାମାନ୍ତର ମାତ୍ର । ପ୍ରତ୍ୟେକ ଉଚ୍ଚ ଏବଂ ମହତ୍‌ ଭାବରେ ଗାନର ସତ୍ତା ନିହିତ ଥାଏ । ଭାବ-ଗାମ୍ଭୀର୍ଯ୍ୟ ହେତୁ ତାହା ଗାନରୂପେ ପ୍ରତିଭାତ ହୁଏ । ସୁମଧୁର ସୁଶ୍ରାବ୍ୟ ସଙ୍ଗୀତହିଁ କବିତା । ଯେ କବିତାକାରରେ ଭାବିବାକୁ ସମର୍ଥ, ସେ କବି । ଗଭୀର ଅନ୍ତର୍ଦୃଷ୍ଟି ତାଙ୍କୁ କବି କରି ତୋଳେ । ଚିନ୍ତାକରି ଦେଖ, କବିତାକାରରେ ନ ଭାବି ତୁମ୍ଭେ ରହି ପାରିବ ନାହିଁ । ପ୍ରକୃତିଦେବୀଙ୍କର ଅନ୍ତରତମ ପ୍ରଦେଶ କେବଳ କବିତାମୟ । କଥା ହେଉଛି ତୁମ୍ଭେ ସେଠାରେ ପହଞ୍ଚି ପାରିଲେ ହେଲା ।

 

ପ୍ରକୃତିଦେବୀଙ୍କର ପ୍ରତ୍ୟାଦେଶ ପ୍ରଖ୍ୟାପନ କବି ସାଧାରଣଙ୍କ ସମକ୍ଷରେ ନର-ଦେବତା ଏବଂ ଧର୍ମୋପଦେଷ୍ଟାଙ୍କ ତୁଳନାରେ ନିକୃଷ୍ଟ ବୋଲି ବୋଧ ହୁଅନ୍ତି । ସେଥି ନିମିତ୍ତ ତାଙ୍କ ପ୍ରତି କିଞ୍ଚିତ ଅଳ୍ପ ଶ୍ରଦ୍ଧା ଓ ଭକ୍ତି ପ୍ରଦର୍ଶନ କରା ହୁଏ । ପ୍ରଥମେ ଦେବାନୁଭାବବୀର, ତତ୍‌ପରେ ଧର୍ମୋପଦେଷ୍ଟାବୀର ଏବଂ ତତ୍‌ପରେ କବି; ତେଣୁ କ୍ରମଶଃ ମହାପୁରୁଷମାନଙ୍କ ସମ୍ବର୍ଦ୍ଧନାର ମାତ୍ରା ହ୍ରାସ ହେଲାପରି ପ୍ରତୀତ ହେଉନାହିଁ କି ? ପ୍ରଥମେ ବୀରଙ୍କୁ ଦେବତାରୂପେ, ତତ୍‌ପରେ ଦେବାନୁପ୍ରାଣିତ ରୂପେ ଗ୍ରହଣ କରି ତତ୍‌ପରବର୍ତ୍ତୀ ଯୁଗରେ କାବ୍ୟଲେଖକ, ଗାନରଚକ, ପ୍ରତିଭାଶାଳୀ ବ୍ୟକ୍ତି ପ୍ରଭୃତି ଭାବରେ ଗ୍ରହଣ କରା ହେଉଛି; କିନ୍ତୁ ପ୍ରକୃତପକ୍ଷେ ତାହା ନୁହେ, କାରଣ ଅଦ୍ୟାପି ମନୁଷ୍ୟ ହୃଦୟରେ ମହାପୁରୁଷଙ୍କ ପ୍ରତି, ଅନନ୍ୟ ସାଧାରଣ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ପ୍ରତି, ସେହି ସ୍ୱଭାବସିଦ୍ଧ ଶ୍ରଦ୍ଧା ଓ ଭକ୍ତି ସୁଷ୍ପଷ୍ଟ ବିଦ୍ୟମାନ; ନାମକରଣ ସହିତ ସମ୍ପର୍କ ନାହିଁ ।

 

ଯଦ୍ୟପି ଜନସାଧାରଣ ଆଜିକାଲି ମହାପୁରୁଷମାନଙ୍କୁ ଭଗବାନ୍‌ ବୋଲି ବିଶ୍ୱାସ କରୁନାହାନ୍ତି, ତାହାର କାରଣ ଏହି ଯେ, ସେହି ନିତ୍ୟ ଶୁଦ୍ଧ ପରମ ଜ୍ୟୋତିର୍ମୟ ପରମେଶ୍ୱରଙ୍କ ବିଷୟରେ ଆମ୍ଭମାନଙ୍କର ଧାରଣା କ୍ରମଶଃ ଉତ୍ତରୋତ୍ତର ବୃଦ୍ଧି ପାଉଅଛି; କିନ୍ତୁ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି କୌଣସି ପରିମାଣରେ ହ୍ରାସ ପାଇ ନାହିଁ । ଯଦିଚ ଆଧୁନିକ ନବ୍ୟସଭ୍ୟ ଶିକ୍ଷିତମଣ୍ଡଳୀକୁ ଅବିଶ୍ୱାସରୂପୀ ମହାକାଳକୁଟସର୍ପ ଦଂଶନ କରିଅଛି, ତଥାପି ତାହା ବେଶୀଦିନ ସ୍ଥାୟୀ ହେବ ନାହିଁ । ଏହି ଅବିଶ୍ୱାସ ରୂପ ଘୋର ବ୍ୟାଧି ସମସ୍ତଙ୍କୁ ଘୋଟି ମହାପୁରୁଷଙ୍କ ଅର୍ଚ୍ଚନାରେ ସେମାନଙ୍କର ପକ୍ଷାଘାତ ଜନ୍ମାଇଅଛି । ଏହି ପକ୍ଷାଘାତ ସତ୍ତ୍ୱେ ନେପୋଲିଅନ ଯେପରି ପୂଜା ଓ ସମ୍ୱର୍ଦ୍ଧନା ପାଇଅଛନ୍ତି, ସେପରି ବୋଧହୁଏ ସମଗ୍ର ପୃଥିବୀର ଧର୍ମଗୁରୁ କିମ୍ବା ବିଶ୍ୱବିଜୟୀ ସମ୍ରାଟ ପାଇ ନାହାନ୍ତି । ପୁଣି ସେହି ସ୍କଟଲ୍ୟାଣ୍ଡ-ଦେଶୀୟ କବିବର ବର୍ଣ୍ଣସଙ୍କ (Burns) କଥା । ସମ୍ଭ୍ରାନ୍ତବଂଶୀୟ କେତେ ନରନାରୀ ଓ ଅନ୍ୟାନ୍ୟ କେତେ କେତେ କୃଷକ ସାଧାରଣ ତାଙ୍କ ଚତୁର୍ଦ୍ଦିଗରେ ପରିବେଷ୍ଟିତ ହୋଇ ତାଙ୍କୁ ଅତୁଳ ସମ୍ମାନ ପ୍ରଦର୍ଶନ କରିଥିଲେ । ସମୟ ଆସିବ, ଯେବେ ଅବିଶ୍ୱାସ ଓ ନିରୀଶ୍ୱରବାଦ ପ୍ରଭୃତି ସମୂଳେ ବିଧ୍ୱସ୍ତ ହୋଇ ତତ୍‌ପରିବର୍ତ୍ତରେ ପୁଣି ସରଳ ବିଶ୍ୱାସ ପ୍ରତିଷ୍ଠିତ ହେବ ଏବଂ ଏହି ପୃଥିବୀ ସ୍ୱର୍ଗରାଜ୍ୟରେ ପରିଣତ ହେବ । ଏ ଯୁଗରେ କବିଗୁରୁ ଦାନ୍ତେ ଓ ସେକ୍‌ସପିଅରଙ୍କଠାରେ ଦେବତ୍ୱ ଆରୋପିତ ହୋଇ ନାହିଁ ସତ୍ୟ, କିନ୍ତୁ ସେମାନେ ଅମରତ୍ୱ ଲାଭ କରିଅଛନ୍ତି । ସେ ବିଷୟରେ ପ୍ରଶ୍ନ କରିବା କେବଳ ଧୃଷ୍ଟତା ମାତ୍ର । ଏହି ଭାବ ବହୁ ବାଧାବିଘ୍ନ ସତ୍ତ୍ୱେ ପ୍ରାୟ ବହୁଯୁଗ ବ୍ୟାପି ଓ ଓତପ୍ରୋତ ଭାବରେ ଚାଲି ଆସୁଅଛି । ଦାନ୍ତେ ଓ ସେକ୍‌ସପିଅର ଦୁଇଜଣ ଅତୀ ଅସାଧାରଣ ଓ ଅଦ୍ୱିତୀୟ ପୁରୁଷ । ସେମାନେ ପୃଥକ ଭାବରେ ରାଜୋରିତ ସ୍ୱାତନ୍ତ୍ର୍ୟରେ ବିରାଜମାନ । ସମଗ୍ର ଜଗତର ଦୃଷ୍ଟିରେ ସେମାନେ ସର୍ବୋତକୃଷ୍ଟ ଦୋଷ-ଶୂନ୍ୟ ଓ ସର୍ବଗୁଣ-ସମନ୍ୱିତ କବି । ସେମାନଙ୍କ ଯଶ ଓ କୀର୍ତ୍ତି କେବଳ ବୀର-ପୂଜାର ପରିଚାୟକ । ବର୍ତ୍ତମାନ ସେମାନଙ୍କ ଜୀବନୀ ସମ୍ୟକ୍‌ ଆଲୋଚନା କରି ସେମାନଙ୍କର ମହତ୍ତ୍ୱ ଅବଧାରଣ କରିବୁଁ-

 

ଦାନ୍ତେଙ୍କର ଜୀବନୀ ଓ ତାଙ୍କ ପ୍ରଣୀତ ପୁସ୍ତକ ଉପରେ ଟୀକାଟିପ୍‌ପଣୀ ବହୁତ ଲିଖିତ ହୋଇଅଛି; କିନ୍ତୁ ତଦ୍ୱାରା ବିଶେଷ ଲାଭ ହୋଇନାହିଁ, ତାଙ୍କ ଜୀବନୀ ଏକାବେଳକେ ବିଲୁପ୍ତ ହୋଇଅଛି । ଆମ୍ଭମାନଙ୍କ ପକ୍ଷରେ ଯଥାର୍ଥ ଜୀବନୀ ସଂଗ୍ରହ କରିବା ଅସମ୍ଭବ । ଶୋକତାପ ଜର୍ଜ୍ଜରିତ ପରିବ୍ରାଜକ ଦାନ୍ତେଙ୍କର ଜୀବିତାବସ୍ଥାରେ ବିଶେଷ କୌଣସି ସମ୍ବାଦ ନିଆ ହୋଇ ନ ଥିଲା-। ତତ୍‌କାଳୀନ କୌଣସି ଲିଖିତ ଜୀବନୀ ନ ଥିବା ହେତୁ ବିଷୟରରେ ଯାହା କିଛି ଥିଲା, ବର୍ତ୍ତମାନ ତାହା ବିସ୍ତୃତି ସାଗରରେ ଲୁପ୍ତ ହୋଇଅଛି । ଦେଖୁଁ ଦେଖୁଁ ପ୍ରାୟ ଷଷ୍ଠାଧିକ ଶତାବ୍ଦୀ ଅତିବାହିତ ହୋଇଗଲାଣି । ଅନେକ ଟୀକା ଟିପ୍‌ପଣୀ ସତ୍ତ୍ୱେ ତାଙ୍କ ପ୍ରଣୀତ ପୁସ୍ତକହିଁ ତାଙ୍କ ବିଷୟରେ ଯଥେଷ୍ଟ ଆଭାସ ପ୍ରଦାନ କରେ । ଏହି ଗ୍ରନ୍ଥ ଏବଂ ସାଧାରଣଙ୍କ ମତରେ ଜିଓଟୋଙ୍କ ଦ୍ୱାରା ଅଙ୍କିତ ପ୍ରତିକୃତି, ଯାହାକୁ ଦେଖିଲେ ଲୋକେ ସତ୍ୟ ନ କହି ରହି ପାରିବେ ନାହିଁ । ପ୍ରତିକୃତିଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ରୂପେ ପ୍ରତିଭାତ । ସମ୍ଭବତଃ ମତ୍‌ଦୃଷ୍ଟ ସମସ୍ତ ମୁଖର ପ୍ରତିକୃତି ମଧ୍ୟରେ ଏ ପ୍ରକୃତରେ ଅତୀବ ହୃଦୟସ୍ପର୍ଶୀ । ସଙ୍ଗବର୍ଜିତ, ଶୂନ୍ୟପଟାଙ୍କିତ, କେବଳ ଜୈତ୍ରମାଳାବିମଣ୍ଡିତ; ଚିରନ୍ତନ ଦୁଃଖ ଓ ଯନ୍ତ୍ରଣା ସେହି ସୁପ୍ରସିଦ୍ଧ ବିଶ୍ୱବିଦିତ ଅଥଚ ଅଦମ୍ୟ ଓ ଅପ୍ରଧୃଷ୍ୟ ବିଜୟ ଦାନ୍ତେଙ୍କର ସମସ୍ତ ଇତିବୃତ୍ତର ପରିଚାୟକ । ବାସ୍ତବରୁ ଯାବତ୍‌ ଚରିତ୍ର ମୁଖ ମଧ୍ୟରେ ଏ ମୁଖଟି ସାତିଶୟ ବିଷାଦମୟ, ମର୍ମ୍ମଭେଦୀ ଓ ସମ୍ପୂର୍ଣ୍ଣ ଶୋକପର୍ଯ୍ୟବସାୟୀ । ତହିଁରେ ତାହା ମୂଳ ସ୍ତରରୁ ବାଳକସୁଲଭ କୋମଳତା, କମନୀୟତା ଓ ମଧୁରତା ପରିଷ୍ଫୁଟ ଏବଂ ଏହି ସମସ୍ତ ଯେପରି କି ତ୍ରୀବ ବିରୋଧ, ପ୍ରତ୍ୟାଖ୍ୟାନ, ପୃଥକ୍‌ତ୍ୱ ସଦମ୍ଭ ନୈରାଶ୍ୟମୟ ବେଦନାରେ ବିପରିଣତ ଓ ଘନୀଭୂତ । ନବନୀତ-କୋମଳ ଦିବ୍ୟ ଆତ୍ମା ଘନସ୍ତରାବୃତ ତୁଷାରର କାରାଗାରରୁ ଯେପରି କି ଉଗ୍ର, ଅଦମ୍ୟ ରୁଦ୍ର ରୂପେ ପରିଦୃଶ୍ୟମାନ; ତଥାପି ଏହା ନୀରବ ଯନ୍ତ୍ରଣା, ଅଥଚ ନୀରବ ଅବଜ୍ଞା ଗର୍ଭକ ଯାତନା । ମର୍ମ୍ମବିଦାରୀ ବିଷୟ ପ୍ରତି ଦେବୋଚିତ ଜୁଗୂପ୍‌ସାରେ ତାଙ୍କର ଓଷ୍ଠ କୁଟିଳୀକୃତ, ଯେପରି କି ପୀଡ଼ା ଓ ବିକ୍ଷୋଭକାରୀ ବାସ୍ତବ ବିଷୟଠାରୁ ସେ ଅତି ଉଚ୍ଚରେ ଅବସ୍ଥିତ । ତାଙ୍କର ସେହି ମୁଖ ସମ୍ପୂର୍ଣ୍ଣ ବିରୋଧ ବ୍ୟଞ୍ଜକ ସମଗ୍ର ସଂସାର ବିପକ୍ଷରେ ଆଜୀବନ ଅଦମ୍ୟ-ସଂଗ୍ରାମ-ସୂଚକ । ସ୍ନେହ ଘୃଣାରେ ବିପରିଣତ, ଧୀର, ଶାନ୍ତ, ନୀରବ, ଦେବୋଚିତ-ଅଟଳ-ଜୁଗୁସ୍‌ପାରେ ପର୍ଯ୍ୟବସିତ । ଜଗତ୍‌ କି ନିମିତ୍ତ ଏବଂ ଭୂତ -ଏଥିରେ ନୟନ ବିସ୍ମୟ ଏବଂ ଅନୁସନ୍ଧିତ୍ସାରେ ବିସ୍ଫାରିତ । ଏହି ଦାନ୍ତେ-ଏବଂ ଭୂତ ସେ ଦୃଶ୍ୟମାନ । ଦଶ ନୀରବ ଶତାବ୍ଦୀ ପୂର୍ବର ଏହ ଗ୍ରନ୍ଥ ଗୁଢ଼, ଗମ୍ଭୀର ଭାବରେ ଗୀତିକା ପ୍ରଦାନ କରୁ ଅଛି ।

 

୧୨୬୫ ଖ୍ରୀଷ୍ଟାବ୍ଦରେ ସେ ଉଚ୍ଚବଂଶରେ ଫ୍ଲରେନ୍‌ସ୍‌ ନଗରୀରେ ଜନ୍ମ ଗ୍ରହଣ କରିଥିଲେ । ସେ ତତ୍‌କାଳୀନ ସର୍ବୋକୃଷ୍ଟ ଶିକ୍ଷାଲାଭ କରି ତର୍କ ଦର୍ଶନ ଓ ଅନ୍ୟାନ୍ୟ ଶାସ୍ତ୍ର ପୁରାଣାଦିରେ ବିଶେଷ କୃତିତ୍ୱ ଲାଭ କରିଥିଲେ । ସେ ସ୍ୱୀୟ ଅନନ୍ୟସାଧାରଣ ପ୍ରତିଭା ସାହାଯ୍ୟରେ ଅନେକ ଶିକ୍ଷଣୀୟ ପଦାର୍ଥ ଶିକ୍ଷା କରିଥିଲେ । ତାହାଙ୍କର ତୀକ୍ଷ୍‌ଣ ଓ ବିଚକ୍ଷଣ ବୁଦ୍ଧି ଦ୍ୱାରା ସେ ସମସ୍ତ ଶାସ୍ତ୍ର ପୁରାଣାଦିରୁ ସାର ଗ୍ରହଣ କରି ପାରୁଥିଲେ । ତାଙ୍କ ସନ୍ନିକଟବର୍ତ୍ତୀ ବିଷୟମାନ ସେ ସମ୍ପୂର୍ଣ୍ଣ ଉପଲବ୍‌ଧି କରି ପାରୁଥିଲେ; କିନ୍ତୁ ମୁଦ୍ରଣର ଅପ୍ରଚଳନ ହେତୁ, ମୁଦ୍ରିତ ପୁସ୍ତକର ଅଭାବରେ ଅନ୍ୟାନ୍ୟ ଦେଶର ବିଷୟମାନ ଜାଣି ପାରୁ ନଥିଲେ । ଶିକ୍ଷା ସମାପନାନ୍ତେ ସେ ସାଧାରଣ ବ୍ୟାବହାରିକ ଜୀବନରେ ପ୍ରବେଶ କରିଥିଲେ । ସୈନିକ ବିଭାଗରେ ପ୍ରବେଶ କରିଥିବା ହେତୁ ଫ୍ଲରେନ୍‌ସ ରାଜ୍ୟର ସ୍ୱାଧିନତା ରକ୍ଷା କରବା ନିମନ୍ତେ ତାଙ୍କୁ ଦୁଇଥର ଆସି ଧାରଣ କରିବାକୁ ହୋଇଥିଲା । ଅନେକ ସମୟରେ ଦୂତକାର୍ଯ୍ୟ ମଧ୍ୟ କରିବାକୁ ହୋଇଥିଲା । ବ ୩୫ର୍ଷ ବୟସରେ ସ୍ୱୀୟ ମେଧା ଓ ପ୍ରତିଭା ବଳରେ ସେ ଫ୍ଲରେନ୍‌ସର ଜଣେ ପ୍ରଧାନ ଶାସନକର୍ତ୍ତା ପଦବୀରେ ଅଧଷ୍ଠିତ ହୋଇଥିଲେ ।

 

ବାଲ୍ୟକାଳରେ ସେ ଜଣେ ପରମ ରୂପବତୀ ବାଳିକାକୁ ଅତିଶୟ ସ୍ନେହ ଦୃଷ୍ଟିରେ ଦେଖୁଥିଲେ । କ୍ରମେ କ୍ରମେ ସେ ତାଙ୍କ ପ୍ରତି ପ୍ରେମାକୃଷ୍ଟ ହୋଇଥିଲେ; କିନ୍ତୁ ବିଧିର ବିଧାନ ହେଲା ଅନ୍ୟପ୍ରକାର । ନିୟତିର ଅଲଙ୍ଘ୍ୟ ଶାସନ ହେତୁ ଅନ୍ୟ ଜଣେ ସେ ବାଳିକାର ପାଣିଗ୍ରହଣ କଲେ, ମାତ୍ର ବିବାହର କିଛିଦିନ ପରେ ସେହି ବାଳିକାଟି ପଞ୍ଚତ୍ୱ ପ୍ରାପ୍ତ ହେଲା । ଦାନ୍ତେ ବିବାହ କରିଥିଲେ ସତ୍ୟ, କିନ୍ତୁ ବିବାହରେ ସେ କେବେହେଁ ସୁଖୀ ହୋଇ ପାରି ନ ଥିଲେ । ସେ ମାନସିକ ଦୁଃଖରେ ଆଜୀବନ ଅତିବାହିତ କରିଥିଲେ । ଉକ୍ତ ବାଳିକାର ନାମ ତାଙ୍କର ଗ୍ରନ୍ଥର ନାନାସ୍ଥାନରେ ଉଲ୍ଲେଖ ଅଛି ଏବଂ ତହିଁରେ ସେ ଜଣେ ପ୍ରଧାନ ନାୟିକା ।

 

ଦାନ୍ତେଙ୍କର ଦୁଃଖ ଓ ଯାତନା ପ୍ରଭୃତି ବିଷୟରେ ଆମ୍ଭେମାନେ ଦୁଃଖ ପ୍ରକାଶ କରିବୁଁ ନାହିଁ କାରଣ ସେପରି ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗ କରି ନଥିଲେ ଦାନ୍ତେ ଜଣେ ପ୍ରଧାନ ପୁରୁଷ ହୋଇପାରି ନଥାନ୍ତେ । ପୃଥିବୀ ମଧ୍ୟ ଜଣେ ପ୍ରଧାନ ପୁରୁଷ ପାଇ ପାରି ନ ଥାନ୍ତା । ତାଙ୍କର କୌଣସି କଷ୍ଟ କିମ୍ବା ଅସୁବିଧା ହୋଇ ନ ଥିଲେ, ସେ ଫ୍ଲରେନ୍‌ସରେ ଜଣେ ପ୍ରଧାନ ବ୍ୟକ୍ତି ହୋଇପାରି ଥା’ନ୍ତେ- ବହୁତ ମାନ ସମ୍ମାନ ତାଙ୍କ ଦେଶରେ ପାଇଥାନ୍ତେ- କିନ୍ତୁ ଜଗତ୍‌ବ୍ୟାପୀ ସମ୍ମାନର ଅଧିକାରୀ ହୋଇ ପାରି ନ ଥାନ୍ତେ । ତାଙ୍କ ବ୍ୟତୀତ ଅନ୍ୟ କେହି (Devine comedy) ମିଳନାନ୍ତକ କାବ୍ୟ ଲେଖିପାରି ନ ଥାନ୍ତେ, କିନ୍ତୁ ତାଙ୍କ ଜୀବନ ଭିନ୍ନ ଉପାଦାନରେ ଗଠିତ, ତହୁଁ ତାଙ୍କ ଜୀବନର ଉଦ୍ଦେଶ୍ୟ ଅତି ମହତ୍ୱ । ତେଣୁ ବହୁ ବାଧା, ବିଘ୍ନ ଓ କଷ୍ଟ ସ୍ୱୀକାର କରି ସେ ସର୍ବଦା ସ୍ୱୀୟ କର୍ତ୍ତବ୍ୟକୁ ଦୃଷ୍ଟି ପଥରୁ ଅପସାରିତ କରି ନଥିଲେ । ପ୍ରାଣର ବିନିମୟରେ ସେ ଆମ୍ଭମାନଙ୍କୁ ଅମୁଲ୍ୟନିଧି ଦାନ କରି ଯାଇଅଛନ୍ତି ।

 

ଦାନ୍ତେଙ୍କର ଅଧିଷ୍ଠାନ କାଳରେ ଏପରି ରାଜନୈତିକ ଗଣ୍ଡଗୋଳ ସବୁ ଉପସ୍ଥିତ ହୋଇଥିଲା ଯେ, ତାଙ୍କର ପକ୍ଷ ଅପେକ୍ଷାକୃତ କ୍ଷମତାଶାଳୀ ହେଲେହେଁ ଦୁର୍ଦ୍ଦେବବଶତଃ ସେ ତାଙ୍କ ବନ୍ଧୁ ଓ ସହକର୍ମୀମାନଙ୍କ ସହିତ ରାଜ୍ୟରୁ ନିର୍ବାସିତ ହୋଇଥିଲେ ଏବଂ ସେହି ସମୟରୁ ତାଙ୍କୁ ନିରତିଶୟ କଷ୍ଟକର ଜୀବନ ଅତିବାହିତ କରିବାକୁ ପଡ଼ିଥିଲା । ତାଙ୍କ ପ୍ରତି ଏତେଦୂର ଅନ୍ୟାୟ ଆଚରିତ ହୋଇଥିଲା ଯେ, ତାହାଙ୍କର ସମ୍ପତ୍ତି ପର୍ଯ୍ୟନ୍ତ ବାଜିୟାପ୍ତ ହୋଇଥିଲା, ଏହି ଅମାନୁଷିକ ଅତ୍ୟାଚାର ଦେବ ମାନବ ଚକ୍ଷୁରେ ଘୋରତମ ପାଶବିକ । ପଦଚ୍ୟୁତ ଓ ନିର୍ବାସିତ ନ ହେବା ନିମନ୍ତେ ସେ ପ୍ରଭୂତ ଚେଷ୍ଟା କରିଥିଲେ । ଅସି ଦ୍ୱାରା ନିଜ ପକ୍ଷ ସମର୍ଥନ କରିବାକୁ ମଧ୍ୟ ଛାଡ଼ି ନ ଥିଲେ, କିନ୍ତୁ ମନ୍ଦ ଛଡ଼ା ଭଲ ଫଳ ହୋଇ ନଥିଲା । ସରକାରୀ ଇସ୍ତିହାର ଜାରି ହେଲା ଯେ, ଯେଉଁଠାରେ ଦାନ୍ତେ ଧୃତ ହେବେ, ସେଠାରେ ତତ୍‌କ୍ଷଣାତ୍‌ ତାଙ୍କୁ ଜୀବନ୍ତ ଦାହ କରିବାକୁ ହେବ । ଏହାର ଲିଖିତ ନିଦର୍ଶନ ଆଜସୁଦ୍ଧା ଫ୍ଲରେନ୍‌ସରେ ଥିବାର ପ୍ରକାଶ । ଆହୁରି ମଧ୍ୟ ଗୋଟିଏ ଚମତ୍କାର ସରକାରୀ ଲିଖିତ ନିଦର୍ଶନ ଅଛି, ତହିଁରେ ଦାନ୍ତେଙ୍କ ନିକଟକୁ ମାଜିଷ୍ଟ୍ରେଟଙ୍କ ଲିଖିତ ପତ୍ର ଓ ଦାନ୍ତେଙ୍କର ତତ୍‌ ପ୍ରତି ଉତ୍ତର । ସେହି ପତ୍ରରେ ମାଜିଷ୍ଟ୍ରେଟ ପ୍ରସ୍ତାବ କରନ୍ତି ଯେ, ଦାନ୍ତେ ଯଦି ତାଙ୍କର ସମସ୍ତ ଦୋଷ ସ୍ୱୀକାର କରି କିଛି ଅର୍ଥଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ସେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି, କିନ୍ତୁ ଦାନ୍ତେ ସଦମ୍ଭରେ ଉତ୍ତର ଦେଇଥିଲେ, ଯଦି ସେ ଦୋଷ ସ୍ୱୀକାର ନ କରି ପ୍ରତ୍ୟାବର୍ତ୍ତନ କରି ନ ପାରନ୍ତି, ତେବେ ସେ କେବେହେଁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାରେ ଅଭିଳାଷୀ ନୁହନ୍ତି । ନିଖିଳ ସଂସାରରେ ଦାନ୍ତେ ଗୃହ ଶୂନ୍ୟ, ତଥା ପଥର ଭିଖାରୀ । ବର୍ତ୍ତମାନ ଏବଂ ବିଧି ଅବସ୍ଥାରେ ଜଣେ ଆଶ୍ରୟଦାତାଙ୍କ ଠାରୁ ଅନ୍ୟ ଆଶ୍ରୟଦାତଙ୍କ ନିକଟକୁ ଏବଂ ଏକସ୍ଥାନରୁ ଅନ୍ୟ ସ୍ଥାନକୁ ଗମନ କରିବା ତାଙ୍କର କାର୍ଯ୍ୟ ହୋଇ ପଡ଼ିଥିଲା । ପର୍ଯ୍ୟଟନ ବ୍ୟତୀତ ତାଙ୍କର ଅନ୍ୟ କାର୍ଯ୍ୟ ନ ଥିଲା । ସେ ପର୍ଯ୍ୟଟନ ସମୟରେ ବଡ଼ କରୁଣ ଭାବରେ କହନ୍ତି, ‘‘ଆହା ! ସଂସାର ପଥ କି କଠିନ ଏବଂ ଦୁର୍ଗମ !’’ ସ୍ୱଭାବତଃ ଗମ୍ଭୀର ସ୍ୱଭାବ ହେତୁ ସେ କେତେବେଳେ ହେଲେ ରଙ୍ଗରସ, ଆନନ୍ଦ କୌତୁକରେ ଯୋଗଦାନ କରୁ ନ ଥିଲେ । ସର୍ବଦା ମୌନରେ ରହି ସେ ତାଙ୍କର ଭବିଷ୍ୟତ୍‌ ଚିନ୍ତା କରୁଥିଲେ । ସେ ଏକଦା କୌଣସି ରାଜସଭାରେ ଯୋଗ ଦେଇଥିଲେ । ରାଜପରିଷଦ୍‌ମାନେ ପ୍ରତ୍ୟହ ଆମୋଦପ୍ରମୋଦରେ ବ୍ୟାପୃତ ଥିବା ସମୟରେ ଧ୍ୟାନଗମ୍ଭୀର ଦାନ୍ତେ ନୀରବ ଭାବରେ ବସି ରହୁଥିଲେ । ତାହା ଅବଲୋକନ କରି ରାଜା କହିଲେ, ‘‘ ଏ ବଡ଼ ଆଶ୍ଚର୍ଯ୍ୟ କଥା, ତୁମ୍ଭେ ଏପରି ଭାବରେ କିପରି ବସିଅଛ ।’’ ତଦୁତ୍ତରରେ ଦାନ୍ତେ କହିଥିଲେ, ‘‘ସମାନକୁ ସମାନ ନ ହେଲେ ହୁଏ ନାହିଁ ।’’ ତାଙ୍କର ଏହି ଦାମ୍ଭିକତା ଯୋଗୁଁ ସେ ସେଠାରରେ ବେଶୀଦିନ ରହିପାରି ନ ଥିଲେ । ସେ କ୍ରମେ କ୍ରମେ ସ୍ପଷ୍ଟ ଜାଣିପାରିଲେ ଯେ, ଏ ପୃଥିବୀରେ ତାଙ୍କର ଆଉ ଆଶ୍ରୟସ୍ଥଳ ନାହିଁ, ପର୍ଯ୍ୟଟନ ବ୍ୟତୀତ ଗତ୍ୟନ୍ତର ନାହିଁ । ବର୍ତ୍ତମାନ ସେ ଦେଖିଲେ, ହୃଦୟର ସହିତ ସ୍ନେହ କରିବା, ତାଙ୍କର ମର୍ମନ୍ତୁଦ ଯନ୍ତ୍ରଣାରେ ସମବେଦନା ପ୍ରକାଶ କରିବା ଏବଂ ତାଙ୍କୁ ସାନ୍ତ୍ୱନା ଦେବାପାଇଁ ବିଶ୍ୱଚରାଚରରେ କେହି ନାହାନ୍ତି ।

 

ମାତୃଭୂମିରୁ ବିତାଡ଼ିତ ହେବାରେ ଚିନ୍ତା ଜର୍ଜ୍ଜରିତ ହୋଇ ଦାନ୍ତେଙ୍କର ମନରେ ପରକାଳର ଭାବ ସ୍ୱତଃ ଉଦ୍ରେକ ହେଲା । ସେହି ଚିର ଅମୃତମୟ ଦେଶ ତୁଳନାରେ, ଫ୍ଲରେନ୍‌ସ ରାଜ୍ୟ କିମ୍ଭା ତହିଁରୁ ନିର୍ବାସନ, ଅତିଶୟ କ୍ଷୁଦ୍ରାଦପି କ୍ଷୁଦ୍ର ମନେ ହୁଏ । ଫ୍ଲରେନ୍‌ସ ଦେଖିବା ଆଉ ତାଙ୍କ ଭାଗ୍ୟରେ ଘଟିବ ନାହିଁ; କିନ୍ତୁ ସ୍ୱର୍ଗ ନରକ ନିଶ୍ଚୟ ଦେଖିବାକୁ ହେବ । ସେହି ଶାଶ୍ୱତ ଦେଶକୁ ସମସ୍ତଙ୍କୁ ଯିବାକୁ ହେବ, ତେଣୁ ଏହି ନଶ୍ୱର ପୃଥିବୀରେ ଗୃହଶୂନ୍ୟ ହୋଇ ସେ ସେହି ଚିର ବର୍ତ୍ତମାନ ଦେଶରେ ଅଧିବାସୀ ହେବାକୁ ଚେଷ୍ଟିତ । ସେ ସମୟରେ ଦାନ୍ତେଙ୍କୁ ପରକାଳ ସମ୍ପୁର୍ଣ୍ଣ ସତ୍ୟ-ବୌଜ୍ଞାନିକ ସତ୍ୟରୂପେ ପ୍ରତିଭାତ ହୋଇଥିଲା । ଅହର୍ନିଶି ଦାନ୍ତେ ଏହିକଥା ଗଭୀର ଭାବରେ ଭାବି ଭାବି ଶେଷରେ ଗୁରୁଗମ୍ଭୀର ଭାଷାରେ ପ୍ରାଣର ଆବେଗରେ ସେହି ସୁମଧୁର ସ୍ୱର୍ଗୀୟ ସଙ୍ଗୀତ ଗାନ କରିଥିଲେ ଏବଂ ଏହି ଗାନ ହିଁ ତାଙ୍କର ସ୍ୱର୍ଗୀୟ ମିଳନାନ୍ତ କାବ୍ୟ (Divine Comedy) ନାମରେ ବିଶ୍ୱ ପରିଚିତ ।

 

ଦାନ୍ତେଙ୍କ ପକ୍ଷରେ ଅବଶ୍ୟ ଏହା ଅତିଶୟ ପ୍ରଶଂସାର ବିଷୟ ଯେ, ସେ ନିର୍ବାସିତ ଅବସ୍ଥାରେ ତାଙ୍କର ଦିବ୍ୟ କାବ୍ୟ ରଚନା କରିଥିଲେ । ଦାନ୍ତେ ସ୍ୱୟଂ ତାଙ୍କ କାର୍ଯ୍ୟର ଗୁରୁତ୍ୱ ଓ ମହତ୍ୱ ଉପଲବ୍‌ଧି କରିଥିଲେ, ତେଣୁ ସ୍ୱଗୃହ ସ୍ୱଦେଶ ଛାଡ଼ି ସୁଦ୍ଧା ସେ ପ୍ରାଣୀରେ ଅନେକ ପରିମାଣରେ ଶାନ୍ତିଲାଭ କରିଥିଲେ, କାରଣ ସେଠାରେ ଫ୍ଲରେନ୍‌ସ ଦେଶବାସୀମାନେ ତାଙ୍କ କାର୍ଯ୍ୟରେ ବାଧା ଦେବାପାଇଁ ନଥିଲେ; ସେଥି ସକାଶେ ସେ ଗର୍ବ ଅନୁଭବ କରିଥିଲେ । ସେ ଏହି କାର୍ଯ୍ୟରେ ବ୍ୟାପୃତ ରହି ତାଙ୍କର ବହୁମୂଲ୍ୟ ସ୍ୱାସ୍ଥ୍ୟ ନଷ୍ଟ କରିଥିଲେ । ରକ୍ତ ମାଂସ ବିନିମୟରେ ସେ ସେହି ଅମୂଲ୍ୟ ଅପୂର୍ବ ଗ୍ରନ୍ଥ ସମାପ୍ତ କରିଥିଲେ- କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଗ୍ରନ୍ଥ ତାଙ୍କ ଜୀବନର ଇତିବୃତ୍ତି । ସେ ଯେଉଁ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ, ତାହା ସମାପ୍ତ କରି ଷଷ୍ଠ ପଞ୍ଚାଶତ ବର୍ଷ ବୟଃକ୍ରମରେ ଇହଲୀଳା ସାଙ୍ଗ କରିଥିଲେ । ରେଭେନା ନଗରୀରେ ତାଙ୍କର ସମାଧି ହୋଇଥିଲା । ଏକ ଶତାବ୍ଦୀ ପରେ ଫ୍ଲରେନ୍‌ସ ଅଧିବାସୀମାନେ ତାଙ୍କର ମୃତଶରୀର ଭିକ୍ଷା କରିଥିଲେ; କିନ୍ତୁ ରେଭେନାବାସୀମାନେ ତହିଁରେ ସ୍ୱୀକୃତ ହେଲେନାହିଁ । ତାଙ୍କ ସମାଧି-ସ୍ତମ୍ଭ ଉପରେ ଖୋଦିତ ଅଛି, ‘‘ଜନ୍ମଭୂମିରୁ ବିତାଡ଼ିତ ହୋଇ ଦାନ୍ତେ ଏହିଠାରେ ଚିରନିଦ୍ରା ଭଜିଅଛନ୍ତି ।’’

 

ପୂର୍ବରୁ କୁହା ହୋଇଅଛି ଯେ, ଦାନ୍ତେଙ୍କର କାବ୍ୟ ଗୀତିମୟ । ଟିକ୍‌ (Tieok) କହିଅଛନ୍ତି, ଏହା ଗୋଟିଏ ଅତି ଗୂଢ଼ ରୂପକ ଗୀତିକା ବାସ୍ତବରେ ଏହାହିଁ ତାହାର ପ୍ରକୃତ ସ୍ୱରୂପ । କୋଲ୍‌ରିଜ (Coleridge) ମଧ୍ୟ ଯଥାର୍ଥତା ସ୍ଥଳବିଶେଷରେ ବ୍ୟକ୍ତ କରିଅଛନ୍ତି, ସୁମଧୁର ଓ ଶ୍ରୁତି ମଧୁର ଶବ୍ଦ ସମ୍ବଳିତ କାବ୍ୟ, ଯହିଁରେ ଛନ୍ଦ ତାଳ ଲୟାଦି ସମ୍ପୁର୍ଣ୍ଣ ଭାବରେ ସଂରକ୍ଷିତ, ନିଶ୍ଚୟ ଜାଣିବ ତହିଁରେ କିଛି ନା କିଛି ଗଭୀର ଏବଂ ମହାନ୍‌ଭାବ ସଂନିହିତ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । କାରଣ ଶରୀର ଏବଂ ଆତ୍ମାତୁଲ୍ୟ ଶବ୍ଦ ଏବଂ ଭାବର ବନ୍ଧନ ଅଚ୍ଛେଦ୍ୟ ଓ ସମାବେଶ ବିସ୍ମୟକର । ସମସ୍ତ ପ୍ରାଚୀନ କାବ୍ୟ-ଇଲିୟଡ଼ରୁ (The lliad) ଆରମ୍ଭ କରି ଅନ୍ୟାନ୍ୟ ସମସ୍ତହିଁ ପ୍ରକୃତ ପକ୍ଷେ ଗୀତି କାବ୍ୟ ।

 

ଯେତେବେଳେ ଭାବୁକର ହୃଦୟ ଭାବର ଔଦାର୍ଯ୍ୟ ଓ ଗାମ୍ଭୀର୍ଯ୍ୟରେ ତଥା ତାଳ ଓ ଲୟରେ ସୁରଞ୍ଜିତ ଏବଂ ଉଲ୍ଲସିତ ହୋଇ ଉଠେ, ତେତେବେଳେ ସେ ଛନ୍ଦ ଆକାରରେ ଗାନ କରନ୍ତି, ସେତେବେଳେ ସେ କବି, ଭାରତୀ ମନ୍ଦିରର ପ୍ରଧାନ ପୁରୋହିତ । ତାଙ୍କର ବାଣୀ ହିଁ ସଙ୍ଗୀତ । ଯେଉଁ ସବୁ ଭାବ ସରଳ ଭାବରେ ପ୍ରକାଶ କରାଯାଇ ପାରେ, ତାହାକୁ ଅନେକେ ଛନ୍ଦ ଆକାରରେ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ତାହା ପାଠକମାନଙ୍କର ଚିତ୍ତରଞ୍ଜନ କରେ ନାହିଁ-

 

ଅନେକ ବିଷୟ ସରଳ ଓ ସହଜ ଭାବରେ ଅଭିବ୍ୟକ୍ତ କରାଯାଇପାରେ । କେବଳ ସରଳ ଓ ସହଜ ଭାବରେ ବିଷୟର ଛନ୍ଦ ଆକାରରେ ଅଭିବ୍ୟକ୍ତି ଯେ କାବ୍ୟ ପଦବାଚ୍ୟ ତାହା ବୋଲିବା ଆବିମୃଶ୍ୟକାରିତାର ଚିହ୍ନ ଏବଂ ଉକ୍ତ ପ୍ରକାର କାବ୍ୟ ଲେଖକର କବି ଆଖ୍ୟା ପ୍ରାପ୍ତ ହେବା ମଧ୍ୟ ଧୂଷ୍ଟତାର ବିଷୟ । ଆମ୍ଭେମାନେ ସେହି ‘କସରତି’ କବିତାର କେବେହେଁ ପକ୍ଷପାତୀ ନୋହୁଁ । ପ୍ରକୃତ ସଙ୍ଗୀତ ଆମ୍ଭେମାନେ ଯେଉଁ ପରିମାଣରେ ଭଲ ପାଉଁ ଏବଂ ଐଶଭାବାନୁପ୍ରାଣିତ ବୋଲି ସେଥିରେ ବିମୋହିତ ହେଉଁ, ସେହି ପରିମାଣରେ ମିଥ୍ୟା ସଙ୍ଗୀତକୁ ବୃକ୍ଷର ମର୍ମର ଶବ୍ଦ ବା କପଟ, ଅନ୍ତଃସାରହୀନ ଗାମ୍ଭୀର୍ଯ୍ୟ ରହିତ, ଅନର୍ଥକ, ଅପ୍ରୀତିକର, ଶ୍ରୁତିକଟୁ, ତଥା ଅନାବଶ୍ୟକ ବିଷୟ ବୋଲି ଘୃଣା କରୁଁ । ଏହା ଦ୍ୱାରା କେବଳ ତୁଷରାଶିର ସ୍ତୂପୀକରଣ ହୁଏ ମାତ୍ର । ଆମ୍ଭେମାନେ ସେମାନଙ୍କୁ ଦୂରରୁ ଜୁହାର କରି ବିନୀତ ଭାବରେ କହୁଁ, ଯେପରିକି ସେମାନେ ବୀଣାପାଣିଙ୍କର ସେହି ସତ୍ୟ, ପବିତ୍ର, ମଧୁମୟ ଚିନ୍ମୟ କାବ୍ୟ କୁଞ୍ଜକୁ ଇତର ସାଧାରଣ, ନୀରସ ବାକ୍ୟଯୋଜନା ରୂପ ଆବର୍ଜ୍ଜନା ଦ୍ୱାରା କଳୁଷିତ ନ କରନ୍ତି, କାରଣ ତଦ୍ଦ୍ୱାରା କବିତାର ଗୌରବ ଓ ମହାତ୍ମ୍ୟ ନଷ୍ଟ ହୁଏ ରୁଚି ମଧ୍ୟ ଅଚିରେ କଳୁଷିତ ହୋଇଯାଏ ।

 

ଦାନ୍ତେଙ୍କର ସ୍ୱର୍ଗୀୟ ମିଳନାନ୍ତ କାବ୍ୟ ସର୍ବତୋଭାବେ ଏକ ଗୀତିକାବ୍ୟ ବୋଲି ଆମ୍ଭେମାନେ ତାହାଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରୁଁ । ତାଙ୍କର ଭାଷା ଅତିଶୟ ସୁମଧୁର; ଏଣୁ କାବ୍ୟଟି ଏଡ଼େ ଲଳିତ । ସେହି ସଙ୍ଗୀତ ଗୀତ କାଳରେ ଶ୍ରବଣ କଲେ ସୁମଧୁର ହର୍ଷରେ ଓ ଦିବ୍ୟ ଆନନ୍ଦରେ ହୃଦୟ ଉଲ୍ଲସିତ ହୁଏ । ପଠନ କାଳରେ ତାହାର ମାଧୁରୀ ସ୍ୱଭାବତଃ ବିଶେଷଭାବରେ ଅନୁଭୂତ ହୁଏ; କାରଣ ତାହାର ବିଷୟର ବସ୍ତୁ ଓ ସାର ମଧୁମୟ ଓ ଲାଳିତ୍ୟପୂର୍ଣ୍ଣ । ଏହାର ସହଜତା ସରଳତା, ଗଭୀରତା, ପ୍ରବଳ ମାନସିକ ଆବେଗ ଓ ଉତ୍ତେଜନା, ଏହାକୁ ଗୀତିମୟ କରି ଦେଇଅଛି । ଯେତେ ଗଭୀରକୁ ଯିବେ, ତେତେ ଗୀତିମୟ । ତାହାର ଅନ୍ତର୍ଦେଶରେ ଶୋଭନସଂହତି, ସମତା ଓ ସୌଷ୍ଠବ କି ସୁନ୍ଦର ଭାବରେ ପୂର୍ଣ୍ଣ ମାତ୍ରାରେ ବିରାଜମାନ । ସେହି ସଂହତିକୁ ସାଳଂକୃତି ମଧୁର ସୁସ୍ୱର କିମ୍ବା ସୁସଙ୍ଗତି କହିଲେ ଚଳେ । ଦାନ୍ତେ ତାଙ୍କର ଅଭିନବ ଚିନ୍ତାଶକ୍ତି ଓ କଳ୍ପନା ଦ୍ୱାରା ତିନିଗୋଟି ଅଭିନବ ରାଜ୍ୟ ସୃଷ୍ଟି କରି ଅଛନ୍ତି । ସ୍ୱର୍ଗ, ନରକ ଏବଂ ମୃତ୍ୟୁପରେ ମାନବାତ୍ମାର ପବିତ୍ରୀଭୂତ ହେବାର ସ୍ଥଳ-ଯମଲୋକ । ଏହି ତିନିଗୋଟି ଯେପରି ଏକ ପ୍ରକାଣ୍ଡ ଅଟ୍ଟାଳିକାର-ମହାନ୍‌ ଅଲୌକିକ ବିଶ୍ୱମନ୍ଦିର ଗୋଟିଏ ସୁବିଶାଳ ପ୍ରକୋଷ୍ଠ ।

 

ଦାନ୍ତେ ଯେପରି ମଧୁର ସ୍ୱରରେ ମଧ୍ୟଯୁଗର ନବ ଇଉରୋପର ଧର୍ମ ଏବଂ ଆଭ୍ୟନ୍ତରୀଣ ଜୀବନ ଚିତ୍ରିତ କରିବା ନିମନ୍ତେ ପ୍ରେରିତ ହୋଇଥିଲେ, ସେକ୍‌ସ୍‌ପିଅର ସେହିପରି ମଧ୍ୟ ଇଉରୋପୀୟ ଜୀବନର ବାହ୍ୟ ଚିତ୍ର- ତଦନୀନ୍ତକ ଯୁଗର ସଭ୍ୟତା, ସୌନ୍ଦର୍ଯ୍ୟ ବୀରତ୍ୱ, ଅଭିଳାଷ, ଆକାଂକ୍ଷା, ଯଶୋଲିପ୍‌ସା ଏବଂ ବ୍ୟାବହାରିକ ଜୀବନର କଳ୍ପନା ଏବଂ କ୍ରିୟା ପ୍ରଭୃତି ଲିପିବଦ୍ଧ କରିବା ନିମନ୍ତେ ଭୂତଳରେ ଅବତୀର୍ଣ୍ଣ ହୋଇଥିଲେ । ଯେପରି ହୋମରଙ୍କ କାବ୍ୟରେ ଅଦ୍ୟାପି ପ୍ରାଚୀନ ଗ୍ରୀସର ଛବି ପ୍ରଦର୍ଶିତ ସେହିପରି ବହୁ ସହସ୍ର ବର୍ଷ ପରେ ସୁଦ୍ଧା ନବୀନ ଇଉରୋପର ଧର୍ମ ଏବଂ ଆଚାର ବ୍ୟବହାରର ଚିତ୍ର ଉତ୍ତମରୂପେ ଦାନ୍ତେ ଏବଂ ସେକ୍‌ସପିଅରଙ୍କ କାବ୍ୟରେ ପରିଦୃଷ୍ଟ ହୁଏ । ଦାନ୍ତେ ଇଉରୋପର ଆଭ୍ୟନ୍ତରୀଣ ଚିତ୍ର ଏବଂ ସେକ୍‌ସ୍‌ପିଅର ବାହ୍ୟ ଚିତ୍ର ପ୍ରଦାନ କରିଅଛନ୍ତି । ଦାନ୍ତେ ଧର୍ମ ଅର୍ଥାତ୍‌ ଆତ୍ମା ଏବଂ ସେକ୍‌ସ୍‌ପିଅର ଆଚାର ଅର୍ଥାତ୍‌ ଶରୀର ପ୍ରଦାନ କରିଅଛନ୍ତି ।

 

ଯେତେବେଳେ ତତ୍‌କାଳୀନ ବୀରତ୍ୱ ତାହାର ଚରମ ସୀମାରେ ଉପସ୍ଥିତ ହୋଇ ପୁଣି ନିଷ୍ପ୍ରଭ ହେବାକୁ ବସିଲା ସେହି ସମୟରେ ତୀକ୍ଷ୍‌ଣଚକ୍ଷୁ ଏବଂ ଶାଶ୍ୱତ-ଲଳିତ-ସ୍ୱର ସମନ୍ୱିତ ଏହି କବିସମ୍ରାଟ ତାହାକୁ ଚିରସ୍ଥାୟୀ ଏବଂ ଅମର କରିବା ନିମନ୍ତେ ପ୍ରେରିତ ହେଲେ । ଦୁହେଁ ଉପଯୁକ୍ତ ବ୍ୟକ୍ତି । ଦାନ୍ତେ ସଗଭୀର ପୃଥିବୀର କେନ୍ଦ୍ରସ୍ଥିତ ଅଗ୍ନିବତ୍‌ ପ୍ରବଳ; ସେକ୍‌ସ୍‌ପିଅର ବ୍ୟାପକ, ଦୂରଦ୍ରଷ୍ଟା ଏବଂ ଶାନ୍ତ; ଯେପରିକି ଆକାଶର ଉଜ୍ଜ୍ୱଳ ଭାସ୍କର । ଇତାଲି ଜଣେ ବିଶ୍ୱକବି ଜନ୍ମାଇଥିଲା ଏବଂ ଆଉ ଜଣେ ଇଂଲଣ୍ଡ ମଧ୍ୟ ପ୍ରସବ କରିଅଛି । ଅତି ଆଶ୍ଚର୍ଯ୍ୟଭାବେ ଅକସ୍ମାତ୍‌ ଆମ୍ଭମାନଙ୍କ ସମକ୍ଷରେ ଉପସ୍ଥିତ । ଏପରି ମହାନ୍‌, ଶାନ୍ତ, ଆତ୍ମପୂର୍ଣ୍ଣ, ସେକ୍‌ସ୍‌ପିଅର ଯଦି ଉଆରଉଇକ୍‌ ଶାୟାରର (Warwick shire) ଜମିଦାରଙ୍କ ଦ୍ୱାରା ମୃଗାପହରଣ ନିମନ୍ତେ ଧୃତହୋଇ ନଥାନ୍ତେ, ତେବେ ଆମ୍ଭେମାନେ ତାଙ୍କୁ କବି ବୋଲି କଦାଚ ଶୁଣିପାରି ନଥାନ୍ତେ । ଷ୍ଟ୍ରାଟ୍‌ଫୋର୍ଡ଼ (Start ford) ର ଗ୍ରାମ୍ୟଜୀବନ ତାଙ୍କର ଆଉ ସହ୍ୟ ହୋଇ ନ ଥିଲା । ଏଳିଜାବେଥ ଯୁଗ (ଯହିଁରେ ସମସ୍ତ ଇଂରେଜ ଜୀବନ ପରିଷ୍ଫୁଟ) ଅତି ଅଦ୍ଭୁତ ଭାବରେ ସ୍ୱତଃପ୍ରବୃତ୍ତ ହୋଇ ଆସି ନଥିଲା କି ? ଜୀବନ ବୃକ୍ଷ ସ୍ୱୀୟ ନିୟମାଧୀନ ହୋଇ କ୍ଷୟବୃଦ୍ଧି ଲାଭକରେ । ଗବେଷଣା ଦ୍ୱାରା ତାହାର ରହସ୍ୟଭେଦ କରିବା ଆମ୍ଭମାନଙ୍କ ପକ୍ଷରେ ଅସମ୍ଭବ । ପ୍ରତ୍ୟେକ ପଦାର୍ଥ ସେହି ଶାଶ୍ୱତ ନିୟମର ବଶବର୍ତ୍ତୀ । ସମୟ ହୋଇ ନ ଥିଲେ ସାର ଟମାସ୍‌ ଲୁସି (Sir Thomas Lucy) ମଧ୍ୟ ଆବିର୍ଭୂତ ହୋଇ ନ ଥାନ୍ତେ ।

 

ବସ୍ତୁତଃ ଏହି ପ୍ରସିଦ୍ଧ ଏଲିଜାବେଥ ଯୁଗ ଏବଂ ତାହାର ସେକ୍‌ସ୍‌ପିଅର ମଧ୍ୟ-ଯୁଗର ଖ୍ରୀଷ୍ଟଧର୍ମର ଫଳ । ଯେଉଁ ଖ୍ରୀଷ୍ଟିୟାନ ଧର୍ମ୍ମ ଦାନ୍ତେଙ୍କ ସଙ୍ଗୀତର ମୂଳଭିତ୍ତି ଥିଲା, ସେହି ଖ୍ରୀଷ୍ଟଧର୍ମ ହିଁ ଏହି ବ୍ୟାବହାରିକ ଜୀବନ ଉତ୍ପନ୍ନ କରିଅଛି ଏବଂ ସେକ୍‌ସ୍‌ପିଅର ସେହି ଜୀବନର ଚିତ୍ର ଦେଇଅଛନ୍ତି । ତେତେବେଳେ ଧର୍ମ ବ୍ୟାବହାରିକ ଜୀବନର ପ୍ରାଣ ଥିଲା । ସେକ୍‌ସ୍‌ପିଅରଙ୍କ ପୂର୍ବରୁ ପାର୍ଲିଆମେଣ୍ଟ ଆଦେଶ ଦ୍ୱାରା ରୋମାନ୍‌ କ୍ୟାଥଲିକ୍‌ ଧର୍ମ ରହିତ କରା ହୋଇଥିଲେହେଁ, ତାହା ସେକ୍‌ସ୍‌ପିଅରଙ୍କ ଜନ୍ମଦାତା । ପ୍ରକୃତିଦେବୀ ପାର୍ଲିଆମେଣ୍ଟ ଆଦେଶ ପ୍ରତି ଦୃକ୍‌ପାତ ନ କରି ସ୍ୱୀୟ ଇଚ୍ଛାନୁସାରେ ତାହାଙ୍କୁ ପ୍ରେରଣ କରିଥିଲେ । ରାଜା ହେନେରି, ରାଣୀ ଏଲିଜାବେଥ ଯେପରି ସ୍ୱୀୟ ଇଚ୍ଛା ଅନୁସାରରେ କାର୍ଯ୍ୟ କରନ୍ତି, ପ୍ରକୃତିଦେବୀ ମଧ୍ୟ ସେହିପରି ତାଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି ।

 

ଏହି ଏଲିଜାବେଥ ଯୁଗ ତାହାର ସର୍ବୋକୃଷ୍ଟ ମହିମା ଏବଂ ଈଶ୍ୱରାନୁଗ୍ରହ ସହିତ ପାର୍ଲିଆମେଣ୍ଟ ଘୋଷଣା ଏବଂ ଅନ୍ୟାନ୍ୟ କାରଣ ବ୍ୟତିରେକ ଆସି ସ୍ୱତଃ ଉପସ୍ଥିତ ହୋଇଥିଲା । ଅମୂଲ୍ୟ ସେକ୍‌ସ୍‌ପିଅର ପ୍ରକୃତିର ସ୍ୱୈରଦାନ; ନୀରବ ପ୍ରଦତ୍ତ ଏବଂ ନୀରବରେ ଗୃହୀତ ।

 

 

ବହୁଚିନ୍ତା ପରେ ଇଂଲଣ୍ଡ, ସମଗ୍ର ଇଉରୋପ ଏବଂ ତଥା ନିଖିଳବିଶ୍ୱ ବର୍ତ୍ତମାନ ସେକ୍‌ସ୍‌ପିଅରଙ୍କୁ ସର୍ବଶ୍ରେଷ୍ଠ ବିଶ୍ୱକବି, ଅସାଧାରଣ ପ୍ରତିଭାଶାଳୀ ଏବଂ ଅତିମାନବ ବୋଲି ଅବଧାରଣ କରିଅଛନ୍ତି । ତାହାଙ୍କର ମହତ୍ତ୍ୱର ନିଦର୍ଶନ ସେ ତାଙ୍କ ସାହିତ୍ୟ ରତ୍ନରାଜିରେ ରଖିଯାଇଅଛନ୍ତି । ସ୍ଥୁଳତଃ ଏପରି ଦୂରଦୃଷ୍ଟି, ଏପରି ଅସାଧାରଣ କଳ୍ପନା-ଶକ୍ତି ଅନ୍ୟ କୌଣସି ମନୁଷ୍ୟ ଜୀବନରେ ପରିଲକ୍ଷିତ ହୁଏ ନାହିଁ । ପ୍ରଶାନ୍ତ ଗାମ୍ଭୀର୍ଯ୍ୟ, ସୌମ୍ୟତା, ସହର୍ଷ ବିକ୍ରମ ଓ ଓଜୋଗୁଣ ଏବଂ ଅନ୍ୟାନ୍ୟ ଗୁଣ ରାଜି ପ୍ରଶାନ୍ତ-ଅପରିମେୟ ସାଗରବତ୍‌ ସେହି ମହାପ୍ରାଣରେ ଉଜ୍ଜ୍ୱଳ ରୂପେ ପ୍ରତିଫଳିତ ହୋଇଅଛି । ସେକ୍‌ସ୍‌ପିଅରଙ୍କ ବୋଧଶକ୍ତି ନାଟକ ରଚନାରେ ବିଶେଷ ଭାବରେ ପରିଦୃଷ୍ଟ ହୁଏ; କିନ୍ତୁ ଏହି ସତ୍ୟ ସମସ୍ତେ ଉପଲବ୍‌ଧ କରି ପାରନ୍ତି ନାହିଁ । ସେକ୍‌ସ୍‌ପିଅରଙ୍କ ନାଟକ ଦୋଷ ଶୂନ୍ୟ ଅନ୍ୟ ଯେ କୌଣସି ମନୁଷ୍ୟର କୃତି ତୁଳନାରେ ଅଧିକତର ଦୋଷ ରହିତ । ସେ କିପରି ଅବସ୍ଥାରେ କାର୍ଯ୍ୟ କରୁଅଛନ୍ତି, ତାଙ୍କର ଉପକରଣ କ’ଣ ଏବଂ ତାଙ୍କର ଶକ୍ତି କେତେ–ଏ ବିଷୟ ସେ ସ୍ୱୀୟ ସ୍ୱତଃ ସଂଯତ ପ୍ରବୃତ୍ତି ଦ୍ୱାରା ଜାଣି ପାରୁଥିଲେ । ଏହା କେବଳ ସାମୟିକ ଅନ୍ତର୍ଦୃଷ୍ଟି ହେତୁ ନୁହେ, ଏହା ସମସ୍ତ ବିଷୟର ସୁଚିନ୍ତିତ ଜ୍ଞାନାଲୋକ ହେତୁ । ସ୍ଥୁଳତଃ ଏହା ତାଙ୍କର ସୂକ୍ଷ୍ମ ଦର୍ଶନ ଶକ୍ତି ଏବଂ ସୁମହତୀ ପ୍ରତିଭା ହେତୁ । କୌଣସି ଦୃଷ୍ଟି ପ୍ରଦାର୍ଥର ଚିତ୍ରଣ ଏବଂ ଉପସ୍ଥାପନ ତାଙ୍କର ସର୍ବୋତମୁଖୀ ପ୍ରତିଭାର ନିଦର୍ଶନ । କେଉଁ ଘଟନାଟି ପ୍ରଧାନ ଏବଂ ଉଲ୍ଲେଖଯୋଗ୍ୟ ଏବଂ କେଉଁଟି ଅତି ସାଧାରଣ ଓ ଅପ୍ରକାଶ୍ୟ; କେଉଁଠାରେ ପ୍ରକୃତ ଆରମ୍ଭ ଏବଂ କେଉଁଠାରେ ଫଳାଫଳ ଶେଷ, ଏହା ନିର୍ଦ୍ଦେଶ କରିବା ନିମନ୍ତେ ମନୁଷ୍ୟର ସମସ୍ତ ପ୍ରତିଭା ନିୟୋଜିତ କରିବାକୁ ହେବ, ତାହାର ବୁଦ୍ଧିର ବିଶାଳତା ଓ ତୀକ୍ଷ୍‌ଣତା ଅନୁସାରେ ସେ ପ୍ରତ୍ୟକ ବିଷୟ ହୃଦୟଙ୍ଗମ କରି ପାରିବ । ସେକ୍‌ସ୍‌ପିଅରଙ୍କୁ ମଧ୍ୟ ସେହିପରି ଭବରେ ବିଚାର କରିବାକୁ ହେବ । ସମାନ ବସ୍ତୁ ସହିତ ସମାନ ବସ୍ତୁ ମିଶ୍ରିତ ହୋଇଅଛି କି ନା ? ଗୋଳମାଳ, ଆନ୍ଦୋଳନ ଏବଂ ବିଶୃଙ୍ଖଳା ମଧ୍ୟରେ କ’ଣ ଶୃଙ୍ଖଳାର ପ୍ରାଣ ଆଲୋଡ଼ିତ ହୁଏ ଯେ ତାହା ବିଶୃଙ୍ଖଳାକୁ ଶୃଙ୍ଖଳିତ କରିଦିଏ ? ‘ଆଲୋକ ହେଉ’- ସାଧାରଣ ମନୁଷ୍ୟର ଏହି ଉକ୍ତିରେ କ’ଣ ସମସ୍ତ ପଦାର୍ଥ ଆଲୋକିତ ହୁଏ ? ଏବଂ ସେ କ’ଣ ବିଶୃଙ୍ଖଳା ମଧ୍ୟରୁ ଜଗତ ସୃଷ୍ଟିକରି ପାରେ ? ବସ୍ତୁତଃ ଯାହାଙ୍କ ମଧ୍ୟରେ ଆଲୋକ ଅଛି, ସେ କେବଳ ଏହା ସମ୍ପାଦନ କରିପାରନ୍ତି ।

 

ଚରିତ୍ର-ଚିତ୍ରଣ, ମାନବ ଓ ପଦାର୍ଥର ସ୍ୱରୂପ ବର୍ଣ୍ଣନ ଏବଂ ବିଶେଷତଃ ମାନବ ପ୍ରକୃତି ଚିତ୍ରଣରେ ସେକ୍‌ସ୍‌ପିଅର ଅତି ମହାନ୍‌, ତାଙ୍କର ସମସ୍ତ ମହତ୍ତ୍ୱ ଏହିଠାରେ ପରିଷ୍ଫୁଟ, ସେକ୍‌ସ୍‌ପିଅରଙ୍କର ପ୍ରଶାର ସୃଷ୍ଟିକରୀ ତୀକ୍ଷ୍‌ଣବୁଦ୍ଧି ଅଦ୍ୱିତୀୟ । ସେ ଯେଉଁ ବସ୍ତୁ ଅବଲୋକନ କରନ୍ତି ତାହାର କେବଳ ବାହ୍ୟରୂପ ଅବଲୋକନ କରନ୍ତି ନାହିଁ, ପରନ୍ତୁ ହୃଦୟର ଅନ୍ତଃସ୍ଥଳ ଉଦ୍‌ଘାଟିତ କରି ଦେଖନ୍ତି । ତାଙ୍କର ତୀକ୍ଷ୍‌ଣବୁଦ୍ଧି ସମ୍ମୁଖରେ ପଦାର୍ଥର ତତ୍ତ୍ୱ ପ୍ରକାଶିତ ହୁଏ, ତହୁଁ ତାହାର ମୂଳଭିତ୍ତି ସେ ଦେଖିବାକୁ ପାଆନ୍ତି । କାବ୍ୟ ଜଗତର ନିର୍ମାଣ ତାହା କେବଳ ଗଭୀର ଅନ୍ତର୍ଦୃଷ୍ଟି ଭିତ୍ତି ଉପରେ ପ୍ରତିଷ୍ଠିତ, ଯେଉଁ ଭାଷାରେ ସେ ବିଷୟଟିର ବର୍ଣ୍ଣନା କରିବାକୁ ହେବ ତାହା ସ୍ୱତଃ ବହିର୍ଭୂତ ହୁଏ, ପଦାର୍ଥଟିର ପୁଙ୍ଖାନୁପୁଙ୍ଖ ଦୃଷ୍ଟି ହେତୁ ଭାଷା ସ୍ୱତଃପ୍ରବୃତ୍ତ ହୋଇ ବିନିର୍ଗତ ହୁଏ-

 

ସେକ୍‌ସ୍‌ପିଅରଙ୍କ ନୈତିକତା, ସରଳତା, ଚିତ୍ତର ଔଦାର୍ଯ୍ୟ, ସହିଷ୍ଣୁତା, ସତ୍ୟବାଦିତା, ବିକ୍ରମ ଏବଂ ବିଶ୍ୱବିଜୟିନୀ ଶକ୍ତି ଏବଂ ମହତ୍ତ୍ୱ ସେହି ଭାଷାରେ ପ୍ରତିଫଳିତ ନୁହେଁ କି ? କିପରି ଏହି ମହାପ୍ରାଣ ପ୍ରତ୍ୟେକ ପ୍ରକାର ମନୁଷ୍ୟ ଏବଂ ବିଷୟ ହୃଦୟଙ୍ଗମ କରିଅଛନ୍ତି ତାହା ବାସ୍ତବରେ ଆଶ୍ଚର୍ଯ୍ୟକର ଏବଂ ପ୍ରଣିଧାନର ବିଷୟ । ଫଲଷ୍ଟାଫ୍‌, ଓଥେଲୋ, ଜୁଲିଏଟ୍‌, କରିଓଲେନସ୍‌ ସର୍ବୋକୃଷ୍ଟ ଭାବେ କଳ୍ପିତ ଓ ଚିତ୍ରିତ । ସେ ଅତିଶୟ ସ୍ନେହୀ, ନ୍ୟାୟପର ଏବଂ ସମସ୍ତଙ୍କ ଭ୍ରାତୃସ୍ଥାନୀୟ । ତୁଳନା କଲେ ବେକନ୍‌ (Bacon) ଙ୍କର ବୁଦ୍ଧି ଓ ପ୍ରତିଭା ଅନେକ ନିମ୍ନସ୍ତରରେ ଅବସ୍ଥିତ । ବର୍ତ୍ତମାନ ନରଲୋକରେ ସେପରି ବ୍ୟକ୍ତି ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ସେକ୍‌ସ୍‌ପିଅରଙ୍କ ପରେ କେବଳ ଗୋଏଥ (Goethe) ନାମ ଉଲ୍ଲେଖ ଯୋଗ୍ୟ, ତାଙ୍କର ମଧ୍ୟ ସେହିପରି ଅସାଧାରଣ ଦୃକ୍‌ଶକ୍ତି । ସେ ମଧ୍ୟ ସେକ୍‌ସ୍‌ପିଅରଙ୍କ ବିଷୟରେ କହି ଅଛନ୍ତି, ତାଙ୍କର ଚରିତ୍ର ବର୍ଣ୍ଣନ ସ୍ୱଚ୍ଛଶଙ୍କୁପଟବିଶିଷ୍ଟ ଘଟିକାବତ୍‌, ଯହିଁରେ ସମସ୍ତ ସାଧାରଣ ଘଟିକାବତ୍‌ସମୟ ନିର୍ଣ୍ଣିତ ହୁଏ; କିନ୍ତୁ ଏହାର ବିଶେଷତ୍ୱ ଏହି ଯେ, ତାହାର ଆଭ୍ୟନ୍ତରୀଣ ଯନ୍ତ୍ର ସମୂହ ସ୍ପଷ୍ଟ ଭାବରେ ପରିଦୃଷ୍ଟ ହୁଏ ।

 

ତୀକ୍ଷଣ ଦର୍ଶନଶକ୍ତି, ବାହ୍ୟଦୃଷ୍ଟିର ଅନ୍ତରାଳରେ, ପ୍ରକୃତିଦେବୀଙ୍କ ଦ୍ୱାରା ମଧୁରଭାବେ ସନ୍ନିହିତ । ପ୍ରତ୍ୟେକ ପଦାର୍ଥର ଏହି ଶକ୍ତିହିଁ ଆଭ୍ୟନ୍ତରୀଣ ସୌଷ୍ଠବ ପରକାଶ କରେ । ସାଧାରଣ ପଦାର୍ଥ ଦେଖି ଲୋକେ ହସି ପାରନ୍ତି, କେତେବେଳେ କାନ୍ଦି ପାରନ୍ତି, କେତେବେଳେ ବା ଶାନ୍ତି ଅନୁଭବ କରିପାରନ୍ତି; କିନ୍ତୁ ଏ ସମସ୍ତ ଅନ୍ତରାଳରେ ଅସାଧାରଣ ଧୀଶକ୍ତି ବିରାଜମାନ । ବାକ୍ୟରେ ହେଉ, କାର୍ଯ୍ୟରେ ହେଉ, କିମ୍ବା ଯେ କୌଣସି ପ୍ରକାରେ ହେଉ, ସେ କବି; କିନ୍ତୁ ଯେଉଁ ଶକ୍ତି ସାହାଯ୍ୟରେ ସେ ପ୍ରତ୍ୟେକ ପଦାର୍ଥର ଅନ୍ତଃସ୍ଥଳ ଦର୍ଶନ କରିପାରନ୍ତି ତାହା କେବେହେଁ ଆକସ୍ମିକ ବିଷୟ ନୁହେ, ପରନ୍ତୁ ତାହା ପ୍ରକୃତିଦେବୀଙ୍କର ଅମୋଘ ଦାନ । ଆମ୍ଭେମାନେ ପ୍ରଥମେ କବିଙ୍କ ଦୃଷ୍ଟି ଶକ୍ତି ପ୍ରତି ଦୃଷ୍ଟି ଦେଉଁ; କିନ୍ତୁ ଯଦି ତାହାଙ୍କର ସେପରି ଅସାଧାରଣ ଦୃଷ୍ଟି ଶକ୍ତି ନ ଥାଏ ତେବେ ଅଯଥା ପଦଯୋଜନା ଦ୍ୱାରା ଲୋକର କବିପଦବାଚ୍ୟ ହେବା ନିରର୍ଥକ ମାତ୍ର, କିନ୍ତୁ ଯଦି ସେ ସେହି ଶକ୍ତି ବିଶିଷ୍ଟ ହୁଅନ୍ତି, ତେବେ ଗଦ୍ୟରେ ହେଉ ବା ପଦ୍ୟରେ ହେଉ, କାର୍ଯ୍ୟରେ ହେଉ କିମ୍ବା କଳ୍ପନାରେ ହେଉ, ତାଙ୍କର ସବତ୍ର ଯଥେଷ୍ଟ ଆଦର ଅଛି ।

 

ବାସ୍ତବିକ ଯେଉଁ ବ୍ୟକ୍ତିଠାରେ ଯେଉଁ ପରିମାଣ ଦୃଷ୍ଟି ଶକ୍ତି ଅଛି ସେହି ପରିମାଣରେ ତାଙ୍କର ମହତ୍ତ୍ୱ ଅବଧାରିତ ହୁଏ । ସେକ୍‌ସ୍‌ପିଅରଙ୍କ ଶକ୍ତି ନିର୍ଦ୍ଦେଶ କରିବାକୁ ହେଲେ ପ୍ରତିଭାର ଶ୍ରେଷ୍ଠତ୍ୱକୁ ଧରିବାକୁ ହେବ । ମନୁଷ୍ୟର କ୍ଷମତା ଅର୍ଥାତ୍‌ କାର୍ଯ୍ୟକରୀ ଶକ୍ତି ପ୍ରକୃତରେ କ’ଣ ? କ୍ଷମତା କହିଲେ ସାଧାରଣତଃ ଆମ୍ଭେମାନେ ବୁଝୁଁ, କେତେକ ବିଶିଷ୍ଟ ଶକ୍ତିର ସମବାୟ ଏବଂ ସେଗୁଡ଼ିକ ପରସ୍ପର ଠାରୁ ବିଶ୍ଲେଷଣ କରାଯାଇ ପାରେ । ଯେପରି ମନୁଷ୍ୟର ହସ୍ତ ପଦ ପ୍ରଭୃତି ଶାରୀରିକ ଅବୟବ ଗୁଡ଼ିକୁ ପରସ୍ପର ଠାରୁ ବିଶ୍ଲେଷିତ କରାଯାଇ ପାରେ, ସେହିପରି ମାନସିକ ଶକ୍ତିନିଚୟ ମେଧା, ପ୍ରତିଭା, କଳ୍ପନା ଶକ୍ତି ଇତ୍ୟାଦି ପରସ୍ପରଠାରୁ ବିଶ୍ଲେଷଣ କରାଯାଇପାରେ; କିନ୍ତୁ ଏହା ଅତିଶୟ ଭ୍ରମାତ୍ମକ । ଆହୁରି ମଧ୍ୟ ଲୋକେ ମନେ କରନ୍ତି, ମନୁଷ୍ୟର ମାନସିକ ଓ ନୈତିକ ପ୍ରକୃତିର ମଧ୍ୟ ବିଭାଗ କରାଯାଇପାରେ । ପ୍ରକୃତପକ୍ଷେ ଭାଷାରେ ପୃଥକ୍‌ ଭାବରେ ବ୍ୟବହାରର ପ୍ରୟୋଜନୀୟତା ହେତୁ ଆମ୍ଭମାନଙ୍କୁ ଏପରି ଶବ୍ଦସମୂହର ଅଗତ୍ୟା ଆଶ୍ରୟ ନେବାକୁ ହୁଏ । କିନ୍ତୁ ପ୍ରଣିଧାନ କରି ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହେବ ଯେ, ସେଗୁଡ଼ିକ ବିଭିନ୍ନ ପଦାର୍ଥ ନୁହନ୍ତି, ଯେପରି ଆତ୍ମା ଗୋଟିଏ ସେପରି ମନୁଷ୍ୟର ଆଧ୍ୟାତ୍ମିକ ପ୍ରକୃତି ମଧ୍ୟ ଗୋଟିଏ । ଏହି ବିଭାଗ କେବଳ ନାମ ମାତ୍ର । ଯାହାକୁ ଆମ୍ଭେମାନେ ଚିନ୍ତା, କଳ୍ପନା, ଧାରଣା ପ୍ରଭୃତି କହୁଁ ସେ ସମସ୍ତ ସେହି ଅନ୍ତର୍ଦୃଷ୍ଟି ଶକ୍ତିର ନାମାନ୍ତର ମାତ୍ର; ନୈତିକ ଶକ୍ତି ମଧ୍ୟ ତଦ୍ରୁପ । ମନୁଷ୍ୟଠାରେ ଯାହାକୁ ନୈତିକ ଉତ୍କର୍ଷ ବୋଲି କହୁଁ ତାହା କେବଳ ଜୀବନୀ ଶକ୍ତିର ରୂପାନ୍ତର ମାତ୍ର । ମନୁଷ୍ୟର କାର୍ଯ୍ୟକଳାପ ତାହାର ଆଭ୍ୟନ୍ତରୀଣ ଶକ୍ତିର ବହିଃ ପ୍ରକାଶ । ମନୁଷ୍ୟର ଗାନ କରିବାକୁ ଶକ୍ତିରୁ ତାହାର ଯୁଦ୍ଧ କରିବାର ଶକ୍ତି ଅନୁମିତ ହୋଇପାରେ ଏବଂ ତାହାର କଥୋପକଥନରୁ ତାହାର ସାହାସ କିମ୍ବା ଭୀରୁତା ସମ୍ୟକ୍‌ ଉପଲବ୍‌ଧ ହୁଏ । ମନୁଷ୍ୟର ଆତ୍ମା ଏକ ଏବଂ ଏହାହିଁ ବିଭିନ୍ନ ରୂପରେ ବିକଶିତ ହୁଏ ।

 

ମନୁଷ୍ୟର ହସ୍ତ ବ୍ୟତୀତ ପଦର ସ୍ଥିତି ଓ କାର୍ଯ୍ୟ ସମ୍ଭବପର, ମାତ୍ର ନୈତିକତା ବ୍ୟତିରେକ ପ୍ରତିଭାର ଅବସ୍ଥିତି ଓ ପ୍ରତିଭା ଅଭାବରେ ନୈତିକତାର ଅବସ୍ଥିତି ଅସମ୍ଭବ । କୌଣସି ବିଷୟକୁ ଯଥାର୍ଥଭାବେ ହୃଦୟଙ୍ଗମ କରିବାକୁ ହେଲେ ସେହି ବିଷୟଟି ପ୍ରତି ସ୍ନେହ ଓ ସହାନୁଭୂତି ପ୍ରଦର୍ଶନ ଏବଂ ତତ୍‌ସହିତ ଧର୍ମତଃ ସମ୍ମେଳନ ଆବଶ୍ୟକ । ମନୁଷ୍ୟ ଯଦି ପ୍ରତ୍ୟେକ ପଦରେ ତାହାର କ୍ଷୁଦ୍ର ସ୍ୱାର୍ଥ ତ୍ୟାଗ କରିବାକୁ କୁଣ୍ଠିତ ହୁଏ ଓ ପ୍ରତ୍ୟେକ ପଦକ୍ଷେପରେ ସାହସ ପ୍ରଦର୍ଶନ କରି ନ ପାରେ ତା ହେଲେ ସେ କିପରି ଜ୍ଞାନଲାଭ କରିବ ? ପ୍ରକୃତିଦେବୀ ଓ ତାଙ୍କର ସତ୍ୟର ଦ୍ୱାର ଚିରକାଳ ନିମିତ୍ତ ଅସତ୍‌, ସ୍ୱାର୍ଥପର ଓ କାପୁରୁଷମାନଙ୍କ ନିମିତ୍ତ ରୁଦ୍ଧ । ଏପରି ଜ୍ଞାନ ଅତି ସାମାନ୍ୟ, ସଂକୀର୍ଣ୍ଣ ଓ ବାହ୍ୟିକ । ସଂସାରରେ ଶୃଗାଳ ପ୍ରକୃତିର ଲୋକ ଅନେକ ଅଛନ୍ତି । ଶୃଗାଳ ଯେପରି ତାହାର ପ୍ରକୃତି ଦ୍ୱାରା ହଂସର ବାସସ୍ଥାନ ଜାଣିପାରି ହଂସର ଅନ୍ୱେଷଣରେ ବ୍ୟାପୃତ ଥାଏ, ସେପରି ଧୂର୍ତ୍ତ ବ୍ୟାବହାରିକ ଜୀବନରେ ସ୍ୱାର୍ଥସିଦ୍ଧି ନିମିତ୍ତ କାର୍ଯ୍ୟ କରେ ।

 

ପ୍ରତିଭାରେ ସେକ୍‌ସପିଅର ସର୍ବଶ୍ରେଷ୍ଠ କହିଲେ ଏଥିରେ ତାଙ୍କର ସମସ୍ତ ସଦଗୁଣ ଉଦ୍‌ଘୋଷିତ ହେଉଅଛି; କିନ୍ତୁ ତାଙ୍କର ପ୍ରତିଭା ଅଜ୍ଞେୟ, ସେ ସ୍ୱୟଂ ମଧ୍ୟ ତାଙ୍କର ପ୍ରତିଭା ଉପଲବ୍‌ଧ କରିପାରି ନଥିଲେ । ନଭେଲିସ୍‌ (Novalis) ବେଶ ସୁନ୍ଦର ଭାବରେ କହିଅଛନ୍ତି ଯେ, ସେକ୍‌ସ୍‌ପିଅରଙ୍କ ନାଟକ ସମୂହ ପ୍ରକୃତିଦେବୀ ସମ୍ଭୂତ ଏବଂ ତତ୍‌ସମ ଗଭୀର । ବସ୍ତବିକ ତାଙ୍କ ଉକ୍ତିରେ ଯଥେଷ୍ଟ ସତ୍ୟ ବର୍ତ୍ତମାନ । ସେକ୍‌ସ୍‌ପିଅରଙ୍କ ଦକ୍ଷତା ଚାତୁରୀରେ ପର୍ଯ୍ୟବସିତ ନୁହେଁ; ତାହା ବିନା ଚେଷ୍ଟା ଓ ଉଦମ୍ୟରେ ସ୍ୱତଃ ଉଦ୍ଭୂତ; ପ୍ରକୃତିର ଗଭୀରତମ ପ୍ରଦେଶରୁ ସେକ୍‌ସ୍‌ପିଅରଙ୍କ ମଧ୍ୟ ଦେଇ ତାହା ପ୍ରକାଶିତ ହୋଇଅଛି । ସେ ପ୍ରକୃତିଙ୍କର ମୁଖପାତ୍ର । ନବ ଯୁଗର ନରନାରୀ ତାଙ୍କଠାରେ ନୂତନ ନୂତନ ଅର୍ଥ ଦେଖିବେ, ମାନବତ୍ୱର ଭିନ୍ନ ଭିନ୍ନ ଆଲୋକ ଓ ଉଦ୍ଭାସନ ପାଇବେ ଏବଂ ବିଶ୍ୱସଂସାରର ଶାଶ୍ୱତ ଗଠନ ପ୍ରଣାଳୀରେ ନୂତନ ସଂହତି ଦର୍ଶନ କରିବେ, ଏହା ବାସ୍ତବରେ ପ୍ରଗାଢ଼ ଚିନ୍ତାର ବିଷୟ । ସେକ୍‌ସ୍‌ପିଅର ପ୍ରକୃତିଙ୍କର ଅଂଶ, ଯେପରି ଗୋଟିଏ ବିଶାଳ ବଟବୃକ୍ଷ । ପ୍ରକୃତିଦେବୀଙ୍କ ସାହଚର୍ଯ୍ୟରେ ପୃଥିବୀଗର୍ଭରୁ ଅଜ୍ଞାତ ଭାବରେ ଉତ୍‌ଥିତ ହୋଇ ବର୍ଦ୍ଧିତ ହୁଏ ସେପରି ଏବଂବିଧ ଅଦ୍ଭୁତକର୍ମ୍ମୀଙ୍କ କାର୍ଯ୍ୟ ଅଜ୍ଞାତ ଗଭୀରତା ମଧ୍ୟରୁ ଅଜ୍ଞାତ ଭାବରେ ସଂସାଧିତ ହୋଇଥିଲା । ବୃକ୍ଷର ମୂଳ ପ୍ରଭୃତି ଭୂମିତଳେ ଲୁକ୍‌କାୟିତ ଥିଲା ପରି ସେକ୍‌ସପିଅରଙ୍କ କେତେ ଦୁଃଖ ଯନ୍ତ୍ରଣା, କେତେ ଅଜ୍ଞାତ, ଅକଥନୀୟ, ନୀରବ ସଂଗ୍ରାମ ଲୁକ୍‌କାୟିତ ରହିଅଛି । ବାଣୀ ମହତ୍‌, କିନ୍ତୁ ନୀରବତା ମହତ୍ତର, ସେକ୍‌ସପିଅରଙ୍କର ସହର୍ଷଚିତ୍ତ-ପ୍ରଶାନ୍ତି ମଧ୍ୟ ଉଲ୍ଲେଖ ଯୋଗ୍ୟ । କ୍ଲେଶ ଯାତନା ନିମନ୍ତେ ଦାନ୍ତେ ନିନ୍ଦାର ପାତ୍ର ନୁହନ୍ତି, ତାଙ୍କର ଯୁଦ୍ଧ ଜୟବିବର୍ଜ୍ଜିତ; କିନ୍ତୁ ତାହା ପ୍ରକୃତ ଅପରିହାର୍ଯ୍ୟ । ସେକ୍‌ସପିଅର ଦାନ୍ତେଙ୍କଠାରୁ ମହତ୍ତର, କାରଣ ସେ ସଂଗ୍ରାମରେ ଜୟଲାଭ କରିଥିଲେ । ତାଙ୍କର ଦୁଃଖ ଯନ୍ତ୍ରଣା ଥିଲା, ଏଥିରେ ସନ୍ଦେହ ନାହିଁ । ତାଙ୍କର ସଙ୍ଗୀତହିଁ ତାହାର ପରିଚାୟକ । ସେ କିପରି ଦୁଃଖର ଅକୂଳ ପାରାବାରରେ ପଡ଼ି କିପରି ଭାବରେ ସନ୍ତରଣ କରି ଆତ୍ମରକ୍ଷା କରିଅଛନ୍ତି ତାହା ତାଙ୍କର ସଂଗୀତ ପାଠକଲେ ଜଣା ପଡ଼େ, ସାଧାରଣ ମନୁଷ୍ୟ ପକ୍ଷରେ ତାହା ଅସମ୍ଭବ ।

 

କେତେକଙ୍କ ମତରେ ସେ ଗୋଟିଏ ପକ୍ଷୀତୁଲ୍ୟ ବୃକ୍ଷ ଡାଳରେ ବସି ଆନନ୍ଦରେ ଗାନ କରୁଥିଲେ; ଦୁଃଖ ଯନ୍ତ୍ରଣା କ’ଣ ଜାଣି ନ ଥିଲେ; କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା, କାରଣ କୌଣସି କଷ୍ଟ ଏବଂ ବାଧା ପ୍ରାପ୍ତ ହୋଇ ନଥିଲେ ଜଣେ ମୃଗାପହାରକ ଗ୍ରାମ୍ୟଯୁବକ ନାଟକ ଲେଖକ ହୋଇପାରେ ? ଯଦି ତାଙ୍କର ବୀରହୃଦୟ କେତେ କଷ୍ଟଭୋଗ କରି ନଥାନ୍ତା ତାହାହେଲେ କିପରି ହାମ୍‌ଲେଟ୍‌ (Hamlet) କରିଓଲେନ୍‌ସ (Cariolnys), ମ୍ୟାକବେଥ (Macbeth) ପ୍ରଭୃତି ବିଷାଦ କାଳିମାଯୁକ୍ତ ବୀରହୃଦୟ ତାହା କରିପାରିଥାନ୍ତା ? ଏବଂ ଏହାର ବୈସାଦୃଶ ଦୃଷ୍ଟିରେ ତାଙ୍କର ପୂର୍ଣ୍ଣ ଆନନ୍ଦ ଏବଂ ପ୍ରଭୂତ ହାସ୍ୟପ୍ରିୟତା ବିବେଚନା କଲେ, କେବଳ ହାସ୍ୟରେହିଁ ତାଙ୍କର ଅତିଶୟୋକ୍ତି ପରିଦୃଷ୍ଟ ହୁଏ । ଭୀଷଣ ତିରସ୍କାର, ମର୍ମଭେଦୀ ବାରବାଣ ପ୍ରଭୃତି ସେକ୍‌ସପିଅରଙ୍କ ପ୍ରକୃତିରେ ପରିଲକ୍ଷିତ ହୁଏ; କିନ୍ତୁ ସେ କୌଣସି ବିଷୟରେ ସୀମାଲଙ୍ଘନ କରି ଔଚିତ୍ୟ ପରିହାର କରି ନାହାନ୍ତି । ହାସ୍ୟର ଧାରା ତାହାଙ୍କ ଠାରୁ ନିର୍ଝରିଣୀବତ୍‌ ପ୍ରବାହିତ; କିନ୍ତୁ ତାହା ଦୋଷଶୂନ୍ୟ ଓ ଆନନ୍ଦଦାୟୀ । କୁତ୍ରାପି ସେ ଦୁଃଖ, ଦୁର୍ବଳତା ଓ ଦାରିଦ୍ର୍ୟକୁ ଆକ୍ଷେପ କରିନାହାନ୍ତି । ତାଙ୍କ ହାସ୍ୟ ସହାନୁଭୂତି ସୂଚକ । ସାଧୁହାସ୍ୟ ସର୍ବଦା ଦୋଷଶୂନ୍ୟ । ନିର୍ବୋଧତା ଏବଂ କୁଟିଳତା ବିପକ୍ଷରେ ମଧ୍ୟ ସେ ହାସ୍ୟ ସମ୍ବରଣ କରନ୍ତି ନାହିଁ, ଯଦି କରନ୍ତି ତେବେ କାହାରି ମନରେ ବ୍ୟାଥା ଦିଅନ୍ତି ନାହିଁ-। ଡଗବେରି (Dogberry) ଏବଂ ଭରଜେସ (Verges) ଆମ୍ଭମାନଙ୍କ ହାସ୍ୟ ଉଦ୍ଦୀପନ କରେ ଏବଂ ଏହି ହାସ୍ୟ ନିମିତ୍ତ ହିଁ ଆମ୍ଭେମାନେ ସେମାନଙ୍କୁ ଭଲପାଉଁ । ଏପରି ନିରପରାଧ ହାସ୍ୟ ଗଭୀର ସମୁଦ୍ର ବକ୍ଷରେ ସୂର୍ଯ୍ୟକିରଣବତ୍‌ ଅତିଶୟ ଆନନ୍ଦଦାୟକ ଓ ରମଣୀୟ ।

 

ସେକ୍‌ସ୍‌ପିଅରଙ୍କ ଐତିହାସିକ ନାଟକ ସମୂହ ଜାତୀୟ କାବ୍ୟବତ୍‌ । ମାଲବରୋ କହିଅଛନ୍ତି, ସେକ୍‌ସ୍‌ପିଅରଙ୍କ ବ୍ୟତୀତ ସେ ଅନ୍ୟ ଇଂରେଜୀ ଇତିହାସ ପାଠକରି ନାହାନ୍ତି; ଇଂରେଜ ଇତିହାସର ପ୍ରତ୍ୟେକ ପ୍ରଧାନ ଘଟନା ତହିଁରେ ସୁନ୍ଦରରୂପେ ବର୍ଣ୍ଣିତ ହୋଇଅଛି । ଅଜିନକୋଟ (Agincourt) ସମରବର୍ଣ୍ଣନା ଅତିଶୟ ଚମତ୍‌କାର ବୋଲି ବୋଧହୁଏ । ସେକ୍‌ସ୍‍ପିଅରଙ୍କ ଲେଖାବଳୀ ମଧ୍ୟରେ ଏହାର ବର୍ଣ୍ଣନା ଅତିଶୟ ସୁନ୍ଦର । ତାଙ୍କଠାରେ ପବିତ୍ର ସ୍ୱଦେଶାନୁରାଗ ପୂର୍ଣ୍ଣ ମାତ୍ରାରେ ବର୍ତ୍ତମାନ । ତାଙ୍କର ପ୍ରତ୍ୟେକ ଚିନ୍ତାରେ, ପ୍ରତ୍ୟେକ ଅନୁଷ୍ଠାନରେ ଗୋଟିଏ ପ୍ରକୃତ ଇଂରେଜୀ ହୃଦୟ ବର୍ତ୍ତମାନ ।

 

ତାଙ୍କର ଲେଖାବଳୀ କତିପୟ ବାତାୟନ ସଦୃଶ, ତଦ୍ଦ୍ୱାରା ଆମ୍ଭେମାନେ ତାଙ୍କ ଅନ୍ତର୍ଜଗତର ଦୃଷ୍ଟି ପାଉ । ଅନେକ ଗଣ୍ଡଗୋଳ ଓ ବାଧାବିଘ୍ନ ମଧ୍ୟରେ ନାଟକ ଲେଖିବାକୁ ହୋଇ ଥିବାରୁ ଅନେକ ପ୍ରମାଦ ରହିଯାଇଅଛି । ତାଙ୍କୁ ଗ୍ଲୋବ ନାଟ୍ୟଶାଳା (Globe Theatre) ନିମିତ୍ତ ନାଟକ ଲେଖିବାକୁ ପଡ଼ିଥିବାରୁ ସେ ତାଙ୍କର ଇଚ୍ଛାନୁସାରେ ନିଜ ହୃଦୟର ସମସ୍ତ କଥା ପ୍ରକାଶ କରି ପାରି ନାହାନ୍ତି । ଆତ୍ମପ୍ରକାଶର ସୁବିଧା ସେ ପାଇ ପାରି ନାହାନ୍ତି । ଜଣେ ସ୍ଥପତିକୁ ପ୍ରସ୍ତର ଯୋଗାଇ ମୂର୍ତ୍ତି ନିର୍ମାଣ କରିବାକୁ ଆଦେଶ ଦେଲେ, ସେ ଯେପରି ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିପାରେ ନାହିଁ, ସେକ୍‌ସ୍‌ପିଅରଙ୍କୁ ମଧ୍ୟ ତଦ୍ରୁପ କରିବାକୁ ପଡ଼ିଥିଲା ।

 

ଯେ କୌଣସି ବୁଦ୍ଧିମାନ୍‌ବ୍ୟକ୍ତି ସେକ୍‌ସ୍‍ପିଅରଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ ସ୍ପଷ୍ଟଭାବରେ ଉପଲବ୍‌ଧି କରିପାରିବେ ଯେ, ସେ ଜଣେ ଧର୍ମୋପଦେଶକ । ଶକ୍ତିବିଶିଷ୍ଟା ପ୍ରକୃତି–ଅପରିଚ୍ଛେଦ୍ୟା ଓ ଅନିର୍ବଚନୀୟ ଗଭୀରତାରେ ନରକ ଓ ଉଚ୍ଚତାରେ ସ୍ୱର୍ଗତୁଲ୍ୟା–ଏହା ସେହି ମହାପ୍ରାଣ ହୃଦୟଙ୍ଗମ କରି ପାରିଥିଲେ ସେ କିନ୍ତୁ ପ୍ରଚାରକ ରୂପେ କିଛି ପ୍ରଚାର କରି ନାହାନ୍ତି, କେବଳ ମଧୁର ସ୍ୱରରେ ନୀରବରେ ଗାନ କରିଅଛନ୍ତି । ଯେପରି ଦାନ୍ତେ ମଧ୍ୟଯୁଗସ୍ଥ ଖ୍ରୀଷ୍ଟଧର୍ମର ପ୍ରଧାନ ପୁରୋହିତ, ସେକ୍‌ସ୍‌ପିଅର କଣ ସେପରି ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତର ସତ୍ୟ, ପବିତ୍ର, ବିଶ୍ୱଜନିତ ଧର୍ମର ପ୍ରଧାନ ପୁରୋହିତ ନୁହନ୍ତି ? ତାଙ୍କଠାରେ ସଂକୀର୍ଣ୍ଣତାପୂର୍ଣ୍ଣ କୁସଂସ୍କାର ନାହିଁ, ତୀବ୍ର କଠୋରତା ନାହିଁ, ଅନୁଦାର ବିଧିପରତା ନାହିଁ, ଉତ୍କଟ ଧର୍ମୋନ୍ମାଦନା ନାହିଁ; କିନ୍ତୁ ଅଛି ପ୍ରକୃତିର ଗୂଢ଼ ଏବଂ ପ୍ରଚ୍ଛନ୍ନ ସୌନ୍ଦର୍ଯ୍ୟ, ମାଧୁରୀ ଓ ଦେବତ୍ୱର ଉପାସନା ।

 

ଅନେକେ ସେକ୍‌ସ୍‌ପିଅରଙ୍କୁ ନାସ୍ତିକ ବୋଲି କହନ୍ତି; କିନ୍ତୁ ସେମାନଙ୍କ ସହିତ ଆମ୍ଭେମାନେ ଏକମତ ନୋହୁଁ । ଧର୍ମ୍ମବାଦ ଓ ତଦାନୀନ୍ତନ ଧର୍ମ୍ମ ସମ୍ବନ୍ଧୀୟ ଗଣ୍ଡଗୋଳ ପ୍ରତି କବିଙ୍କ ଔଦାସୀନ୍ୟ ସେମାନଙ୍କୁ ଭ୍ରମରେ ପକାଇଅଛି । ଯଦ୍ୟପି ସେ ତାଙ୍କର ସ୍ୱଦେଶାନୁରାଗ ପ୍ରକାଶ କରି ନାହାନ୍ତି, ତଥାପି ସେ ସ୍ୱଦେଶଦ୍ରୋହୀ ନୁହନ୍ତି, ଯଦ୍ୟପି ସେ ତାଙ୍କର ଧର୍ମ ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି, ତଥାପି ସେ ନାସ୍ତିକ ନୁହନ୍ତି । ଏପରି ଔଦାସୀନ୍ୟ କେବଳ ତାଙ୍କର ମହାନୁଭାବତାର ପରିଚାୟକ । ତାଙ୍କର ବିଶାଳ ହୃଦୟ ସ୍ୱତନ୍ତ୍ର ଭାବରେ ବିରାଟର ପୂଜାକରି ଥିଲା । ସାଧାରଣଙ୍କ ପକ୍ଷରେ ଯାହା ପ୍ରଧାନ, ତାହା ତାଙ୍କ ପକ୍ଷରେ ତୁଚ୍ଛ ।

 

ଯେ ଯାହା କହନ୍ତୁ ପଛକେ, ସେକ୍‌ସ୍‌ପିଅରଙ୍କ ଦାନ ଅମୂଲ୍ୟ । ତାଙ୍କର ଭୂତଳରେ ଆବିର୍ଭାବ ଅତିଶୟ ପବିତ୍ର । ସେ ଆମ୍ଭମାନଙ୍କର ସମସ୍ତଙ୍କର ଚକ୍ଷୁ ଏବଂ ଜଣେ ସ୍ୱର୍ଗୀୟ ଆଲୋକଦାତା; କିନ୍ତୁ ସେ କେବେହେଁ ଜାଣି ପାରି ନାହାନ୍ତି ଯେ, ସେ ଭଗବତ୍‌ ସନ୍ଦେଶ ଘେନି ଆସିଥିଲେ, ସେ ମହମ୍ମଦଙ୍କ ତୁଲ୍ୟ ଆପଣାକୁ ଅନୁଭବ କରିପାରି ନାହାନ୍ତି, କାରଣ ସେ ଆଭ୍ୟନ୍ତରୀଣ ଐଶ୍ୱର୍ଯ୍ୟ ସନ୍ଦର୍ଶନ କରିଥିଲେ । ମହମ୍ମଦଙ୍କ ପ୍ରଭାବ କାଳର କରାଳ କବଳରେ ପଡ଼ି ବିନିଷ୍ଟ ହୋଇପାରେ; କିନ୍ତୁ ସେକ୍‌ସ୍‌ପିଅର କିମ୍ବା ଦାନ୍ତେ ଚିରକାଳ ଅକ୍ଷୁର୍ଣ୍ଣ ଭାବରେ ରହିବେ । ମହମ୍ମଦ କେବଳ ଆରବ ଦେଶର ଧର୍ମଗୁରୁ; କିନ୍ତୁ ସେକ୍‌ସ୍‌ପିଅର ନିଖିଳ ମାନବଜାତିର ପ୍ରଧାନ ପୁରୋହିତ ।

 

ଏସ୍‌କାଇଲସ୍‌ କିମ୍ବା ହୋମରଙ୍କ ତୁଲ୍ୟ ସେକ୍‌ସ୍‌ପିଅର ମଧ୍ୟ ସତ୍ୟତା ଏବଂ ବିଶ୍ୱଜନୀନତା ହେତୁ ଚିରକାଳ ଆମ୍ଭମାନଙ୍କର ପୂଜ୍ୟ, ନମସ୍ୟ ହୋଇ ରହିବେ । ସେ ମଧ୍ୟ ସେମାନଙ୍କ ତୁଲ୍ୟ ସରଳ ଓ ଅକୃତ୍ରିମ ଏବଂ ସେମାନଙ୍କର ପରି ଅଖଣ୍ଡ ଶାଶ୍ୱତ ନିକଟକୁ ପ୍ରବେଶକ୍ଷମ ।

 

ଆମ୍ଭମାନଙ୍କର ଏହି ଓ୍ୟାରଉଇକ୍‌ଶାୟାରର ଦରିଦ୍ର କୃଷକ ଯେ କି ଗୋଟିଏ ନାଟ୍ୟଶାଳାର ନାୟକ ହୋଇପାରିଥିବାରୁ ଭିକ୍ଷା ନ କରି ଜୀବନ ଧାରଣ କରିପାରିଥିଲେ, ଯେ ସାଉଦାମଟନର ଜମିଦାର (Earl of Sonthamton) ଙ୍କ ଦୃଷ୍ଟିରେ ବହୁତ କୃପାର ପାତ୍ର, ଏବଂ ସାର ଟମାସ ଲୁସି (Sir Thomas Lucy) (ତାହାଙ୍କୁ ଶତ ଧନ୍ୟବାଦ !) ଯେ ତାହାଙ୍କୁ କାରାଗାରକୁ ପ୍ରେରଣ କରିବାର ଉଦ୍ୟମ କରିଥିଲେ–ତାଙ୍କ ଚକ୍ଷୁରେ ଦଣ୍ଡାର୍ହ ହୋଇଥିଲେ, ତାଙ୍କର ମାନବ ସମାଜରେ ଓଡ଼ିନଙ୍କପରି ଷୋଡ଼ଶୋପଚାରରେ ଅର୍ଚ୍ଚନା ହୋଇପାରି ନ ଥିଲା; କିନ୍ତୁ ବର୍ତ୍ତମାନ ବିଚାର କରି ଦେଖନ୍ତୁ ବୀରପୂଜା ଇତ୍ୟାଦି ଅନେକାଂଶରେ କ୍ଷୀଣତା ଲଭିଥିଲେ ହେଁ ଆଜି ଆମ୍ଭମାନଙ୍କ ମଧ୍ୟରେ ସେକ୍‌ସ୍‌ପିଅରଙ୍କର ସ୍ଥାନ କେଡ଼େ ଉଚ୍ଚ ? ବର୍ତ୍ତମାନ ସେକ୍‌ସ୍‌ପିଅରଙ୍କ ସହିତ ଏକଲକ୍ଷ ଇଂରେଜ ତୁଳନୀୟ ନୁହନ୍ତି । ଏକଲକ୍ଷ ଇଂରେଜଙ୍କ ବିନିମୟରେ ସେକ୍‌ସ୍‌ପିଅରଙ୍କୁ ପରିତ୍ୟାଗ କରାଯାଇ ନ ପାରେ । ଶତ ସହସ୍ର ସମ୍ଭ୍ରାନ୍ତ ଉପାଧିଧାରୀ ବ୍ୟକ୍ତିଙ୍କୁ ଅକ୍ଲେଶରେ ପରିହାର କରାଯାଇପାରେ, କିନ୍ତୁ ଏହି ଷ୍ଟ୍ରାଟ୍‌ଫୋର୍ଡ଼ର କୃଷକକୁ ତ୍ୟାଗ କରାଯାଇ ନ ପାରେ । ଆମ୍ଭମାନଙ୍କର ସେ ଏକମାତ୍ର ଆଦରର ଧନ । ଆମ୍ଭମାନଙ୍କର ଜାତୀୟ ମାନ ସମ୍ମାନ ବିଦେଶୀୟଙ୍କ ମଧ୍ୟରେ ଅକ୍ଷୁର୍ଣ୍ଣ ରଖିବା ହିଁ ଏକମାତ୍ର କାର୍ଯ୍ୟ । ବିଦେଶୀୟମାନଙ୍କୁ ସେକ୍‌ସ୍‌ପିଅରଙ୍କ ବ୍ୟତୀତ ସମସ୍ତ ଅର୍ପଣ କରାଯାଇପାରେ । ଯଦି ବିଦେଶୀୟମାନେ ଜିଜ୍ଞାସା କରନ୍ତି, ‘‘ହେ ଇଂରେଜ୍‌ ! ବିଚାର କର, ତୁମ୍ଭେ ତୁମ୍ଭର ଭାରତ ସାମ୍ରାଜ୍ୟ ପରିତ୍ୟାଗ କରିପାର ନା ସେକ୍‌ସ୍‌ପିଅରଙ୍କୁ ପରିତ୍ୟାଗ କରିପାର ?’’ ବାସ୍ତବରେ ଏହା ଗୋଟିଏ ପ୍ରଣିଧାନର ବିଷୟ, ସରକାରୀ ଲୋକେ ସରକାରୀ ଭାଷାରେ ଉତ୍ତରଦେବେ ସତ୍ୟ; କିନ୍ତୁ ଆମ୍ଭେମାନେ ଆମ୍ଭମାନଙ୍କ ଭାଷାରେ ଉତ୍ତରଦେବୁଁ, ‘‘ଭାରତ ସାମ୍ରାଜ୍ୟ ରହୁ ବା ନ ରହୁ, ଆମ୍ଭେମାନେ କିନ୍ତୁ ସେକ୍‌ସ୍‌ପିଅରଙ୍କୁ ପରିତ୍ୟାଗ କରିପାରିବୁଁ ନାହିଁ । ଭାରତ ସାମ୍ରାଜ୍ୟ କୌଣସି ନା କୌଣସି ଦିନ ଚାଲିାଯାଇ ପାରେ, କିନ୍ତୁ ଏହି ସେକ୍‌ସ୍‌ପିଅର କେବେହେଁ ଯିବେ ନାହିଁ, ସେ ଚିରକାଳ ପାଇଁ ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ-।’’

 

ଆଧ୍ୟାତ୍ମିକ ବିଷୟ ବ୍ୟତୀତ ବ୍ୟାବହାରିକ ଜୀବନର ଦିଗ ଦେଇ ତାଙ୍କର ବିଚାର କରି ଦେଖିବାକୁ ହେବ । ଆଉ ଅଳ୍ପଦିନ ପରେ ଇଂଲଣ୍ଡରେ ଖୁବ୍‌ଅଳ୍ପ ସଂଖ୍ୟକ ଇଂରେଜ ବାସ କରିବେ-। ଆମେରିକା, ହଲାଣ୍ଡ, ପ୍ରାଚ୍ୟ, ପାଶ୍ଚାତ୍ୟ ଏବଂ ପୃଥିବୀର ବିଭିନ୍ନ ସ୍ଥାନରେ ଇଂରେଜମାନେ ବ୍ୟାପ୍ତହୋଇ ପଡ଼ିବେ; କିନ୍ତୁ ଏହି ବିକ୍ଷିପ୍ତ ଜାତିକୁ ଗୋଟିଏ ଜାତିରୂପେ କିଏ ବାନ୍ଧି ରଖିବ । ଯଦ୍ଦ୍ୱାରା ସେମାନେ ଯୁଦ୍ଧ ବିଗ୍ରହ ନ କରି ଭ୍ରାତୃଭାବରେ ଶାନ୍ତିରେ ବାସ କରିପାରିବେ । ଏହା ଅଧୁନା ଗୋଟିଏ ବିଷୟ ସମସ୍ୟା ଏବଂ ତାହା କିଏ ପୂରଣ କରିବ ? ପାର୍ଲିଆମେଣ୍ଟର ନିୟମ କିମ୍ବା ରାଜ୍ୟଶାସକ ପ୍ରଧାନ ସଚିବ ତାହା କରିପାରନ୍ତି ନାହିଁ, ଆମେରିକା ଆମ୍ଭମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଅଛି, ତାହା କେବଳ ପାର୍ଲିଆମେଣ୍ଟର କୃତି । ସେକ୍‌ସ୍‌ପିଅର ଏପରି ଜଣେ ଇଂରେଜ ନୃପତି, ଯାହାକୁ କୌଣସି କାଳ, କୌଣସି କାର୍ଯ୍ୟ, କୌଣସି ମହାସଭା ବା ମହାସଭାର ସମଷ୍ଟି କେବେହେଁ ସିଂହାସନଚ୍ୟୁତ କରିପାରିବ ନାହିଁ । ଏହି ନୃପତି ଆମ୍ଭମାନଙ୍କ ମଧ୍ୟରେ ଅତ୍ୟୁଦାର ପ୍ରଶାନ୍ତ, ଶକ୍ତିଶାଳୀ ରାଜାରୂପେ ବିରାଜମାନ ଏବଂ ସେ ସେହିପରି ଭାବରେ ବହୁଯୁଗ ଧରି ତାଙ୍କର ପ୍ରଭାବ ବିସ୍ତାର କରିବେ । ପରାମାଟ୍ଟାନ୍‌ (Paramattan) ରୁ ହେଉ ବା ନ୍ୟୁୟର୍କ (New Yorks) ରୁ ହେଉ ପ୍ରତ୍ୟେକ ଇଂରେଜ ନରନାରୀ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବେ । ବାସ୍ତବିକ ଏହି ସେକ୍‌ସ୍‌ପିଅର ଆମ୍ଭର, ଆମ୍ଭେମାନେ ତାଙ୍କୁ ଜନ୍ମ ଦେଇଛୁଁ, ଆମ୍ଭେମାନେ ତାଙ୍କ ଭାବରେ ଭାବୁ ଏବଂ ତାଙ୍କ ନେତ୍ରରେ ଦେଖୁଁ, ଆମ୍ଭେମାନଙ୍କ ରକ୍ତମାଂସର ସମ୍ପର୍କ ହିଁ ତାଙ୍କରି ସହିତ । ଏକ ସାଧାରଣ ରାଜନୀତିଜ୍ଞ ଇଚ୍ଛାକଲେ ଏହିପରି ଭାବରେ ଭାବିପାରନ୍ତି । ବାସ୍ତବରେ ଏହା ଜାତି ପକ୍ଷରେ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଯେ, ସେହି ଜାତିର ଗୌରବ ଲଳିତ ସ୍ୱରରେ ଗାନ କରିବା ନିମନ୍ତେ ସେଥିରେ ଜଣେ ବ୍ୟକ୍ତି ଜନ୍ମଗ୍ରହଣ କରିଅଛନ୍ତି । ନିଃସହାୟ ଇଟାଲି ଆଜି ବିକ୍ଷିପ୍ତ ହୋଇ ପଡ଼ିଅଛି, ଛିନ୍ନ ଭିନ୍ନ ହୋଇ ଯାଇଅଛି । କୌଣସି ସନ୍ଧିପତ୍ରରେ ଏକତ୍ରୀଭୂତ ହୋଇ ରହିପାରି ନାହିଁ, ତଥାପି ଇଟାଲି ଏକ, କାରଣ ଇଟାଲି ଦାନ୍ତେଙ୍କର ଜନ୍ମଦାତା । ଇଟାଲିର ଦାନ୍ତେ ଅଛନ୍ତି; ଇଟାଲି ବାକ୍‌ଶକ୍ତି ସମ୍ପନ୍ନା । ଏଡ଼େବଡ଼ ବିଶାଳ ରୁଷ ସାମ୍ରାଜ୍ୟ ଅସ୍ତ୍ର ସାହାଯ୍ୟରେ ଏକ ହୋଇଅଛି; କିନ୍ତୁ ତାହାର ବାକ୍‌ଶକ୍ତି ନାହିଁ । ରୁଷ କଥା କହି ଶିଖିବା ଦରକାର । ରୁଷର ଅସ୍ତ୍ର ଶସ୍ତ୍ର ଦିନେ ନଷ୍ଟ ହୋଇ ଯିବ; କିନ୍ତୁ ଦାନ୍ତେ ବିରଜମାନ ଥିବେ । ତାଙ୍କର ବାଣୀ ସମସ୍ତଙ୍କର ଶ୍ରୁତିଗୋଚର ହେବ, ଯେଉଁ ଜାତିର ଜଣେ ଦାନ୍ତେ କିମ୍ବା ସେକ୍‌ସ୍‌ପିଅର ଅଛନ୍ତି, ତାହା ମୈତ୍ରୀ ଓ ଏକତା ପାଶରେ ବଦ୍ଧ, କିନ୍ତୁ ତାହା ରୁଷପରି ମୂକ ନୁହେଁ ।

Image

 

ଚତୁର୍ଥ ପ୍ରସଙ୍ଗ

ଧର୍ମ-ଯାଜକ ବୀର

 

ଧର୍ମଯାଜକବୀର ବର୍ତ୍ତମାନ ଆମ୍ଭମାନଙ୍କର ଆଲୋଚ୍ୟ ବିଷୟ । ପୂର୍ବ ପ୍ରସଙ୍ଗମାନଙ୍କରେ ଏକାଧିକବାର କୁହା ହୋଇଅଛି ଯେ, ପ୍ରତ୍ୟେକ ପ୍ରକାରର ବୀର ସ୍ଥୂଳତଃ ଏକ ଉପାଦାନରେ ଗଠିତ । ଯେଉଁ ମହାପ୍ରାଣ ବାସ୍ତବରେ ସ୍ୱୀୟ ପ୍ରାଣରେ ଐଶୀ ସତ୍ତା ଉପଲବ୍‌ଧି କରନ୍ତି, ସ୍ୱର୍ଗୀୟ ଆଲୋକ ଅନୁଭବ କରନ୍ତି, ଏହି ପରିଦୃଶ୍ୟମାନ ନିଖିଳ ସଂସାର ସେହି ପରମ ପୁରୁଷଙ୍କ କୃତି ବୋଲି ହୃଦୟଙ୍ଗମ କରିପାରନ୍ତି, ସେ ତାହା ପ୍ରକାଶ କରିବା, ତାହାର ମହିମା ଗାନ କରିବା ଏବଂ ସେହି ଅନୁଭୂତିକୁ ଆପାମର ଜନସାଧାରଣଙ୍କ ହୃଦୟଙ୍ଗମ କରାଇବା ନିମନ୍ତେ ନିଜର ପ୍ରାଣକୁ ତୁଚ୍ଛ କରି ସାଂସାରିକ ମାନ ଅପମାନକୁ ଭ୍ରୁକ୍ଷେପ ନକରି ବୀରୋଚିତ ସାହାସ ଓ ଧୈର୍ଯ୍ୟ ସହକାରେ କାର୍ଯ୍ୟରେ ବ୍ରତୀ ହୁଅନ୍ତି- ପ୍ରୟୋଜନ ହେଲେ ପ୍ରାଣ ବଳି ଦେବାକୁ ଆଦୌ କୁଣ୍ଠିତ ହୁଅନ୍ତି ନାହିଁ । କାରଣ ତାଙ୍କର ଜୀବନ ଯେ ଭଗବତ୍‌ ଚରଣରେ ଉତ୍ସର୍ଗୀକୃତ । ସମୟ ଓ ପାରିପାର୍ଶ୍ୱିକ ଅବସ୍ଥା ନିଚୟ ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରେ ସତ୍ୟ, କିନ୍ତୁ ବୀରଙ୍କର ସ୍ୱାତନ୍ତ୍ର୍ୟ ତଥା ପ୍ରାଧାନ୍ୟ ଯୋଗୁଁ ବିଶେଷ କିଛି କରି ପାରେ ନାହିଁ । ବୀର ଶେଷରେ ଜୟଯୁକ୍ତ ହୁଅନ୍ତି । ଧର୍ମଯାଜକଙ୍କୁ ମଧ୍ୟ ଧର୍ମୋବଦେଷ୍ଟା କହିଲେ ଚଳେ । କାରଣ ତାଙ୍କ ଅନ୍ତରରେ ଭଗବତ୍‌ଜ୍ୟୋତି ସତତ ବର୍ତ୍ତମାନ । ସେ ମନୁଷ୍ୟର ଦୈନନ୍ଦିନ ଉପାସନାରେ ନେତୃତ୍ୱ ଗ୍ରହଣ କରି ତାକୁ ଅଦୃଷ୍ଟ ପୁରୁଷ ସହିତ ମିଳିତ କରାଇ ଦିଅନ୍ତି । ସେ ମନୁଷ୍ୟ ସମାଜର ଆଧ୍ୟତ୍ମିକ ରାଜ୍ୟରେ ସେନାପତି ଓ ଧର୍ମୋପଦେଷ୍ଟା, ସେ ମନୁଷ୍ୟମାନଙ୍କୁ ଧର୍ମ ଓ ନୀତିଶିକ୍ଷା ଦାନ କରି ସଂସାରର ଜଞ୍ଜାଳରାଶିରୁ ଉଦ୍ଧାର କରି ଐଶ୍ୱରିକ ଗୃଢ଼ତତ୍ତ୍ୱ ଓ ଅଜ୍ଞେୟ ରହସ୍ୟ ଅତିଶୟ ସହଜ ସରଳଭାବରେ ଉପଲବ୍‌ଧି କରାଇ ସଚ୍ଚିଦାନନ୍ଦଙ୍କ ଦର୍ଶନ ପନ୍ଥା ସୁଗମ କରି ଦିଅନ୍ତି । ଧର୍ମୋପଦେଷ୍ଟାଙ୍କ ତୁଲ୍ୟ ସେମାନଙ୍କର ସେ ଅଲୌକିକ ଦୀପ୍ତି ଓ ପ୍ରଭା ନାହିଁ ସତ୍ୟ, କିନ୍ତୁ ମନୁଷ୍ୟର ଦୈନିକ ଜୀବନ ଗଠନ ତଥା ଉଜ୍ଜ୍ୱଳ କରିବାରେ ସେମାନଙ୍କର ବିଶେଷତ୍ୱ ଲକ୍ଷିତ ହୁଏ । ଏହାହିଁ ଧର୍ମ ଯାଜକର ଆଦର୍ଶ । ବହୁପୁରାକାଳରୁ ସେମାନେ ଏହିପରି ତାଙ୍କରି କର୍ତ୍ତବ୍ୟ ପରମନିଷ୍ଠା ସହକାରେ ସମ୍ପାଦନ କରି ଆସୁଅଛନ୍ତି । ଏହା ସର୍ବବାଦିସମ୍ମତ, ଆଦର୍ଶକୁ କାର୍ଯ୍ୟରେ ପରିଣତ କରିବା ନିମିତ୍ତ ପ୍ରଭୂତ ସ୍ୱାଧୀନତା, ଅସୀମ ଧୈର୍ଯ୍ୟ ଓ ସହିଷ୍ଣୁତା, ପରମନିଷ୍ଠା, ପ୍ରଗାଢ଼ ଅନୁରକ୍ତି, ଅଟଳ ବିଶ୍ୱାସ ଓ ପ୍ରେମ ଆଦୌ ଆବଶ୍ୟକ । ଧର୍ମଯାଜକବୀରଙ୍କର ଅଦ୍ଭୁତ କ୍ଷମତା, କଠୋର ସାଧନା, ତୀବ୍ର ବୈରାଗ୍ୟ, କଠିନ ବହ୍ମଚର୍ଯ୍ୟ ଓ ଅନୁପମ ସଂଯମ ଦେବାନୁଭାବ ବୀରଙ୍କ ତୁଳନାରେ ପ୍ରଚୁର ନ ହେଲେହେଁ, ସେ ଜଣେ ଦେବାନୁଭାବ ବୀରଙ୍କ ତୁଳନାରେ ପ୍ରଚୁର ନ ହେଲେହେଁ, ସେ ଜଣେ ଅସାଧାରଣ ପୁରୁଷ । ସେହି ଅଦ୍ଭୁତ ଓ ଅସାଧାରଣ ପୁରୁଷଙ୍କର କିଞ୍ଚିତ ଆଭାସ ଦେବା ନିମିତ୍ତ ଆମ୍ଭେମାନେ ଯଥାଶକ୍ତି ପ୍ରବୃତ୍ତି ହେଉଅଛୁଁ ।

 

ଲୁଥର ଓ ନକ୍‌ସ ପୁରୋହିତ କୁଳରେ ଜନ୍ମପରିଗ୍ରହ କରିଥିଲେ । ସେମାନେ କୌଳିକଧର୍ମ ପ୍ରତିପାଦନ ପୂର୍ବକ ଧର୍ମଯାଜକତ୍ୱର ଗୌରବ ଓ ମର୍ଯ୍ୟାଦା ରକ୍ଷା କରି ଉକ୍ତ ନାମର ସାର୍ଥକତା ସମ୍ପାଦନ କରିଅଛନ୍ତି । ଏଠାରେ ଆମ୍ଭେମାନେ ତାଙ୍କର ଐତିହାସିକ ଚରିତ୍ର ବର୍ଣ୍ଣନା କରିବୁଁ । ତାହା ସାଧାରଣ ଆଚାର୍ଯ୍ୟ ରୂପରେ ନୁହେଁ, ପରନ୍ତୁ ତଦାନୀନ୍ତନ ଯୁଗର ପ୍ରଧାନ ଧର୍ମସଂସ୍କାରକ ରୂପରେ ପର୍ଯ୍ୟବସିତ । ଏପରି ଅନେକ ଖ୍ୟାତନାମା କର୍ତ୍ତବ୍ୟନିଷ୍ଠ ଧର୍ମାଚାର୍ଯ୍ୟ ଅଛନ୍ତି, ଯେଉଁମାନେ ଶାନ୍ତି କାଳରେ ସୁଚାରୁରୂପେ ତାଙ୍କର ଇପ୍‌ସିତ କାର୍ଯ୍ୟ ସମ୍ପାଦନ କରିଅଛନ୍ତି, ଭଗବତ୍‌ ଉପାସନାରେ ନେତୃତ୍ୱ ଗ୍ରହଣପୂର୍ବକ ମାନବକୁ ‘ଅମୃତର’ ଅଧିକାରୀ କରାଇଅଛନ୍ତି; କିନ୍ତୁ ଯେତେବେଳେ ବିଗ୍ରହ ଓ ବିପ୍ଲବ ଦ୍ୱାରା ଧର୍ମର ବିପର୍ଯ୍ୟୟ ଘଟେ ଓ ଧର୍ମପଥ ଦୁର୍ଗମ ଓ କଣ୍ଟକମୟ ହୁଏ, ସେତେବେଳେ ଯେଉଁ ଧର୍ମଯାଜକମାନେ ଅଦ୍ଭୁତ କ୍ଷମତା ଦକ୍ଷତା, ଶକ୍ତି ସାହାଯ୍ୟରେ କାଳକବଳରୁ ଧର୍ମ ରକ୍ଷାକରି ମନୁଷ୍ୟକୁ ଧର୍ମପଥରେ ପରିଚାଳନା କରିପାରନ୍ତି, ସେହିମାନେହଁ ଜଗତ୍‌ପୂଜ୍ୟ । ସେମାନେ ସେତେବେଳେ ରଣୋନ୍ମତ୍ତ, ସଂଗ୍ରାମକାରୀ ବୀର; ସମରଯଜ୍ଞରେ ନିଜ ପ୍ରାଣକୁ ଆହୁତି ଦିଅନ୍ତି । ସେ ବାସ୍ତବରେ ପ୍ରକୃତ ସଂସ୍କାରକ, ସାଂସାରିକ ଅତ୍ୟାଚାର, ଅବିଚାର ବିରୁଦ୍ଧରେ ଭଗବାନଙ୍କ ଅଦୃଷ୍ଟ ନ୍ୟାୟଦଣ୍ଡର ପ୍ରତ୍ୟାଶୀ, ଦୂରଦ୍ରଷ୍ଟା, ଭବିଷ୍ୟଦ୍‌ ବକ୍ତା, ଅଣୁପରିମାଣରେ ଐଶୀ ଶକ୍ତିର ଅନୁଭବୀ, ଯେକୌଣସି ଭାବରେ ହେଉନା କାହିଁକି, ଯଦି ସେ ଆଦୌ ଧର୍ମ-ଯାଜକ ନୁହନ୍ତି, ତେବ ସେ କୌଣସିପ୍ରକାରେ ଧର୍ମ ସଂସ୍ଥାରକର ଉପଯୋଗୀ ହୋଇ ନ ପାରନ୍ତି । ଏବଂବିଧ ଲୋକହିଁ ପ୍ରତ୍ୟେକ ବସ୍ତୁରେ ବିଭୁସତ୍ତାର ପୂର୍ଣ୍ଣବିଶ୍ୱାସୀ । ଧର୍ମ୍ମଯାଜକଙ୍କ ମହତ୍ତ୍ୱର ବିକାଶ ସର୍ବତ୍ର ବିରାଜମାନ । କେତେବେଳେ ମହାପୁରୁଷ ଧର୍ମ୍ମ ସଂସ୍ଥାପକ, କେତେବେଳେ ସମରକୁଶଳ ମହାନ୍‌ବୀର-ସାହସ ଓ ବିକ୍ରମର ମୂଳଧାର । କେତେବେଳେ ଜୀବନର ଗୃଢ଼ ରହସ୍ୟ ଉଦ୍‌ଘାଟନକାରୀ ସଙ୍ଗୀତବିଶାରଦ ଦାନ୍ତେ, କେତେବେଳେ ଅବା ବ୍ୟାବହାରିକ ଜୀବନର ପରିପୂର୍ଣ୍ଣତା ପ୍ରବର୍ତ୍ତକ ସେକ୍‌ସ୍‌ପିଅର । ସଂଗ୍ରାମକାରୀ ଯୋଦ୍ଧାଙ୍କ କାର୍ଯ୍ୟ ବୀରଦର୍ପରେ ସଂପାଦିତ ହେଲେ ସୁଦ୍ଧା, ତଦ୍ୱାରା ପରିଶେଷରେ ସମାଜ ଧ୍ୱସ୍ତ ବିଧ୍ୱସ୍ତ ହୁଏ- କାରଣ ଧ୍ୱଂସର କରାଳ ମନ୍ତ୍ର ଘେନି ସେମାନଙ୍କର ଜନ୍ମ । ଧ୍ୱଂସର ଗଭୀର ଅନ୍ତରାଳରେ ନବୀନ ସୃଷ୍ଟି ଓ ନବଶକ୍ତିର ବୀଜ ପ୍ରଚ୍ଛନ୍ନ ଭାବରେ ନିହିତ, ତେଣୁ ଧ୍ୱଂସ ଅପରିହାର୍ଯ୍ୟ । କବିଙ୍କର ଭାସ୍ୱର ଦୀପ୍ତି, ସଂସ୍କାରକଙ୍କ କ୍ଷଣିକ ବିଦ୍ୟୁତ୍‌ପ୍ରଭା ନିକଟରେ ପରାଭୂତ । ପୂରାକାଳୀନ ବନଗିରି ନିବାସୀ ମୁନି ଋଷିମାନଙ୍କ ପ୍ରଭାବରେ ଦାନ୍ତେଙ୍କର ସୁଲଳିତ ସଙ୍ଗୀତ ଉଦ୍ଭାସିତ, ଶୃଙ୍ଖଳାବିହୀନ ବ୍ୟାବହାରିକ ଜୀବନ ମଧ୍ୟ ସେକ୍‌ସ୍‌ପିଅରଙ୍କ ଗାନର ମୂଳଭିତ୍ତି । ଯେଉଁ ଯୁଗରେ ସର୍ବଶ୍ରେଷ୍ଠ ଜଗଦ୍‌ବନ୍ଦ୍ୟ, ପରିପୂର୍ଣ୍ଣ- ବିଶ୍ୱକବି ଆବିର୍ଭୂତ ହୁଅନ୍ତି, ସେହି ଯୁଗ ପୃଥିବୀରେ ଶ୍ରେଷ୍ଠସ୍ଥାନ ଅଧିକାର କରେ । ସେହିଠାରେ ବିଶ୍ୱର ସମସ୍ତ ଶକ୍ତି ନିଃଶେଷିତ ହୁଏ । ତତ୍‌ପରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଓ ଅପରିହାର୍ଯ୍ୟ ।

 

ଆମ୍ଭେମାନେ ସର୍ବଦା ଯଦି କବିମାନଙ୍କ ଲଳିତ ଛନ୍ଦର ମଧୁମୟ ମୂର୍ଚ୍ଛନା ଉପଭୋଗ କରି ଜୀବନ ଅତିବାହିତ କରିପାରନ୍ତୁ, ତେବେ ଜୀବନ ଯେ କଳ୍ପନାତୀତ ସୁଖ ଶାନ୍ତିର ଆଷ୍ପାଦ ହୁଅନ୍ତା, ସନ୍ଦେହ ନାହିଁ; କିନ୍ତୁ ହାୟ, ଏହା ସର୍ବସମୟରେ କୌଣସି ଜାତି କିମ୍ବା କୌଣସି ଦେଶ ଭାଗ୍ୟରେ ଘଟେ ନାହିଁ । ସଂଗ୍ରାମକାରୀ ଆଚାର୍ଯ୍ୟବୀରମାନଙ୍କର ଯେ ଆବଶ୍ୟକତା ଯଥେଷ୍ଟ ଅଛି, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଏକ ଯୁଗରେ ଯାହା ଅତି ଆବଶ୍ୟକ ଓ ଉପକାରୀ ବୋଲି କଳ୍ପିତ ତାହା ଦେଶ କାଳ ଭେଦରେ ଉନ୍ନତିର ପରିପନ୍ଥୀ ରୂପେ ଦଣ୍ଡାୟମାନ ହୁଏ । କପଟତା, ଭଣ୍ଡତା ପ୍ରଭୃତିର ପ୍ରବଳ ତରଙ୍ଗ ପ୍ରତିରୋଧ କରିବା ସୁକଠିନ ବ୍ୟାପାର ହୋଇପଡ଼େ । ଏହା ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ଯେଉଁ ମହୋଦାର ଧର୍ମ୍ମ ଦାନ୍ତେଙ୍କ ଭଳି ବିଶ୍ୱବିଶ୍ରୁତକୀର୍ତ୍ତି ମନୁଷ୍ୟଙ୍କ ଜୀବନର ଅବଲମ୍ବନ ହୋଇଥିଲା, ତାହା କେତେକ ଶତାବ୍ଦୀ ପରେ ହେୟ ଓ ଜଘନ୍ୟ ହୋଇ ଉଠିଲା–ମନୁଷ୍ୟର ନାସିକା କୁଞ୍ଚନ ହିଁ ସାର ହେଲା । ଦାନ୍ତେଙ୍କର ବିଶ୍ୱଜନୀନ ଧର୍ମ୍ମ କି ନିମିତ୍ତ ବିନଷ୍ଟ ହୋଇ ଲୁଥରଙ୍କ ପ୍ରବର୍ତ୍ତିତ ଧର୍ମ୍ମ ବିଶ୍ୱବାପୀ ହେଲା, ତାହା ପ୍ରଣିଧାନର ବିଷୟ ।

 

ଏ ପ୍ରସଙ୍ଗରେ ଏଠାରେ ବିବର୍ତ୍ତନବାଦ ଆଲୋଚିତ ହେବ ନାହିଁ, ପ୍ରତ୍ୟେକ ମନୁଷ୍ୟର ଯେ କାର୍ଯ୍ୟକାରୀ ଶକ୍ତି ଅନ୍ତର୍ନିହିତ ଅଛି, ତାହାର ଯଥାଯଥ ପରିଚାଳନାରେ ପ୍ରତ୍ୟେକ ଜଣେ ଜଣେ କର୍ମବୀର ହୋଇ ପାରନ୍ତି । ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି ମୌଳିକତା ଅଛି । ସେ ତାହାର ମାନସିକ ଶକ୍ତି ଓ ମେଧା ବଳରେ ଓ ସ୍ୱୀୟ ଉଦ୍ଭାବିକା ଶକ୍ତି ସାହାର୍ଯ୍ୟରେ ଅନେକ ଅଦ୍ଭୁତ ବିଷୟ, ଆବିଷ୍କାର କରେ । ତେଣୁ ତାହାର ପୂର୍ବପୁରୁଷମାନଙ୍କପରି ଧର୍ମ୍ମଭାବ ଓ ଧର୍ମ୍ମନିଷ୍ଠା ଠିକ୍‌ ସେହିପରି ଭାବରେ ରହିପାରେ ନାହିଁ । କାରଣ ତାହାର ଗବେଷଣା ଶକ୍ତି ଦ୍ୱାରା ସେ ସେହି ଭାବ ସମୂହର ସଂପ୍ରସାରଣ ଓ ସ୍ୱୀୟ ଅନୁଭୂତି ସାହାଯ୍ୟରେ ବାସ୍ତବ ଜଗତ ବିଷୟରେ ଅନେକାନେକ ଅଭିନବ ତଥ୍ୟ ଆବିଷ୍କାର ପୂର୍ବକ ମନୁଷ୍ୟ ଜୀବନରେ ଘୋର ପରିବର୍ତ୍ତନ ଘଟାନ୍ତି । ପ୍ରତ୍ୟେକ ମନୁଷ୍ୟର ଇତିହାସ ଓ ଜୀବନର ଘଟନାସମହ ଏକତ୍ର କଲେ ଆମ୍ଭେମାନେ ଐତିହାସିକ ଆନ୍ଦୋଳନ, ରାଷ୍ଟ୍ର-ବିପ୍ଲବ, ନବଯୁଗର ଅର୍ଥ ଓ ନୂତନତ୍ୱ ଅନୁଭବ କରି ପାରିବୁଁ ।

 

ସରଳ ବିଶ୍ୱାସ ହ୍ରାସ ପ୍ରାପ୍ତ ହେଲେ ବ୍ୟାବହାରିକ ଜୀବନ କଳୁଷିତ ଓ ପ୍ରମାଦପୂର୍ଣ୍ଣ ହେଲେ, ଚତୁର୍ଦ୍ଦିଗରେ ଘୋର ଅନ୍ୟାୟ ଓ ଅନାଚାର ଉତ୍ତୋରତ୍ତର ପ୍ରସାର ଲାଭ କଲେ, ବିପ୍ଲବ ଅନିବାର୍ଯ୍ୟ ହୋଇ ପଡ଼େ, ଅନ୍ୟାୟ ରାଶି ଘନିଭୂତ ହୋଇ ଶେଷରେ ଆଗ୍ନେୟଗିରି ଅଗ୍ନି ଉଦ୍‌ଗୀରଣବତ୍‌ ପୃଥିବୀକୁ ଶତଧା ଚୂର୍ଣ୍ଣ ବିଚୂର୍ଣ୍ଣ କରେ । କାହାର ସାଧ୍ୟ ସେ ଗତି ପ୍ରତିରୋଧ କରିବ-। ଏହିପରି ଘୋର ଦୁର୍ଦ୍ଦିନରେ ଯେଉଁ ପୁରୁଷ ଅଟଳ ବିଶ୍ୱାସ, ଅସୀମ ଧୈର୍ଯ୍ୟ ଓ ସାହାସ ହୃଦୟରେ ପୋଷଣ କରି କର୍ମପ୍ରାଙ୍ଗଣରେ ଅବତୀର୍ଣ୍ଣ ହୁଅନ୍ତି, ସେହି ଅସୀମ ଶକ୍ତିସମ୍ପନ୍ନ ବ୍ୟକ୍ତି ମନୁଷ୍ୟର ପୂଜ୍ୟ ଓ ବରେଣ୍ୟ, ବର୍ତ୍ତମାନ ଅବିଶ୍ୱାସପର ଓ କୁତ୍ସିତ ଲୋକଙ୍କ ଦ୍ୱାରା କୁଚିତ୍ରିତ ଦାନ୍ତେଙ୍କର ସେହି ପୁରାତନ ଉଦାର ଧର୍ମ ଜଣେ ଲୁଥରଙ୍କ ଦ୍ୱାରା ଚୂର୍ଣ୍ଣୀଭୂତ ଓ ସେକ୍‌ସ୍‌ପିଅରଙ୍କର କେଡ଼େ ଆଦର ଫିଉଡ଼ାଲ ରାଜନୀତି (Feudalism) ଗୋଟାଏ ଫରାସୀ ରାଷ୍ଟ୍ର ବିପ୍ଲବ ଦ୍ୱାରା ସମୂଳେ ଉତ୍‌ପାଟିତ ।

 

ଆମ୍ଭମାନଙ୍କର ଗୋଟାଏ ଭ୍ରାନ୍ତ ଧାରଣା ଯେ, ପ୍ରତ୍ୟେକ ମାନବର କାର୍ଯ୍ୟ ଅସ୍ଥାୟୀ ଓ ନଷ୍ଟଶୀଳ; କିନ୍ତୁ ତାହା ଆଦୌ ଠିକ ନୁହେଁ, କାରଣ ବିନାଶ କେବଳ ଏହି ଶରୀରର, ଭୌତିକ ଆବରଣର, କିନ୍ତୁ ପ୍ରକୃତ ସାର ପଦାର୍ଥ ଆତ୍ମାର ବିନାଶ କଦାପି ସମ୍ଭବେ ନାହିଁ । ଯାହା ବିପ୍ଲବ ଦ୍ୱାରା ବିନଷ୍ଟ ହୁଏ, ତାହା ପୁଣି ଭିନ୍ନ ରୂପରେ ନବଶରୀର ଲାଭ କରେ, ସ୍ଥୂଳତଃ କହିବାକୁ ହେଲେ, ଧ୍ୱଂସ ସୃଷ୍ଟିର ରୂପାନ୍ତର ମାତ୍ର । ଓଡ଼ିନଧର୍ମ୍ମ ବିକ୍ରମର ପ୍ରତିଷ୍ଠା; ଖ୍ରୀଷ୍ଟିୟାନ୍‌ ଧର୍ମ୍ମ-ବିନୟର ପ୍ରତିଷ୍ଠା । ମାନବ ହୃଦୟର ବାଣୀ ଅର୍ଥାତ୍‌ ପ୍ରତ୍ୟେକ ସତ୍‌ଚିନ୍ତା ଐଶଭାବସମ୍ପନ୍ନ, ଘୋର ପରିବର୍ତ୍ତନ ରୂପ ଉତ୍ତପ୍ତ କଟାହରେ ପଡ଼ିସୁଦ୍ଧା, ତାହାର ବିନାଶ ହୁଏ ନାହିଁ, ମାନବ ପରା ତାହାର ଶାଶ୍ୱତ ଅଧିକାରୀ-! କିନ୍ତୁ ଅନେକଙ୍କର ଭ୍ରାନ୍ତ ଧାରଣା ଯେ, ପୁରାତନ ଯୁଗର ଲୋକେ ଜ୍ଞାନାଲୋକରୁ ଏକାବେଳେ ବଞ୍ଚିତ ଥିଲେ । ସୃଷ୍ଟିର ପ୍ରାରମ୍ଭରୁ ସେମାନେ ସମ୍ମୁଖ ଦୃଷ୍ଟିରେ ଅଗ୍ରସର ହୋଇଥିଲେ–କେବଳ ରୁଷସେନାନୀ ସୁଇଡ଼ଙ୍କ ତୁଲ୍ୟ ନିଜ ଦୁର୍ଗ ପରିଖା ମୃତ ଶରୀର ଦ୍ୱାରା ପୂର୍ଣ୍ଣକରି ସେହି ଶବ-ସେତୁ ଉପରେ ବିଜୟ- ଅଭିଯାନ କରି ଶତ୍ରୁ ହସ୍ତରୁ ଦୁର୍ଗ ଅଧିକାର କରିବା ନିମିତ୍ତ । ଆବହମାନ କାଳରୁ ମହାପୁରୁଷମାନେ ଭଗବାନଙ୍କ ନେତୃତ୍ୱରେ ସତ୍ୟର ସେନାନୀରୂପେ କାର୍ଯ୍ୟ କରି ଆସିଅଛନ୍ତି–କେବଳ ସେହି ସତ୍ୟ ଉଦ୍‌ଘାଟନ ଓ ଉପଲବ୍‌ଧି ନିମିତ୍ତ । ସେମାନେ ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ଭିନ୍ନ ପରିଚ୍ଛଦାବୃତ ବୋଲି ସେମାନଙ୍କୁ ଚିହ୍ନି ନପାରି ଆମ୍ଭେମାନେ ବୃଥାରେ ତର୍କ ବିତର୍କ କରୁଅଛୁଁ । ମିଥ୍ୟା ବିରୁଦ୍ଧରେ ଯୁଦ୍ଧ ନ କରି କେବଳ ବହିରାବରଣ ବିରୁଦ୍ଧରେ କରୁଅଛୁଁ । ବିଭିନ୍ନ ପ୍ରକାର ପରିଚ୍ଛଦରେ ସତ୍ୟ ଅଛି, ନୋହିଲେ କି ସେ ପ୍ରକୃତ ବୀର ଧାରଣ କରିପାରନ୍ତା । ଲୁଥରଙ୍କ ସଂଗ୍ରାମର ଭୈରବ-ନିନାଦ, ଦାନ୍ତେଙ୍କ ଯୁଦ୍ଧାଭିଯାନ ସମସ୍ତ ସତ୍ୟମୂଳକ । ସେମାନଙ୍କୁ ସାଦର ସମ୍ଭାଷଣ କରୁଁ, କାରଣ ଆମ୍ଭେମାନେ ଏକ ବାହିନୀପତିଙ୍କ ଅଧୀନରେ, ସେହି ଏକ ଦଳଭୁକ୍ତ ସତ୍ୟସେନା । ବର୍ତ୍ତମାନ ଆମ୍ଭେମାନେ ଲୁଥରଙ୍କ ଯୁଦ୍ଧଯାତ୍ରା ଓ ସମର କୌଶଳ ପ୍ରତି ଦୃଷ୍ଟି ନିକ୍ଷେପ କରିବା । ଲୁଥର ଜଗଦ୍‌ ବିଖ୍ୟାତ ଆଧ୍ୟାତ୍ମିକ ବୀର, ତଦାନୀନ୍ତନ ଯୁଗର ଜଣେ ପ୍ରଧାନ ଧର୍ମୋପଦେଷ୍ଟା ।

 

ସମଗ୍ର ବିଷୟରେ ଉପକ୍ରମଣିକା ସ୍ୱରୂପ ପୌତ୍ତଳିକତା ବିଷୟରେ ଦୁଇ-ଚାରିକଥା ଅପ୍ରାସଙ୍ଗିକ ହେବ ନାହିଁ । ମହମ୍ମଦ କାହିଁକି ସମସ୍ତ ଧର୍ମୋପଦେଷ୍ଟାମାନେ ଅସୀମ ଓ ଅଦମ୍ୟ ଉତ୍ସାହ ସହକାରେ ପୌତ୍ତଳିକତା ବିରୁଦ୍ଧରେ ଯୁଦ୍ଧ କରିଛନ୍ତି ଓ ତାହାର ଉଚ୍ଛେଦ ସାଧନରେ ବଦ୍ଧ ପରିକର ହୋଇଅଛନ୍ତି । ଧର୍ମ ସମ୍ବନ୍ଧୀୟ କୁଟତତ୍ତ୍ୱ ଆଲୋଚନା କରିବାର ଏଠାରେ ସ୍ଥାନ ନାହିଁ, ଦୋଷ ସତ୍ତ୍ୱେ ପୌତ୍ତଳିକତା ଭଗବାନଙ୍କର ଗୋଟିଏ ଚିହ୍ନ, ନିଦର୍ଶନ ମାତ୍ର । ଭଗବତ୍‌ପ୍ରୀତି ଉଦ୍‌ବୁଦ୍ଧ କରିବାର ଗୋଟିଏ ସହଜ ଉପାୟ । ମନୁଷ୍ୟ ହସ୍ତ ନିର୍ମିତ ପୁତ୍ତଳିକା କେବେହେଁ ସ୍ୱୟଂ ଭଗବାନ ହୋଇପାରେ ନାହିଁ, କେବଳ ତାହା ଭଗବାନଙ୍କ ମହିମା ଓ ପ୍ରେମର ଉଦ୍ଦୀପନା ଦିଏ, ଦର୍ଶନରେ ହିଁ ସ୍ୱତଃ ହୃଦୟରେ ଉଦ୍ଦୀପନା ଆସେ । ଏହି ଭାବରେ ବିଚାର କଲେ ପ୍ରତ୍ୟେକ ପୂଜା କ’ଣ ସେହି ସଙ୍କେତ କିମ୍ବା ମୂର୍ତ୍ତିର ପୂଜା ନୁହେ କି ? ବାସ୍ତବ ଚକ୍ଷୁରେ ଦୃଷ୍ଟିଗୋଚର ହେଉ ବା କୌଣସି ସଙ୍କେତ ରୂପିଣୀ ମୂର୍ତ୍ତି ହେଉ କିମ୍ବା କେବଳ ମାନସଚକ୍ଷୁ ଗୋଚର ହେଉ, ଅଥବା ଜ୍ଞାନନେତ୍ରରେ ପରିଦୃଷ୍ଟ ହେଉ, ତହିଁରେ କୌଣସି ପ୍ରଭେଦ ନାହିଁ, ଏହା ତଥାପି ଭଗବାନଙ୍କ ମୂର୍ତ୍ତିପୂଜା । ଅତି ନୈଷ୍ଠିକ ଖ୍ରୀଷ୍ଟିୟାନର (Puritan) ମଧ୍ୟ ଐଶ୍ୱରିକ ବସ୍ତୁର ମାନସୀ ମୂର୍ତ୍ତି ମାନସ ପଟରେ ଅଙ୍କିତ, ତେଣୁ ତାଙ୍କର ସେବା ପୂଜା ସମ୍ଭବପର । ପ୍ରତ୍ୟେକ ଧର୍ମ୍ମବାଦ ଧର୍ମ୍ମପନ୍ଥା ଓ ଧର୍ମ୍ମଚିନ୍ତା ଏହି ଭାବରେ ମୂର୍ତ୍ତି ପୂଜାର ମୂଳଧାର । ପ୍ରତ୍ୟେକ ପ୍ରକାର ପୌତ୍ତଳିକତା କେବଳ ଆପେକ୍ଷିକ ଓ ଉତ୍‌କର୍ଷାପକର୍ଷ ସୂଚକ ଏବଂ ଅତି ହେୟ ଜଘନ୍ୟ ପୌତ୍ତଳିକତା କେବଳ ଅଧିକମାତ୍ରାରେ ପୌତ୍ତଳିକତା ମାତ୍ର ।

 

ତେବେ ସକଳ ଧର୍ମୋପଦେଷ୍ଟା, ଧର୍ମ୍ମସଂସ୍ଥାପକମାନେ କାହିଁକି ଏହାର କୁତ୍ସା କରିଅଛନ୍ତି-? ଏହାର ଦୋଷ କେଉଁଠାରେ ? ଏହା ଏତେ ଘୃଣ୍ୟ କାହିଁକି ? କେଉଁଠାରେ ହେଲେ ଅବଶ୍ୟ ଦୋଷ ଥିବ, ନଚେତ୍‌ ମହାପୁରୁଷମାନେ କାହିଁକି ତାହାକୁ ସମର୍ଥନ ନ କରନ୍ତେ । ବୋଧହୁଏ କାଷ୍ଠନିର୍ମିତ ମୂର୍ତ୍ତିପୂଜାରେ ଧର୍ମୋପଦେଷ୍ଟା ତାଙ୍କର ହୃଦୟର ଇପ୍‌ସିତ ବସ୍ତୁ ପାଇପାରି ନାହାନ୍ତି, ତେଣୁ ତାଙ୍କର ଏତେ ଘୃଣା । ଅଜ୍ଞାନାନ୍ଧକାରାଚ୍ଛନ୍ନ ଆଦିମ କାବାପ୍ରସ୍ତର ଅର୍ଚ୍ଚନାକାରୀ ପୌତ୍ତଳିକ କଣ ବୁଦ୍ଧିବୃତ୍ତି ହୀନ ପଶୁଠାରୁ ବହୁ ଗୁଣରେ ଶ୍ରେଷ୍ଠ ନୁହେ ?

 

କବିମାନେ ଯଦି ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ନକ୍ଷତ୍ରାଦି ଓ ପ୍ରାକୃତିକ ଦୃଶ୍ୟମାନଙ୍କରେ ଶାଶ୍ୱତ, ଅନନ୍ତ, ଅପରିସୀମ ସୌନ୍ଦର୍ଯ୍ୟ ଓ ଭଗବତ୍‌ସତ୍ତା ସଂଦର୍ଶନ କରିପାରନ୍ତି ତେବେ ପୌତ୍ତଳିକଙ୍କୁ କାହିଁକି ଏପରି ନିର୍ଦ୍ଦୟ ବ୍ୟବହାର କରାଯାଏ ? ପୌତ୍ତଳିକ ଯଦି ମୂର୍ତ୍ତିପୂଜାରେ ତାହାର ସମଗ୍ର ମନଃପ୍ରାଣ, ଆତ୍ମା ନିୟୋଜିତ କରି ଭଗବତ୍‌ ପ୍ରେମରେ ଆତ୍ମହରା ହୋଇପାରେ ଓ ସ୍ୱର୍ଗୀୟ ପ୍ରେମାମୃତ ପାନ କରି ଦିବ୍ୟ ଆନନ୍ଦ ଓ ଅମୃତର ଅଧିକାରୀ ହୋଇପାରେ, ତେବେ ସେ କେବେହେଁ ତୁଚ୍ଛ ନୁହେଁ; କଦାପି ଘୃଣାର ପାତ୍ର ହୋଇ ନ ପାରେ । ଯାହାର ସାକାର ମୂର୍ତ୍ତିରେ ଅଟଳ ବିଶ୍ୱାସ, ତାହାକୁ କୌଣସି ପ୍ରକାର ନିର୍ଯ୍ୟାତନା (ମାନସିକ ବା ଶାରୀରିକ) ଦେବା ଘୋରତମ ଅନ୍ୟାୟ, ତାହା ଶୁଦ୍ଧ ବର୍ବରତା ବ୍ୟତୀତ ଅନ୍ୟ କିଛି ନୁହେ । ତାହାକୁ ତାହାର ନିଜ ଭାବରେ ଛାଡ଼ି ଦେବା ସର୍ବଥା ବିଧେୟ ।

 

କିନ୍ତୁ ଯେତେବେଳେ ପୌତ୍ତଳିକ ହୃଦୟରେ ସେ ସରଳ ବିଶ୍ୱାସ ନାହିଁ, ସାକାର ଉପାସନାରେ ମନଃପ୍ରାଣ ଢାଳିଦେଇପାରେ ନାହିଁ, ସେତେବେଳେ ତାହାର ହୃଦୟରେ କଳୁଷିତା ପ୍ରବେଶ କରେ । ସେ ସତ୍ୟର ନିଗୁଢ଼ ବନ୍ଧନ ମଧ୍ୟରେ ରହି ପାରେ ନାହିଁ । ବର୍ତ୍ତମାନ ଅନେକାଂଶରେ ଦେଖାଯାଏ ଯେ, ସନ୍ଦେହ ହୃଦୟକୁ ପ୍ରବଳ ଭାବରେ ଆକ୍ରମଣ କରିଅଛି । କେବଳ ଉଗ୍ର ଭାବରେ ନିର୍ବନ୍ଧାତିଶୟ ହୋଇ ଲୋକ ଧର୍ମ୍ମର ବାହ୍ୟାବରଣକୁ ଦୃଢ଼ଭାବରେ ଧରି ରଖିଅଛି । ଏହା ଅବଶ୍ୟ ଭୀଷଣ ଲୋମହର୍ଷଣକାରୀ ବିଷୟ । ଅନେକ ସ୍ଥଳରେ ମୂର୍ତ୍ତିଦର୍ଶନରେ ସେ ପ୍ରାଣରେ ସ୍ପନ୍ଦନ ଅନୁଭବ କରେ ନାହିଁ, ସେ ଭାବରେ ତନ୍ମୟ ହୁଏନାହିଁ, ସେଭାବରେ ତାହାର ହୃଦୟ ପରିପୂର୍ଣ୍ଣ ହୁଏ ନାହିଁ । କେବଳ ଛଳନା କରି ଅସାର ଆଡ଼ମ୍ବର କରେ ମାତ୍ର । କୋଲ୍‌ରିଜ (Colridge) ଯଥାର୍ଥ କହି ଅଛନ୍ତି, ‘ତୁମ୍ଭର, ଅନ୍ତରର ଅନ୍ତରର ଅନ୍ତରରେ, ପ୍ରାଣର ପ୍ରାଣରେ ବିଶ୍ୱାସ ନାହିଁ, ତୁମ୍ଭେ କେବଳ ବିଶ୍ୱାସ ଅଛି ବୋଲି ବିଶ୍ୱାସ କର ।’ ଏ ଦୃଶ୍ୟ ଦେଖିଲେ ମନେ ହୁଏ, ମୃତ୍ୟୁ ଓ ଧ୍ୱଂସ ସନ୍ନିକଟବର୍ତ୍ତୀ । ଏହିଠାରେ ନୈତିକତାର ବିନାଶ । କୃତ୍ରିମତା ବ୍ୟତୀତ ଅନ୍ୟ କିଛି ନୀତି ବିଗର୍ହିତ କର୍ମ୍ମ ହୋଇ ନ ପାରେ । ଅନ୍ତର୍ନିହିତ ଆତ୍ମାର ସମ୍ପୂର୍ଣ୍ଣ ବିନାଶ ହେତୁ ସରଳତା ଆଉ ତିଷ୍ଠି ପାରେ ନାହିଁ । ମହାପୁରୁଷମାନେ ଏହି କପଟତା ଓ ଭଣ୍ଡତା ଆଦୌ ସହ୍ୟ ଓ ଅନୁମୋଦନ କରି ପାରନ୍ତି ନାହିଁ । ତେଣୁ ପୌତ୍ତଳିକତା ସେମାନଙ୍କ ଦୃଷ୍ଟିରେ ହେୟ ଓ ଘୃଣ୍ୟ ବୋଲି ପରିଗଣିତ ହୁଏ ।

 

ଅନ୍ୟାନ୍ୟ ମହାପୁରୁଷମାନଙ୍କ ତୁଲ୍ୟ ଲୁଥର୍‌ (Luther) ମଧ୍ୟ ବିଗ୍ରହଧ୍ୱଂସୀ ଥିଲେ । ଟେଟ୍‌ଜେଲଙ୍କ (Tetzel) ମେଷ ଚର୍ମାଙ୍କିତ କ୍ଷମାପତ୍ର (ପାପରୁ ଅବ୍ୟାହତି ଦାୟକ–pardon of sins) ଲୁଥ୍‌ରଙ୍କୁ ଅତିଶୟ ବିରକ୍ତିକର ବୋଧ ହୋଇଥିଲା । ସେ ଏଥିରେ ଉତ୍ତ୍ୟକ୍ତ ହୋଇ ଉଠିଲେ । ସତ୍ୟ ମାର୍ଗକୁ ପ୍ରତ୍ୟାବର୍ତ୍ତନ ହିଁ ବୀରମାନଙ୍କର କାର୍ଯ୍ୟ ! ବାହ୍ୟଚିତ୍ର ଉପରେ ସେମାନେ ନିର୍ଭରଶୀଳ ନୁହନ୍ତି, କାରଣ ସେମାନେ ସର୍ବଦା ସତ୍ୟମଞ୍ଚ ଉପରେ ଦଣ୍ଡାୟମାନ । ପ୍ରୋଟେଷ୍ଟାଣ୍ଟ ଧର୍ମ୍ମ (Protestantiam) ମଧ୍ୟ ଜଣେ ଷୋଡ଼ଶ ଶତାବ୍ଦୀର ମହାପୁରୁଷଙ୍କ କୃତି । ପ୍ରାଥମିକ ଦୃଷ୍ଟିରେ ମନେ ହୁଏ, ପ୍ରୋଟେଷ୍ଟାଣ୍ଟ୍‌ ଧର୍ମ୍ମ ବୀରପୁଜା ବିଧ୍ୱଂସୀ; କିନ୍ତୁ ତାହା ଜଗତର ଯଥେଷ୍ଟ ମଙ୍ଗଳ କରିଅଛି, ତାହା ଯାବତୀୟ ରାଜନୀତିକ, ସମାଜିକ ଓ ଧର୍ମ୍ମ ସମ୍ୱନ୍ଧୀୟ ଉନ୍ନତର ହେତୁ । ଏହା ଗୋଟିଏ ନବ ଯୁଗର ଅବତାରଣା କରିଅଛି, ଏହା ସ୍ୱାଧୀନ ଚିନ୍ତାର ବ୍ୟକ୍ତିଗତ ମତ ପ୍ରଚାରର ଯୁଗ ରୁପେ କଥିତ । କାରଣ ଇଉରୋପୀୟମାନେ ସେମାନଙ୍କ ସ୍ୱଧୀନ ଚିନ୍ତାବଳରେ ତଦାନୀନ୍ତନ ପୋପଙ୍କ (Pope ଧର୍ମଗୁରୁ) ବିରୁଦ୍ଧରେ ଯୁଦ୍ଧ ଘୋଷଣା ପୂର୍ବକ ପ୍ରତ୍ୟେକେ ନିଜ ନିଜର ପୋପ ହେଲେ । କୌଣସି ତଥା କଥିତ ଧର୍ମ୍ମ ଗୁରୁଙ୍କଠାରେ କିଛି ବିଶ୍ୱାସ ଓ ଆସ୍ଥା ଆଦୌ ରଖିଲେ ନାହିଁ ।

 

ଆଧ୍ୟାତ୍ମିକ ସମ୍ରାଟ ପୋପଙ୍କ ବିରୁଦ୍ଧରେ ଅଭିଯାନ ପ୍ରୋଟେଷ୍ଟାଣ୍ଟ୍‌ ଧର୍ମ୍ମର ପ୍ରଥମ ଅଧ୍ୟାୟ-। ନୈଷ୍ଠିକ ଖ୍ରୀଷ୍ଟୀୟାନ୍‌ ଧର୍ମ୍ମର ପାର୍ଥିବ ରାଜାଙ୍କ ବିରୁଦ୍ଧରେ ଅଭିଯାନ-ଦ୍ୱିତୀୟ ଅଧ୍ୟାୟ । ଯେଉଁ ବିରାଟ ଫରାସୀ ରାଷ୍ଟ୍ରବିପ୍ଳବ ଯଜ୍ଞରେ ସମସ୍ତ ପାର୍ଥିବ ଏବଂ ଆଧ୍ୟାତ୍ମିକ ନେତା, ରାଷ୍ଟ୍ରଗୁରୁ ଜନ ନାୟକ ଓ ନୃପତିମାନଙ୍କୁ ଆହୁତି ଦିଆହୋଇଥିଲା-ତାହା ତୃତୀୟ ଅଧ୍ୟାୟ । ପ୍ରୋଟେଷ୍ଟାଣ୍ଟ୍‌ ଧର୍ମ୍ମ ହିଁ ସମଗ୍ର ଇଉରୋପୀୟ ଇତିହାସର ସ୍ରଷ୍ଟା । ଆଧ୍ୟାତ୍ମିକତାରୁ ସାଂସାରିକ ଧର୍ମ୍ମର ଉତ୍‌ପତ୍ତି, ଏହାରି ଫଳରେ ସାମ୍ୟ ନୀତିର ଓ ସ୍ୱଧୀନତାର ଦୁର୍ଜ୍ଜୟ ଦୁନ୍ଦୁଭି ଶ୍ରୁତିଗୋଚର ହେଉଅଛି ରାଜାଙ୍କ ପରିବର୍ତ୍ତେ ଭୋଟ ପ୍ରଥା ପ୍ରଚଳିତ ହେଉଅଛି; କିନ୍ତୁ ସତ୍ୟବୀରଙ୍କ ବ୍ୟତିରେକେ କୌଣସି ପ୍ରକାର ଉନ୍ନତି ଅସମ୍ଭବ । ପ୍ରଜାତନ୍ତ୍ର, ଗଣତନ୍ତ୍ର ଇତ୍ୟାଦି ବ୍ୟଭିଚାର ପ୍ରୋଟେଷ୍ଟାଣ୍ଟ୍‌ ଧର୍ମ୍ମ ପବର୍ତ୍ତନ କରିଥାଉ ପଛକେ ତାହା କିନ୍ତୁ ନୂତନ ରାଜାଙ୍କର ରାଜତ୍ୱର ଅବତାରଣା କରିଅଛି । ଶଠ ପ୍ରବଞ୍ଚକମାନଙ୍କର ସମୂଳେ ଉଚ୍ଛେଦ ସାଧନା କରିବା ନିମିତ୍ତ ସତ୍ୟବୀରମାନଙ୍କର ଆବିର୍ଭାବ ।

 

ଏଠାରେ କହି ରଖିବା ଉଚିତ ଯେ, ଏହି ‘ବ୍ୟକ୍ତିଗତ ମତବାଦ’ ପୃଥିବୀରେ ନୂତନ ନୁହେଁ-। ଏହା ଚିରକାଳ ଅଛି; କିନ୍ତୁ ସେ ସମୟରେ ଏହା ଅଭିନବ ବୋଲି ବୋଧ ହୋଇଥିଲା । ନବଧର୍ମ ସଂସ୍କାର (Reformation) ରେ ନୁତନତ୍ୱ କିଛି ନାହିଁ । ଏହା କେବଳ ସତ୍ୟ ବାସ୍ତବ ଜଗତକୁ ପ୍ରତ୍ୟାବର୍ତ୍ତନ ବ୍ୟତୀତ ଅନ୍ୟ କିଛି ନୁହେ । ସ୍ୱାଧୀନମତର ସତ୍ତା ଦାନ୍ତେଙ୍କଠାରେ ମଧ୍ୟ ଦେଖିବାକୁ ମିଳେ । ସେ ତାଙ୍କର ଚକ୍ଷୁ ଉତ୍‌ପାଟିତ ନ କରି କିମ୍ୱା ସ୍ୱାଧୀନ ମତ ପ୍ରତ୍ୟାହାର ନ କରି ବେଶ୍‌ ସ୍ୱଚ୍ଛନ୍ଦ ଭାବରେ ତାଙ୍କ କ୍ୟାଥଲିକ୍‌ ଧର୍ମ୍ମରେ ଥିଲେ । ନିଗଡ଼ ଲୌହ-ଶୃଙ୍ଖଳ ଦ୍ୱାରା କିମ୍ୱା ବହଃ-ଶକ୍ତ ପ୍ରୟୋଗ ଦ୍ୱାରା ଆତ୍ମାର ଦୃଢ଼ ବିଶ୍ୱାସ ତିଳେ ସୁଦ୍ଧା ଅନ୍ୟଥା କରାଯାଇ ନ ପାରେ । ମନୁଷ୍ୟର ବିବେକ ହିଁ ସର୍ବତ୍ର ଜୟୀ ହୁଏ ।

 

ଯେଉଠାରେ ସଦ୍‌ବ୍ୟକ୍ତିମାନେ ବାସ କରନ୍ତି ସେଠାରେ ନିଶ୍ଚୟ ବ୍ୟକ୍ତିଗତ ମତ ରାଜତ୍ୱ କରିବ । ଯାହାଙ୍କର ହୃଦୟରେ ବଳ ଅଛି, ନିଜଠାରେ ବିଶ୍ୱାସ ଅଛି, ସେ କେବେହେଁ ପ୍ରାଣବିନିମୟରେ ନିଜର ମତ, ନିଜର ବ୍ୟକ୍ତିତ୍ୱ ତ୍ୟାଗ କରି ପାରନ୍ତି ନାହିଁ; କିନ୍ତୁ ସେ ମଧ୍ୟ ଅଧିକ-କାଳ ସ୍ୱମତ ରକ୍ଷା କରି ପାରନ୍ତି ନାହିଁ, ତାହା ଯେ କୌଣସି ସ୍ରୋତରେ ଭାସି ଚାଲିଯାଏ । ଓଡ଼ିନ୍‌ ଓ ମହମ୍ମଦ ପ୍ରଭୁତି ନିଜ ସ୍ୱଧୀନ ମତ ପ୍ରଚାର କରି ପାରି ଥିଲେ, କେବଳ ତାଙ୍କର ଆତ୍ମା ପ୍ରତ୍ୟୟ ଓ ସାହସ ବଳରେ । ବ୍ୟକ୍ତିଗତ ମତବାଦ, ସ୍ୱାର୍ଥ ବିଜଡ଼ିତ ସ୍ୱଧୀନତା କିମ୍ୱା ସ୍ୱତନ୍ତ୍ର୍ୟରେ ପରିଣତ ହୁଏ ନହିଁ ; ବରଂ ତାହାର ବିପରୀତ ହୁଏ । ସରଳ ତତ୍ତ୍ୱାନ୍ୱେଷଣ ନିମିତ୍ତ ବିପ୍ଲବ ଘଟେ ନାହିଁ, କେବଳ ପ୍ରବଞ୍ଚନା, କୃତ୍ରିମତା ହେତୁ ଘଟିଥାଏ । ଯେ ଯେଉଁ ସତ୍ୟରେ ବିଶ୍ୱାସ କରେ, ତାହା ଯେ ସେ ନିଜେ ଉଦ୍‌ଘାଟନ କରେ, ତାହା ନୁହେ । ମହାପୁରୁଷମାନେ ନିଜର ସରଳତା ମୌଳିକତା ପ୍ରଭୃତି ସାହାଯ୍ୟରେ ଯାହା ଅନ୍ୟଠାରୁ ପ୍ରାପ୍ତ ହୁଅନ୍ତି ତାହା ନିଜ ଭାବରେ, ନିଜ ଛାଞ୍ଚରେ ଅସୀମ କୃତଜ୍ଞତା ସହକାରେ ଗଢ଼ି ନିଅନ୍ତି । ମୌଳିକତାର ଅର୍ଥ ନୂତନତ୍ୱ ନୁହେଁ, ପରନ୍ତୁ ଅକୃତ୍ରିମତା । ବିଶ୍ୱାସୀ ନର ହିଁ ମୌଳିକ ମାନବ ହୃଦୟରେ ବିଶ୍ୱାସ ଥିଲେ ଭଗବାନଙ୍କ ପ୍ରତ୍ୟେକ ସନ୍ତାନ ଅକୃତ୍ରିମ ଓ ସରଳ ହୋଇ ପାରିବେ, ବିଶ୍ୱାସର ଯୁଗ ଅତି ମହତ୍‌ଏବଂ ତଦାନୀନ୍ତନ ଯୁଗର ଅଧିକାଂଶ ନରନାରୀ ସରଳ, ନିଷ୍କପଟ ଓ ଅକୃତ୍ରିମ ।

 

ମହତ୍‌ଫଳପ୍ରସୁ ଯୁଗମାନଙ୍କରେ ପ୍ରତ୍ୟେକ ବିଭାଗର ମନୁଷ୍ୟ କର୍ମବୀର ଏବଂ ଏହି କର୍ମବୀରମାନଙ୍କ ଦ୍ୱାରା ଜଗତର ଅଶେଷ କଲ୍ୟାଣ ସାଧିତ ହୁଏ ।

 

ବୀରପୁଜା ! ଶୁଦ୍ଧ, ପବିତ୍ର ପ୍ରଶାନ୍ତଚେତା ଓ ଆତ୍ମପରିପୂର୍ଣ୍ଣ ମାନବ କେବେହେଁ ଅନ୍ୟର ସତ୍ୟକୁ ହୃଦୟର ବିଶ୍ୱାସକୁ ଅବଜ୍ଞା ପ୍ରଦର୍ଶନ କରି ନ ପାରନ୍ତି, ବରଂ ଅବନତ ମସ୍ତକରେ ଅତି ଆଗ୍ରହ ସହକାରେ ତାହା ଗ୍ରହଣ କରି ତତ୍‌ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରନ୍ତି, ସତତ ଉନ୍ମୁକ୍ତ ଲୋଚନରେ ସତ୍ୟ ଗ୍ରହଣ କରନ୍ତି । ତେଣୁ ସେ ତାଙ୍କର ପଥପ୍ରଦର୍ଶକ ଜ୍ଞାନାଲୋକଦାତା ଜ୍ଞାନଗୁରୁଙ୍କୁ ସଂବର୍ଦ୍ଧନା ନ କରି, ଚକ୍ଷୁ ମୁଦ୍ରିତ କରି ଅବଜ୍ଞା କରିପାରନ୍ତି କି ? ଯେଉଁମାନେ ଗୁଣିଙ୍କର ଗୁଣ ବୁଝନ୍ତି, ଜ୍ଞାନିଙ୍କର ଆଦର କରନ୍ତି, ମହତ୍ତ୍ୱର ଅର୍ଚ୍ଚନା କରନ୍ତି, ସେମାନେ ବାସ୍ତବିକ ବୀର, ସମ୍ମାନର ପାତ୍ର । ଅସତ୍ୟ ରୁପ ଦାନବ ସେମାନଙ୍କର ଅମିତ ତେଜ ସମ୍ମୁଖରେ ନିଷ୍ଟ୍ରଭ ହୋଇ ଲୁଣ୍ଠିତ ହୁଏ । ଆମ୍ଭମାନଙ୍କ ନିମିତ୍ତ ସେମାନେ ଜଗତ୍‌ ଅଧିକାର କରି ଜଗତକୁ ଭୋଗ କରିବାକୁ ଆମ୍ଭମାନଙ୍କୁ ଅଧିକାର ଦିଅନ୍ତି-। ଆଧ୍ୟାତ୍ମିକ ନେତା, ଧର୍ମର ପ୍ରଧାନ ପୁରୋହିତ ରୁପେ, ପ୍ରକୃତ ପୋପ ରୁପେ ସମ୍ମାନିତ ହୋଇ ନାହାନ୍ତି କି ? ଫରାସୀ ରାଷ୍ଟ୍ରବିପ୍ଳବର ଅସ୍ଥିରତା, ଚାଞ୍ଚଲ୍ୟ ମଧ୍ୟରେ ନେପୋଲିୟନ କ’ଣ ସିଂହାସନରେ ଅଧିକାରୀ ହୋଇପାରି ନ ଥିଲେ ? ବୀରପୂଜା କ’ଣ ଧ୍ୱଂସ ହେବାର ବସ୍ତୁ ? ରାଜାଙ୍କର ଶାସନ ଓ ଜନସାଧାରଣଙ୍କ ରାଜଭକ୍ତି ଚିରକାଳ ନିରବଚ୍ଛିନ୍ନ ଭାବରେ ରହିବ । ଲୁଥରଙ୍କର ପ୍ରାଣର ଆକାଙ୍‌କ୍ଷା ଥିଲା-ଧର୍ମ୍ମଧ୍ୱଜୀ ପୋପଙ୍କ ବିନାଶ ଓ ନବ ପ୍ରବର୍ତ୍ତିତ ଧର୍ମ୍ମରେ ପ୍ରାଣ ପ୍ରତିଷ୍ଠା ଓ ଶକ୍ତି ସଂଚାର । ସତ୍ୟର ପୁନରୁଦ୍ଧାର କଲେ ଯେଉଁ ଆନ୍ଦୋଳନ ହୁଏ, ତହିଁ ମଧ୍ୟରେ ଯଦି ଅସ୍ଥାୟୀ ଭାବରେ ଅନେକ ବିଭ୍ରାଟ ଘଟେ, ତଥାପି ତାହା ଆଦରଣୀୟ । ତଦ୍ଦ୍ୱାରା ମୌଳିକ ମାନବର ଅବତାରଣା ହୁଏ । ଅତୀତରେ ଏହିପରି ଅନେକଥର ଘଟିଅଛି, ଭବିଷ୍ୟତ୍‍ରେ ମଧ୍ୟ ଘଟିବ ।

 

ଉପକ୍ରମଣିକା ଦୀର୍ଘ ହୋଇଅଛି । ବର୍ତ୍ତମାନ ଲୁଥରଙ୍କ ପବିତ୍ର ଜୀବନୀ ଆଲୋଚିତ ହେବ । ଜର୍ମ୍ମାନୀଦେଶସ୍ଥ ସାକ୍‌ସନି (Saxony) ଜିଲ୍ଲା ଅନ୍ତଃପାତୀ ଏଇସାବେନ (Eisaben) ଠାରେ ୧୪୮୩ ଖ୍ରୀଷ୍ଟାବ୍ଦ ନଭେମ୍ୱର ମାସ ୧୦ ତାରିଖରେ ଲୁଥର ଭୁମିଷ୍ଠ ହୋଇଥିଲେ । ଅତି ଆକସ୍ମିକ ଓ ଆଶ୍ଚର୍ଯ୍ୟ ଭାବରେ ଏଇସାବେନ ତାଙ୍କର ଜନ୍ମଭୁମି ହେବାର ଭାଗ୍ୟ ପାଇଅଛି । ତାଙ୍କର ପିତା ମାତା ଅତୀବ ଦରିଦ୍ର ଥିଲେ । କୋଇଲା ଖଣିରେ ସାମାନ୍ୟ କୁଲିକାର୍ଯ୍ୟ ଦ୍ୱାରା ଜୀବିକା ନିର୍ବାହ କରୁଥିଲେ । ଶୀତ କାଳରେ ଦିନେ ପିତାମାତା ଦୁହେଁ ବିପଣୀକୁ ଯାଇଥିବା ସମୟରେ ତାଙ୍କର ମାତା ପ୍ରସବ ବେଦନା ଅନୁଭବ କରନ୍ତେ ଗୋଟିଏ ଜୀର୍ଣ୍ଣ କ୍ଷୁଦ୍ର ପର୍ଣ୍ଣ କୁଟୀରରେ ଆଶ୍ରୟ ଗ୍ରହଣ କଲେ । ସେହିଠାରେ ସେହି ପୂଣ୍ୟବତୀ ରମଣୀ ଗୋଟିଏ ଅଭିନବ ପୁତ୍ର ସନ୍ତାନ ପ୍ରସବ କଲେ । ତାଙ୍କର ନାମ ହେଲା ମାର୍ଟିନ୍ ଲୁଥର । ପ୍ରଣିଧାନ କରି ଦେଖିଲେ ବଡ଼ ବିସ୍ମୟକର ବୋଧହୁଏ ଯେ, ସେଦିନ ତାଙ୍କର ପିତା ମାତା ସାମାନ୍ୟ ପଦାର୍ଥ କ୍ରୟ କରିବାକୁ ଯାଇ ଅମୁଲ୍ୟ ନିଧି ପ୍ରାପ୍ତ ହୋଇଥିଲେ, ଯାହାଙ୍କ ସହିତ ରାଜଚକ୍ରବର୍ତ୍ତୀ ମଧ୍ୟ ତୁଳନୀୟ ନୁହନ୍ତି । ଏପରି ମହାପୁରୁଷ ଯେ ସେଦିନ ଏପରି ଆକସ୍ମିକ ଭାବରେ ଭୁତଳରେ ଅବତୀର୍ଣ୍ଣ ହୋଇ ସ୍ୱୀୟ ତେଜ, ଦୀପ୍ତି ଓ ଜ୍ଞାନାଲୋକ ଦ୍ୱାରା ଅନନ୍ତ କାଳର ଅନନ୍ତ କାଳିମା ଓ କଲୁଷ ବିଦୂରିତ କରି ଜଗତକୁ ଚମତ୍‌କୃତ କରିବେ ତାହା କି କେହି ସେତେବେଳେ ଜାଣି ପାରିଥିଲେ ? ବିଶ୍ୱ ଇତିହାସ ତାଙ୍କୁ ଉଦ୍‍ଗ୍ରୀବ ନୟନରେ ପ୍ରତୀକ୍ଷା କରିଥିଲା । ସମଗ୍ର ଇଉରୋପର ଇତିହାସ ତାଙ୍କର ପ୍ରଭାବ ଓ ପ୍ରତିପତ୍ତି ବଳରେ ପରିବର୍ତ୍ତିତ ହୋଇଯାଇଅଛି, ଏହାଙ୍କ କଥା ସ୍ମରଣ କଲେ ହଠାତ୍‌ ଅଲକ୍ଷିତ ଓ ଅଭାବନୀୟ ଭାବରେ ଆଉ ଗୋଟିଏ ଜନ୍ମ ଦିବସ ସ୍ମୃତିପଟରେ ଜାଗରୁକ ହୁଏ । ତାହା ଆମ୍ଭମାନଙ୍କୁ ପ୍ରଥମ ଶତାବ୍ଦୀକୁ ସହସା ଘେନିଯାଏ । ସେ ବିଷୟକୁ ଏଠାରେ ଆଲୋଚନା କରିବାର ସ୍ଥାନ ନାହିଁ । ତାଙ୍କର ଅତିଶୟ ଦରିଦ୍ର ଓ ନିଃସହାୟ ଭାବରେ ଜନ୍ମଗ୍ରହଣ ଭଗବାନଙ୍କ ଅଭିପ୍ରେତ । ଅତି ଅଭାବଗ୍ରସ୍ତ ହୋଇ ସୁଦ୍ଧା, ଦାରିଦ୍ର୍ୟର କଶାଘାତ ସହ୍ୟ କରି ମଧ୍ୟ ସେ ତାଙ୍କ ଜୀବନର ମହତ୍‌ ଉଦ୍ଦେଶ୍ୟ ସାଧୁଭାବରେ ସମ୍ପାଦିତ କରି ଯାଇଅଛନ୍ତି । ଜୀବିକାନିବାହ କରିବା ନିମନ୍ତେ, କୌଶସି ପ୍ରକାରରେ ଶରୀର ରକ୍ଷା କରିବା ନିମନ୍ତେ ଭିକ୍ଷାପାତ୍ର ହସ୍ତରେ ଧରି ଭଗବତ୍‌ ମହିମା ଗାନକରି ତାହାଙ୍କୁ ଦ୍ୱାରେ ଦ୍ୱାରେ ଭ୍ରମଣ କରିବାକୁ ହୋଇଥିଲା । ଜଠରଜ୍ୱାଳା, ସାଂସାରିକ ଦୁର୍ବିସହ ଯନ୍ତ୍ରଣା, ମାନସିକ ଅଶାନ୍ତି ତାଙ୍କର ନିତ୍ୟ ସହଚର ହୋଇଥିଲା । କ୍ଷୀଣକାୟ ଲୁଥର ତତ୍ତ୍ୱାନ୍ୱେଷଣ କରିବାକୁ ଯାଇ ଅପରିସୀମ ଯନ୍ତ୍ରଣା ଭୋଗ କରି ନାହାନ୍ତି କି ? ତାଙ୍କର ସହାୟ ଥିଲା ହୃଦୟର ଅଟଳ ବିଶ୍ୱାସ ଓ ଅପରିସୀମ ମାନସିକ ଶକ୍ତି । ତାଙ୍କ ଜୀବନର ବ୍ରତ ଥିଲା-ବାସ୍ତବଜଗତ୍‌ ସହିତ ସମ୍ୟକ୍‌ ରୂପେ ପରିଚିତ ହେବା ଓ ଜୀବନର ଉଦେଶ୍ୟ ଥିଲା–କରାଦ୍‌ବାସିଙ୍କୁ ପୁଣି ସତ୍ୟପଥକୁ ଆନୟନ କରିବା ।

 

ଦୈବନିବନ୍ଧନ କୁଳିଶାଘାତରେ ପ୍ରାଣପ୍ରତିମ ପ୍ରେମାସ୍ପଦ ବନ୍ଧୁ ଆଲେକସିସ୍‌ (Alexis) ଙ୍କର ହଠାତ୍‌ ମୃତ୍ୟୁ ତାଙ୍କ ଜୀବନରେ ଘୋର ପରିବର୍ତ୍ତନ ଆଣିଥିଲା । ଲୁଥର ଶୈଶବରୁ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ । ତେରୁ ତାଙ୍କର ପିତା ସଂସାରିକ ଅବସ୍ଥାର ଉନ୍ନତି କଲେ ତାଙ୍କୁ ଆଇନ୍‌ ଅଧ୍ୟୟନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟକୁ ପ୍ରେରଣ କରିଥିଲେ । ପିତାଙ୍କ ମତରେ ସଂସାରିକ ଉନ୍ନତିହିଁ ପ୍ରକୃତ ଉନ୍ନତି । କିନ୍ତୁ ବିଶ୍ୱପ୍ରାଣ ଲୁଥର ସେଥିରେ-ଆଇନ୍‌ ଅଧ୍ୟୟନରେ-ମନଃପ୍ରାଣ ନିୟୋଜିତ କରିପାରି ନ ଥିଲେ । ଊନବିଂଶ ବର୍ଷ ବୟଃକ୍ରମ କାଳରେ ଏକଦା ଲୁଥର ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଭ୍ରମଣ କରୁଥିବା ସମୟରେ ହଠାତ୍‌ ଝଞ୍ଜା ବାୟୁ ପ୍ରବାହିତ ହେଲା, ଆକାଶରେ ବଜ୍ର ନିର୍ଘୋଷ ହେଲା, ଗଗନରେ ଚପଳା ନୃତ୍ୟ କରିବାକୁ ଲାଗିଲା, ସହସା ଗୋଟିଏ ବଜ୍ର ତାଙ୍କ ବନ୍ଧୁଙ୍କ ଉପରେ ପତିତ ହେଲା, ନିମେଷ ମଧ୍ୟରେ ପ୍ରାଣହୀନ ହୋଇ ସେ ଲୁଥରଙ୍କ ପଦତଳେ ଲୁଣ୍ଠିତ ହେଲେ; ଏ ଦୃଶ୍ୟ ଦେଖି ଲୁଥର ସ୍ତମ୍ଭୀଭୂତ ହୋଇଗଲେ । ମନରେ ହଠାତ୍‌ ପ୍ରଶ୍ନ ଉଦିତ ହେଲା, ‘‘ଏ ମାନବ ଜୀବନ କ’ଣ ? ଏହା କି ଉପାଦନରେ ଗଠିତ ? ନିମେଷ ମଧ୍ୟରେ ସମସ୍ତ ଭସ୍ମୀଭୂତ-ମୁହୂର୍ତ୍ତକ ମଧ୍ୟରେ ବହୁମୂଲ୍ୟ ପ୍ରାଣ ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ବିଲୀନ । ସଂସାରିକ ମାନ ସମ୍ମାନ, ରାଜବିଭବ, ଅତୁଳ ସମ୍ପତ୍ତି, ଶକ୍ତି, ପ୍ରଭୂତ୍ୱର ଅର୍ଥ କ’ଣ ? ଚକ୍ଷୁ ପଲକରେ ସମସ୍ତ ବିଲୁପ୍ତ ।’’ ଏହି ଭାବରାଜି ତାଙ୍କ ପ୍ରାଣକୁ ଭୀଷଣ ଭାବରେ ଆଲୋଡ଼ିତ କଲା । ଈଶ୍ୱରଙ୍କ କାର୍ଯ୍ୟରେ ଲୋକ ସେବାରେ ‘‘ବହୁଜନ ହିତାୟ ବହୁଜନ ସୁଖାୟ’’ ପ୍ରାଣ ବଳିଦେବା ନିମନ୍ତେ ସେ ଦୃଢ଼ ସଂକଳ୍ପ ହେଲେ । ପିତାମାତାଙ୍କ ନିଷେଧ କିମ୍ୱା ପ୍ରତିଷେଧ ଆଜ୍ଞା ସତ୍ତ୍ୱେ ସନ୍ନ୍ୟାସ ଗ୍ରହଣ କଲେ ।

 

ଏହା ବୋଧହୁଏ ଲୁଥରଙ୍କ ଜୀବନରେ ଜ୍ଞାନାଲୋକର ପ୍ରଥମ ବିକାଶ । ଏହାହିଁ ଭବିଷ୍ୟତ୍‌ ମହତ୍ତ୍ୱର ପ୍ରଥମ ସୂଚନା–ତଥାପି ତାହା ନିବିଡ଼ । ଅନ୍ଧକାର ମଧ୍ୟରେ କ୍ଷୀଣ ଆଲୋକରେଖା । ସ୍ୱଭାବତଃ ଧର୍ମପ୍ରାଣ ହେତୁ ସେ ବହୁ ଆୟାସ ସତ୍ତ୍ୱେ ସତ୍ୟାନୁସନ୍ଧାନରେ ବଦ୍ଧପରିକର ହେଲେ । ନିର୍ଯ୍ୟାତନାର ସୀମା ନ ଥିଲା, ନୁତନ ଶିକ୍ଷାର୍ଥୀରୂପେ ତାଙ୍କୁ ଅନେକ ହୀନ ଦାସୋଚିତ ବୃତ୍ତ କରିବାକୁ ପଡ଼ିଥିଲା; ତଥାପି ତିଳେ ସୁଦ୍ଧା ତତ୍‌ପ୍ରତି ଭ୍ରୂକ୍ଷେପ ନାହିଁ, ତିଳେ ହେଲେ ବିଷାଦ ନାହିଁ । ହର୍ଷୋତ୍‌ଫୁଲ୍ଲ ହୃଦୟରେ ସତ୍ୟାନ୍ୱେଷୀ କର୍ମ୍ମବୀର କେବଳ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରି ହୃଦୟରେ ବିଶ୍ୱାସକୁ ସମ୍ୱଳ କରି ବହୁ କଣ୍ଟକିତ ପଥରେ ଧୀର ସାହସରେ ଇପ୍‌ସିତ ବସ୍ତୁ ଲାଭ ଆଶାରେ ଧାବମାନ ହେଲେ; ଅଥଚ ମଧ୍ୟେ ମଧ୍ୟେ ଦାରୁଣ ଅବିଶ୍ୱାସ ଆକ୍ରମଣ କରୁଅଛି, ପୈଶାଚିକ ନୈରାଶ୍ୟ ତାଙ୍କ ସମ୍ମୁଖରେ ତାଣ୍ଡବ ନୃତ୍ୟ କରୁଅଛି, ଏପରିକି ସମୟେ ସମୟେ ଆଦର୍ଶ ଲାଭର ଅନିଶ୍ଚୟତା, ଅସାରତା ଓ ଅସମ୍ଭବତା ପ୍ରମଣ କରାଇ ଓ କ୍ଷୁଦ୍ର ମାନବ ଜୀବନର ହୀନତା ଦର୍ଶାଇ ଆତ୍ମହତ୍ୟା ଦ୍ୱାରା ଜୀବନ ନାଶ କରିବାର ପ୍ରବୃତ୍ତି ଆଣି ଦେଉଅଛି । ସ୍ୱର୍ଗଲାଭର ବିଶ୍ୱାସ ମୂଳରେ ସଜୋରେ କୁଠାରଘାତ କରି, ହୃଦୟକୁ ବିଚଳିତ କରି ଶାନ୍ତିଭଙ୍ଗ କରୁଅଛି, କିନ୍ତୁ ଏ ସମସ୍ତ ତାଙ୍କୁ କର୍ତ୍ତବ୍ୟ ପଥଚ୍ୟୁତ କରି ପାରିନାହିଁ । ତାଙ୍କର ହୃଦୟର ସରଳତା ତଥା ଏକନିଷ୍ଠତା ଜୟଲାଭ କରିଅଛି । ସେତେବେଳେ ସେ ଜାଣିଥିଲେ, କେବଳ ‘‘ଶରୀରଂ ବା ପାତୟେତ, କାର୍ଯ୍ୟ ବା ସାଧୟେତ’’ । ଉପବାସ, ରାତ୍ରି ଜାଗରଣ, ଲୌକିକତାରକ୍ଷଣ ଓ ଦାସସୁଲଭବୃତ୍ତି ସମ୍ପାଦନରେ ସେ କେତେକ ଦିନ ଦାରୁଣ ଯନ୍ତ୍ରଣା ସହକାରେ ଅତିବାହିତ କଲେ । ଏହିପରି ବିଷମ ସମସ୍ୟାରେ, ଘୋର ନୈରାଶ୍ୟରେ ପତିତ ହୋଇ ସେ ତିଳେ ସୁଦ୍ଧା କେବେହେଁ ସ୍ୱପ୍ନରେ ଭାବି ପାରି ନ ଥିଲେ ଯେ, ସେ ଦିନେ ପୃଥିବୀର ଗୌରବର ସ୍ୱର୍ଣ୍ଣ ସିଂହାସନର ଅଧିକାରୀ ହେବେ ।

 

ଏହିପରି ଭାବରେ କେତେଦିନ ବିତିଗଲା, ଅକୁଳ ସାଗରରେ ଭାସୁଛନ୍ତି-ଦିନେ ଭଗବାନଙ୍କ କୃପାଦୃଷ୍ଟି ପଡ଼ିଲା । ନୈରାଶ୍ୟର ତମସାବୃତ ପିଚ୍ଛିଳ ପଥରେ ବିଚରଣ କରୁଥିବା କାଳରେ ‘‘ଏର୍‍ଫଟ୍‌’’ ପୁସ୍ତକାଗାରରେ ଖଣ୍ଡିଏ ପୁରାତନ ଲାଟିନ୍‌ ଭାଷା ଲିଖିତ ଖ୍ରୀଷ୍ଟୀୟାନ୍‌ ଧର୍ମଗ୍ରନ୍ଥ-ବାଇବେଲ୍‌ ତାଙ୍କର ଦୃଷ୍ଟି ପଥାରୁଢ଼ ହେଲା । ସେ ଅକୁଳ ସାଗରରେ କୁଳ ପାଇଲେ । ଅନଶନ ଓ ଜାଗରାଣାଦି ବିନିମୟରେ ବହୁ ନୁତନ ଶିକ୍ଷା ଲାଭ କଲେ । ପ୍ରାଣରେ ଶାନ୍ତିର ସଞ୍ଚାର ହେଲା । ସେ ଯେଉଁ ଗଡ଼ଡ଼ାଳିକା ପ୍ରବାହନ୍ୟାମ୍ଭରେ ସାଧନା କରୁଥିଲେ, ତହିଁର ଅସାରତା ଉପଲବ୍‌ଧି କଲେ । ମନୁଷ୍ୟର ପରିତ୍ରାଣ କେବଳ ଭଗବାନଙ୍କ କୃପା ଉପରେ ନିର୍ଭର କରେ, ତାହା ହୃଦୟଙ୍ଗମ କରି ବିଶ୍ୱାସକୁ ଦୃଢ଼ କଲେ । ସେହି ବାଇବେଲ୍‌ ଖଣ୍ଡିକୁ ହୃଦୟର କୌସ୍ତୁଭମଣିବତ୍‍ ଆଦର ଯତ୍ନକଲେ ଓ ପରମବନ୍ଧୁ ରୁପେ ଗଭୀର ଶ୍ରଦ୍ଧା ଅନୁରକ୍ତ ପ୍ରଦର୍ଶନ କଲେ । ବାଇବେଲ ବାଣୀକୁ ସାକ୍ଷାତ୍‌ ଭଗବତ୍‌ ବାଣୀରୁପେ ଗ୍ରହଣ କରି ପ୍ରାଣ ବିନିମୟରେ ସୁଦ୍ଧା, ବିଶ୍ୱାସର ଉଚ୍ଚ ଶିଖରରୁ ପଦେ ସୁଦ୍ଧା ସ୍ଥଳିତ ହେବେ ନାହିଁ ବୋଲି ଦୃଢ଼ ପ୍ରତିଜ୍ଞ ହେଲେ । ବସ୍ତବିକ ସେ ତାଙ୍କର ବିଶ୍ୱାସକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରଖିପାରିଥିଲେ । ବାଇବେଲ ଖଣ୍ଡି କର୍ଣ୍ଣଧାର ରୂପେ ତାଙ୍କର ଜୀବନ ତରୀକୁ ଗନ୍ତବ୍ୟ ଦିଗକୁ କ୍ରମେ କ୍ରମେ ଘେନିଯାଇ ଭଗବାନଙ୍କ ଶ୍ରୀପଦ ପ୍ରାନ୍ତରେ ପହୁଞ୍ଚାଇ ଦେଲା । ତାହାରି ସାହାଯ୍ୟରେ ଚିତ୍ତର ପ୍ରଶାନ୍ତି ଉତ୍ତରୋତ୍ତର ବୃଦ୍ଧି ଲଭିଲା-ମେଧା, ମୌଳିକତା ଶତଦଳବତ୍ ପ୍ରସ୍ଫୁଟିତ ହେବାକୁ ଲାଗିଲା । ମହତ୍ତ୍ୱ କ୍ରମେ କ୍ରମେ ବିକଶିତ ହୋଇ ତାଙ୍କୁ ତାଙ୍କ ମଣ୍ଡଳୀରେ ସର୍ବପ୍ରଧାନ କରିଦେଲା । ସତ୍‌ ଓ ମେଧାବୀ ହେତୁ ସେ ଅଗଷ୍ଟାଇନ୍‌ ସଂଘ ଦ୍ୱାରା ପ୍ରଚାର କାର୍ଯ୍ୟରେ ପ୍ରେରିତ ହେଲେ । ନ୍ୟାୟଶୀଳ, ଧର୍ମପରାୟଣ ନୃପତି ପେଣ୍ଡେରିକ ତାଙ୍କୁ ‘ଇଉଟେନ୍‌ବର୍ଗ, ବିଶ୍ୱବିଦ୍ୟାଳୟରେ ଧର୍ମ ଓ ନୀତି ଶିକ୍ଷା ଦେବା ନିମନ୍ତେ ଅଧ୍ୟାପକ ରୂପେ ନିଯୁକ୍ତ କଲେ । ଏହି ଦୁଇ ବିଭାଗରେ ସେ ଅତିଶୟ କୃତିତ୍ୱ ଦେଖାଇ ଜନସାଧାରଣରେ ଧନ୍ୟବାଦ ଓ ପ୍ରଶଂସାର ପାତ୍ର ଦ୍ୱେଲେ।

 

ପଚାର କାର୍ଯ୍ୟରେ ନିଯୁକ୍ତି ଯୋଗୁଁ ସପ୍ତବିଂଶତି ବର୍ଷ ବୟଃକ୍ରମରେ ତାଙ୍କୁ ରୋମ ନଗରୀକୁ ଗମନ କରିବାକୁ ହୋଇଥିଲା । ପୋପ୍‌ ଜୁଲିଅସ ଏବଂ ତତ୍କାଳୀନ ରୋମର କାର୍ଯ୍ୟକଳାପ ସନ୍ଦର୍ଶନ କରି ସେ ହତଜ୍ଞାନ ହେଲେ । ପ୍ରଧାନ ଧର୍ମ୍ମପୁରୋହିତଙ୍କ ଅଧିଷ୍ଠାନ ସ୍ଥଳ ପୁଣ୍ୟମୟୀ ରୋମନଗରୀକୁ ଆସି ଦେଖିଲେ ଶତ ବିଭୀଷିକାପୂର୍ଣ୍ଣ ପାପଦୁଷ୍ଟ ରୋମ୍‌ ଏବଂ ଧର୍ମଗୁରୁ ପୋପଙ୍କ କୁତ୍ସିତ ଭାବ ଓ ଚରିତ୍ର । ଧର୍ମ ଜଗତର ସଂସ୍କାର ଓ ପୁନର୍ଗଠନ ସେତେବେଳେ ତାଙ୍କ ପ୍ରାଣକୁ ଆଘାତ କରି ନାହିଁ ସ୍ପନ୍ଦନ ଆଣି ନାହିଁ । ନିକଟ କର୍ତ୍ତବ୍ୟ ଅବଧାରଣ ପୂର୍ବକ ସଂସାର ପଥରେ କିପରି ଅଗ୍ରସର ହେବେ ତାହା ପ୍ରଣିଧାନ କରିବାକୁ ଲାଗିଲେ । ‘‘କର୍ମଣ୍ୟେ ବାଽଧିକାରସ୍ତେ ମା ଫଳେଷୁ କଦାଚନ’’ ପନ୍ଥାର ଅନୁସରଣ କଲେ । ତଥାକଥିତ ଧର୍ମଗୁରୁ ପୋପ ଯଦି ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରି ଅନ୍ତରାୟ ହୋଇ ନ ଥାନ୍ତେ, ତେବେ ସେ ବୋଧହୁଏ ନୀରବ ସାଧକ ରୂପେ ନିଜର ନୀତି ଅନୁସରଣ କରି ଜୀବନ କଟାଇ ଦେଇଥାନ୍ତେ ; କିନ୍ତୁ ବିଧାତାଙ୍କ ଇଚ୍ଛା ଅନ୍ୟରୂପ । ପୋପଙ୍କ କାର୍ଯ୍ୟର ଘୋର ପ୍ରତିବାଦ କରି ତାଙ୍କ ବିରୁଦ୍ଧରେ ସମର ପ୍ରାଙ୍ଗଣରେ ଅବତୀର୍ଣ୍ଣ ହେବାକୁ ପରେ ବାଧ୍ୟ ହୋଇଥିଲେ । ପୋପ ଦଶମ ଲିଓଙ୍କ (Leox) ଦ୍ୱାରା ପ୍ରଚାରିତ ଅବ୍ୟାହତି ପତ୍ର (Indulgeuce) ବିକ୍ରୟ କରିବା ନିମନ୍ତେ ଭ୍ରମ କ୍ରମେ ପ୍ରଚାରକ ଟେଟ୍‌ଜେଲ ଉଇଟେନ୍‌ବର୍ଗକୁ ପ୍ରେରିତ ହୋଇଥିଲେ । ଲୁଥରଙ୍କ ଶିକ୍ଷ୍ୟ ଓ ମତାବଲମ୍ୱୀମାନେ ସେହି ଅବ୍ୟାହତି ପତ୍ର କ୍ରୟକରି ପାପମୁକ୍ତ ହୋଇଥିବା କଥା ଲୁଥରଙ୍କ ନିକଟରେ ପ୍ରକାଶ କଲେ । ଲୁଥର ତତ୍‌ଶ୍ରବଣରେ ସଂହବିକ୍ରମରେ ଉତ୍ଥିତ ହୋଇ ଗୁରୁ ଗମ୍ଭୀର ସ୍ୱରରେ ପ୍ରକାଶ କଲେ, ‘‘ଅବ୍ୟାହତି ପତ୍ର ଘୋର ଶଠତା ଓ ପ୍ରବଞ୍ଚନାପୂର୍ଣ୍ଣ ପ୍ରକାଶ । ତଦ୍ଦ୍ୱାରା ପାପ ବିମୋଚନ ଅସମ୍ଭବ, ଏହା କେବଳ ଭଣ୍ଡତା, ଏହା ଶୀଘ୍ର ବର୍ଜନ କର ।’’ ସାଧାରଣ ଧର୍ମ୍ମ ସଂସ୍କାରର ଏହାହିଁ ପ୍ରାରମ୍ଭ । ୧୫୧୭ ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସର ଶେଷ ଦିନରେ ଲୁଥର ପ୍ରକାଶ୍ୟ ଭାବରେ ଅବ୍ୟାହତି-ପତ୍ର-ବିକ୍ରେତା ସନ୍ନ୍ୟାସୀ ପ୍ରଚାରକ ଟେଟ୍‌ଜେଲଙ୍କୁ ‘ରଣଂଦେହି’ ବୋଲି ଆହ୍ୱାନ କଲେ । ସେ ଅସାଧାରଣ ଯୁକ୍ତି, ତର୍କ ଓ ବାଦାନୁବାଦ ଦ୍ୱାରା ଓ ସ୍ୱବାଗ୍ମିତା ସାହାଯ୍ୟରେ, ଦୁରାତ୍ମାର ମତବାଦ ଶତଧା ଚୂର୍ଣ୍ଣ ବିଚୂର୍ଣ୍ଣ ପୂର୍ବକ ସ୍ୱୀୟ ମତ ବିସ୍ତାର କରି କ୍ରମେ କ୍ରମେ ଗୌରବର ଉନ୍ନତ ଶିଖରକୁ ଆରୋହଣ କରିବାକୁ ଲାଗିଲେ । ଲୁଥରଙ୍କ ଅଭିଳାଷ ଥିଲା, କେବଳ ଅନ୍ୟାୟ ଓ ଅତ୍ୟଚାରର ମୁଳୋତ୍ପାଟନ । ଖ୍ରୀଷ୍ଟୀୟାନ ଧର୍ମଜଗତର ପିତା ଆଧ୍ୟାତ୍ମିକ ଗୁରୁପ୍ରବର ପୋପଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବା କିମ୍ୱା ଧର୍ମ୍ମମଣ୍ଡଳୀ ମଧ୍ୟରେ ମତ୍ତଭେଦ କିମ୍ୱା ବିପ୍ଳବ ପ୍ରବର୍ତ୍ତନ କରିବା । ଆଦୌ ପ୍ରଥମ ଉଦେଶ୍ୟ ନ ଥିଲା; କିନ୍ତୁ ଦୁଷ୍ଟମତି ପୋପଙ୍କୁ ଧର୍ମ ଛାଡ଼ିଲା । ସେ ଆଦୌ ଲୁଥରଙ୍କ ବାଣୀକୁ ଭ୍ରକ୍ଷେପ କଲେ ନାହିଁ, ବରଂ ଅବଜ୍ଞା ପ୍ରଦର୍ଶନ କଲେ । ତିନିବର୍ଷକାଳ ତାଙ୍କୁ ଦମନ କଚିବାକୁ ନାନା ଉପାୟ ଉଦ୍ଭାବନ କଲେ, କିନ୍ତୁ ଅକୃତକାର୍ଯ୍ୟ ହୋଇ ଶେଷରେ ଅଗ୍ନି ସଂଯୋଗ ଦ୍ୱାରା ତାଙ୍କର ପ୍ରାଣନାଶ କରିବାକୁ ଚେଷ୍ଟିତ ହେଲେ ।

 

ରୋମାନକାଥଲିକ୍‌ ପୋପ୍ ଏହି ମହା ବିକ୍ରମଶାଳୀ ଉର୍ଜ୍ୱସଳତନ ତେଜସ୍ୱୀ ମହାପୁରୁଷଙ୍କୁ ହୁତାଶନ ଦ୍ୱାରା ଶାନ୍ତ କରିବାକୁ ବସିଥିଲେ, କିନ୍ତୁ ତାହା ହେଲା ନାହିଁ । ଲୁଥରଙ୍କ ବିକ୍ଷୁବ୍‌ଧ ପ୍ରାଣ ଅଗ୍ନିଶିଖାବତ୍‌ ଉତ୍ତେଜିତ ହୋଇ ଉଠିଲା । ସେ ବଜ୍ର ନିର୍ଘୋଷରେ କହିଲେ, ‘‘ପୋପ ଈଶ୍ୱରଙ୍କ ପ୍ରତିନିଧି କିମ୍ୱା ମୁଖପାତ୍ର ନୁହନ୍ତି, ପରନ୍ତୁ ଦାନବର ଅନୁଚର । ତାଙ୍କର ମୁକ୍ତି ଦେବାର କ୍ଷମତା ନାହିଁ ।’’ ଏହି ଅଗ୍ନିଗର୍ଭ ବାଣୀ ଉଚ୍ଚାରଣ କରିବା ପରେ ପୋପଙ୍କ ଅନୁଶାସନାତ୍ମକ-ମୁଦ୍ରାଙ୍କିତ ଅବ୍ୟାହତି ପତ୍ରକୁ ପ୍ରଜ୍ୱଳିତ ଅଗ୍ନିରେ ନିକ୍ଷେପ କଲେ । ୧୫୨୦ ଖ୍ରୀଷ୍ଟାବ୍ଦର ଡିସମ୍ୱର ମାସ ୧୦ ତାରିଖରେ ଅର୍ଥାତ୍‌ କାର୍ଯ୍ୟ ଆରମ୍ଭର ପ୍ରାୟ ତିନିବର୍ଷ ପରେ ବହୁଜନ-ସମକ୍ଷରେ ଲୁଥର ସେହି ଅଗ୍ନିସଂଯୋଗକ୍ରିୟା ଅନୁଷ୍ଟାନ କଲେ । ସମଗ୍ର ଜନତା ନିର୍ନିମେଷ ନୟନରେ ଉଦ୍‌ଗ୍ରୀବ ହୋଇ ଲୁଥରଙ୍କର ସେହି ଅମାନୁଷିକ କାର୍ଯ୍ୟ ସନ୍ଦର୍ଶନ କରିଥିଲେ-। କାର୍ଯ୍ୟାନୁ ଷ୍ଠାନ ପରେ ଜନ ସାଧାରଣ ବିରାଟ କୋଳାହଳ କରି ଆନନ୍ଦରେ ଉନ୍ମତ୍ତ ହୋଇ ଉଠିଲେ । ଏହି କୋଳାହଳ ଜାତିର ନବ ଜାଗରଣ, ସତ୍ୟମନ୍ତ୍ର-ପୂତପ୍ରାଣର ବାଣୀ ଏହିଠାରେ ଉଦ୍‌ଘୋଷିତ ହେଲା । ମୁଳତଃ ମହମ୍ମଦ ପ୍ରଭୁତିଙ୍କ ସଦୃଶ ଲୁଥର ମଧ୍ୟ ପୌତ୍ତଳିକତା ବିନାଶୀ । ଅସାଧାରଣ କ୍ଷମତା ହେତୁ, ସତ୍ୟ ଧର୍ମ୍ମ ଉପରେ ଜୀବନ ପ୍ରତିଷ୍ଠିତ ହେତୁ, ସେ ମାନବ ଜାତିକୁ ପୁଣି ଥରେ ସତ୍ୟ ମଞ୍ଚକୁ ଘେନି ଆସିଥିଲେ । ବନ୍ଧୁ ବାନ୍ଧବହୀନ ହୋଇ ସୁଦ୍ଧା ସେ ଐଶ୍ୱରକ ବଳରେ ବଳୀୟାନ୍‌ । ୧୫୨୧ ଖ୍ରୀଷ୍ଟାବ୍ଦର ଅପ୍ରିଲ ମାସ ୧୭ ତାରିଖରେ ଜର୍ମାନୀ ବ୍ୟବସ୍ଥାପକ ମହାସଭାରେ ତାଙ୍କର ଉପସ୍ଥିତି ଆଧୁନିକ ଇଉରୋପୀୟ ଇତିହାସର ଗୋଟିଏ ପ୍ରଧାନ ଉଲ୍ଲେଖଯୋଗ୍ୟ ଘଟନା । ଏହିଠାରୁ ଇଉରୋପର ନବ ସଭ୍ୟତାର ପ୍ରାରମ୍ଭ । ଯୁବକ ସମ୍ରାଟ୍‌ ପଞ୍ଚମ ଚାର୍ଲସ୍‌ ରାଜନ୍ୟବର୍ଗ ଓ ଧର୍ମଯାଜକ ପ୍ରଭୃତି ପରିବେଷ୍ଟିତ ହୋଇ ସିଂହାସନରେ ସମାସୀନ, ଲୁଥର ତାଙ୍କ ମତ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ କି ନା ସେ ବିଷୟରେ ସେ ଉତ୍ତର ଦେବେ । ଏକଦିଗରେ ସାଂସାରିକ ଆଟୋପ ଆଡ଼ମ୍ୱର ପୂର୍ଣ୍ଣ ପାର୍ଥିବ ରାଜଶକ୍ତି, ଅନ୍ୟ ଦିଗରେ ବନ୍ଧୁବାନ୍ଧବହୀନ ଦରିଦ୍ର ସନ୍ତାନର ତପୋବଳ । ଉକ୍ତ ମହାସଭାରେ ଉପସ୍ଥିତ ନ ହେବା ନିମନ୍ତେ ଅନେକେ ତାଙ୍କୁ ସନିର୍ବନ୍ଧ ଅନୁରୋଧ କରିଥିଲେ; କିନ୍ତୁ ସେ ତାହା କାର୍ଯ୍ୟରେ ପରିଣତ କରି ସ୍ୱୀୟ ଦୁର୍ବଳତା ଦେଖାଇବାକୁ ଅତିଶୟ କୃଣ୍ଠିତ ହେଲେ-ଅନୁରୋଧ ରକ୍ଷା କରି ପାରିଲେ ନାହିଁ । ଲୁଥର ସଭାରେ ଉପସ୍ଥିତ ହେବା ପୂର୍ବରୁ ରାଜମାର୍ଗରେ ଗୃହଚ୍ଛାଦ ଉପରେ ଅସଂଖ୍ୟଜନ ସମବେତ ହୋଇଥିଲେ । ପୁରାଙ୍ଗନା-ମାନେ ମଧ୍ୟ ବାତାୟନ ମାର୍ଗରେ ଦୃଷ୍ଟିପାତ ପୂର୍ବକ ସେମାନଙ୍କର କୌତୂହଳ ଚରିତାର୍ଥ କରିଥିଲେ ।

 

ସେ ଦୁଇଘଣ୍ଟା ଯାଏ ଓଜସ୍ୱିନୀ ଭାଷାରେ ବକ୍ତୃତା କଲେ । ବକ୍ତୃତା ଜ୍ଞାନ, ସରଳତା ଓ ବାଗ୍ମିତା ପୂର୍ଣ୍ଣ, ମଧ୍ୟ ଯେତେଦୂର ସମ୍ଭବ ଦୈନ୍ୟଯୁକ୍ତ । ବକ୍ତୃତାର ଅର୍ଦ୍ଧାଂଶ ସ୍ୱକଳ୍ପିତ ଏବଂ ଅପରାର୍ଦ୍ଧ ଭଗବାନଙ୍କ ମୁଖ-ନିଃସୃତ ବାଣୀ । ଯାହା ତାଙ୍କର, ତହିଁରେ ପ୍ରମାଦ ଥିବା ସମ୍ଭବ, କିନ୍ତୁ ଯାହା ନିଜର ନୁହେ, ତାହା ଭଗବତ୍‌ବାଣୀ, ତହିଁରେ ପ୍ରମାଦ ଆଦୌ ନାହିଁ । ତାହା ପ୍ରତ୍ୟାହାର କରିବା ଏକାବେଳକେ ଅସମ୍ଭବ । ଉପସଂହାରରେ କହିଲେ, ‘ଯଦି ଧର୍ମଗ୍ରନ୍ଥର ପ୍ରମାଣ ଦ୍ୱାରା କିମ୍ୱା ସହଜ ଯୁକ୍ତି ଦ୍ୱାରା ମୋର ପ୍ରତ୍ୟୟ ଜନ୍ମାଇ ପାର ତେବେ ମୁଁ ତୁମ୍ଭକଥା ଶ୍ରବଣ କରିବି, ନଚେତ୍‌ ନୁହେ । ବିବେକ ବିରୁଦ୍ଧରେ କାର୍ଯ୍ୟ କରିବା ଅତିଶୟ ଗର୍ହିତ ବିଷୟ । ମୋର ଅବସ୍ଥାନ ଏହିଠାରେ ମୁଁ ଅନ୍ୟଥା କରି ନପାରେ । ଭଗବାନ, ମୋତେ ସାହାଯ୍ୟ କର । ଏହିଥର ସେ ବିବେକର ମହତ୍ତ୍ୱ ପ୍ରତିଷ୍ଠା କରି ଅଛନ୍ତି । ଇଂରାଜ ପିଉରିଟାନ ଧର୍ମ୍ମ, ଇଂଲଣ୍ଡର ମହାସଭା, ଆମେରିକାର ସଭ୍ୟତା, ଫରାସୀ ରାଷ୍ଟ୍ରବିପ୍ଲବ ଓ ନବ ଇଉରୋପର ସଭ୍ୟତାର ବୀଜ ସେହିଠାରେ ଉପ୍ତନ୍ନ ହୋଇଥିଲା । ଯଦି ଲୁଥର ଭିନ୍ନରୁପ ଆଚରଣ କରିଥାନ୍ତେ, ତେବେ ଏ ସମସ୍ତର ଇତିହାସ ମଧ୍ୟ ପରିବର୍ତ୍ତିତ ହୋଇ ଯାଇଥାନ୍ତା । ତାଙ୍କର କୃପାରେ ମୋର ଅବସ୍ଥାନ, ମୁଁ ଅନ୍ୟଥା କହିପାରେ ନାହିଁ । ଇଉରୋପ ଧ୍ୱଂସ ମୁଖରୁ ରକ୍ଷା ପାଇ ନିରାପଦରେ ଜୀବନ ଧାରଣ କରିଅଛି । ଧର୍ମସଂସ୍କାର ପରେ ଅନେକ ଆନ୍ଦୋଳନ ଚାଲିଲା, ଅନେକ ସ୍ଥଳରେ ସମରାଗ୍ନି ଜ୍ୱଳି ଉଠିଲା । ଆଜସୁଦ୍ଧା ସେହିପରି ଯୁଦ୍ଧ ବିଗ୍ରହ ଝଡ଼ ତୋଫାନ ଚାଲୁଅଛି । ସେଥି ନିମିତ୍ତ ଲୁଥରଙ୍କୁ ଦାୟୀ କରାଯାଇ ନ ପାରେ । ଧର୍ମସଂସ୍କାର (Reformation) କୁ ଏହି ସବୁ ଦୋଷରେ ଦୋଷୀ ବୋଲି ସାବ୍ୟସ୍ତ କରିବା ବଡ଼ ଆକ୍ଷେପରେ ବିଷୟ ।

 

ଯେତେବେଳେ ହାରକ୍ୟୁଲ୍‌ସ (HercuLes) ପବିତ୍ର ମନ୍ଦାକିନୀକୁ ଅଗିଅସ୍‌ (Augeas) ରାଜାଙ୍କର ଅଶ୍ୱଶାଳକୁ ଘେନି ଆସିଥିଲେ, ସେତେବେଳେ ଅନେକ ବିଭ୍ରାଟ ଉପସ୍ଥିତ ହୋଇଥିଲା, କିନ୍ତୁ ସେଥି ନିମିତ୍ତ କ’ଣ ସେ ଦାୟୀ ? ଗୋଟିଏ ନୂତନ ପଦାର୍ଥ ଆସିଲେ, ତା ସଙ୍ଗେ ଅନେକ ଜିନିଷ ଆସେ: କିନ୍ତୁ ତାହା ସ୍ଥାୟୀ ହୁଏ ନାହିଁ । ଧର୍ମ୍ମସଂସ୍କାରର ଅଭୟବାଣୀ ଧର୍ମରାଜ୍ୟରୁ କଳୁଷପଙ୍କ ସବୁ ନିର୍ବାସିତ କରି ଦେଇଥିଲା ଓ ପୋପଙ୍କ ବାଣୀରେ ଆସ୍ଥାଦେଲେ ଈଶ୍ୱରଙ୍କ ନିକଟରେ ଘୋର ଦ୍ରୋହୀ ହେବ ବୋଲି ପ୍ରଚାର କଲା । ନୁତନ, ଧର୍ମର ମହତ୍ତ୍ୱ ଅବଧାରଣ କରିବା ସମୟରେ ପୁରାତନ ଧର୍ମପ୍ରତି ଅଶ୍ରଦ୍ଧା ପ୍ରକାଶ କରିବା ଆଦୌ ଉଚିତ ନୁହେଁ । ଯେତେଦିନ ଧର୍ମ୍ମରେ ପ୍ରାଣଥାଏ, ତେତେଦିନ ମାନବ ସ୍ପନ୍ଦନ ଅନୁଭବ କରିପାରେ । ନବଧର୍ମ୍ମ ସଂସ୍କାର ସତ୍ତ୍ୱେ ପୋପୀୟ ଧର୍ମ୍ମ ଭୂପୃଷ୍ଠରୁ ଏକାବେଳକେ ବିଲୁପ୍ତ ହୋଇନାହିଁ । ପୋପୀୟ ଧର୍ମ୍ମ ନୂତନ ଧର୍ମ୍ମ ମନ୍ଦିର ନିର୍ମ୍ମାଣ କରିପାରେ ସତ୍ୟ, କିନ୍ତୁ ତାହା ବିଶେଷ ପ୍ରସାର ଲାଭ କରିବା ସମ୍ଭବ ନୁହେ । ଯେତେଦିନ ପର୍ଯ୍ୟନ୍ତ ତାହାର ଉତ୍କର୍ଷ ଗୁଡ଼ିକ ନୂତନ ଧର୍ମ୍ମରେ ମିଳିତ ନ ହୋଇଛି, ସେତେଦିନ ମୁମୂର୍ଷୁ ଅବସ୍ଥାରେ ରହିଥିବ । ସମସ୍ତ ଉତ୍କର୍ଷ ଦାନ କରିବା ପରେ ତାହାର ଶକ୍ତି ନିଃଶେଷ ହୋଇଯିବ, ଗୌରବ ଲୁପ୍ତ ହେବ, ସେ ପ୍ରାଣହୀନ ହୋଇପଡ଼ିବ । ଯେତେଦିନ ତାହାର କାର୍ଯ୍ୟ ଅର୍ଥାତ୍‌ ଦାନ ଶେଷ ନ ହୋଇଛି, ସେତେଦିନ ତାହାକୁ ବଞ୍ଚାଇ ରଖ ।

 

ଲୁଥରଙ୍କ ଜୀବିତାବସ୍ଥାରେ କୌଣସି ଯୁଦ୍ଧବିଗ୍ରହ, ରକ୍ତପାତ ଇତ୍ୟାଦି ଘଟି ନାହିଁ -ଏହା ଉଲ୍ଲେଖ ଯୋଗ୍ୟ । ଏହା ତାଙ୍କର ମହତ୍ତ୍ୱର ପରିଚାୟକ । ସେ ଥିଲେ ନିଖିଳ ପ୍ରୋଟେଷ୍ଟାଣ୍ଟ ଧର୍ମ୍ମ ଜଗତର ଅଧିନାୟକ, ସମଗ୍ର ସଂଘର କେନ୍ଦ୍ର । ରଜୋଗୁଣ ଓ ସଂପରିଚାଳନୀ ଶକ୍ତିର ବର୍ତ୍ତମାନତା ହେତୁ ସେ ଜନନାୟକ ରୂପେ କୃତିତ୍ୱ ଦେଖାଇ ଯାଇଅଛନ୍ତି, ସହିବା ଶକ୍ତି ତାଙ୍କର ପୁରା ମାତ୍ରାରେ ଥିଲା । ତାଙ୍କର ଲେଖାବଳୀରୁ ମଧ୍ୟ ତାଙ୍କ ସହନ-ଶକ୍ତିର ଭୂରି ଭୂରି ପ୍ରମାଣ ମିଳେ । ସେ ଭାଷା ବର୍ତ୍ତମାନ ଅପ୍ରଚଳିତ ହୋଇଯାଇଛି ସତ୍ୟ, କିନ୍ତୁ ତାହା ପାଠୋପଯୋଗୀ । ତାଙ୍କର ଭାଷା ସାହିତ୍ୟକ ଭାଷା, ଅତିଅଳ୍ପ ସମୟ ମଧ୍ୟରେ ଲିଖିତ ହୋଇଥିବାରୁ ତହିଁରେ ପ୍ରମାଦ ରହିଅଛି; କିନ୍ତୁ ଐତିହାସିକ ଦୃଷ୍ଟିରେ ତାହାର ମୁଲ୍ୟ ଯଥେଷ୍ଟ । ତହିଁରେ ସରଳତା, ପ୍ରାଞ୍ଜଳତା, ଅକୃତ୍ରିମତା, ବିନୟ ଶକ୍ତି, ତେଜ, ବିକ୍ରମ ଇତ୍ୟାଦି ବିଶେଷ ଭାବରେ ବିରାଜମାନ । ରଙ୍ଗରସ, ହାସ୍ୟକୌତୁକ, ସ୍ନେହ, ପ୍ରତି, ଗଭୀରତା ଓ ଉଦାରତା ମଧ୍ୟ ବିଦ୍ୟାମାନ । ସେ ଜଣେ ଉକ୍ତୃଷ୍ଟ କବି ମଧ୍ୟ ହୋଇ ପାରିଥାନ୍ତେ-। ତାଙ୍କର ସେ ଶକ୍ତିଥିଲା, ସେ ନିଜ ଜୀବନବ୍ୟାପୀ ଗୋଟିଏ ବିରାଟ କାବ୍ୟନାଟକର ଅଭିନୟ କରି ଯାଇଅଛନ୍ତି । ପ୍ରକୃତ ପକ୍ଷେ ସେ ଜଣେ ନାଟ୍ୟକାର ଏବଂ ଅଭିନେତା ।

 

ଜର୍ମ୍ମାନ-ପଣ୍ଡିତ ରିକ୍ଟର (Richtar) କହିଛନ୍ତି, ‘ଲୁଥରଙ୍କ ବାଣୀ ସମରାଗ୍ନିବତ୍‌ ପ୍ରବଳ, ଯୁଦ୍ଧରେ ଜୟଲାଭ କରିବା ନିମନ୍ତେ ତାଙ୍କର ଅସାଧାରଣ କ୍ଷମତା, ମାନବୀୟ ଶକ୍ତିର ପରାକାଷ୍ଠା ସେ ଦର୍ଶାଇ ଅଛନ୍ତି । ତାଙ୍କର ଜୀବନରେ ଚରିତ୍ର ଓ ବିକ୍ରମର ଅପୂର୍ବ ସାହାସ ଓ ବିକ୍ରମ ସହକାରେ ପାପାତ୍ମାମାନଙ୍କୁ ପରାଭୂତ କରିଥିଲେ ତାହା ଗର୍ବ କରିବାର ବିଷୟ ।

 

ଏକଦା ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠ ମଧ୍ୟରେ ଉପବେଶନ ପୂର୍ବକ ସେ ବାଇବେଲ ଅନୁବାଦରେ ବ୍ୟାପୃତ ଅଛନ୍ତି, ଅନଶନ ଓ ଶାରୀରିକ ଦୁର୍ବଳତାରେ, ଅବଶ ହୋଇ ପଡ଼ିଛନ୍ତି, ଏପରି ସମୟରେ ଗୋଟିଏ ଭାଷଣ କଦାକାର ପୌଶାଚିକ ମୂର୍ତ୍ତି ତାଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ ତାଙ୍କୁ କାର୍ଯ୍ୟରୁ ବିରତ ହେବା ନିମନ୍ତେ ନାନାଦି ଭୟ ପ୍ରଦର୍ଶନ କଲା । କିନ୍ତୁ ବୀର ସନ୍ୟାସୀ ଲୁଥର ତିଳେ ସୁଦ୍ଧା ଭୀତ ନ ହୋଇ ସିଂହ ବିକ୍ରମରେ ତତ୍‌ପ୍ରତି ମସ୍ୟାଧାର ନିକ୍ଷେପ କରନ୍ତେ ସେ ଭୀଷଣ ମୂର୍ତ୍ତି ନିମଷ ମାତ୍ରେ ଅପସାରିତ ହୋଇଗଲା । ସେହି ମସୀ ଚିହ୍ନଟି ଅଦ୍ୟାପି ସେହିପରି ରହିଅଛି ଏବଂ କେତେ କେତେ ସ୍ମୃତି ତହିଁରେ ଜଡ଼ିତ ରହିଛି ।

 

କେତେକ ଅବିମୃଶ୍ୟକାରୀ ସମାଲୋଚକ କହନ୍ତି ଯେ, ଲୁଥରଙ୍କ ବିକ୍ରମ ପ୍ରଭୃତି କେବଳ ସାଧାରଣ ଅବାଧ୍ୟତା ଓ ଶିଷ୍ଟାଚାର ବିରହିତ ବର୍ବରତା ଓ ଔଦ୍ଧତ୍ୟ । ସହୁଦୟତା ଅଭାବ ଜନିତ ଧୃଷ୍ଟତା ଏବଂ ପାଶବିକତା ଓ ଘୃଣାବ୍ୟଞ୍ଜକ ସାହସ ପ୍ରଶଂସାଯୋଗ୍ୟ ନୁହେଁ । ବ୍ୟାଘ୍ର, ସିଂହ ଓ ବନ୍ୟ ପଶୁମାନଙ୍କ ସାହସ-ସାହସ ନୁହେ କିମ୍ୱା ପ୍ରଶଂସାର ବିଷୟ ନୁହେ । ହିଁ ସାପ୍ରଣୋଦିତ ଭାବ ଦ୍ୱାରା ଲୁଥରଙ୍କୁ ଅଭିଯୁକ୍ତ କରିବା ଏକାବେଳକେ ଅନ୍ୟାୟ । ଶିଶୁ ପ୍ରାଣବତ୍‌ କୋମଳ, ମାତୃ ହୃଦୟ ତୁଲ୍ୟ ସ୍ନେହପର୍ଣ୍ଣ ଏବଂ ନିର୍ଝରିଣୀ ଜଳବତ୍‌ ସ୍ୱଚ୍ଛ ହୃଦୟ ଅତିଶୟ ବିରଳ ।

 

ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ପ୍ରକାଶିତ ଖସ୍‌ଗପ (Table talk) ପୁସ୍ତକରୁ ଆମ୍ଭେମାନେ ତାଙ୍କ ଜୀବନର ଅନେକ ମହତ୍ତ୍ୱ ଉପଲବ୍‌ଧି କରିବାକୁ ସମର୍ଥ ହେଉଁ । ଯେତେବେଳେ ତାଙ୍କ ଶିଶୁକନ୍ୟା ମୃତଶଯ୍ୟାରେ ଶାୟିତ, ସେତେବେଳେ ତାଙ୍କର ବ୍ୟବହାର, ମାନସିକ ଅବସ୍ଥା ଦେଖିଲେ ମନେହୁଏ, ସେ କିପରି ଭଗବାନଙ୍କ ଶ୍ରୀଚରଣରେ ଆତ୍ମସମର୍ପଣ କରିଥିଲେ । ତାଙ୍କର କନ୍ୟାର ମୃତ୍ୟୁରେ ଦୁଃଖ ନାହିଁ । କାରଣ ତାଙ୍କର ବିଶ୍ୱାସ-ସେ ଭଗବାନଙ୍କ ନିକଟକୁ ଯାଇଅଛି । ତାହା ଭଗବାନଙ୍କର ଅଭିପ୍ରେତ । ଆହା ! କି ସୁନ୍ଦର ଆତ୍ମସମର୍ପଣ । କି ମହାନ୍‌ବିରାଟ ଭାବ ।

 

ଏକଦା ଗଭୀର ରାତ୍ରିରେ ଯେତେବେଳେ ସମଗ୍ରବିଶ୍ୱ ନୀରବ ନିସ୍ତବ୍‌ଧ ଅନନ୍ତ ଆକାଶରେ ବିଶାଳ ଜୀମୁତମାଳ ଭାସୁଛନ୍ତି, ଅଗଣିତ ତାରକା ବଳି ଜୁଳୁ ଜୁଳୁ ହୋଇ ଜଳୁଛନ୍ତି, ଚନ୍ଦ୍ର ତାହାର କୌମୁଦୀର ବିମଳ ପ୍ରଭା ବିସ୍ତାର କରି ପୃଥିବୀବକ୍ଷକୁ ଜ୍ୟୋତ୍ସାଲୋକରେ ପ୍ଳାବିତ କରି ଦେଉଅଛି, ଲୁଥରଙ୍କ ଦୃଷ୍ଟି ସେହି ଗଗନମଣ୍ଡଳ ପ୍ରତି ଆକୃଷ୍ଟ ହେଲା । ‘‘କିଏ ଆକାଶକୁ ଏପରି ଭାବରେ ସଜାଇ ରଖିଅଛି ?’’ ଏହି ପ୍ରଶ୍ନ ମନରେ ଉଦିତ ହେଲା । ଏହାର ଭାର ବହନ କରିବା ନିମନ୍ତେ ସ୍ତମ୍ଭ ନାହିଁ, ଥିଲେ ମଧ୍ୟ କେହି କେବେ ଦେଖି ନାହାନ୍ତି, ଆବହମାନକାଳରୁ ଏହା ଏପରି ଭାବରେ ରହିଅଛି । ସ୍ୱୟଂ ସ୍ରଷ୍ଟା ଏହାକୁ ରଖିଛନ୍ତି ସିନା ! ଭଗବାନଙ୍କ ବିଶାଳ ସୃଷ୍ଟି ଅବୋଧ, ଅଗମ୍ୟ । ସେ ଦିନେ ଶସ୍ୟ ଶ୍ୟାମଳା ହରିତାୟମାନା ବସୁନ୍ଧରା ଦର୍ଶନ କରି ଚମତ୍‌କୃତ ହୋଇ ପଡ଼ିଥିଲେ । ସେ ଭାବିଥିଲେ, ମା ବସୁଧା ଭଗବାନଙ୍କ ନିର୍ଦ୍ଦେଶରେ ପ୍ରାଣିମାନଙ୍କ ଆହାର୍ଯ୍ୟ ପ୍ରସ୍ତୁତ କରି ଦେଉଛି ।

 

ଦିନେ ସନ୍ଧ୍ୟା ସମୟରେ ଗୋଟିଏ କ୍ଷୁଦ୍ରପକ୍ଷୀ ନୀଡ଼କୁ ଫେରି ଯାଉଥିବା ଦେଖି ମୁଗ୍‍ଧହୋଇ ସେ ଭଗବତ୍‌ ମହିମା କୀର୍ତ୍ତନ କରିଥିଲେ, ଏଡ଼େ ବିରାଟ ସଂସାର ଓ ସୃଷ୍ଟିରେ ସାମାନ୍ୟ କ୍ଷୁଦ୍ରପକ୍ଷୀ ନିମିତ୍ତ ମଧ୍ୟ ଭଗବାନ୍‌ ଆଶ୍ରୟ ଦେଇଅଛନ୍ତି; ଧନ୍ୟ ତାଙ୍କର କରୁଣା ! ଲୁଥରଙ୍କ ସାଧାରଣ କଥୋପକଥନରେ ସରଳତା, ହୃଦୟର ବିଶାଳତା ଏବଂ କବିତ୍ୱଛଟା ପରିସ୍ଫୁଟ । ଲୁଥରଙ୍କ ଆନନ ତାଙ୍କର ଚରିତ୍ରର ପରିଚାୟକ । ମୁଖ ଗମ୍ଭୀର, ଲଲାଟ ଉନ୍ନତ କେବଳ ଅନ୍ତର୍ନିହିତ ଶକ୍ତିସୂଚକ, ତଥାପି ତାଙ୍କ ନେତ୍ରରେ ଗଭୀର ଦୁଃଖର ଚିହ୍ନ ପରିଲକ୍ଷିତ ହୁଏ । ଅଜ୍ଞାତ ମର୍ମଭେଦୀ ଯାତନା ଏବଂ ବିଷର୍ଣ୍ଣଭାବ ମଧ୍ୟ ବିଦ୍ୟମାନ । ହାସ୍ୟ, ଆନନ୍ଦ ପ୍ରଚୁର ପରିମାଣରେ ଥିଲେ ସୁଦ୍ଧା ଅଶ୍ରୁ ମଧ୍ୟ ବିଦ୍ୟମାନ । ତାଙ୍କ ଜୀବନର ମୂଳଭିତ୍ତି ଥିଲା ଦୁଃଖ ଓ ଅକୃତ୍ରିମତା । ଉତ୍ତର ଜୀବନରେ ସେ ଜୀବନ ପ୍ରତି ବୀତଶ୍ରଦ୍ଧ ହୋଇ ଯାଉଥିଲେ । କାରଣ ସେ ସେତେବେଳେ ଲୋଡ଼ିଥିଲେ କୋଳାହଳରୁ ଶାନ୍ତି ଏବଂ କର୍ମକ୍ଷେତ୍ରରୁ ଅବସର ।

 

ଇଉରୋପର ଏହି ଅଭିନବ-ଧର୍ମ୍ମ-ସଂସ୍କାର ଇଂଲଣ୍ଡରେ ମଧ୍ୟ ପରିବର୍ତ୍ତନ ପ୍ରବର୍ତ୍ତାଇ ଥିଲା । ତାହା ପିଉରିଟାନ ଧର୍ମରୁପେ ବିକଶିତ, ହେଲା । କ୍ରମେ କ୍ରମେ ପ୍ରୋଟେଷ୍ଟାଣ୍ଟ ଧର୍ମର ପ୍ରଭାବ ନ୍ୟୁନ ହେବାକୁ ଲାଗିଲା, କିନ୍ତୁ ଭିନ୍ନରୂପ ଧାରଣ ପୂର୍ବକ ସ୍କଟ୍‌ଲାଣ୍ଡରେ ସ୍ଥାୟୀ ଧର୍ମ୍ମ ଭାବରେ ରହି ଅତି ଶୁଭଫଳ ପ୍ରସବ କଲା । ସେହି ସ୍ତଟ୍‌ଲାଣ୍ଡ ଦେଶର ଧର୍ମର ପ୍ରଧାନ ପୁରୋହିତ, ପିଉରିଟାନ ଧର୍ମ୍ମର ଏକନିଷ୍ଠ ପୂଜକ ଓ ପ୍ରବର୍ତ୍ତକ, ଧର୍ମ୍ମପ୍ରାଣ ନକସ(Knox) ଙ୍କ ବିଷୟ କିଞ୍ଚିତ ଆଲୋଚନା କରିବୁଁ ।

 

ପିଉରିଟାନ ଧର୍ମ୍ମର ଦୋଷ ଅନେକେ ଦେଖାନ୍ତି । ତଥାପି ତାହା ଉପେକ୍ଷାର ବିଷୟ ନୁହେ । କାଳର ବିଷମ କବଳରେ ପଡ଼ି ସୁଦ୍ଧା ଯେ ନିଜର ଅସ୍ତିତ୍ୱ ରଖିପାରେ, ତାହାର ନିଶ୍ଚୟ ପ୍ରାଣ ଅଛି । ଦୁର୍ବଳ କାଳକ୍ରମେ ସବଳ ହୁଏ, ଶିଶୁ ମନୁଷ୍ୟରେ ପରିଣତ ହୁଏ, କ୍ଷୁଦ୍ର ମହତ୍‌ ହୁଏ, ନୀଚ ଉଚ୍ଚ ହୁଏ, କ୍ଷୁଦ୍ର ବୀଜରୁ ବିଶାଳ ମହୀରୁହର ଉତ୍ପତ୍ତି ସମ୍ଭବେ । ସେହିପରି ଧର୍ମ୍ମରେ କିଞ୍ଚିତ୍‌ ସତ୍ୟ ଥିଲେ ତାହା କ୍ରମେ କ୍ରମେ ବର୍ଦ୍ଧିତ ହୁଏ । ବର୍ତ୍ତମାନ ସ୍କଟ ଜାତିର ବିଶେଷ ଶକ୍ତି ଅଛି । ସେ ଜାତିର ସ୍ଥାନ ବର୍ତ୍ତମାନ ଖୁବ୍‍ ଉଚ୍ଚରେ । ଏହି ଧର୍ମ ସଂସ୍କାର ବ୍ୟତୀତ ସ୍କଟଲାଣ୍ଡର ଇତିହାସରେ ଅନ୍ୟ କୌଣସି ନୂତନଯୁଗ ଦେଖାଯାଏ ନାହିଁ । ଏହି ଧର୍ମ୍ମ-ଯାହା ନବଯୁଗର ଅବତାରଣା କରିଅଛି, ତାହା କେବଳ ନକ୍‌ସଙ୍କ ଅଦ୍ଭୁତ କ୍ଷମତା ହେତୁ । ଅନୁର୍ବ୍ବର ଦେଶ ଯୁଦ୍ଧ ବିଗ୍ରହରେ ଛିନ୍ନ ବିଛିନ୍ନ ହୋଇ ପଡ଼ିଥିଲା, ବର୍ବର ଦେଶ ଭଳି ହୋଇଯାଇଥିଲା, ନିଜର ଆତ୍ମା ଖୋଜି ପାଉ ନଥିଲା, କିନ୍ତୁ ମହାପ୍ରାଣଙ୍କ ଆବିର୍ଭାବରେ ଦେଶରୁ ଅନ୍ଧକାର ଉଭାଇଗଲା, ଧର୍ମ୍ମାଲୋକ ଲାଭ କରି ପୁର୍ନଜୀବନ ଲାଭକଲା; ସ୍କଟଲାଣ୍ଡ ନିଜ ଆତ୍ମା ଖୋଜି ପାଇଲା ।

 

ପ୍ରକୃତ ପକ୍ଷେ କହିଲେ ନକ୍‌ସ ତାଙ୍କ ଜାତି ପାଇଁ ଯାହା କରି ଯାଇଅଛନ୍ତି, ତାହା ଅନ୍ୟ କେହି କରିପାରି ନାହାନ୍ତି । ତାଙ୍କ ଜାତିକୁ ସେ ମୃତ୍ୟୁର କରାଳକବଳରୁ ରକ୍ଷା କରିଅଛନ୍ତି । କିନ୍ତୁ ଏହା ଅତି ସହଜରେ ଦିନକରେ ସମ୍ପାଦିତ ହୋଇ ନାହିଁ । ବହୁ ଆୟାସରେ ଧୀର ମନ୍ଥର ଗତିରେ ସମ୍ପନ୍ନ ହୋଇଅଛି । ସ୍କଟଲାଣ୍ଡର ସାହିତ୍ୟ ଦର୍ଶନ, ବିଜ୍ଞାନ, ଶିଳ୍ପ, ବାଣିଜ୍ୟ ଭାସ୍କର ବିଦ୍ୟା ଇତ୍ୟାଦି ପ୍ରତ୍ୟେକର ମୂଳରେ ନକ୍‌ସଙ୍କର ପ୍ରଭାବ ଓ ଧର୍ମସଂସ୍କାର ସନ୍ନିହିତ । ନକ୍‌ସ ଓ ଧର୍ମ୍ମସଂସ୍କାର ବ୍ୟତୀତ ଏ ସମସ୍ତ କେବେହେଁ ସମ୍ଭବ ହୁଅନ୍ତା ନାହିଁ । ଏ ସମସ୍ତ ବ୍ୟତୀତ ସ୍କଟଲାଣ୍ଡ କଣ ? କେବଳ ସ୍କଟଲାଣ୍ଡର କଥା କାହିଁକି, ଏହି ଧର୍ମ ଇଂଲଣ୍ଡରେ ମଧ୍ୟ ବିଶେଷ ପ୍ରଭାବ ବିସ୍ତାର କରିଅଛି-। ଅର୍ଦ୍ଧଶତାବ୍ଦୀବ୍ୟାପୀ ରକ୍ତଶୂନ୍ୟ ଆନ୍ଦୋଳନ ଫଳରେ କେତେ ନୁତନ ବସ୍ତୁ ଉଦ୍ଭୁତ ହୋଇଅଛି । ଏମାନଙ୍କ ପରି କେତେ ମହାପୁରୁଷ ମହାପ୍ରାଣ ରୁଷ ସୈନିକବତ୍‌ ପରିଖାରେ ଶୋଇପଡ଼ି ପରିଖା ପୂର୍ଣ୍ଣ କରିଥିଲେ ବୋଲି ସିନା ଅନ୍ୟାନ୍ୟମାନେ ସେମାନଙ୍କ ମୃତ ଶରୀର ଉପରେ ଯୁଦ୍ଧଯାତ୍ର କରି ବିଜୟପତାକା ଉଡ଼ାଇ ପାରୁଅଛନ୍ତି । ନକ୍‌ସ କ୍ରମଉଏଲ ପ୍ରଭୁତି କେତେ ନିର୍ଯାତନା, ଅତ୍ୟାଚାର, ଅବିଚାର, ଅପମାନ, ଅପବାଦ ଓ ଲାଞ୍ଚନା ନୀରବରେ ସହ୍ୟ କରି ଲୋକହିତ ନିମିତ୍ତ ପ୍ରାଣ ନିଯୋଜିତ କରିଥିଲେ ବୋଲି ସିନା ୧୬୮୮ ଖ୍ରୀଷ୍ଟାବ୍ଦର ରକ୍ତଶୂନ୍ୟ ବିପ୍ଳବର ସୁଫଳ ଲୋକେ ଆଜି ଭୋଗ କରୁଅଛନ୍ତି । ପ୍ରାୟ ୩୦୦ ବର୍ଷ ପରର ସେହି ସ୍କଟ୍‌ ମହାପ୍ରାଣଙ୍କୁ ଆଜି ଦୋଷୀ ବୋଲି କହିବା କେବଳ ଧୃଷ୍ଟତା ମାତ୍ର, ଅତି ହେୟ କଥା । ତାଙ୍କ ଦୋଷ ମଧ୍ୟରେ ସେ ତଦାନୀନ୍ତନ ସ୍କଟଲାଣ୍ଡ ଦେଶବାସିଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବିକ୍ରମଶାଳୀ ପୁରୁଷ । ସେ ଯଦି ସାଧାରଣ ଲୋକ ପରି କପଟ ଆଚରଣ କରିଥାନ୍ତେ, ତେବେ ତାଙ୍କୁ କୌଣସି ଦୋଷରେ ଦୋଷୀ ହେବାକୁ ପଡ଼ି ନ ଥାନ୍ତା, କି ନିର୍ଯ୍ୟାତନା ସହ୍ୟ କରିବାକୁ ହୋଇ ନ ଥାନ୍ତା; କିନ୍ତୁ ଅନ୍ୟଦିଗରେ ଦେଖିବାକୁ ଗଲେ ସେ ଅଜ୍ଞାତ ଅନ୍ଧକାରର କୋଣଦେଶରେ ଅପ୍ରକାଶ ହୋଇ ରହିଥାନ୍ତେ ଏବଂ ଦେଶର ମୁକ୍ତିଲାଭ ସମ୍ଭବପର ହୋଇ ନ ଥାନ୍ତା । କିନ୍ତୁ ବର୍ତ୍ତମାନ ସମଗ୍ର ଦେଶ ତାଙ୍କ ନିକଟରେ ଋଣୀ । ଫରାସୀ କ୍ରୀତଦାସଙ୍କ ମଧ୍ୟରେ ତାଙ୍କୁ ନିର୍ଯ୍ୟାତନା ଭୋଗ କରିବାକୁ ହୋଇଅଛି । ନିର୍ବାସିତ ହୋଇ ଝଡ଼ତୋଫାନ ମଧ୍ୟରେ ଏକାକୀ ଭ୍ରମଣ କରିବାକୁ ହୋଇଅଛି । କେତେ ନିନ୍ଦାବାଦ ସହିବାକୁ ହୋଇଅଛି । ତାଙ୍କ ପ୍ରାଣବିନାଶ ନିମିତ୍ତ କେତେ ଷଡ଼ଯନ୍ତ୍ର ହୋଇଅଛି-। କିନ୍ତୁ ଧନ୍ୟ ସସାର ! ଏ ସଂସାର ତିଳେ ହେଲେ ତାଙ୍କର କଷ୍ଟ ଅପନୋଦନ କରିଥାନ୍ତା ! ସେ ମଧ୍ୟ ତାହା ଆଶା କରି ନାହାନ୍ତି । ଆଶା କରିବା ବିଡ଼ମ୍ୱନା ମାତ୍ର । ସେ ବର୍ତ୍ତମାନ ଲୋକମାନଙ୍କର ସ୍ତୁତିବାଦ ବା ନିନ୍ଦାବାଦ ଶ୍ରବଣ କରିବା ନିମିତ୍ତ ସେହି ଦିବ୍ୟଧାମରୁ ଆସୁ ନାହାନ୍ତି ସତ୍ୟ, ତେବେ ସୁଦ୍ଧା ତାଙ୍କର ବିଷୟ ସମ୍ୟକ୍‌ ଆଲୋଚନା କରି, ତାଙ୍କର ବିଷୟ ସମ୍ୟକ୍‍ ଆଲୋଚନା କରି, ତାଙ୍କର ମହତ୍ତ୍ୱ ଯଥାଯଥ ଉପଲବ୍‍ଧି କରି, ତାଙ୍କର ଅନୁଷ୍ଠିତ କାର୍ଯ୍ୟର ସତ୍‌ଫଳ ଭୋଗକରି, ମନୁଷ୍ୟ ସମାଜରେ ତାଙ୍କର ଯଥାର୍ଥ ସ୍ଥାନ ନିର୍ଦ୍ଦେଶ କରିବା, ଜଗତ୍‌ ସମକ୍ଷରେ ତାଙ୍କୁ ଯଥାର୍ଥ ରୂପେ ଉପସ୍ଥାପିତ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ ନୁହେଁ କି ?

 

ଏଠାରେ ଗୋଟିଏ କଥା ଉଲ୍ଲେଖ କଲେ ଆଦୌ ଅପ୍ରାସଙ୍ଗିକ ହେବନାହିଁ । ଧର୍ମୋପଦେଷ୍ଟାର କାର୍ଯ୍ୟ ସେ ଆପେ ଆପେ ଅନ୍ୱେଷଣ କରି ନ ଥିଲେ । ପ୍ରସିଦ୍ଧି ଲାଭ କରିବା ପୂର୍ବରୁ ପ୍ରାୟ ଚାଳିଶ ବର୍ଷ ନୀରବରେ ଲୋକଲୋଚନ ଅଗୋଚରରେ ଅତିବାହିତ କରିଥିଲେ । ଦରିଦ୍ର ସନ୍ତାନ ହୋଇ ମଧ୍ୟ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭକରି ଧର୍ମ୍ମସଂସ୍କାରର ନୂତନ ଆଲୋକରେ ଜୀବନ ପୋତ ଚଳାଇବାକୁ ଇଚ୍ଛା କରିଥିଲେ । କାହାରି ସଙ୍ଗେ ଗଣ୍ଡଗୋଳ କରିବାରେ ତାଙ୍କର ଆଦୌ ଇଚ୍ଛା ନ ଥିଲା । ସେ ଅନେକ ସମ୍ଭ୍ରାନ୍ତ ପରିବାରରେ ଶିକ୍ଷକ ରୂପେ କାର୍ଯ୍ୟ କରିଅଛନ୍ତି । କେହି ତାଙ୍କ-ଠାରୁ ଧର୍ମ୍ମତତ୍ତ୍ୱ ଶ୍ରବଣ କରିବାକୁ ଆଗ୍ରହ ପ୍ରକାଶ ନ କଲେ ସେ କାହାରିକି ସେ ବିଷୟ କହୁ ନ ଥିଲେ । କେବଳ ସତ୍ୟ ପଥରେ ଜୀବନଚାଳନ କରିବା ତାଙ୍କର ପ୍ରାଣର ଏକମାତ୍ର ଆକାଙ୍‌କ୍ଷା ଥିଲା । ଏତଦ୍‌ବ୍ୟତୀତ ଅନ୍ୟ କୌଣସି ଉଚ୍ଚାଭିଳାଷ ତାଙ୍କର ନଥିଲା-। ଏହିପରି ଅଜ୍ଞାତ ଭାବରେ ଚତ୍ୱାରିଂଶତ୍‌ ବର୍ଷ ଅତିବାହିତ କରିବା ପରେ ଯେତେବେଳେ ସେ ସେଣ୍ଟ୍‌ଆଣ୍ଡ୍ରୁକ (St, Andrews) ଦୁର୍ଗରେ ଅବରୁଦ୍ଧ ଥିଲେ, ସେତେବେଳେ ଦିନେ ତାଙ୍କର ପ୍ରଧାନ ଧର୍ମ୍ମଯାଜକ ଧର୍ମ୍ମ ଯୋଦ୍ଧାମାନଙ୍କୁ ଉଦ୍‌ବୋଧନ କରିବା ପରେ ହଠାତ୍‍ କହି ପକାଇଥିଲେ, ‘‘ତୁମ୍ଭମାନଙ୍କ ମଧ୍ୟରେ ନକ୍‌ସଙ୍କର ଧର୍ମ୍ମପ୍ରାତୋ ଯଥେଷ୍ଟ ଅଛି, ସେ ଧର୍ମ୍ମଯାଜକ ହେବାର ଉପଯୁକ୍ତ ପାତ୍ର । ବର୍ତ୍ତମାନ ବକ୍ତୃତା ଦେବା ଅର୍ଥାତ୍‌ ବୀରବାଣୀ ପ୍ରଚାର କରିବା ତାଙ୍କର କର୍ତ୍ତବ୍ୟ ।’’ ତହୁ ସମସ୍ତେ ତାଙ୍କୁ ବକ୍ତୃତା ଦେବାପାଇଁ ଉତ୍ପୀଡ଼ନ କରନ୍ତେ ସେ ଶ୍ରୋତୃବୃନ୍ଦଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ; କିନ୍ତୁ ଭାବର ଆତିଶଯ୍ୟ ହେତୁ ତାଙ୍କୁ ତାଙ୍କ ମୁଖରୁ ବାକ୍ୟ ସ୍ଫୁରିଲା ନାହିଁ । ତାଙ୍କ ନେତ୍ରରୁ ପ୍ରେମାଶ୍ରୁ ବିଗଳିତ ହେଲା । ସେ ବର୍ହିଦେଶକୁ ପଳାୟନ କଲେ । ଏହି ଦୃଶ୍ୟ ଅତୀବ ହୃଦୟସ୍ପର୍ଶୀ, ତହୁଁ ସ୍ମରଣୀୟ । ଏଡ଼େବଡ଼ ଗୁରୁତର କାର୍ଯ୍ୟ ନିମିତ୍ତ ତାଙ୍କର ଶକ୍ତିର ଅଳ୍ପତା ସେ ହୃଦୟଙ୍ଗମ କରିପାରି ଲୋତକ ବିସର୍ଜ୍ଜନ କରିଥିଲେ ।

 

ବୀର ପୁରୁଷଙ୍କର ଲକ୍ଷଣାଦି ଯେ ତାଙ୍କଠାରେ ପୂର୍ଣ୍ଣମାତ୍ରାରେ ଥିଲା, ସେଥିରେ ଦ୍ୱିରୁକ୍ତି ହୋଇ ନ ପାରେ । ସତ୍ୟକୁ ଗାଢ଼ ଆଲିଙ୍ଗନ କରି ତାହାକୁ ଦୃଢ଼ ଭାବରେ ଧରି ରଖିବା ତାଙ୍କର ସହଜାତ ପ୍ରକୃତି । ସତ୍ୟ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ତାଙ୍କୁ ମାୟା ମରୀଚିକା ରୂପେ ବୋଧ ହେଉଥିଲା । ଧର୍ମ୍ମର ଗତି ଯେତେ କ୍ଷୀଣ ଓ ସୂକ୍ଷ୍ମ ହେଉ ନା କାହିଁକି ସେ ସତ୍ୟମଞ୍ଚ ଉପରେ ଦଣ୍ଡାୟମାନ ହେବେ । ସେହି ସେଣ୍ଟ୍‍ଆଣ୍ଟ୍ରୁଜ ଦୁର୍ଗ ଜୟ ପରେ ସେ କ୍ରୀତଦାସ ରୂପେ ଧୃତ ହୋଇ ଯାଇଥିଲେ । ଦିନେ ଜଣେ କର୍ମଚାରୀ ତାଙ୍କ ସମ୍ମୁଖରେ ଖଣ୍ଡେ କାଷ୍ଠ ନିର୍ମିତ ଯିଶୁ-ଜନନୀଙ୍କ ଚିତ୍ର ଉପସ୍ଥାପିତ କରି ତାଙ୍କର ପୂଜା କରିବାକୁ ଆଦେଶ ଦେଲେ । ତେଣୁ ନକ୍‍ସ କହିଲେ ଏହା କଣ କେବେ ପ୍ରଭୁଜନନୀ ହୋଇପାରେ ? ଏ ଖଣ୍ଡେ କାଷ୍ଠମାତ୍ର । ଏହା କହି ସେ ଅଦୁର ପ୍ରବାହିତା ନଦୀ ଗର୍ଭକୁ ତାହା ନିକ୍ଷେପ କଲେ । ବନ୍ଦୀଭାବରେ ଏହିପରି ନିର୍ଯ୍ୟାତନା ଭୋଗ କରୁଥିବା କାଳରେ ସେ ତାଙ୍କର ସହବନ୍ଦୀମାନଙ୍କୁ ସାହସ ଅବଲମ୍ୱନ କରିବାକୁ, ଧୈର୍ଯ୍ୟ ଧରିବାକୁ ଉପଦେଶ ଦେଇଥିଲେ । ତାହାର କାରଣ, ସତ୍ୟ ହେତୁରୁ ତାଙ୍କର ଭୟ ନ ଥିଲା ତାଙ୍କର ବିଶ୍ୱାସ-ସତ୍ୟ ଯେବେ ଭଗବାନଙ୍କ ସର୍ଜନା ହୁଏ, ତେବେ ତାହାର କଦାପି କ୍ଷୟ କିମ୍ୱା ବିନାଶ ନାହିଁ । କଜମଗ୍ନ ପୋତାରୋହୀ ଯେପରି କାଷ୍ଠ ଖଣ୍ଡକୁ ସୁଦ୍ଧା ପ୍ରାଣ ବଞ୍ଚାଇବାର ଅବଲମ୍ୱନ ବୋଲି ଦୃଢ଼ଭାବରେ ଧରି ରଖେ, ନକ୍‌ସ ତଦ୍ରୁପ ଦୃଢ଼ ଭାବରେ ସତ୍ୟକୁ ଧରି ରଖିଥିଲେ । ଲୁଥରଙ୍କ ସହିତ ତୁଳନାରେ ନକସ୍‌ଙ୍କର ଧୀଶକ୍ତି, ପ୍ରଜ୍ଞା କମ ହୋଇପାରେ; କିନ୍ତୁ ସରଳତାରେ କମ ହେବନାହିଁ । ଅନ୍ତତଃ ତାଙ୍କର ସମକକ୍ଷ ନୁହନ୍ତି, ବୋଲି କେହି କହିପାରିବେ ନାହିଁ । ସେ ପ୍ରାଚୀନତମ ହିବ୍ରୁ ଉପଦେଷ୍ଟାଙ୍କ ସଙ୍ଗେ ତୁଳନୀୟ ସିନା । ସେହି ପୁରାତନ ହିବ୍ରୁ ମହାପୁରୁଷ ପୁଣି ଷୋଡ଼ଶ ଶତାବ୍ଦୀରେ ନକ୍‌ସରୂପେ ଅବତୀର୍ଣ୍ଣ ହୋଇଅଛନ୍ତି ।

 

ସ୍କଟଲାଣ୍ଡ ରାଜ୍ଞୀ ମେରୀଙ୍କ ସହିତ ତାଙ୍କର ବ୍ୟବହାର ଅନେକେ ଅନୁମୋଦନ କରନ୍ତି ନାହିଁ । ରାଜ୍ଞୀଙ୍କ ସହିତ ଟିକିଏ ତୀବ୍ରସ୍ୱରରେ କଥୋପକଥନ, ତାଙ୍କ ଉପରେ ନିନ୍ଦାବାଦ ବର୍ଷଣ, ଅନେକଙ୍କ ମତରେ ଅଭଦ୍ରୋଚିତ ଓ ବର୍ବ୍ବରତା; କିନ୍ତୁ ସମ୍ୟକ୍‌ ଆଲୋଚନା କରି ଦେଖିଲେ ଜଣାଯାଏ, ତାହା ନମ୍ରଭାବାପନ୍ନ ନ ହୋଇପାରେ, କିନ୍ତୁ ବର୍ବ୍ବରତା ନୁହେ । ଅବସ୍ଥା ଗୁଣରେ ସେ ବ୍ୟବସ୍ଥା କରିଥିଲେ । ଯେପରି ଅବସ୍ଥାରେ ସେ ପଡ଼ିଥିଲେ, ତତ୍‌ ଦୃଷ୍ଟିରେ ସେ ସମୀଚୀନ କାର୍ଯ୍ୟ କରିଅଛନ୍ତି । ସେଠାରେ ସେ ରାଜ ପାରିଷଦ କିମ୍ୱା ରାଜାନୁଗ୍ରହାକାଙ୍କ୍ଷୀରୁପେ ନଥିଲେ । ସେ ସ୍କଟ୍‌ଲାଣ୍ଡର ଧର୍ମ୍ମ, ସ୍କଟଲାଣ୍ଡର ମାନସମ୍ଭ୍ରମ ରକ୍ଷା କରିବାକୁ ଯାଇ କେତେକ କଟୂକ୍ତି ବର୍ଷଣ କରିବାକୁ ବାଧ୍ୟ ହୋଇଥିଲେ । ଗଜ୍ଞୀଙ୍କ ସହିତ ଭଦ୍ରୋଚିତ ବ୍ୟବହାର କରିବାକୁ ଯାଇଥିଲେ, ତାଙ୍କୁ ଦେଶଦ୍ରୋହୀ, ଧର୍ମ୍ମଦ୍ରୋହୀ ହେବାକୁ ପଡ଼ିଥାନ୍ତା । ଦେଶର ମୁଖ୍ୟବ୍ୟକ୍ତିମାନେ ତାଙ୍କ କର୍ତ୍ତବ୍ୟ କାର୍ଯ୍ୟରେ ଅବହେଳା କରି କର୍ତ୍ତବ୍ୟଚ୍ୟୁତ ହେବାରୁ ନକ୍‌ସଙ୍କ ବିରୁଦ୍ଧ ପକ୍ଷ ସମର୍ଥନ କରିବାରେ ଦଣ୍ଡାୟମାନ ହେଲେ । ରାଜ୍ଞୀଙ୍କ ମନୋରଞ୍ଜନ କରିବାକୁ ଯାଇଥିଲେ ସେ ଦେଶର ଅମଙ୍ଗଳ କରିଥାନ୍ତେ । ରାଜ୍ଞୀ ମଧ୍ୟ ତାଙ୍କ ସହିତ ଅସଦ୍‌ବ୍ୟବହାର କରିବାକୁ ଛାଡ଼ି ନ ଥିଲେ ।

 

ଅସହିଷ୍ଣୁତା ଦୋଷରେ ମଧ୍ୟ ସେ ଅଭିଯୁକ୍ତ । ମନୁଷ୍ୟର ଯେତେଦୂର ସମ୍ଭବ-ସହ୍ୟ-ଶକ୍ତି ଥିବା ଉଚିତ, କିନ୍ତୁ ତା’ ବୋଲି ଅନ୍ୟାୟ ଅତ୍ୟାଚାର କିଏ ସହ୍ୟ କରିବ ? ନକ୍‌ସଙ୍କ ଦୋଷମଧ୍ୟରେ ସେ ଅନ୍ୟାୟ ଅତ୍ୟାଚାର ଆଦୌ ସହ୍ୟ କିମ୍ୱା ଅନୁମୋଦନ କରିପାରୁ ନଥିଲେ । ତାର ମୂଳରେ କାର୍ଯ୍ୟ କରୁଥିଲା ତାଙ୍କ ସ୍ୱାତନ୍ତ୍ର୍ୟପ୍ରିୟତା ଓ ବିବେକାନୁବର୍ତ୍ତିତା । ତାଙ୍କର ବ୍ୟବହାର ଓ ସ୍ୱଭାବ କେବେହେଁ ଅପ୍ରୀତିକର ନ ଥିଲା । ତାଙ୍କର ଅନନ୍ତ ସଦ୍‌ଗୁଣଭଣ୍ଡାର ବଳରେ ସେ ଜଣେ ସ୍କଟଲାଣ୍ଡର ସାମାନ୍ୟ ଦରିଦ୍ର ପ୍ରଜାରୂପେ ଜୀବନ ଆରମ୍ଭ କରି ପରିଶେଷରେ ସ୍କଟ୍‌ଲାଣ୍ଡର ଅନଭିଷିକ୍ତ ରାଜା ଓ ଜଗତ୍‌ବରେଣ୍ୟ ହୋଇଥିଲେ । ଧର୍ମ୍ମମନ୍ଦିରର ସର୍ବବିଧ ସଂସ୍କାର କରି ତନ୍ମଧ୍ୟରୁ ଭଣ୍ଡତା, କୁସଂସ୍କାର ଇତ୍ୟାଦିର ମୂଳୋତ୍ପାଟନ କରିଥିଲେ । ସେ ବିଶୃଙ୍ଖଳାର ଶତ୍ରୁ ରୂପେ ଜାତ ହୋଇଥିଲେ ।

 

ତାଙ୍କଠାରେ ପ୍ରଚୁର ହାସ୍ୟ କୌତୁକତା ଥିଲା । ତାଙ୍କର ଗାମ୍ଭୀର୍ଯ୍ୟ ସହିତ ହାସ୍ୟର ଅପୂର୍ବ ସମାବେଶ ଦେଖି ଚକିତ ହେବାକୁ ହୁଏ । ହାସ୍ୟୋବ୍ଦୀପକ ବସ୍ତୁ ପ୍ରତି ତାଙ୍କର ଦୃଷ୍ଟି ଖୁବ୍‌ ତୀକ୍ଷ୍‍ଣ ଥିଲା । କି ଉଚ୍ଚ, କି ନୀଚ, କି ଧନୀ, କି ଦରିଦ୍ର ସେ ସମସ୍ତଙ୍କର ବନ୍ଧୁ ଥିଲେ । ନକ୍‌ସଙ୍କୁ ଯେଉଁମାନେ ବିଷନ୍ନ, କ୍ଷଣକ୍ଷିପ୍ତ ଓ ଧର୍ମୋନ୍ମତ୍ତ ବୋଲି କହନ୍ତି; ସାମାନେ ତାଙ୍କୁ ଠିକ ଚିହ୍ନିପାରି ନାହାନ୍ତି । ସେ ଅଦମ୍ୟ କର୍ମ୍ମୀ, ଉତ୍ସାହୀ, ଆଶାପୂର୍ଣ୍ଣ ଧୈର୍ଯ୍ୟଶୀଳ, ଚତୁର ଏବଂ ବିଚାର ଶକ୍ତି-ସମ୍ପନ୍ନ ଥିଲେ । ତାଙ୍କର ଗଭୀର ନୀରବତା ମଧ୍ୟରେ ଅନ୍ତର୍ଦୃଷ୍ଟ ମଧ୍ୟ ବିଶେଷ ଭାବରେ ଥିଲା ।

 

ତାଙ୍କୁ ଅତିଶୟ କଣ୍ଟକମୟ ଦୁର୍ଗମ ପଥରେ ଚାଲିବାକୁ ହୋଇଥିଲା । ପୋପ ଓ ରାଜାଙ୍କ ବିରୁଦ୍ଧରେ ମଧ୍ୟ ଅତୀବ ଭୀଷଣ ସଂଗ୍ରାମ କରିବାକୁ ପଡ଼ିଥିଲା; କିନ୍ତୁ ତାଙ୍କ ଜୀବନବ୍ୟାପୀ ସଂଗ୍ରାମରେ ସେ ଜୟଲାଭ କରି ଅଛନ୍ତି । ଜୀବନର ଶେଷ ମୁହୂର୍ତ୍ତରେ ସେହି ସମରକ୍ଲିଷ୍ଟ ବୀର ଉର୍ଦ୍ଧ୍ୱକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଚିରକାଳପାଇଁ ଚକ୍ଷୁ ମୁଦ୍ରିତ କଲେ । ଧନ୍ୟ ତାଙ୍କର ଜୀବନ ! ଧନ୍ୟ ତାଙ୍କର ବିଶ୍ୱାସ ! କୁଳଂ ପବିତ୍ରଂ ଜନନୀ କୃତାଥା’ । ତାଙ୍କର ଆତ୍ମା ଚିରକାଳ ଶାନ୍ତିରେ ରହୁ । ତାଙ୍କର ସ୍ଥୂଳ ଶରୀର ବିନଷ୍ଟ ହୋଇଅଛି ସତ୍ୟ, କିନ୍ତୁ ତାଙ୍କର ଆତ୍ମା ଚିରକାଳ କାର୍ଯ୍ୟ କରୁଥିବ । ତାଙ୍କର ଅଶରୀରୀ ବାଣୀ ଆମ୍ଭେମାନେ ଚିରକାଳ ଶୁଣିବାକୁ ପାଉଥିବୁଁ ।

 

ସ୍କଟ୍‌ଲାଣ୍ଡର ଶାସନକୁ ଦେବତନ୍ତ୍ରରେ ପରିଶତ କରିବାର ପ୍ରୟାସ ମଧ୍ୟ ଅନେକଙ୍କ ମତରେ ଦୋଷାବହ । ଦେବତନ୍ତ୍ର ପ୍ରତିଷ୍ଠା ନିମନ୍ତେ ସେ ପ୍ରାଣପଣେ ଚେଷ୍ଟା କରିଅଛନ୍ତି । ଯୀଶୁଙ୍କ ବାଣୀ କାର୍ଯ୍ୟରେ ପରିଣତ କରିବାର ଆକାଙ୍‌କ୍ଷା ତାଙ୍କର ଥିଲା ଧନଲୋଲୁପ ସାମନ୍ତରାଜାମାନେ ଦେବୋତ୍ତର ସମ୍ପତ୍ତି ଉପଭୋଗ କରୁଥିବାର ଦେଖି ସେ ହୃଦୟରେ ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କରୁଥିଲେ । ଦେବୋତ୍ତର ସମ୍ପତ୍ତ ଶିକ୍ଷାବିସ୍ତାରକଳ୍ପେ ବିଦ୍ୟାଳୟ ସ୍ଥାପନ, ଦରିଦ୍ରନାରାୟଣ ସେବା ଏବଂ ଅନ୍ୟାନ୍ୟ ଲୋକହିତକର କାର୍ଯ୍ୟରେ ବ୍ୟୟିତ ହେବା ପ୍ରୟୋଜନ, ଏହା ତାଙ୍କର ଜୀବନବ୍ୟାପୀ ଉଦ୍ୟମ । ଦେବତନ୍ତ୍ର ପ୍ରକୃତରେ ସମସ୍ତଙ୍କର ଅଭୀଷ୍ଟ ବିଷୟ, ସେଥିନିମିତ୍ତ ସେ ପ୍ରଗାଢ଼ ଯତ୍ନ ଓ ଚେଷ୍ଟା କରିଅଛନ୍ତି । ନ୍ୟାୟ ଓ ସତ୍ୟ ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟ କଳାପରେ ରାଜତ୍ୱ କରିବ, ଏହାହିଁ ପ୍ରତ୍ୟେକ ଧର୍ମ୍ମାପଦେଷ୍ଟା, ଧର୍ମ୍ମସଂସ୍କାରକ, ଧର୍ମ୍ମ ଯାଜକ ଓ ପ୍ରତ୍ୟେକ ମହାପ୍ରାଣଙ୍କର ଅଭିଳାଷ ନୁହେଁ କି ?

 

ବାସ୍ତବିକ ପ୍ରତ୍ୟେକ ସତ୍‌ଧର୍ମ୍ମ-ସଂସ୍କାରକ ସ୍ୱଭାବତଃ ଧର୍ମ୍ମଯାଜକ ଦେବତନ୍ତ୍ର ସ୍ଥାପନା ନିମନ୍ତେ ଚେଷ୍ଟିତ । ଯେଉଁମାନେ ପ୍ରକୃତରେ ଦେବତନ୍ତ୍ର-ପ୍ରତିଷ୍ଠା ନିମିତ୍ତ ପ୍ରାଣ ଉତ୍ସର୍ଗ କରିଛନ୍ତି, ସେହିମାନେ ଧନ୍ୟ ! ତାଙ୍କରି ଯୋଗୁଁ ସିନା ଭୂତଳରେ ସ୍ୱର୍ଗର ଦିବ୍ୟାନୁଭୂତି ଆମ୍ଭେମାନେ ଲାଭକରି ପାରୁଁ । ଧନ୍ୟ ତାଙ୍କର ପ୍ରାଣ ! ଧନ୍ୟ ତାଙ୍କର ସାଧ ଉଦ୍ଦେଶ୍ୟ ! ଧନ୍ୟ ତାଙ୍କର ସାଧୁ ପ୍ରଚେଷ୍ଟା ।

Image

 

Unknown

ପଞ୍ଚମ ପ୍ରସଙ୍ଗ

ସାହିତ୍ୟିକ ବୀର

(ଜନ୍‌ସନ୍‌, ରୁଷୋ, ବର୍ଣ୍ଣସ୍‌)

 

ଦେବାନୁଭାବ, ଧର୍ମ୍ମୋପଦେଷ୍ଟା, ଧର୍ମ୍ମଯାଜକ ଓ କବି-ବୀର ପୁରାକାଳୀନ ବୀରତ୍ୱର ନିଦର୍ଶନ, ସେମାନେ ବହୁ ପୁରାକାଳରେ ଆର୍ବିଭୂତ ହୋଇ ସ୍ୱମହତ୍ତ୍ୱ ପ୍ରଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କର ଆର୍ବିଭାବ ଅସମ୍ଭବ ହୋଇ ପଡ଼ିଲାଣି ! କିନ୍ତୁ ବର୍ତ୍ତମାନ ଯେଉଁ ସାହିତ୍ୟିକ ବୀରଙ୍କ କଥା ଆଲୋଚିତ ହେବ ତାହା ସମ୍ପୂର୍ଣ୍ଣ ନୂତନ-ଏହି ନବୀନ ଯୁଗରେ ସେମାନଙ୍କର ଉତ୍ପତ୍ତି । ଯେତେଦିନ ମୁଦ୍ରାଯନ୍ତ୍ର କିମ୍ୱା ଯେତେଦିନ ତାହାର ମହାବିସ୍ମୟକର ପ୍ରଭାବ ବର୍ତ୍ତମାନ ଥିବ, ତେତେଦିନଯାଏ ତାଙ୍କର ବୀରତ୍ୱ, ପ୍ରଭାବ ଯୁଗଯୁଗାନ୍ତର ଧରି ଅକ୍ଷୁର୍ଣ୍ଣ ରହିଥିବ । ଅନେକ କାରଣ ହେତୁ ସେ ଏକ ଅଭିନବ ବ୍ୟାପାର ।

 

ସେ ସମ୍ପୂର୍ଣ୍ଣ ନୂତନ କାରଣ ତାଙ୍କର ଅଭ୍ୟୁଦୟ ପ୍ରାୟ ଏକ ଶତାବ୍ଦୀରୁ ଅଧିକ ହେବ ନାହିଁ-। ଏବମ୍ଭୁତ ମହାପୁରୁଷ, ତାଙ୍କର ହୃଦୟର ଆଭ୍ୟନ୍ତରୀଣ ପ୍ରେରଣା ମୁଦିତ ପୁସ୍ତକରେ ପ୍ରକାଶ କରି ଜନସମାଜରେ ପ୍ରତିଷ୍ଠା ଲାଭ କରନ୍ତି-ସେ ଜୀବତାବସ୍ଥାରେ ବୀଣାପାଣିଙ୍କର ଆରଧନା କରି, ଭାରତୀମନ୍ଦିରର ଏକନିଷ୍ଠ ପୂଜକ ହୋଇ, ସମସ୍ତ ଜୀବନ ଦାରିଦ୍ର୍ୟରେ ଅତିବାହିତ କରି, ମୃତ୍ୟୁପରେ ସେହି ଅଜ୍ଞାତ ଦେଶରେ ‘ଲୋକ ଲୋଚନ ଅଗୋଚରରେ,’ ଅବସ୍ଥାନ କରି ମାନବ ସମାଜକୁ ଶାସନ କରନ୍ତି । ଜୀବିତାବସ୍ଥାରେ ପଥରଭିକାରୀ, ମୃତ୍ୟୁ ପରେ ମାନବ ହୃଦୟରେ ଅସୀମ ପ୍ରଭାବ ବିସ୍ତାର କରି ରାଜାଧିରାଜ, ବାସ୍ତବରେ ଅତି ବିଚିତ୍ର ଘଟଣା !

 

ମନୁଷ୍ୟ-ସମାଜ ଉପଯୁକ୍ତ ଭାବରେ ମହାପୁରୁଷମାନଙ୍କୁ ଚିହ୍ନିପାରି ନାହିଁ । ସେଥିପାଇଁ ସେମାନେ ଅନେକ ବାଧା ବିଘ୍ନ ଅତିକ୍ରମ କରି ତାଙ୍କର ମହତ୍ତ୍ୱ ଅକ୍ଷୁର୍ଣ୍ଣ ରଖି ପାରିଛନ୍ତି । ଏହା ବର୍ତ୍ତମାନ ଆମ୍ଭମାନଙ୍କୁ ବଡ଼ ଆଶ୍ଚର୍ଯ୍ୟଜନକ ବୋଧ ହୁଏ ଯେ, ପୁରାକାଳରେ ମନୁଷ୍ୟ ମହତ୍ତ୍ୱର ସ୍ତୁତିବାଦ କରିବାକୁ ଯାଇ ଓଡ଼ିନଙ୍କୁ ଦେବତା ରୁପେ ଗ୍ରହଣ କରି ତାଙ୍କର ଦେବୋଚିତ ଅର୍ଚ୍ଚନା କରୁଅଛି; ମହମ୍ମଦଙ୍କୁ ଦେବାଭାବାନୁପ୍ରାଣିତ ବୋଲି ବିଶ୍ୱାସ କରି ପ୍ରାୟ ଦ୍ୱାଦଶ ଶତାବ୍ଦୀ ହେଲା ତାଙ୍କର ପ୍ରଚାରିତ-ଧର୍ମ୍ମ ପ୍ରତିପାଳନ କରି ଆସୁଅଛି; କିନ୍ତୁ ଅସୀମ ଜ୍ଞାନସମ୍ପନ୍ନ ପଣ୍ଡିତ ପ୍ରବର ଜନ୍‌ସନ୍‌, ଜଣେ ବର୍ଣ୍ଣସ୍‌ କିମ୍ୱା ଜଣେ ରୁଷୋଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ନାହିଁ । ଏହି ଘଟଣା କିଛିଦିନ ପରେ ଅତିଶୟ ଆଶ୍ଚର୍ଯ୍ୟଜନକ ବୋଧ ହେବ । ଏହି ସାହିତ୍ୟିକ ବୀର ବର୍ତ୍ତମାନ ଯୁଗର ସର୍ବଶ୍ରେଷ୍ଠ ବ୍ୟକ୍ତି ବୋଲି ପରିଗଣିତ ହେବେ । ସେ ଯେଉଁ ଶିକ୍ଷା ପ୍ରଦାନ କରିଅଛନ୍ତି, ତାହା ସମଗ୍ର ବିଶ୍ୱ ପ୍ରତିପାଳନ କରି କାର୍ଯ୍ୟକାରୀ ହେବ । ସେମାନଙ୍କ ଜୀବନୀ ବିଶେଷ ଭାବରେ ପର୍ଯ୍ୟାଲୋଚନା କଲେ, ସେ ଯୁଗର ପ୍ରାଣ ଆମ୍ଭମାନେ ଉପଲବ୍‌ଧି କରିବାକୁ ସମର୍ଥ ହେବୁଁ ।

 

ଯେପରି ପ୍ରତ୍ୟେକ ବସ୍ତୁରେ ଭଲ ମନ୍ଦ ଉଭୟ ଅଛି, ସେହିପରି ସାହିତ୍ୟିକଙ୍କ ମଧ୍ୟରେ ମଧ୍ୟ ଅକୃତ୍ରିମ ଓ କୃତ୍ରିମ ଉଭୟ ପ୍ରକାର ଦୃଷ୍ଟିଗୋଚର ହୁଅନ୍ତି । ବାସ୍ତବରେ ଅକୃତ୍ରିମ ସାହିତ୍ୟିକମାନେ ଯେଉଁ ମହତ୍‌କାର୍ଯ୍ୟ ମାନବ ଜାତି ନିମିତ୍ତ ସମ୍ପାଦନ କରନ୍ତି, ତାହା ଅତି ଉକୃଷ୍ଟ, ଅତିଉଚ୍ଚ ଏବଂ ଅତିଉଦାର ।

 

ଯେ ଆଭ୍ୟନ୍ତରୀଣ ସତ୍ୟମଧ୍ୟରେ ନିଜକୁ ନିୟତ ନିମଜ୍ଜିତ ରଖି ପାରନ୍ତି, ସେହି ଏକା ପ୍ରକୃତ ବୀର । ଯାହା ସତ୍ୟ ଶାଶ୍ୱତ, ଯାହା ଆବହମାନକାଳରୁ ଅବସ୍ଥିତ, କିନ୍ତୁ ଅଧିକାଂଶ ଲୋକଙ୍କ ଦ୍ୱାରା ଅଜ୍ଞାତ, ସେ ତାହା କାର୍ଯ୍ୟରେ ହେଉ ବା ବାକ୍ୟରେ ହେଉ ବହିର୍ଜଗତ ପ୍ରକାଶ କରନ୍ତି । ତାଙ୍କର ଜୀବନ ଚିରବର୍ତ୍ତମାନ ପ୍ରକୃତିର ଏକାଂଶ ମାତ୍ର । ପ୍ରତ୍ୟେକ ମନୁଷ୍ୟର ପ୍ରାଣ ତାହାହିଁ- କିନ୍ତୁ ଦୁର୍ବଳ ତାହା ହୃଦୟଙ୍ଗମ କରିବା ଦୂରେ ଥାଉ, କଳ୍ପନା ମଧ୍ୟ କରିପାରେ ନାହିଁ -ମାତ୍ର କେତେ ଜଣ ଶକ୍ତିଶାଳୀ ବୀରଙ୍କ ପ୍ରାଣ ମହତ୍ ଓ ବୀରୋଚିତ । କାରଣ ସେମାନେ ତୀକ୍ଷ୍ନଦୃଷ୍ଟି ସମ୍ପନ୍ନ ।

 

ସ୍ୱନାମଧନ୍ୟ ଜାର୍ମ୍ମାନ ଦାର୍ଶନିକ ଫିକ୍ଟେ (Fichte) ଙ୍କର ଏ ବିଷୟରେ ‘ସାହିତ୍ୟିକଙ୍କ ସ୍ୱରୁପ’ ବୋଲି ଗୋଟିଏ ଖୁବ୍‌ ଚିନ୍ତାଶୀଳ ବକ୍ତୃତା ଅଛି । ସେଥିରେ ସେ ବେଶ୍‌ ପ୍ରାଞ୍ଜଳ ଭାବରେ ଦେଖାଇଛନ୍ତି, ଯେ ପାର୍ଥିବ ଜଗତର ପ୍ରତ୍ୟେକ ପରିଦୃଶ୍ୟମାନ ବସ୍ତୁ କେବଳ ମାୟା କୁହେଳିକା ବତ୍‌, ସେ ସମସ୍ତର ଅନ୍ତରାଳରେ ପ୍ରକୃତ ଜଗତ୍‌ ବର୍ତ୍ତମାନ, ତାହାହିଁ ପ୍ରକୃତ ସାର ଏବଂ ସୁନ୍ଦର । ସେ ତାଙ୍କର ଉକ୍ତ ବକ୍ତୃତାରେ ସଂସାର ବିଷୟକ ଯେଉଁ ଐଶୀ କଳ୍ପନା ପ୍ରତିପାଦନ କରିଅଛନ୍ତି, ତାହା ବାସ୍ତବିକ ଅତି ମହାନ୍‌ ଏବଂ ତାହା ପାଠକ ପ୍ରାଣରେ ଅସୀମ ଉତ୍ସାହ ଓ ପୁଲକ ସୃଷ୍ଟି କରେ । ସାଧାରଣ ଲୋକେ ବାହ୍ୟାଡ଼ମ୍ୱର ଓ ଚାକଚକ୍ୟରେ ମୋହିତ ହୁଅନ୍ତି । ସେମାନଙ୍କର ଅଭ୍ୟନ୍ତରକୁ ପ୍ରବେଶ କରିବାର ଶକ୍ତି ନ ଥାଏ, କିନ୍ତୁ ସାହିତ୍ୟିକ ଅଭ୍ୟନ୍ତର ଦର୍ଶନକ୍ଷମ ଏବଂ ସେ ତାଙ୍କର ହୃଦୟର ଉପଲବ୍‌ଧ ସତ୍ୟ ସାଧାରଣରେ ପ୍ରଚାର କରିବା ନିମନ୍ତେ ପ୍ରେରିତ । ବିଭିନ୍ନ ଯୁଗରେ ତାହା କେବଳ ବିଭିନ୍ନ ସମ୍ୱଳିତ, ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଅବସ୍ଥିତ । ମହମ୍ମଦ ତାହା ତାଙ୍କ ଭାଷାରେ ପ୍ରଚାର କରି ଅଛନ୍ତି, ଆହୁରି ମଧ୍ୟ ଓଡ଼ିନ କିମ୍ୱା ଓଡ଼ିନଙ୍କ ପରି ପ୍ରତ୍ୟେକ ଅକୃତ୍ରିମ ଚିନ୍ତାଶୀଳ ମହତ୍‍ ବ୍ୟକ୍ତି ସେହି ଉପଲବ୍‍ଧ ସତ୍ୟକୁ କୌଣସି ନା କୌଣସି ଭାଷାରେ ପ୍ରକାଶ କରି ଲୋକଶିକ୍ଷା ଦେବା ନିମନ୍ତେ ଇହଲୋକରେ ଆବିର୍ଭୂତ ହୋଇଅଛନ୍ତି ।

 

ଫିକ୍‌ଟେ ସାହିତ୍ୟରଥିମାନଙ୍କୁ ଧର୍ମ୍ମୋପଦେଷ୍ଟାର ଆଖ୍ୟା ପଦାନ କରିଅଛନ୍ତି । ସେ ସାହିତ୍ୟିକ ଯୁଗଯୁଗାନ୍ତର ଧରି ଐଶ୍ୱରିକ ମହିମା କୀର୍ତ୍ତନ କରି ଆସୁଅଛନ୍ତି । ତାଙ୍କ ମଧ୍ୟରେ ଗୋଟିଏ ଅପୂର୍ବ ପବିତ୍ରତା ବର୍ତ୍ତମାନ ସେ ଜଗତର ଆଲୋକ-ଜଗତର ଲୋଚନ-ଜଗତର ପୁରୋହିତ-କାଳର ମରୁପ୍ରାନ୍ତରରେ ଆଲୋକସ୍ତମ୍ଭ ସ୍ୱରୂପ ସାଂଯାତ୍ରିକର ପଥ ନିର୍ଦ୍ଦେଶକ । ଫିକ୍‌ଟେଙ୍କ ମତରେ ପ୍ରକୃତ ସାହିତ୍ୟିକ ଜଣେ ମହାନ୍‌ବୀର । ଏହି ବିଷୟ ଦୃଷ୍ଟିରେ ବିଗତ ଶତାବ୍ଦୀର ସାହିତ୍ୟିକମାନଙ୍କ ମଧ୍ୟରେ ଫିକ୍‌ଟେଙ୍କ ଦେଶବାସୀ ଗୋଇଥେ ସର୍ବପ୍ରଧାନ ।

 

ଅତି ଆଶ୍ଚର୍ଯ୍ୟ ଭାବରେ ମଧ୍ୟ ସେ ତାଙ୍କର ଜୀବନ ଲାଭ କରିଥିଲେ । ବିଶ୍ୱର ଦୈବୀ କଳ୍ପନା ମଧ୍ୟରେ, ଅନ୍ତର୍ନିହିତ ଐଶ୍ୱରିକ ନିଗୁଢ଼ ତତ୍ତ୍ୱର ଆଲୋକ ପାଇଥିଲେ ଏବଂ ତାଙ୍କ କାବ୍ୟମାନଙ୍କ ମଧ୍ୟରୁ ଜଗତରେ ଭଗବାନଙ୍କ କାର୍ଯ୍ୟ କୁଶଳତା, ଶିଳ୍ପ ନୈପୁଣ୍ୟ ଏବଂ ଭଗବତ୍‌ ଧର୍ମର ଚିତ୍ର ପରିସ୍ଫୁଟ ହୁଏ । ସେପରି ଧର୍ମ୍ମହୀନ ଯୁଗରେ ଯେପରି ମହାନ୍‌ ସେହିପରି ନୀରବ, ସାହିତ୍ୟ ରଥୀ ଗୋଇଥେ ହିଁ ଅତି ଉତ୍କୃଷ୍ଟ ନିଦର୍ଶନ । ତାଙ୍କର ପ୍ରତ୍ୟେକ କଥାରେ, ପ୍ରତ୍ୟେକ କାର୍ଯ୍ୟରେ ବୀରତ୍ୱ ଫୁଟି ଉଠୁଅଛି । ପ୍ରାଚୀନ ବୀରମାନଙ୍କ ସଦୃଶ ସେ ନୀରବରେ ସ୍ୱବାଣୀ ପ୍ରକାଶ କରିଅଛନ୍ତି । ତାଙ୍କ ବିଷୟ ଏଠାରେ ଆଲୋଚିତ ହୋଇଥିଲେ ଆହା କି ଚମତ୍କାର ହୋଇଥାନ୍ତା; କିନ୍ତୁ ତାଙ୍କ ବିଷୟ ହୃଦୟଙ୍ଗମ କରିବାର ଲୋକ ଅତି ଅଳ୍ପ । ମାତ୍ର ଭବିଷ୍ୟତରେ ଏହି ବିପୁଳ ପୃଥିବୀ ମଧ୍ୟରେ ଏପରି ଶକ୍ତିଶାଳୀ ଗୁଣଜ୍ଞ ବ୍ୟକ୍ତି ଜାତ ହୋଇ ପାରନ୍ତି, ଯାହାଙ୍କ ମୁଖରେ ଗୋଇଥେଙ୍କ ନିସର୍ଗ ଅବିନଶ୍ୱର ମହିମା ଯଥାର୍ଥ ରୂପେ କୀର୍ତ୍ତିତ ହୋଇପାରେ । ଏଠାରେ ଅଷ୍ଟାଦଶ ଶତାବ୍ଦୀର ତିନିଜଣ କ୍ଷୀଣ, ନିଷ୍ପ୍ରଭ, ଗୋଇଥେଙ୍କ ଠାରୁ ଅପେକ୍ଷାକୃତ ନିମ୍ନସ୍ତରର ସାହିତ୍ୟ ସେବୀ ରୁଷୋ, ଜନସନ୍‌, ବର୍ଣ୍ଣସ୍‌ ପ୍ରମୁଖଙ୍କ ବିଷୟ ଆଲୋଚିତ ହେବ ।

 

ଏ ବ୍ୟକ୍ତିମାନେ ତାଙ୍କ ସଦୃଶ ବିଜୟ ଲାଭ କରି ନାହାନ୍ତି । ସେମାନେ ବୀର ବିକ୍ରମରେ ଅମିତ ତେଜରେ ସଂଗ୍ରାମ କରି ପ୍ରାଣ ବିସର୍ଜନ କରି ଅଛନ୍ତି ସତ୍ୟ, କିନ୍ତୁ ଆଲୋକ ଆନୟନକାରୀ ବୀର ନୁହନ୍ତି କେବଳ ଆଲୋକ ଅନ୍ୱେଷଣକାରୀ । ସେମାନଙ୍କୁ ଅତିଶୟ ଶୋଚନୀୟ ଅବସ୍ଥା ଏବଂ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତେଣୁ ବ୍ରହ୍ମମୟ ଜଗତର ମହତ୍ତ୍ୱ ପ୍ରଚାର କରି ପାରିନାହାନ୍ତି ।

 

ସମାଜର ବିଶୃଙ୍ଖଳା ହେତୁ କେତେ ଶକ୍ତିଶାଳୀ ବ୍ୟକ୍ତିଙ୍କର ଶକ୍ତି ଅପଚୟ ହେଉଅଛି । ବାସ୍ତବରେ ଏହି ସାହିତ୍ୟ-ସେବୀମାନଙ୍କର ମାନବ ସମାଜକୁ ଦାନ ବିନିମୟରେ ସମାଜର ଦୁର୍ବଳ ପ୍ରତିଦାନ ବିଷୟ ଆଲୋଚନା କଲେ ଅବାକ୍‌ ହେବାକୁ ହୁଏ । ପରିଷ୍କୃତ ପଥରେ ଗଡ଼୍‌ଡ଼ାଳିକା ପ୍ରବାହରେ ଚାଲିବା ବଡ଼ ସହଜ; କିନ୍ତୁ ଦୁର୍ଗମ ଗହନ କାନନରେ ଗୋଟିଏ ନୂତନ ବର୍ତ୍ତ୍ୱ ପ୍ରସ୍ତୁତ କରିବା ଅତିଶୟ ଦୁରୂହ ବ୍ୟାପାର ସିନା !

 

ଜଣେ ପୁସ୍ତକ ରଚୟିତା ବାସ୍ତବିକ ଜଣେ ପ୍ରଚାରକର କାର୍ଯ୍ୟ କରନ୍ତି । ସେ ଧର୍ମ୍ମଯାଜକ ପରି କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ୍ମ ମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ସୁଷ୍ଟିମେୟ ବ୍ୟକ୍ତିଙ୍କୁ ଉପଦେଶ ପ୍ରଦାନ କରନ୍ତି ନାହିଁ । ପରନ୍ତୁ ସକଳ ଦେଶର ସକଳ ଯୁଗର ଲୋକମାନଙ୍କ ନିମିତ୍ତ ଉକ୍ତ ପୁସ୍ତକରେ ସତ୍ୟର ଗୋଟିଏ ଶାଶ୍ୱତ ଦୀପସ୍ତମ୍ଭ ପ୍ରୋଥିତ କରନ୍ତି । ସେ କେଉଁଠାରେ କେଉଁ ପଥରେ ଆସିଅଛନ୍ତି, କେଉଁଠାକୁ ଫେରିଯିବେ ଏବଂ ସେ କିପରି ଉନ୍ନତ ହୋଇ ପାରିଲେ,–ଏ ବିଷୟ କେହି ଅନୁସନ୍ଧାନ କରନ୍ତି ନାହିଁ । ସେ ଜଣେ ଅଜ୍ଞାତ ବିଦେଶୀ ରୁପେ ସମାଜରେ ବିଚରଣ କରନ୍ତି ।

 

ମୁଦ୍ରାଯନ୍ତ୍ର ଆବିଷ୍କାର ମନୁଷ୍ୟର ଅଦ୍ଭୁତ ଶକ୍ତିର ପରିଚାୟକ । ପୁସ୍ତକରେହିଁ ଅତୀତ ଯୁଗର ଆତ୍ମା ଅମର ହୋଇ ରହିଛି, ପୁରାତନ ମନୀଷୀମାନଙ୍କ ମୁଖନିଃସୃତବାଣୀ ଆଜି ସୁସ୍ପଷ୍ଟ ଭାବରେ କର୍ଣ୍ଣ କୁହରରେ ଝଙ୍କୃତ ହେଉଛି । କିନ୍ତୁ ସେ ବ୍ୟକ୍ତିମାନଙ୍କର ରକ୍ତ ମାଂସର ଶରୀର ବହୁକାଳରୁ ଧୂଳି ସହିତ ଧୂଳି ହୋଇ ଯାଇଅଛି ସ୍ୱପ୍ନବତ୍‌, କେଉଁଠାରେ ଉଭେଇ ଯାଇଛି । କେତେ କେତେ ବିଶାଳ ରଣତରୀ, କେତେକେତେ ସେନା ନିବେଶ, ଅସ୍ତ୍ର-ଶସ୍ତ୍ରାଗାର ବନ୍ଦର, ସମୃଦ୍ଧିଶାଳୀ ମହାନଗରୀ କାଳସ୍ରୋତରେ ପଡ଼ି ନଷ୍ଟ ହୋଇଯାଇଅଛି । ଗ୍ରୀସ୍‍ର କେତେ ପ୍ରସିଦ୍ଧ ବୀରଙ୍କର ନାମ ବିଲୁପ୍ତ ହୋଇଛି; କିନ୍ତୁ ଗ୍ରୀସ୍‍ର ସାହିତ୍ୟ ସେହିପରି ତାହାର ପ୍ରାଣ ଅକ୍ଷୂର୍ଣ୍ଣ ରଖିଛି ଏବଂ ଏହି ସାହିତ୍ୟ ସାହାଯ୍ୟରେ ଗ୍ରୀସ୍‍ପୁଣି ଉଜ୍ଜୀବିତ ହୋଇ ପୃଥିବୀରେ ତାର ନଷ୍ଟ ସ୍ଥାନ ଓ ଅତୀତ ଗୌରବ ଫେରାଇ ଆଣିପାରେ । ମାନବ ଜାତିର ପ୍ରତ୍ୟେକ ଚିନ୍ତା, କଲ୍ପନା, କ୍ରିୟା କଳାପ, ଆକାଙ୍‌କ୍ଷା, ଅନୁଷ୍ଠାନ ସମସ୍ତ ଗ୍ରନ୍ଥରେ ନିହିତ ଅଛି । ଏହା ମାନବର ପ୍ରଧାନ ଅଧିକାର ଓ ଅମୂଲ୍ୟ ରତ୍ନ ।

 

ଆଜିକାଲି ସୁଦ୍ଧା ପୁସ୍ତକ ଅଲୌକିକ କ୍ରିୟା ସମ୍ପନ୍ନ କରେ ନାହିଁ କି ? ତାହା ମନୁଷ୍ୟକୁ ପ୍ରେରଣା ପ୍ରଦାନ କରେ । ଯେତେ ନିକୃଷ୍ଟ ଉପନ୍ୟାସ ହେଉନା କାହିଁକି, ତହିଁରେ କିଛି ନା କିଛି କାର୍ଯ୍ୟକାରୀ ଶକ୍ତି ଅଛି । ତାହା ବୈବାହିକ ଓ ପାରିବାରିକ ଜୀବନଯାପନ ନିମିତ୍ତ ପ୍ରଭୂତ ସାହାଯ୍ୟ କରେ । ମୁଦ୍ରାଯନ୍ତ୍ର ଶିକ୍ଷା, ପ୍ରଚାର ଓ ଶାସନ ପଦ୍ଧତିରେ ଅନେକ ପରିବର୍ତ୍ତନ ଘଟାଇଛି । ବର୍ତ୍ତମାନ ଶିକ୍ଷା ବିଷୟ ଦେଖାଯାଉ । ବିଶ୍ୱବିଦ୍ୟାଳୟ ସମୂହ ବର୍ତ୍ତମାନ ଯୁଗର ପ୍ରଧାନକୃତି । ଆଧୁନିକ ସଭ୍ୟତାର ଅପୁର୍ବ ପରିଣାମ । ପୁସ୍ତକର ଆବିର୍ଭାବ ହେତୁ ବିଶ୍ୱବିଦ୍ୟାଳୟ ସୁଦ୍ଧା ଅନେକାଂଶରେ ପରିମାର୍ଜ୍ଜିତ ହୋଇଅଛି । ଯେତେବେଳେ ପୁସ୍ତକ ଅତି ଦୁର୍ଳ୍ଳଭ ଓ ଦୁଷ୍ପ୍ରାପ୍ୟ ଥିଲା, ସେତେବେଳେ ବିଶ୍ୱବିଦ୍ୟାଳୟର ଉତ୍ପତ୍ତି । ସେତେବେଳେ ଖଣ୍ଡେ ପୁସ୍ତକ ନିମିତ୍ତ ବହୁ ଅର୍ଥ ବ୍ୟୟ କରିବାକୁ ହେଉଥିଲା । ସେତେବେଳେ ମୌଖିକ ଶିକ୍ଷା ପ୍ରଦତ୍ତ ହେଉଥିଲା । ଶିକ୍ଷାକ ଶିଷ୍ୟ ପରିବେଷ୍ଟିତ ହୋଇ ଶିକ୍ଷା ପ୍ରଦାନ କରୁଥିଲେ, ଏତଦ୍‌ବ୍ୟତୀତ ଉପାୟାନ୍ତର ନ ଥିଲା, ଜ୍ଞାନପିପାସୁ ଶିକ୍ଷାଥୀ ତାର ଜ୍ଞାନପିପାସା ଚରିତାର୍ଥ କରିବା ନିମିତ୍ତ ଗୁରୁଗୃହକୁ ଆସୁଥିଲେ । ଯେଉଁଠାରେ ବହୁ ଛାତ୍ର ସମାଗମ ସେଠାରେ ଅନ୍ୟାନ୍ୟ ଶିକ୍ଷକମାନେ ମଧ୍ୟ ଆସି ଶିକ୍ଷା ଦେଉଥିଲେ, କାରଣ ବହୁଜନସମାଗମ ହେତୁ ତାଙ୍କର ମତ ବ୍ୟକ୍ତ କରି ଲୋକଙ୍କୁ ଶୁଣାଇବାର ଏହା ଗୋଟିଏ ପ୍ରକୃଷ୍ଟ ଉପାୟ ଓ ସୁଯୋଗ ଥଲା । କ୍ରମେକ୍ରମେ ଏହିପରି ବହୁ ଶିକ୍ଷକ ଏକସ୍ଥାନରେ ଏକତ୍ରିତ ହେବାରୁ ତାହା ରାଜାଙ୍କର ଦୃଷ୍ଟି ଆକର୍ଷଣ କଲା । ରାଜା ତତ୍‌ପରେ ସମସ୍ତଙ୍କୁ ସଂଘବଦ୍ଧ କରି ବିଶାଳ ପ୍ରାସାଦ, ସହାନୁଭୂତି, ସୁଯୋଗ, ଉତ୍ସାହ, ଆଶ୍ୱାସନା, ଉତ୍ତେଜନା, ସାହାଯ୍ୟ, ଅନୁଗ୍ରହ, ଆଶ୍ରୟ ଇତ୍ୟାଦି ଦେଇ ତାହାକୁ ବିଶ୍ୱବିଦ୍ୟାଳୟର ଆଖ୍ୟା ପ୍ରଦାନ କଲେ । ସ୍ଥୂଳତଃ ଏହିପରି ବିଶ୍ୱବିଦ୍ୟାଳୟର ପତ୍ତନ ପଡ଼ିଥିଲା । ଏହାର ଅନୁକରଣରେହିଁ ଅନ୍ୟାନ୍ୟ ପରବର୍ତ୍ତୀ ଯୁଗର ବିଶ୍ୱବିଦ୍ୟାଳୟମାନ ନିର୍ମିତ ହୋଇଅଛି । ଆଜି ପ୍ରାୟ ଷଷ୍ଠ ଶତାବ୍ଦୀ ପରେ ମଧ୍ୟ ସେହି ଆଦର୍ଶ ଅନୁସୃତ ହେଉଅଛି ।

 

କିନ୍ତୁ ବର୍ତ୍ତମାନ ଏହା ବେଶ୍‌ ପରିସ୍ଫୁଟ ହେଉଅଛି ଯେ, ମୁଦ୍ରାଯନ୍ତ୍ର ଜନିତ ପୁସ୍ତକ ପ୍ରାପ୍ତିର ସୁବିଧା ହେତୁ ଶିକ୍ଷାଜଗତରେ ଆମୂଳଚୂଳ ଘୋର ପରିବର୍ତ୍ତନ ସଂଘଟିତ ହେଉଅଛି । ବର୍ତ୍ତମାନ ଶିକ୍ଷକମାନଙ୍କୁ ତାଙ୍କର ଚତୁର୍ଦ୍ଦିଗରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷ୍ଟିତ ହେବାକୁ ହେଉନାହିଁ । କାରଣ, ଯଦି ପ୍ରତ୍ୟେକ ପାଠକ ନିଜ ନିଜ ପ୍ରକୋଷ୍ଠ ମଧ୍ୟରେ ଉପବେଶନ କରି ସେହି ସବୁ ମୁଦ୍ରିତ ପୁସ୍ତକମାନଙ୍କ ସାହାଯ୍ୟରେ ସ୍ୱଚ୍ଛନ୍ଦ ଭାବରେ ଶିକ୍ଷା ଲାଭ କରିବାର ସୁଗମପନ୍ଥା ଲାଭକରି ଅଛନ୍ତି, ତେଣୁ ନବ୍ୟ ଯୁଗରେ ଗୋଟିଏ ଗୋଟିଏ ବୃଦତ୍‌ ପୁସ୍ତକାଗାରକୁ ଉପଯୁକ୍ତ ବିଶ୍ୱବିଦ୍ୟାଳୟର ଆଖ୍ୟା ପ୍ରଦାନ କରାଯାଇ ପାରେ । ପୁସ୍ତକ ପ୍ରବର୍ତ୍ତନ ଦ୍ୱାରା ଧର୍ମ୍ମ ପ୍ରଚାର ପ୍ରଣାଳୀର ମଧ୍ୟ ଘୋର ପରିବର୍ତ୍ତନ ହେଉଅଛି । ଧର୍ମ୍ମଯାଜକ, ଧର୍ମ୍ମାପଦେଷ୍ଟାଙ୍କ କାର୍ଯ୍ୟଫଳରେ, ଧର୍ମ୍ମମନ୍ଦିରର ସୃଷ୍ଟି । ସେହି ଧର୍ମ୍ମଗୁରୁମାନେ ପୁସ୍ତକ ପ୍ରବର୍ତ୍ତନ ପୂର୍ବରୁ କେବଳ ମୁଷ୍ଟିମେୟ ଶିଷ୍ୟମାନଙ୍କୁ ଧର୍ମ୍ମଶିକ୍ଷା ଦେଉଥିଲେ; କିନ୍ତୁ ମୁଦ୍ରାଯନ୍ତ୍ରର ଅଦ୍ଭୁତ ପରାକ୍ରମ ବଳରେ ଆଜି କ’ଣ ହୋଇଅଛି ? ଯେ ପ୍ରକୃତ ଉଚ୍ଚଧରଣର ପୁସ୍ତକ ରଚନା କରିପାରେ, ସେ ସମଗ୍ର ଜାତିର ଶିକ୍ଷକ ସ୍ଥାନୀୟ । ତେଣୁ ଆମ୍ଭେମାନେ ବାରମ୍ୱାର କହୁଁ ଯେ, ସଂବାଦପତ୍ର ଲେଖକ, କାବ୍ୟ ଲେଖକ, ପୁସ୍ତକ ପ୍ରଣେତାମାନେ ଆଧୁନିକ ସଭ୍ୟ । ଦେଶର ପୁରୋହିତ ରୂପେ କାର୍ଯ୍ୟ କରୁଅଛନ୍ତି । ଜଣେ ମହାପ୍ରାଣ ବ୍ୟକ୍ତି ଯେଉଁ ଉଦାର ଭାବଗୁଡ଼ିକୁ ମଧୁର ଲଳିତ ଭାଷାରେ ଲିପିବଦ୍ଧ କରିଯାଉଅଛନ୍ତି, ସେଗୁଡ଼ିକୁ ପାଠ କଲେ ଆମ୍ଭ ହୃଦୟରେ କ‘ଣ ଆନନ୍ଦ କାତ ହୁଏ ନାହିଁ ? ଅପୁର୍ବ ଆନନ୍ଦ ରସରେ ହୃଦୟ ପରିପ୍ଳୁତ ହୁଏ ନାହିଁ ? ସେ ନିଜେ ଗାନ କରନ୍ତି ଏବଂ ଆମ୍ଭମାନଙ୍କୁ ମଧ୍ୟ ଗାନ କରିବାକୁ ଶିକ୍ଷା ଦିଅନ୍ତି । ମହତ୍‌କାର୍ଯ୍ୟ ଉଦାରଭାବ, ଅଲୌକିକ କ୍ରିୟା ପରମ ବୀରୋଚିତ ଅନୁଷ୍ଠାନ ପ୍ରଭୃତି ଯେ ସଙ୍ଗୀତରେ ଲିପିବଦ୍ଧି କରିଯାଇଅଛନ୍ତି, ତାହା ଆମ୍ଭମାନଙ୍କ ହୃଦୟକୁ ବିଶେଷରୂପେ ଆଲୋଡ଼ିତ କରେ । ଏହା କ’ଣ କ’ମ କୃତି ।

 

ସାହିତ୍ୟ-ଯେପର୍ଯ୍ୟନ୍ତ ଏହା ସାହିତ୍ୟ ତାହା କେବଳ ପ୍ରକୃତିର ଉଦ୍‌ଘାଟନ ଉନ୍ମୁକ୍ତ ରହସ୍ୟର ପ୍ରକାଶ ଓ ବ୍ୟକ୍ତି କରଣ । ଫିକ୍‌ଟେଙ୍କ ଭାଷାରେ କହିବାକୁ ଗଲେ, ଏହା ପାର୍ଥିବ ଏବଂ ସାଧାରଣ ବସ୍ତୁରେ ଐଶୀ ସତ୍ତାର ଧାରାବାହିକ ବିକାଶ । ପ୍ରତ୍ୟେକ କବି, ଗାୟକ, ସାହିତ୍ୟିକ, ଲେଖକ ଈଶ୍ୱରପ୍ରେରିତ ହୋଇ ସେହି ଦେବତ୍ୱ ଉପଲବ୍‍ଧି କରି ତାହାର ପ୍ରଚାର କରିଥାନ୍ତି ମାତ୍ର । ବାଇରନଙ୍କ ରାଭୀର ତାମସପୂର୍ଣ୍ଣ ଭୀଷଣ ଈର୍ଷ୍ୟା ବା ଅମର୍ଷ ମଧ୍ୟରେ କିମ୍ୱା ଫରାସିର ସ୍ୱଧୀନଚେତା ନାସ୍ତିକ ପ୍ରବରଙ୍କର ମିଥ୍ୟା ପ୍ରତି କୁଟିଳ ଭ୍ରୁକୁଟି ଓ ବିଦ୍ରୁପ ମଧ୍ୟରେ ଯଦି ସତ୍ୟପ୍ରତି ସ୍ନେହ, ଆସ୍ଥା ଓ ମମତାର କିଞ୍ଚିତ ଆଭାସ ଥାଏ, ତେବେ ସେକ୍‌ସପିଅର ଓ ଗୋଇଥେଙ୍କର ସ୍ୱର୍ଗୀୟ ଲଳିତ ଗାନରେ, ମିଲ୍‌ଟନଙ୍କର ଅନନ୍ତ ଗମ୍ଭୀର ଉତ୍ତେଜନାପୂର୍ଣ୍ଣ ପ୍ରାଣପ୍ରଦ ସଙ୍ଗୀତ ମଧ୍ୟରେ କେତେ ନ ଥିବ । ପ୍ରତ୍ୟେକ ଉଚ୍ଚଧରଣର କବି କିମ୍ୱା ଗାୟକ ଭରତ ପକ୍ଷୀ ତୁଲ୍ୟ ପୃଥିବୀ ବକ୍ଷରୁ ଉର୍ଦ୍ଦ୍ୱକୁ ଉଠି ଉଠି ସେହି ସୁଦୂର ଆକାଶରୁ ଗାନ କରନ୍ତି । ପ୍ରତ୍ୟେକ ସତ୍‌ଗାନ ଅନେକଟା ଉପାସନା ଧରଣର । ତେଣୁ ସାହିତ୍ୟ ମଧ୍ୟ ଆମ୍ଭର ଧର୍ମ୍ମମନ୍ଦିର ।

 

ବର୍ତ୍ତମାନ ଶାସନ ବିଭାଗକୁ ଦୃଷ୍ଟି ନିକ୍ଷେପ କରାଯାଉ, ‘‘ଓ୍ୟାଇଟେ-ନାଜିମଟ’’ (Witenagemte) ଅର୍ଥାତ୍‌ ପୂରାତନ ପାର୍ଲିଆମେଣ୍ଟ ମହାସଭା–କେତକ ଜ୍ଞାନିମାନଙ୍କର ସଂଘ ଥିଲା । ସେହିଠାରେ ଜାତିର ଦେଶର ପ୍ରତ୍ୟେକ ବିଷୟ ଆଲୋଚିତ ହେଉଥିଲା; କିନ୍ତୁ ଯଦ୍ୟପି ପାର୍ଲିଆମେଣ୍ଟ ବିରାଜିତ, ତଥାପି ମହାସଭାର ସମସ୍ତ ଆଲୋଚନା, ତର୍କ ବିତର୍କ ପ୍ରଭୁତି ସେହି ମହାସଭାର ବାହାରେ ପୁସ୍ତକ ସାହାଯ୍ୟରେ ପ୍ରଚାରିତ ହେଉ ନାହିଁ କି ? ସମସ୍ତେ ତାହା ଜାଣିପାରୁ ନାହାନ୍ତି କି ? ସାହିତ୍ୟ ମଧ୍ୟ ଜାତୀୟ ମହାସଭା । ମୁଦ୍ରଣ ହେତୁ ପୁସ୍ତକ ରଚନା କିମ୍ୱା ବକ୍ତୃତା ଦ୍ୱାରା ସାଧାରଣ ତନ୍ତ୍ରଭାବ ଦିନକୁଦିନ ପ୍ରସାରଲାଭ କରୁଅଛି ଧନୀ ବା ନିର୍ଦ୍ଧନୀ ହେଲେ ମଧ୍ୟ ଯେଉଁ ବ୍ୟକ୍ତି ଦେଶବାସୀଙ୍କୁ ତାହାଙ୍କର ବିରାଟ ବାଣୀ ଶୁଣାଇଁ ମନୁଷ୍ୟ ହୃଦୟକୁ ଆଲୋଡ଼ିତ କରି ପାରନ୍ତି, ସେ ଜଣେ ଅତୀବ ଶକ୍ତିଶାଳୀ ପୁରୁଷ, ତାଙ୍କର କ୍ଷମତା ପ୍ରଭୂତ । ସେହି ଏକା ମାନବ ସମାଜର ପ୍ରକୃତ ଶାସକ । ସେହିମାନଙ୍କର ବାଣୀହିଁ ଯଥାର୍ଥ ଭାବରେ ଦେଶ ଶାସନ କରେ । ଫଳତଃ ପ୍ରଜାତନ୍ତ୍ର ଓ ସାଧାରଣତନ୍ତ୍ର ସେହିଠାରେ ପର୍ଯ୍ୟବସିତ ।

 

ପୃଥିବୀ ବକ୍ଷରେ ପୁସ୍ତକ ଗୋଟିଏ ଅତି ଅଲୌକିକ ବ୍ୟାପାର । କେତେଖଣ୍ଡୁ କାଗଜର ସମଷ୍ଟି ଦୈନିକ ସମ୍ୱାଦପତ୍ର ଠାରୁ ଆରମ୍ଭ କରି ଧର୍ମ୍ମଶାସ୍ତ୍ର ପର୍ଯ୍ୟନ୍ତ-ଆଜି ଚିନ୍ତାରାଜ୍ୟରେ କି ବିପ୍ଳବ ଆନୟନ କରିନାହିଁ ? ବାହ୍ୟଚିତ୍ର ଯେପରି ହେଉ ନା କାହିଁ କି, ତହିଁ ମଧ୍ୟରେ ମନୁଷ୍ୟର ସର୍ବୋଚ୍ଚ, ସର୍ବଶ୍ରେଷ୍ଠ ଚିନ୍ତା ବିଦ୍ୟାମାନ । ଏହା କେବଳ ମନୁଷ୍ୟର ଚିନ୍ତା ଓ କଳ୍ପନା, ଯାହାଦ୍ୱାରା ପୃଥିବୀର ସମସ୍ତ କାର୍ଯ୍ୟ ପରିଚଳିତ ଓ ନିୟନ୍ତ୍ରିତ ହେଉଅଛି । ଆଧୁନିକ ବିଶାଳ ଲଣ୍ଡନ ମହାନଗରୀ ଏବଂ ତାହାର ସମସ୍ତ ଚାରୁ ହର୍ମ୍ମ୍ୟାବଳୀ, ବାଷ୍ପୀୟଯାନ, ଧର୍ମ୍ମମନ୍ଦିର, ବାଣିଜ୍ୟ, ବ୍ୟବସାୟ, ବିଜ୍ଞାନ, ଚହଳ ଇତ୍ୟାଦି କେବଳ ଚିନ୍ତାର ଫଳ ନୁହେଁ କି ?

 

ଯଦ୍ୟପି ସାହିତ୍ୟିକମାନେ ଏତେ ପ୍ରଭୂତ ପ୍ରଭାବଶାଳୀ ଏବଂ ଦିନ ଧରି ଯୁଗ ଯୁଗ ଧରି ଆମ୍ଭମାନଙ୍କର ଅନେକ କାର୍ଯ୍ୟ ସାଧନ କରି ଅଛନ୍ତି ତେବେ ଆମ୍ଭେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇ ପାରୁଁ ଯେ, ସେମାନେ ଆଉ ଅଧିକ କାଳ, ଅନାଦୃତ, ଅପରିଚିତ ଗୃହଶୂନ୍ୟ ପରିବ୍ରାଜକ ରୂପେ ସମାଜରେ ବିଚରଣ କରିବେ ନାହିଁ । ପରନ୍ତୁ ନିଶ୍ଚୟ ଦିନେ ପୃଥିବୀ ଚକ୍ଷୁରେ ଖୁବ୍‌ ଉଜ୍ୱଳ ଭାସ୍କର ହୋଇ ଉଠିବେ ଏବଂ ଅଚିର ଭବିଷ୍ୟତରେ ମଧ୍ୟ ସାହିତ୍ୟ-ସେବୀମାନଙ୍କର ସଂଘସ୍ଥାପିତ ହୋଇ ସେମାନଙ୍କ ପ୍ରତିଷ୍ଠାନୁସାରେ ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବ । ସେମାନଙ୍କୁ ସଂଘବଦ୍ଧ କରିବାର ପ୍ରୟୋଜନୀୟତା ବିଶେଷରୂପେ ଉପଲବ୍‌ଧ ହୋଇଅଛି । ଏଠାରେ ଗୋଟିଏ ବିଷୟ ଉଲ୍ଲେଖ୍ୟ ଯୋଗ୍ୟ ଯେ, କେବଳ ଆର୍ଥିକ ଅଭାବ ସାହିତ୍ୟିକର ପ୍ରଧାନତମ ଅଭାବ ନୁହେ । ଅବଶ୍ୟ ଦାରିଦ୍ର୍ୟ ସାହିତ୍ୟିକମାନଙ୍କର ଅନେକ ସ୍ଥଳରେ ଚିରସହଚର ହୋଇଥାଏ । କିନ୍ତୁ ତାହା ମନୁଷ୍ୟର ଗୋଟିଏ ଗୁଣ; ଚିତ୍ତସଂଯମରେ ପ୍ରଧାନ ସହାୟକ–ତେଣୁ ପରା ଧର୍ମପ୍ରାଣ ସନ୍ୟାସୀମାନେ ଗୃହତ୍ୟାଗୀ, କାଞ୍ଚନ ତ୍ୟାଗ କରି ପଥର ଭିକାରୀ ହେବାକୁ ଶ୍ରେୟ ମଣୁଥିଲେ ! ଏହାହଁ ପ୍ରକୃତ ଧର୍ମ୍ମଭାବର ବିଶେଷତ୍ୱ । ସେମାନଙ୍କର ଆଦର୍ଶ ମନୁଷ୍ୟ ଏପର୍ଯ୍ୟନ୍ତ ଗ୍ରହଣ କରିପାରି ନାହିଁ । ଗର୍ବ, ଦମ୍ଭ, ଅହଙ୍କାର, ଈର୍ଷ୍ୟା ମଦ, ମାତ୍ସର୍ଯ୍ୟ ପ୍ରଭୁତି ସାଧାରଣ ମାନସିକ ପ୍ରବୃତ୍ତିଗୁଡ଼ିକୁ ଦାରିଦ୍ର୍ୟ ସମୂଳେ ବିନଷ୍ଟ କରେ । ତେଣୁ ଖାଣ୍ଟି ସାହିତ୍ୟ ସେବକ ପ୍ରକୃତ ମନୁଷତ୍ୱ ଲାଭ କରିପାରନ୍ତି ଏବଂ ସାହିତ୍ୟିକ ହେବାର ଉପଯୁକ୍ତ ହୁଅନ୍ତି । ଧନଶାଳୀ ଓ ଉଚ୍ଚସମ୍ଭ୍ରାନ୍ତ ବଂଶୀୟ ବାଇରନ୍‌ଙ୍କଠାରୁ ଅଧମ କୃଷକ ସନ୍ତାନ ବର୍ଣ୍ଣସ୍‌ଙ୍କ କୃତି ଅଧିକ ନୁହେଁ କି ? ଏହି କଳ୍ପିତ ନୂତନ ସାହିତ୍ୟିକ ସଂଘରେ ଦରିଦ୍ର ସାହିତ୍ୟିକ ମଧ୍ୟ ଅବସ୍ଥାନ କରିବେ । ଅର୍ଥ ଅନେକ କାର୍ଯ୍ୟ ଅନୁଷ୍ଠାନ କରେ, କିନ୍ତୁ ସମସ୍ତ ପାରେ ନାହିଁ । ସାହିତ୍ୟିକମାନେ ଅନେକାଂଶରେ ସ୍ୱେଚ୍ଛାସନ୍ୟାସୀ ଦଳ । ଅନ୍ୟାନ୍ୟ କର୍ମବୀରମାନଙ୍କ ତୁଲ୍ୟ ଏମାନଙ୍କୁ ମଧ୍ୟ ଭୀଷଣ ସଂଗ୍ରାମ କରିବାକୁ ପଡ଼େ । ସଂଗ୍ରାମରେ ଜୟଲାଭ କରି ସମାଜ ସମ୍ମୁଖରେ ମସ୍ତକ ଉତ୍ତୋଳନ କରିବା ଅତି ଦୂରୁହ ବ୍ୟାପାର । ତାଙ୍କୁ ଭୀଷଣ ପରୀକ୍ଷା ମଧ୍ୟରେ ତାଙ୍କର ବ୍ୟକ୍ତିତ୍ୱ ପ୍ରମାଣ କରିବାକୁ ପଡ଼େ । ବହୁମୁଖୀ ପରୀକ୍ଷା ଓ ପ୍ରଚେଷ୍ଟା ସୁଦ୍ଧା ସେମାନଙ୍କୁ ବିଚଳିତ କରି ପାରେ ନାହିଁ । ସମାଜ ସେମାନଙ୍କର ପରୀକ୍ଷା କିପରି ନିୟନ୍ତ୍ରିତ କରିବ, ତାହା ଏପର୍ଯ୍ୟନ୍ତ ଉଦ୍ଭାବିତ ହୋଇ ନାହିଁ । କିନ୍ତୁ ବର୍ତ୍ତମାନ ପ୍ରଣାଳୀରେ ଅନିଷ୍ଟ ବ୍ୟତୀତ ଆଦୌ ଇଷ୍ଟ ସାଧିତ ହୋଇ ନାହିଁ । ଫଳରେ ରାଜାତୁଲ୍ୟ ଜନ୍‌ସନ୍‌ ନିଷ୍କ୍ରିୟ ଭାବରେ ଗୃହର ଏକ କୋଣରେ ନିଷ୍ପ୍ରଭ ପ୍ରାୟ, ଫରାସି ରାଷ୍ଟ୍ରବିପ୍ଳବ ଯଜ୍ଞର ପଟ୍ଟ-ପୁରୋହିତ ଏବଂ ସରଳ ନିର୍ମ୍ମଳ ସଙ୍ଗୀତ-ଧାରାର ଭତ୍ସ ଦରିଦ୍ର କୃଷକ ସନ୍ତାନ ବିର୍ଣ୍ଣସଙ୍କୁ ମଧ୍ୟ ଘୋର ସଂସାରିକ ନୈରାଶ୍ୟରେ ଜୀବନଲୀଳା ସାଙ୍ଗ କରିବାକୁ ପଡ଼ିଥିଲା । ଅହୋ, କି ଆଶ୍ଚର୍ଯ୍ୟ ! ବ୍ୟକ୍ତିଗତ ଭାବରେ ବିଚାର କଲେ ସାହିତ୍ୟିକମାନଙ୍କର ବିଷୟ ବିଶେଷ ଧର୍ତ୍ତବ୍ୟ ନୁହେ । କିନ୍ତୁ ସମଷ୍ଟିଗତ ଭାବରେ ସାମାଜିକ ଦିଗରୁ ଦୃଷ୍ଟିପାତ କଲେ ସାହିତ୍ୟିକସଂଘ ବିଶେଷ ପ୍ରୟୋଜନୀୟ । କାରଣ ମନୁଷ୍ୟ ବ୍ୟଷ୍ଟିଭାବରେ ତାହାର ସାଂସାରିକ ଯାତ୍ରା ନିର୍ବାହ କରିବାକୁ ସମର୍ଥ; କିନ୍ତୁ ପୃଥିବୀ ନିମିତ୍ତ ଯେଉଁ ଏକମାତ୍ର ଆଲୋକ ଲୋଡ଼ା, ତାହା ମନୁଷ୍ୟ ବ୍ୟକ୍ତିଗତ ଚେଷ୍ଟାରେ ପ୍ରକାଶ କରିପାରେ ନାହିଁ-। ତେଣୁ ସେହି ଶକ୍ତିଶାଳୀ ବ୍ୟକ୍ତିମାନଙ୍କର ସମଷ୍ଟିଗତ ଚେଷ୍ଟା ପ୍ରଧାନ କାମ୍ୟ ବସ୍ତୁ ।

 

ଏଠାରେ ଗୋଟିଏ ବିଷୟ ବିଶେଷ ଉଲ୍ଲେଖଯୋଗ୍ୟ । ଚୀନ ଦେଶରେ ଶାସନକର୍ତ୍ତାମାନେ ସାହିତ୍ୟିକ, ସୁପଣ୍ଡିତ, ବିଦ୍ୱାନ୍‌, ଜ୍ଞାନୀ ଓ ବିଜ୍ଞ ମନୀଷୀମାନଙ୍କ ମଧ୍ୟରୁ ନିର୍ବାଚିତ ହୁଅନ୍ତି । ଯେଉଁ ମେଧାବୀ ଛାତ୍ରମାନେ ଛାତ୍ରାବସ୍ଥାରେ ବିଶେଷ କୃତିତ୍ୱ ଦର୍ଶାନ୍ତି । ସେମାନେ ଉଚ୍ଚ ସୋପାନରେ ଅଧିରୁଢ଼ ହୁଅନ୍ତି ଏବଂ କ୍ରମେ ଉନ୍ନତରୁ ଉନ୍ନତତର ପଦକୁ ଉନ୍ନୀତ ହୋଇ ଶେଷରେ ଶାସନ କାର୍ଯ୍ୟର ଅଧିକାର ଲାଭ କରନ୍ତି । ବସ୍ତୁତଃ ପ୍ରତ୍ୟେକ ଶାସନତନ୍ତ୍ରର ଶୀର୍ଷ ଦେଶରେ ପଣ୍ଡିତ, ସୁଶିକ୍ଷିତ, ପ୍ରଜ୍ଞାବାନ୍‌ ଓ ଦୂରଦର୍ଶୀ ବ୍ୟକ୍ତିମାନେ ଥିବା ବାଞ୍ଚନୀୟ ଏବଂ ସାଧାରଣତଃ ଏହିମାନେହିଁ ମହାନ୍‌, ଉଦାର, ନ୍ୟାୟପର, ସତ୍ୟନିଷ୍ଠ ଓ ଦୟାଶୀଳ ବୀର ପୁରୁଷ ।

 

ଅତୀତର ଶାସନ-ପ୍ରଣାଳୀ ଏହି ନବୀନ ତୁଳାଦଣ୍ଡରେ ପଡ଼ି କାର୍ଯ୍ୟକାରୀ ହେଉନାହିଁ । ଅନେକ ଅଭାବ ଅନଭୁତି ହେଉଅଛି । ବର୍ତ୍ତମାନ ଉପସ୍ଥିତ ଯୁଗରେ ପୁରାତନ ନୂତନକୁ ସ୍ଥାନ ନ ଦେଇ ଆଉ ରହି ପାରୁନାହିଁ । ବର୍ତ୍ତମାନ ଜୀବନ ସମସ୍ୟା, ଅନ୍ନସମସ୍ୟା ଅତିଶୟ ଭୀଷଣ । ବର୍ତ୍ତମାନ ଲକ୍ଷ ଲକ୍ଷ ନରନାରୀ ଅନାହାରରେ ପ୍ରାଣତ୍ୟଗ କରୁଅଛନ୍ତି କିମ୍ୱା ଅଳ୍ପାହାରରେ ଦିନାତିପାତ କରୁଅଛନ୍ତି । କୃଷକ ପ୍ରଭାତରୁ ସନ୍ଧ୍ୟାପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରି ସୁଦ୍ଧା ପରିବାର ପୋଷଣ କରିବାକୁ ଅସମର୍ଥ । ଏହି ତ ସମାଜର ଅବସ୍ଥା ।

 

ସଂଘର ଅଭାବ ହେତୁ ଯେ ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟିକ ବୀରମାନଙ୍କୁ ଅସୁଖର ଯନ୍ତ୍ରଣା ଓ ଅସୁବିଧା ଭୋଗ କରିବାକୁ କିମ୍ୱା ଭୀଷଣ ସଂଗ୍ରାମ କରିବାକୁ ହୋଇଥିଲା ତାହା ନୁହେଁ । ଏହା କେବଳ ସେହି ଯୁଗର ଦୋଷ । ଅଷ୍ଟାଦଶ ଶତାବ୍ଦୀ ଘୋର ଅବିଶ୍ୱାସର ଯୁଗ-ନାସ୍ତିକତାରେ ଓତପ୍ରୋତ ଭାବରେ ବୁଡ଼ି ରହିଥିଲା, ତେଣୁ ମହତ୍‌ ବ୍ୟକ୍ତିଙ୍କର କଳ୍ପନା କରିପାରି ନ ଥିଲା । ବୀରମାନଙ୍କୁ ନିର୍ଜନ କାନ୍ତାରରେ ବିତରଣ କରିବାକୁ ହେଉଥିଲା । ସେ ଯୁଗ ଆଧ୍ୟାତ୍ମିକ ପକ୍ଷାଘାତରେ ଏକାବେଳକେ ଜଡ଼ । ତେଣୁ ବୀରମାନେ ମଧ୍ୟ ଅର୍ଦ୍ଧମୃତ ।

 

ବର୍ତ୍ତମାନ ଯୁଗରେ ଚିନ୍ତା ପ୍ରଣାଳୀ କି କ୍ଷୁଦ୍ର ! କି ନୀଚ । ସେକ୍‌ସପିଅର ଓ ମିଲ୍‌ଟନ୍‌ ତଥା ପୁରାତନ ମଧ୍ୟଯୁଗ ସଙ୍ଗେ ତୁଳନା କଲେ ସ୍ୱର୍ଗ ପାତାଳ ପ୍ରଭେଦ ପରିଲକ୍ଷିତ ହୁଏ । କେବଳ କଳ କାରଖାନାର ଯୁଗ କ୍ଷୁଦ୍ର ସ୍ୱାର୍ଥ ଘେନି ବ୍ୟତିବ୍ୟସ୍ତ-ଯନ୍ତ୍ରବତ୍‌ ପରିଚାଳିତ ମାତ୍ର । ଏ ଯୁଗର ପ୍ରଭୂତ ପରାକ୍ରମଶାଳୀ ବ୍ୟକ୍ତି ମଧ୍ୟ ଅତି ଦୁର୍ଦ୍ଧଷ ସଂଗ୍ରାମ କରି ଘୋର ବିପ୍ଳବ ଓ ବୈକ୍ଳବ୍ୟରେ ପଡ଼ି ବଡ଼ କରୁଣଭାବରେ ଅଧ୍ୟାତ୍ମମୃତ ହୋଇ କେବଳ ଅପୂର୍ଣ୍ଣ ଅପରିଣତ ବୀର ହୋଇ ପାରିଥିଲେ ।

 

ବେନ୍ଥାମ୍‌ (Bentham) ଙ୍କ ନୀତି-ମନୁଷ୍ୟ ଓ ତାହାର ଜୀବନ ବିଷୟକ ମତବାଦ ଅତି ଦୁର୍ବଳ ବୋଲି ପ୍ରତୀତ ହେଲେ ମଧ୍ୟ ପ୍ରଶଂସାର୍ହ । କାରଣ ସେ ସେହି ଅବିଶ୍ୱାସ, ଅଶାନ୍ତି, ସନ୍ଦେହ ଓ ବିପ୍ଳବ ଜର୍ଜ୍ଜରିତ ଯୁଗରେ ତାଙ୍କର ମନୋଭାବ, ହୃଦୟର ଦୃଢ଼ଧାରଣା ନିର୍ଭୀକ ଭାବରେ ବୀର ଭାଷାରେ ପ୍ରକାଶ କରିଥିଲେ । ସେହିଠାରେ ତାଙ୍କର ମହତ୍ତ୍ୱ, ତେତେବେଳେ ସମାଜ ଭୀଷଣ ସଂକଟାପନ୍ନ-ମୃତ୍ୟୁ କିମ୍ୱା ସଞ୍ଜୀବନୀ ମନ୍ତ୍ର କେବଳ ମାତ୍ର ଲୋଡ଼ାଥିଲା । ବେନ୍‌ଥାମ୍‌ଙ୍କ ପ୍ରୟୋଜନ-ବାଦ ଗୋଟିଏ ନୂତନ ତଥ୍ୟ-ନୂତନ ସତ୍ୟ ଆବତଷ୍କାର କରିବାକୁ ଉଦ୍ୟତ । ମିଥ୍ୟା, ପ୍ରବଞ୍ଚନା ଓ ଭଣ୍ଡତା ଏହାକୁ ସ୍ପର୍ଶ କରିନାହିଁ । ବେନ୍‌ଥାମ୍‌ ନୀତି ଅନେକାଂଶରେ ପରିପୂର୍ଣ୍ଣ (Perfect) ମନୁଷ୍ୟୋଚିତ । ଏହାକୁ ବିରୋଚିତ ବୋଲାଯାଇପାରେ; କିନ୍ତୁ ଚକ୍ଷୁହୀନ ଅର୍ଥାତ୍‌ ଅନ୍ଧ ବୀରତ୍ୱ, ଅବିଶ୍ୱାସର ଚୁଡ଼ାନ୍ତ ଏହିଠାରେ । ପ୍ରତ୍ୟେଳ ନାସ୍ତିକଙ୍କର ଯଦି ସାହସ ଓ ସାଧୁତା ଥାଏ, ତେବେ ସେ ବେନ୍‌ଥାମ୍‌ଙ୍କ ମତ ଗ୍ରହଣ କରିବାକୁ ଏବଂ ମୁକ୍ତକଣ୍ଠରେ ସ୍ୱୀକାର କରିବାକୁ ବାଧ୍ୟ, ବେନ୍‌ଥାମ୍‌-ନୀତି ଏକ-ପ୍ରକାର ଦୃଷ୍ଟିହୀନ ବୀରତ୍ୱ । ଚକ୍ଷୁହୀନ ସାମସନ୍‌ ଯେପରି ଫିଲିଷ୍ଟାଇନ୍‌ରେ ଦାସମାନଙ୍କର କାରଖାନା, ମନ୍ଦିରରେ କାର୍ଯ୍ୟ କଲାବେଳେ ବୀରବିକ୍ରମରେ ତାହାର ସ୍ତମ୍ଭ ଉତ୍ପାଟନ ପୂର୍ବକ ଘୋର କ୍ଷତି ଓ ଅନିଷ୍ଟ କରି ଶେଷରେ ଦାସ ଜାତିର ମୁକ୍ତି ପଥ ପରିଷ୍କୃତ କରିଦେଇ ଥିଲେ, ସେହିପରି ଅନ୍ଧ ମନୁଷ୍ୟ ସମାଜ ମଧ୍ୟ ବେନ୍ଥାମଙ୍କର ନୀତିକୁ ଅବଲମ୍ୱନ କରି କୌଣସି ବିଶେଷ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ ଉପସ୍ଥିତ ହୋଇ ନ ଥିଲେ ସୁଦ୍ଧା ତଦାନୀନ୍ତନ ଜଡ଼ତା ଓ ନିଷ୍କ୍ରିୟ ଭାବକୁ ବିନଷ୍ଟ କରି ଗୋଟିଏ ସ୍ୱଧୀନ ଚିନ୍ତାର ନୂତନ ସ୍ରୋତ ପ୍ରବାହିତ କରିପାରିଥିଲା । ଯେଉଁ ଲୋକ ଜଗତକୁ କେବଳ ଗୋଟିଏ ବୃହତ୍‌ଯନ୍ତ୍ର ବୋଲି ବିଶ୍ୱାସ କରେ, ସେ ଭ୍ରମ-କୂପରେ ପତିତ । ବେନ୍ଥାମ୍‌ନୀତି ମଧ୍ୟ ଏହିପରି ଗୋଟିଏ ପ୍ରମାଦ-ସଙ୍କୁଳ, ନାସ୍ତିକ ବାଦ ।

 

ବିଶ୍ୱାସ-ସରଳ, ପ୍ରତ୍ୟୟ-ପ୍ରାଣର ନିଦ୍ଦର୍ଶନ । ମନୁଷ୍ୟ ହୃଦୟର ଏହା ସହଜ ସ୍ୱସ୍ଥଭାବ, କିନ୍ତୁ ନାସ୍ତିକତା ମନର ବିକୃତି ମାତ୍ର । ଅବଶ୍ୟ ସାଧୁସନ୍ଦେହ ଅନେକାଂଶରେ ଶୋଭନୀୟ ଓ ଉତ୍ତମ, ତାହା ସତ୍ୟରେ ମନୁଷ୍ୟକୁ ଉପନୀତ କରାଏ, କିନ୍ତୁ ବୃଥା ତର୍କ, ବିତଣ୍ଡା ଦ୍ୱାରା ମନର ସନ୍ଦେହ ଅବିଶ୍ୱାସ ଓ ନାସ୍ତିକତାର ଡଙ୍କା ବଜାଇବା କୌଣସି ମତେ କ୍ଷମଣୀୟ ନୁହେ । ଏହା କେବଳ ମୃତ୍ୟୁର ଲକ୍ଷଣ ।

 

ବିଶ୍ୱାସହିଁ ପ୍ରାଣର ଏକମାତ୍ର ସମ୍ୱଳ; କିନ୍ତୁ ଅଷ୍ଟାଦଶ ଶତାବ୍ଦୀ କେବଳ ନାସ୍ତିକ-ଯୁଗ-ସମସ୍ତେ ଘୋର ଅବିଶ୍ୱାସରେ ମ୍ରିୟମାଣ । ଅବିଶ୍ୱାସହିଁ ଆତ୍ମାର ପ୍ରଧାନତମ ବ୍ୟାଧି । ଏହିହେତୁରୁ ବୀରମାନଙ୍କର ତିରୋଭାବ ଏବଂ ଭଣ୍ଡନାୟଙ୍କର ଆବିର୍ଭାବ । ଡାଇଡ଼େନ୍‌ (Dryden) ଙ୍କ ପରି ଚିନ୍ତାଶୀଳ ରାଜନୀତିକ ସୁପଣ୍ଡିତମାନଙ୍କର ମଧ୍ୟ କ୍ଷୁଦ୍ରଭାବ ପରିଲକ୍ଷିତ ହୁଏ । ଯେତେବେଳେ ଜନ ସାଧାରଣ ଏହି ଅଷ୍ଟାଦଶ ଶତାବ୍ଦୀକୁ ନାସ୍ତିକ ଅବିଶ୍ୱାସ-ଯୁଗ ବୋଲି ଉଚ୍ଚ ସ୍ୱରରେ ଘୋଷଣା କରିବେ, ସେତେବେଳେ ପୃଥିବୀର ପ୍ରଧାନ ବ୍ୟାଧି ପ୍ରକାଶ ପାଇବ । ଏହି ନାସ୍ତିକଯୁଗ–ଅବିଶ୍ୱାସ ଯୁଗ–ଏହାରି ମଧ୍ୟରୁ ସମସ୍ତ ସାମାଜିକ ବିପ୍ଳବ ଫରାସୀ ରାଷ୍ଟ୍ରବିପ୍ଳବ ଇତ୍ୟାଦି ଉତ୍ପନ୍ନ ହୋଇଅଛି । ଏହାର ନିଶ୍ଚୟ ପରିବର୍ତ୍ତନ ହେବ ଏବଂ ସେହି ମହାପରିବର୍ତ୍ତନ ସଂଘଟିତ ନ ହେବା ପର୍ଯ୍ୟନ୍ତ କୌଣସି ସାଧୁ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ନାହିଁ । ମନୁଷ୍ୟର କ୍ଳେଶ ଯନ୍ତ୍ରଣା ପ୍ରଦ୍ଭୃତି ପ୍ରତି ଦୃଷ୍ଟି ନିକ୍ଷେପ କଲେ ହୃଦୟରେ ଦୃଢ଼ ବିଶ୍ୱାସ ଏବଂ ବଳବତୀ ଆଶା ବଦ୍ଧମୂଳ ହୁଏ ଯେ, ପୃଥିବୀର ପରିବର୍ତ୍ତନ ଆରବ୍‌ଧ ହୋଇଅଛି ଏବଂ ଭବିଷ୍ୟତ୍‌ବାଣୀ ରୂପେ କୁହାଯାଇ ପାରେ ଯେ, ପୃଥିବୀ ପୁନାର୍ବାର ପାପ, ଅବିଶ୍ୱାସ, ମିଥ୍ୟା ପ୍ରବଞ୍ଚନାଦିରୁ ମୁକ୍ତ ହୋଇ ପୁଣି ସମ୍ପୂର୍ଣ୍ଣ ଶୁଦ୍ଧ-ପୂତ ଏବଂ ବୀରପୂର୍ଣ୍ଣ ହୋଇ ଉଠିବ । ସେତେବେଳେ ଗୋଟିଏ ଅଭିନବ ଯୁଗର ସୃଷ୍ଟି ହେବ ଏବଂ ଜଗତର ପ୍ରତ୍ୟେକ ଅନୁଷ୍ଠାନ ଜୟଯୁକ୍ତ ହେବ ।

 

ଜଗତର ଜୟ ସହିତ ଆମ୍ଭମାନଙ୍କର ସମ୍ୱନ୍ଧ କଅଣ ? ଆମ୍ଭେମାନେ ଅନେକ ସମୟରେ ଜଗତ କଥା ଭୁଲିଯାଉଁ । ଜଗତର ଜୟ ହେଉ ବା ନ ହେଉ ମନୁଷ୍ୟର ନିଜର ଜୀବନ ଅଛି । ତାହାକୁ ନିଜ ଜୀବନ ସଂଗ୍ରାମରେ ଜୟୀ ହେବାକୁ ହେବ । ସେ ଯଦି ନିଜ ଜୀବନର ତତ୍ତ୍ୱ ନ ନିଏ ଏବଂ ତାକୁ ଉନ୍ନତି ପଥରେ ଅଗ୍ରସର ନ କରାଏ, ତେବେ ଜଗତର ଉନ୍ନତି କିପରି ହେବ ? ବ୍ୟକ୍ତିର ସମଷ୍ଟି ଘେନି ଜଗତ୍‌ ମନୁଷ୍ୟର ଜୀବନ ବହୁମୂଲ୍ୟ । ଏହା ଅନନ୍ତ କାଳ ସାଗରର ଗୋଟିଏ ବୁଦ୍‌ବୁଦ୍‌ ପ୍ରାୟ । ବହୁଭାଗ୍ୟ ଫଳରେ ପ୍ରାଣୀ ମାନବ ଜୀବନ ଲାଭ କରେ । ଏ ଜନ୍ମ ପରେଏ ଅମୂଲ୍ୟ ମାନବଜନ୍ମ ପୁଣି ଲାଭ ହେବ କି ନାହିଁ ତାହାର ସ୍ଥିରତା ନଥିବା ସ୍ଥଳେ, ଏ ଜୀବନକୁ ଅବହେଳା ପୂର୍ବକ କୌଣସି କାର୍ଯ୍ୟ ନ କରିବା କିମ୍ୱା ନିଜର ଆତ୍ମାର ସଦଗତି ନିମିତ୍ତ, ଆତ୍ମାର ପବିତ୍ରତା ନିମିତ୍ତ ଚେଷ୍ଟା ଓ ଉଦ୍ୟମ ନ କରିବା ଅତିଶୟ ବିସ୍ମୟକର । ଯଦି ପ୍ରତ୍ୟେକ ମନୁଷ୍ୟ ତାର ନିଜ ପ୍ରାଣର ଉତ୍କର୍ଷ ସାଧନରେ ବ୍ୟାପୃତ ହୁଏ, କର୍ତ୍ତବ୍ୟ ସାଧନରେ ତତ୍ପର ହୁଏ, ତେବେ ଜଗତ ପୁଣି ପବିତ୍ର-ମଧୁମୟ ଚିରାନନ୍ଦର ଲୀଳା-ସ୍ଥଳୀ ହେବ । ଏ ପନ୍ଥା ବ୍ୟତୀତ ଜଗତର ପରିତ୍ରାଣର ଉପାୟାନ୍ତର ନାହିଁ । ‘ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ’’ ଅଷ୍ଟାଦଶ ଶତାବ୍ଦୀରେ ଜଗତର କଲ୍ୟାଣ ଏବଂ ପରିତ୍ରାଣ ସାଧନା କଳ୍ପେ ଯେଉଁ ଆନ୍ଦୋଳନ ଚାଲିଥିଲା, ତାହା ପୂର୍ବୋକ୍ତ ମସ୍ତିଷ୍କ ବିକୃତିର ଫଳ । ଜଗତର ପରିତ୍ରାଣ ନିମିତ୍ତ ସର୍ବଶକ୍ତିମାନ୍‌ ମଙ୍ଗଳମୟ ଭଗବାନ ବର୍ତ୍ତମାନ । କେବଳ ନିଜର ପରିତ୍ରାଣ ନିମିତ୍ତ ପ୍ରଚେଷ୍ଟା କଲେ ହେଲା । ସ୍ଥୂଳଭାବରେ କହିବାକୁ ଗଲେ ନିଜପାଇଁ ଦେଶପାଇଁ ତଥା ସମଗ୍ର ବିଶ୍ୱପାଇଁ ଆମ୍ଭେମାନେ ଆତ୍ମୋତ୍ସର୍ଗ ମନ୍ତ୍ର ପ୍ରଚାର କରିବା । ସେତେବେଳେ ଅବିଶ୍ୱାସ, କପଟତା, ଭଣ୍ଡତା ଇତ୍ୟାଦି ସମୂଳେ ଉତ୍ପାଟିତ ହୋଇ ସରଳତା, ବିଶ୍ୱାସ, ଆସ୍ତିକତା ରାଜତ୍ୱ କରିବ ।

 

ଯେତେବେଳେ ମନୁଷ୍ୟର ଜୀବନ ଈଶ୍ୱର ବିଶ୍ୱାସ ବିହୀନ ହୋଇଥିଲା, ଯେତେବେଳେ ଅବିଶ୍ୱାସର ପ୍ରବଳ ଝଞ୍ଜାବାୟୁ ସବେଗେ ପ୍ରବାହିତ ହେଉଥିଲା, ସେତେବେଳେ ଜମ୍ୱାଳ ରାଶି ଭେଦକରି ଏହି ଜନ୍‌ସନ୍‌ ପ୍ରଭୃତି ସାହିତ୍ୟିକ ବୀରମାନଙ୍କୁ ଜୀବନଧାରଣ କରିବାକୁ ପଡ଼ିଥିଲା । ମନୁଷ୍ୟ ଜୀବନ ବାସ୍ତବ, ସତ୍ୟ ଓ ଚିରକାଳ ଏହିପରି ଅପ୍ରତିହତ ଭାବରେ ବିରାଜମାନ ଥିବ-ଏହି ବାଣୀ ବଜ୍ରନିର୍ଘୋଷରେ ପ୍ରକାଶ କରିବା ନିମିତ୍ତ ପୃଥିବୀର ସେହି ଜୀବନ ସନ୍ଧିରେ କେହି ଦେବଦୂତ ଆବିର୍ଭୂତ ହୋଇ ଆଶାର ଅରୁଣ-କିରଣରେ ଦିଗ୍‌ବଳୟ ରଞ୍ଜନ କରି ନାହାନ୍ତି । ଲୁଥରଙ୍କ ପ୍ରକ୍ରିୟା ଓ ଜୀବନ ପ୍ରଣାଳୀ ଜନ୍‍ସନ୍‍ଙ୍କ ଠାରୁ ବହୁତ ପୃଥକ୍‌। ବଳଶାଳୀ ବ୍ୟକ୍ତିଙ୍କର ପଥ କଣ୍ଟକମୟ । ତାଙ୍କୁ ବାଧାବିଘ୍ନ ବିରୁଦ୍ଧରେ କେତେ ସଂଗ୍ରାମ କରିବାକୁ ହୋଇଅଛି । ଅନ୍ୟାନ୍ୟ ଯୁଗ ଅପେକ୍ଷା ଏ ଯୁଗର ସାହିତ୍ୟରେ ସେମାନେ ପ୍ରତିଷ୍ଠା ଓ ଗୌରବ ଲାଭକରି ବିଶ୍ୱବନ୍ଦ୍ୟ ଜଗତ୍‍ବରେଣ୍ୟ ହୋଇପାରି ନାହାନ୍ତି । ସେମାନେ ଯେ ବୀର ବିକ୍ରମରେ ସଂଗ୍ରାମ କରୁ କରୁ ସଂଗ୍ରାମରେ ନିଜ ପ୍ରାଣକୁ ଆହୂତି ଦେଇ ଅଛନ୍ତି, ସେଥି ନିମିତ୍ତ ସେମାନେ ପୂଜ୍ୟ, ବରେଣ୍ୟ ଏବଂ ପ୍ରଶଂସାର୍ହ । ପ୍ରଣିଧାନ କରି ଦେଖିଲେ ଆମ୍ଭମାନଙ୍କ ହୃଦୟରେ କ୍ଷୋଭ ଜାତ ହୁଏ ଏବଂ ଅବସନ୍ନ ଓ ବ୍ୟଥିତ ପ୍ରାଣରେ ଆମ୍ଭେମାନେ କହୁଁ ଯେ, ସେମାନେ ବିଶ୍ୱବିଜୟୀ ଅମର ବୀର ହୋଇ ନାହାନ୍ତି ସତ୍ୟ, ମାତ୍ର ସେମାନେ ପରମ ନିଷ୍ଠା ସହିତ ସଂଗ୍ରାମ କରିଯାଇ ଅଛନ୍ତି, ଏହାହିଁ ତାଙ୍କର ପରମ ଗୌରବର ବିଷୟ । ସେମାନେ ପ୍ରତ୍ୟେକେ ତିନିଗୋଟି ଲୁପ୍ତ ବୀରତ୍ୱର ଉଜ୍ଜ୍ୱଳ ସ୍ମୃତି-ସ୍ତମ୍ଭ । ସେମାନେ ଆମ୍ଭମାନଙ୍କର କଲ୍ୟାଣ ସଂସାଧନରେ ପ୍ରାଣ ବିସର୍ଜନ କରିଅଛନ୍ତି । ଆମ୍ଭମାନଙ୍କ ନିମିତ୍ତ ନିବିଡ଼ି ଦୁର୍ଗମ ଅରଣ୍ୟରେ ସୁଗମ ପଥ ପ୍ରସ୍ତୁତ କରିବାକୁ ଯାଇ ଜୀବନ ହରାଇ ଅଛନ୍ତି । ସେମାନଙ୍କର ସେହି ଅନୁଷ୍ଠାନରେ କେତେ କେତେ ଶୈଳ ପର୍ବତ ଉତ୍ପାଟିତ କରିଅଛନ୍ତି ଏବଂ ତହିଁରେ ନିଜର ସମସ୍ତ ବଳ, ଶକ୍ତି ନିୟୋଜିତ ଓ ନିଃଶେଷ କରି ସେହି ଶୈଳର ପାଦଦେଶରେ ସମାଧି ଗ୍ରହଣ କରିଅଛନ୍ତି । ସୂକ୍ଷ୍ମଭାବରେ ସେହିମାନେ ହିଁ ଅଦ୍ଭୁତ ଯୁଗର ଅଭୁତ ଦୂରଦ୍ରଷ୍ଟା ଭବିଷ୍ୟତ୍‌ବକ୍ତା ଓ ଉପଦେଷ୍ଟା ଧର୍ମ ମାର୍ଗରେ ସେମାନେ ସେହିପରି ଅକୃତ୍ରିମ ଥିଲେ । ସେମାନେ ସେହି ଆଡ଼ମ୍ୱର ବାହ୍ୟ ଚାକଚକ୍ୟ ପୂର୍ଣ୍ଣ ଯୁଗରେ ମୌଳିକ ଓ ଅକୃତ୍ରିମ ଥିଲେ ଓ ସେମାନେ ଭଗବାନଙ୍କର ସତ୍ୟ ପ୍ରଚାର କରିଥିଲେ । ସେମାନେ ଏପରି ଉପାଦାନରେ ଗଠିତ ଯେ, ସେମାନେ କୃତ୍ରିମ ହୋଇପାରିବେ ନାହିଁ ।

 

ପ୍ରକୃତ ପକ୍ଷେ ଜନ୍‍ସନ୍‍ ଇଂରେଜମାନଙ୍କ ମଧ୍ୟରେ ଜଣେ ମହାପ୍ରାଣ ଜଣେ ମହତ୍ୱ ଏବଂ ଶକ୍ତିଶାଳୀ ପୁରୁଷ; କିନ୍ତୁ ତାଙ୍କ ଅନ୍ତରରେ ଯେଉଁ ଅନନ୍ତ ଶକ୍ତିର ଗୁପ୍ତଭଣ୍ଡାର ଥିଲା, ତାହା ଯଦି ପରିପକ୍ୱତା ଓ ପରିପୂର୍ଣ୍ଣତା ଲାଭ କରିପାରି ଥାନ୍ତା, ତାହାହେଲେ ସେ ନିଶ୍ଚୟ ଜଣେ କବି, ଧର୍ମଯାଜକ କିମ୍ୱା ରାଜ-ଚକ୍ରବର୍ତ୍ତୀ ହୋଇ ପାରିଥାନ୍ତେ । ବସ୍ତୁତଃ ମନୁଷ୍ୟ ତାହାର ଉପାଦାନ ଏବଂ ସମୟ ବିରୁଦ୍ଧରେ ଅଭିଯୋଗ କରିବା ସୁବିବେଚନାର କାର୍ଯ୍ୟ ନୁହେ । ତାଙ୍କର ଯୁଗ ପ୍ରତିକୁଳ ହୋଇଥିଲା, ସତ, କିନ୍ତୁ ସେ ତାକୁ ଉଜ୍ଜ୍ୱଳ କରିବା ନିମନ୍ତେ ଆବିର୍ଭୁତ ହୋଇଥିଲେ । ଜନ୍‌ସନ୍‌ଙ୍କର ଯୌବନାବସ୍ଥା ଅତିଶୟ ନୀରବ, ଶୋଚନୀୟ ନୈରାଶ୍ୟପୂର୍ଣ୍ଣ ।

 

ଯଦି ସେ ଅପେକ୍ଷାକୃତ ସଚଳ ଅବସ୍ଥାରେ ଅବସ୍ଥାପିତ ହୋଇଥାନ୍ତେ, ତେବେ ମଧ୍ୟ ତାଙ୍କର ଜୀବନ-ସଂଗ୍ରାମ ଏହିପରି ଦୁର୍ବହ ହୋଇଥାନ୍ତା । ତେଣୁ ସେ ଭଲ ଅବସ୍ଥାରେ ଥିଲେ, ପୃଥିବୀ ହୁଏତ ତାଙ୍କଠାରୁ ଆହୁରି ଅଧିକ ଆଶା କରିପାରିଥାନ୍ତା; କିନ୍ତୁ ତଥାପି ତାଙ୍କର କର୍ମପଥ କଦାପି କଣ୍ଟକଶୁନ୍ୟ ହୋଇ ନ ଥାନ୍ତା । ପ୍ରକୃତିଦେବୀ ତାଙ୍କୁ ତାଙ୍କର ମହତ୍ତ୍ୱର ପୁରସ୍କାର ସ୍ୱରୁପ ତାଙ୍କୁ ଦୁଃଖମୟ ଜୀବନ ଯାପନ କରିବାକୁ ଆଦେଶ ଦେଇଥିଲେ । ମହତ୍ୱ ସହିତ ଯାତନାର ଅଚ୍ଛେଦ୍ୟ ଓ ଅଭେଦ୍ୟ ବନ୍ଧନ । ପଦେ ପଦେ ତାଙ୍କୁ ଶାରୀରିକ ଓ ଆଧ୍ୟାତ୍ମିକ ଯାତନା ଭୋଗ କରିବାକୁ ହୋଇଥିଲା । ସେହି ଉଦାରଚେତା, ମହା ହୃଦୟ ଜନ୍‌ସନ୍‌ଙ୍କୁ ଅଜ୍ଞାତ ଓ ଅପରିଚିତ ଭାବରେ ସଂସାରରେ ବିଚରଣ କରିବାକୁ ପଡ଼ିଥିଲା । ସେହି ବିଶାଳ ସର୍ବବିଜୟୀ ଆତ୍ମା ଯେତେବେଳେ ଅକ୍‌ସଫୋର୍ଡ଼ (Oxford) ରେ ଘୋର ଶୀତକାଳରେ ଜୀର୍ଣ୍ଣଣୀର୍ଣ୍ଣ ଉପାନହ ସହିତ ଅତିଶୟ ବିଶୁଷ୍କ ଏବଂ ବିଷଣ୍ଣ ବଦନରେ କାର୍ଯ୍ୟକରି ବୁଲୁଥାନ୍ତି, ସେତେବେଳେ ତାହା କଦଖି ଜଣେ ଭଦ୍ରବ୍ୟକ୍ତି ତାଙ୍କ ବ୍ୟବହାର ଲାଗି କିପରି ଅପ୍ରକାଶ୍ୟ ଭାବରେ ତାଙ୍କ ଦ୍ୱାରଦେଶରେ ନୂତନ ଉପାନହ ଦୁଇଟି ରଖିଦେଇ ଆସିଥିଲେ ଏବଂ ପରେ ସେ ସେହି ଅଯାଚିତ ଏବଂ ନିଜର ଅନୁପାର୍ଜିତ ଧନକୁ କିପରି ଘୋର ଜୁଗୁପ୍‌ସାରେ ନାସିକା କୁଞ୍ଚନ କରି ସେ ବାତାୟନ ପଥ ଦେଇ ନିକ୍ଷେପ କରିଦେଇଥିଲେ, ସେ କଥା ବୋଧହୁଏ ଅନେକଙ୍କର ସ୍ମରଣ ଥିବା ଆର୍ଦ୍ରପାଦ, କର୍ଦ୍ଦମ, କୁଜ୍‌ଝଟିକା, ତୁଷାର ଏବଂ ଅନାହାର ଦ୍ୱାରା ଦୁର୍ବିସହ ଯନ୍ତ୍ରଣା ଭୋଗକଲେ ସୁଦ୍ଧା ସେ କିନ୍ତୁ ହୀନ ଭିକ୍ଷୁକର କାର୍ଯ୍ୟ କରିବେ ନାହିଁ । ସେ ଆତ୍ମପ୍ରତ୍ୟୟ ଓ ସ୍ୱାବଲମ୍ୱନର ଜ୍ୱଳନ୍ତ ପ୍ରତିମୂର୍ତ୍ତି । ସେ ତାଙ୍କର ସ୍ୱପାର୍ଜିତ ଧନ ଉପରେ ପୂର୍ଣ୍ଣ ନିର୍ଭର କରି ସ୍ୱୀୟ ପଦ ଉପରେ ଦଣ୍ଡାୟମାନ ।

 

ତଥାପି ତାଙ୍କର ସମସ୍ତ ମନୁଷ୍ୟତ୍ୱ ଓ ସ୍ୱାବଲମ୍ୱନ ସତ୍ତ୍ୱେ ସେ ତାଙ୍କ ଅପେକ୍ଷା ମହତ୍ତର ଶକ୍ତିର ଉପାସନା କରୁଥିଲେ । ବସ୍ତୁତଃ ସରଳ ଅକପଟ ମନୁଷ୍ୟ ମାତ୍ରେ ମହାପୁରୁଷମାନଙ୍କ ସମ୍ମୁଖରେ ନତ ହୋଇଥାନ୍ତି । ମୌଳିକତାର ଅର୍ଥ ନୂତନତ୍ୱ ନୁହେ । ଜନ୍‌ସନ୍‌ ପୁରାତନ ବସ୍ତୁରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥିଲେ । ପୁରାତନ ତଥ୍ୟମାନଙ୍କରୁ ସେ ତାଙ୍କର ଇପ୍‌ସିତ ସତ୍ୟ ଲାଭ କରି ତଦନୁସାରେ ଜୀବନ ଗଠନ କରିଥିଲେ । ସେ କେବଳ କୌଣସି କଥା ବା ମତବାଦର ବଶବର୍ତ୍ତୀ ନ ଥିଲେ । ପରନ୍ତୁ ସତ୍ୟ ଏବଂ ବିଶ୍ୱାସର ଶ୍ରେଷ୍ଠପୂଜକ ଥିଲେ । ସେପରି କୃତ୍ରିମ ଓ ପ୍ରତାରଣାପୂର୍ଣ୍ଣ ଯୁଗରେ ସେ କିପରି ସତ୍ୟାନ୍ୱେଷୀ ଥିଲେ ଏବଂ ସେ କିପରି ପୁରାତନର ତଥ୍ୟ ଆବିଷ୍କାର କରିପାରିଥିଲେ, ସେକଥା ଆଜି ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ଶ୍ରଦ୍ଧା, ଭକ୍ତି ଓ କରୁଣା ସହକାରେ ଆଲୋଚନା ଓ ପ୍ରଣିଧାନ କରିବାର ବିଷୟ । ଭଲଟେୟାର ଯୁଗରେ ଯେତେବେଳେ ଘୋର ନାସ୍ତିକତାର ବନ୍ୟାରେ ସମସ୍ତ ଦେଶ ପ୍ଳାବିତ ହୋଇଥିଲା, ସେତେବେଳେ ସୁଦ୍ଧା ଏହି ମହାପ୍ରାଣ ପ୍ରାଚୀନ ଧର୍ମ ମନ୍ଦିରରେ ନିଜର ନିଷ୍କପଟ ହୃଦୟର ଆବେଗରେ ଈଶ୍ୱର ଉପାସନା କରିଥିଲେ, ସେକଥା ଆଜି ସ୍ମରଣ କଲେ ରୋମାଞ୍ଚ ହୁଏ ଏବଂ ମନେ ହୁଏ ବାସ୍ତବିକ ସେହି ଧର୍ମମନ୍ଦିର ଯେପରି ଗୋଟିଏ ପବିତ୍ର ତୀର୍ଥସ୍ଥାନ ।

 

ତାଙ୍କରି ନିଷ୍କପଟତା ଫଳରେ ସେ ପ୍ରକୃତିର ଅଭ୍ୟନ୍ତରରେ ବାସ କରି ପ୍ରକୃତି ସହିତ କଥୋପକଥନ କରିପାରୁଥିଲେ, ସେହି ହେତୁରୁ ତଦାନୀନ୍ତନ କୃତ୍ରିମ ଭାଷାରେ ପ୍ରକାଶ କଲେ ମଧ୍ୟ ସେ ଧର୍ମୋପଦେଶକ ଓ ଭବିଷ୍ୟତ୍‌ବକ୍ତାର ଆଖ୍ୟା ପାଇ ପାରନ୍ତି । ପ୍ରତ୍ୟେକ ମତବାଦ (Formula) ପ୍ରାରମ୍ଭରୁ ଦୋଷଦୁଷ୍ଟ ନୁହେ । ମତବାଦ କେବଳ ବିଧି ଏବଂ ଅଭ୍ୟାସ, ତାହା ମନୁଷ୍ୟର ଅସ୍ଥି ମଜ୍ଜାଗତ, ବର୍ତ୍ତୁବତ୍‌ ଅନେକ ଯାତ୍ରିଙ୍କର ନିରନ୍ତର ପଦବିନ୍ୟାସରେ ତାହା ଗଢ଼ି ହୋଇ ଯାଏ । ନୂତନ ଆବିଷ୍କାରକଙ୍କୁ ପ୍ରତମେ ସେହି ପଥର ଆଶ୍ରୟ ନେବାକୁ ହୁଏ । କବି ନିଜ ହୃଦୟରେ ଏବଂ ଅନ୍ୟାନ୍ୟ ଅନେକ ପ୍ରାଣର ଭାବ ପ୍ରକାଶ କରନ୍ତି । ଜଣେ କଷ୍ଟ ସ୍ୱୀକାର କରି ନୂତନ ପଥ ନିର୍ମାଣ କରିଯାଏ, କିନ୍ତୁ ତାଙ୍କ ପରେ ଇତର ସାଧାରଣ ନିର୍ବିଘ୍ନରେ ସେହି ପଥରେ ଅଗ୍ରସର ହୁଅନ୍ତି । ଅଚଶ୍ୟ ପ୍ରତ୍ୟେକ ପଦ ବିକ୍ଷେପରେ ସେ ପଥ ନୂତନତ୍ୱ ଧରି ପାରେ, କିନ୍ତୁ ପରିଶେଷରେ ତାହା ଏତେ ସୁନ୍ଦର ବିସ୍ତାର ଲାଭ କରେ ଯେ, ସେଥିରେ ସମଗ୍ର ବିଶ୍ୱର ମାନବଜାତି ଅନାୟାସରେ ବିଚରଣ କରିପାରନ୍ତି । ଯେତେବେଳେ ସେ ପଥ କୌଣସି ନଗର କିମ୍ୱା ଦେବାଳୟ ନିକଟରେ ପହଞ୍ଚାଇ ଦିଏ ସେତେବେଳେ ଆମ୍ଭେମାନେ ତାହାକୁ ପରିତ୍ୟାଗ କରି ପାରୁ କି ? ଏହିପରି ଭାବରେ ପ୍ରତ୍ୟେକ ପାର୍ଥିବବସ୍ତୁ ନିୟମ ଓ ଶାସନ ପ୍ରଣାଳୀ ଦ୍ୱାରା ନିୟନ୍ତ୍ରିତ ହୋଇ ପୃଥିବୀକୁ ଆସେ ଏବଂ ପରେ କାଳକବଳରେ ପଡ଼ି ପୁରି ବିଲୟ ଭଜେ । ପ୍ରତ୍ୟେକ ମତବାଦରେ ପ୍ରଥମେ ଅବଶ୍ୟ କିଛି ନା କିଛି ପ୍ରକୃତ ସାରବସ୍ତୁ ଥାଏ । ଯେତେବେଳଯାଏ ଉପାସକର ମନରେ ସନ୍ଦେହ ବହ୍ମି ଜଳି ନାହିଁ । ସେ ପର୍ଯ୍ୟନ୍ତ ପ୍ରତିମା ପୂଜାରେ କୌଣସି ଦୋଷ ନାହିଁ ।

 

ଜନ୍‌ସନ୍‌ କଦାପି ତାଙ୍କର ସାରଲ୍ୟ ବା ନମ୍ରତାର ଗର୍ବ କରି ନାହାନ୍ତି, ବୀରପୁରୁଷ କିମ୍ୱା ମନୀଷୀମାନଙ୍କର ଦୁରୂହ ଚେଷ୍ଟା ଯେ, ସେମାନେ ଅନଶନରେ ପ୍ରାଣତ୍ୟାଗ ନ କରି କିପରି ସାଧୁ ଭାବରେ ଜୀବିକା ଉପାର୍ଜନ କରି ପାରିବେ । ସାରଲ୍ୟ ଅଜ୍ଞାତସାରରେ ତାଙ୍କ ମଧ୍ୟରେ ସର୍ବଦା ବିଦ୍ୟମାନ । ତାଙ୍କର ସତ୍ୟାନୁବର୍ତ୍ତିତା ବାହାରେ ପ୍ରକାଶ ପାଏ ନାହିଁ, ଅଥଚ ସେ ସତ୍ୟ ମଞ୍ଚରେ ସତତ ଦଣ୍ଡାୟମାନ ଏବଂ ସତ୍ୟ ଦ୍ୱାରା ସତତ ପରିଚାଳିତ । ସେହି ବିଶାଳ, ଉନ୍ମୁକ୍ତ ଗମ୍ଭୀର ହୃଦୟ ପକ୍ଷରେ ପ୍ରକୃତି ଜ୍ୱଳନ୍ତ ସତ୍ୟ ରୂପେ ପ୍ରତିଭାତ । ସତ୍ୟ ପ୍ରତି ଗଭୀର ବିଶ୍ୱାସ ନ ଥିଲେ, ସତ୍ୟର ଅନୁଭୂତି ନ ଥିଲେ ସେ କିପରି ନିଜ ପଦରେ ଦଣ୍ଡାୟମାନ ହୋଇପାରିଥାନ୍ତେ ।

 

ଜନ୍‍ସନ୍‍ ତାଙ୍କ ଦେଶବାସୀଙ୍କ ପକ୍ଷେ ଜଣେ ଧର୍ମୋପଦେଶକ । ସେ ଗୋଟିଏ ସତ୍ୟ-ନୈତିକ ସତ୍ୟ-ପ୍ରଚାର କରିଥିଲେ, ତାହା ଏହି ‘‘ମନୁଷ୍ୟ ପକ୍ଷରେ ପୃଥିବୀରେ ବହୁତ କରଣୀୟ ବସ୍ତୁ ଅଛି ଏବଂ ମନୁଷ୍ୟର ପରିମିତି ଜ୍ଞାନଯୋଗୁଁ ଅଧିକାଂଶ ତଥ୍ୟ ଅଜ୍ଞାତ ହୋଇ ରହେ । ଅବଶ୍ୱାସ କିମ୍ୱା ସନ୍ଦେହରୂପ ଅକୂଳ ମହସାଗର ମଧ୍ୟରେ ନିମଜ୍ଜିତ ହୁଅ ନାହିଁ । ତାହା ହେଲେ ତୁମ୍ଭଙ୍କୁ ନିରୂପାୟ, ଶକ୍ତିହୀନ, ଶ୍ରୀହୀନ ଏବଂ ଉନ୍ମତ୍ତ ପ୍ରାୟ ବିକୃତ ମସ୍ତିସ୍କ ହେବାକୁ ପଡ଼ିବ’’ । ସେ ଏହି ଅମୂଲ୍ୟ ଉପଦେଶ ନିରନ୍ତର ଲୋକ ସାଧାରଣରେ ପ୍ରଚାର କରୁଥିଲେ–‘‘ବାସ୍ତବ ଅବାସ୍ତବ, ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ ମଧ୍ୟରେ ପାର୍ଥକ୍ୟ ଅନୁଭବ କରି ମନରୁ ସମସ୍ତ ପାପ, କଳଙ୍କ ଦୂର କର । କୃତ୍ରିମତା ନିକଟକୁ ଯାଅ ନାହିଁ ।’’

 

ଜନ୍‌ସନ୍‌ଙ୍କ ଲେଖାବଳୀ ଯାହା କି ଏକସମୟରେ ବିଶେଷଭାବେ ପ୍ରଚଳିତ ହୋଇ ପ୍ରତିଷ୍ଠା ଲାଭ କରିଥିଲା, ତାହା ଏବେ ନବୀନ ଯୁବକଙ୍କ ଦ୍ୱାରା ଅବହେଳିତ ଓ ଉପେକ୍ଷିତ ! ଏହା ଆଶ୍ଚର୍ଯ୍ୟର ବିଷୟ ନୁହେ । ତାଙ୍କ ମତ ବର୍ତ୍ତମାନ ଅପ୍ରଚଳିତ ହେଲେହେଁ ତାଙ୍କ ଚିନ୍ତା-ପ୍ରବାହ ଓ ପ୍ରଣାଳୀ ଚିରକାଳ ଅକ୍ଷୂର୍ଣ୍ଣ ରହିଥିବ । ତାଙ୍କ ସାହିତ୍ୟରେ ତାଙ୍କର ବହୁମୁଖୀ ପ୍ରତିଭା ଏବଂ ବିଶାଳ ହୃଦୟବତ୍ତାର ଚିହ୍ନ, ପ୍ରତ୍ୟେକ ପତ୍ର ଏବଂ ପ୍ରତ୍ୟେକ ପଂକ୍ତି ମଧ୍ୟରେ ବିରାଜମାନ । ତାଙ୍କର ଭାଷା ଗମ୍ଭୀର, ସରଳ ଏବଂ ବାଗ୍ମିତାପୂର୍ଣ୍ଣ । ସେ ଯଦି ଅନ୍ୟ କିଛି ନ ଲେଖି ତାଙ୍କର ଅଭିଧାନ ଖଣ୍ଡିଏ କେବଳ ରଖିଯାଇଥାନ୍ତେ, ତେବେ ସେଥିରେ ତାଙ୍କର ଶକ୍ତି, ବୁଦ୍ଧି, ପ୍ରତିଭା ତଥା ବିବେକ ଅକ୍ଷୂନ୍ନ ରହିଥାନ୍ତା । ତାଙ୍କର ପ୍ରାଞ୍ଜଳ ସଂଜ୍ଞା ଗୁରୁତା, ସାଧୁତା, ଅନ୍ତର୍ଦୃଷ୍ଟି ଏବଂ ଅଭିନବ ପ୍ରଣାଳୀ । ଯହିଁରେ ସନ୍ନିବଦ୍ଧ ତାହାହିଁ ସର୍ବଶ୍ରେଷ୍ଠ ଶବ୍ଦକୋଷ । ସେଥିରେ ଶିଳ୍ପନୈପୁଣ୍ୟ ପୂର୍ଣ୍ଣମାତ୍ରରେ ବିରାଜିତ ।

 

ଯାହାହେଉ ତାଙ୍କ ପ୍ରତି ବସଓଏଲ୍‌ଙ୍କର ଶ୍ରଦ୍ଧା, ଭକ୍ତି ଓ ଅନୁରାଗ, ବାସ୍ତବିକ ପ୍ରଶଂସ୍ୟ । ସ୍କଟ୍‌ଲାଣ୍ଡର ତଦାନୀନ୍ତନ ମଦମତ୍ତ ଅହଙ୍କାରୀ ଲର୍ଡ଼ ବସ୍‌ଓଏଲ୍‌ ବିସ୍ମୟାନନ୍ଦ ହୃଦୟରେ ଜନ୍‌ସନ୍‌ ସଦୃଶ ବ୍ୟକ୍ତିଙ୍କର ଅର୍ଚ୍ଚନା କରିବା କେବଳ ତାଙ୍କର ବିଶାଳ ହୃଦୟ ଏବଂ ମହାପୁରୁଷ ଉପାସନାର ଓ ଗୁଣଗ୍ରାହିତାର ଅନୁପମ ନିଦର୍ଶନ । ଫରାସୀ ଦେଶର ଗୋଟିଏ ପ୍ରଚଳିତ କଥା ଅଛି ଯେ, ଭୃତ୍ୟ ନିକଟରେ କେହି ବୀର ନୁହନ୍ତି; କିନ୍ତୁ ତହିଁରେ ବୀରଙ୍କର ଦୋଷ ନାହିଁ-ଦୋଷ କେବଳ ସେହି ଶରୀରରକ୍ଷୀ ଭୃତ୍ୟର । ସେ ଭାବେ ଯେ ବୀର ନାଟକୀୟ ଭୂମିକାରେ ଅବତୀର୍ଣ୍ଣ ହେଲା ସମୟରେ ଯେପରି ସାଜସଜ୍ଜା ଓ ପାତ୍ର ମନ୍ତ୍ରୀ ପରିବେଷ୍ଟିତ ହୋଇଥାନ୍ତି, ତାର ପ୍ରଭୁ ମଧ୍ୟ ସେହିପରି ସର୍ବଦା ହେବା ଉଚିତ । ତେଣୁ ସେ ସାଧାରଣ ପରିଚ୍ଛଦଧାରୀ ବୀରଙ୍କୁ ଚିହ୍ନି ପାରେ ନାହିଁ । ମନ୍ଦମତି ମହତ୍‌ ବ୍ୟକ୍ତିଙ୍କର ମହତ୍ତ୍ୱ ହୃଦୟଙ୍ଗମ କରିବ କାହୁଁ ? ଗୁଣକୁ କେବଳ ଗୁଣୀ ଚିହ୍ନପାରେ ସିନା ?

 

ପରିଶେଷରେ ଏତିକି ବକ୍ତବ୍ୟ ଯେ, ବସ୍‌ଓୟେଲ୍‌ଙ୍କ ଶ୍ରଦ୍ଧା, ଭକ୍ତି ପ୍ରଭୃତି ସତ୍‌ପାତ୍ରରେ ଅର୍ପିତ ଓ ଉତ୍ସର୍ଗୀକୃତ । ସମଗ୍ର ଇଂଲଣ୍ଡରେ ସେ ଏପରି ଜଣଙ୍କୁ ପାଇ ନ ଥିଲେ । ଯାହାଙ୍କୁ ସେ ତାଙ୍କର ହୃଦୟର ଶ୍ରଦ୍ଧା, ଭକ୍ତି ଅର୍ପଣ କରି ଅର୍ଚ୍ଚନା କରିବେ । ଜନ୍‍ସନ୍‍ ମଧ୍ୟ ତଦ୍ରୂପ କ’ଣ ବୀରୋଚିତ ଭାବରେ, ପ୍ରଜ୍ଞା ସହକାରେ ତାଙ୍କର ଜୀବନତରୀ ପରିଚାଳିତ କରି ନାହାନ୍ତି ? ସାହିତ୍ୟିକ ବ୍ୟବସାୟର ଗଣ୍ଡଗୋଳ ଓ ଅଶାନ୍ତିରେ ଧର୍ମ ଜଗତର ଅଶାନ୍ତି ଅବିଶ୍ୱାସ ଓ ନିରୀଶ୍ୱର ବାଦ ମଧ୍ୟରେ ଘୋର ଦାରିଦ୍ର୍ୟରେ, ଶାରୀରିକ କ୍ଳେଶ ଓ ଯାତନାରେ, ପାରିବାରିକ ଅଶାନ୍ତିରେ, ସେ ମହାପରାକ୍ରାନ୍ତ ବୀରପୁରୁଷ ଭାବରେ କାର୍ଯ୍ୟ କରିଅଛନ୍ତି । ତାଙ୍କର ଦୃଷ୍ଟି ସେହି ଜଗତ୍‍ନିୟନ୍ତା ଜଗଦୀଶ୍ୱରଙ୍କ ଠାରେ ନିହିତ ଥିବାରୁ ସଂସାରର କୌଣସି ତାପ, କ୍ଳେଶ, ବେଦନା, ଅଶାନ୍ତି, ବିପ୍ଳବ ତାଙ୍କର ମନକୁ ତାଙ୍କର ଧ୍ରୁବତାରାଠାରୁ ଭ୍ରଷ୍ଟ କରି ପାରି ନ ଥିଲା । ପ୍ରାଣ-ବିନିମୟରେ ସୁଦ୍ଧା ସେ ମିଥ୍ୟା ପ୍ରବଞ୍ଚନାର ଧ୍ୱଜା ଉତ୍ତୋଳ କରି-ନ ଥିଲେ । ଧନ୍ୟ ତୁମ୍ଭେ ଜନ୍‌ସନ୍‌ ! ଧନ୍ୟ ତୁମ୍ଭର ବୀରତ୍ୱ-!! ଧନ୍ୟ ତୁମ୍ଭର ଜନ୍ମ !!!

 

ରୁଷୋ ବିଶେଷ ଶକ୍ତିଶାଳୀ ବ୍ୟକ୍ତି ନ ଥିଲେ । ସେ ଥିଲେ ନୀରସ, କୋପନସ୍ୱଭାବ ଏବଂ ବିଶେଷ ଭାବପ୍ରବଣ; କିନ୍ତୁ ତାଙ୍କର ମୌନଭାବ ବିଶେଷ ନ ଥିବାରୁ ତାଙ୍କର ବାକ୍‌ସଂଯମର ଅଭାବ ଥିଲା । ମହତ୍ତ୍ୱର ପ୍ରଥମ ନିଦର୍ଶନ-ଗାମ୍ଭୀର୍ଯ୍ୟ ଏବଂ ବିପଦରେ ଧୈର୍ଯ୍ୟ ଓ ପ୍ରଶାନ୍ତ ଭାବ-ରୁଷୋଙ୍କର ନ ଥିଲା । ଉନ୍ମାଦନା ଓ କଠୋରତାକୁ ପ୍ରକୃତ ବଳ କିମ୍ୱା ଶକ୍ତିର ଆଖ୍ୟା ଦେବା ଅବିବେଚନାର କାର୍ଯ୍ୟ । ଯାହାଙ୍କଠାରେ ଉନ୍ମାଦନାର ଚିହ୍ନ ଅଛି, ସେ କେବେହେଁ ଶାକ୍ତିଶାଳୀ ନୁହନ୍ତି, ଯେଉଁ ବ୍ୟକ୍ତି ଘୋର ବିପତ୍ତିରେ ଧୈର୍ଯ୍ୟ ଅବଲମ୍ୱନ ପୂର୍ବକ ଅବିଚଳିତ ହୃଦୟରେ କର୍ମ କ୍ଷେତ୍ରରେ ଅଗ୍ରସର ହୋଇପାରନ୍ତି, ସେହି ଏକା ପ୍ରକୃତ ବୀର ।

 

ରୁଷୋଙ୍କ ମୁଖହିଁ ତାଙ୍କର ଚରିତ୍ର ବ୍ୟଞ୍ଜକ । ତାଙ୍କର ବଦନମଣ୍ଡଳ ବିଷାଦକ୍ଳିଷ୍ଟ, ନୀଡ଼ଭାବାପନ୍ନ ଏବଂ ଆବେଗପୂର୍ଣ୍ଣ । ଅନେକ ଦୋଷ ଓ ଅଭାବ ସତ୍ତ୍ୱେ ହିଁ ତାଙ୍କଠାରେ ବୀରର ଗୋଟିଏ ପ୍ରଧାନ ଗୁଣ ଥିଲା, ସତ୍ୟପ୍ରିୟତା ତାଙ୍କର ଯେପରି ପ୍ରଗାଢ଼ ସତ୍ୟାନୁରାଗ ତାହା ସେ ଯୁଗରେ ତାଙ୍କ ଦେଶବାସୀଙ୍କ ମଧ୍ୟରେ ଲକ୍ଷିତ ହୁଏ ନାହିଁ ।

 

ତାଙ୍କର ପ୍ରଧାନ ଦୋଷ ଏବଂ ଉନ୍ନତିର ପ୍ରଧାନ ଅନ୍ତରାୟ-ଅହଂଭାବ । ସେ କ୍ଷୁଦ୍ର ସ୍ୱାର୍ଥଜଡ଼ିତ ବାସନା ଦମନ କରିପାରି ନ ଥିଲେ । ତାଙ୍କର ଜୀବନର ପ୍ରତ୍ୟେକ କାର୍ଯ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ସେହି ତୃଷା ବଳବତୀ ହୋଇ ତାଙ୍କୁ ପଥ ପ୍ରଦର୍ଶନ କରିଥିଲା ଲୋକମୁଖରୁ ପ୍ରଶଂସାବାଦ ଶ୍ରବଣ ତାଙ୍କ ପ୍ରତ୍ୟେକ କାର୍ଯ୍ୟରେ ବଳ ଦେଉଥିଲା । ସ୍ତୁତିବାଦ ଓ ପ୍ରଶଂସା ଲାଭ କରିବା ତାଙ୍କ ହୃଦୟର ଏକମାତ୍ର ଆକାଂକ୍ଷା ଥିଲା । ବେନିଲିସ୍‌ ନାମରେ ତାଙ୍କର ଜଣେ ମହିଳାବନ୍ଧୁ ତାଙ୍କୁ ନିଜେ ଗୋଟିଏ ନାଟ୍ୟାଭିନୟ ଦେଖିଯିବା ନିମନ୍ତେ ବିଶେଷ ଅନୁରୋଧ କରିବାରେ ରୁଷୋ କହିଲେ ଯେ, ତାଙ୍କର ଯଦି ଆତ୍ମପ୍ରକାଶ ନ ହୁଏ, ଅର୍ଥାତ୍‌ ସେ ଯଦି ଅଜ୍ଞାତଭାବରେ ସେଠାକୁ ଯାଇ ଆସି ପାରନ୍ତି, ତେବେ ସେ ସେଠାକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ସେହି ସର୍ତ୍ତରେ ସେ ତାଙ୍କୁ ନେବାକୁ ବାଧ୍ୟ ହଲେ । କାରଣ ରୁଷୋ ମନରେ ଭବିଥିଲେ ଯେ, ସେଠାରେ ଲୋକେ ତାଙ୍କୁ ଦେଖି ପାରିଲେ ବିଶେଷ କୋଳାହଳ କରି ତାଙ୍କର ସମ୍ୱର୍ଦ୍ଧନା କରିବେ; କିନ୍ତୁ ବିଧିର ବିଡ଼ମ୍ୱନାରେ ସେହି ଅଜ୍ଞାତ ଛଦ୍ମବେଶ ବେଶୀକ୍ଷଣ ରହିଲା ନାହିଁ । ଲୋକେ ସମସ୍ତେ ତାଙ୍କୁ ଚିହ୍ନି ପାରିଲେ, କିନ୍ତୁ କେହି ତାଙ୍କର ତତ୍ୱ ନେଲେ ନାହିଁ । ସେଥିରେ ସେ ହୃଦୟରେ ଦାରୁଣ ବ୍ୟଥା ଅନୁଭବ କରିଥିଲେ । ସମସ୍ତ ରାତ୍ରି ଅଶାନ୍ତି ଓ ବିଶାଦରେ ଯାପନ କରିଥିଲେ ଏବଂ ତୀବ୍ରସ୍ୱର ବ୍ୟତୀତ ମଧୁର ସ୍ୱରରେ ଆଦୌ କଥାବାର୍ତ୍ତା କରି ନ ଥିଲେ । ତାଙ୍କର ବନ୍ଧୁ ତାଙ୍କ କ୍ରୋଧର ହେତୁ ସ୍ପଷ୍ଟ ହୃଦୟଙ୍ଗମ କରି ପାରିଥିଲେ-। ସେ କ୍ରୋଧ-ଲୋକମାନଙ୍କଦ୍ୱାରା ଦୃଷ୍ଟ ହେବାରୁ ନୁହେ, ମାତ୍ର ଲୋକମାନଙ୍କର ତାଙ୍କ ପ୍ରତି ସମ୍ୱର୍ଦ୍ଧନା ଏବଂ ଅର୍ଚ୍ଚନାର ଅଭାବ ହେତୁ ତାଙ୍କର ମନର ଭାବ କିପରି ସନ୍ଦେହ, ଅବିଶ୍ୱାସ, ଆତ୍ମଶ୍ଲାଘା, ସ୍ୱାତନ୍ତ୍ର୍ୟ ଏବଂ ସର୍ବୋପରି ବିଶାଦ ଦ୍ୱାରା ଅଭିଭୂତ ହୋଇ ଯାଇଥିଲା । ସେ କାହାରି ସହିତ ଏକତ୍ର ବାସ କରିପାରୁ ନ ଥିଲେ । ତଥାପି ରୁଷୋଙ୍କର ଜନନୀମାନଙ୍କୁ ସକରୁଣ ଆବେଗଭରା ନିବେଦନ ତାଙ୍କର ‘Social Contract’ ପୁସ୍ତକ, ପ୍ରକୃତିଦେବୀଙ୍କର ଭକ୍ତିପୂର୍ଣ୍ଣ ଅର୍ଚ୍ଚନା ଇତ୍ୟାଦି ପୁଣି ଥରେ ସତ୍ୟର ତାରରେ ବାଜି ଉଠିଥିଲା । ସତ୍ୟଲାଭ ନିମନ୍ତେ ବିରାଟ ପ୍ରଚେଷ୍ଟା–ଏହାହିଁ ତାଙ୍କର ଧର୍ମ୍ମୋପଦେଷ୍ଟାର କାର୍ଯ୍ୟ । ତାଙ୍କର ଦୋଷ, ଅଭାବ, ମାନସିକ ଆବର୍ଜନାରାଶି ମଧ୍ୟରେ ଏବଂ ଉନ୍ମାଦନାରେ ତାଙ୍କର ହୃଦୟର ଅନ୍ତସ୍ଥଳରେ ସ୍ୱର୍ଗୀୟ ଆଲୋକର ଗୋଟିଏ ଶିଖା ସର୍ବଦା ପ୍ରଦୀପ୍ତ । ପୁଣି ଥରେ ସେହି ଅବିଶ୍ୱାସ ବାଦ, ନାସ୍ତିକ ବାଦ ଆବର୍ଜନା ମଧ୍ୟରୁ ତାଙ୍କ ପ୍ରାଣରେ ଗୋଟିଏ ପ୍ରେରଣା ଆସିଥିଲା ଯେ, ଏହି ମାନବ ପ୍ରାଣମିଥ୍ୟା ନୁହେ-ଜ୍ୱଳନ୍ତ ସତ୍ୟ । ପ୍ରକୃତି ଦେବୀ ତାଙ୍କ ସମକ୍ଷରେ ଏହି ସତ୍ୟ ଉଦ୍‌ଘାଟନ କରିଅଛନ୍ତି ଏବଂ ତାହା ପ୍ରଚାର କରିବା ନିମନ୍ତେ ଯେପରି ତାଙ୍କୁ ଆଦେଶ ପ୍ରଦାନ କରିଅଛନ୍ତି । ତାଙ୍କର ଶକ୍ତି ଅନୁଯାୟୀ ସେ ତାହା ପରିଷ୍କାର ଭାବରେ ପ୍ରକାଶ କରିବାକୁ ପ୍ରୟାସ କରିଅଛନ୍ତି । ସେଥି ନିମନ୍ତେ ମନୁଷ୍ୟମାନେ ଅଥୟ କିମ୍ୱା ଅସ୍ଥିର ହେବା ଉଚିତ ନୁହେଁ । ଯେ ଯେପରି ଭାବରେ ସମର୍ଥ, ତାଙ୍କୁ ସେହି ଭାବରେ କାର୍ଯ୍ୟ କରିବାକୁ ସୁବିଧା ଓ ସୁଯୋଗ ଦିଅ । ପ୍ରାଣ ଥିବା ପର୍ଯ୍ୟନ୍ତ ମନୁଷ୍ୟର ଆଶା ବର୍ତ୍ତମାନ ।

 

ତଦ୍ଦେଶୀୟ ସାହିତ୍ୟସେବିଙ୍କ ମଧ୍ୟରେ ରୁଷୋ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିଲେହେଁ । ସେ ଉତ୍କୃଷ୍ଟ ସାହିତ୍ୟିକ ନୁହନ୍ତି । ତାଙ୍କର ଲେଖାବଳୀ ଉଚ୍ଚଦରର ସାହିତ୍ୟ ନୁହେ । ତାଙ୍କର ମାନସିକ ତରଳତା ସହିତ ତୀକ୍ଷ୍‍ଣ ପ୍ରତିଭା ଅବିମିଶ୍ର ଭାବରେ ଏପରି ସଂଯୁକ୍ତ ରହି ଅଛିଯେ, ତଦ୍ଦ୍ୱାର ତାଙ୍କର ପ୍ରତ୍ୟେକ ଚିତ୍ର ଚିତ୍ତାକର୍ଷକ ଓ ମନୋମୁଗ୍‌ଧକର ହୋଇଅଛି; କିନ୍ତୁ ବାସ୍ତବରେ ତହିଁରେ ପ୍ରକୃତ କବିତାର ଅଭାବ, ତହିଁରେ ଉଜ୍ଜ୍ୱଳ ସୂର୍ଯ୍ୟ କିରଣର ପ୍ରଭା ନାହିଁ । ଅଛି କେବଳ ଆପାତ ମଧୁର କୃତ୍ରିମ ଗୋଲାପୀ ରଙ୍ଗର ମନୋହାରିତ୍ୱ । କେବଳ ତାଙ୍କରି ନୁହେ; ତାଙ୍କ ସମୟରୁ ପ୍ରାୟ ସମସ୍ତ ଫରାସୀ ଲେଖକଙ୍କଠାରେ ଏହି କୃତ୍ରିମତା ଓ ଅସ୍ୱାଭାବିକତା ଦୃଷ୍ଟିଗୋଚର ହୁଏ । ଫରାସୀ ନବୀନ ସାହିତ୍ୟ (Romantic School) ରେ ମଧ୍ୟ ଏହା ପ୍ରଚୁର ପରିମାଣରେ ଦେଖିବାକୁ ମିଳେ; କିନ୍ତୁ ଥରେ ସେକ୍‌ସପିଅର କିମ୍ୱା ଗୋଇଥେ କିମ୍ୱା ସ୍କଟ୍‌ଙ୍କ ପ୍ରତି ଦ୍ରୁକ୍‌ପାତ କଲେ ସ୍ପଷ୍ଟ ବୋଧଗମ୍ୟ ହେବ ଯେ, କେଉଁଟି ସତ୍ୟ ଏବଂ କେଉଁଟି ଆପାତ ସତ୍ୟ ।

 

ଆମ୍ଭେମାନେ ପୂର୍ବରୁ ଜନସନ୍‌ଙ୍କଠାରେ ଲକ୍ଷ୍ୟକରିଛୁ ଯେ, ଗଣ୍ଡଗୋଳ ବିଶୃଙ୍ଖଳା ମଧ୍ୟରେ ସେ କିପରି ଉପଦେଷ୍ଟାର ଏବଂ ମହାନୁଭବର କାର୍ଯ୍ୟ ସମ୍ପନ୍ନ କରି ଯାଇଅଛନ୍ତି; କିନ୍ତୁ ରୁଷୋଙ୍କଠାରେ ଏହାର ବିପରୀତ ଭାବ ଲକ୍ଷିତ ହୁଏ । ପାରିସ୍‌ ଜେଲରେ ନିର୍ବାସନଭୋଗ ଏବଂ ଅବଶେଷରେ ସ୍ୱଭାବଜନିତ ମସ୍ତକବିକୃତି ତାଙ୍କୁ ଉତ୍ତମରୁପେ ଜଣାଇ ଦେଇଥିଲା ଯେ, ଏ ସଂସାର ତାଙ୍କର ବନ୍ଧୁ ନୁହେ ଏବଂ ଏହାର ନିୟମ ତାଙ୍କର ଅନୁକୁଳ ନୁହେ । କାରଗାରରେ ବଦ୍ଧ ହୋଇ ପଡ଼ି ରହିବାକୁ, ପାଗଳ ବୋଲି ଲୋକମାନଙ୍କ ଦ୍ୱାରା ହାସ୍ୟାସ୍ପଦ ହେବାକୁ ଏବଂ ବନ୍ୟ ପଶୁବତ୍‌ ଅନଶନରେ ପ୍ରାଣ ବିସର୍ଜନ କରିବାକୁ ତାଙ୍କୁ ଛାଡ଼ି ଦିଆ ହୋଇଥିଲା; କିନ୍ତୁ ସମଗ୍ର ପୃଥିବୀରେ ଅଗ୍ନି ସଂଯୋଗ କରିବାକୁ ତାଙ୍କୁ କେହି ବାଧା ଦେଇ ପାରି ନ ଥିଲା । ଫରାସୀ ରାଷ୍ଟ୍ରବିପ୍ଳବ ରୁଷୋଙ୍କଠାରେ ଉପଯୁକ୍ତ ପୁରୋଧା ଓ ମୁକ୍ତିଦାତା ପାଇଥିଲା ।

 

ଆଧୁନିକ ସଭ୍ୟତାର ବିଷମୟ ଫଳ ଏବଂ ସଭ୍ୟଜୀବନ ଅପେକ୍ଷା ଆଦିମ ପ୍ରାକୃତଜୀବନର ଉତ୍କର୍ଷ ମହତ୍ତ୍ୱ ପ୍ରଭୃତି ବିଷୟରେ ଓଜସ୍ୱିନୀ ଭାଷାରେ ପ୍ରକାଶିତ ତାଙ୍କର ମତବାଦ ନିଖିଳ ଫରାସୀଦେଶରେ ଏକ ଅଭିନବ ସ୍ପନ୍ଦନ ଆନୟନ କରିଥିଲା । ଏହିଠାରେ ରୁଷୋଙ୍କ ବିଷୟ ସାଙ୍ଗ ହେଲା ।

 

ମୃତକଳ୍ପ, ଅବିଶ୍ୱାସୀ ଅଷ୍ଟାଦଶ ଶତାବ୍ଦୀର କୃତ୍ରିମ ମନୁଷ୍ୟମାନଙ୍କ ମଧ୍ୟରେ ରବଟ ବର୍ଣ୍ଣସ୍‌ ରୂପରେ ଜଣେ ଅକୃତ୍ରିମ ମନୁଷ୍ୟଙ୍କ ଆବିର୍ଭାବ ଅତି ଆଶ୍ଚର୍ଯ୍ୟ ଓ ଅଦ୍ଭୁତ ବ୍ୟାପାର ରୁପେ ପରିଗଣିତ । ଭୀଷଣ ମରୁପ୍ରାନ୍ତରରେ ଜଳାଶୟବତ୍‌ ସେ ଆବିର୍ଭୂତ ହେଲେ । ତାଙ୍କର କିପରି ଅଭ୍ୟର୍ଥନା ହେବ, ତାହା କେହି ସ୍ଥିର କରି ପାରିଲେ ନାହିଁ । ଗୋଟିଏ ତପ୍ତ ଅଗ୍ନିକଣା ମନେ କରି ଲୋକେ ତାଙ୍କୁ ପ୍ରତ୍ୟାଖାନ କଲେ । ଏପରି ଘୋର ପ୍ରବଞ୍ଚନାପୂର୍ଣ୍ଣ ବ୍ୟବହାର ବୋଧ ହୁଏ କାହାରି ଭାଗ୍ୟରେ ଘଟି ନାହିଁ । ଭାସ୍କର ବିମ୍ୱତଳେ ପୁଣି ଏକ ମହାପ୍ରାଣରେ ଦୁଃଖ ଯାତନାପୂର୍ଣ୍ଣ ନାଟକ ଅଭିନୀତ ହୋଇଗଲା । ବର୍ଣ୍ଣସ୍‍ଙ୍କ ଦୁଃଖପୂର୍ଣ୍ଣ ଜୀବନ ବୋଧହୁଏ ଆଉ କାହାରି ଭାଗ୍ୟରେ ଘଟି ନାହିଁ । ଏଡ଼େ ବଡ଼ ପ୍ରତିଭାର ଏପରି ଅପଚୟ ! ସେ ଦରିଦ୍ର କୃଷକଗୃହରେ ଜନ୍ମଲାଭ କରିଥିଲେ । ସମଗ୍ର ବ୍ରିଟିଶ୍‌ ଦେଶର ଜଣେ ମହାତ୍ମା ପୁଣି ଥରେ ସ୍କଟଲାଣ୍ଡ ଦେଶୀୟ କୃଷକ ରୂପେ ଅବତୀର୍ଣ୍ଣ ହୋଇଥିଲେ ।

 

ତାଙ୍କର ପିତା ଅତିଶୟ ଦରିଦ୍ର ଓ ପରିଶ୍ରମୀ ଥିଲେ ଏବଂ ତାଙ୍କର ଚେଷ୍ଟା ଓ ଉଦ୍ୟମ ନାନାଦିଗରେ ବିଫଳ ହେବାରୁ ତାଙ୍କୁ ସର୍ବଦା ନିରତିଶୟ ସାଂସାରିକ ଜ୍ୱାଳା ଯନ୍ତ୍ରଣା ନୀରବରେ ଅବିଚଳିତ ହୃଦୟରେ ସହ୍ୟ କରିବାକୁ ହେଉଥିଲା ଏବଂ ଦୁଃଖ ଦୈନ୍ୟ ତାଙ୍କର ଚିରସହଚର ହୋଇ ରହିଥିଲା । ତାଙ୍କର ଗୃହସ୍ୱାମୀ ସର୍ବଦା ତାଙ୍କୁ ଗୃହଚ୍ୟୁତ କରିବା ନିମନ୍ତେ ଭୀତି ପ୍ରଦର୍ଶନ କରି ଅତୀବ ତୀବ୍ରଭାଷାରେ ପତ୍ର ଲେଖୁଥିଲେ । ସେ ପତ୍ର ପାଠ କଲାବେଳେ ତାଙ୍କ ଚକ୍ଷୁରୁ ଅବିରଳ ଅଶ୍ରୁଧାରା ପ୍ରବାହିତ ହେଉଥିଲା । ଏଡ଼େ ବଡ଼ ବିଶାଳ ପୃଥିବୀରେ ତାଙ୍କପାଇଁ ସ୍ଥାନ ନାହିଁ । ତାଙ୍କର ନିଭୀକ, କଷ୍ଟସହିଷ୍ଣୁ, ଅକ୍ଳାନ୍ତ ପରିଶ୍ରମୀ ପିତା ଜଣେ ନୀରବ ବୀର ଏବଂ ମୁକ କବି ଥିଲେ । ତାହା ହୋଇ ନ ଥିଲେ ପୁତ୍ରଙ୍କ ପକ୍ଷରେ ଲବି ହେବା ସମ୍ଭବପର ହୋଇ ନ ଥାନ୍ତ । ବର୍ଣ୍ଣସ୍‌ଙ୍କ ବାଲ୍ୟଶିକ୍ଷକ ଲଣ୍ଡନ ନଗରର ଉନ୍ନତ ସଭ୍ୟସମାଜରେ ରହି ସମାଜର ସମସ୍ତ ବିଷୟ ଉତ୍ତମରୁପେ ହୃଦୟଙ୍ଗମ କରିବାର ସୁଯୋଗ ପାଇଥିଲେ । କିନ୍ତୁ ସେ କହନ୍ତି ଯେ, ଉକ୍ତ କୃଷକ ଘରେ ସେ ଯେପରି ମଧୁର ଆଳାପ, ଆଦର ଓ ଆନନ୍ଦ ଲାଭ କରି ବିମୁଗ୍ଧ ହୋଇଥିଲେ, ସେକରି ଅନ୍ୟ କୌଣସିଠାରେ ତାଙ୍କ ଭାଗ୍ୟରେ ଘଟି ଥିଲା ।

 

ତାଙ୍କୁ ପ୍ରତ୍ୟେକ ଦିନ ଭୀଷଣ ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡ଼ୁଥିଲା । ବୁଦ୍ଧିମାନ୍, ବିଶ୍ୱସ୍ତ, ଅଜେୟ, ନିର୍ଭୀକ ସେ ବିକ୍ରମ ସହକାରେ ସମସ୍ତ ଜୟ କରୁଥିଲେ । ସେ ଅଜ୍ଞାତ ଭାବରେ ବୀରର କାର୍ଯ୍ୟ କରୁଥିଲେ । ଅବଶ୍ୟ କୌଣସି ସଂବାଦପତ୍ରର ଛତ୍ରରେ ତାଙ୍କର ବିକ୍ରମ ଓ ମହତ୍ତ୍ୱ ଉଦ୍‌ଘୋଷିତ ହୋଇ ନ ଥିଲେହେଁ ସେ କେବେହେଁ ଜୀବନରେ ହତପ୍ରଭ ହୋଇ ନାହାନ୍ତି କିମ୍ଭା ସମୂଳେ ବିଲୟ ଭଜି ନାହାନ୍ତି ବର୍ଣ୍ଣସ୍‌ ଏହିପରି ଜଣେ ପିତାଙ୍କର ଉପଯୁକ୍ତ ପୁତ୍ର ଥିଲେ ।

 

ରବର୍ଟ ବର୍ଣ୍ଣିସ୍‌ ନାନାବିଧ ଅସୁବିଧା ଓ ପ୍ରତିକୂଳ ଅବସ୍ଥାରେ ଜନ୍ମଗ୍ରହଣ କରିଥିଲେ । ଅଶିକ୍ଷିତ, ଦରିଦ୍ର, କଠିନ ଶାରୀରିକ ପରିଶ୍ରମ ନିମିତ୍ତ ସେ ଅଭିପ୍ରେତ ଏବଂ ତାହାଙ୍କର ଲେଖାବଳୀ ଗ୍ରାମ୍ୟଭାଷା ସମ୍ୱଳିତ । ସେ ଯାହା ଲେଖିଛନ୍ତି ଯଦି ତାହାହିଁ ମାର୍ଜ୍ଜିତ ଇଂରେଜୀ ଭାଷାରେ ହୋଇଥାନ୍ତା, ତେବେ ସେ ନିଶ୍ଚୟ ଇଲଣ୍ଡର ପ୍ରଧାନ ଗଣ୍ୟମାନ୍ୟ ବ୍ୟକ୍ତି ହୋଇ ପାରିଥାନ୍ତେ । ତଥାପି ସେ ସେହି ଅମାର୍ଜ୍ଜିତ ଗ୍ରାମ୍ୟ ଭାଷାରେ ଅସଂଖ୍ୟ ଲୋକଙ୍କୁ ମୁଗ୍‌ଧ କରିଅଛନ୍ତି ଏବଂ ସେମାନଙ୍କ ପ୍ରାଣରେ ସ୍ପନ୍ଦନ ଆଣିଅଛନ୍ତି । ଏତଦ୍ଦ୍ୱାରା ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ତାଙ୍କ ମଧ୍ୟରେ କୃତ୍ରିମତା ପୂର୍ଣ୍ଣ ମାତ୍ରାରେ ନ ଥିଲା । ତାଙ୍କର ହୃଦୟ ଗଭୀର ଆବେଗଭରା ସ୍ୱର୍ଗୀୟ ମାଧୁରୀରେ ପରିପୂର୍ଣ୍ଣ । ଉଦାର, ସ୍ୱଚ୍ଛ, ଅକୃତ୍ରିମ, ଗ୍ରାମ୍ୟ, ମହତ୍‍, ତେଜସ୍ୱୀ ବିଦ୍ୟୁତ୍‍ପ୍ରଭାମଣ୍ଡିତ, ନବନୀତ କୋମଳ ଦୟାର୍ଦ୍ର ହୃଦୟ-ପୁରାତନ ନର୍ଶ ଦେବତା ‘ଥର’ ଙ୍କ ସଦୃଶ ପ୍ରତିଭାତ ।

 

ବାର୍ଣ୍ଣସ୍‌ଙ୍କ ଭ୍ରାତା କହନ୍ତି, ବର୍ଣ୍ଣସ୍‌ ବାଲ୍ୟାବସ୍ଥାରେ ତାଙ୍କର ସହସ୍ର ଅଭାବ ଅସୁବିଧା ସତ୍ତ୍ୱେ ଅତିଶୟ ମିଷ୍ଟାଳାପୀ, ମଧୁରଭାଷୀ, ଆମୋଦୀ ଓ ରଙ୍ଗରହସ୍ୟ ପ୍ରତି ଏବଂ ଧୀଶକ୍ତିସମ୍ପନ୍ନ ହୃଦୟବବାନ୍‌ ପୁରୁଷ ଥିଲେ । ଏହା ସମ୍ପର୍ଣ୍ଣ ବିଶ୍ୱାସଯୋଗ୍ୟ ଯେ, ଆମୋଦପ୍ରିୟତା ଓ ଆନନ୍ଦ ଚିତ୍ତ ସ୍ଫୁର୍ତ୍ତିର ପ୍ରଧାନ ସହାୟକ ଏବଂ ତାଙ୍କର ଅନ୍ୟାନ୍ୟ ଉତ୍ତମ ଗୁଣ ଏବଂ ପ୍ରବୃତ୍ତି ଗୁଡ଼ିକ ମିଶ୍ରିତ ହୋଇ ତାଙ୍କର ଚରିତ୍ରକୁ ଆହୁରି କମନୀୟ କରିଥିଲା । ତାଙ୍କ ମଧ୍ୟରେ ଆଶାର ଅସରନ୍ତି ଭଣ୍ଡାର ଥିଲା । ତେଣୁ ସେ ତାଙ୍କର ଦୁଃଖ ଦୁର୍ଭାଗ୍ୟରେ ଆଦୌ ଅଧିର ହୋଇ ନାହାନ୍ତି, ବରଂ ଅବିଚଳିତ ରହିଅଛନ୍ତି-। ଯେପରି କେଶରୀ ତାହାର କେଶର ଉପରୁ ଶିଶିର ବିନ୍ଦୁ ଝାଡ଼ିଦିଏ ଏବଂ ଯେପରି ବେଗଗାମୀ ସମର ତୁରଙ୍ଗ ଅସ୍ତ୍ରର ସଂଘର୍ଷ ଶବ୍ଦରେ ହର୍ଷୋତ୍ପଲ୍ଲ ହୋଇ ନୃତ୍ୟ କରେ, ସେପରି ସେ ତାଙ୍କର ଯାତାନାସମୂହ ଦୂରକୁ ବିକ୍ଷେପ କରି ହର୍ଷରେ ଦିନ ଯାପନ କରିଥିଲେ । ତାଙ୍କର ଆଶା, ଆନନ୍ଦ କେବଳ ସହୃଦୟତାର ପରିଚୟ ଦିଏ ।

 

ଅଷ୍ଟାଦଶ ଶତାବ୍ଦୀର ସେ ଅଦ୍ଭୁତ ବିକ୍ରମଶାଳୀ ପୁରୁଷ କହିଲେ ଅତ୍ୟୂକ୍ତି ହେବ ନାହିଁ ସତ୍ୟ, ତଥାପି ସମୟ ଆସୁଛି, ଯେତେବେଳେ ତାଙ୍କ ବିଷୟରେ ଆମ୍ଭମାନଙ୍କୁ ବିଶେଷ ଆଲୋଚନା କରିବାକୁ ହେବ । କାରଣ ତାଙ୍କର କାବ୍ୟ ସମ୍ପତ୍ତି ତାଙ୍କ ମହତ୍ତ୍ୱର ଏକ ଅଙ୍ଗ ମାତ୍ର । ଅଧ୍ୟାପକ ଷ୍ଟିବାର୍ଟ (Stewart) କହିଅଛନ୍ତି ଯେ, ତାଙ୍କର ଲେଖିବା ଶକ୍ତି କେବଳ ସହଜାତ ଅକୃତ୍ରିମତାର ଫଳ । ତାଙ୍କର ବାକ୍ୟାଳାପ ଓ କଥୋପକଥନ ମଧ୍ୟ ଅତିଶୟ ହୃଦୟଗ୍ରାହୀ । ସାଧାରଣ କଥୋପକଥନଠାରୁ ଆରମ୍ଭ କରି ଓଜସ୍ୱିନୀ ବକ୍ତୃତା ପର୍ଯ୍ୟନ୍ତ କି ଧନୀ କି ନିର୍ଦ୍ଧନୀ, କି ଉଚ୍ଚ, କି ନୀଚ, ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଥିଲା ଏବଂ ତାହା ସମସ୍ତଙ୍କର ଉପଭୋଗ୍ୟ ଥିଲା । ତାଙ୍କର ଜୀବନୀ ଲେଖକ ଲକ୍‌ହାର୍ଟ (Lockhart) ଲେଖିଅଛନ୍ତି ଯେ, ବକ୍ତୃତା ଦେବା ସମୟରେ ସାଧାରଣ କୃଷକଠାରୁ ଅଶ୍ୱପାଳ ପର୍ଯ୍ୟନ୍ତ ତାଙ୍କର ବାଣୀ ଶ୍ରବଣ କରିବା ନିମନ୍ତେ ଉତ୍କର୍ଣ୍ଣ ହୋଇ ଦଣ୍ଡାୟମାନ ହେଉଥିଲେ । ତାଙ୍କର ଆତ୍ମା, ହୃଦୟର ବଳ ଏବଂ ଅପରିମେୟ ଆଶା, ନୈରାଶ୍ୟଶୂନ୍ୟତା, ତୀକ୍ଷ୍‌ଣଦୃଷ୍ଟି, ବୋଧଶକ୍ତି, ସହଜ ଶକ୍ତି, ସାହସ ଓ ମନୁଷ୍ୟତ୍ୱ ବିବେଚନାରେ ଆମ୍ଭେମାନେ କେଉଁଠାରେ ଏପରି ବିଶିଷ୍ଟ ବ୍ୟକ୍ତି ପାଇବୁଁ ?

 

ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରୁ ମିରାବୋଙ୍କ ସହିତ ବର୍ଣ୍ଣସ୍‌ଙ୍କ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଉଭୟଙ୍କ ମଧ୍ୟରେ ସେହି ଶାରୀରିକ ଏବଂ ମାନସିକ ବଳ ବିଦ୍ୟମାନ । ମିରାବୋଙ୍କଠାରେ ମଧ୍ୟ ସେହି ସତ୍ୟପ୍ରିୟତା, ଧୀଶକ୍ତି, ତୀକ୍ଷଣ ଅର୍ନ୍ତଦୃଷ୍ଟି । ମିରାବୋଙ୍କ ପ୍ରତ୍ୟେକ କଥାରେ ମୂଲ୍ୟ ଅଛି । ତାଙ୍କର ବାଣୀ ଅନେକ ବସ୍ତୁନିର୍ଦ୍ଦେଶ ନିମିତ୍ତ ଅନ୍ତର୍ଦୃଷ୍ଟି ପ୍ରଦାନ କରେ । ସେହି ଏକ ଗଭୀର ଉତ୍ତେଜନା ଓ ଆବେଗ ଏବଂ ତତ୍‌ସଙ୍ଗେ ପୁଣି ସେହି ଅତି କୋମଳ ସ୍ନେହଭରା ପ୍ରୀତି ଏବଂ କମନୀୟ ପ୍ରବୃର୍ତ୍ତି ନିଚୟ । ବିଚକ୍ଷଣତା, କୌତୁକପ୍ରିୟତା, ବିକଟହାସ୍ୟ, ଦୁର୍ଦ୍ଦମନୀୟ ଶକ୍ତି, କୋମଳତା, ସ୍ନେହପ୍ରବଣତା ଏବଂ ଅକୃତ୍ରିମତା ଉଭୟଙ୍କଠାରେ ବର୍ତ୍ତମାନ । ଉଭୟ ବ୍ୟକ୍ତିଙ୍କ ଗତି ରୀତି ମଧ୍ୟ ବିଭିନ୍ନ ନୁହେ । ରାଜନୀତି କ୍ଷେତ୍ରରେ ପଦାର୍ପଣ କରିଥିଲେ ବର୍ଣ୍ଣସ୍‌ ମଧ୍ୟ ଜାତୀୟ ରାଷ୍ଟ୍ରସମିତିରେ ଯୋଗ ଦେଇ ଯୁକ୍ତିତର୍କ, ବାକ୍‌ଚାତୁରୀରେ ରାଜ୍ୟଶାସନ ଏବଂ ରାଷ୍ଟ୍ରୀୟଜୀବନ ଗଠନରେ ନିଜକୁ ନିୟୋଜିତ କରି ପାରିଥାନ୍ତେ ।

 

ପୁନଶ୍ଚ ଆମ୍ଭେମାନେ କହୁଁ ବର୍ଣ୍ଣସ୍‌ଙ୍କ ପ୍ରଧାନ ବିଶେଷତ୍ୱ-ଅକୃତ୍ରିମତା; ତାହା ତାଙ୍କର ଜୀବନରେ ଓ କବିତାରେ ପ୍ରତିଫଳିତ । ସେ ଯେଉଁ ଗାନ ଗାଇଅଛନ୍ତି, ତହିଁରେ ଅସ୍ୱାଭାବିକତାର ଗନ୍ଧ ନାହଁ ; ଅଛି କେବଳ ତାଙ୍କର ପ୍ରତ୍ୟକ୍ଷାନୁଭୂତି । ତାଙ୍କ ଜୀବନର ଧ୍ରୁବ ତାରା-ସତ୍ୟ; ତାଙ୍କର ଜୀବନ କେବଳ ଭୀଷଣ ଶୋକ-ତାପ-ବିଷାଦଜର୍ଜ୍ଜରିତ ଅକୃତ୍ରିମତା ବା ସରଳତା–କ୍ରୂର ନୁହେଁ, ଅଥଚ ବୀରୋଚିତ ସରଳତା; କିନ୍ତୁ ବନ୍ୟ ଏବଂ ନିରସ୍ତ୍ର ହୋଇ ସୁଦ୍ଧା ସତ୍ୟ ନିମିତ୍ତ ସତତ ସଂଗ୍ରାମକାରୀ । ସେହି ଭାବରେ ଧରିବାକୁ ଗଲେ ପ୍ରତ୍ୟେକ ମହାପୁରୁଷଙ୍କଠାରେ କିଞ୍ଚିତ୍‌ ବର୍ବ୍ବରତା ବା ଆଦିମତା ଅଛି ।

 

ବୀରସମ୍ୱର୍ଦ୍ଧନା-ଓଡ଼ିନ୍‌, ବର୍ଣ୍ଣସ୍‌ ! ଏହି ସାହିତ୍ୟିକ ବୀରମାନେ ମଧ୍ୟ ତହିଁରୁ ବଞ୍ଚିତ ହୋଇ ନାହାନ୍ତି, କିନ୍ତୁ ତାହା ପରିବର୍ତ୍ତିତ ଏବଂ ବିଭିନ୍ନ ଭାବରେ ଲବ୍‌ଧ । ତାଙ୍କର ବାଣୀ ଶ୍ରବଣ ନିମିତ୍ତ ସ୍କଟଲାଣ୍ଡର ପାନ୍ଥଶାଳାରକ୍ଷକଠାରୁ ଆରମ୍ଭକରି ଅଶ୍ୱରକ୍ଷକ ପର୍ଯ୍ୟନ୍ତ ସମସ୍ତଙ୍କର ଯେ ଆବେଗଭରା ଔତ୍ସୁକ୍ୟ–ତାହାହିଁ କେବଳ ଅଜ୍ଞାତଭାବରେ ବୀରପୂଜା । ମହାପୁରୁଷ ସମ୍ୱର୍ଦ୍ଧନା ପ୍ରତିଭାର ଉପାସନା ବ୍ୟତୀତ ଆଉ କିଛି ନୁହେ । ଜନ୍‌ସନ୍‌ଙ୍କ ପୂଜକ ବସ୍‌ଉଏଲ୍ । ସେହିପରି ରୁଷୋଙ୍କର ମଧ୍ୟ ଅନେକ ଉପାସକ ଥିଲେ ।

 

ମହାପୁରୁଷମାନଙ୍କ ବାଣୀରେ ଆସ୍ଥା ଓ ବିଶ୍ୱାସ ଏବଂ ତତ୍‌ ସଂରକ୍ଷଣହିଁ ତାଙ୍କର ସମ୍ୱର୍ଦ୍ଧନା ଓ ଉପାସନା । ଓଡ଼ିନଙ୍କୁ ଦେବତା ବୋଲି, ଧର୍ମ୍ମୋପଦେଷ୍ଟା ବୋଲ, ଧର୍ମ୍ମଯାଜକ କିମ୍ୱା ଅନ୍ୟ ଯେ କୌଣସି ଆଖ୍ୟା ଦିଅ, ତହିଁରେ କିଛି ଲାଭ ବା କ୍ଷତି ନାହିଁ; କିନ୍ତୁ ତାଙ୍କ ବାଣୀରେ ତୁମ୍ଭର ପ୍ରକୃତ ବିଶ୍ୱାସ ଜାତ ହେଉଛି କି ନାହିଁ, ତାହାହିଁ ପ୍ରଧାନ ବିଷୟ । ଯେବେ ତାଙ୍କ ବାଣୀ ସତ୍ୟ ହୁଏ, ତେବେ ତାହା ବିଶ୍ୱାସ କରିବାକୁ ହେବ, କେବଳ ବିଶ୍ୱାସ ନୁହେ ତାହା କାର୍ଯ୍ୟରେ ପରିଣତ କରିବାକୁ ହେବ । ସେମାନଙ୍କ ବାଣୀ ମହତ୍‌, ଗଭୀର, ତଥା ସତ୍ୟର ମୂଳାଧାର । ତାହା ସଂସାରର ରହସ୍ୟ ଭେଦ କରି ଆମ୍ଭମାନଙ୍କର ଜ୍ଞାନଚକ୍ଷୁ ଉନ୍ମୋଚନ କରେ ତାହା କେବଳ ଭଗବାନଙ୍କ ନିର୍ଦ୍ଦେଶ ।

 

ବର୍ଣ୍ଣସ୍‌ଙ୍କ ଜୀବନର ପ୍ରଧାନ ଘଟଣା–ତାଙ୍କର ଏଡ଼ିନ୍‌ବରା (Edinburgh) ଦର୍ଶନ । ସେହିଠାରେ ବସ୍ତୁତଃ ତାଙ୍କର ମନୁଷ୍ୟତ୍ୱର ଉଚ୍ଚ ପ୍ରକାଶ, ସେଠାରେ ତାଙ୍କର ହଠାତ୍‌ ଭଗ୍ୟଚକ୍ରର ଘୋର ପରିବର୍ତ୍ତନ, ହଠାତ୍‌ ଆକସ୍ମିକ ଏବଂ ଅପ୍ରତ୍ୟାଶିତ ବିରାଟ ସମ୍ୱର୍ଦ୍ଧନାର ବିପୁଳ ସମାରୋହ । ତାଙ୍କର ସ୍ତୁତିବାଦ, ଗୁଣକୀର୍ତ୍ତନ ଜୟଭେରୀ ବାଦନରେ ତାଙ୍କର ମସ୍ତିଷ୍କ ବିଘୂର୍ଣ୍ଣିତ ହୋଇ ନ ଥିଲା, ଆତ୍ମଶ୍ଳାଘା ସ୍ଥାନ ପାଇ ନ ଥିଲା, ହୃଦୟ ଅବିଚଳିତ-ସେହିପରି ଅଟଳ, ଶାନ୍ତମୂର୍ତ୍ତି, ବର୍ଣ୍ଣସ୍‌ଙ୍କ ହଠାତ୍‌ ଏତେ ବିପୁଳ ସମ୍ମାନ ଲାଭ–କ୍ରମେ କ୍ରମେ ଉଚ୍ଚତର ସୋପାନକୁ ଆରୁଢ଼ ନ ହୋଇ ସାଧାରଣ ସୈନିକରୁ ନେପୋଲିୟନଙ୍କର ଏକାବେଳକେ ସମ୍ରାଟ୍‌ ପଦବୀ ଲାଭ କଲା ପରି ହୋଇଥିଲା । ବର୍ଣ୍ଣସ୍‌ଙ୍କର ସପ୍ତବିଂଶତି ବର୍ଷ ବୟଃକ୍ରମରେ ସେ ଆଉ କୃଷକ ନୁହନ୍ତି । ସେ ସେତେବେଳେ କାରାବାସ, ନିନ୍ଦାବାଦ ପ୍ରଦ୍ଭୃତିରୁ ନିଷ୍କୃତି ଲଭିବା ନିମିତ୍ତ ସ୍ୱଦେଶକୁ ପଳାୟନର ଚେଷ୍ଟା ଓ ଉଦ୍‌ଯୋଗରେ ବ୍ୟାପୃତ । ଏକସମୟରେ ସେ ଜଣେ ନିରୂପାୟ ନିଃସହାୟ ସର୍ବସ୍ୱାନ୍ତ କୃଷକ ଏବଂ ଭାଗ୍ୟଚକ୍ର ପରିବର୍ତ୍ତନରେ ପୁଣି ସମ୍ଭ୍ରାନ୍ତବଂଶୀୟ ବ୍ୟକ୍ତି ପରିବୃତ । ଖ୍ୟାତନାମା ଭଦ୍ର ଏବଂ ଅନିନ୍ଦ୍ୟସୁନ୍ଦରୀ ଗୁଣବତୀ ମହିଳା ସମାଜରେ ରଙ୍ଗରସ ଆମୋଦପ୍ରମୋଦ କରି ଏବଂ ଚର୍ବ୍ୟଚୋଷ୍ୟ ଲେହ୍ୟପେୟାଦି ରାଜଭୋଗ ସେବନ ପୂର୍ବକ ପରିଶେଷରେ ଜଗତର ଲୋଚନ ନନ୍ଦନ ହୋଇ ପାରିଥିଲେ । ଅନେକ ବ୍ୟକ୍ତି ସାମାନ୍ୟ ବ୍ୟସନରେ ନୀରବ ରହି ପାରନ୍ତି, କିନ୍ତୁ ଆକସ୍ମିକ ବିପୁଳ ଉନ୍ନତିରେ ବିଚଳିତ ନ ହେବା ବ୍ୟକ୍ତି ଅତି ଅଳ୍ପ । ବର୍ଣ୍ଣସ୍‌ ଅବିଚଳିତ ହୃଦୟରେ ଏହି ଅର୍ଚ୍ଚନା ସବୁ ଗ୍ରହଣ କଲେ । ମାତ୍ର ତିଳେ ସୁଦ୍ଧା ହୃଦୟରେ ଆତ୍ମାଭିମାନକୁ ସ୍ଥାନ ଦେଉ ନଥିଲେ । ଧୀର, ପ୍ରଶାନ୍ତ, ବିସ୍ମୟବିରହିତ ତଥା ବ୍ରୀଡ଼ାଶୂନ୍ୟ ହୋଇ ସେ ଯଥାର୍ଥ ଉପଲବ୍‌ଧି କରିପାରୁଥିଲେ ଯେ, ସେ ପୂର୍ବର ସେହି ରବର୍ଟ୍‌ ବର୍ଣ୍ଣସ୍‌ କୌଣସି ପ୍ରକାରରେ ପରିବର୍ତ୍ତିତ ହୋଇ ନାହାନ୍ତି, ପଦସମ୍ମାନ କେବଳ ମୁଦ୍ରାଙ୍କିତ ଚିତ୍ର ଏବଂ ସମାଜ ପ୍ରତିଷ୍ଠା ଦ୍ୱାରା ମନୁଷ୍ୟ ସେହି ମନୁଷ୍ୟ ହିଁ ରହେ । ଅନ୍ୟ କିଛି ହୁଏ ନାହିଁ । ଏହିଠାରେ ହିଁ ତାଙ୍କର ସମସ୍ତ ମହତ୍ତ୍ୱ ପ୍ରତିଷ୍ଠା, ଏବଂ ମନୁଷ୍ୟତ୍ୱ ।

 

କିନ୍ତୁ ହାୟ ! ଏହି ଗୁଣଗ୍ରାହୀ ପୂଜକମାନେ ହିଁ ବର୍ଣ୍ଣସ୍‌ଙ୍କ ଜୀବନ ନଷ୍ଟ କରି ତାଙ୍କର ସର୍ବନାଶ ଘଟାଇଲେ । ଏହିମାନଙ୍କ ଦ୍ୱାରା ହିଁ ତାଙ୍କ ଜୀବନ ଧାରଣ ଅସମ୍ଭବ ହୋଇ ଉଠିଲା । ସେମାନେ ସର୍ବଦା ତାଙ୍କୁ ଚତୁର୍ଦ୍ଦିଗରେ ପରିବେଷ୍ଟନ କରି ତାଙ୍କର କୃଷିକର୍ମ ଇତ୍ୟାଦିରେ ଘୋର ବ୍ୟାଘାତ ଜନ୍ମାଇ ଜୀବିକା ନିର୍ବାହର ପନ୍ଥା ଦୁର୍ବହ କରି ଦେଲେ । ତାଙ୍କର ତଦ୍ଦ୍ୱାରା ଫଳ ହେଲା–ଅଶାନ୍ତ, ଦୁଃଖ, କ୍ଳେଶ ଓ ମନସ୍ତାପ । ସଂସାର ବିଷମୟ ବୋଧ ହେଲା; ସ୍ୱାସ୍ଥ୍ୟ ଓ ଚରିତ୍ର କ୍ରମେ କ୍ରମେ ନଷ୍ଟ ହୋଇଗଲା । ବର୍ତ୍ତମାନ ସେ ବିଶ୍ୱମଧ୍ୟରେ ଏକାକୀ-ସମସ୍ତଙ୍କ ଦ୍ୱାରା ପରିତ୍ୟକ୍ତ ! କି ଭୀଷଣ ଲୋମହର୍ଷଣ କାଣ୍ଡ ! ଚିନ୍ତାକଲେ ହୃଦୟ କମ୍ପି ଉଠେ । ସେହି ବ୍ୟକ୍ତିମାନେ ତାଙ୍କୁ ଦେଖିବାକୁ ଆସୁଥିଲେ–ସହାନୁଭୂତି କିମ୍ୱା ସମବେଦନା ଦେଖାଇବା ପାଇଁ ନୁହେଁ, ମାତ୍ର କିଞ୍ଚିତ ଆମୋଦ ଲାଭ କରିବା ନିମନ୍ତେ ଏବଂ ତାହାରି ଫଳରେ ବୀରଙ୍କର ଘୋର ଦୂରବସ୍ଥା ଏବଂ ପରିଶେଷରେ ମୁତ୍ୟୁ । ଧନ୍ୟ ସେହି ଗୃହଗ୍ରାହୀ ଓ ସ୍ତୁତିବାଦକ ବର୍ଗ ! ଧନ୍ୟ ତାଙ୍କର ମହିମା ।

Image

 

ଷଷ୍ଠ ପ୍ରସଙ୍ଗ

ରାଜବୀର

 

କ୍ରମ୍‌ଉଏଲ୍‌, ନେପୋଲିଅନ

(ଆଧୁନିକ ବିପ୍ଳପବାଦ)

 

ବର୍ତ୍ତମାନ ଆମ୍ଭେମାନେ ବୀରତ୍ୱର ଚରମସୀମାରେ ଉପନୀତ । ରାଜବୀର-ଜନନାୟକ, ଅଧିନାୟକ; ଯାହାଙ୍କ ଆଦେଶ ସମସ୍ତଙ୍କର ପାଳନୀୟ ଓ ଶିରୋଧାର୍ଯ୍ୟ–ବର୍ତ୍ତମାନ ମନୁଷ୍ୟ ସମାଜରେ ସର୍ବଶ୍ରେଷ୍ଠ ମାନବ । ସମସ୍ତ ପ୍ରକାର ବୀରତ୍ୱ ଏକାଧାରେ ତାଙ୍କଠାରେ ଠୁଳ । ଧର୍ମଯାଜକ ଧର୍ମ୍ମୋପଦେଷ୍ଟା ଏବଂ ସର୍ବପ୍ରକାର ପାର୍ଥିବ, ଆଧ୍ୟାତ୍ମିକ ଓ ଆଧିଭୌତିକ ଉତ୍‌କର୍ଷ ତାଙ୍କଠାରେ ସମାବିଷ୍ଟ । ମନୁଷ୍ୟ ସମାଜକୁ ପରିଚାଳନା କରିବାର କର୍ତ୍ତବ୍ୟ ଏବଂ ଜନସାଧାରଣଙ୍କ କର୍ତ୍ତବ୍ୟ ମଧ୍ୟ ସେ ନିର୍ଦ୍ଦେଶ କରନ୍ତି । ଇଂରାଜୀରେ ରାଜା ଶବ୍ଦର ଅର୍ଥ ଉପଯୁକ୍ତ ବ୍ୟକ୍ତି ।

 

ବର୍କ୍‌ କହିଅଛନ୍ତି, ଶାସନପଦ୍ଧତିର ପ୍ରଧାନ ଉଦ୍ଦେଶ୍ୟ ସୁବିଚାରର ପ୍ରତିଷ୍ଠା । ସେଥିଲାଗି ପ୍ରକୃତ ଉପଯୁକ୍ତ ବ୍ୟକ୍ତି ନିର୍ଦ୍ଦେଶ ପୂର୍ବକ ତାଙ୍କଠାରେ ଶକ୍ତି, ସାମାର୍ଥ୍ୟ, ରାଜଉପଚାର, ଅର୍ଚ୍ଚନା, ନେତୃତ୍ୱ, ରାଜଦଣ୍ଡ, ଇତ୍ୟାଦି ନ୍ୟସ୍ତ କରିବାକୁ ହେବ । ସେ ତାଙ୍କର ପରାକ୍ରମ ଏବଂ ଶକ୍ତି ଅନୁଯାୟୀ କାର୍ଯ୍ୟଚାଳନା କରିବେ । ପ୍ରତ୍ୟେକ ସାମାଜିକ, ଜାତୀୟ ସଂଘର ଉଦ୍ଦେଶ୍ୟ ଠିକ୍‌ ଏହିପରି । ଜାତୀୟ ମହାସଭାର କାର୍ଯ୍ୟକ୍ରମ, ସଂସ୍କାର, ଆଇନ, ଫରାସୀ ରାଷ୍ଟ୍ରବିପ୍ଳବ-ସ୍ଥୂଳତଃ ଏହି ଉଦ୍ଦେଶ୍ୟରେ । ଯେ କୌଣସି ରାଜ୍ୟରେ ପ୍ରଧାନ ଯୋଗ୍ୟତମ ବ୍ୟକ୍ତିଙ୍କୁ ନିର୍ବାଚନ କରି, ଉଚ୍ଚତମ ସୋପାନକୁ ଆରୁଢ଼ କରାଇ ତାଙ୍କୁ ଶ୍ରଦ୍ଧା ପ୍ରଦର୍ଶନ କିମ୍ୱା ସଂବର୍ଦ୍ଧନା କଲେ ଦେଶରେ ସୁଶାସନ ପ୍ରତିଷ୍ଠିତ ହେବ ଏବଂ ଶାନ୍ତି ସ୍ଥାପିତ ହେବ । ଯେ ଯୋଗ୍ୟତମ ବ୍ୟକ୍ତି –ସେ ମଧ୍ୟ ସତ୍ୟପ୍ରାଣ, ନ୍ୟାୟପର ଏବଂ ପ୍ରଶାନ୍ତ ଚେତା, ତେଣୁ ସେ ଯାହା କରିବାକୁ ଆଦେଶ କରନ୍ତି , ତାହା ଅବଶ୍ୟ ଯୁକ୍ତିଯୁକ୍ତ ଏବଂ ଜ୍ଞାନଗର୍ଭକ; ତେଣୁ ଅବଶ୍ୟ ପାଳନୀୟ ।

 

ଏହା ଯଥାର୍ଥ ସତ୍ୟ କଥା, ଆଦର୍ଶ କେବେହେଁ ସମ୍ପୂର୍ଣ୍ଣ କାର୍ଯ୍ୟରେ ପରିଣତ ହୋଇପାରେ ନାହିଁ । ଆଦର୍ଶ ନିଶ୍ଚୟ ବହୁଦୂରରେ ଅବସ୍ଥିତ, ତେଣୁ ଯେତେଦୂର ସମ୍ଭବ ତାହାର ନିକଟବର୍ତ୍ତୀ ହେବା ଆବଶ୍ୟକ । ପକ୍ଷାନ୍ତରେ ଆଦର୍ଶ ଅସ୍ତିତ୍ୱ ଅସ୍ୱୀକାର କରିବା ଅତିଶୟ ନିର୍ବୋଧତାର ଲକ୍ଷଣ । ଯଦି ତାହାର ନିକଟବର୍ତ୍ତୀ ଦୋଇ ନ ହୁଏ, ତେବେ ସମସ୍ତ ଧ୍ୱଂସ ପ୍ରାପ୍ତ ହେବାର ସମ୍ଭାବନା କୌଣସି ଶିଳ୍ଳୀ ଗୃହର କାନ୍ଥ କେବେହେଁ ସିଧା ସଳଖ ନିର୍ମ୍ମାଣ କରିପାରେ ନାହିଁ, କିନ୍ତୁ ଯଥା ସମ୍ଭବ ସଳଖ ହେଲେ ତାହା ଭାଙ୍ଗି ନ ପଡ଼ି ଛିଡ଼ା ହୋଇ ରହେ ।

 

ପ୍ରତ୍ୟେକ ରାଜନୀତିକ ଏବଂ ସାମାଜିକ ଆନ୍ଦୋଳନର ଇତିହାସ ପର୍ଯ୍ୟାଲୋଚନା କଲେ ଦେଖାଯାଏ ଯେ, କି ପୂରାତନ କି ନୂତନ ସବୁ ଯୁଗରେ ଏହି ଉପଯୁକ୍ତ ବ୍ୟକ୍ତିଙ୍କର ଅଭାବରେ ପ୍ରାୟ ଅନର୍ଥ ଘଟିଅଛି । ଫରାସୀ ରାଷ୍ଟ୍ରବିପ୍ଳବର ମୂଳରେ ମଧ୍ୟ ସେହି ଭାବ ନିହିତ । ଅନୁପଯୁକ୍ତ, ଅନଭିଜ୍ଞ, ଦୂର୍ବଳ, ବୀର୍ଯ୍ୟହୀନ, ସାହସଶୂନ୍ୟ ମଦୋନ୍ମତ୍ତ ବ୍ୟକ୍ତି ଶାସନପଦ୍ଧତି ପ୍ରଦ୍ଭୂତିର ଶୀର୍ଷଦେଶରେ ଅବସ୍ଥାପିତ ହେଲେ ପ୍ରାକୃତିକ ନିୟମର ବ୍ୟତିକ୍ରମ ଘଟେ, ତେଣୁ ଫଳରେ ଭୀଷଣ ବିଭ୍ରାଟ ଉପସ୍ଥିତ ହୁଏ । ଅନୁପଯୁକ୍ତ ଅପଦାର୍ଥ ବ୍ୟକ୍ତିର ପରିଚାଳନାରେ ଜନସାଧାରଣର ଅଭିଳାଷ, ଆକାଙ୍‌କ୍ଷା ପୂର୍ଣ୍ଣ ହୁଏ ନାହିଁ, ବରଂ ଅଶାନ୍ତିର ବହ୍ନି ଉଦ୍ଦୀପିତ ହୁଏ ଏବଂ ଆପାମର ଜନସାଧାରଣ ତୃଷିତ ପ୍ରାଣ ଆକାଙ୍‌କ୍ଷା ପରିପୂରଣ ନିମନ୍ତେ ବିଦ୍ରୋହ ବହ୍ନିରେ ଆହୂତି ପ୍ରଦାନ କରନ୍ତି ।

 

କିୟତ୍‌ ଶତାବ୍ଦୀ ପୂର୍ବେ ଇଂଲଣ୍ଡର ଷ୍ଟୁଆର୍ଟ ରାଜବଂଶର ଶାସନ କାଳରେ ‘‘ରାଜାଙ୍କର ଐଶ୍ୱରିକ ଅଧିକାର’’ ମତବାଦ ବିଶେଷ ଭାବରେ ଲୋକମାନଙ୍କର ପ୍ରତ୍ୟୟ ଜନ୍ମାଇଥିଲା । ବର୍ତ୍ତମାନ ତାହା ପ୍ରତି ଆଦୌ ଆସ୍ଥା ନାହିଁ । ତାହା ‘ପୋଥି ବାଇଗଣ’ ହୋଇ ରହିଅଛି କିନ୍ତୁ ସେ ମତରେ ମୂଲ୍ୟ ଅଛି ଏବଂ ସତ୍ୟ ଅଛି, ଏହା ଆମ୍ଭମାନଙ୍କର ମନେ ରଖିବା ଉଚିତ । ଯେ କୌଣସି ମନୁଷ୍ୟକୁ ନିର୍ବାଚିତ କରି ତାହାଙ୍କ ମସ୍ତକରେ ରାଜମୁକୁଟ ପରିଧାନ କରାଇ ତାହାଙ୍କ ହସ୍ତରେ ଶାସନଭାର ଅର୍ପଣ କଲେ, ସେ ବ୍ୟକ୍ତିଙ୍କ ଠାରେ ଐଶୀ ପ୍ରେରଣା ଆସେ ଏବଂ ସେହି ପ୍ରେରଣାରେ ପ୍ରେରିତ ହୋଇ ସେ ଅଲୌକିକ ଭାବରେ କାର୍ଯ୍ୟ ନିର୍ବାହ କରନ୍ତି- ସେତେବେଳେ ସେ ଏକ ପ୍ରକାର ଦେବତା । ଏହାଙ୍କ ଆଦେଶ ପାଳନ କରିବା ସର୍ବତୋଭାବେ ବିଧେୟ; କିନ୍ତୁ ଅଷ୍ଟାଦଶ ଶତାବ୍ଦୀ ମାନବସମାଜକୁ ଯେଉଁ ଶିକ୍ଷା ଦେଇଅଛି, ତାହା ଅତିଶୟ ଭ୍ରମାତ୍ମକ । ସେ ଶତାବ୍ଦୀ ପ୍ରଚାର କରିଅଛି, ଏ ପରିଦୃଶ୍ୟମାନ ନିଖିଳ ଜଗତ କେବଳ ଗୋଟିଏ ବୃହତ୍‌ କଳକାରଖାନା ବ୍ୟତୀତ ଅନ୍ୟ କିଛି ନୁହେ; କିନ୍ତୁ ଏ ଜଗତର ନିୟନ୍ତା ଜଣେ ଅଛନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ସୌରଜଗତଠାରୁ ଆରମ୍ଭ କରି ପ୍ରାଣୀଜଗତ୍‌ ପର୍ଯ୍ୟନ୍ତ ନିଖିଳ ପ୍ରକୃତି ପରିଚାଳିତ ଏବଂ ତାଙ୍କର ନିର୍ଦ୍ଦେଶ ମନୁଷ୍ୟର ପ୍ରତ୍ୟେକ ନୈତିକ ନିୟମ ଅନୁଷ୍ଠାନରେ ପ୍ରତିଫଳିତ । ବାଧ୍ୟତା ଓ ନିୟମାନୁବର୍ତ୍ତିତାଠାରୁ ଅଧିକ ନୈତିକବନ୍ଧନ ଆଉ ନାହିଁ । ପ୍ରୟୋଜନ ସମୟରେ ଯେ ବାଧ୍ୟତା ଓ ପ୍ରଦର୍ଶନ କରିବାକୁ କୁଣ୍ଠାବୋଧ କରେ ତାକୁ ଧିକ୍‌ ଏବଂ ପ୍ରୟୋଜନ ନ ଥିବା କାଳରେ ଯେ ବାଧ୍ୟତା ଦାବି କରେ ତାଙ୍କୁ ମଧ୍ୟ ଧିକ୍‌ । ରାଜନୀତିକ ଶାସନସମ୍ୱନ୍ଧୀୟ ନିୟମ ଯାହା କିଛି ହେଉ ନା କାହିଁକି, ତାହାହିଁ ଭଗବାନଙ୍କର ନିୟମ ।

 

ଆଧୁନିକ ଯୁଗର ସ୍ୱାର୍ଥପରତା ଏବଂ ସ୍ୱାର୍ଥାନ୍ୱେଷଣ ଅନ୍ୟାନ୍ୟ ସମସ୍ତ ମାନସିକ କୋମଳ ବୃର୍ତ୍ତିଗୁଡ଼ିକୁ ହୀନପ୍ରଭା କରି ପକାଇଅଛି । ମନୁଷ୍ୟ ସମାଜରେ କିଛି ହିଁ ଐଶୀ ସତ୍ତା ନାହିଁ ଏବଂ ଅବିଶ୍ୱାସପୂର୍ଣ୍ଣ ଯୁଗରେ ରାଜାଙ୍କ ଐଶୀସଭାରେ ଅବିଶ୍ୱାସ ସର୍ବଶ୍ରେଷ୍ଠ ପାପ ଓ ଘୋରତମ ଅପରାଧ । ଉପଯୁକ୍ତ ନରଦେବତାଙ୍କର ଅନ୍ୱେଷଣ ଏବଂ ସିଂହାସନାଧି-ରୁଢ଼ୀକରଣ ହିଁ ବର୍ତ୍ତମାନ ପ୍ରତ୍ୟେକ ଦେଶର ଅଭାବ । ରାଜାର ଏକାଧାରରେ ବ୍ୟାବହାରିକ ଜୀବନର ଆଦର୍ଶ ଓ ନେତା ଏବଂ ଆଧ୍ୟାତ୍ମିକ ରାଜ୍ୟର ମଧ୍ୟ ପଥ ପ୍ରଦର୍ଶକ ।

 

ଏହି ଉପଯୁକ୍ତ ବ୍ୟକ୍ତିଙ୍କ ଅନ୍ୱେଷଣ ଏବଂ ପ୍ରକୃତ ପନ୍ଥାର ଅନଭିଜ୍ଞତା ଅତିଶୟ ଗୁରୁତର ଓ ଶୋଚନୀୟ । ସମଗ୍ର ଜଗତ୍‌ ଏହି ଶୋଚନୀୟ ଏବଂ ଦୁସ୍ଥ ଅବସ୍ଥାରେ ପତିତ । ବିପ୍ଳବ ଆନ୍ଦୋଳନ କିମ୍ୱା ଯୁଦ୍ଧ ବିଗ୍ରହର ସମୟ ହିଁ ଏକା ଏହାର ପ୍ରକୃଷ୍ଟ ସମୟ; କିନ୍ତୁ ବାସ୍ତବରେ ଫରାସୀ ରାଷ୍ଟ୍ର-ବିପ୍ଳବ ଏହାର ସୂଚନା ନୁହେ, ବରଂ ଶେଷ ପରିଣତି । ଏହାର ପ୍ରାରମ୍ଭ ତିନିଶତ ବର୍ଷ ପୂର୍ବେ ଲୁଥରଙ୍କ ଧର୍ମ୍ମ ସଂସ୍କାରର ଆନ୍ଦୋଳନରେ । ସେହିଠାରେ ମନୁଷ୍ୟର ପ୍ରଥମ ଅବନତି ପରିଷ୍ଫୁଟ । ଧର୍ମ୍ମରେ ଗ୍ଳାନି ଉପସ୍ଥିତ ହେବାରୁ ଅସାରକୁ ସାର ବୋଲି ଗ୍ରହଣ କରିବାରୁ, ପ୍ରକୃତିର ସତ୍ୟରେ ସନ୍ଦିହାନ ହେବାରୁ ବିଶ୍ୱାସ ଅନ୍ତର୍ହିତ ହେବାକୁ ବସିଲା । ସମସ୍ତ ଜଗତ ସନ୍ଦେହ, ଅବିଶ୍ୱାସ ରୂପ ଧୂମରେ ପରିପୂର୍ଣ୍ଣ ହେଲା, ପୃଥିବୀ ଅନ୍ତଃସାର ଶୂନ୍ୟ ହେଲା । ଅନ୍ତର କଳୁଷିତ ହେବାରୁ ବହିର୍ଜଗତ ମଧ୍ୟ ଉତ୍ତରୋତ୍ତର କଳୁଷିତ ହେବାକୁ ଲାଗିଲା-ଶିଳ୍ପୀ ମାଧ୍ୟାକର୍ଷଣ ଶକ୍ତି ଭୂଲିଯାଇ କେବଳ ଇଷ୍ଟକ ଉପରେ ଇଷ୍ଟକ ସ୍ଥାପନ କରିବାକୁ ଆରମ୍ଭ କଲା; କିନ୍ତୁ ମାଧ୍ୟାକର୍ଷଣ ଶକ୍ତି କ୍ଷୟ ପ୍ରାପ୍ତ ହୋଇ ନାହିଁ । ଫଳରେ ସମସ୍ତ ଭୂମିସାତ୍‌ ହେଲା, ଭଗବତ୍‌ ସୃଷ୍ଟ ମାନବ ସମାଜରେ ଭଗବତ୍‌ ସତ୍ୟର ଅସ୍ତିତ୍ୱରେ ଆବିଶ୍ୱାସ କରିବା ଆଶ୍ଚର୍ଯ୍ୟଜନକ ନୁହେଁ କି ?

 

ଲୁଥରଙ୍କ ପୋପଙ୍କଠାରେ ଅବିଶ୍ୱାସ ଏବଂ ତାଙ୍କୁ ତାଙ୍କର ଭ୍ରୂକୁଟି ପ୍ରଦର୍ଶନ ଠାରୁ ଆରମ୍ଭ କରି ଫରାସୀ ଜାତିର ଘୋର ଭୟାବହ ପ୍ରଳୟ ଘନଗମ୍ଭୀରଘୋଷ ଏବଂ ନରକର କରାଳ ହୂଦୟ ବିଦାରକ ବିକଟ ଚିତ୍କାରରେ ମଧ୍ୟ ସତ୍ୟ-ଐତିହାସିକ ସତ୍ୟ-ନିହିତ । ପୁଣି ଥରେ ଜୀବନ୍ତ ଜାଗ୍ରତ ଜାତିର ବାଣୀ ଦୁଃସ୍ୱପ୍ନ ପ୍ରପୀଡ଼ନରେ ଗଭୀର ସୁଷୁପ୍ତି ପରିହାର କରି ମାନବସମାଜର ରନ୍ଧ୍ରେ ରନ୍ଧ୍ରେ ଉଚ୍ଛ୍ୱସିତ ହୋଇ ଉଠିଲା । ହଠାତ୍‌ ବ୍ୟସ୍ତ ସମସ୍ତ ଭାବରେ ଉତ୍ଥିତ ଜାତିର ଏହି ଜାଗରଣ ମୃତପିଣ୍ଡରେ ପ୍ରାଣ ସଂଚାର କଲା । ଏହିପରି ଜାଗରଣ ନୂତନଭାବ, ନୂତନ ଆଲୋକ ଆନୟନ କରେ ଏବଂ ଭଗବାନଙ୍କ ରାଜ୍ୟରେ ଭଗବତ୍‌ ଶକ୍ତିର ଅସ୍ତିତ୍ୱ ବିଷୟରେ ପ୍ରତ୍ୟୟ ଆଣି ଦିଏ । ଅବଶ୍ୟ ଏହି ପନ୍ଥା ଭୀଷଣ, ଭୟାବହ ଏବଂ ନାରକୀୟ; କିନ୍ତୁ ଅନ୍ୟ ଉପାୟ ନାହିଁ । ‘‘ନାନ୍ୟଃ ପନ୍ଥାଃ ବିଦ୍ୟତେଽୟନାୟ’’ । ଭଣ୍ଡତା, କପଟତା, କୃତ୍ରିମତାର ସମୂଳ ବିନାଶ ଯେ କୌଣସି ପ୍ରକାରେ ହେବା ତ ପୁଣି ବାଞ୍ଚ୍ଥନୀୟ । ଏଥିଲାଗି ଯେତେ ତ୍ୟାଗ କରିବାକୁ ପଡ଼ୁ, ଭୀମ ବିପ୍ଳବ ହେଉ ବା ଫରାସୀରାଷ୍ଟ୍ରୀୟ ଆନ୍ଦୋଳନର ପ୍ରବଳ ବହ୍ନି ହେଉ, ଯେ କୌଣସି ପନ୍ଥା ଅବଲମ୍ୱନ କରି ପୁଣି ସତ୍ୟକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ । ଏହିଠାରେ ସତ୍ୟ ପ୍ରବଳ ପ୍ରଳୟ- ବହ୍ନି ଦ୍ୱାରା ଆଚ୍ଛାଦିତ ହୋଇଥାଏ । ଉପାୟାନ୍ତର ନ ଥିବା ହେତୁ ଏହି ପନ୍ଥାର ଅନୁସରଣ କରିବାକୁ ପଡ଼େ ।

 

ଇଂଲଣ୍ଡ ଏବଂ ଅନ୍ୟାନ୍ୟ ଦେଶରେ ଅନେକ ଲୋକଙ୍କ ମତ ଯେ, ସେହି ବିଭ୍ରାଟ ସମୟରେ ଫରାସୀ ଜାତି ସଂପୂର୍ଣ୍ଣ ପାଗଳ ପ୍ରାୟ ହୋଇ ଯାଇଥିଲା । ତାର ତିଳେ ସୁଦ୍ଧା ହିତାହିତ ଜ୍ଞାନ ନ ଥିଲା । ସମ୍ପୂର୍ଣ୍ଣ ଉନ୍ନାଦବତ୍‌ କାର୍ଯ୍ୟ କରୁଥିଲା । ଫରାସୀ ରାଷ୍ଟ୍ରବିପ୍ଳବ କେବଳ ମସ୍ତିଷ୍କ ବିକୃତିର ଆକସ୍ମିକ କାର୍ଯ୍ୟ ଏବଂ ତାହା ସମଗ୍ର ଫ୍ରାନ୍‌ସ ଦେଶକୁ ଗୋଟିଏ ବିଶାଳ ପାଗଳା ଗାରଦରେ ପରିଣତ କରିଥିଲା ।

 

ବର୍ତ୍ତମାନ ସେ ଦୁଃସମୟ ଅତିବାହିତ ହୋଇଅଛି । କାଳରାତ୍ରିର ଅବସାନ ହୋଇଅଛି । ସେହି ସ୍ୱପ୍ନରାଜ୍ୟରେ ସମସ୍ତ ପ୍ରହେଳିକା ଉଭାଇ ଯାଇ ଶାନ୍ତି ପୂନର୍ବାର ଫେରି ଆସିଅଛି । ଏହାପରେ ପୁଣି ଶାନ୍ତିପ୍ରିୟ ଦାର୍ଶନିକମାନଙ୍କୁ ୧୮୩୦ ଖ୍ରୀଷ୍ଟାବ୍ଦ ଜୁଲାଇ ମାସର ତିନୋଟି ଦିବସ ଅତିଶୟ ଅଭୂତପୂର୍ବ ଓ ବିସ୍ମୟକର ବୋଧ ହୋଇଥିଲା । ପୁଣି ଫରାସୀ ଜାତି ଉତ୍‌ଥିତ, ଜାଗରିତ ଏବଂ ସେହି ପୂର୍ବ ବିପ୍ଳବକୁ ନିୟନ୍ତ୍ରିତ କରିବା ନିମନ୍ତେ କରାଳ ସଂଗ୍ରାମରେ ବ୍ୟାପୃତ । ସେହି ଉଦ୍ଭ୍ରାନ୍ତ ଜାତିର ପୁତ୍ରପୌତ୍ରମାନେ ପ୍ରାଣର ବିନିମୟରେ ଶୃଙ୍ଖଳା ସ୍ଥାପନ କରିବା ନିମନ୍ତେ ବଦ୍ଧପରିକର ହୋଇଅଛନ୍ତି । ପ୍ରାଣପତି ଭ୍ରୂକ୍ଷେପ ନାହିଁ, କାର୍ଯ୍ୟୋଦ୍ଧାର କରିବାକୁ ଅସମର୍ଥ ହେଲେ ସ୍ୱୟଂ ପ୍ରାଣବଳି ଦେଇ ହୃଦୟର ପ୍ରଜ୍ଜ୍ୱଳିତ ଅଗ୍ନିକୁ ନିର୍ବାପିତ କରିବେ । ଏହି ଦିବସକ୍ରୟ ନିର୍ବିବାଦରେ ପ୍ରମାଣ କରିଅଛି ଯେ, ଫରାସୀଜାତିର ଆନ୍ଦୋଳନ ମସ୍ତିଷ୍କ ବିକୃତିର ଆକସ୍ମିକ ଫଳ ନୁହେ, କିମ୍ୱା ଉଭ୍ରାନ୍ତର ଆକସ୍ମିକ ଊତ୍ତେଜନା ନୂହେ; ବରଂ ଏହା ଏହି ପୃଥିବୀପ୍ରସ୍ତୁତି ସତ୍ୟ ଏବଂ ଗୋଟିଏ ମହାନ୍‌ ତଥ୍ୟ । ଏହାକୁ ସତ୍ୟ ବୋଲି ଗ୍ରହଣ କରିବା ସମସ୍ତଙ୍କର ଉଚିତ ।

 

ପ୍ରକୃତ ପକ୍ଷେ ଫରାସୀ ରାଷ୍ଟ୍ରବିପ୍ଳବ ହୋଇ ନ ଥିଲେ ଲୋକେ ଏ ଯୁଗର ମହତ୍ତ୍ୱ ଅନୁଭବ କରିପାରି ନ ଥାନ୍ତେ । ଅଗାଧ ସମୁଦ୍ରରେ ବାତ୍ୟା ବିକ୍ଷୋଭିତ ତରଣୀ ଶୈଳାଶ୍ରୟ ଲାଭ କଲାପରି ଆମ୍ଭେମାନେ ତାହାକୁ ଗ୍ରହଣ କରିବୁ । ଏହା ଗୋଟିଏ ମହାନ୍‌ ସତ୍ୟ ପ୍ରକାଶକ, ସଂସାର-ମାୟା ନୁହେ ସତ୍ୟ; ମିଥ୍ୟା ପ୍ରବଞ୍ଚନା ଏହିଠାରେ ଶେଷ । ଏହା ପ୍ରଳୟଭେରୀ ବାଦନ କରି ବିଶ୍ୱଜଗତକୁ ଜଣାଇ ଦେଇଅଛି ।

 

ଏହିପରି କାଳରେ ବୀରପୂଜାର ମୂଲ୍ୟ ଅତ୍ୟନ୍ତ ବର୍ଦ୍ଧିତ ହୋଇଅଛି, ବୀରପୂଜା ଅପରିହାର୍ଯ୍ୟ ବୋଲି ପ୍ରମାଣିତ ହୋଇଅଛି । ଏହାଦ୍ୱାରା ଜଗତ ପରିଚାଳିତ ହେବାର ଶାଶ୍ୱତ ଆଶା ବର୍ତ୍ତମାନ । ମନୁଷ୍ୟ କର୍ତ୍ତୃକ ପ୍ରତିଷ୍ଠିତ ସମସ୍ତ ଆୟୋଜନ, ମତବାଦ, ଧର୍ମ୍ମପନ୍ଥା, ଶାସନପଦ୍ଧତି, ସମାଜ, ସମିତି, କାଳରେ ପୂର୍ଣ୍ଣ ପାକରେ ପଡ଼ି ନଷ୍ଟ ହୋଇପାରେ; କିନ୍ତୁ ଏହାର କ୍ଷୟନାହିଁ । ପ୍ରକୃତ ବୀରଙ୍କର ଆବିର୍ଭାବ ହେଲେ, ବୀର ସମ୍ୱର୍ଦ୍ଧନା ପ୍ରବୃତ୍ତି ସ୍ୱତଃ ଜାଗରିତ ହୁଏ ଏବଂ ଏହା ସମସ୍ତ ଗଣ୍ଡଗୋଳ ଝଡ଼ ବୃଷ୍ଟି ମଧ୍ୟରେ ଧ୍ରୁବତାରା ରୂପେ ବିରାଜମାନ ହୁଏ ।

 

ଫରାସୀ ବିପ୍ଳବର କର୍ମ୍ମୀ ଓ ଯୋଦ୍ଧାମାନଙ୍କୁ ବୀରପୂଜା କିପରି ଅଦ୍ଭୂତ ବୋଲି ବୋଧ ହୋଇଥିବ । ମହାପୁରୁଷଙ୍କଠାରେ ଅଶ୍ରଦ୍ଧା ଏବଂ ମହାପୁରୁଷମାନଙ୍କ ଆବିର୍ଭାବରେ ଅବିଶ୍ୱାସ କି ଅବିମୃଶ୍ୟକାରିତା ! ପ୍ରକୃତି ଗୋଟିଏ ବଡ଼ ନିର୍ଜୀବ ଯନ୍ତ୍ରଗୃହରୂପେ ବିବେଚିତ ହେବାରୁ ତାର ମହାପୁରୁଷ ଉତ୍ପାଦନ ଶକ୍ତିରେ ସାଧାରଣ ଭ୍ରମବିଶ୍ୱାସ ଜନ୍ନିଥିଲା । ସ୍ୱାଧୀନତା, ସାମ୍ୟନିତି କୃତ୍ରିମବୀରମାନଙ୍କର ପ୍ରତ୍ୟାଖ୍ୟାନ ଏହି ଚିତ୍କାର ମୂଳରେ ଅଛି । ଯେଉଁମାନେ ବୀର ବୋଲି ଆତ୍ମଡ଼ିଣ୍ଡିମ ବାଦନ କରନ୍ତି, ସେମାନେ ପ୍ରକୃତ ବୀର ନୁହନ୍ତି । ତେଣୁ ଶ୍ରଦ୍ଧା ଭକ୍ତି ସମ୍ୱର୍ଦ୍ଧନାର ପାତ୍ର ନୁହନ୍ତି, ବୀରପୂଜା ବିନଷ୍ଟ ହେବାର ପଦାର୍ଥ ନୁହେ, ଏହା ଅବିନାଶୀ ଏବଂ ସର୍ବତ୍ର ବିରାଜିତ । ଦେବତା ଉପାସନାଠାରୁ ଆରମ୍ଭ କରି ମନୁଷ୍ୟର ସାଧାରଣ ଦୈନଦିନ କାର୍ଯ୍ୟରେ ଏହା ସ୍ପଷ୍ଟ ପରିଲକ୍ଷିତ ହୁଏ । କେବଳ ଭଗବାନଙ୍କ ଅର୍ଚ୍ଚନାରେ ନୁହେ କିମ୍ୱା ମହାପୁରୁଷଙ୍କ ସମ୍ୱର୍ଦ୍ଧନାରେ ନୁହେ, ମନୁଷ୍ୟର ସାଧାରଣ ଶିଷ୍ଟାଚାରରେ ମଧ୍ୟ ସେହି ଶ୍ରଦ୍ଧା, ଭକ୍ତି ପରିଦୃଷ୍ଟ । ରାଜଭକ୍ତି ଏବଂ ଈଶ୍ୱର ଉପାସନା ମଧ୍ୟ ଏ ଯୁଗରେ ସମ୍ପୂର୍ଣ୍ଣ ସମ୍ଭବ ।

 

ଯେହେତୁ ଅନେକ ମହାପୁରୁଷ ବିଦ୍ରୋହୀ ରୂପେ କାର୍ଯ୍ୟ କରିଯାଇଅଛନ୍ତି, ସେଥିଲାଗି କଣ ସେମାନେ ବିଶୃଙ୍ଖଳା ପ୍ରବର୍ତ୍ତକ ? ନା ତାହା ନୁହେ, ସେମାନେ ଶୃଙ୍ଖଳାର ସନ୍ତାନ କିନ୍ତୁ ଏହା ବଡ଼ ଶୋଚନୀୟ ବିଷୟ ଯେ, ସେମାନଙ୍କୁ ବିପ୍ଳବ ସମୟରେ କାର୍ଯ୍ୟ କରିବାକୁ ପଡ଼େ–ତେଣୁ ସେମାନେ ଅରାଜକତା ପ୍ରବତ୍ତକ ବିପ୍ଳବବାଦୀ ବୋଲି ଗୃହୀତ ହୁଅନ୍ତି । ସେମାନେ ବିଶୃଙ୍ଖଳାର ଜାତଶତ୍ରୁ । ତାଙ୍କର ଜୀବନ ବ୍ରତ ଶୃଙ୍ଖଳା ପ୍ରବର୍ତ୍ତନ । ଯେପରି ସୂତ୍ରଧର ବୃକ୍ଷକୁ କର୍ତ୍ତନ ପୂର୍ବକ ସମତଳ କରି ବ୍ୟବହାରୋପଯୋଗୀ କରିଦିଏ, ତଦ୍ରୂପ ସେମାନେ ବିଶୃଙ୍ଖଳା ମଧ୍ୟରେ କାର୍ଯ୍ୟର ଶୃଙ୍ଖଳା ସୃଷ୍ଟି କରନ୍ତି । ଯେ ଯେତେ ଉନ୍ନତ ଉଦ୍ଭ୍ରାନ୍ତରୂପେ ମସ୍ତିଷ୍କର ବିକୃତି ଦେଖାଇଲେ ସୁଦ୍ଧା, ମୂଳରେ ଶୃଙ୍ଖଳା ଦିଗକୁ ପ୍ରଧାବିତ ହୋଇଥାନ୍ତି । ମନୁଷ୍ୟର ଜୀବନ ବିଶୃଙ୍ଖଳା ନୁହେ । ବିଶୃଙ୍ଖଳା ମୁତ୍ୟୁ । ମନୁଷ୍ୟ ଯେତେଦିନ ମନୂଷ୍ୟ ଥିବ, କ୍ରମ୍‌ଉଏଲ କିମ୍ୱା ନେପୋଲିୟନଙ୍କର ବିଦ୍ରୋହ ବହ୍ନିର ପରିଣତ । ଯେତେବେଳେ ବୀରଙ୍କର ଆବିର୍ଭାବ ଏକାବେଳକେ ଅସମ୍ଭବ ହୋଇ ଉଠିଥିଲା, ସେତେବେଳେ ତାହାର ଅସ୍ତିତ୍ୱ ଏମାନେ ପ୍ରମାଣ କରିଅଛନ୍ତି । ପୁନର୍ବାର ଐଶ୍ୱରିକ ଶକ୍ତି, ଐଶ୍ୱରିକ ଦାବିରେ ପରିଣତ ଏବଂ ବିପ୍ଳବ କାଳରେ ଯେତେବେଳେ ରାଜପଦ ଏକାବେଳକେ ଶୂନ୍ୟ ହୁଏ, ସେତେବେଳେ କ୍ରମଓୟେଲ ଓ ନେପୋଲିଅନ ପ୍ରଭୃତି ରାଜା ରୂପେ ରାଜସିଂହାସନରେ ଅଧିଷ୍ଠିତ ହୁଅନ୍ତି । ପୁରାକାଳୀନ ରାଜପଦ୍ଧତି ଏମାନଙ୍କ ଜୀବନୀ ପର୍ଯ୍ୟାଲୋଚନାରେ ସମ୍ୟକ ଉପଲବ୍‌ଧ ହେବ ।

 

ଇଂଲଣ୍ଡରେ ଯୁଦ୍ଧ ଓ ଗୃହବିବାଦ ଅନେକବାର ଘଟିଛି; କିନ୍ତୁ ଅଧିକାଂଶ ସ୍ମରଣଯୋଗ୍ୟ ନୁହେ । ପିଉରିଟାନ୍‌ମାନଙ୍କ ଯୁଦ୍ଧରେ ଗୁଢ଼ତତ୍ତ୍ୱ ଅଛି । ଏହା ପ୍ରକୃତ ପକ୍ଷେ ସେହି ବିଶ୍ୱବ୍ୟାପୀ ସମରର-ଅବିଶ୍ୱାସ ବିରୁଦ୍ଧରେ ଅବିଶ୍ୱାସର ଅଭିଯାନର ଗୋଟିଏ ଅଧ୍ୟାୟ ମାତ୍ର ।

 

ଅନେକଙ୍କ ମତରେ ପିଉରିଟାନ୍‌ମାନେ କେବଳ ବର୍ବରତାର ମୂର୍ତ୍ତିବିଗ୍ରହ-ପ୍ରତିମା ବିଧ୍ୱଂସନର ଭୀମପ୍ରତିମୂର୍ତ୍ତି; କିନ୍ତୁ ଯଥାର୍ଥରେ ସେମାନେ ଅଳୀକ ପ୍ରତିମାର ଘୃଣାକାରୀ । କାଣ୍ଟରବରୀ ଗୀର୍ଜାର ପ୍ରଧାନ ପୁରୋହିତ ଲଡ଼ଙ୍କ ବିଷୟ ଏଠାରେ ଉଲ୍ଲଖଯୋଗ୍ୟ । ତାଙ୍କର ଅଳୀକ ସ୍ୱପ୍ନ ଓ କୁସଂସ୍କାର ମଧ୍ୟରେ ଗୋଟାଏ ମଧୁର ସ୍ନେହଭାବ ନିହିତ । ସେ ଜଣେ କଲେଜର ଅଧ୍ୟାପକ ସ୍ୱରୂପ, ସେ ସମସ୍ତ ଜଗତକୁ ସେହି କଲେଜ ନିୟମରେ ପକାଇବାକୁ ଚାହାନ୍ତି । ତହିଁରେ ଜଗତର ମୁକ୍ତି କିନ୍ତୁ ସେ ହଠାତ୍‌ ଆକସ୍ମିକ ଭାବରେ ଗୋଟିଏ ଜାତିର ଶୀର୍ଷ ଦେଶରେ ଅବସ୍ଥାପିତ ହେଲେ । ତାଙ୍କ ମତାନୁସାରେ ଜାତ ସେହି ପ୍ରାଚୀନ ନିୟମାନୁସାରେ ପରିଚାଳିତ ହେବା ଉଚିତ । ତାଙ୍କର ବିଶ୍ୱାସ, ଏହି ପ୍ରାଚୀନ ନିୟମର ଉନ୍ନତି ବିଧାନରେହିଁ ମୁକ୍ତି । ସେ ଦୁର୍ବଳ ନିରୁପାୟ ବ୍ୟକ୍ତିରୂପେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମନ୍ତେ ବଦ୍ଧପରିକର ହୋଇ କୌଣସି ପ୍ରକାର ଆଦେଶ ନ ମାନି ମର୍ମ୍ମଭେଦୀ କାତରବାଣୀ ପ୍ରତି କର୍ଣ୍ଣପାତ ନ କରି, ସେହି ପୁରାତନ ପନ୍ଥା ଅନୁସରଣ କଲେ । ସେ ଭାବିଥିଲେ ଯେ ସମସ୍ତ ଜାତିଟା ଯେପରି କଲେଜର ଛାତ୍ର ଏବଂ ସମସ୍ତେ ସେହି କଲେଜ ନିୟମ ପ୍ରତିପାଳନ କରିବେ । କିନ୍ତୁ ହାୟ ! ଜଗତଟା ଆଉ ପାଠାଗାର ନୁହେ । ତାହାଠାରୁ ବହୁତ ପୃଥକ୍‌। ତେଣୁ ତାଙ୍କର ସମସ୍ତ ଭ୍ରମ ଓ ସମସ୍ତ ଅନ୍ୟାୟର ବେଶ୍‌ ସୁନ୍ଦର ପ୍ରତିହିଂସା ନିଆହୋଇଅଛି-। ତାଙ୍କର ଶେଷ ପରିଣାମ କି ଭୟାବହ ହୋଇନାହିଁ ।

 

ପ୍ରତ୍ୟେକ ବସ୍ତୁ ଗୋଟିଏ ନା ଗୋଟିଏ ଆକାରରେ ଗଠିତ । ଆକାର ଅଭାବରେ ତାହା ଅବସ୍ଥାନ କରିପାରେ ନାହିଁ । ପିଉରିଟାନ୍‌ମାନଙ୍କର ଆକାରଶୂନ୍ୟତା ଅତିଶୟ କ୍ଷୋଭର ବିଷୟ, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ମହତ୍‌ । ସେହି ଉଦ୍ଦେଶ୍ୟ ବାସ୍ତବିକ ପ୍ରଶଂସାର୍ହ । ପ୍ରତ୍ୟେକ ସତ୍ୟ ଗୋଟାଏ ପରିଚ୍ଛଦରେ ଆବୃତ । ଯେଉଁ ଆଚରଣ ସ୍ୱତଃ ସତ୍ୟ ବେଷ୍ଟନୀରେ ପରିବେଷ୍ଟିତ ହୋଇ ରହେ, ତାହା ଗ୍ରହଣୀୟ ଓ ଆଦରଣୀୟ; କିନ୍ତୁ ଯାହା ବଳପୂର୍ବକ ପ୍ରଦତ୍ତ ତାହା ଅଳୀକ ଓ ଅନିଷ୍ଟକାରକ । ଏହା ବାସ୍ତବିକ ପ୍ରଣିଧାନର ବିଷୟ ।

 

‘ପିଉରିଟାନ୍‌ଧର୍ମ’ର ଏହିପରି ମିଥ୍ୟା ଉପାସନା ପଦ୍ଧତି ଏବଂ ଭଣ୍ଡତା ଅସହ୍ୟ ହୋଇ ଉଠିଲା । କିନ୍ତୁ ତାହା ଏହି ମିଥ୍ୟା, ବାହ୍ୟିକଉପଚାର ଇତ୍ୟାଦିକୁ ପଦାଘାତ କରି ଚୂର୍ଣ୍ଣବିଚୂର୍ଣ୍ଣ କରିଦେଲା । କେବଳ ଧର୍ମପ୍ରାଣ ପିଉରିଟାନ୍‌ମାନେ ବାଇବେଲ (Bible) ହସ୍ତରେ ଧାରଣ କରି, ଧର୍ମ ମଞ୍ଚରେ ଦଣ୍ଡାୟମାନ ହୋଇ, ଧର୍ମ ଓ ଭଗବତ୍‌ ମହିମା ପ୍ରଚାର କରିବାକୁ ଲାଗିଲେ । ଗୋଟିଏ ତନ୍ମୟ ପ୍ରାଣର ଧର୍ମବାଣୀ ଆଉ ଜଣେ ଶିଷ୍ୟ ତନ୍ମୟ ହୃଦୟରେ ଯଦି ଗ୍ରହଣ କରେ, ତେବେ ଏହା କ‘ଣ ଧର୍ମର ବା ଧର୍ମ ପ୍ରଚାରର ପ୍ରକୃତ ସ୍ୱରୂପ ନୁହେ ? ନଗ୍ନ ଏବଂ ନିର୍ମଳ ସତ୍ୟ ଅନ୍ୟ ଯେ କୌଣସି ପ୍ରକାର ଆଡ଼ମ୍ୱରପୁର୍ଣ୍ଣ ମିଥ୍ୟା ପ୍ରବଞ୍ଚନା ଅପେକ୍ଷା ସହସ୍ର ଗୁଣେ ଶ୍ରେୟସ୍କର । ଅବଶ୍ୟ କାଳକ୍ରମେ ତହିଁରେ ଆବରଣ ଅନେକ ପଡ଼ିବ, କିନ୍ତୁ ସେଥିନିମିତ୍ତ କୌଣସି ଆଶଙ୍କା କରିବା ଉଚିତ ନୁହେଁ । ଜୀବନ୍ତ ମନୁଷ୍ୟ ଥିଲେ ତାହାଙ୍କ ବହିରାବରଣ ରହିବ ଏବଂ ସେ ନିଜେ ମଧ୍ୟ ସବୁ ପରିଚ୍ଛେଦ ଆୟୋଜନ କରି ନେବ । କିନ୍ତୁ କେବଳ ବହିରାବରରଣକୁ ବ୍ୟକ୍ତି ଓ ଆବରଣ ଉଭୟ ବୋଲି ପ୍ରଚାର କରିବା ଅତିଶୟ ଗର୍ହିତ କାର୍ଯ୍ୟ । କେବଳ ବହୁ ସହସ୍ର ଆବରଣ (Uniforms) ଦ୍ୱାରା ଆମ୍ଭେମାନେ ସଂସାର ପ୍ରାଙ୍ଗଣରେ ଅବତୀର୍ଣ୍ଣ ହୋଇ ପାରୁନାହିଁ । ଆବରଣ ମଧ୍ୟରେ ସଜୀବ ମନୁଷ୍ୟ ଥିବା ପ୍ରୟୋଜନ ।

 

ପିଉରିଟାନ ଯୁଗ ପରେ ଇଂଲଣ୍ଡରେ ଯେଉଁ ଯୁଗରେ ଅବତାରଣା ହେଲା ତହିଁରେ ସେମାନଙ୍କ ପ୍ରତି ଆଦୌ ସୁବିଚାର କରା ହୋଇ ନାହିଁ । ଦ୍ୱିତୀୟ ଚାର୍ଲସ୍‌ ଏବଂ ତାଙ୍କର ପାର୍ଶ୍ୱଚରମାନେ ତାହାର ମୂଲ୍ୟ ଓ ମହତ୍ତ୍ୱ ବୋଧ କରିବା ନିମନ୍ତେ ଉପଯୁକ୍ତ ଲୋକ ନ ଥିଲେ । ଏହି ଧର୍ମର ଯେ କିଛି ସତ୍ୟ ଅଛି, ଏଥିରେ ଯେ କିଛି ମୂଲ୍ୟ ଅଛି, ତାହା ଏହି ଅବିମୃଶ୍ୟକାରୀ ବ୍ୟକ୍ତିମାନେ ଆଦୌ ବୁଝିଲେ ନାହିଁ । ଏବଂ ତାହାର ସମସ୍ତ ତଥ୍ୟ ବିସ୍ମରଣ କଲେ । ପିଉରିଟାନ୍‌ଧର୍ମ୍ମ ଏବଂ ତାର ପ୍ରଧାନ ନେତାମାନଙ୍କୁ ଫାସିକାଠାରେ ଲମ୍ୱମାନ କଲେ । ତଥାପି ସେ ତାହାର ଅଭୀଷ୍ଟ କାର୍ଯ୍ୟ ସମ୍ଫାଦନରେ ତ୍ରୁଟି କରି ନାହିଁ । ତାହାରି ଫଳରେ ‘‘ହାବିଆସ୍‌ କର୍ପସ୍‌ Habeas Corpus) ସାଧାରଣ ପ୍ରତିନିଧି ନିର୍ବାଚନ ଏବଂ ଜଗତ୍‌ ସମମ୍ମୁଖରେ ସମସ୍ତ ଇଂରାଜ ଜାତିର ପ୍ରତ୍ୟେକ ନରନାରୀ ସ୍ୱୀଧୀନ ବୋଲି ପ୍ରଚାରିତ ହେଲା ।

 

କାଳକ୍ରମେ ଯେତେବେଳେ ଏହି ଧାରାବାହିକ ଆନ୍ଦୋଳନ ଶେଷ ହୋଇଗଲା ସେତେବେଳେ ପିଉରିଟାନମାନଙ୍କ ଚରିତ୍ର ସ୍ୱତଃ ନିର୍ମଳ ହୋଇ ପ୍ରତିଭାତ ହେଲା । ଜନସାଧାରଣ ପ୍ରାଣଦଣ୍ଡରେ ଦଣ୍ଡିତ ଅନେକ ନେତା ଓ ଅଧିନାୟକମାନଙ୍କୁ ବୀରଆଖ୍ୟାରେ ବିଭୂଷିତ କରି ତାଙ୍କର ପବିତ୍ର ସ୍ମୃତି ଉପାସନା କଲେ ଏବଂ ଇଲିଅଟ୍‌, ହାମ୍ପଡ଼ନ୍‌, ପିମ୍‌ପ୍ରଭୃତିଙ୍କୁ ମହାପ୍ରାଣ ବୀର ରୂପେ ଗ୍ରହଣ କଲେ । ବର୍ତ୍ତମାନ ଯେ କୌଣସି ନଗଣ୍ୟ ଅଖ୍ୟାତନାମା ପିଉରିଟାନଙ୍କୁ ମଧ୍ୟ ଶ୍ରଦ୍ଧା ଭକ୍ତି ପ୍ରଦର୍ଶନ କରାଯାଏ । ତଥାପି ଜଣେ ପିଉରିଟାନ୍‌ ଅର୍ଥାତ୍‌ କ୍ରମଉଏଲ୍‌ ଦୈବଦୁର୍ବିପାକ ଓ ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ ନିନ୍ଦାବାଦରୁ ମୁକ୍ତିଲାଭ କରି ନାହାନ୍ତି । କୌଣସି ପୁଣ୍ୟାତ୍ମା କିମ୍ୱା ଦୁରାତ୍ମା ତାହାଙ୍କୁ ତହିଁରୁ ଅବ୍ୟାହତି ପ୍ରଦାନ କରିବେ ନାହିଁ । ସୁଦକ୍ଷ, ଗଭୀର ବୁଦ୍ଧିଶାଳୀ, ଧୀର, ସାହାସୀ ଏବଂ ନାନା ଗୁଣସୁଶୋଭିତ କ୍ରମଉଏଲ୍‌ ବ୍ରତ ଭଙ୍ଗ କରିଥିଲେ ବୋଲି, ତାଙ୍କର ସ୍ୱାର୍ଥପୂର୍ଣ୍ଣ ଅଭିଳାଷ, ଅସାଧୁତା, କପଟତା, ଭଣ୍ଡତା, କୃତଘ୍ନତା ଏବଂ ରାଷ୍ଟ୍ରୀୟ ସ୍ୱାଧୀନତା ନିମନ୍ତେ ଉଦାର, ମହା ସଂଗ୍ରାମ କେବଳ ସ୍ୱାର୍ଥ ସିଦ୍ଧି ଦିଗରେ ପରିଚାଳିତ ଇତ୍ୟାଦି ଇତ୍ୟାଦି ଅନେକ ପାପମୟ କଳଂକିତ ଚରିତ୍ର ଚିତ୍ରଣ ପୂର୍ବକ ଜନସାଧାରଣ ତାଙ୍କର କୁତ୍ସା ରଟନାରେ ବ୍ୟାପୃତ । ପୁନଶ୍ଚ ଓ୍ୟାସିଙ୍ଗଟନଙ୍କ ସହିତ ତୁଳନା କରି ତାଙ୍କର ମହତ୍ତ୍ୱର ମଧ୍ୟ ହ୍ରାସ କରାଯାଏ ।

 

କ୍ରମଉଏଲଙ୍କ ବିଷୟରେ ଏପରି ମତ ଅଷ୍ଟାଦଶ ଶତାବ୍ଦୀ ପକ୍ଷେ ଆଦୌ ଆସ୍ୱାଭାବିକ ନୁହେଁ । ଅବିଶ୍ୱାସୀ ବ୍ୟକ୍ତି ପ୍ରକ୍ତୃତ ମହାପୁରୁଷଙ୍କର ମହତ୍ତ୍ୱ ବୁଝି ପାରେ ନାହିଁ । ଚକ୍ଷୁ ସମ୍ମୁଖରେ ବୀରଙ୍କୁ ଦେଖିଲେ ମଧ୍ୟ ସେମାନେ ଚିହ୍ନି ପାରନ୍ତି ନାହିଁ । ବହୁମୂଲ୍ୟ ରାଜ ପରିଚ୍ଛଦ, ରାଜ ଯୋଗ୍ୟ ମଣିମୟ ମୁକୁଟ, ରତ୍ନ ଖଚିତ ରାଜଦଣ୍ଡ, ବିଚିତ୍ରବେଶ ଓ ଅସ୍ତ୍ରଧାରୀ ଦେହରକ୍ଷୀ ପରିବେଷ୍ଟିତ ରାଜାଙ୍କୁ ସେମାନେ ରାଜା ବେଲି ହୃଦୟଙ୍ଗମ କରି ପାରନ୍ତି ନାହିଁ ।

 

ପ୍ରକୃତରେ ନିରପେକ୍ଷଭାବରେ କହିବାକୁ ଗଲେ ହାମ୍ପ୍‌ଡ଼େନ୍‌ ଇଲିଅଟ୍‌, ପିମ୍‌ ପ୍ରଭୃତି ବ୍ୟକ୍ତିଙ୍କର ଚରିତ୍ର ଅତିଶୟ ନିର୍ମଳ, ମହତ୍‌ ଏବଂ ଦୋଷ ରହିତ । ବାସ୍ତବରେ ସେମାନେ ଅତି ଉପଯୁକ୍ତ ଏବଂ ଗୁଣୀ ବ୍ୟକ୍ତି, କିନ୍ତୁ ସେମାନଙ୍କ ସମ୍ୱନ୍ଧରେ ପୁସ୍ତକ ଇତ୍ୟାଦି ଶ୍ରମ ସ୍ୱୀକାର ପୂର୍ବକ ପାଠ କଲେ ଅବଶ୍ୟ ଶ୍ରଦ୍ଧାନ୍ୱିତ ହୁଦୟରେ ଅନେକ ସମୟରେ ନିରାଶ ହେବାକୁ ହୁଏ । ସେମାନେ ଦର୍ଶନରେ ହୃଦୟ ହର୍ଷ, ବିସ୍ମୟ, ଶ୍ରଦ୍ଧା ଏବଂ ଭକ୍ତିରେ ପରିପ୍ଳୁତ ହୋଇ ପଡ଼େ ନାହିଁ । ବର୍ତ୍ତମାନ ସେମାନେ ବିସ୍ମୃତ ପ୍ରାୟ ହୋଇ ଯାଇଅଛନ୍ତି । ପାର୍ଲିଆମେଣ୍ଟରେ ପିମଙ୍କର ବକ୍ତୃତା ଅତିଶୟ ମୂଲ୍ୟବାନ୍‌ ହୋଇପାରେ । ଜଗତ୍‌ ତାହାର ବହୁତ ପ୍ରଶଂସା କରିପାରେ; କିନ୍ତୁ ତାହା ଲୌହବତ୍‌ କଠିନ ଏବଂ ଇଷ୍ଟକ ଚୂର୍ଣ୍ଣବତ୍‌ ନୀରସ । ତାହାର ସମସ୍ତ ମହତ୍ତ୍ୱର ଉତ୍ସ ଶୁଷ୍କ ହୋଇଯାଇଅଛି । କିନ୍ତୁ କଠିନ, ତୀବ୍ର କ୍ରମଉଏଲଙ୍କ ମଧ୍ୟରେ ତଥାପି ବହୁଅଂଶରେ ମନୁଷ୍ୟତ୍ୱ ଏବଂ ମହତ୍ୱ ବର୍ତ୍ତମାନ । ତାଙ୍କର କୌଣସି ସମର ସାହିତ୍ୟ ଲେଖିବା ଭଳି ଓଜସ୍ୱିନୀ ଭାଷା ନ ଥିଲା କିମ୍ୱା ବଜ୍ରନିର୍ଘୋଷରେ ବକ୍ତୃତା ଦେବାର ଶକ୍ତି ନ ଥିଲା । ତାଙ୍କର ବାଲ୍ୟଜୀବନ, ଯୌବନ ସେପରି ସୁଖମୟ ବା ମଧୁର ନ ଥିଲା, ବରଂ କଣ୍ଟକିତ ଥିଲା । କିନ୍ତୁ ଭବେତ୍‌ ପ୍ରେରିତ ହୋଇ ସେ ସିଂହ ବିକ୍ରମରେ ସତ୍ୟମଞ୍ଚରେ ଅବତୀର୍ଣ୍ଣ ହୋଇଥିଲେ ।

 

ଅଷ୍ଟାଦଶ ଶତାବ୍ଦୀରେ କେତେକ ଉନ୍ନତମନା ପିଉରିଟାନ୍‍ମାନଙ୍କ ପ୍ରତି ରାଜନୀତିକ ଦାନ ବିଶେଷ ଉଲ୍ଳେଖଯୋଗ୍ୟ ଘଟଣା ନୁହେଁ । ଏହା ମଧ୍ୟ ଏକ ପ୍ରକାର ସନ୍ଦେହ ଓ ଅବିଶ୍ୱାସର କଥା । ସେମାନଙ୍କ ମତରେ ଇଂରେଜ ସ୍ୱାଧୀନତା କୁସଂସ୍କାର ଉପରେ ପ୍ରତିଷ୍ଠିତ ହେବା ଅତିଶୟ କ୍ଷୋଭର ବିଷୟ । ପିଉରିଟାନ୍‌ମାନେ ପ୍ରଥମେ ତାଙ୍କର ନିଜ ପ୍ରଥା ଅନୁସାରେ ଧର୍ମ ମନ୍ଦିରରେ ଉପାସନା କରିବାରେ ସ୍ୱାଧୀନତା ଦାବୀ କରିଥିଲେ । ଅନ୍ୟାନ୍ୟ ବିଷୟ ଉପରେ, ବିଶେଷ ଜୋର ଦେବା କୁସଂସ୍କାର ଏବଂ ରାଷ୍ଟ୍ରନୀତିର ଅନଭିଜ୍ଞତା ପ୍ରକାଶ କରୁଅଛି । ନିଜ ଉପରେ କର ବସାଇବା କ୍ଷମତା ବା ବିନା କାରଣରେ କର ଦେବାକୁ ଅସ୍ୱୀକୃତ ହେବା, ଗୋଟିଏ ବିଶିଷ୍ଟ ଦାବୀ ରୂପେ ଗଣ୍ୟ ହୋଇ ନ ପାରେ; କିନ୍ତୁ ଅର୍ଥ ମନୁଷ୍ୟ ଏକ ମାତ୍ର ବିଚାର୍ଯ୍ୟ ବିଷୟ ନୁହେ । ଅର୍ଥ ଅପେକ୍ଷା ଅଧିକତର ଗୁରୁତର ବିଷୟ ମଧ୍ୟ ଅଛି । ଧନହୀନ ହୋଇ ମଧ୍ୟ ମନୁଷ୍ୟ ନିଜ ମୁକ୍ତିପଥ ଲାଭ କରିପାରେ; କିନ୍ତୁ ଯେ ମୁହୂର୍ତ୍ତରେ ସ୍ୱାର୍ଥସିଦ୍ଧି ଲାଗି ମିଥ୍ୟା ପଥ ଅବଲମ୍ୱନ କରାଯାଏ, ସେହିଠାରେ ମୃତ୍ୟୁ–ନୈତିକ ମୁତ୍ୟୁ–ହୁଏ । ଭଗବାନଙ୍କ ଉପରେ ପ୍ରକୃତ ବିଶ୍ୱାସ ନ ଥିବା ସ୍ଥଳେ ବିଶ୍ୱାସର ଅସ୍ତିତ୍ୱ ପ୍ରଚାର କରିବା ଅତିଶୟ ଗର୍ହିତ କାର୍ଯ୍ୟ । ଅର୍ଥ ଅପହୃତ ହୋଇପାରେ ଏବଂ ସେଥିଲାଗି ସମୟରେ ଜୀବନ ମଧ୍ୟ ସଂକଟାପନ୍ନ ହୋଇପାରେ; କିନ୍ତୁ ନୈତିକ ଆତ୍ମା କୌଣସି ରୂପେ ଅପହୃତ ବା ବିନଷ୍ଟ ହେବାର ନୁହେ । ପଥରେ ଯେକୌଣସି ଆତତାୟୀ ଭୀତି ପ୍ରଦର୍ଶନ ପୂର୍ବକ ସମସ୍ତ ଅର୍ଥ ଅପହରଣ କରି ପାରେ, କିନ୍ତୁ ନୈତିକ ଆତ୍ମା ଯେପରି ସେହିପରି ରହିବ । ଆତ୍ମା କେହି ନେଇ ପାରେ ନାହିଁ । ସେହି ନୈତିକତା ରକ୍ଷା କରିବା ନିମନ୍ତେ ଯଦି ପ୍ରାଣ ବିସର୍ଜ୍ଜନ କରିବାକୁ ପଡ଼େ, ତେବେ ତାହା ମଧ୍ୟ ଶ୍ରେୟସ୍କର ।

 

ଏହାହିଁ ବାସ୍ତବରେ ପ୍ରତ୍ୟେକ ବିପ୍ଳବର ମୂଳଭିତ୍ତି । କେବଳ ପୈଶାଚିକ ଦୁର୍ବାର ଗୁଣପିପାସା ଫରାସୀ ରାଷ୍ଟ୍ରବିପ୍ଳବ ସୃଷ୍ଟି କରି ନ ଥିଲା, କିନ୍ତୁ ମିଥ୍ୟା ପ୍ରବଞ୍ଚନାର ଭୀଷଣ ତାଣ୍ଡବ ଲୀଳା ମିଶ୍ରିତ ହୋଇ ତାହାକୁ ଅନିର୍ବାର୍ଯ୍ୟ କରି ପକାଇଥିଲା । ଅବିଶ୍ୱାସ ପୁର୍ଣ୍ଣ ୧୮ଶ ଶତାବ୍ଦୀ ତାହା ଉପଲବ୍‌ଧି କରି ପାରି ନ ଥିଲା; ହାମ୍ପଡ଼େନ୍‌ ପିମ୍‌ ପ୍ରମୁଖ ବ୍ୟକ୍ତିଙ୍କର ଭୂୟସୀ ପ୍ରଶଂସା କରିଅଛି । ମାତ୍ର କ୍ରମଉଏଲଙ୍କ ତୁଲ୍ୟ ମହାତ୍ମାଙ୍କୁ ପାଗଳ, କପଟାଚାରିର ଆଖ୍ୟା ପ୍ରଦାନ କରିଅଛି । କ୍ରମଉଏଲଙ୍କ ବିରୁଦ୍ଧରେ ଅଭିଯୋଗ ଆଦୌ ବିଶ୍ୱାସଯୋଗ୍ୟ ନୁହେ । ଅନେକ ସମୟରେ ଜନସାଧାରଣ ମହାପୁରୁଷମାନଙ୍କ ମହତ୍ତ୍ୱ ଉପଲବ୍‌ଧି କରି ନ ପାରି ସେମାନଙ୍କୁ ନାନା କୁଆଖ୍ୟା ପ୍ରଦାନ କରିଥାନ୍ତି । ନିଜର ସ୍ୱାର୍ଥପୂର୍ଣ୍ଣ ମାନଦଣ୍ଡରେ ସମସ୍ତ ବିଚାର କରିଥାନ୍ତି । ସାଧାରଣଙ୍କ ପକ୍ଷରେ ସେମାନେ ଦୁର୍ବୋଧ । କୌଣସି ମହାପୁରୁଷ କି କେବେ ବିବେକ ଶୂନ୍ୟ ହୋଇପାରନ୍ତି ? କ୍ରମଉଏଲଙ୍କୁ ଦସ୍ୟୁ କିମ୍ୱା ପ୍ରବଞ୍ଚକ ବୋଲି ଚିତ୍ରିତ କରାଯାଇ ପାରେ କି ? କିନ୍ତୁ ତାଙ୍କର ଜୀବନ ଚରିତ ଯେତେ ପାଠ କରାଯାଏ, ତେତେ ଏପରି ଭ୍ରମ ଧାରଣା ଦୂର ହୋଇଯିବ । ତାଙ୍କ ବିରୁଦ୍ଧରେ ଆଜିଯାଏ କୌଣସି ଅଭିଯୋଗ ପ୍ରମାଣିତ ହୋଇ ନାହିଁ ।

 

କିନ୍ତୁ ତାଙ୍କର ବାଲ୍ୟଜୀବନ ଆଲୋଚନା କଲେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ ଧାରଣା ହୁଏ । ବାଲ୍ୟାବସ୍ଥାରେ ଅଜ୍ଞାତ ଅପ୍ରସିଦ୍ଧ ଜୀବନ ତାଙ୍କର ସରଳ ହୃଦୟତାର ପ୍ରମାଣ କରେ । ମାନସିକ ବିଷନ୍ନଭାବ ମଧ୍ୟ ତାଙ୍କର ଭାବଗାମ୍ଭୀର୍ଯ୍ୟ ପ୍ରମାଣ କରେ ।

 

ଯୁବକ ଅଲିଭର ଯେତେବେଳେ ଆଇନ୍‌ ଅଧ୍ୟୟନ କରିବାକୁ ପ୍ରେରିତ ହୋଇଥିଲେ ସେତେବେଳେ ଯୌବନର ଉନ୍ମାଦନାରେ ଦୁଷ୍ଟ ସଂସର୍ଗରେ ପତିତ ହୋଇ ଇନ୍ଦ୍ରିୟାସକ୍ତ ହୋଇଥିଲେ ସତ୍ୟ, କିନ୍ତୁ ହଠାତ୍‌ ତାଙ୍କର ଦୁର୍ବଳତା ହୃଦୟଙ୍ଗମ କରି ସେ ସ୍ୱୀୟ କୃତକର୍ମ୍ମ ନିମିତ୍ତ ଅତିଶୟ ଅନୁତାପ, ଅନୁଶୋଚନା କରି ସେ ସମସ୍ତ ପଥ ବର୍ଜ୍ଜନ କଲେ ଏବଂ ବିଂଶତି ବର୍ଷ ସମ୍ପୂର୍ଣ୍ଣ ନ ହେଉଣୁ ପରିଣୟ-ସୂତ୍ରରେ ଆବଦ୍ଧ ହୋଇ ପବିତ୍ର ସାଂସାରିକ ଜୀବନ ଆରମ୍ଭ କଲେ । ତତ୍‌ପରେ ସେ ତାଙ୍କର ଜୀବନ ନୀରବରେ ପରିଶ୍ରମ କରି କଷ୍ଟସହିଷ୍ଣୁ କୃଷକ ରୂପେ ଅତିବାହିତ କଲେ । ସେ ସଂସାରର ସମସ୍ତ ଭୋଗବିଳାସ, ଉଚ୍ଚ ଆଶା ଇତ୍ୟାଦି ପରିତ୍ୟାଗ କଲେ । ସେ ଭୂମିକର୍ଷଣ, ଧର୍ମ୍ମଶାସ୍ତ୍ର ପାଠ ସଙ୍ଗେ ସଙ୍ଗେ ମଧ୍ୟ ତାଙ୍କର ଅନୁଚରମାନଙ୍କୁ ଏକତ୍ର କରି ଭଗବାନଙ୍କର ଉପାସନା କରିବାକୁ ଲାଗିଲେ । କେତେବେଳେ ନୈରାଶ୍ୟଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାନ୍ତ୍ୱନା ଦାନ, କେତେବେଳେ ଅବା ପ୍ରତିବେଶୀମାନଙ୍କୁ ଧର୍ମଶିକ୍ଷା ପ୍ରଦାନ କରି କାଳଯାପନ କରୁଥିଲେ । ଏଥିରେ ଭଣ୍ଡତା, କପଟତା ବା ଉଚ୍ଚାଭିଳାଷ କେଉଁଠାରେ ? ତାଙ୍କର ସମସ୍ତ ଆଶା ଆକାଂକ୍ଷା ପରପାରର ବସ୍ତୁ ଉପରେ ନିର୍ଦ୍ଦିଷ୍ଟ । ସେହିଠାରେ ସେ ଉନ୍ନତିଲାଭ କରିବାକୁ ଚେଷ୍ଟା କରୁଥିଲେ । ଏ ପୃଥିବୀରେ ନୀରବରେ ଶାନ୍ତ ଓ ସରଳ ଭାବରେ ଜୀବନ ଅତିବାହିତ କରୁଥିଲେ, କେବଳ ସେହି ଭଗବାନଙ୍କର କୃପାକଣା ଲାଭ କରିବା ନିମନ୍ତେ; ମାତ୍ର ସାଧାରଣ ଲୋକ ଚକ୍ଷୁରେ ପ୍ରତିଷ୍ଠା ଲାଭ କରିବା ତାଙ୍କ ହୃଦୟ ବାସନା ନ ଥିଲା । ତତ୍‌ପରେ ସେ ଗୋଟିଏ ସାଧାରଣ ହିତକର ଆନ୍ଦୋଳନରେ ନେତୃତ୍ୱ ଗ୍ରହଣ କରି ସର୍ବ ପ୍ରଥମେ ଜନସାଧରଣଙ୍କ ଦୃଷ୍ଟି ଆକର୍ଷଣ କଲେ । ଅନ୍ୟ କେହି ସେ ଦୁଃଖ ଅପନୋଦନ କରିବାରେ ଚେଷ୍ଟା ନ କରିବାକୁ ତାଙ୍କୁ ଅଗତ୍ୟା ଉକ୍ତ ଆନ୍ଦୋଳନରେ ଲମ୍ଫ ପ୍ରଦାନ କରିବାକୁ ହୋଇଥିଲା । ଏ ବିଷୟରେ ସମୀଚୀନ ସମାଧାନ ପରେ ସେ ପୁଣି ତାଙ୍କ ପୂର୍ବ କୃଷିକର୍ମ ଏବଂ ଧର୍ମ ଶାସ୍ତ୍ରକୁ ଲଉଟି ଆସିଲେ । କିନ୍ତୁ ତାଙ୍କର ଅଭିଜ୍ଞତା, ସାଧୁତା, ଧର୍ମପ୍ରାଣତା ଓ ବଦ୍ଧପରିକରତା ହେତୁ ସମାଜଦୃଷ୍ଟିରେ ତାଙ୍କର ପ୍ରଭାବ କ୍ରମଶଃ ପ୍ରସାର ଲାଭ କଲା । ଏହିପରି ଭାବରେ ୪୦ ବର୍ଷକାଳ ଅତିବାହିତ କଲା ପରେ ବାର୍ଦ୍ଧକ୍ୟ ଆକ୍ରମଣରେ ମୃତ୍ୟୁଦ୍ୱାରର ଛବି ତାଙ୍କ ନେତ୍ର ପଥରେ ପ୍ରତିବିମ୍ୱିତ ହେଲା; ଏହିପରି ସମୟରେ ହଠାତ୍‌ ପାର୍ଲିଆମେଣ୍ଟ ମହାସଭାରେ ପ୍ରବେଶ କରିବା ତାଙ୍କର ଉଚ୍ଚାଭିଳାଷ ଚରିତାର୍ଥ କରିବାର ଆଦୌ ପରିଚାୟକ କି ?

 

ମହାସଭାରେ କୃତବିଦ୍ୟତା, ଯୁଦ୍ଧରେ ଜୟଲାଭ ଇତ୍ୟାଦି ପ୍ରକୃତ ବୀରପୁରୁଷଙ୍କ ବିକ୍ରମର ଚିହ୍ନ । ସେମାନଙ୍କର ସାଧାରଣ ମନୁଷ୍ୟ ଅପେକ୍ଷା ହୃଦୟର ବଳ ଏବଂ ମାନସିକ ଶକ୍ତି ଅଧିକ । ଭଗବାନଙ୍କୁ ନିରତ ସକରୁଣ ପ୍ରାର୍ଥନା, ତାଙ୍କର ବିଜୟରେ ଧନ୍ୟବାଦ ଅର୍ପଣ ବାସ୍ତବିକ ଗୋଟିଏ ଲକ୍ଷ୍ୟ କରିବାର ବିଷୟ । ଯୁଦ୍ଧ ପରେ ଯୁଦ୍ଧରେ ବିଜୟଲାଭ ସ୍ତରେ ସ୍ତରେ ବିଭୁ କୃପାଲାଭ କରି ପରିଶେଷରେ ୧୬୫୧ ଖ୍ରୀଷ୍ଟାବ୍ଦରେ ଘୋର ଯୁଦ୍ଧରେ ପୁଣି ବିପୁଳ ଯଶଲାଭ କେବଳ କ୍ରମଉଏଲଙ୍କର ମହତ୍ତ୍ୱ, ଶୁଦ୍ଧ ହୃଦୟ ଏବଂ ନିର୍ମଳ ଚରିତ୍ର ପ୍ରକାଶ କରୁଅଛି ।

 

ରାଜାଙ୍କର ପ୍ରାଣ ବିନାଶରେ ତାଙ୍କର ଯୋଗଦାନ ମଧ୍ୟ ଦୋଷାବହ ନୁହେ । ରାଜାଙ୍କର ପ୍ରାଣଦଣ୍ଡ ପାଷାଣ ଠାରୁ କଠିନ, ପର୍ବତଠାରୁ ଅଚଳ, କଠୋର କର୍ତ୍ତବ୍ୟ ରୂପେରେ ପରିଣତ ହୋଇଥିଲା । ଯୁଦ୍ଧରେ ବ୍ୟାପୃତ ହେଲେ ଏକପକ୍ଷ ନିଶ୍ଚୟ ନିହତ ହେବ । ବର୍ତ୍ତମାନ ପ୍ରଥମ ଚାଲସ୍‌ ପରାସ୍ତ ହେବା ପରେ ପୁଣି ତାଙ୍କ ହସ୍ତରେ ଶାସନ ଭାର ନ୍ୟସ୍ତ କରିବାକୁ ମହାସଭା ସ୍ୱୀକୃତ ନ ଥିଲା । ଚାର୍ଲସଙ୍କ ଶଠତା ଯୋଗ ତାଙ୍କଦ୍ୱାରା କାର୍ଯ୍ୟନିର୍ବାହ ହେବା ଏକାବେଳକେ ଅସମ୍ଭବ ହୋଇ ଉଠିଥିଲା । ପ୍ରତ୍ୟେକ ରାଜନୀତିକ ଦଳଦ୍ୱାରା ପରିତ୍ୟକ୍ତ ହୋଇ ସେ କେବଳ ଶୂନ୍ୟ ରାଜ ପଦରେ ବିଭୁଷିତ ହୋଇ ରହିଲେ । ସେ ସେହି ସମୟରେ ଗୋଟିଏ ଦଳକୁ ଅନ୍ୟ ଦଳ ବିରୁଦ୍ଧରେ ଉତ୍ତେଜିତ କରି ନିଜର ରାଜକ୍ଷମତା ପୁନଃ ଲାଭ କରିବାକୁ ଗୁପ୍ତ ଉଦ୍ୟମ କରୁଥିଲେ । ଶେଷରେ ଭିନ୍ନ ଭିନ୍ନ ଦଳ ତାଙ୍କର ଅସଦୁଦ୍ଦେଶ୍ୟ ବୁଝି ପାରି ତାଙ୍କର ସଂସର୍ଗ ଏକାବେଳକେ ପରିତ୍ୟାଗ କଲେ-। କିନ୍ତୁ କ୍ରମ୍‌ଉଏଲ୍‌ ସେପରି ଧରଣର ନ ବ୍ୟକ୍ତି ନ ଥିଲେ ।

 

ସେ ଅତିଶୟ ତୀକ୍ଷ୍‌ଣଦୃଷ୍ଟି-ସମ୍ପନ୍ନ ଥିଲେ । ବ୍ୟାବହାରିକ ବସ୍ତୁ ପ୍ରତି ତାଙ୍କର ଚକ୍ଷୁ ସ୍ୱତଃ ପ୍ରଧାବିତ ହେଉଥିଲା । ସତ୍ୟ ଉପଲବ୍‌ଧି କରିବାରେ ତାଙ୍କର ଅସମ୍ଭବ କ୍ଷମତା ଥିଲା । ଏପରି ଶକ୍ତି କପଟ, ଭଣ୍ଡ ଲୋକଠାରେ ସମ୍ଭବେ ନାହିଁ । ପାର୍ଲିଆମେଣ୍ଟ ସେମାନଙ୍କୁ ତାଙ୍କର ଉପଦେଶ ପ୍ରକୃତ କାର୍ଯ୍ୟକାରୀ ବହୁଦର୍ଶୀ ଲୋକର କାର୍ଯ୍ୟ । ତାଙ୍କର ସୈନିକମାନେ କେବଳ ଭଗବାନ୍‌ଙ୍କ ବ୍ୟତୀତ ଅନ୍ୟ କାହାରିକୁ ତିଳେ ସୁଦ୍ଧା ଭୟ କରୁ ନ ଥିଲେ ।

 

‘‘ଯଦି ରାଜା ଯୁଦ୍ଧକ୍ଷେତ୍ରରେ ମୋତେ ଭେଟନ୍ତି, ତେବେ ମୁଁ ତାଙ୍କ ପ୍ରାଣ ସଂହାର କରିବି’’ କ୍ରମ୍‍ଉଏଲ୍‌ଙ୍କର ଏହି ବାଣୀ ଅତିଶୟ ଦୋଷାବହ ବୋଲି ପରିଗଣିତ ହୁଏ; କିନ୍ତୁ ସେଥି ନିମିତ୍ତ ତାଙ୍କୁ ବିଶେଷ ଦୋଷ ଦିଆ ଯାଇ ନ ପାରେ । ଯେଉଁଲୋକମାନଙ୍କୁ ଏହା କୁହାଯାଇଥିଲା, ସେମାନେ ଯେପରି କି ରାଜାଙ୍କଠାରୁ ଆହୁରି ଉଚ୍ଚଶକ୍ତି ସମକ୍ଷରେ ଦଣ୍ଡାୟମାନ । ସେମାନେ ସେଠାରେ ନିଜର ପ୍ରାଣବଳି ଦେବା ନିମନ୍ତେ ପ୍ରସ୍ତୁତ, ସେଠାରେ କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ ସମସ୍ତେ ଦୃଢ଼ପରିକର । କ୍ରମ୍‌ଉଏଲଙ୍କର ସମସ୍ତ ବିଜୟ ସ୍ୱାଭାବିକ ବୋଲି ବୋଧହୁଏ । ସେ ଯୁଦ୍ଧରେ ପ୍ରାଣ ହରାଇ ନାହାନ୍ତି, ତାହା କେବଳ ଦୈବୀଘଟନା । ଜଣେ ସାଧାରଣ କୃଷକ ବିଜୟ ପରେ ବିଜୟ ଲାଭ କରି ପରିଶେଷରେ ନିଖିଳ ଇଂଲଣ୍ଡରେ ଏକମାତ୍ର କ୍ଷମତାଶାଳୀ ବ୍ୟକ୍ତି ଅର୍ଥାତ୍‍ ଇଂଲଣ୍ଡର ରାଜା ହୋଇ ପାରିଥିଲେ । ଏହା ବାସ୍ତବିକ ଗୋଟାଏ କୁହୁକ ବା ଭୋକବିଦ୍ୟା ବୋଲି ମନେ ହୁଏ ।

 

ବାସ୍ତବିକ ଜଣେ ମନୁଷ୍ୟ କିମ୍ୱା ସମଗ୍ର ଜାତି ପକ୍ଷରେ ଅବିଶ୍ୱାସ ବା କୃତ୍ରିମତା କୂପରେ ପତିତ ହେବା ଅତିଶୟ ପରିତାପର ବିଷୟ । ମହାପ୍ରାଣ ବ୍ୟକ୍ତିଙ୍କୁ ନୟନ ସମକ୍ଷରେ ଦେଖି ସୁଦ୍ଧା ଚିହ୍ନି ନ ପାରିବା ଠାରୁ ବଳି ଆଉ ଅଧିକ କି ଅଭିସମ୍ପାତ ଥାଇ ପାରେ ? ଯେଉଁମାନଙ୍କର ହୃଦୟ ଜଡ଼, ଚକ୍ଷୁ, ଦୃଷ୍ଟିଶକ୍ତିହୀନ, ବୁଦ୍ଧି ଶୃଗାଳବତ୍‌, ସେମାନେ ଭଗବତ୍‌ ପ୍ରେରିତ ହେଲେ ମଧ୍ୟ ରାଜାଙ୍କୁ ଚିହ୍ନି ନ ପାରି ଉପହାସ କରିଥାନ୍ତି । ବୀର ଏପରି ଅବସ୍ଥାରେ ପତିତ ହେଲେ ପୃଥିବୀ ଲାଗି ବିଶେଷ କିଛି ସମ୍ପାଦନ କରି ପାରନ୍ତି ନାହିଁ । କି ପୃଥିବୀ ତାଙ୍କଦ୍ୱାରା ବିଶେଷ ଉପକୃତ ହୁଏ ନାହିଁ । ବାସ୍ତବିକ୍‌ ଏହା ଅତିଶୟ ଶୋଚନୀୟ ବ୍ୟାପାର । ଏହାର ବିହିତ ବ୍ୟବସ୍ଥା କରିବା ବିଧେୟ । କାରଣ ସୁବ୍ୟବସ୍ଥା ନ ହେଲେ କୌଣସି କାର୍ଯ୍ୟ ସାଧିତ ହେବା ଅସମ୍ଭବ । ଭଣ୍ଡମାନଙ୍କୁ ବିତାଡ଼ିତ କରିବାକୁ ହେବ ଏବଂ ସେଥି ସଙ୍ଗେ ସଙ୍ଗେ ବିଶ୍ୱାସୀ ବ୍ୟକ୍ତିମାନଙ୍କୁ ଅନ୍ତରରେ ଜାଣିବା ଆବଶ୍ୟକ । ଶୃଗାଳ ବୁଦ୍ଧି–ଯାହା ପ୍ରକୃତ ଜ୍ଞାନବୋଲି ନିର୍ଦ୍ଦେଶ କରେ–ତାହା ଆଦୌ ସତ୍ୟ ନୁହେ । ବହୁତ ପ୍ରବଞ୍ଚକ ଅଛନ୍ତି; କିନ୍ତୁ ଯେ ସର୍ବଦା ପ୍ରବଞ୍ଚନାର ଭୟ କରେ, ତାହାଠାରୁ ଅଧିକ କୃପାର ପାତ୍ର ଆଉ କେହି ନାହାନ୍ତି । ଜଗତରେ ଯେତେଦିନ ସତ୍ୟର ଅସ୍ତିତ୍ୱ ଅଛି ତେତେଦିନ ଜଗତ୍‌ ବର୍ତ୍ତମାନ । ସତ୍ୟ ଅଭାବରେ ଜଗତ୍‌ ଧ୍ୱଂସ ହୋଇଯିବ । ପ୍ରଥମେ ଯାହା ସତ୍ୟ, ଯାହା ସାର ତାହା ନିର୍ଦ୍ଦେଶ କରି ପାରିଲେ ଅସତ୍‌, ଅସାର ସବୁ ଆପେ ଆପେ ଧରା ପଡ଼ିଯିବ ।

 

ପ୍ରକୃତ ବିଶ୍ୱାସୀ ଓ ସତ୍ୟପରାୟଣ ବ୍ୟକ୍ତିଙ୍କୁ ଚିହ୍ନିବା ହାୟ ! ଏ ଯୁଗରେ ଅତିଶୟ କଠିନ ବ୍ୟାପାର । ଗୁଣୀ କେବଳ ଗୁଣ ଚିହ୍ନିପାରେ, ଗୁଣର ଆଦର କରିପାରେ । ଜଣେ ବୀରଙ୍କର ଆବିର୍ଭାବ ହେଲେ, ତାଙ୍କୁ ଯଥାର୍ଥ ରୂପେ ଗ୍ରହଣ କରିବା ଲାଗି ଦେଶ ପ୍ରସ୍ତୁତ ଥିବା ପ୍ରୟୋଜନ । ଆମ୍ଭେମାନେ ଯଦି ପ୍ରକୃତ ବୀର ଚିହ୍ନିବାରେ ଅକ୍ଷମ ହେଉଁ, ତେବେ ଚିରକାଳ ସେହିପରି ଅଯୋଗ୍ୟ, ଗୁଣହୀନ ଦ୍ୱାରା ଶାସିତ ହେଉଥିବୁଁ । କେବଳ ଭୋଟ ପ୍ରଥାଦ୍ୱାରା କିଛି ଇଷ୍ଟ ସାଧିତ ହେବ ନାହିଁ ।

 

ନିରୂପାୟ କ୍ରମ୍‌ଉଏଲ୍‌ ! ଉଦାର ମହତ୍‌ କ୍ରମ୍ଉଏଲ୍‌ ! ମାତ୍ର ଶକ୍ତିହୀନ କ୍ରମ୍ଉଏଲ୍‌ ! –ଭାଷା ଓ ଭାବ ମଧ୍ୟରେ ତାଙ୍କ ହୃଦୟରେ ଘୋର ଦ୍ୱନ୍ଦ୍ୱ । ଅପରିସୀମ ଗଭୀରତା, ଅପରିମେୟ ସରଳତାର ସମନ୍ୱୟ ସେ-ସେଯୁଗରେ ଗୋଟିଏ ବିସ୍ମୟକର ବ୍ୟକ୍ତି ବୋଲି ବୋଧ ଦେଉଥିଲେ । ତାଙ୍କୁ ଭଲରୂପେ ବିଚାର କରି ଦେଶ ତାଙ୍କର ଭୟଙ୍କର କଳ୍ପିତ ସ୍ୱପ୍ନ ଓ ଅର୍ଦ୍ଧ ପାଗଳାମି ମଧ୍ୟରେ ହୃଦୟରେ କି ଅସୀମ ବଳ, ଅଭୂତ କାର୍ଯ୍ୟକାରୀ କ୍ଷମତା ପାଇଥିଲା । ତାଙ୍କର ପ୍ରୀତି, ଦୟା, ସ୍ନେହ, ଅନ୍ତର୍ଦୃଷ୍ଟି ପ୍ରଭୁତ୍ୱ ଇତ୍ୟାଦି ତାଙ୍କର ଚିତ୍ତ ବିକାର ବୋଲି କଥିତ ହୁଏ । ତାଙ୍କର ଦାରିଦ୍ର ଏବଂ ଯାତନା ତାଙ୍କର ମହତ୍ତ୍ୱର ହେତୁ । ଜନ୍‌ସନ୍‌ ମଧ୍ୟ ଏହି ଧରଣର ମନୁଷ୍ୟ ଥିଲେ । ଚତୁର୍ଦ୍ଦିଗରେ ଘୋର ଯାତନା, ଦୁଃଖ, ଦୈନ୍ୟ ଏବଂ ଅନ୍ଧକାର ମଧ୍ୟରେ ଏହି ମହତ୍ ବ୍ୟକ୍ତିଙ୍କର ଚରିତ୍ର ପ୍ରତିଭାତ ।

 

ଯଦ୍ୟପି କ୍ରମ୍‌ଉଏଲଙ୍କର ଭାଷା ପରିସ୍ଫୁଟ ହୋଇ ନ ଥିଲା; ତଥାପି ତାଙ୍କର ଆଭ୍ୟନ୍ତରୀଣ ଭାବରାଶି ଅତିଶୟ ବିମଳ ସୂର୍ଯ୍ୟାଲୋକବତ୍‌ ଭାସ୍କର ଥିଲା, କିନ୍ତୁ ସେହି ଗଭୀର ଭାବ ପ୍ରକାଶ କରିବା ନିମିତ୍ତ ତାଙ୍କର ଭାଷାର ଅଭାବ ଥିଲା । ତାଙ୍କର ହୃଦୟକୁ ଅସଂଖ୍ୟ ଅସଂଖ୍ୟ ଭାବ ଏତେ ଆଲୋଡ଼ିତ କରୁଥିଲା ଯେ, ତାଙ୍କ ପକ୍ଷରେ ସେ ସବୁ ବ୍ୟକ୍ତ କରିବା ସହଜସାଧ୍ୟ ହେଉ ନ ଥିଲା । ତୀକ୍ଷ୍‍ଣଦୃଷ୍ଟି ଓ କାର୍ଯ୍ୟକାରୀ କ୍ଷମତା ସାହାଯ୍ୟରେ ସେ ନିଶ୍ଚୟ ଅନେକ ଗ୍ରନ୍ଥ ପ୍ରଣୟନ କରି ପାରିଥାନ୍ତେ; କିନ୍ତୁ ଏହି ସବୁ କାର୍ଯ୍ୟ ଅପେକ୍ଷା ସେ ଆହୁରି ଅଧିକ ଗୁରୁତର କାର୍ଯ୍ୟ ସମ୍ପାଦନ କରି ଯାଇଅଛନ୍ତି । ବୁଦ୍ଧିର କାର୍ଯ୍ୟ କେବଳ କହିବା ଏବଂ ତର୍କ କରିବା ନୁହେ ପରନ୍ତୁ ଦେଖିବା ବା ବସ୍ତୁ ନିର୍ଦ୍ଦେଶ କରିବା । ବିକ୍ରମ ଅର୍ଥ କାର୍ଯ୍ୟସାଧନକ୍ଷମତା, ଏହା ତାଙ୍କଠାରେ ପୂର୍ଣ୍ଣ ମାତ୍ରାରେ ଥିଲା-

 

ସମସ୍ତେ ଜାଣନ୍ତି ଯେ, ସେ ପାର୍ଲିଆମେଣ୍ଟ ମହାସଭାରେ ବକ୍ତୃତା ଦେଇପାରୁ ନ ଥିଲେ; କିନ୍ତୁ ସେ ଅତି ଚମତ୍କାର ଭାବରେ ଭଗବତ୍‌ ମହିମା କୀର୍ତ୍ତନ ଏବଂ ପ୍ରଚାର କରି ପାରୁଥିଲେ । ଏହି ଭାବ ପ୍ରକାଶ ନିମନ୍ତେ ତାଙ୍କୁ ଚେଷ୍ଟା କିମ୍ୱା କସରତ୍‌ କରିବାକୁ ପଡ଼ୁନଥିଲା । ସେଥି ନିମିତ୍ତ ବାହ୍ୟାଡ଼ମ୍ୱର ବା ଭାଷାପରିପାଟି ପ୍ରୟୋଜନ ନୁହେଁ । ପ୍ରୟୋଜନ କେବଳ ଗାମ୍ଭୀର୍ଯ୍ୟ, ଗଭୀରତା, ସରଳତା ଏବଂ ତନ୍ମୟତା । ତାଙ୍କର ଉପାସନାରୀତି ଉଲ୍ଲେଖର ବିଷୟ । ସେ ପ୍ରତ୍ୟେକ କାର୍ଯ୍ୟର ପୂର୍ବରୁ ବିଭୂକୃପା, ଭିକ୍ଷା କରୁଥିଲେ । ଘୋର ବିପଦ କାଳରେ, ନୈରାଶ୍ୟତାମସୀ ରଜନୀରେ ସେ ତାଙ୍କର ସମସ୍ତ ସହକର୍ମ୍ମୀ ଗ୍ରହଣରେ ଈଶ୍ୱର ଆରାଧନାରେ, ଈଶ୍ୱରାନୁଗ୍ରହ ପ୍ରାର୍ଥନାରେ ପ୍ରହର ପ୍ରହର, ଦିନ, ଦିନ ଅତିବାହିତ କରୁଥିଲେ । କୌଣସି ଆଶାର ପଥ ନ ପାଇବା ପର୍ଯ୍ୟନ୍ତ ଭଗବତ୍‌ ଅର୍ଚ୍ଚନାରେ ତନ୍ମୟ ହୋଇ ଅଶ୍ରୁ ବିସର୍ଜ୍ଜନ, ଈଶ୍ୱରଙ୍କୁ ହୁଦୟ ଆବେଗରେ କରୁଣ ଆହ୍ୱାନ ଏବଂ କାତର ପ୍ରାର୍ଥନା ଦ୍ୱାରା ଭଗବତ୍‌ କୃପାମାତ୍ର ହେଉଥିଲେ । ସେ ଭଗବତ୍‌-ସେନା ରୂପେ ନିଜକୁ ମନେ କରୁଥିଲେ ଏବଂ ତାଙ୍କର ସକଳ ଅଭିଯାନ କେବଳ ପିଶାଚମାନଙ୍କ ବିରୁଦ୍ଧରେ ପର୍ଯ୍ୟବସିତ । ତେଣୁ ସେ ପ୍ରଭୁଙ୍କୁ ବିପଦ କାଳରେ ପ୍ରୟୋଜନ ବେଳରେ ପରିତ୍ୟାଗ ନ କରି ସାହାଯ୍ୟ କରିବା ନିମିତ୍ତ କାତର ପ୍ରାର୍ଥନା କରୁଥିଲେ । ବିପଦଭଞ୍ଜନ, କଳୁଷନାଶନ, ଦୁଷ୍ଟଦମନ, ଶିଷ୍ଟପାଳକ ପ୍ରଭୂ ଶକ୍ତି ଦାନକରି ବିପଦ ସଙ୍କୁଳ ପଥରେ ତାଙ୍କୁ ରକ୍ଷା କରୁଥିଲେ । ବରାଭୟ ଦାତା, ସର୍ବଆଲୋକଦାତା ଭଗବାନଙ୍କ କୃପା ବ୍ୟତୀତ ମନୁଷ୍ୟ କଣ କିଛି କରି ପାରେ ? ତାଙ୍କଠାରେ ଭଣ୍ଡତା, ଏହା କଦାପି ବିଶ୍ୱାସ ଯୋଗ୍ୟ ନୁହେ । ତାଙ୍କର ହୃଦୟ ଓ ବାଣୀ କେବଳ ପ୍ରାର୍ଥନା ଉପଯୋଗୀ ଥିଲା । ତାଙ୍କର ବକ୍ତୁତା ନିରସ, ଅର୍ଥହୀନ, ଦୁର୍ବୋଧ୍ୟ ନ ଥାଇ ଭାବଗର୍ଭକ, ଅର୍ଥପୂର୍ଣ୍ଣ ଓ ହୃଦୟଗ୍ରାହୀ ଥିଲା । ତାଙ୍କର ସେହି ଆବେଗଭରା ଉକ୍ତିର ମୂଲ୍ୟ ଅଛି । ସେ ବାକ୍‌ଚାତୁରୀ କରିବାକୁ ଭଲ ପାଉ ନ ଥିଲେ । ସେ ପୂର୍ବରୁ ପ୍ରସ୍ତୁତ ନ ହୋଇ ସର୍ବଦା ବକ୍ତୃତା ଦେଉଥିଲେ । ତାଙ୍କ ହୃଦୟରେ ଯେଉଁ ଭାବ ସର୍ବପ୍ରଥମେ ଜାଗରିତ ହେଉଥିଲା, ତାହାହିଁ ସେ ସାଧାରଣରେ ପ୍ରକାଶ କରୁଥିଲେ । ଭାଷା ମାର୍ଜିତ ଓ ଶ୍ରୀସମ୍ପନ୍ନ କରିବାରେ ସେ ପ୍ରୟାସ ପାଉ ନ ଥିଲେ । ତାଙ୍କର ମିଥ୍ୟାବାଦିତା ସମ୍ୱନ୍ଧରେ ଏଠାରେ ପଦେ କହିବା ଉଚିତ । ପ୍ରତ୍ୟେକ ଦଳ ତାଙ୍କଠାରେ ପରାଭୂତ ହୋଇଥିଲେ । ସମସ୍ତେ ନିଜ ନିଜ ଭାବ ଦ୍ୱାରା ତାଙ୍କର କଥାର ଅର୍ଥ କରି ତାଙ୍କୁ ନିଜ ଦଳର ଅନ୍ତର୍ଭୂକ୍ତ କରୁଥିଲେ; କିନ୍ତୁ ବାସ୍ତବରେ ସ୍ଥିର ଭାବରେ ବିଚାର କଲେ ତାହାର ଅର୍ଥ ଭିନ୍ନ, ଏଣୁ ସମସ୍ତେ ମିଥ୍ୟାବତାର ବୋଲି ତାଙ୍କର ନାମକରଣ କରିଥିଲେ । ବିଚାର କରି ଦେଖିଲେ ସେପରି ସମୟରେ ତାହା ମହତ୍‌ ଲୋକର ପ୍ରକୃତି । ମହତ୍‌ ବ୍ୟକ୍ତିର ନୀରବତା, ବାକ୍‌ସଂଯମ ଥିବା ପ୍ରୟୋଜନ । ସେ ଯଦି ତାଙ୍କର ହୃଦୟକୁ ବାହାରେ ପକାଇ ଦେଇଥାନ୍ତେ; ତେବେ କାକ ଗୃଧ୍ର ଇତ୍ୟାଦି ତାହା ନଷ୍ଟ କରି ଦିଅନ୍ତେ । ମନୁଷ୍ୟ କେବେହେଁ ସ୍ୱଚ୍ଛକାଚ ନିର୍ମିତ ଗୃହରେ ବାସ କରି ପାରେ ନାହିଁ । ମନୁଷ୍ୟ ତାର ହୃଦୟର କେତେ ମାତ୍ରାରେ ବାହାରକୁ ଦେଖାଇବ, ସେ କଥାର ବିଚାରକ ସେ ନିଜେ ।

 

କ୍ରମ୍‌ଉଏଲ୍‍ ଅବଶ୍ୟ ତାଙ୍କର ଅର୍ଦ୍ଧେକ ମନୋଭାବ କ୍ଷୁଦ୍ର କ୍ଷୁଦ୍ର ଦଳ ନିକଟରେ ପ୍ରକାଶ କରୁଥିଲେ; ସମସ୍ତେ ତାହାଙ୍କୁ ଆପଣା ଦଳଭୁକ୍ତ ବୋଲି ମନେ କରୁଥିଲେ; କିନ୍ତୁ ଯେତେବେଳେ ସେମାନେ ବୁଝି ପାରିଲେ ଯେ, ସେ ସ୍ୱୀୟ ଦଳ ବ୍ୟତୀତ ଅନ୍ୟ କୌଣସି ଦଳର ନୁହନ୍ତି, ସେମାନଙ୍କର କେତେବେଳେ କ୍ରୋଧାନଳ ଜଳି ଉଠିଲା ।

 

ତାଙ୍କ ମଧ୍ୟରେ ଯେଉଁ ଗଭୀର ଅନ୍ତର୍ଦୃଷ୍ଟି ତାହା ଯଦି ସେ ପ୍ରକାଶ କରିଥାନ୍ତେ, ତେବେ ତାଙ୍କୁ କେହି. ବୁଝି ପାରି ନ ଥାନ୍ତେ । କ୍ଷୁଦ୍ର ଲୋକମାନଙ୍କ ମଧ୍ୟରେ ମହତ୍‌ ବ୍ୟକ୍ତିମାନଙ୍କର ଅବସ୍ଥା ସର୍ବତ୍ର ଏହିପରି ଘଟିଥାଏ । ବର୍ତ୍ତମାନ ତାଙ୍କର ଉଚ୍ଚାଭିଳାଷ ବିଷୟ ବିଚାର୍ଯ୍ୟ । ଏହି ସମସ୍ତ ଅଭିଯୋଗ ତାଙ୍କ ବିରୁଦ୍ଧରେ ଆରୋପିତ ହେବାରୁ ତାଙ୍କର ମହତ୍ତ୍ୱ ଉପଲବ୍‍ଧ ହୁଏ ନାହିଁ । ନିର୍ବୋଧ ଐତିହାସିକମାନେ କହନ୍ତି ଯେ, ସେ ପୂର୍ବରୁ ଅର୍ଥାତ୍‌ ଭୂମିକର୍ଷଣ ସମୟଠାରୁ ଇଂଲଣ୍ଡର ରକ୍ଷକ ହେବେ ବୋଲି ସିଦ୍ଧାନ୍ତ କରିଥିଲେ । ତାଙ୍କର ଜୀବନଚିତ୍ର ସେ ପୂର୍ବରୁ ଚକ୍ଷୁ ସମକ୍ଷରେ ସ୍ଥିର କରିଥିଲେ । ଗୋଟିଏ ନାଟକରେ ଅଭିନୟବତ୍‌ ସେ ଅତି ଦକ୍ଷତାର ସହିତ ଅଙ୍କପରେ ଅଙ୍କ ଅଭିନୟ କଲେ । ସାଧାରଣ ଅତି ଦୃଷ୍ଟିରେ ଏହିପରି ପ୍ରତୀୟମାନ ହୁଏ ସତ୍ୟ, କିନ୍ତୁ ତାଙ୍କ ପକ୍ଷରେ ତାହା ସେପରି ଥିଲେ । ପ୍ରକୃତ ଐତିହାସିକ ଜଣେ ମହାପୁରୁଷଙ୍କର ଜୀବନୀ ଲିପିବଦ୍ଧ କଲାବେଳେ ତାଙ୍କ ଜୀବନର ସମୁଦାୟ ଘଟନା ଏକତ୍ର କରିବ ନାହିଁ, କିନ୍ତୁ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ଭାବରେ ସନ୍ନିବେଶିତ କରିବ । ପ୍ରତ୍ୟେକ ଘଟନାରେ, ପ୍ରତ୍ୟେକ ବିଷୟରେ ପ୍ରତ୍ୟେକ ସିଦ୍ଧାନ୍ତରେ ଉପନୀତ ହେବା ସମୟରେ ତାଙ୍କର ନିଜକୁ ପଚାରିବା ଉଚିତ ‘‘ଏହା କଣ ସତ’’ ? ପ୍ରକୃତରେ ସେ କଣ ଏହାକୁ ଏପରି ଭାବରେ ଦେଖିଥିଲେ ? ଅର୍ଥାତ ତାଙ୍କ ଜୀବନ କାଳରେ ତାଙ୍କର ଜୀବନକୁ ଅଭିନୀତ କରି ସେ ଯେପରି ଦେଖନ୍ତି ସେହିପରି ଦେଖିବାକୁ ଚେଷ୍ଟା କରିବ, କିନ୍ତୁ ଏଥିନିମିତ୍ତ ଜଣେ ସେକ୍‌ସପିଅରଙ୍କ କ୍ଷମତା ଦରକାର । ତାଙ୍କ ଭଳି ତୀକ୍ଷ୍‍ଣ ପ୍ରତିଭା ନ ଥିଲେ, ମନୁଷ୍ୟ ହୃଦୟରେ ପ୍ରବେଶ କରି ତହିଁର ସତ୍ୟାସତ୍ୟ ନିଶ୍ଚୟ କରିବା ସହଜ ବ୍ୟାପାର ନୁହେ । ଏଣୁ ଇତିହାସ ଜୀବନୀରେ ପରିଣତ ହୁଏ । ଏହି ଭାବରେ ଯଦି ଆମ୍ଭେମାନେ କ୍ରମ୍ଉଏଲ୍‌ଙ୍କର ଜୀବନୀ ସଜ୍ଜିତ କରୁ, ତେବେ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଏବଂ ତାଙ୍କ ବିଷୟରେ ଅନେକ ଭ୍ରାନ୍ତ ଧାରଣା ଅପସାରିତ ହେବ । ମହାପୁରୁଷମାନଙ୍କ ଏପରି ଉଚ୍ଚାଭିଳାଷୀ ବୋଲି ଅଭିଯୁକ୍ତ କରିବା ଆଦୌ ଉଚିତ ନୁହେ । କାରଣ ସେମାନେ କେବେହେଁ ଅଭିଳାଷୀ ନୁହନ୍ତି । କେବଳ ଦୀନହୀନ ବ୍ୟକ୍ତିମାନେ ଏପରି ଆକାଂକ୍ଷା କରି ଥାନ୍ତି । ଏବଂ ସାଧାରଣ ଦୃଷ୍ଟିରେ ମହତ ହେବା ନିମନ୍ତେ, ପ୍ରଶଂସା ଭାଜନ ହେବା ନିମନ୍ତେ ସେ ଚେଷ୍ଟା ବା ଉଦ୍ୟମ କରିଥାନ୍ତି । ଯେଉଁ ମନୁଷ୍ୟ ମଧ୍ୟରେ ପ୍ରକୃତ ମନୁଷ୍ୟତ୍ୱ କି କିଛି ଗୁଣ ନାହିଁ ସେ କେବଳ ନାନା ଉପାୟରେ ସାଧାରଣ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରେ । କିନ୍ତୁ ମହତ୍‌ ବ୍ୟକ୍ତିମାନେ ଏହାର ବହୁ ଦୂରରେ ।

 

କ୍ରମ୍‌ଉଏଲ୍‌ଙ୍କର ବିଶ୍ୱାସ ଯେ, ତାଙ୍କର ସ୍ରଷ୍ଟାଙ୍କର ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା । ତାହାଙ୍କର ଏ ବିଶ୍ୱାସ ଥିଲା । ତାଙ୍କ ପକ୍ଷରେ ଲୋକ ସାଧାରଣଙ୍କର ଦୃଷ୍ଟି ଅତି ଅକିଞ୍ଚିତ୍‌କର । ସେଥିପାଇଁ ସେ କାହିଁକି ଅଭିଳାଷୀ ହେବେ ? ବାର୍ଦ୍ଧକ୍ୟରେ ଉପନୀତ ହେବାପର୍ଯ୍ୟନ୍ତ ସେ ଭୂମିକର୍ଷଣରେ ବ୍ୟାପୃତ ଥିଲେ । ସେତେବେଳେ ତାଙ୍କର ଜୀବନଦୀପ ଅର୍ଦ୍ଧନିର୍ବାଣ । ସେତେବେଳେ ଆଉ ତାଙ୍କର କାର୍ଯ୍ୟ ନ ଥିଲା । ମୃତ୍ୟୁ, ଅନ୍ତିମ ବିଚାର ଦିବସ ଏବଂ ଅନନ୍ତକାଳ, ଏହି ତିନୋଟି ଚିନ୍ତା ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଥିଲା । ତାଙ୍କର ସମଗ୍ର ଜୀବନ ଅବ୍ୟକ୍ତ ଚିନ୍ତାସାଗରରେ ନିମର୍ଜ୍ଜିତ ଥିଲା । ସୁତରାଂ ତାହା ଭାଷାରେ ବ୍ୟକ୍ତ କରି ହେବାର ନୁହେ । ଭଗବାନଙ୍କ ରାଜ୍ୟ ଛଡ଼ା ଆଉ କାହିଁରେ ତାଙ୍କର ଦୃଷ୍ଟି ଆକୃଷ୍ଟ ହେଉ ନ ଥିଲା । ତଦାନୀନ୍ତନ କାଳର ସର୍ବ ପ୍ରଧାନ ବ୍ୟକ୍ତି ସାମୁଏଲ ଜନ୍‌ସନ୍‌ ନୀରବରେ ତାଙ୍କ ଗୃହ କୋଣରେ ଉପବେଶନ କରୁଥିଲେ; କିନ୍ତୁ ବସ୍‌ବେଲ୍‍ ବାହାରେ ବାହ୍ୟାଡ଼ମ୍ୱର କରି ନୃତ୍ୟକରି ବୁଲୁଥିଲେ । ଅହୋ ନୀରବ ମନୁଷ୍ୟ । କୋଳାହଳପୁର୍ଣ୍ଣ ସଂସାରର ଅର୍ଥହୀନ ବାଣୀ ଏବଂ ଉଦ୍ଦେଶ୍ୟହୀନ କାର୍ଯ୍ୟ ପ୍ରତି ଦୃଷ୍ଟି ନିକ୍ଷେପ କଲେ ସ୍ୱତଃ ନୀରବତା ଆସେ ଓ ରାଜ୍ୟ-କଥା ଚିନ୍ତାକରିବାକୁ ପ୍ରବୃତ୍ତି ଜନ୍ମେ । ଉଦାର ନୀରବ ବ୍ୟକ୍ତିମାନେ ନିଜ ନିଜ ବିଭାଗ ନୀରବରେ ଚିନ୍ତା, ନୀରବରେ ଆଶା ଏବଂ ନୀରବରେ କାର୍ଯ୍ୟ କରୁଅଛନ୍ତି । ଏହି ବ୍ୟକ୍ତିମାନେ ହିଁ ପୃଥିବୀର ସାର ପଦାର୍ଥ । ନିସ୍ତବ୍‌ଧ ଓ ନୀରବରାଜ୍ୟ-ଆକାଶ ଠାରୁ ଆହୁରି ଉଚ୍ଚ-ପାତାଳଠାରୁ ଆହୁରି ଗଭୀର । ଇଂରେଜ ଜାତି ତାହାର ଏହି ନୀରବତା ଅକ୍ଷୂର୍ଣ୍ଣ ରଖୁ । ସୋଲେମନ୍‌ କହିଅଛନ୍ତି, ‘‘କଥା କହିବାର ବେଳ ଅଛି ଓ ନୀରବ ରହିବାର ବେଳ ଅଛି ।’’ କେଟୋ ଯେପରି ରୋମାନ୍‌ମାନଙ୍କର ପ୍ରତିକୃତି ଦେଖି କହିଲେ, ଯଦି ଲୋକମାନେ ପଚାରନ୍ତି କେଟୋଙ୍କର ପ୍ରତିକୃତି କାହିଁ ? ତେବେ କେଟୋଙ୍କର ଯଦି ପ୍ରକୃତ ମହତ୍ତ୍ୱ ଥାଏ, ଯଦି ସେ ମାନବ ହୃଦୟରେ ବଡ଼ବୋଲି ଉଚ୍ଚାସନ ପାଇଥାନ୍ତି ତେବେ ତାଙ୍କ ପ୍ରତିକୃତିର ଅଭାବହିଁ ତାଙ୍କ ମହତ୍ତ୍ୱର ସ୍ମୃତିକୁ ଦର୍ଶକର ପ୍ରାଣରେ ଜାଗରିତ କରିଦେବ, ତାଙ୍କର ପ୍ରକୃତ ମହତ୍ତ୍ୱ ସେହିଠାରେ । ଉଚ୍ଚାଭିଳାଷ ଦୁଇ ପ୍ରକାର–ଗୋଟିଏ ଅତିଶୟ ଦୋଷାବହ ଏବଂ ଅନ୍ୟଟି ପ୍ରଶଂସନୀୟ ଓ ଅପରିହାର୍ଯ୍ୟ । ଏହା ପ୍ରକୃତିଦେବୀଙ୍କର ଇପ୍‍ସିତ ଇଙ୍ଗିତ ଯେ, ନୀରବ ମହାନ୍‌ ଜନ୍‌ସନ୍‌ ଆଉ ବେଶୀକାଳ ନୀରବ ରହିବେ ନାହିଁ । କିନ୍ତୁ ଅନ୍ୟ ବ୍ୟକ୍ତିଙ୍କ ଉପରେ ପ୍ରାଧାନ୍ୟ ସ୍ଥାପନାର ସ୍ୱାର୍ଥପୂର୍ଣ୍ଣ ବାସନା ଅତିଶୟ ଦୂଷଣୀୟ, ମାତ୍ର ଦୈବଦତ୍ତ ପ୍ରକୃତିଗୁଡ଼ିକର ଯଥାର୍ଥ ବିକାଶ ସାଧନ ମନୁଷ୍ୟର ସ୍ୱାଭାବିକ କାର୍ଯ୍ୟ । ପୃଥିବୀରେ ମନୁଷ୍ୟଜୀବନର ଉଦ୍ଦେଶ୍ୟ ନିଜର ଆତ୍ମପ୍ରକାଶ ଏବଂ ଶକ୍ତିର ବିକାଶ । ଏହା ପ୍ରତ୍ୟେକଙ୍କର କର୍ତ୍ତବ୍ୟ । କୋଲ୍‌ରିଜ୍‌ ବେଶ୍‌ ସୁନ୍ଦର ଭାବରେ ଏହି ଭାବଟିକୁ ଭାଷାରେ ପ୍ରକାଶ କରିଅଛନ୍ତି । ଶିଶୁ ଏହି ପ୍ରୟୋଜନ ଅନୁଭବ କରି କଥା କହିବାକୁ ଚେଷ୍ଟା କରେ-। ସେହିପରି ବାସନା ବିଷୟ ନିର୍ଦ୍ଧାରଣ କରିବାକୁ ହେଲେ ଦୁଇଗୋଟି ବିଷୟ ବିଚାର କରିବାକୁ ହେବ । କେବଳ ମନୁଷ୍ୟ ପକ୍ଷରେ ଉଚ୍ଚ ଆସନ ଲାଭ ଆକାଂକ୍ଷା ନୁହେ; କିନ୍ତୁ ସେହି ସ୍ଥାନ ଯେତେବେଳେ ଫ୍ରାନ୍‌ସର ପ୍ରଧାନ ସଚୀବ ହେବେ ବୋଲି ଆକାଂକ୍ଷା କରିଥିଲେ ସେତେବେଳେ ଯଦି ସେଠାରେ ସେ ସେହି ପଦଲାଗି ଏକମାତ୍ର ଉପଯୁକ୍ତ ବ୍ୟକ୍ତି ହୋଇଥାନ୍ତି, ତେବେ ତାଙ୍କର ଏ ଉଚ୍ଚ ଆକାଂକ୍ଷାକୁ ଦୂଷଣୀୟ ବୋଲିବା ଉଚିତ ନୁହେଁ । ପ୍ରକୃତିଦେବୀ ନୀରବ ବ୍ୟକ୍ତିମାନଙ୍କ ପକ୍ଷରେ ବାକ୍‌ଶକ୍ତି ସମ୍ପନ୍ନ ହେବା ନିମିତ୍ତ ଯଥେଷ୍ଟ ସୁଯୋଗ ପ୍ରଦାନ କରନ୍ତି ।

 

ମନେ କର ଯଦି ବୃଦ୍ଧ ସାମୁଏଲ ଜନ୍‌ସନ୍‌ଙ୍କୁ ଜଣାଇ ଦିଆଯାଏ ଯେ, ତାଙ୍କଦ୍ୱାରା ଦେଶର ତଥା ସମଗ୍ର ପୃଥିବୀର ଉପକାର ସାଧିତ ହେବ, ତାଙ୍କଦ୍ୱାରା ସ୍ୱର୍ଗୀୟ ବିଧିସବୁ ପୃଥିବୀରେ ଉପବିଷ୍ଟ ହେବ । ଯଦି ଏହିକଥା ଦ୍ୱାରା ତାଙ୍କର ପ୍ରତ୍ୟୟ ଜନ୍ମାଇ ଦିଆଯାଏ, ତେବେ ତାଙ୍କ ହୃଦୟ ଦିବ୍ୟାନନ୍ଦରେ ଉଲ୍ଲସିତ ହୋଇ ଉଠିବ ନାହିଁ କି ? ସବୁ ବାଧାବିଘ୍ନ କ୍ଳେଶ ଯାତନା ପଦଦଳିତ କରି ସେ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ କୃତନିଶ୍ଚୟ ହେବେ ନାହିଁ କି ? ଏବଂ ତାଙ୍କ ମଧ୍ୟସ୍ଥିତ ସମସ୍ତ ଅନ୍ଧକାର ସ୍ୱର୍ଗୀୟ ଆଲୋକରେ ଆଲୋକିତ ହେବ ନାହିଁ କି ? ଏହାହିଁ ଯଥାର୍ଥ ଅଭିଳାଷ । କ୍ରମ୍‌ଉଏଲଙ୍କର ଏହି ରୂପ ଅଭିଳାଷ ଥିଲା । ପ୍ରାଚୀନକାଳରୁ ଧର୍ମ ମନ୍ଦିର ଉପରେ ଅତ୍ୟାଚାର, ଅନାଚାର, ଅବିଚାର ତାଙ୍କ ପକ୍ଷରେ ଅତିଶୟ ଅସହ୍ୟ ହୋଇ ଉଠିଲା । ବହୁକାଳ ସେ ନୀରବରେ ଅପେକ୍ଷା କରି ମନେ କଲେ ଯଦି ପାର୍ଥିବ ଉପାୟ ଦ୍ୱାରା କିଛି ନ ହୁଏ ତେବେ ଦୈବ ପ୍ରେରିତ ଉପାୟ ଦ୍ୱାରା ଦ୍ୱାଦଶବର୍ଷ ନୀରବତା ପରେ ପୁଣି ସମସ୍ତ ଇଂଲଣ୍ଡ ଏକ ନୂତନ ସ୍ପନ୍ଦନରେ ଆଲୋଡ଼ିତ ହେବ । ପୁଣି ନୂତନ ରୂପେ ପାର୍ଲିଆମେଣ୍ଟ ଗଠିତ ହେବ । ଏହି ସମୟରେ କ୍ରମ୍‌ଉଏଲ କୃଷିକର୍ମକୁ ବର୍ଜ୍ଜନ କରି ସେହି ଅଭିନବ ମହାସଭାର ସଦସ୍ୟ ହେବା ନିମନ୍ତେ ବ୍ୟଗ୍ର ହୋଇ ପଡ଼ିଲେ । ତତ୍‌ପରେ ସେ ସରଳ, ସଂକ୍ଷିପ୍ତ, ଆବେଗଭରା ସତ୍ୟାନୁ ଭୂତିପୂର୍ଣ୍ଣ ଭାଷାରେ ତାଙ୍କର ଭାବ ପ୍ରକାଶ କଲେ । ସେଠାରେ କର୍ମକ୍ଷେତ୍ରରେ ଅସୀମ ସାହସ ପ୍ରଦର୍ଶନ ପୂର୍ବକ ନିର୍ଭୀକ ଭାବରେ କମାଣର ଗର୍ଜ୍ଜନରେ ଭୀତି ତ୍ରସ୍ତ ନ ହୋଇ ପ୍ରବଳ ଶତ୍ରୁମାନଙ୍କୁ ପରାଭୂତ କରି ଜୟ ପତାକା ଉଡ଼ାଇଲେ ଏବଂ ସେଠାରେ ପ୍ରଧାନ ଶକ୍ତିଶାଳୀ ଏକଛତ୍ର ନୃପତି ହେଲେ । ଧର୍ମପ୍ରାଣ ନକ୍‌ସ ଯେଉଁ ଦେବତନ୍ତ୍ରର କଳ୍ପନା କରୁଥିଲେ, ସ୍ୱପ୍ନ ଦେଖୁଥିଲେ, ସେହି ଦେବତନ୍ତ୍ର ପୃଥିବୀରେ ଏହାଙ୍କ ଦ୍ୱାରା ପ୍ରତିଷ୍ଠିତ ହେଲା ।

 

ହିଉମ୍‌ Hume ଓ ତାଙ୍କ ମତାବଲମ୍ୱୀମାନେ ସ୍ୱୀକାର କରନ୍ତି ଯେ, କ୍ରମ୍‌ଉଏଲ ପ୍ରଥମେ ସରଳ, ଅକୃତ୍ରିମ ଏବଂ ଧର୍ମୋନ୍ନତ୍ତ ଥିଲେ; କିନ୍ତୁ ପରେ ଯଶ ଗୌରବ ବିସ୍ତାର ସଙ୍ଗେ ସଙ୍ଗେ ସେ କୃତ୍ରିମ, କପଟାଚାରୀ ହୋଇ ଉଠିଲେ । ବିଚାର କରି ଦେଖିଲେ ଜଣାଯାଏ ଯେ, ମହାପୁରୁଷମାନେ କେବେହେଁ ଏତେ ଅଧଃପତିତ ହୁଅନ୍ତି ନାହିଁ । ସୂର୍ଯ୍ୟଙ୍କ ମଧ୍ୟରେ କାଳିମା ଥାଇ ପାରେ; କିନ୍ତୁ ତାହାଦ୍ୱାରା ସେ ସମଗ୍ର ଜଗତକୁ ଆଲୋକ ପ୍ରଦାନ କରନ୍ତି । ମାତ୍ର ପୃଥିବୀ ତତ୍‌ଦ୍ୱାରା ତମସାଚ୍ଛନ୍ନ ହୁଏ ନାହିଁ । କ୍ରମ୍‌ଉଏଲଙ୍କର ଏପରି ହୀନ ଦଶା କେବେହେଁ ଘଟି ନ ଥିଲା । ଆଣ୍ଟିଅସ୍‌ (Anteous)ଙ୍କ ପରି ବସୁନ୍ଧରା ସ୍ପର୍ଶକରି ସେ ଶକ୍ତି ସାମର୍ଥ୍ୟ ଲାଭ କରୁଥିଲେ । କିନ୍ତୁ ପୃଥିବୀ ପୃଷ୍ଠରୁ ଉତ୍ତୋଳନ କଲେ ତତ୍‌କ୍ଷଣାତ୍‌ ତାଙ୍କର ସମସ୍ତ ଶକ୍ତି ହ୍ରାସ ହେବ । ତଥାପି ସେ ନିର୍ଦ୍ଦୋଷ ଏବଂ ପରିପୂର୍ଣ୍ଣ ମନୁଷ୍ୟ ବୋଲି ନିଜକୁ କେବେହେଁ ପ୍ରଚାର କରି ନାହାନ୍ତି । ତାଙ୍କର ଅନେକ ସମୟରେ ଅନେକ ଦୁର୍ବଳତା ଆସିଛି । ସେ ଅନେକ ଦୋଷ ତ୍ରୁଟି କରିଅଛନ୍ତି; କିନ୍ତୁ ତତ୍‌ଦ୍ୱାରା ତାଙ୍କ ମହତ୍ତ୍ୱର ହ୍ରାସ ହୋଇ ନାହିଁ । ସୂର୍ଯ୍ୟ ମେଘର ଅନ୍ତରାଳରେ ଲୁଚି ରହିଲେ ତଦ୍ଦ୍ୱାରା ତାହାର ଜ୍ୟୋତି ମିଳନ ହୁଏ କି ? ମୃତ୍ୟୁ ଶଯ୍ୟାରେ କ୍ରମ୍‌ଉଏଲଙ୍କର ଶେଷ ବାଣୀ ପ୍ରକୃତ ଧର୍ମ୍ମପ୍ରାଣତାର ପରିଚୟ ଦିଏ । ଅର୍ଦ୍ଧଭଗ୍ନ, ଅର୍ଦ୍ଧପରିଷ୍ପୁଟ ଭାଷାରେ ତାଙ୍କୁ ଏବଂ ତାଙ୍କର କାର୍ଯ୍ୟ ପ୍ରଣାଳୀକୁ ବିଚାର କରିବା ନିମନ୍ତେ ଭଗବାନଙ୍କ ନିକଟରେ ନିବେଦନ ଅତିଶୟ ମର୍ମଭେଦୀ ଓ ହୃଦୟସ୍ପର୍ଶୀ ଘଟନା । ତତ୍‌ପରେ ସେ ଇହଜଗତରୁ ବିଦାୟ ନେଇ ତାଙ୍କର ସୃଷ୍ଟିକର୍ତ୍ତାଙ୍କ ପାଦପଦ୍ମରେ ଆଶ୍ରୟ ଗ୍ରହଣ କରିଅଛନ୍ତି ।

 

ପ୍ରତ୍ୟେକ ଅନୁଷ୍ଠାନରେ ଜଣେ ନେତା ଆବଶ୍ୟକ । ପ୍ରତ୍ୟେକ ଆନ୍ଦୋଳନରେ ଜଣେ ଅଧିନାୟକ ପ୍ରୟୋଜନ । ତାହା ନ ହେଲେ କେବେହେଁ କୃତକାର୍ଯ୍ୟତା ଲାଭ ହୋଇପାରିବ ନାହିଁ । ପିଉରିଟାନ୍‌ଆନ୍ଦୋଳନରେ ସ୍କଟଲାଣ୍ଡ ବାସିମାନେ ଖୁବ୍‌ମାତି ଉଠିଲେ, କିନ୍ତୁ କେବଳ ନେତାଙ୍କ ଅଭାବରୁ ସେମାନେ ଅଭୀଷ୍ଟ ଫଳଲାଭ କରି ପାରିଲେ ନାହିଁ । କ୍ରମ୍‌ଉଏଲ୍‍ଙ୍କ ଭଳି ନେତା ଥିବାରୁ ଇଂଲଣ୍ଡ ଅନେକ କାର୍ଯ୍ୟ ସାଧନ କରି ପାରିଥିଲା । ନେତା ବ୍ୟତୀରେକେ କୌଣସି କାର୍ଯ୍ୟ ସାଧିତ ହୋଇପାରେ ନାହିଁ । ପ୍ରଜାବିହୀନ ରାଜା କିଛି କରି ପାରନ୍ତି; କିନ୍ତୁ ରାଜାବିହୀନ ପ୍ରଜାଗଣ କିଛି କରି ପାରନ୍ତି ନାହିଁ । ଅନେକେ ତାଙ୍କର ନେତୃତ୍ୱର ସମର୍ଥନ କରନ୍ତି; କିନ୍ତୁ କେହି ତାଙ୍କ ଦ୍ୱାରା ରମ୍ପ୍‌ ପାର୍ଲିଆମେଣ୍ଟ ବିନାଶ କିମ୍ୱା ଇଂଲଣ୍ଡର ସର୍ବଶ୍ରେଷ୍ଠ ରକ୍ଷକର ପଦବୀ ଗ୍ରହଣକୁ ସମର୍ଥନ କରନ୍ତି ନାହିଁ ।

 

ଇଂଲଣ୍ଡ, ସ୍କଟଲାଣ୍ଡ ଏବଂ ଆୟାରଲାଣ୍ଡ ଯେତେବେଳେ ପିଉରିଟାନ୍‌ ପାର୍ଲିଆମେଣ୍ଟ ପଦତଳେ ଆଶ୍ରୟ ଗ୍ରହଣ କଲା, ସେତେବେଳେ ପ୍ରଶ୍ନ ଉଠିଲା, କିପରି ଶାସ୍ତ୍ର ଓ ତନ୍ତ୍ର ପରିଚାଳିତ ହେବ ସେଥିଲାଗି ଉପାୟ ଉଦ୍‌ଭାବନା କରିବା ନିମନ୍ତେ କ୍ରମ୍‌ଉଏଲ ପାର୍ଲିଆମେଣ୍ଟ ମହାସଭାର ସଦସ୍ୟମାନଙ୍କୁ ବାରମ୍ୱାର ଆହ୍ୱାନ କଲେ । ଯେଉଁ ପୁରୁଷମାନେ ନିଜରକ୍ତ ଓ ପ୍ରାଣବଳି ଦେଇ ବିଜୟ ଲାଭ କରିଅଛନ୍ତି, ଦେଶର ଅଧୀଶ୍ୱର ହୋଇଅଛନ୍ତି, ସେମାନଙ୍କର ମଧ୍ୟ ଦେଶଶାସନରେ ଅଧିକାର ଥିବା ପ୍ରୟୋଜନ । ସେହିମାନେହେଁ ଶୋଣିତ ବିନିମୟରେ ସ୍ୱାଧୀନତା କ୍ରୟ କରିଥିଲେ । ତିନିବର୍ଷକାଳ କ୍ରମ୍‌ଉଏଲ୍‌ ସେମାନଙ୍କୁ ଏହିପରି ଭାବରେ କହି ଏତେଦିନ ଅପେକ୍ଷା କଲେ, କିନ୍ତୁ ସଦସ୍ୟମାନେ ତହିଁରେ କର୍ଣ୍ଣପାତ ନ କରି କେବଳ ଠକି ଦେବାକୁ ବସିଲେ । ବୋଧହୁଏ ଏପରି ଅବସ୍ଥାରେ କୌଣସି ମହାସଭା ଅନୁକୂଳ ମତ ଦେବ ନାହିଁ; କିନ୍ତୁ ଯାହାହେଉ ଏ ପ୍ରଶ୍ନର ସମାଧାନ ତ ପ୍ରୟୋଜନ । ଯେଉଁ ୬୦ ଜଣ ମହାସଭାର ସଭ୍ୟ ଅବଶିଷ୍ଟ ଥିଲେ, ସେମାନେ ଆଉ ସେଠାରେ ଆସନ ଗ୍ରହଣ କରି ପାରିବେ ନାହିଁ, କାରଣ ସମଗ୍ର ଜାତି ସେତେବେଳେ ତାଙ୍କ ବିପକ୍ଷରେ ଖଡ଼୍‌ଗହସ୍ତ ଏବଂ ତାଙ୍କ ଉପରେ ଅସନ୍ତୁଷ୍ଟ ।

 

ଏପରି ଅବସ୍ଥାରେ କର୍ତ୍ତବ୍ୟ କଣ ? ସେମାନେ ଶେଷ ଉତ୍ତର କ’ଣ ଦେଇଥିଲେ, ତାହା ଆଜସୁଦ୍ଧା ଅଜ୍ଞାତ ରହିଅଛି । ଐତିହାସିକମାନେ ମଧ୍ୟ ସ୍ଥିର କରି ପାରି ନାହାନ୍ତି । ଯେତେଥର ସେ ସଭା ଆହୂତ ହେଲା, ତହିଁରେ କୌଣସି ନିର୍ଦ୍ଧାରଣ ହୋଇ ପାରିଲା ନାହିଁ, ଏହିପରି ବାରବାର ହୋଇ ପ୍ରାୟ ବିଂଶବାର ସଭା ଆହୂତ ହେଲା, ପରେ କିଛି ଫଳ ହେଲା ନାହିଁ; ତେଣୁ କ୍ରମଉଏଲଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । କ୍ରମଉଏଲ ଏବଂ ତାଙ୍କର ସହକର୍ମ୍ମୀମାନେ ଏକପକ୍ଷରେ ଏବଂ ଅବଶିଷ୍ଟ ମହାସଭାର ସଦସ୍ୟମାନେ ଅନ୍ୟ ପକ୍ଷରେ ଥାଇ ସଦସ୍ୟ ନିର୍ବାଚନ ପନ୍ଥା ନିର୍ଦ୍ଧାରଣ କରିବା ନିମନ୍ତେ ଘୋର ଆଲୋଚନା କଲେ । ଅବଶ୍ୟ ପରେ ମହାସଭାର ଅବଶିଷ୍ଟ ସଦସ୍ୟମାନେ ପ୍ରସ୍ତାବ କଲେ ଯେ, ସ୍ୱାଧୀନ ଭୋଟ ପ୍ରଥାନୁସାରେ ସଦସ୍ୟ ନିର୍ବାଚନ କରାହେଉ; କିନ୍ତୁ ବିପକ୍ଷ ଦଳରେ ରାଜ ପକ୍ଷର ଲୋକ ଅନେକ ଥିବାରୁ ଭବିଷ୍ୟତରେ କ୍ଷତିର ଆଶଙ୍କା କରି ସେ ରମ୍ପ୍‌ପାର୍ଲିଆମେଣ୍ଟକୁ ବିଦାୟ କରିଦେଲେ ।

 

ଏହା ବର୍ତ୍ତମାନ ଅତିଶୟ କୌତୁହଳର ବିଷୟ ଯେ, କ୍ରମ୍‌ଉଏଲ୍‌ କିପରି ନିରୁପଦ୍ରବ ସାମାଜିକ ଉପାୟରେ ରାଜ୍ୟ ଶାସନ କରିବେ । ତାଙ୍କର ସାହାଯ୍ୟ ଲାଗି ପାର୍ଲିଆମେଣ୍ଟ ଗଠନ କରିବା ନିମନ୍ତେ ସେ ପ୍ରାଗାଢ଼ ଯତ୍ନ ଓ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ତାଙ୍କର ପ୍ରଥମେ ପାର୍ଲିଆମେଣ୍ଟକୁ ବୁଅର ବନସ୍‌ ପାର୍ଲିଆମେଣ୍ଟ ବୋଲାଯାଏ ଏବଂ ଏହା କେବଳ ପ୍ରଧାନ ବ୍ୟକ୍ତିମାନଙ୍କର ଗୋଟିଏ ସମ୍ମେଳନ ବ୍ୟତୀତ ଅନ୍ୟ କିଛି ନୁହେ । ଇଂଲଣ୍ଡର ପ୍ରତ୍ୟେକ ପ୍ରଧାନ ସ୍ଥାନମାନଙ୍କରୁ ପ୍ରଧାନ ପ୍ରଧାନ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଏକତ୍ର ହୋଇ କର୍ତ୍ତବ୍ୟ ଅବଧାରଣ କରିବା ନିମନ୍ତେ ବସିଲେ; କିନ୍ତୁ ଫଳରେ ଅକୃତ କାର୍ଯ୍ୟ ହୋଇ କ୍ରମ୍‌ଉଏଲଙ୍କୁ ତାଙ୍କ ଇଚ୍ଛାନୁରୂପ କାର୍ଯ୍ୟ କରିବାକୁ ଅନୁମତି ଦେଇ ସ୍ୱସ୍ୱ ସ୍ଥାନକୁ ପ୍ରସ୍ଥାନ କଲେ । ଏପରି ଶୋଚନୀୟ ସନ୍ଧି ସମୟରେ ସେ କଣ କରିବେ କିଛି ସ୍ଥିର କରି ପାରିଲେ ନାହିଁ ଅବଶେଷରେ ବହୁ ଚିନ୍ତା କଳ୍ପନା ପରେ ଇଂଲଣ୍ଡର ସେ ରାଷ୍ଟ୍ର ରକ୍ଷକ (ଅର୍ଥାତ୍‌ ଧର୍ମ୍ମତଃ ରାଜା) ପଦ ଗ୍ରହଣ କରିବାକୁ ସ୍ୱୀକୃତ ହେଲେ ଏବଂ ତାଙ୍କର ଯଥାଶକ୍ତି କାର୍ଯ୍ୟ କରିବାକୁ ପ୍ରତିଜ୍ଞା କଲେ ।

 

ତଦନନ୍ତର ସେ ଦ୍ୱିତୀୟବାର ମହାସଭା ଆହ୍ୱାନ ପୂର୍ବକ କାର୍ଯ୍ୟ ଆରମ୍ଭ କରିବାକୁ ମନସ୍ଥ କଲେ, କିନ୍ତୁ ଏହି ସଭା ତାଙ୍କର କ୍ଷମତା ପ୍ରଶ୍ନ କଲା ଏବଂ ବଳପୂର୍ବକ ସେ ଉଚ୍ଚ ଆସନ ଅଧିକାର କରି ଅଛନ୍ତି ବୋଲି ଅଭିଯୋଗ ଆଣିଲା । ତେଣୁ ତାହାଦ୍ୱାରା କାର୍ଯ୍ୟୋଦ୍ଧାର ହେବା ଅସମ୍ଭବ ଦେଖି ସେ ତାକୁ ବିତାଡ଼ିତ କଲେ । ତୃତୀୟବାର ମଧ୍ୟ ସେହି ଅବସ୍ଥା ଘଟିଲା । ସେ ସଭାରେ ତାଙ୍କର ନିନ୍ଦୁକମାନଙ୍କୁ ଭର୍ତ୍ସନା କଲେ ଏବଂ ଭଗବାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ତାଙ୍କ ମତରେ ଭଗବାନ ଏକା ତାଙ୍କ କାର୍ଯ୍ୟର ବିଚାରକ । ସେତେବେଳେ ସେହିଠାରେ କ୍ରମ୍‌ଉଏଲଙ୍କର ବକ୍ତୃତା ସବୁ ଅସ୍ପଷ୍ଟ, ଦୁର୍ବ୍ବୋଧ୍ୟ, ପ୍ରତାରଣାପୂର୍ଣ୍ଣ ବୋଲି କୁହାଯାଏ । ମାତ୍ର ତହିଁରେ ଏ ସମସ୍ତର ସତ୍ତା କିଛିହିଁ ନାହିଁ । ତାଙ୍କ ଭଳି ଦୃଢ଼ବିଶ୍ୱାସ ସମ୍ପନ୍ନ ମନୁଷ୍ୟ ଅତି ଅଳ୍ପ । ତାଙ୍କ କଥାରେ ଗଭୀର ଅର୍ଥ ଅଛି, କିନ୍ତୁ ଅବିଶ୍ୱାସ ଯୁଗରେ ତାଙ୍କର ଜୀବନୀ ଲିଖିତ ହୋଇଥିବାରୁ ତାଙ୍କ ଚରିତ୍ର ଏପରି କଳଙ୍କିତ ହୋଇ ଯାଇଅଛି । ହାୟ ! ଅନ୍ଧ ଅନ୍ଧକୁ ବାଟ ଦେଖାଇବ କିପରି !

 

ପାର୍ଲିଆମେଣ୍ଟ ନିଷ୍ପଳ ହେବାରୁ ଦେଶରେ ଅତ୍ୟାଚାର, ଦୁର୍ବ୍ବିଚାର, ଅରାଜକତା, ସ୍ୱେଚ୍ଛାଚାରିତା ସବୁ ପ୍ରାଧାନ୍ୟ ବିସ୍ତାର କରିବାକୁ ଆରମ୍ଭ କଲା । ଦେଶ ମହା ଗଣ୍ଡଗୋଳରେ ପଡ଼ିଲା । ଏପରି ଅବସ୍ଥାରେ ନ୍ୟାୟପର ବିଚାରପତି ନିଯୁକ୍ତ କରି ନିରପରାଧମାନଙ୍କର ରକ୍ଷା, ଦେଶରେ ଶାନ୍ତି ସ୍ଥାପନ ଏବଂ ଧର୍ମ୍ମରକ୍ଷା କରିବା ନିମନ୍ତେ ସେ ସ୍ୱଜୀବନକୁ ମଧ୍ୟ ଜଳାଞ୍ଜଳି ଦେବାକୁ ଉଦ୍ୟତ ହେଲେ । ସେ ଏପରି ଗୁରୁଭାର ପରିତ୍ୟାଗ କରି ଗୃହକୁ ପଳାୟନ କରି ନ ଥିଲେ । ପଳାୟନ କରିଥିଲେ, ତାଙ୍କ ପ୍ରାଣ ରକ୍ଷା ହୋଇ ନଥାନ୍ତା ଏବଂ ତତ୍‌ସଙ୍ଗେ ମଧ୍ୟ ତାଙ୍କର ମହତ୍‌ ଉଦ୍ଦେଶ୍ୟ ବିଫଳ ହୋଇଥାନ୍ତା । ଚାର୍ଲସଷ୍ଟୁଆର୍ଟ ଏବଂ ଅଶ୍ୱସେନା (Charles Stuart and Cavaliers) ମାନେ ତାଙ୍କୁ ହତ୍ୟା କରିବା ନିମନ୍ତେ ଉତ୍କଣ୍ଠିତ ଭାବରେ ଅନାଇ ରହିଥିଲେ ।

 

କ୍ରମ୍‌ଉଏଲଙ୍କର ଶେଷ ଜୀବନ କଥା ସ୍ମରଣ କଲେ ହୃଦୟରେ ଅତିଶୟ କ୍ଷୋଭ ଜାତ ହୁଏ, ଦେହ ରୋମାଞ୍ଚିତ ହୁଏ । ତାଙ୍କର ପୂରାତନ ଅନ୍ତରଙ୍ଗ ବନ୍ଧୁ କର୍ଣ୍ଣେଲ୍‌ ହଟ୍‌କିନ୍‌ସନ୍‌ ତାଙ୍କ ପ୍ରତି ବୃଦ୍ଧ ବୟସରେ ଅନାସ୍ଥାଭାବ ଦେଖାଇବା ବଡ଼ ଦୁଃଖର ବିଷୟ । ହଟ୍‌କିନ୍‌ସନ୍‌ଙ୍କ ପ୍ରତି କ୍ରମ୍‌ଉଏଲଙ୍କର ପ୍ରଗାଢ଼ ସ୍ନେହ ଓ ପ୍ରୀତି ଥିଲା; କିନ୍ତୁ ପରେ ବନ୍ଧୁ ତାଙ୍କର ମତ ପରିବର୍ତ୍ତନ କରିବାରୁ, ବହୁ ଚେଷ୍ଟା ସତ୍ତ୍ୱେ ଆଉ ପୂର୍ବ ମିଳନ ହୋଇ ପାରିଲା ନାହିଁ । ତାଙ୍କର ବୃଦ୍ଧା ମାତାଙ୍କ ବିଷୟ ମଧ୍ୟ ଭାବିଲେ ସହାନୁଭୂତି ପ୍ରକାଶ ନ କରି ରହି ହୁଏ ନାହିଁ । ବୀରପ୍ରସବିନୀ ମାତା ନିର୍ଭୀକ ହୃଦୟରେ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ନିଜ ଗୃହରେ ଏକାକିନୀ ବାସ କରୁଥାନ୍ତି । ପ୍ରତ୍ୟେକ କମାଣ ଗର୍ଜନରେ ପୁତ୍ର ନିହତ ହେଲେ ବୋଲି ତାଙ୍କ ମନରେ ଆଶଙ୍କା ଜାତ ହୁଏ । ତେଣୁ କ୍ରମ୍‌ଉଏଲ୍‌ ପ୍ରତ୍ୟେକ ଦିନ ଥରେ ହେଲେ ତାଙ୍କ ସଙ୍ଗରେ ଦେଖା କରୁଥିଲେ ତଦ୍ଦ୍ୱାରା ମାତାଙ୍କର ବିଶ୍ୱାସ ହୁଏ ଯେ, ପୁତ୍ର ନିହତ ହୋଇ ନାହିଁ । ଶେଷ ଦିନ ପର୍ଯ୍ୟନ୍ତ ତାଙ୍କର ଜୀବନ କେବଳ ଦୁଃଖ ଓ ସଂଗ୍ରାମପୂର୍ଣ୍ଣ । ତହିଁରେ ସେ କ’ଣ ଲାଭ କରି ଅଛନ୍ତି ? ଯଶ, ଅଭିଳାଷ, ଇତିହାସରେ ସ୍ଥାନ ! ତାଙ୍କ ମୃତ୍ୟୁ ପରେ ତାଙ୍କ କବରରୁ ଶବ ଆଣି ନିଗଡ଼ବଦ୍ଧ କରି ଝୁଲାଇ ଦିଆ ହୋଇଥିଲା । ଇତିହାସରେ ତାଙ୍କର କି ସୁନ୍ଦର ସ୍ଥାନ ! ସେ ଯେଉଁ କାର୍ଯ୍ୟ କରିଥିଲେ ସେଥି ନିମିତ୍ତ ଦେଶ କୃତଜ୍ଞ ରହିବା ଉଚିତ ଥିଲା; କିନ୍ତୁ ତତ୍‌ପରିବର୍ତ୍ତରେ କେବଳ କୂତ୍ସା, ନିନ୍ଦାବାଦ ରଟନା କରିଅଛି । ସେ ମନୁଷ୍ୟର କୃପାଭିକ୍ଷା କରି ନ ଥିଲେ ଏବଂ ଭ୍ରାନ୍ତ ମନୁଷ୍ୟ ମଧ୍ୟ ତାଙ୍କର ସୁବିଚାର କରି ନାହିଁ ।

 

ଏହି ପିଉରିଟାନ୍‌ ଧର୍ମର ଅନଳଶିଖା ନିର୍ବାପିତ ହେବାର ପ୍ରାୟ ଏକ ଶତାବ୍ଦୀ ପରେ ପୁଣି ତାହାର ବହ୍ନି ଆଉ ଏକପ୍ରକାରେ ଜଳି ଉଠିଲା । ଏ ବହ୍ନି ପୂର୍ବାପେକ୍ଷା ଆହୁରି ଏତେ ପ୍ରବଳ ହୋଇଥିଲା ଯେ, ତାକୁ ଘୋଡ଼ାଇ ରଖିବା ଏକାବେଳକେ ଅସମ୍ଭବ ହୋଇ ପଡ଼ିଥିଲା । ଏହା ସର୍ବଜନବିଦିତ, ପୃଥିବୀବିଖ୍ୟାତ ବିରାଟ ଫରାସୀ ରାଷ୍ଟ୍ରବିପ୍ଳବ । ଯଦି ପିଉରିଟାନ୍‌ ଧର୍ମ୍ମ ପ୍ରୋଟେଷ୍ଟାଣ୍ଟ ଧର୍ମ୍ମର ଦ୍ୱିତୀୟ ଦୃଶ୍ୟ, ତେବେ ଏହା ତୃତୀୟ ଏବଂ ଶେଷ । ଏହା ସମସ୍ତ ମିଥ୍ୟା ପ୍ରବଞ୍ଚନା ବିନଷ୍ଟ କରି ପୁଣି ମନୁଷ୍ୟକୁ ସତ୍ୟ ଆଡ଼କୁ ଘେନି ଆସିଲା । ପିଉରିଟାନ୍‌ ଧର୍ମ୍ମ କ୍ରମ୍‌ଉଏଲ୍‍ଙ୍କୁ ନେତା ରୂପରେ ପାଇଥିଲା ଏବଂ ଏହି ରାଷ୍ଟ୍ରବିପ୍ଳବରେ ମଧ୍ୟ ନେପୋଲିଆନ ନେତୃତ୍ୱ ଲାଭ କରିଥିଲେ ।

 

ନେପୋଲିଅନ୍‌–କିନ୍ତୁ କ୍ରମ୍‌ଉଏଲ୍‍ଙ୍କଠାରୁ ଅଧିକତର ମହତ୍‌ଥିଲେ ବୋଲି ବୋଧହୁଏ ନାହିଁ । ତାଙ୍କର ଯେଉଁ ବିପୁଳ ଯଶ ସମଗ୍ର ଇଉରୋପ ବ୍ୟାପି ଯାଇଥିଲା, ତଦ୍ଦ୍ୱାରା ତାଙ୍କର ପ୍ରକୃତ ମହତ୍ତ୍ୱ ବୃଦ୍ଧି ହୋଇ ନାହିଁ । କ୍ରମ୍‌ଉଏଲ୍‍ଙ୍କ ମଧ୍ୟରେ ଯେଉଁ ସୁନ୍ଦର ସରଳତା ଥିଲା, ତାହା ତାଙ୍କଠାରେ ପରିଲକ୍ଷିତ ହୁଏ ନାହିଁ । ନୀରବରେ, ଲୋକ ଦୃଷ୍ଟିର ଅନ୍ତରାଳରେ ଜୀବନ ଅତିବାହିତ କରି ସେ ଭଗବାନଙ୍କ କୃପାଭିକ୍ଷା କିମ୍ୱା ଭଗବାନଙ୍କଠାରେ ଆତ୍ମସମର୍ପଣ କରି ନାହାନ୍ତି । ଭଗବତ୍‌ ଆଦେଶ ନ ପାଇବା ପର୍ଯ୍ୟନ୍ତ ନୀରବରେ କାଳକ୍ଷେପଣ ତାଙ୍କ ଭାଗ୍ୟରେ ଘଟି ନାହିଁ । ନେପୋଲିଅନ୍‌ ଯେଉଁ ଯୁଗରେ ବାସ କରୁଥିଲେ, ସେ ଯୁଗରେ ଆଉ ଈଶ୍ୱର ବିଶ୍ୱାସ ନ ଥିଲା । ନୀରବତା ପ୍ରଭୃତି ହିଁ ହୀନପୁରୁଷକାର ବୋଲି ପରିଗଣିତ ହେଉଥିଲା । ତାଙ୍କ କାର୍ଯ୍ୟର ପ୍ରେରଣା ପିଉରିଟାନ୍‌ ବିଶ୍ୱାସରୁ ଆସି ନ ଥିଲା-ଆସିଥିଲା ଅବିଶ୍ୱାସବାଦରୁ । ତାଙ୍କଠରେ କ୍ଷିପ୍ରତା, ଚାଞ୍ଚଲ୍ୟ ଓ ଅଭୀଷ୍ଟ ଫଳପ୍ରାପ୍ତି ନିମନ୍ତେ ପ୍ରାରମ୍ଭରୁ ଉଦ୍ୟମ ପ୍ରଭୃତି ପରିଦୃଷ୍ଟ ହୁଏ ।

 

ଏକ ଦିଗରେ ଆମ୍ଭେମାନେ ଦେଖୁଁ, ବାକ୍‌ଚାଳନ ନିମନ୍ତେ ବାକ୍‌ଶକ୍ତିହୀନର ପ୍ରଚେଷ୍ଟା, ଅନ୍ୟଦିଗରେ ଉଚ୍ଚାଭିଳାଷୀ ଇପ୍‌ସିତଲାଭାକାଂକ୍ଷୀ ସତତ ଉଦ୍ୟମଶୀଳର କୃତ୍ରିମତା । ହିଉମ୍‌ (Hume) ଙ୍କର ମତବାଦ ନେପୋଲିଅନଙ୍କଠାରେ ପ୍ରଯୋଜ୍ୟ । ଏହି ଉଚ୍ଚାଭିଳାଷ, ମହତୀ ବାସନା ପ୍ରଥମରୁ ତାଙ୍କ ଅନ୍ତରରେ କାର୍ଯ୍ୟ କରି, ସଂଗ୍ରାମ କରି, ଶେଷରେ ତାଙ୍କ ଉପରେ ପ୍ରଭୃତ୍ୱ ସ୍ଥାପନପୂର୍ବକ ତାଙ୍କର ଧ୍ୱଂସ ସାଧନ କରିଥିଲା ।

 

ତାଙ୍କ ପକ୍ଷରେ ମିଥ୍ୟାସଂବାଦ ପ୍ରଚାର ଅମାର୍ଜ୍ଜନୀୟ । ଶତ୍ରୁମାନଙ୍କୁ ଭ୍ରମରେ ପକାଇବା ନିମିତ୍ତ ତାଙ୍କର ଏ ମିଥ୍ୟା କଥା ପ୍ରଚାରର ଅବତାରଣା । କୌଣସିମତେ ମିଥ୍ୟାକଥା କହିବା ଉଚିତ ନୁହେ ସର୍ବଥା ଏହା ଦୂଷଣୀୟ । ଥରେ ମିଥ୍ୟାକଥା କହିଲେ ଅନ୍ୟ ଥର ପ୍ରୟୋଜନ ସମୟରେ ତାଙ୍କ କଥା କେହି ବିଶ୍ୱାସ କରିବେ ନାହିଁ ।

 

ତଥାପି ତାଙ୍କର ଯେ ସରଳତା, ଅକୃତ୍ରିମତା ନ ଥିଲା, ତାହା ନୁହେଁ । ତାଙ୍କ ନିକଟରେ ଏକପ୍ରକାର ସରଳତାର ସତ୍ତା ବିଦ୍ୟମାନ ଥିଲା । ସତ୍ୟ ଉପଲବ୍‌ଧି କରିବାର ଶକ୍ତି ଓ ବ୍ୟାବହାରିକ ବସ୍ତୁ ବିଷୟକ ଜ୍ଞାନ ତାଙ୍କର ସହଜାତ ପ୍ରବୃତ୍ତି ଥିଲା । ସେହି ପ୍ରବୃତ୍ତି ଅନେକାଂଶରେ ସତ୍ୟ ଦିଗରେ ପରିଚାଳିତ । ମିଶର ଦେଶକୁ ଅଭିଯାନ କରୁଥିବା ସମୟରେ ଦିନେ ସନ୍ଧ୍ୟାସମୟରେ କେତେକ ପଣ୍ଡିତ ସେହି ପୋତରେ କଟୁ ତର୍କଶାସ୍ତ୍ର ଅବଲମ୍ୱନ ପୂର୍ବକ ଈଶ୍ୱରଙ୍କର ଅସ୍ତିତ୍ୱ ଅସ୍ୱୀକାର କରୁଥିଲେ । ତହୁଁ ନେପୋଲିଅନ ଊର୍ଦ୍ଧ୍ୱକୁ ଦୃଷ୍ଟି ନିକ୍ଷେପ କରି ନକ୍ଷତ୍ର ଖରିଚ ଅନନ୍ତ ନୀଳାକାଶକୁ ଦର୍ଶାଇ କହିଲେ, ଏ ସମସ୍ତର କର୍ତ୍ତା କିଏ ?’ ଏହି ସମୟରେ ଭଗବତ୍‌ପ୍ରେମରେ ତାଙ୍କ ହୃଦୟ ପରିପ୍ଳୁତ ହୋଇଗଲା, ଶରୀରରେ ରୋମାଞ୍ଚ ହେଲା; ଗଭୀର ସତ୍ୟ ତାଙ୍କୁ ଏକ ଦୃଷ୍ଟିରେ ଅନାଇ ରହିଲା । ବ୍ୟବହାରିକ ଜଗତରେ ମଧ୍ୟ ତାଙ୍କର ସେହିପରି ଅସାଧାରଣ ଶକ୍ତି ଥିଲା । ପ୍ରତ୍ୟେକ ବସ୍ତୁର ଅନ୍ତସ୍ଥିତ ସତ୍ୟ ଅନୁସନ୍ଧାନ କରି ଯେଉଁ ପନ୍ଥା ଅନୁସରଣ କଲେ କାର୍ଯୋଦ୍ଧାର ହୋଇପାରିବ, ତାହା ସମ୍ୟକ୍‌ ପର୍ଯ୍ୟବେକ୍ଷଣ କରି ସେ ତଦନୁସାରେ କାର୍ଯ୍ୟ କରୁଥିଲେ । ପ୍ରତ୍ୟେକ ବସ୍ତୁର ସାରାସାର ନିର୍ଣ୍ଣୟ କରିବାରେ ତାଙ୍କର ଅଦ୍ଭୁତ କ୍ଷମତା ଥିଲା । ସେଣ୍ଟହେଲେନାରେ ଥାଇ ମଧ୍ୟ (ଯେଉଁଠାରେ ୧୮୧୫ ଖ୍ରୀଷ୍ଟାବ୍ଦରେ ସେ ନିର୍ବାସିତ ହୋଇ ପ୍ରାଣତ୍ୟାଗ କରିଥିଲେ) ତାଙ୍କର ଏ ଶକ୍ତି ମୃତ୍ୟୁ ପର୍ଯ୍ୟନ୍ତ ହ୍ରାସ ପାଇ ନ ଥିଲା ।

 

ପ୍ରଜାତନ୍ତ୍ର ରୂପ ମହାସତ୍ୟଟିକୁ ସେ ପ୍ରାଣେ ପ୍ରାଣେ ଉପଲବ୍‌ଧି କରିଥିଲେ । ଏ ବିଶ୍ୱାସ ତାଙ୍କ ହୃଦୟରେ ବଦ୍ଧମୂଳ ହୋଇଥିଲା । ତାଙ୍କ ହୃଦୟରେ ଯେଉଁ ଦୁର୍ଦ୍ଦମନୀୟ ପ୍ରଜାତନ୍ତ୍ରଭାବ ଜାଗିଥିଲା, ପୃଥିବୀର ସମସ୍ତ ଶକ୍ତି ପ୍ରୟୋଗ କରି ତାହାକୁ ଦମନ କରାଯାଇ ନ ପାରେ ।

 

ତାଙ୍କର ଦୂରଦୃଷ୍ଟି ସାହାଯ୍ୟରେ ସେ ଏହି ରାଷ୍ଟ୍ରୀୟ ସତ୍ୟଟି ହୃଦୟଙ୍ଗମ କରି ସେହି ପ୍ରେରଣାରେ ଅଗ୍ରସର ହେଉଥିଲେ । ଜାତି, ବର୍ଣ୍ଣ ଓ ଧର୍ମ୍ମ ନିର୍ବିଶେଷରେ ଯୋଗ୍ୟବ୍ୟକ୍ତିଙ୍କୁ ଉଚ୍ଚପଦବୀରେ ଅଧିରୁଢ଼ କରିବା କିମ୍ୱା ଶାସନଭାର ଅର୍ପଣ କରିବା ତାଙ୍କର ମୂଳମନ୍ତ୍ର ଥିଲା । ରାଷ୍ଟ୍ରବିପ୍ଳବରେ ମଧ୍ୟ ଏହି ସତ୍ୟଟି ପ୍ରମାଣିତ ହୋଇଅଛି । ତାଙ୍କର ଜୀବନର ପ୍ରଥମ ଭାଗରେ ସେ ଜଣେ ପ୍ରଜାତନ୍ତ୍ରତାଦର ଅନୁରାଗୀ ଥିଲେ । ପ୍ରଜାତନ୍ତ୍ର ଯେ ଅରାଜକତା ନୁହେ, ତାହା ସେ ପ୍ରାଣେ ପ୍ରାଣେ ବୁଝିଥିଲେ । ସେ ଅରାଜକତାକୁ ଅତିଶୟ ଘୃଣା କରୁଥିଲେ । ୧୭୬୨ ଖ୍ରୀଷ୍ଟାବ୍ଦର ଜୁନ ୨୦ ତାରିଖରେ ସେ ଏକ ବରୁନି (Bourrienne) ଚାହା ପାନାଗାରରେ ବସିଅଛନ୍ତି, ଏପରି ସମୟରେ ବିଦ୍ରୋହୀ ସେନାଗଣ ସେ ପଥରେ ଯାତ୍ରା କଲେ । ତାହା ଦେଖି ସେ ଅତିଶୟ ଆକ୍ଷେପ ପ୍ରକାଶ କରି କହିଲେ, ‘‘ଏମାନଙ୍କୁ ଦମନ କରିବା କର୍ତ୍ତୃପକ୍ଷମାନଙ୍କର ଏକାନ୍ତ କର୍ତ୍ତବ୍ୟ ।’’ ପ୍ରଜାତନ୍ତ୍ରରେ ତାଙ୍କର ଏହି ଅଟଳ ବିଶ୍ୱାସହିଁ ତାଙ୍କୁ ସମସ୍ତ ପ୍ରଧାନ କାର୍ଯ୍ୟ ସମ୍ପାଦନ କରିବା ବିଷୟରେ ଶକ୍ତି ଦାନ କରିଥିଲା । ଫରାସୀ ରାଷ୍ଟ୍ର ବିପ୍ଳବ କିପରି ଜୟଯୁକ୍ତ ହେବ, ଏହି ପ୍ରେରଣାରେ ସେ ଇଟାଲି ଯୁଦ୍ଧ ଯାତ୍ରାଠାରୁ ଆରମ୍ଭ କରି ଲୋବେନ (Leoben) ସନ୍ଧି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ଜଣେ ପ୍ରଧାନ ଅଧିନାୟକ ନ ଥିଲେ କାର୍ଯ୍ୟ ସୁନ୍ଦର ଭାବରେ ପରିଚାଳିତ ହେବା କଷ୍ଟକର ହେବ ଏବଂ ତଦ୍ଦ୍ୱାରା ସମସ୍ତ ଉଦ୍ୟମ ପଣ୍ଡ ହୋଇଯିବା ଜାଣି ସେ ଯତ୍‌ପରୋନାସ୍ତି ଚେଷ୍ଟା କରୁଥିଲେ-କିପରି ତାଙ୍କର ସାଧୁ ଉଦ୍ୟମ ସଫଳ ହେବ । ବାସ୍ତବିକ ତାଙ୍କର ଅସାଧାରଣ ପ୍ରତିଭା ଏବଂ କାର୍ଯ୍ୟକୁଶଳତା ହେତୁ ସେ ସ୍ୱତଃ ଫ୍ରାନ୍‌ସ ଦେଶର ଏକମାତ୍ର ପ୍ରଧାନ ବ୍ୟକ୍ତି ହେଲେ ଏବଂ ରାଜପଦରେ ଅଧିଷ୍ଠିତ ହେଲେ । ଲୋକମାନେ ମଧ୍ୟ ତାଙ୍କର ଆଦେଶ ପ୍ରତିପାଳନ କରି ତାଙ୍କର ଅଧିନାୟକତ୍ୱ ସ୍ୱୀକାର କଲେ ।

 

ତତ୍‌ପରେ ତାଙ୍କ ମଧ୍ୟରେ କୃତ୍ରିମତା ପ୍ରବେଶ କରି ତାଙ୍କୁ ଲଣ୍ଡ ଭଣ୍ଡ କରି ପକାଇଲା । ସେ ଆଉ ତାଙ୍କର ବିଶ୍ୱାସ ଦୃଢ଼ ରୂପରେ ରଖି ପାରିଲେ ନାହିଁ । ପ୍ରାଚୀନ ପଥ ଅନୁସରଣ କରି ଗୋଟିଏ ରାଜବଂଶ ପ୍ରତିଷ୍ଠା କରିବା ନିମନ୍ତେ ତାଙ୍କର ସଂକଳ୍ପ ହେଲା । ବିରାଟ ଫରାସୀ ରାଷ୍ଟ୍ରବିପ୍ଳବର ଉଦ୍ଦେଶ୍ୟ କଣ ତାହାହିଁ ଥିଲା ? ବର୍ତ୍ତମାନ ତାଙ୍କର ମତିଭ୍ରମ ହେଲା, ବୁଦ୍ଧି ଲୋପ ପାଇଲା; ଅସତ୍ୟ ନିକଟରେ ନିଜର ଆତ୍ମା ବିକ୍ରୀତ ହେଲା । ନିଜର ସ୍ୱାର୍ଥ ଏବଂ ଘୋର ବିଷୟବାସନା ତାଙ୍କର ଆରାଧ୍ୟ ହୋଇ ଉଠିଲା । ଥରେ ପାପ ପଙ୍କରେ ପଦନିକ୍ଷେପ କଲେ ପଙ୍କରୁ ଆଉ ନିସ୍ତାର ନାହିଁ । କ୍ରମେ କ୍ରମେ ସମସ୍ତ ଶରୀର ପାପ ପଙ୍କରେ ବୁଡ଼ିଯାଏ । ନେପୋଲିଆନ୍‌ ଅତିଶୟ ଭ୍ରମରେ ପତିତ ହୋଇ ମନୁଷ୍ୟ ଜାତିକୁ ଅବିଶ୍ୱାସ କରିବାକୁ ଆରମ୍ଭ କଲେ । ଆକାଶରେ ଅଟ୍ଟାଳିକା ଉତ୍ତୋଳନ କରିବାକୁ ଯାଇ ତାଙ୍କର ନବ ପ୍ରତିଷ୍ଠିତ ଗୃହ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା । ନେପୋଲିଅନ୍‌ଙ୍କର ଏଡ଼େ ବଡ଼ କାର୍ଯ୍ୟ କେଉଁଆଡ଼େ ଶୂନ୍ୟରେ ଉଭାଇ ଗଲା । ତତ୍‌ପରେ ତାଙ୍କର ସେହି ପ୍ରଜାତନ୍ତ୍ରଭାବ କିଛିକାଳ ମନୁଷ୍ୟକୁ ସ୍ତବ୍‌ଧ କରି ଶୁଷ୍କ ପତ୍ରରେ ଅଗ୍ନିବତ୍‌ ଜଗତକୁ ଧୂମରେ ପରିପୂର୍ଣ୍ଣ କଲା । ତହୁଁ ମୁହୂର୍ତ୍ତ ମଧ୍ୟରେ ସବୁ କୁହୁକବତ୍‌ ବିଲୀନ ହୋଇଗଲା । କିନ୍ତୁ ପୃଥିବୀ ନଦୀ ପର୍ବତ ସହିତ ସେହିପରି ବର୍ତ୍ତମାନ; ମସ୍ତକ ଉପରେ ନୀଳାକାଶ ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ତାରା ସହିତ ସେହିପରି ବିରାଜିତ; କିନ୍ତୁ ନେପୋଲିଅନ ଏବଂ ତାଙ୍କର ମତବାଦ କ୍ଷଣପ୍ରଭାବିତ ଶୂନ୍ୟ, ଶୂନ୍ୟ-ମହାଶୂନ୍ୟରେ ବିଲୀନ !

 

ଓଇମାର (Duke of Weimar) ଯଥାର୍ଥ କହିଅଛନ୍ତି ଯେ, ନେପୋଲିଅନଙ୍କ ମତବାଦ କେବଳ ଅନ୍ୟାୟ, ଅସତ୍ୟ ଓ ମିଥ୍ୟା ପୂର୍ଣ୍ଣ ଥିଲା, ତେଣୁ ତାହା ସ୍ଥାୟୀ ହୋଇ ପାରିଲା ନାହିଁ । ନେପୋଲିଅନ୍‌ ଯେତିକି ପରିମାଣରେ ପୃଥିବୀକୁ ଦମନ କରିବାକୁ ବସିଥିଲେ, ସେତିକି ପରିମାଣରେ ତାହା ତାଙ୍କ ବିରୁଦ୍ଧରେ ଉଠି ପ୍ରତିହିଂସା ନେଲା । ଅନ୍ୟାୟ ମୂଳ କଳନ୍ତର ସହିତ ଫେରି ଆସେ । ନ୍ୟାୟପର ଭାବରେ ଯେ ଯାହା ସମ୍ପନ୍ନ କରି ଅଛନ୍ତି ତାହାହିଁ ତାଙ୍କର ପ୍ରକୃତ କାର୍ଯ୍ୟ, ଅନ୍ୟାନ୍ୟ ସମସ୍ତ ଧୂମ, ବସ୍ତୁ ନୁହେ । ସୁଯୋଗ୍ୟ ବ୍ୟକ୍ତିଙ୍କୁ ଉଚ୍ଚ ପଦରେ ଅଧିଷ୍ଠିତ କରିବା ରୂପ ମହାସତ୍ୟଟିକୁ କାର୍ଯ୍ୟରେ ପରିଣତ ନ କରି ସେ ଅର୍ଦ୍ଧସମ୍ପନ୍ନ ଭାବରେ ତାହା ପରିତ୍ୟାଗ କରିଗଲେ ।

 

ସେଣ୍ଟହେଲନାରେ ସେ ସଂସାର ବିଷୟରେ ତାଙ୍କର ଯେଉଁ ମତ ପ୍ରକାଶ କରିଥିଲେ, ତାହା ଶ୍ରବଣ କଲେ ବାସ୍ତବିକ ଗଭୀର ଦୁଃଖ ଜାତ ହୁଏ । ପୃଥିବୀ ବିଷୟରେ ତାଙ୍କର କିଛି ଧାରଣା ନ ଥିଲା । ସେ ଫ୍ରାନ୍‌ସକୁ ସମଗ୍ର ବିଶ୍ୱ ବୋଲି ମନେ କରିଥିଲେ ଏବଂ ନିଜକୁ ତହିଁର ଏକଛତ୍ର ସମ୍ରାଟ ବୋଲି ଧାରଣା ପୋଷଣ କରିଥିଲେ ।

 

ତାଙ୍କର ଧ୍ରୁବ ବିଶ୍ୱାସ ଥିଲା ଯେ, ତାଙ୍କର ଅଭାବରେ ଫ୍ରାନ୍‌ସର କୌଣସି କାର୍ଯ୍ୟ ଚଳିପାରିବ ନାହିଁ । ତାଙ୍କ ଅଭାବରେ ସବୁ ଛାରଖାର ହୋଇଯିବ । ବର୍ତ୍ତମାନ ସେ ତାଙ୍କର ଏ ଭ୍ରାନ୍ତ ଧାରଣା ବୁଝିପାରି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ସତ୍ୟ ମଞ୍ଚରୁ ଥରେ ଅବତରଣ କରି ସେ କ୍ରମଶଃ ଘୋର ପାତାଳକୁ ପ୍ରବେଶ କଲେ । ସେଠାରେ ତାଙ୍କର ବିଶାଳ ହୃଦୟ କ୍ଷତ ବିକ୍ଷତ, ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା ଏବଂ ସେଠାରେ ସେ ତାଙ୍କ ପଞ୍ଚଭୌତିକ ଶରୀର ତ୍ୟାଗ କଲେ । ଗୋଟିଏ ବିଶାଳ ପ୍ରବଳ ଶକ୍ତି ଆକସ୍ମିକ ଭାବରେ ଉଦିତ ହୋଇ ସହସା ପୁଣି ଉଜ୍ଜ୍ୱଳ ଆଲୋକ ଖଣ୍ଡବତ୍‌ ଅସ୍ତ ହୋଇଗଲା । ଏହି ଆମ୍ଭମାନଙ୍କର ଶେଷ ମହାପୁରୁଷ ।

 

‘ଶେଷ’ କଥାଟି ଦୁଇଟି ଭାବରେ ବ୍ୟବହୃତ ହୋଇଅଛି । କାରଣ ଅନେକ ଯୁଗ ଧରି ଅନେକ ଦେଶରେ ବହୁ ପୂରାକାଳରୁ ଆରମ୍ଭ କରି ଯେଉଁ ଅନ୍ୱେଷଣ-ବୀର ଅନ୍ୱେଷଣ ଚାଲିଥିଲା, ତାହା ଏଠାରେ ଶେଷ ହେଲା । ଏ ବିଷୟଟି ଖୁବ୍‌ ବିଶାଳ ଏବଂ ଗୁରୁତର । ଏଡ଼େବଡ଼ ଗୁରୁତର ବିଷୟ ପ୍ରତି ଆଦୌ ସୁବିଚାର-ନ୍ୟାୟ ବିଚାର-ହୋଇ ପାରି ନାହିଁ । କେବଳ ଏହା ଦ୍ୱାରା ବୀରପୂଜାର ପତ୍ତନ ପଡ଼ିଅଛି ମାତ୍ର । ପାଠକମାନେ ଯେ ଅବହିତ ଚିତ୍ତରେ ଏତେବେଳଯାଏ ତାଙ୍କର ସମୟ ନଷ୍ଟକରି ଧୈର୍ଯ୍ୟଧରି ରହି ଅଛନ୍ତି, ସେଥି ନିମିତ୍ତ ସେମାନଙ୍କୁ ଶତକୋଟି ଧନ୍ୟବାଦ-!

Image